ମୁଦ୍ରାସ୍ଫୀତିର ଏହି ସମସ୍ତ ବିଭ୍ରାଟ ସୃଷ୍ଟିକାରୀ ପ୍ରଭାବମାନ ବିଚାରକୁ ନେଲେ ଏହାକୁ ଶକ୍ତିକାନ୍ତ ଦାସଙ୍କ ଭାଷାରେ ଏକ ହାତୀ ସହିତ କେବଳ ନୁହେଁ, ବରଂ ସେଇ ଉପମାକୁ ଆଉ ଟିକିଏ ଆଗେଇ ନେଇ ଏକ ମତ୍ତହସ୍ତୀ ରୂପେ ବିଚାର କରିବା ଯଥାର୍ଥ ହେବ। ଏହି ହାତୀଟି ଏବେ କେତେଦିନ ଧରି ଜନବସତିରେ ଆତଙ୍କ ସୃଷ୍ଟି କରିବା ପରେ ବନସ୍ତମୁହଁା ହୋଇଛି ବୋଲି ଶକ୍ତିକାନ୍ତ ବିଶ୍ବାସ କରିବାର କାରଣ ହେଲା ଜାନୁଆରି-ଫେବ୍ରୁଆରି, ୨୦୨୪ରେ ମୁଦ୍ରାସ୍ଫୀତି ହାର ହୋଇଛି ୫.୧ ଶତାଂଶ, ଯାହା କେବଳ ଦୁଇ ବର୍ଷ ତଳର ସେଇ ୭.୮ ଶତାଂଶ ହାର ଠାରୁ ଯେ କମ୍, ତାହା ନୁହେଁ, ଗତ ଡିସେମ୍ବରର ୫.୭ ଶତାଂଶ ଠାରୁ ମଧ୍ୟ କମ୍ ହୋଇ ଏକ ନିମ୍ନମୁଖୀ ଭବିଷ୍ୟତ ଧାରାର ସମ୍ଭାବନା ପ୍ରତି ଇସାରା ଦେଉଛି।
ଅର୍ଥନୀତିଜ୍ଞମାନେ ମୁଦ୍ରାସ୍ଫୀତିକୁ ଏକ ଜନ୍ତୁ ରୂପେ ଆଖ୍ୟାୟିତ କରି ତାକୁ ମଣ କରିବାର ବିଭିନ୍ନ ଉପାୟ ଅନୁସନ୍ଧାନ କରିଥାନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ନର୍ ଶକ୍ତିକାନ୍ତ ଦାସ ଏବେ ପ୍ରଥମ ଥର ପାଇଁ ସେଇ ଜନ୍ତୁଟିକୁ ଚିହ୍ନଟ କରିଛନ୍ତି। ସଦ୍ୟ ଅନୁଷ୍ଠିତ ୨୦୨୪-୨୫ ବିତ୍ତ ବର୍ଷର ସର୍ବପ୍ରଥମ ‘ମୁଦ୍ରାନୀତି ନିର୍ଦ୍ଧାରଣ କମିଟି’ (‘ଏମ୍ପିସି’) ବୈଠକ ପରେ ପ୍ରଦାନ କରିଥିବା ବକ୍ତବ୍ୟରେ ସେ ମୁଦ୍ରାସ୍ଫୀତିକୁ ଏକ ହାତୀ ରୂପେ ବର୍ଣ୍ଣନା କରି ପର୍ଯ୍ୟବେକ୍ଷକ ପରିସରରେ ଏକ ଆମୋଦିତ ଗୁଞ୍ଜରଣ ସୃଷ୍ଟି କରିଛନ୍ତି। ଏପ୍ରିଲ୍, ୨୦୨୨ରେ ୭.