ମୋଦୀ ୩.୦

ଏହା ସୁବିଦିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପରିଚାଳନା ଶୈଳୀର ସ୍ବାତନ୍ତ୍ରୢ ତାଙ୍କୁ ଏକ ବ୍ରାଣ୍ଡ୍‌ରେ ପରିଣତ କରିସାରିଛି। ତେଣୁ ‘ବ୍ରାଣ୍ଡ୍‌ ମୋଦୀ’ର ଆଦୃତି ବା ପ୍ରତ୍ୟାଖ୍ୟାନକୁ ବିକ୍ରୟ ଓ ବିଜ୍ଞାପନ କ୍ଷେତ୍ରର ତାରକା ବିଶାରଦଗଣ ବଜାରରେ କୌଣସି ‘ବ୍ରାଣ୍ଡ୍‌’ର ପ୍ରଦର୍ଶନ ସହିତ ତୁଳନା କଲେଣି। ସେମାନଙ୍କ ମତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିବା ପରେ ଯେ କୌଣସି ବ୍ରାଣ୍ଡ୍‌ ନିମ୍ନଗାମୀ ହୋଇଥାଏ, ଯାହାର କାରଣ ସଂପୃକ୍ତ ବ୍ରାଣ୍ଡ୍‌ ପ୍ରତି ଗ୍ରାହକଙ୍କ କାମନା କ୍ରମେ ପରିପୃକ୍ତ ହୁଅନ୍ତେ ସେମାନେ ଅନ୍ୟ ବ୍ରାଣ୍ଡ୍‌ ଆଡ଼କୁ ମୁହାଁଇ ଥାଆନ୍ତି। ସୁତରାଂ, ଏହି ବିଶେଷଜ୍ଞମାନଙ୍କ ମତରେ ଏହି ନିର୍ବାଚନ ସୂଚାଇଥାଏ ଯେ ବ୍ରାଣ୍ଡ୍‌ ମୋଦୀ ମଧ୍ୟ ଅବରୋହଣର ସଂକେତ ଦେଖାଇଲାଣି।

ପ୍ରଧାନମନ୍ତ୍ରୀ ରୂପେ କ୍ରମାଗତ ତୃତୀୟ ଥର ସକାଶେ ଶପଥ ଗ୍ରହଣ କରିବା ସହିତ ନରେନ୍ଦ୍ର ମୋଦୀ ସ୍ବାଧୀନ ଭାରତର ୭୭ ବର୍ଷର ଇତିହାସରେ ଏଭଳି ଅତୁଲ୍ୟ କୃତିତ୍ବର ଦ୍ବିତୀୟ ମାତ୍ର ଅଧିକାରୀରେ ପରିଣତ ହୋଇଛନ୍ତି। ତେବେ, ପୂର୍ବ ଦୁଇ ପାଳି ଭଳି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ ସଂପୂର୍ଣ୍ଣ ଅବାଧ ଶାସନ ପରିଚାଳନା କରିବାର ସାମର୍ଥ୍ୟ ଓ ସୌଭାଗ୍ୟ ଏଥର ତାଙ୍କୁ ପ୍ରାପ୍ତ ହୋଇ ନ ପାରେ; କାରଣ ଏଥର ତାଙ୍କ ନେତୃତ୍ବରେ ଏକ ମେଣ୍ଟ ସରକାର କେନ୍ଦ୍ରରେ କ୍ଷମତାସୀନ ହେବ। ଏହି ପରିପ୍ରେକ୍ଷୀରେ ଅନେକ ରାଜନୈତିକ ବିଦ୍ବାନ କହିଥାନ୍ତି ଯେ ମୋଦୀଙ୍କ ସର୍ବ-ବିସ୍ତାରୀ ପ୍ରଭାବର ଛାୟା ତଳେ ଅନୁଷ୍ଠିତ ଏହି ନିର୍ବାଚନରେ ଯେଉଁ କିସମର ଜନାଦେଶ ମିଳିଛି, ତହିଁରୁ ଅନ୍ତତଃ ଏତିକି ଅନ୍ଦାଜ କରାଯାଇପାରେ ଯେ ଆପାତତଃ ଆମ ଦେଶରେ ଏଣିକି ମେଣ୍ଟ ସରକାର ଯୁଗର ସୂତ୍ରପାତ ଘଟିଛି। ଏଭଳି ସ୍ଥଳେ ‘ମୋଦୀ ୩.