ପରୀକ୍ଷା ଲାଗି ପରୀକ୍ଷା

ଶଂସିତ ଘଟଣାରେ ବାଳକ ଗାନ୍ଧୀଙ୍କ ନୈତିକ ମେରୁଦଣ୍ଡର ଦୃଢ଼ତା ବିଷୟ ସର୍ବଦା ଆଲୋଚିତ ହେଉଥିବା ବେଳେ ସେହି ଶିକ୍ଷକଙ୍କ ସ୍ଖଳନ ବିଷୟ ବିଶେଷ ଆଲୋଡ଼ନ ସୃଷ୍ଟି କରି ନ ଥାଏ। ଏହାର କାରଣ କ’ଣ ଏୟା ଯେ ବୟସ ବୃଦ୍ଧି ସହିତ ପୋଖତ ହେଉଥିବା ମନୁଷ୍ୟର ଅନ୍ତଃକରଣରେ ନୀତି ଓ ଅନୀତି ମଧ୍ୟରେ ରହିଥିବା ପ୍ରାଚୀରଟି କ୍ରମେ ଦ୍ରବୀଭୂତ ହୋଇଯାଉଥାଏ? ଏହା କ’ଣ ଏକ ସ୍ବାଭାବିକତା? ବୋଧହୁଏ, ସେହି କାରଣରୁ ଶହେ ବର୍ଷ ତଳେ ଗାନ୍ଧୀଙ୍କୁ ଅସତ୍‌ ଉପାୟ ଅବଲମ୍ବନ କରିବାକୁ ଇଙ୍ଗିତ ପ୍ରଦାନକାରୀ ଶିକ୍ଷକଙ୍କ ଅସଂଖ୍ୟ ଦାୟାଦ ଆଜି ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନର କର୍ମଚାରୀ, କୋଚିଂ ଅନୁଷ୍ଠାନର ମାଲିକ, ଦଲାଲ, ଶିକ୍ଷକ, ଏପରିକି ଅଭିଭାବକ ରୂପରେ ନିର୍ବିଘ୍ନରେ ଆତଯାତ ହେଉଛନ୍ତି!

ଗଲା ଜୁନ୍‌ ୪ ତାରିଖରେ ପ୍ରକାଶିତ ଯେଉଁ ପରୀକ୍ଷା ଫଳ, ସେହି ଦିନ ଘୋଷିତ ସାଧାରଣ ନିର୍ବାଚନର ଫଳାଫଳ କାରଣରୁ ସୃଷ୍ଟ ଘନଘଟା ମଧ୍ୟରେ ଆପାତତଃ ସତ୍ତା ହରାଇଥିଲା, ତାହା ହେଉଛି ଡାକ୍ତରୀ ଶିକ୍ଷା ଲାଗି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ‘ନିଟ୍‌’; କିନ୍ତୁ ବିଡ଼ମ୍ବନା ହେଲା ଇତିମଧ୍ୟରେ ନିର୍ବାଚନ ଫଳାଫଳଜନିତ ସଘନ ଚାଞ୍ଚଲ୍ୟର ଅବସାନ ଘଟି ଜୀବନଯାତ୍ରା ସାଧାରଣ ହୋଇ ସାରିଥିବା ବେଳେ ‘ନିଟ୍‌’ ପରୀକ୍ଷା ଫଳ, ତହିଁରେ ପରିଦୃଷ୍ଟ ଅନେକ ତ୍ରୁଟି ଏବଂ ଦୁର୍ନୀତିର ଆଭାସ ଓ ଇଙ୍ଗିତ ହେତୁ ଏକ ଜ୍ବଳନ୍ତ ପ୍ରସଙ୍ଗରେ ପରିଣତ ହେଲାଣି। କହିବା ଅନାବଶ୍ୟକ ଯେ ଆଦ୍ୟ ଯୌବନରେ ବିଦ୍ୟମାନ ଅସଂଖ୍ୟ ଡାକ୍ତର ଅଭିଳାଷୀ ଏହି କାରଣରୁ ହା‌ହୁତାଶମୟ ଅସହାୟତା ମଧ୍ୟ ଦେଇ ଗତି କରୁଛନ୍ତି, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ଏ ସଂଦର୍ଭରେ ବିବାଦର ମଞ୍ଜିଗୁଡ଼ିକ ଉପରେ ପ୍ରଥମେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ପ୍ରଥମଟି ହେଲା ଶତ ପ୍ରତିଶତ ଅର୍ଥାତ୍‌ ପୂରା ୭୨୦ ନମ୍ବର ରଖି ଶୀର୍ଷତମ ସ୍ଥାନରେ ୬୭ ଜଣ ଛାତ୍ରଛାତ୍ରୀଙ୍କ ଭିଡ଼, ଯାହା ସର୍ବଦା ମାତ୍ର ୨ରୁ ୪ ମଧ୍ୟରେ ସୀମିତ ରହିଥାଏ ଏବଂ ଶତ ପ୍ରତିଶତ ନମ୍ବର ରଖିବାକୁ ବିରଳତମ ଉପଲବ୍‌ଧି ଭିତରେ ଗଣାଯାଇଥାଏ। ଦ୍ବିତୀୟରେ ୧୫୬୩ ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଥିବା ‘ଗ୍ରେସ୍‌’ ମାର୍କ‌୍ ବା ଅନୁକଂପାମୂଳକ ନମ୍ବର, ଯହିଁରେ ଶୀର୍ଷତମ ସ୍ଥାନ ଅଧିକାର କରିଥିବା ୫୦ ଜଣ ଅନ୍ତର୍ଭୁକ୍ତ, ଯେଉଁ ସଂଦର୍ଭରେ ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନ ‘ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍‌ସି’ ବା ‘ଏନ୍‌.ଟି.ଏ.’ ପକ୍ଷରୁ ପ୍ରଦତ୍ତ ଯୁକ୍ତି କହିଥାଏ ଯେ କେତେକ ସେଣ୍ଟରରେ ପରୀକ୍ଷା ଆରମ୍ଭ ହେବାରେ ବିଳମ୍ବ ହେତୁ ଅନେକ ପ୍ରାର୍ଥୀ ସମୟାଭାବ ଜନିତ କ୍ଷତିର ସମ୍ମୁଖୀନ ହୋଇଛନ୍ତି, ଯେଉଁମାନଙ୍କ ସକାଶେ ଏଭଳି ଗ୍ରେସ୍‌ ମାର୍କର ପ୍ରାବଧାନ ହୋଇଛି, ଯାହା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପୂର୍ବରୁ ପ୍ରଦତ୍ତ ଏକ ରାୟ ଦ୍ବାରା ସ୍ବୀକୃତ! କିନ୍ତୁ, ପ୍ରକାଶ ଥାଉ କି ‘କ୍ଲାଟ୍‌’ (‘ଆଇନ ଶିକ୍ଷା’ ସକାଶେ ହେଉଥିବା ପ୍ରବେଶିକା ପରୀକ୍ଷା) ପରିପ୍ରେକ୍ଷୀରେ ୨୦୧୮ ମସିହାରେ ସର୍ବୋଚ୍ଚ ଅଦାଲତଙ୍କ ପ୍ରଦତ୍ତ ଏଭଳି ରାୟରେ ସ୍ପଷ୍ଟ ଉ‌େଲ୍ଲଖ ରହିଛି ଯେ ମେଡିକାଲ ଓ ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ଏହାକୁ ଲାଗୁ କରାଯାଇପାରିବ ନାହିଁ। ପ୍ରକାଶ ଥାଉ କି ଏହି ବ୍ୟାପାରରେ ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ‘ଏନ୍‌ଟିଏ’କୁ ତୀବ୍ର ଭର୍ତ୍ସନା କରାଯିବା ସହିତ ‘ଗ୍ରେସ୍‌ ମାର୍କ’ ପ୍ରତ୍ୟାହାର କରି ସେହି ପରୀକ୍ଷାର୍ଥୀମାନଙ୍କ ସକାଶେ ତୁରନ୍ତ ଏକ ସାନି ପରୀକ୍ଷା ଲାଗି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ତେବେ, କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ‘ନିଟ୍‌’ ପ୍ରଶ୍ନପତ୍ର ଲିକ୍‌ ଘଟଣା, ପ୍ରାର୍ଥୀମାନେ ପାଇଥିବା ନମ୍ବରରେ ତ୍ରୁଟି, ଏପରିକି କେତେକ ପ୍ରାର୍ଥୀଙ୍କ ଦ୍ବାରା ଲବ୍‌ଧ ଅସମ୍ଭବ ନମ୍ବର (ଯେମିତି ୭୧୮। କାରଣ ଠିକ୍‌ ଉତ୍ତର ଲାଗି ୪ ନମ୍ବର ଓ ଗୋଟିଏ ଭୁଲ୍‌ ଉତ୍ତର ଲାଗି ବିଯୁକ୍ତ ୧ ନମ୍ବରର ବ୍ୟବସ୍ଥା ଅନୁସାରେ ଗୋଟିଏ ପ୍ରଶ୍ନର ଭୁଲ୍‌ ଉତ୍ତରରେ ଜଣେ ୭୨୦ରୁ ୭୧୫ ନମ୍ବର ହିଁ ପାଇବ, ୭୧୮ ନମ୍ବର ରଖିବା ସଂପୂର୍ଣ୍ଣ ଅସମ୍ଭବ) ଏହି ବିବାଦକୁ ଅଧିକ ଘନୀଭୂତ କରିଛି। ଏଭଳି ସ୍ଥଳେ ଦୁର୍ନୀତିର ସନ୍ଦେହକୁ ଅଧିକ ପ୍ରଗାଢ଼ କରିଥାଏ ନିର୍ଦ୍ଧାରିତ ତାରିଖର ଦଶ ଦିନ ପୂର୍ବରୁ ଅର୍ଥାତ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବା ଦିନ ‘ନିଟ୍‌’ ପରୀକ୍ଷା ଫଳକୁ ସହସା ପ୍ରକାଶ କରିଦେବାର ନିଷ୍ପତ୍ତି; କାରଣ ଅନେକଙ୍କ ମତରେ ନିର୍ବାଚନ ଫଳ ଘୋଷଣା ସହିତ ସୃଷ୍ଟ ତୀବ୍ର ରାଜନୈତିକ କେଳାହଳ ଭିତରେ ‘ନିଟ୍‌’ ପରୀକ୍ଷା ଫଳକୁ ଅଗତ୍ୟା ସ୍ବାଭାବିକ ସମାଧି ଲାଭ କରିବାକୁ ଛାଡ଼ିଦେବା ଥିଲା ଏକ ସୁପରିକଳ୍ପିତ ଚକ୍ରାନ୍ତର ଅଂଶ, ଯାହା କିନ୍ତୁ ଫଳବତୀ ହୋଇ ପାରିନାହିଁ।
ଚଳିତ ‘ନିଟ୍‌’ ପରୀକ୍ଷାରେ ପ୍ରାୟ ଏକ ଲକ୍ଷ ସରିକି ଏମ୍‌.ବି.ବି.ଏସ୍‌. ସିଟ୍‌ ଲାଗି ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ, ଅର୍ଥାତ୍‌ ପ୍ରତି ଆସନ ଲାଗି ପ୍ରାୟ ୨୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରତ! ଏଭଳି ସ୍ଥଳେ ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ଓ ପ୍ରତିଦ୍ବନ୍ଦ୍ବିତାର ସ୍ତର କିଭଳି ଉଚ୍ଚ ହୋଇଥାଏ, ତାହା କେବଳ ଅନୁମାନସାପେକ୍ଷ। ଏହି କାରଣରୁ ରାଜସ୍ଥାନର କ୍ଷୁଦ୍ର ସହର ‘କୋଟା’, ତହିଁରେ ଥିବା ମେଡିକାଲ ଓ ଇଂଜିନିଅରିଂ କୋଚିଂ ସେଣ୍ଟରଗୁଡ଼ିକ ସକାଶେ ଚୁମ୍ବକୀୟ ଆକର୍ଷଣର କ୍ଷେତ୍ର ପାଲଟି କିଭଳି ଏକ କିଂବଦନ୍ତୀୟ ସ୍ବରୂପ ଲାଭ କଲାଣି, ତାହା ଦେଶ ବିଦେଶରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି। ପ୍ରତି ବର୍ଷ କୋଟାକୁ ପ୍ରାୟ ୨ ଲକ୍ଷ ନୂଆ ଛାତ୍ରଛାତ୍ରୀ କେବଳ ‘ନିଟ୍‌’ କୋଚିଂ ନେବା ଲାଗି ପଦାର୍ପଣ କରନ୍ତି ଏବଂ ସେହି ଗୋଟିଏ ସ୍ବପ୍ନର ପୂର୍ତ୍ତି ସକାଶେ ପ୍ରବେଶିକା ଗାଇଡ୍‌ ବହିର ସ୍ତୂପ ମଧ୍ୟରେ ପୋତି ହୋଇ ନିଃସଙ୍ଗ ବିନଦ୍ର ରଜନୀମାନ ଅତିବାହିତ କରନ୍ତି। ଏବଂ ଭାରତରେ ଏବେ ବିଭିନ୍ନ ପ୍ରାନ୍ତରେ ‘କୋଟା’ର ଅନେକ କ୍ଷୁଦ୍ର ବା ନାତିକ୍ଷୁଦ୍ର ପ୍ରତିରୂପମାନ ବିଦ୍ୟମାନ, ଯହିଁରେ ସଫଳ ହେବାର ସ୍ବପ୍ନ ବିକ୍ରୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ସଂଦର୍ଭରେ କୋଚିଂ ସେଣ୍ଟରଗୁଡ଼ିକର ସଂପୃକ୍ତି ନେଇ ସନ୍ଦେହ ଓ ଅଭିଯୋଗମାନ ଶୁଣିବାକୁ ମିଳିଥାଏ। ଗୁଜରାଟରେ ଏ ଥରର ‘ନିଟ୍‌’ ପରୀକ୍ଷା ପତ୍ର ପ୍ରଘଟ ରୢାକେଟ୍‌ର ପର୍ଦ୍ଦାଫାସ କରି ପୁଲିସ ପକ୍ଷରୁ ଗୋଟିଏ କୋଚିଂ ସେଣ୍ଟର୍‌ର ସଂପୃକ୍ତିକୁ ଠାବ କରାଯାଇଛି। ଛାତ୍ରଛାତ୍ରୀଙ୍କ ସଫଳତା ଉପ‌େର କୋଚିଂ ସେଣ୍ଟରଗୁଡ଼ିକର ପ୍ରତିଷ୍ଠା, ପରାକାଷ୍ଠା ଓ ଆକର୍ଷଣ ନିର୍ଭର କରୁଥିବାରୁ ଅନେକ କୋଚିଂ ସେଣ୍ଟର୍‌ ଏଭଳି ନୀତିହୀନ କାର୍ଯ୍ୟରେ ଲିପ୍ତ ରହିବାକୁ ପଶ୍ଚାତ୍‌ପଦ ହୋଇ ନ ଥାଆନ୍ତି। ଏ ବର୍ଷ ଗୁଜରାଟ, ବିହାର, ହରିଆଣା ଇତ୍ୟାଦି ଭଳି ସ୍ଥାନରେ ପ୍ରଶ୍ନପତ୍ର ଲିକ୍‌ର ଏକାଧିକ ଉଦ୍ୟମମାନ ଦେଖିବାକୁ ମିଳିଛି ଏବଂ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ଅନୁସାରେ ପାଟନାରେ କୁଆଡ଼େ ଏଭଳି ପ୍ରତି ପ୍ରଶ୍ନପତ୍ର ଲାଗି ୩୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିଲା। ‘ଇଣ୍ଡିଆନ୍‌ ଏକ୍‌ସପ୍ରେସ୍‌’ର ଏକ ସମ୍ବାଦ ଅନୁସାରେ ଗଲା ୫ ବର୍ଷ ମଧ୍ୟରେ ୪୧ଟି ପ୍ରଶ୍ନ ପତ୍ର ଲିକ୍‌ ଭଳି ଘଟଣା ଘଟିଛି। ସୁତରାଂ, ଏଥିରୁ ଉପଲବ୍‌ଧ ବିମର୍ଷକର ଉପସଂହାରଟି ହେଲା ଛାତ୍ରଛାତ୍ରୀଙ୍କୁ ଗଢ଼ିବାର ଦାୟିତ୍ବ ନେଇଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ଅଧଃପତିତ ଏବଂ ଏଭଳି ପରିବେଶରେ ଅନେକ ଛାତ୍ରଛାତ୍ରୀଙ୍କ ନିରନ୍ଧ୍ର ପରିଶ୍ରମ ଅଗତ୍ୟା ନିରର୍ଥକ ହୋଇଯାଏ!
