ସି ସିଜିନପିଙ୍ଗଙ୍କ ନେତୃତ୍ବାଧୀନ ଚୀନ ମଧ୍ୟ ଐତିିହାସିକ ତଙ୍ଗ ରାଜବଂଶର ବୃହତ୍ ଚୀନ ରାଷ୍ଟ୍ର ଗଠନର ସ୍ବପ୍ନ ନେଇ ମାତ୍ରାଧିକ ସମରାଭିଳାଷୀ ହୋଇ ଉଠିଥିବାରୁ ତାର ଅର୍ଥନୀତି ମଧ୍ୟ ଦୋଦୁଲ୍ୟମାନ ସ୍ଥିତିକୁ ଆସିଗଲାଣି। ସୁତରାଂ, ଏହା ରୁଷିଆ ବା ଚୀନ ବା ପାକିସ୍ତାନ ବା ସେମାନଙ୍କ ଅନ୍ୟ ସମଧର୍ମାମାନଙ୍କ ଲାଗି ଏକ ସନ୍ଦେଶ; ଯାହା ପ୍ରଚ୍ଛନ୍ନ ଭାବେ ବିଦ୍ୟମାନ ହୋଇଥିଲେ ସୁଦ୍ଧା ସେହି ରାଷ୍ଟ୍ରଗୁଡ଼ିକ ଦ୍ବାରା ହୃଦ୍ବୋଧ ହେବା ଉଚିତ।
ସଂପ୍ରତି, ଯେତେବେଳେ ପୃଥିବୀର ଅନେକ ରାଷ୍ଟ୍ର ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ବିଭିନ୍ନ ଯୁଦ୍ଧ, ସଂତ୍ରାସ ଏବଂ ସଂଘାତ ସହିତ ଜଡ଼ିତ ଏବଂ ସ୍ଥଳବିଶେଷରେ ସେମାନଙ୍କ ଲାଗି କୌଣସି ନା କୌଣସି ପକ୍ଷଭୁକ୍ତ ହେବା ଏକ ପ୍ରକାର ଅନିବାର୍ଯ୍ୟ ହୋଇପଡ଼ିଛି, ସେତିକିବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପାଞ୍ଚ ଦିନିଆ ରୁଷିଆ ଗସ୍ତ ଏବଂ ସେଠାରେ ତାଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟ(ଭାଷଣ) ଯେ ଭାରତର ବୈଦେଶିକ ନୀତି ସଂପର୍କିତ ଆଭିମୁଖ୍ୟ ଏବଂ ଅଭିବ୍ୟକ୍ତିକୁ ଏକ କୌତୂହଳପୂର୍ଣ୍ଣ ମୋଡ଼ରେ ଛିଡ଼ା କରାଇଛି, ସେଥିରେ ସନ୍ଦେହ ନାହିଁ। ଏହା ମଧ୍ୟ ଏକ ବାସ୍ତବତା ଯେ ୟୁକ୍ରେନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ମୋଟାମୋଟି ଭାବେ ପରିତ୍ୟାଜ୍ୟ ହୋଇପଡ଼ିଥିବା ରୁଷିଆ ପ୍ରତି ଭାରତର ମନୋଭାବ ଏକ ନୂତନ ରଣନୈତିକ ଦିଗବାରେଣି ମଧ୍ୟ ସୃଷ୍ଟି କରିଛି, ଯେଉଁ ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ରୁଷିଆ ଗସ୍ତ ଦୁଇଟି ସୂକ୍ଷ୍ମ ସନ୍ଦେଶ ମଧ୍ୟ ପ୍ରଦାନ କରିଥାଏ, ଯାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ।