୦’ କିଭଳି ଶାସନାନୁଭୂତି ହାସଲ କରିପାରେ, ସେ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ୨୪୦ଟି ଆସନ ସହିତ ବିଜେପି ଏକ ଦୃଢ଼ ମଞ୍ଜ ପ୍ରଦାନ କରିଥିବାରୁ ମେଣ୍ଟଟି ଦୋଦୁଲ୍ୟମାନ ହେବାର ସମ୍ଭାବନା କମ୍‌। ଅବଶ୍ୟ, ଏହି ମେଣ୍ଟର ଦୁଇ ମୁଖ୍ୟ ଅବଲମ୍ବନ ‘ଜେଡି(ୟୁ)’ (୧୨ ଆସନ) ଓ ତେଲୁଗୁ ଦେଶମ ପାର୍ଟି ବା ‘ଟିଡିପି’ (୧୬ ଆସନ) ଅସ୍ଥିର ଏପରିକି ଅନେକ ସମୟରେ ଅବିଶ୍ବସ୍ତ ହୋଇଥିବାରୁ ଅନେକ ସମୟରେ ସମର୍ଥନ ପ୍ରତ୍ୟାହାର କରିବାର ଧମକ ଦେଇ ଏମାନେ ମେଣ୍ଟର ଅସ୍ତିତ୍ବକୁ ସଂକଟାପନ୍ନ କରିପାରନ୍ତି। କିନ୍ତୁ, ଏଭଳି ସ୍ଥଳେ ଏହି ସାମ୍ମୁଖ୍ୟରେ ଥିବା ଅନ୍ୟ କ୍ଷୁଦ୍ର ଅଂଶୀଦାର ଦଳଗୁଡ଼ିକର ଗୁଣ୍ଡୁଚି ମୂଷା ତୁଲ୍ୟ ଅବଦାନ କାରଣରୁ ଉପରୋକ୍ତ ଦଳ ଯୋଡ଼ିକର ଅନୁପସ୍ଥିତି ସତ୍ତ୍ବେ ଏନ୍‌.ଡି.ଏ. ମେଣ୍ଟ ସଂସଦରେ ସଂଖ୍ୟାଗରିଷ୍ଠତା ଠାରୁ ମାତ୍ର ୨୦ଟି ଆସନ ପଛରେ ରହିବ, ଯେଉଁ ବ୍ୟବଧାନକୁ ରାଜନୈତିକ କୌଶଳ ଓ ଚାତୁର୍ଯ୍ୟ ବଳରେ ଅତିକ୍ରମ କରିବା ସମ୍ଭବ। ତେଣୁ ଏହି ମେଣ୍ଟ ଠାରୁ ଏକ ସ୍ଥିର ସରକାର ଆଶା କରାଯିବା ଉଚିତ। ଏହା ପୂର୍ବରୁ ୧୯୯୯ ମସିହାର ଏନ୍‌ଡିଏ ଓ ୨୦୦୯ ମସିହାର ଦ୍ବିତୀୟ ପାଳିର ୟୁପିଏ ସରକାରରେ ମେଣ୍ଟର ମଞ୍ଜ ଦଳ ଭାବେ ବିଜେପି ଓ କଂଗ୍ରେସର ଆସନ ସଂଖ୍ୟା ଥିଲା ଯଥାକ୍ରମେ ୧୮୨ ଓ ୨୦୬, ଯାହା ତୁଳନାରେ ଏଥର ବିଜେପିର ଆସନ ସଂଖ୍ୟା ଅଧିକ ଅଛି। ପ୍ରକାଶ ଥାଉ କି ୨୦୦୪ ମସିହାରେ ପ୍ରଥମ ପାଳିର ୟୁ.ପି.