୮ ଶତାଂଶ ହାର ଛୁଇଁଥିବା ଖାଉଟି ମୁଦ୍ରାସ୍ଫୀତିକୁ ମନେ ପକାଇ ଗଭର୍ନର୍ ଦାସ କହିଛନ୍ତି ସେ ସମୟରେ ‘‘କୋଠରି ଭିତରେ ଥିବା ହାତୀ ଥିଲା ମୁଦ୍ରାସ୍ଫୀତି’’- ଅର୍ଥାତ୍ କମିଟି ସମ୍ମୁଖରେ ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା ମୁଦ୍ରାସ୍ଫୀତି, ଯାହାକୁ ନିୟନ୍ତ୍ରଣ କରିବା ଥିଲା କମିଟି ପାଇଁ ସର୍ବପ୍ରଧାନ ଆହ୍ବାନ। ତା’ ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଶକ୍ତିକାନ୍ତ କହିଛନ୍ତି: ‘‘ହାତୀଟି ବର୍ତ୍ତମାନ ବୁଲାଚଲା କରିବା ପାଇଁ ବାହାରି ଯାଇଛି ଏବଂ ସେ ବନସ୍ତକୁ ଫେରିଯିବା ଭଳି ମନେ ହେଉଛି। ଆମେ ଚାହୁଁଛୁ ସେ ହାତୀଟି ବନସ୍ତକୁ ଫେରିଯାଉ ଏବଂ ସେଠାରେ ତାହାର ରହଣି ଦୀର୍ଘସ୍ଥାୟୀ ହେଉ।’’
ଏଠାରେ ସୂଚନାଯୋଗ୍ୟ ଯେ ୭.୮ ଶତାଂଶ ମୁଦ୍ରାସ୍ଫୀତି ହାର ହେଉଛି ରିଜର୍ଭ ବ୍ୟାଙ୍କ୍ ପାଇଁ ନିର୍ଦ୍ଧାରିତ ସର୍ବୋଚ୍ଚ ସହନସୀମା ୬ ଶତାଂଶ ହାର ଠାରୁ ଊର୍ଦ୍ଧ୍ବରେ, ଏବଂ ଅର୍ଥନୀତିଜ୍ଞମାନେ ସର୍ବଦା ଏଭଳି ଉଚ୍ଚା ମୁଦ୍ରାସ୍ଫୀତିର କ୍ଷତିକାରକ ପ୍ରଭାବମାନ ପ୍ରତି ଦୃଷ୍ଟି ଆକର୍ଷଣ କରି ତାହାର ବିରୋଧ କରିଥାନ୍ତି। ଶକ୍ତିକାନ୍ତ ଦାସ ତେଣୁ ଏହି କ୍ଷତିକାରକ ବିଶାଳ ଜନ୍ତୁଟି ଦୀର୍ଘକାଳ ଧରି ଜଙ୍ଗଲରେ ଅଟକିଯିବା ଚାହିଁବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଉଚ୍ଚା ମୁଦ୍ରାସ୍ଫୀତିର ହାନିକାରକ ଉପସ୍ଥିତି ସମ୍ବନ୍ଧରେ ଅର୍ଥଶାସ୍ତ୍ର ଜଗତରେ ଶକ୍ତିଶାଳୀ ଯୁକ୍ତି ସମ୍ବଳିତ ରଚନାମାନଙ୍କର ଅଭାବ ନାହିଁ। ଏଥିମଧ୍ୟରୁ ବିଶେଷ ଭାବରେ ପ୍ରଭାବଶାଳୀ ରୂପେ ବିବେଚିତ ହେଉଛି ଏପରି ଏକ ପୁସ୍ତକ, ଯାହାର