ଏହା ସମସ୍ତଙ୍କୁ ଜଣା ଯେ, ୟୁକ୍ରେନ ଉପରେ ଆକ୍ରମଣ ଘଟାଇବା ପରେ ରୁଷିଆ ଏକ ଅତ୍ୟନ୍ତ କଠୋର ଆନ୍ତର୍ଜାତିକ ବାସନ୍ଦର ସମ୍ମୁଖୀନ ହୋଇଛି, ଯାହାର ସୂତ୍ରଧର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଅଥଚ ଆମେରିକାର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ ଭାବେ ବିବେଚିତ ଭାରତ ଏହି ବାସନ୍ଦକୁ ଅମାନ୍ୟ କରି ରୁଷିଆ ଠାରୁ ଅତି ଶସ୍ତାରେ ଖଣିଜ େତୖଳ କ୍ରୟ କରିଛି ଏବଂ ଏହା ସପକ୍ଷରେ ତର୍କ ରଖିଛି ଯେ ଶସ୍ତାରେ କ୍ରୟ କରି ଦେଶର ତୈଳ ଭଣ୍ଡାର ପରିପୂର୍ଣ୍ଣ କରିବାର ସୁଯୋଗକୁ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ହାତଛଡ଼ା କରାଯାଇ ନ ପାରେ! କହିବା ବାହୁଲ୍ୟ, ଏହା ଦ୍ବାରା ଆମେରିକା ଅତ୍ୟନ୍ତ କ୍ଷୁବ୍ଧ ହୋଇଥିବ! ସ୍ବାଭାବିକ ଭାବେ ସେହି ସମୟରେ ଭାରତର ଏଭଳି ଆଭିମୁଖ୍ୟ ଆମେରିକା ଅନୁଗାମୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ସମାଲୋଚନାର ଶରବ୍ୟ ହୋଇଥିଲା ଏବଂ ପରବର୍ତ୍ତୀ କାଳରେ ଜାତିସଂଘରେ ରୁଷିଆ ବିରୋଧରେ ହୋଇଥିବା ଭୋଟଦାନରୁ ଭାରତ ବିରତ ରହିବା ଏହି ସମାଲୋଚନାକୁ ଅଧିକ ତୀବ୍ର କରିଥିଲା; ଏବଂ ମତ ପ୍ରକାଶ ପାଇଥିଲା ଯେ ନୈତିକାଦର୍ଶ ଦୃଷ୍ଟିରୁ ଭାରତ ବାସନ୍ଦର ପକ୍ଷଭୁକ୍ତ ହେବା ଉଚିତ। ସୁତରାଂ, ଏଭଳି ସ୍ଥିତିରେ ନିଜ ନିଷ୍ପତ୍ତିରେ ଅଟଳ ରହି ଭାରତ ଯେଉଁ ଏକ ନୂତନ ବୈଦେଶିକ ମନୋଭାବକୁ ସ୍ପଷ୍ଟ କରିଥିଲା, ତାହା ହେଲା, ପୁରୁଣା ବନ୍ଧୁତା ଏବଂ ଜାତୀୟ ସ୍ବାର୍ଥ ରକ୍ଷା ସକାଶେ ହୁଏତ ସ୍ଥଳବିଶେଷରେ କୌଣସି ପ୍ରଭାବଶାଳୀ ଗୋଷ୍ଠୀର ଅଂଶ ହେବା ଜରୁରୀ ନୁହେଁ। ତେଣୁ ସ୍ବାଭାବିକ ଭାବେ ଏହି ଯୁଦ୍ଧ ସଂଦର୍ଭରେ ରୁଷିଆର ଏକ ସମର୍ଥକ ରାଷ୍ଟ୍ର ରୂପେ ଭାରତର ପରିଚୟ ନେଇ ଏକ ଦୃଢ଼ ବ୍ୟାଖ୍ୟାନ ରୂପ ନେଇଥିଲା। କିନ୍ତୁ, ଏଭଳି ସମୟରେ ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ‘ଜି-୨୦’ ଶିଖର