ଏ. ସ‌ରକାରରେ ମଞ୍ଜ ଦଳ କଂଗ୍ରେସର ଆସନ ସଂଖ୍ୟା ଥିଲା ମାତ୍ର ୧୪୫, ଯାହା ବର୍ତ୍ତମାନର ବି‌େଜପି ଆସନ ସଂଖ୍ୟା ଠାରୁ ପ୍ରାୟ ଶହେ ଊଣା, ଅଥଚ ତାହା ତା’ର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରିଥିଲା। କେବଳ ସେତିକି ନୁହେଁ, ମେଣ୍ଟ ସରକାରଗୁଡ଼ିକର କାର୍ଯ୍ୟକାଳରେ ଅନେକ ମହତ୍ତ୍ବପୂର୍ଣ୍ଣ ଓ କଠିନ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି ଏବଂ କିଛି ବିରଳ ଉପଲବ୍‌ଧି ମଧ୍ୟ ଲାଭ କରାଯାଇପାରିଛି; ଯେମିତି କି ପୋଖରାନରେ ଦ୍ବିତୀୟ ଥର ଲାଗି ସଫଳ ପରମାଣୁ ପରୀକ୍ଷଣ ବା ବେସାମରିକ ଆଣବିକ ଚୁକ୍ତିନାମା‌ ସ୍ବାକ୍ଷର ବା ସୂଚନା ଅଧିକାର ଆଇନର ପ୍ରବର୍ତ୍ତନ ଇତ୍ୟାଦି। କେବଳ ସେତିକି ନୁହେଁ, ଭାରତ ଅନେକ ପ୍ରକାରର ମେଣ୍ଟ ସରକାରଙ୍କ ପରୀକ୍ଷାଗାର ପାଲଟିଛି, ଯହିଁରେ ସଂଖ୍ୟାଲଘୁ ଦଳକୁ ମଞ୍ଜ ରୂପେ ନେଇ ଗଠିତ ସରକାର କେତେବେଳେ ଟଳମଟଳ ଓ ସ୍ବଳ୍ପ କାଳ ସ୍ଥାୟୀ ହୋଇଛନ୍ତି ତ କେତେବେଳେ ବାହ୍ୟ ସମର୍ଥନରେ ସଂଖ୍ୟାଲଘୁ ସରକାର ଚମକପ୍ରଦ ଉପଲବ୍‌ଧି ହାସଲ କରିଛନ୍ତି; ଯେମିତି କି ପି. ଭି. ନରସିଂହ ରାଓଙ୍କ ଶାସନ କାଳରେ ଖଲିସ୍ତାନୀ ଆତଙ୍କବାଦର ବିଲୋପନ ତଥା ବଜାର ଅର୍ଥନୀତି ଯୁଗର ସୂତ୍ରପାତ। ସୁତରାଂ, ହୃଦ୍‌ବୋଧ ହୋଇଥାଏ ଯେ ‘ମୋଦୀ ୩.୦’ ସରକାର ସ୍ଥିର ଓ ଦୃଢ଼ ହେବା ସହିତ ଆବଶ୍ୟକ ପଡ଼ିଲେ କଠିନ ପଦକ୍ଷେପ ମଧ୍ୟ ନେବ। ଏହା ମଧ୍ୟ କୁହାଯାଇପାରେ ଯେ ଚଳିତ ଜନାଦେଶ ଗୋଟିଏ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ତାଙ୍କର ଅକ୍ଳାନ୍ତ ପରିଶ୍ରମକୁ ସ୍ବୀକୃତି ପ୍ରଦାନ କରିଥିବା ବେଳେ ଅନ୍ୟ ଦିଗରେ ତାଙ୍କ ନିର୍ମମ ପ୍ରଭୁତ୍ବକୁ ନାପସନ୍ଦ କରିଛି, ଫଳରେ ୨୦୨୪ ମସିହାରେ ମୋଦୀ ସରକାର ପରିବର୍ତ୍ତେ ଏନ୍‌.ଡି.ଏ. ସରକାର କ୍ଷମତାସୀନ, ଯହିଁରେ ମୋଦୀଙ୍କ ଶାସନର କଳା ଦୃଶ୍ୟମାନ ହେବ ଏବଂ ତା’ ସହିତ ନିୟନ୍ତ୍ରଣର ଉପାୟ ମଧ୍ୟ ରହିବ!
୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଶାସନ ଭାର ଗ୍ରହଣ କଲା ଦିନଠାରୁ ସେ ପୋଷଣ କରି ଆସିଥିବା ଅନେକ ଅତ୍ୟନ୍ତ ମହତ୍ତ୍ବାକାଂକ୍ଷୀ ପରିକଳ୍ପନା ବା ହାତକୁ ନେଇଥିବା ଉଚ୍ଚାଭିଳାଷୀ ଯୋଜନା ଅଥବା ‘ଇତିହାସର ପୁନର୍ଲିଖନ’ ଭଳି ରାଜନୈତିକ ମତାଦର୍ଶ ଦ୍ବାରା ପରିଚାଳିତ କେତେକ ସ୍ପର୍ଶକାତର କାର୍ଯ୍ୟକ୍ରମ ଇତ୍ୟାଦି ପରିପ୍ରେକ୍ଷୀରେ ଏହି ମେଣ୍ଟ ସରକାର ଗଠନ ବେଳେ ବିଭାଗ ବଣ୍ଟନ ଏକ ସଂବେଦନଶୀଳ ପ୍ରସଙ୍ଗ ହୋଇପାରେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତ; ଉଦାହରଣ ସ୍ବରୂପ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ରେଳବାଇ ମନ୍ତ୍ରାଳୟଙ୍କୁ ଅଗତ୍ୟା ସେ ବି‌େଜପି ଅଧୀନରେ ରଖିବାକୁ ଚାହାନ୍ତେ; କିନ୍ତୁ ପୂର୍ବର ମେଣ୍ଟ ସରକାରରେ ଏହି ବିଭାଗ ଅଂଶୀଦାର ଦଳ ନିକଟକୁ ଯାଇଛି, ଯେମିତି କି ବାଜପେୟୀଙ୍କ ନେତୃତ୍ବାଧୀନ ଏନ.ଡି.ଏ. ମେଣ୍ଟରେ ତାହା ତୃଣମୂଳ କଂଗ୍ରେସ ବା ‘ଟିଏମସି’କୁ ଏବଂ ୟୁପିଏ ମେଣ୍ଟରେ ତାହା ରାଷ୍ଟ୍ରୀୟ ଜନତା ଦଳ ବା ‘ଆରଜେଡି’ ନିକଟକୁ ଯାଇଥିଲା। ରେଳବାଇ ବିଭାଗ ପ୍ରତି ବିହାରର ଦୁର୍ବାର ଆକର୍ଷଣ କାରଣରୁ ‘ଜେଡି-ୟୁ’ ଏହି ବିଭାଗର ଏକ ପ୍ରମୁଖ ଦାବିଦାର ହେବ କି? ଯଦି ହୁଏ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାକୁ ବିନା କୁଣ୍ଠାରେ ଅର୍ପଣ କରି ଦେଇପାରିବେ କି? ପ୍ରକାଶ ଥାଉ କି ଗଲା ଦଶ ବର୍ଷ ମଧ୍ୟ‌େର କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା ପ୍ରଯୁକ୍ତି, ସଡ଼କ ପରିବହନ, ସୂଚନା ପ୍ରସାରଣ, ଆଇନ ଓ ବିଚାର ବିଭାଗ ଭଳି ବିଭିନ୍ନ କ୍ଷେତ୍ରରେ ବିଜେପି ଦ୍ବାରା ଅନେକ ମୌଳିକ ପରିବର୍ତ୍ତନମାନ ଘଟାଇବାର ଉଦ୍ୟମ ହୋଇଛି, ଯାହା ଏକାଧାରରେ ବିଜେପି ମତାଦର୍ଶ ପ୍ରେରିତ, ଉଗ୍ର-ସଂସ୍କାରମୂଳକ ଓ ବିବାଦୀୟ ମଧ୍ୟ! ଏଭଳି ସ୍ଥଳେ ସେହି ବିଭାଗଗୁଡ଼ିକର ଦାୟିତ୍ବ ଅଂଶୀଦାର ଦଳର ସଦସ୍ୟମାନଙ୍କ ହାତକୁ ଯିବା ବିଜେପି ସକାଶେ ରୁଚିକର ହୋଇ ନ ପାରେ। ସୁତରାଂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହନଶୀଳତା ଓ ଧୈର୍ଯ୍ୟ ବା ପ୍ରଭାବିତ କରି କାର୍ଯ୍ୟ ହାସଲ କରିବାର ଦକ୍ଷତା ପରୀକ୍ଷାର ସମ୍ମୁଖୀନ ହୋଇପାରେ! ଅଙ୍କୁଶହୀନ ସ୍ବାଧୀନତା ସହିତ ନିଷ୍ପତ୍ତି ନେଇ ଆସିଥିବା ମୋଦୀଙ୍କୁ ଏହା ହୁଏତ ଶ୍ବାସରୁଦ୍ଧ ହେଲା ଭଳି ଲାଗିପାରେ! କିଂବା ଏହା ମଧ୍ୟ ସମ୍ଭବ ଯେ ସେ ଅପୂର୍ବ ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ପ୍ରଦର୍ଶନ କରି ଦଉଡ଼ି ଉପରେ ଚାଲି ଅଗ୍ରସର ମଧ୍ୟ ହୋଇପାରନ୍ତି!