ଶୀର୍ଷକ ହିଁ ଏହାର ବିଷୟବସ୍ତୁ ବହନ କରୁଥିବା ସନ୍ଦେଶ ସମ୍ବନ୍ଧରେ କୌଣସି ସନ୍ଦେହର ଅବକାଶ ରଖି ନ ଥାଏ: ‘‘ଇନ୍ଫ୍ଲେସନ୍ ଇଜ୍ ଥେଫ୍ଟ’’ (‘‘ମୁଦ୍ରାସ୍ଫୀତି ହେଉଛି ଚୋରି’’)। କିଂବଦନ୍ତି ପାଲଟିଥିବା ଅର୍ଥନୀତିଜ୍ଞ ସ୍ବର୍ଗୀୟ ଲୁଡ୍ୱିଗ୍ ଭନ୍ ମିଜେସ୍ଙ୍କର ପଟ୍ଟଶିଷ୍ୟ ରୂପେ ପ୍ରସିଦ୍ଧ ସ୍ବର୍ଗୀୟ ହାନ୍ସ ସେନ୍ହୋଲ୍ଜ ଓ ତାଙ୍କର ସହଯୋଗୀ ସ୍ବର୍ଗୀୟ ଷ୍ଟିଭେନ୍ ହର୍ୱିଜ୍ଙ୍କ ଦ୍ବାରା ମିଳିତ ଭାବରେ ସଂକଳିତ ଏହି ପୁସ୍ତକରେ ସ୍ଥାନୀତ ପ୍ରବନ୍ଧମାନ ମୁଦ୍ରାସ୍ଫୀତିର ବିଭିନ୍ନ ଅବିଗୁଣମାନଙ୍କ ଉପରେ ଏଭଳି ଆଲୋକପାତ କରିଛନ୍ତି, ଯାହା ମୁଦ୍ରାସ୍ଫୀତି ରୂପକ ହାତୀକୁ ଦୀର୍ଘ ବନବାସରେ ପଠାଇବା ପାଇଁ ଶକ୍ତିକାନ୍ତଙ୍କ ଆଗ୍ରହ ବୁଝିବାରେ ବିଶେଷ ସାହାଯ୍ୟ କରିଥାଏ।
ଉଦାହରଣ ସ୍ବରୂପ ଗୋଟିଏ ପ୍ରବନ୍ଧରେ ମୁଦ୍ରାସ୍ଫୀତିକୁ ନକଲି ନୋଟ୍ ଛପାଇବା ସହିତ ତୁଳନା କରାଯାଇଛି। ଏହାଦ୍ବାରା ସରକାର ଯେ କେବଳ ବିନା ଖର୍ଚ୍ଚରେ ବାସ୍ତବ ସମ୍ବଳ ସଂଗ୍ରହ କରିଥାନ୍ତି, ତାହା ନୁହେଁ, ଏଥିଯୋଗୁଁ ସରକାର କରିଥିବା ବିଶାଳ ଋଣର ବାସ୍ତବ ବୋଝରେ ମଧ୍ୟ ଆପେଆପେ ହ୍ରାସ ଘଟିଥାଏ। ଏହା ଏକ ଚୋରି ଭଳି ନୁହେଁ କି? ଅନ୍ୟ ଏକ ପ୍ରବନ୍ଧରେ ଦର୍ଶାଯାଇଛି ଯେ କ୍ଷମତାସୀନ ରାଜନେତାମାନଙ୍କ ପାଇଁ ମତଦାତାଙ୍କର ତୁଷ୍ଟୀକରଣ ନିମିତ୍ତ ଆବଶ୍ୟକ ଖର୍ଚ୍ଚ ପାଇଁ ଲୋଡ଼ା ହେଉଥିବା ସମ୍ବଳ ସଂଗ୍ରହର ସୁବିଧାଜନକ ମାଧ୍ୟମ ହେଉଛି ମୁଦ୍ରାସ୍ଫୀତି, ଯାହା ଛଦ୍ମବେଶୀ ଟିକସ ଭଳି ହୋଇଥାଏ। ପ୍ରସିଦ୍ଧ ଅର୍ଥନୀତିଜ୍ଞ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ ତେଣୁ ମୁଦ୍ରାସ୍ଫୀତିକୁ କଟାକ୍ଷ କରି କହିଥିଲେ ଏହା ହେଉଛି ‘‘ବେଆଇନ ଟିକସ’’ (‘‘ଟ୍ୟାକ୍ସେସନ୍ ୱିଦାଉଟ୍ ଲେଜିସ୍ଲେସନ୍’’)।