ଏହି ଆଲୋଚନା ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କ ବାଲ୍ୟ କାଳରେ ଘଟିଥିବା ସେହି ସୁବିଦିତ ଘଟଣା ସ୍ମରଣକୁ ଆସିଥାଏ, ଯହିଁରେ ଦେଖିବାକୁ ମିଳିଥିଲା କିଭଳି ସ୍କୁଲ ପରିଦର୍ଶକଙ୍କ ଦ୍ବାରା ଡକାଯାଇଥିବା ଶ୍ରୁତଲିଖନରେ ଇଂରେଜୀ ଶବ୍ଦ ‘କେଟ୍‌ଲି’ର ତ୍ରୁଟିପୂର୍ଣ୍ଣ ବନାନ ଲେଖିଥିବା ବାଳକ ଗାନ୍ଧୀଙ୍କୁ ତାଙ୍କ ଶ୍ରେଣୀ ଶିକ୍ଷକ ଆଖି ଠାର ମାଧ୍ୟମରେ ପାଖ ପିଲା ଠାରୁ ଦେଖି ସୁଧାରି ନେବାକୁ ଇଙ୍ଗିତ ଦେଇଥିଲେ। ତେବେ, ମୋହନ ଦାସ ଗାନ୍ଧୀ ସେହି ଠାର ଦେଖିଥିଲେ ସୁଦ୍ଧା ତାହାକୁ ଗ୍ରହଣ କରି ନ ଥିବାରୁ ପରିଦର୍ଶକଙ୍କ ପ୍ରସ୍ଥାନ ପରେ ଶିକ୍ଷକଙ୍କ ଠାରୁ ତାଙ୍କୁ ଅଗତ୍ୟା ନିର୍ବୋଧ ବୋଲି ଆ‌େକ୍ଷପ ଶୁଣିବାକୁ ପଡ଼ିଥିଲା। ଶଂସିତ ଘଟଣାରେ ବାଳକ ଗାନ୍ଧୀଙ୍କ ନୈତିକ ମେରୁଦଣ୍ଡର ଦୃଢ଼ତା ବିଷୟ ସର୍ବଦା ଆଲୋଚିତ ହେଉଥିବା ବେଳେ ସେହି ଶିକ୍ଷକଙ୍କ ସ୍ଖଳନ ବିଷୟ ବିଶେଷ ଆଲୋଡ଼ନ ସୃଷ୍ଟି କରି ନ ଥାଏ। ଏହାର କାରଣ କ’ଣ ଏୟା ଯେ ବୟସ ବୃଦ୍ଧି ସହିତ ପୋଖତ ହେଉଥିବା ମନୁଷ୍ୟର ଅନ୍ତଃକରଣରେ ନୀତି ଓ ଅନୀତି ମଧ୍ୟରେ ରହିଥିବା ପ୍ରାଚୀରଟି କ୍ରମେ ଦ୍ରବୀଭୂତ ହୋଇଯାଉଥାଏ? ଏହା କ’ଣ ଏକ ସ୍ବାଭାବିକତା? ବୋଧହୁଏ, ସେହି କାରଣରୁ ଶହେ ବର୍ଷ ତଳେ ଗାନ୍ଧୀଙ୍କୁ ଅସତ୍‌ ଉପାୟ ଅବଲମ୍ବନ କରିବାକୁ ଇଙ୍ଗିତ ପ୍ରଦାନକାରୀ ଶିକ୍ଷକଙ୍କ ଅସଂଖ୍ୟ ଦାୟାଦ ଆଜି ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନର କର୍ମଚାରୀ, କୋଚିଂ ଅନୁଷ୍ଠାନର ମାଲିକ, ଦଲାଲ, ଶିକ୍ଷକ, ଏପରିକି ଅଭିଭାବକ ରୂପରେ ନିର୍ବିଘ୍ନରେ ଆତଯାତ ହେଉଛନ୍ତି! ସୁତରାଂ, ‘ନିଟ୍‌’ ପରୀକ୍ଷାକୁ ପୁନର୍ବାର କରାଯାଉ ବୋଲି ହେଉଥିବା ଦାବି ଅସଂଗତ ହୋଇ ନ ଥିଲେ ସୁଦ୍ଧା ତାହା ଯେ କଳୁଷମୁକ୍ତ ରହିବ, ତାହାର ଗ୍ୟାରେଣ୍ଟି କିଏ ଦେବ? ସଂପ୍ରତି କୌଣସି ପରୀକ୍ଷା କଳୁଷମୁକ୍ତ ରହିବା ହିଁ ତା’ ଲାଗି ଏକ ପରୀକ୍ଷା!

ସମ୍ବନ୍ଧିତ ଖବର