ଏହା ସୁବିଦିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପରିଚାଳନା ଶୈଳୀର ସ୍ବାତନ୍ତ୍ରୢ ତାଙ୍କୁ ଏକ ବ୍ରାଣ୍ଡ୍‌ରେ ପରିଣତ କରିସାରିଛି। ତେଣୁ ‘ବ୍ରାଣ୍ଡ୍‌ ମୋଦୀ’ର ଆଦୃତି ବା ପ୍ରତ୍ୟାଖ୍ୟାନକୁ ବିକ୍ରୟ ଓ ବିଜ୍ଞାପନ କ୍ଷେତ୍ରର ତାରକା ବିଶାରଦଗଣ ବଜାରରେ କୌଣସି ‘ବ୍ରାଣ୍ଡ୍‌’ର ପ୍ରଦର୍ଶନ ସହିତ ତୁଳନା କଲେଣି। ସେମାନଙ୍କ ମତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିବା ପରେ ଯେ କୌଣସି ବ୍ରାଣ୍ଡ୍‌ ନିମ୍ନଗାମୀ ହୋଇଥାଏ, ଯାହାର କାରଣ ସଂପୃକ୍ତ ବ୍ରାଣ୍ଡ୍‌ ପ୍ରତି ଗ୍ରାହକଙ୍କ କାମନା କ୍ରମେ ପରିପୃକ୍ତ ହୁଅନ୍ତେ ସେମାନେ ଅନ୍ୟ ବ୍ରାଣ୍ଡ୍‌ ଆଡ଼କୁ ମୁହାଁଇ ଥାଆନ୍ତି। ସୁତରାଂ, ଏହି ବିଶେଷଜ୍ଞମାନଙ୍କ ମତରେ ଏହି ନିର୍ବାଚନ ସୂଚାଇଥାଏ ଯେ ବ୍ରାଣ୍ଡ୍‌ ମୋଦୀ ମଧ୍ୟ ଅବରୋହଣର ସଂକେତ ଦେଖାଇଲାଣି। କିନ୍ତୁ ଏହାକୁ ଗ୍ରହଣ କରୁ ନ ଥିବା ଆଉ ଏକ ମତ କହିଥାଏ ଯେ ବଜାରରେ ଅଧିକାଂଶ ସଫଳ ବ୍ରାଣ୍ଡ୍‌ର ପ୍ରକୃତ ପରୀକ୍ଷା ହୋଇଥାଏ ତାହାର ସ୍ଥାୟିତ୍ବ ବା ଦୀର୍ଘ କାଳ ଧରି କାର୍ଯ୍ୟକ୍ଷମ ରହିପାରିବାର ଦକ୍ଷତା। ସେମାନଙ୍କ ମତରେ ସଂପ୍ରତି ମୋଦୀ ସରକାର ସେଭଳି ଏକ ପରୀକ୍ଷା ଦେବାର କ୍ଷଣରେ ଉପନୀତ; ଅର୍ଥାତ୍‌ ମେଣ୍ଟ ସରକାରକୁ ସଫଳତା ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ, ବ୍ରାଣ୍ଡ୍‌ ମୋଦୀର ଚମକ ଅମ୍ଳାନ ହେବ। ସୁତରାଂ, ପ୍ରଧାନମନ୍ତ୍ରୀଙ୍କ ସକାଶେ ‘‌େମାଦୀ ୩.୦’ ଏକ ମହାର୍ଘ ସୁଯୋଗ ମଧ୍ୟ!

ସମ୍ବନ୍ଧିତ ଖବର