କିନ୍ତୁ ଏ ପର୍ଯ୍ୟନ୍ତ ଏଥିରେ ଆଶାନୁରୂପ ଅଗ୍ରଗତି ହାସଲ ହୋଇପାରିନାହିଁ ଏବଂ ସଂଖ୍ୟାନ୍ୟୂନ ସୁଶିକ୍ଷିତ ଯୁବକଯୁବତୀମାନେ ଚମକପ୍ରଦ ସମୃଦ୍ଧି ହାସଲ କରିଚାଲିଥିବା ବେଳେ ବହୁସଂଖ୍ୟକ ନିଯୁକ୍ତି ଆଶାୟୀ ନିଯୁକ୍ତିହୀନ ଅବସ୍ଥାରେ କିମ୍ବା ସ୍ବଳ୍ପ ଆୟ ଅର୍ଜନକାରୀ ବୃତ୍ତି ଗ୍ରହଣ କରି ପଛରେ ପଡ଼ିରହିଛନ୍ତି। ଭାରତୀୟ ଅର୍ଥନୀତି ଯଦି ଏହି ‘K’ ଯନ୍ତାରୁ ନ ମୁକୁଳେ, ତେବେ ନିକଟ ଭବିଷ୍ୟତ୍ରେ ଭାରତ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଯେଉଁ ସ୍ବପ୍ନ ଦେଖୁଛି, ତାହା ସାକାର ହେବାର ସମ୍ଭାବନା କ୍ଷୀଣ।
କେନ୍ଦ୍ରରେ ବିଗତ ଦୁଇ ପାଳିର ମୋଦୀ ସରକାର ସମୟରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଚମକପ୍ରଦ ଅଭିବୃଦ୍ଧି ହାର ପାଇଁ ବ୍ୟାପକ ପ୍ରଶଂସା ଲାଭ କରିଥିଲେ ହେଁ ମୋଦୀଙ୍କ ବିରୋଧୀମାନେ ସର୍ବଦା ଅଭିଯୋଗ କରିଆସିଛନ୍ତି ଯେ ଏହି ଅଭିବୃଦ୍ଧି ହେଉଛି ନିଯୁକ୍ତିହୀନ ଅଭିବୃଦ୍ଧି। ନଦୀରେ ପାଣି ଉଛୁଳୁଥିବା ବେଳେ ଲୋକମାନେ ପିଇବାକୁ ପାଣି ନ ପାଇ ଶୋଷରେ ରହିବା ଯାହା, ଅର୍ଥନୀତି ହାସଲ କରିଚାଲିଥିବା ଉଚ୍ଚ ହାରରେ ଅଭିବୃଦ୍ଧି ହେଉଛି ତାହା। କିନ୍ତୁ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫରୁ ପ୍ରକାଶ ପାଇଥିବା କେତେକ ତଥ୍ୟ ଉପରେ ଦୃଷ୍ଟି ନିକ୍ଷେପ କଲେ ଏକ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଏଭଳି ନିଯୁକ୍ତିହୀନ ଅଭିବୃଦ୍ଧି ଅଭିଯୋଗ ଅତିରଞ୍ଜନ ନୁହେଁ ତ?
‘କ୍ଲେମ୍ସ’ (କ୍ୟାପିଟାଲ୍, ଲେବର୍, ଏନର୍ଜି, ମାଟେରିଆଲ୍ସ ଆଣ୍ଡ ସର୍ଭିସେସ୍) ନାମକ ଏହି ସର୍ବେକ୍ଷଣପ୍ରସୂତ ସୂଚନା ଅନୁସାରେ ୨୦୨୨-୨୩ରେ ଦେଶରେ ମୋଟ ନିଯୁକ୍ତି ସୃଷ୍ଟିରେ ୩.୨ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ ୨୦୨୩-୨୪ରେ ଏହି ବୃଦ୍ଧି ହାର ପ୍ରାୟ ଦ୍ବିଗୁଣିତ ହୋଇ ହୋଇଥିଲା ୬ ଶତାଂଶ। ଯଦି ସଂଖ୍ୟା ଆକାରରେ ଦେଖାଯାଏ, ତେବେ ୨୦୨୧-୨୨ରେ ଦେଶରେ ୧୧.୯ ନିୟୁତ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିଲା, ଯାହା ୨୦୨୨-୨୩ରେ ବୃଦ୍ଧି ପାଇ ହୋଇଥିଲା ୧୯ ନିୟୁତ ଓ ୨୦୨୩-୨୪ରେ ହୋଇଥିଲା ୪୬.୭ ନିୟୁତ। ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’ (‘ପିଏଲ୍ଏଫ୍ଏସ୍’)ରୁ ସଂଗୃହୀତ ତଥ୍ୟ ଉପରେ ଆଂଶିକ ଭାବରେ ନିର୍ଭର କରୁଥିବା ଏହି ‘କ୍ଲେମ୍ସ’ ସୂଚନା ନିଯୁକ୍ତିହୀନତା ରୂପକ ନିରାଶା ଅନ୍ଧାରରେ ଏକ ଆଶାର ଆଲୋକ ରେଖା ପରି ପ୍ରତୀୟମାନ ହୋଇଥାଏ।
କିନ୍ତୁ ଏହି ‘କ୍ଲେମ୍ସ’ ତଥ୍ୟ କେତେଦୂର ଭରସାଯୋଗ୍ୟ, ତାହା ହେଉଛି ଆଉ ଏକ ପ୍ରଶ୍ନ। ‘ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକନମି’ (‘ସିଏମ୍ଆଇ’) ନାମକ ପ୍ରତିଷ୍ଠିତ ଘରୋଇ ଗବେଷଣା ସଂସ୍ଥା ଦ୍ବାରା କରାଯାଇଥିବା ସର୍ବେକ୍ଷଣର ଫଳାଫଳ ଅନୁସାରେ ୨୦୨୩-୨୪ରେ ଆମ ଦେଶରେ ବେକାରି ହାର ୮ ଶତାଂଶକୁ ବୃଦ୍ଧି ପାଇଥିଲା। ଅବଶ୍ୟ ଭାରତ ଭଳି ଏକ ଜନବହୁଳ ଦେଶରେ ନିଯୁକ୍ତି ବିଭିନ୍ନ କିସମର ରୂପ ପରିଗ୍ରହଣ କରୁଥିବାରୁ ଭିନ୍ନ ଭିନ୍ନ ସର୍ବେକ୍ଷଣର ଫଳାଫଳ ଭିନ୍ନ ଭିନ୍ନ ହେବାର ସମ୍ଭାବନା ରହିଥାଏ। କିନ୍ତୁ ଏହା ସତ୍ତ୍ବେ ‘କ୍ଲେମ୍ସ’ ବହନ କରୁଥିବା କେତେକ ତଥ୍ୟର ବିଶ୍ବସନୀୟତା ସଂପୂର୍ଣ୍ଣ ରୂପେ ସନ୍ଦେହମୁକ୍ତ ହୋଇ ନ ଥାଏ। ଉଦାହରଣ ସ୍ବରୂପ ଏହା ଅନୁସାରେ ୨୦୨୦-୨୧ରେ ଦେଶରେ ମୋଟ ୩୧ ନିୟୁତ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିଲା! ଭୁଲିଯିବା ଉଚିତ ନୁହେଁ ଯେ ଏହା ଥିଲା ଦେଶରେ କୋଭିଡ୍ ସଂକ୍ରମଣର ଶୀର୍ଷ ସମୟ, ଯେଉଁ ସମୟରେ ଲୋକମାନେ ପ୍ରାଣ ଭୟରେ ଘରୁ ବାହାରୁ ନ ଥିଲେ। ନିଯୁକ୍ତିର ସଂଜ୍ଞାକୁ କେତେଦୂର ହୁଗୁଳା କଲେ ଯାଇ ଏଭଳି ଏକ ଫଳାଫଳ ମିଳିବ, ତାହା ବୁଝା ପଡୁନାହିଁ। ଏଠାରେ ମଧ୍ୟ ସୂଚନାଯୋଗ୍ୟ ଯେ ଭାରତୀୟ ଅର୍ଥନୀତିର ଏପରି ଦ୍ରୁତ ଅଭିବୃଦ୍ଧି ସତ୍ତ୍ବେ ଦେଶରେ ମୋଟ ଖାଉଟି ଖର୍ଚ୍ଚରେ ଏ ପର୍ଯ୍ୟନ୍ତ ଆଶାନୁରୂପ ବୃଦ୍ଧି ଘଟିବା ଦେଖାଯାଇନାହିଁ। ଖାଉଟି ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ନିଯୁକ୍ତି ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି କାରଣରୁ ନିଯୁକ୍ତିରେ ବୃଦ୍ଧି ଘଟିଛି ବୋଲି ବିଶ୍ବାସ କରିବା ପାଇଁ ଅନେକ ପର୍ଯ୍ୟବେକ୍ଷକ ପ୍ରସ୍ତୁତ ନୁହନ୍ତି।
ଯଦିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କୁ ପଛରେ ପକାଇ ଦେଇଛି, ଅର୍ଥନୀତିର ଅଣ-କୃଷିକ୍ଷେତ୍ରମାନଙ୍କରେ ଉତ୍ପାଦନରେ ଶ୍ରମ ବ୍ୟବହାରର ସଘନତାରେ ତୀକ୍ଷ୍ଣ ହ୍ରାସ ଘଟିଚାଲିବା ପରିଲକ୍ଷିତ ହେଉଛି। ଏହାର ସରଳ ଅର୍ଥ ହେଲା, ଶିଳ୍ପ ଉତ୍ପାଦନ ଓ ସେବା ପ୍ରଦାନ ଆଦି କ୍ଷେତ୍ରରେ କ୍ରମେ ମାନବ ଶ୍ରମିକମାନଙ୍କ ସ୍ଥାନରେ ଅଧିକରୁ ଅଧିକ ଯନ୍ତ୍ର ଓ କମ୍ପ୍ୟୁଟର୍ ଆଦି ବ୍ୟବହୃତ ହେବା ଦେଖାଯାଉଛି। ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (‘ଏଆଇ’)ର ଦ୍ରୁତ ଅଗ୍ରଗତି ମଧ୍ୟ ଏହି ଧାରାକୁ ଅଧିକ ଶକ୍ତି ଯୋଗାଇବା ଆରମ୍ଭ କଲାଣି। ଏଭଳି ପ୍ରାବିଧିକ ପରିବର୍ତ୍ତନର ଅନିବାର୍ଯ୍ୟ ପରିଣାମ ହେଉଛି ଶ୍ରମ ନିଯୁକ୍ତିରେ ସଂକୋଚନ। କୃଷି କ୍ଷେତ୍ରରେ ଆବଶ୍ୟକତା ଠାରୁ ବହୁଗୁଣ ଅଧିକ ସଂଖ୍ୟାରେ ଶ୍ରମଜୀବୀମାନେ କାର୍ଯ୍ୟରତ ଥିଲେ ହେଁ (ଅର୍ଥଶାସ୍ତ୍ରର ଭାଷାରେ- ଛଦ୍ମବେଶୀ ବେକାରି) ଅଣ-କୃଷିକ୍ଷେତ୍ରକୁ ସେମାନେ ସ୍ଥାନାନ୍ତରିତ ନ ହୋଇ ପାରିବାର ଏହା ହେଉଛି ଅନ୍ୟତମ କାରଣ।
ଫଳରେ ଭାରତୀୟ ଅର୍ଥନୀତି ସାମଗ୍ରିକ ଦୃଷ୍ଟିରୁ ଏକ ପ୍ରଶଂସନୀୟ ଅଭିବୃଦ୍ଧି ହାର ହାସଲ କରିଚାଲିଥିଲେ ହେଁ, ଯଦି ଏକ ଯବକାଚ ମଧ୍ୟ ଦେଇ ଦୃଷ୍ଟି ନିକ୍ଷେପ କରାଯାଏ, ଯେଉଁ ଚିତ୍ର ପରିଦୃଷ୍ଟ ହୋଇଥାଏ, ତାହା ହେଉଛି ଏକ ବିଭାଜିତ ଚିତ୍ର। ଏ ଚିତ୍ରର ଅଂଶ ସ୍ବରୂପ ସଂଗଠିତ ଅଣ-କୃଷି କ୍ଷେତ୍ରରେ ନିଯୁକ୍ତ ଅଳ୍ପସଂଖ୍ୟକ ଲୋକଶକ୍ତି ଦ୍ରୁତ ସମୃଦ୍ଧି ଉପଭୋଗ କରୁଥିବା ବେଳେ କୃଷିକ୍ଷେତ୍ରରେ ନିଯୁକ୍ତ ବହୁସଂଖ୍ୟକ ଏଥିରୁ ବଞ୍ଚିତ ହୋଇଚାଲିଛନ୍ତି। ଏଣୁ କୁହାଯାଉଛି ଯେ ଭାରତ ଯେଉଁ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଗର୍ବ କରୁଛି ତାହାର ଗତିପଥ ହେଉଛି ଦ୍ବିମୁଖୀ- ଗୋଟିଏ ପଥ ଊର୍ଦ୍ଧ୍ବମୁଖୀ ହୋଇଥିବା ବେଳେ ଅନ୍ୟ ପଥଟି ହୋଇଥାଏ ନିମ୍ନମୁଖୀ, ଠିକ୍ ଯେମିତି ଇଂରେଜୀ ଅକ୍ଷର ‘K’ର ଦକ୍ଷିଣ ପାର୍ଶ୍ବସ୍ଥ ରେଖାଦ୍ବୟଙ୍କର ଗତିପଥ ହୋଇଥାଏ। ଏହି ‘K’ର ଊର୍ଦ୍ଧ୍ବମୁଖୀ ରେଖାଟି ସହରୀ ଅଣ-କୃଷିକ୍ଷେତ୍ରରେ ଅଭିବୃଦ୍ଧିର ପ୍ରତିନିଧିତ୍ବ କରୁଥିବା ବେଳେ, ନିମ୍ନମୁଖୀ ରେଖାଟି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଧୋଗତିର ପ୍ରତିନିଧିତ୍ବ କରିଥାଏ।