ସମ୍ମିଳନୀରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଚିକର, ସିଧା ଏବଂ ପ୍ରାଂଜଳ ପରାମର୍ଶ ଯେ ‘ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ’, କେବଳ ଯେ ପୃଥିବୀ ତମାମ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା, ତାହା ନୁହେଁ; ଏହି ସୂଚନା ମଧ୍ୟ ପ୍ରଦାନ କରିଥିଲା ଯେ, ଯୁଦ୍ଧ ସଂଦର୍ଭରେ ଭାରତକୁ ନେଇ ସୃଷ୍ଟ ଧାରଣା ଭ୍ରମାତ୍ମକ; ଅର୍ଥାତ୍ ଭାରତ କଦାପି କୌଣସି ଯୁଦ୍ଧର ପକ୍ଷଧର ନୁହେଁ। କହିବା ବାହୁଲ୍ୟ ଯେ, ଏହା ସହିତ ଭାରତର ଯେଉଁ ଚରିତ୍ର ଉଜ୍ଜ୍ବଳ ହୋଇଛି, ତାହା ହେଲା କୌଣସି ଘଡ଼ିସନ୍ଧି କ୍ଷଣରେ ମୁକ୍ତ ପକ୍ଷ ଏବଂ ମତ ରଖିବାର ସାହସ ପ୍ରଦର୍ଶନ କରି ପାରୁଥିବା ଏକ ରାଷ୍ଟ୍ର ହେଉଛି ଭାରତ। ସେହି ଦୃଷ୍ଟିରୁ ଜୟଶଙ୍କରଙ୍କ ରୁଷିଆ ଗସ୍ତ କିଭଳି ଭାରତର ଏହି ଚରିତ୍ରକୁ ଆହୁରି ଦୃଢ଼ତା ପ୍ରଦାନ କରିଥାଏ, ତାହା ଉପରେ ଏବେ ଦୃଷ୍ଟି ନିକ୍ଷେପ କରାଯାଉ।
ଯଦିଓ, ଭୂ-ରାଜନୀତି ଏବଂ ରଣନୀତି ଦୃଷ୍ଟିରୁ ଉଭୟ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରସ୍ପରର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସହଯୋଗୀ, ଏହି ସଂପର୍କରେ ସଂପ୍ରତି ସାମନ୍ୟ ତିକ୍ତତା ଓ ବିଶ୍ବାସହାନି ମଧ୍ୟ ପରିଲକ୍ଷିତ ହୋଇଛି। ଏହି ତିକ୍ତତାର କାରଣ ଆମେରିକା ମାଟିରେ ଭାରତ ଜନ୍ମିତ ଆମେରିକୀୟ ନାଗରିକ ଗୁରୁ ପଟୱନ୍ତ ସିିଂହ ପନ୍ନୁର ହତ୍ୟା ଷଡ଼୍ଯନ୍ତ୍ର ପ୍ରକରଣରେ ଭାରତୀୟ ସରକାରୀ ଏଜେନ୍ସିର ସଂପୃକ୍ତି ନେଇ ଆମେରିକାର ସପ୍ରମାଣ ଅଭିଯୋଗ, ଯେଉଁ ଆସ୍ପର୍ଦ୍ଧା ଆମେରିକା ଲାଗି ଆଦୌ ସହନୀୟ ହୋ ନଥାଏ। ଏେଣ ଏକ ଅସ୍ବାଦୁ ବାସ୍ତବତା ହେଲା ଏହା ଯେ ଆମେରିକାରେ ମୁକ୍ତ ଭାବେ ବିଚରଣ କରି ଭାରତ ବିରୋଧୀ ହିଂସାତ୍ମକ ଚକ୍ରାନ୍ତରେ ଲିପ୍ତ ଥିବା ପନ୍ନୁ ହେଉଛି ଜଣେ ଖଲିସ୍ତାନୀ ଆତଙ୍କବାଦୀ। ଅନେକ ବିଶେଷଜ୍ଞଙ୍କ ମତରେ, ଏଭଳି