ସାଧାରଣରେ ବିଶ୍ବାସ କରାଯାଇଥାଏ ଯେ ଦରଦାମ ବୃଦ୍ଧି ହେଉଛି ମୁଦ୍ରାସ୍ଫୀତିର ଏକମାତ୍ର କୁପରିଣାମ। ପୁସ୍ତକଟିରେ ଅନେକ ପ୍ରାବନ୍ଧିକ କିନ୍ତୁ ଦର୍ଶାଇଛନ୍ତି ଯେ ମୁଦ୍ରାସ୍ଫୀତିର ଅସଲ କୁପରିଣାମମାନ ହେଉଛନ୍ତି ଏହି ଦୃଶ୍ୟମାନ ଦର ବୃଦ୍ଧିଠାରୁ ବହୁ ଅଧିକ। ସେମାନେ କହନ୍ତି ଯେ ଅର୍ଥନୀତିର କେତେକ କ୍ଷେତ୍ର ମୁଦ୍ରାସ୍ଫୀତି ଦ୍ବାରା ଅନ୍ୟ କ୍ଷେତ୍ରମାନଙ୍କ ଅପେକ୍ଷା ସଅଳ ପ୍ରଭାବିତ ହେଉଥିବାରୁ ଏଥିଯୋଗୁଁ ଯେ ସେଇ ଅର୍ଥନୀତିରେ କେବଳ ସଂପଦର ଅନ୍ୟାୟୋଚିତ ବିଷମ ବଣ୍ଟନ ଘଟିଥାଏ, ତାହା ନୁହେଁ, ଏହା ବିଭିନ୍ନ ଖାଉଟି ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟମାନଙ୍କର ଆପେକ୍ଷିକ ଦରରେ ପରିବର୍ତ୍ତନ ମଧ୍ୟ ଘଟାଇଥାଏ। ଅାପେକ୍ଷିକ ଦରରେ ଏହି ପରିବର୍ତ୍ତନମାନ ସଂପୃକ୍ତ ଅର୍ଥନୀତିରେ ଉତ୍ପାଦନର ସଂରଚନାରେ ପରିବର୍ତ୍ତନ ଘଟାଇଥାଏ, କାରଣ ସେଠାରେ ପୁଞ୍ଜି ଓ ଶ୍ରମ ସେଇ ସମସ୍ତ ଦ୍ରବ୍ୟ ଓ ସେବାମାନଙ୍କର ଉତ୍ପାଦନ ପ୍ରତି ଆକର୍ଷିତ ହୁଅନ୍ତି, ଯେଉଁମାନଙ୍କର ଆପେକ୍ଷିକ ମୂଲ୍ୟରେ ମୁଦ୍ରାସ୍ଫୀତି ଯୋଗୁଁ ବୃଦ୍ଧି ଘଟିବା ଦେଖାଯାଇଥାଏ। କିନ୍ତୁ ଏଥିରେ ବିପଦ ହେଉଛି ଏହା ଯେ ଯେତେବେଳେ ମୁଦ୍ରାସ୍ଫୀତିର ଅବସାନ ଘଟେ, ସେତେବେଳେ ସଂପୃକ୍ତ ଦ୍ରବ୍ୟ ଓ ସେବାମାନଙ୍କ ପାଇଁ ସୃଷ୍ଟି ହୋଇଥିବା ନୂତନ ଚାହିଦା ମଧ୍ୟ ଉଭାନ ହେବାକୁ ଆରମ୍ଭ କରେ, ଯାହା ଫଳରେ ସେ ସବୁ କ୍ଷେତ୍ରରେ ପ୍ରବେଶ କରିଥିବା ପୁଞ୍ଜି ନିବେଶକମାନେ ତଥା ନିଯୁକ୍ତ ଶ୍ରମଶକ୍ତି କ୍ଷତିଗ୍ରସ୍ତ ହୋଇଥାନ୍ତି, ଅର୍ଥାତ୍ ସେଠାରେ ପୁଞ୍ଜି ଓ ଶ୍ରମର ସର୍ବୋତ୍ତମ ବିନିଯୋଗ ଘଟି ନ ଥାଏ। ଏହା ସାମଗ୍ରିକ ଭାବରେ ଅର୍ଥନୀତିର ଯେଉଁ କ୍ଷତି ଘଟାଇଥାଏ, ତାହା ହେଉଛି ମୁଦ୍ରାସ୍ଫୀତିର ପ୍ରଧାନ କୁପରିଣାମ।
ଏହା ସୁବିଦିତ ଯେ ଏକ ମୁକ୍ତ ଅର୍ଥନୀତିରେ ଉଦ୍ୟୋଗୀମାନେ ବଜାରରେ ପ୍ରକାଶିତ ଦରଦାମ ସୂଚନାକୁ ଦିଗ୍ଦର୍ଶକ ରୂପେ ଗ୍ରହଣ କରି ନିଜର ଉତ୍ପାଦନ ଓ ବ୍ୟାବସାୟିକ ନିଷ୍ପତ୍ତିମାନ ଗ୍ରହଣ କରିଥାନ୍ତି। ମୁଦ୍ରାସ୍ଫୀତି ଏହି ସୂଚନା ବ୍ୟବସ୍ଥାରେ ଅସ୍ଥିରତା ପ୍ରବେଶ କରାଇବା ଦ୍ବାରା ଔଦ୍ୟୋଗିକ ନିଷ୍ପତ୍ତିମାନଙ୍କରେ ଭୁଲ୍ଭଟକା ଘଟିଥାଏ; ସେମାନଙ୍କ ପାଇଁ ଭବିଷ୍ୟତ ଅଧିକ ଅନିଶ୍ଚିତତାପୂର୍ଣ୍ଣ ହୋଇଯାଇଥାଏ ଏବଂ ଏହାକୁ ଭରଣା କରିବା ପାଇଁ ରାଜନୈତିକ ପ୍ରକ୍ରିୟାକୁ କାର୍ଯ୍ୟରେ ଲଗାଇ ସଂପଦ ଅର୍ଜନ କରିବା ନିମିତ୍ତ ଉଦ୍ୟୋଗୀମାନେ ଅଧିକ ପ୍ରଲୁବ୍ଧ ହୋଇଥାନ୍ତି। ଏହା ହେଉଛି ବୋଧହୁଏ ମୁଦ୍ରାସ୍ଫୀତିର ସବୁଠାରୁ ବଡ଼ ବିପଦ।
ମୁଦ୍ରାସ୍ଫୀତିର ଏହି ସମସ୍ତ ବିଭ୍ରାଟ ସୃଷ୍ଟିକାରୀ ପ୍ରଭାବମାନ ବିଚାରକୁ ନେଲେ ଏହାକୁ ଶକ୍ତିକାନ୍ତ ଦାସଙ୍କ ଭାଷାରେ ଏକ ହାତୀ ସହିତ କେବଳ ନୁହେଁ, ବରଂ ସେଇ ଉପମାକୁ ଆଉ ଟିକିଏ ଆଗେଇ ନେଇ ଏକ ମତ୍ତହସ୍ତୀ ରୂପେ ବିଚାର କରିବା ଯଥାର୍ଥ ହେବ। ଏହି ହାତୀଟି ଏବେ କେତେଦିନ ଧରି ଜନବସତିରେ ଆତଙ୍କ ସୃଷ୍ଟି କରିବା ପରେ ବନସ୍ତମୁହଁା ହୋଇଛି ବୋଲି ଶକ୍ତିକାନ୍ତ ବିଶ୍ବାସ କରିବାର କାରଣ ହେଲା ଜାନୁଆରି-ଫେବ୍ରୁଆରି, ୨୦୨୪ରେ ମୁଦ୍ରାସ୍ଫୀତି ହାର ହୋଇଛି ୫.