ଏହି ବିଭାଜିତ ଚିତ୍ରର ମୁକାବିଲା ପାଇଁ ସରକାର ଯେଉଁ ନୀତି ଅବଲମ୍ବନ କରିଛନ୍ତି, ତାହା ହେଲା ଅଧିକରୁ ଅଧିକ ସଂଖ୍ୟକ ଶିଳ୍ପ କାରଖାନା ପ୍ରତିଷ୍ଠା କରି ଗ୍ରାମାଞ୍ଚଳରୁ ଶ୍ରମଶକ୍ତିକୁ ସେ ଦିଗରେ ଆକର୍ଷିତ କରିବା। ତା’ ସହିତ ଏହି ଯୁବଶକ୍ତିର ନିଯୁକ୍ତି ଯୋଗ୍ୟତାରେ ଉନ୍ନତି ଘଟାଇବା ଉଦ୍ଦେଶ୍ୟରେ ସେମାନଙ୍କର କାର୍ଯ୍ୟକୁଶଳତା ବା ‘ସ୍କିଲ୍’ରେ ଉନ୍ନତି ସାଧନ କରିବା ପାଇଁ କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏଥିରେ ଆଶାନୁରୂପ ଅଗ୍ରଗତି ହାସଲ ହୋଇପାରିନାହିଁ ଏବଂ ସଂଖ୍ୟାନ୍ୟୂନ ସୁଶିକ୍ଷିତ ଯୁବକଯୁବତୀମାନେ ଚମକପ୍ରଦ ସମୃଦ୍ଧି ହାସଲ କରିଚାଲିଥିବା ବେଳେ ବହୁସଂଖ୍ୟକ ନିଯୁକ୍ତି ଆଶାୟୀ ନିଯୁକ୍ତିହୀନ ଅବସ୍ଥାରେ କିମ୍ବା ସ୍ବଳ୍ପ ଆୟ ଅର୍ଜନକାରୀ ବୃତ୍ତି ଗ୍ରହଣ କରି ପଛରେ ପଡ଼ିରହିଛନ୍ତି। ଭାରତୀୟ ଅର୍ଥନୀତି ଯଦି ଏହି ‘K’ ଯନ୍ତାରୁ ନ ମୁକୁଳେ, ତେବେ ନିକଟ ଭବିଷ୍ୟତ୍ରେ ଭାରତ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଯେଉଁ ସ୍ବପ୍ନ ଦେଖୁଛି, ତାହା ସାକାର ହେବାର ସମ୍ଭାବନା କ୍ଷୀଣ।
ଏହି ଯନ୍ତାରୁ ମୁକୁଳିବା ପାଇଁ ଦୁଇଟି ଉପାୟ ଅଛି। ଗୋଟିଏ ହେଉଛି ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ଘଟାଇ ଆମର ଶ୍ରମଶକ୍ତିକୁ ଅଧିକ ନିଯୁକ୍ତି-ଯୋଗ୍ୟ କରିବା; ଅନ୍ୟଟି ହେଉଛି ଘରୋଇ କ୍ଷେତ୍ରରେ ନିବେଶ-ଅନୁକୂଳ ବାତାବରଣରେ ଉନ୍ନତି ଘଟାଇ ସେଠାରେ ନିଯୁକ୍ତି ସୁଯୋଗକୁ ବହୁଗୁଣିତ କରିବା। ଆଶା କରାଯାଏ ନରେନ୍ଦ୍ର ମୋଦୀଙ୍କର ତୃତୀୟ ପାଳି ସରକାର ଉପସ୍ଥାପନ କରିବାକୁ ଯାଉଥିବା ତା’ର ପ୍ରଥମ ବଜେଟ୍ରେ ଏ ଦୁଇ ଦିଗରେ ଯଥେଷ୍ଟ ସମ୍ବଳ ବିନିଯୋଗ କରି ଓ ନୀତିଗତ ସହାୟତା ପ୍ରଦାନ କରି ଅର୍ଥନୀତିକୁ ଉପରୋକ୍ତ ଯନ୍ତାରୁ ମୁକୁଳାଇବାକୁ ଚେଷ୍ଟା କରିବ।