ଏକ ସନ୍ଦିଗ୍ଧ ବ୍ୟକ୍ତି ପନ୍ନୁ ସକାଶେ ଯୁକ୍ତରାଷ୍ଟ୍ର ଆମେରିକାର ଏତାଦୃଶ ତତ୍ପରତା ଓ ସହାନୁଭୂତି ପଛରେ ନିହିତ ଏକ କାରଣ ଏହା ହୋଇପାରେ ଯେ, ରୁଷିଆ ପ୍ରତି ମନୋଭାବ ବଦଳାଇବା ଉଦ୍ଦେଶ୍ୟରେ ଭାରତ ଉପରେ ଚାପ ପ୍ରୟୋଗ। ତେଣୁ, ଏଭଳି ସ୍ଥଳେ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଏବଂ ରୁଷିଆ ସହିତ ଭାରତର ବନ୍ଧୁତ୍ବ ଏକମାତ୍ର ‘ସ୍ଥିର ଧ୍ରୁବ’ ବୋଲି ମନ୍ତବ୍ୟ ପ୍ରଦାନ ଆମେରିକାକୁ ଅଧିକ କ୍ଷୁଣ୍ଣ କରିଥିବା ସୁନିଶ୍ଚିତ। କେବଳ ସେତିକି ନୁହେଁ, ସେଠାରେ ଜୟଶଙ୍କର ରୁଷିଆକୁ ମଧ୍ୟ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ ରୂପେ ସ୍ବୀକାର କରିଛନ୍ତି। ସୁତରାଂ, ଏହା ସହିତ ବୈଦେଶିକ ବ୍ୟାପାର ନେଇ ଭାରତର ସ୍ବତନ୍ତ୍ର ବିଚାର ଅଧିକ ଦୃଢ଼ ହୋଇଛି; ତାହା ହେଲା, ଗୋଟିଏ ରାଷ୍ଟ୍ର ସ୍ବାଧୀନ ଭାବେ ଏକାଧିକ ପରସ୍ପର ବିରୋଧୀ ରାଷ୍ଟ୍ରଗୁଡ଼ିକ ସହିତ ରଣନୈତିକ ସହଯୋଗୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରେ ଏବଂ ସମୟ ଓ ପରିସ୍ଥିତି ଆଧାରରେ ତାହା ପୁନଃପୁନଃ ପରିଭାଷିତ ହୋଇପାରେ! ଜୟଶଙ୍କରଙ୍କ ଗସ୍ତରୁ ଉପଲବ୍ଧ ଏହି ସନ୍ଦେଶ ଅନ୍ତତଃ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ସକାଶେ ମାର୍ଗଦର୍ଶକ ରୂପେ ପ୍ରତିଭାତ ହୋଇପାରେ!
ଏବେ ଦ୍ବିତୀୟ ସନ୍ଦେଶ ଉପରେ ଆଲୋଚନା କରାଯାଉ। ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତିର ଦୃଷ୍ଟାନ୍ତ ପ୍ରଦାନ କରି ଜୟଶଙ୍କର ସେଠାରେ ଯେଉଁ ଏକ ତୁଳନାର ଅବତାରଣା କରିଛନ୍ତି, ତାହା ହେଲା, ୧୯୯୧ ମସିହାରେ ‘ସୋଭିଏତ୍ ରୁଷ’ର ବିଲୟ ସହିତ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ରୁଷିଆର ଉଦ୍ଭବ କାଳରେ ରୁଷିଆର ଜି.ଡି.ପି. ବା ଜାତୀୟ ଆୟ ଥିଲା ୫୧୮ ନିୟୁତ ଡଲାର, ଯେତେବେଳେ କି ଭାରତର ଜି.ଡି.