୧ ଶତାଂଶ, ଯାହା କେବଳ ଦୁଇ ବର୍ଷ ତଳର ସେଇ ୭.୮ ଶତାଂଶ ହାର ଠାରୁ ଯେ କମ୍, ତାହା ନୁହେଁ, ଗତ ଡିସେମ୍ବରର ୫.୭ ଶତାଂଶ ଠାରୁ ମଧ୍ୟ କମ୍ ହୋଇ ଏକ ନିମ୍ନମୁଖୀ ଭବିଷ୍ୟତ ଧାରାର ସମ୍ଭାବନା ପ୍ରତି ଇସାରା ଦେଉଛି। ବିଶେଷଜ୍ଞମାନେ କରୁଥିବା ଭବିଷ୍ୟବାଣୀ ଅନୁସାରେ ୨୦୨୪-୨୫ ବିତ୍ତ ବର୍ଷର ପ୍ରଥମ ଚଉଠରେ ଖାଉଟି ମୁଦ୍ରାସ୍ଫୀତି ହାର ୪.୯ ଶତାଂଶ, ଦ୍ବିତୀୟ ଚଉଠରେ ୩.୮ ଶତାଂଶ, ତୃତୀୟ ଚଉଠରେ ୪.୬ ଶତାଂଶ, ଓ ଚତୁର୍ଥ ତଥା ଶେଷ ଚଉଠରେ ୪.୫ ଶତାଂଶ ହେବାକୁ ଯାଉଛି; ଏବଂ ସମଗ୍ର ବିତ୍ତ ବର୍ଷ ପାଇଁ ତାହା ୪.୫ ଶତାଂଶ ହେବ ବୋଲି ଅନୁମାନ କରାଯାଉଛି। ଏହା ସ୍ବାଭାବିକ ଭାବରେ ରିଜର୍ଭ ବ୍ୟାଙ୍କ୍ ପାଇଁ ସର୍ବାଧିକ ସ୍ବାଗତଯୋଗ୍ୟ ହାର, ୪ ଶତାଂଶରେ ସ୍ଥିର ରହିବ ବୋଲି ‘ଏମ୍ପିସି’ର ସଦସ୍ୟମାନଙ୍କ ମନରେ ଆଶା ଜାଗରୁକ ହୋଇଛି।
କିନ୍ତୁ ସେମାନେ ତଥାପି ହାତୀଟି ପୁଣି ଦିଗ ପରିବର୍ତ୍ତନ କରି ଯେ ଜନବସତିମୁହଁା ନ ହେବ, ସେ ନେଇ ସଂପୂର୍ଣ୍ଣ ରୂପେ ନିଶ୍ଚିତ ନୁହନ୍ତି। ଆଗାମୀ ସମୟରେ ଖାଦ୍ୟଦ୍ରବ୍ୟ ଦର ବୃଦ୍ଧି କିମ୍ବା ଯୋଗାଣ ପାର୍ଶ୍ବରେ ଅନ୍ୟ କୌଣସି ଅଭାବିତ ଘଟଣା ଯୋଗୁଁ ମୁଦ୍ରାସ୍ଫୀତି-ହାତୀ ଲେଉଟି ଆସିପାରେ। ତା’ର ଲେଉଟିବା ପଥରେ ଥିବା ୬.୫ ଶତାଂଶ ରେପୋ ରେଟ୍ ରୂପକ ବାଡ଼ର ଉଚ୍ଚତା ବର୍ତ୍ତମାନ ପାଇଁ ହ୍ରାସ ନ କରିବାକୁ ‘ଏମ୍ପିସି’ ନେଇଥିବା ନିଷ୍ପତ୍ତି ଏକ ସୁଚିନ୍ତିତ ସାବଧାନତାର ସ୍ବାକ୍ଷର ବହନ କରିଥାଏ।