ପି. ଥିଲା ୨୭୦ ନିୟୁତ ଡଲାର, ଅର୍ଥାତ୍ ରୁଷିଆର ପ୍ରାୟ ଅର୍ଦ୍ଧେକ। ଅଥଚ ସେହି ଦୃଶ୍ୟପଟ ୨୦୨୨ ମସିହା ବେଳକୁ ବଦଳି ଯାଇ ଭାରତର ଜି.ଡି.ପି. ୩.୪୨ ଟ୍ରିଲିଅନ ଡଲାର ହୋଇ ଯାଇଥିବା ବେଳେ ରୁେିଆର ଜି.ଡି.ପି. ହୋଇଛି ୨.୨୪ ଟ୍ରିଲିଅନ ଡଲାର। ଯଦିଓ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସଂପର୍କିତ ଆଲୋଚନା ଛଳରେ ଜୟଶଙ୍କରଙ୍କ ଠାରୁ ଏହି ବିବରଣୀ ଶୁଣିବାକୁ ମିଳିଥିଲା, ଅନେକ ବିଶେଷଜ୍ଞ ଏହାର କାରଣ ଅନ୍ବେଷଣ କରି କହିଛନ୍ତି ଯେ ୨୦୧୪ ମସିହା ଠାରୁ ଅର୍ଥାତ୍ କ୍ରିମିଆ ଦଖଲ ବର୍ଷରୁ ହିଁ ରୁଷିଆର ଏହି ଅର୍ଥନୈତିକ ପତନର ଅୟମାରମ୍ଭ ଘଟିଛି, ଯାହା କେବଳ ଅଧୋମୁଖୀ ହୋଇ ଚାଲିଛି। ସେମାନଙ୍କ ମତ ହେଲା ମାତ୍ରାଧିକ ଅସ୍ମିତାବଶତଃ ଯଦି ଏକ ଦେଶ ବୃହତ୍ ରାଷ୍ଟ୍ର ଗଠନର ସ୍ବପ୍ନ ଓ ମୋହ ଦ୍ବାରା ଆବିଷ୍ଟ ହୁଏ ଓ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଅତିକ୍ରମଣ ଆରମ୍ଭ କରେ, ତେବେ ଅବଲୀଳା କ୍ରମେ ସେହି ରାଷ୍ଟ୍ର ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ, କାରଣ ଯୁଦ୍ଧ ଓ ନିରନ୍ତର ସମରସଜ୍ଜା ବା ସେହି କାରଣରୁ ଆନ୍ତର୍ଜାତିକ ବାସନ୍ଦ ଏଭଳି ଘଟାଇପାରେ! ହିଟଲରଙ୍କ ଜର୍ମାନି ଠାରୁ ଆରମ୍ଭ କରି କାଶ୍ମୀର ମୋହାବିଷ୍ଟ ପାକିସ୍ତାନ ପର୍ଯ୍ୟନ୍ତ ଏହାର ଦୃଷ୍ଟାନ୍ତ ଉପଲବ୍ଧ। ସି ଜିନ୍ପିଙ୍ଗଙ୍କ ନେତୃତ୍ବାଧୀନ ଚୀନ୍ ମଧ୍ୟ ଐତିିହାସିକ ତଙ୍ଗ ରାଜବଂଶର ବୃହତ୍ ଚୀନ୍ ରାଷ୍ଟ୍ର ଗଠନର ସ୍ବପ୍ନ ନେଇ ମାତ୍ରାଧିକ ସମରାଭିଳାଷୀ ହୋଇ ଉଠିଥିବାରୁ ତା’ର ଅର୍ଥନୀତି ମଧ୍ୟ ଦୋଦୁଲ୍ୟମାନ ସ୍ଥିତିକୁ ଆସିଗଲାଣି। ସୁତରାଂ, ଏହା ରୁଷିଆ ବା ଚୀନ୍ ବା ପାକିସ୍ତାନ ବା ସେମାନଙ୍କ ଅନ୍ୟ ସମଧର୍ମାମାନଙ୍କ ଲାଗି ଏକ ସନ୍ଦେଶ; ଯାହା ପ୍ରଚ୍ଛନ୍ନ ଭାବେ ବିଦ୍ୟମାନ ହୋଇଥିଲେ ସୁଦ୍ଧା ସେହି ରାଷ୍ଟ୍ରଗୁଡ଼ିକ ଦ୍ବାରା ହୃଦ୍ବୋଧ ହେବା ଉଚିତ।