ଏହି ନୂଆ ନିୟମକୁ ନେଇ ସୃଷ୍ଟ ବିବାଦ ଦ୍ବାରା ଅସଂଖ୍ୟ ଭାରତୀୟ ତୀବ୍ର ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛନ୍ତି। ସେମାନେ ଗୋଟିଏ ପକ୍ଷରେ ସ୍ବୀକାର କରନ୍ତି ଯେ ମିଥ୍ୟାଚାର, ଗୁଜବ ଏବଂ ଘୃଣା ଆଦିର ପ୍ରସାର ଦ୍ବାରା ପରିପୃକ୍ତ ‘ହ୍ବାଟ୍ସଆପ୍’ ଏବେ ସାଂପ୍ରଦାୟିକ ହିଂସା, ମିଥ୍ୟାଶ୍ରୟୀ ଇତିହାସ ଏବଂ ଅଯଥାର୍ଥ ଚରିତ୍ର ହନନର ମାଧ୍ୟମ ହୋଇଛି, ଯହିଁରେ ବିରାମ ଲାଗିବା ଆବଶ୍ୟକ ଏବଂ ଅନ୍ୟ ପକ୍ଷରେ ସେମାନେ ଦୃଢ଼ ନିଶ୍ଚିତ ଯେ ଏବର ବିଜେପି ସରକାର ନିଜ ପକ୍ଷକୁ ସମର୍ଥନ କରି ଯାହା କହିଲେ ମଧ୍ୟ ପ୍ରକୃତ ଲକ୍ଷ୍ୟ କଦାଚିତ୍ ଏଥିରେ ବିରାମ ଲଗାଇବା ନୁହେଁ; ବରଂ ଏହି ନିୟମ ବଳରେ ସରକାର ଭିନ୍ନମତ ପ୍ରଦାନକାରୀଙ୍କୁ ଅଯଥା ହଇରାଣ କରିବେ ଅଥବା ଯାତନା ଦେବେ।
ସ୍ମାର୍ଟ ଫୋନ୍ରେ ବ୍ୟବହୃତ ହେଉଥିବା ‘ଆପ୍’ଗୁଡ଼ିକ ଦ୍ବାରା ଆମ ଉପରେ ପଡ଼ିଥିବା ପ୍ରଭାବ ପରିପ୍ରେକ୍ଷୀରେ ଯଦି ବିଚାର କରାଯାଏ, ତେବେ ‘ହ୍ବାଟ୍ସଆପ୍’ ହିଁ ସର୍ବାଧିକ ପ୍ରଭାବଶାଳୀ ବୋଲି ନିର୍ଦ୍ବନ୍ଦ୍ବରେ ବିବେଚିତ ହେବ; କାରଣ ୨୦୧୦ ମସିହାର ଆଦ୍ୟ ଭାଗରେ ଭାରତରେ ଏହାର ଆବିର୍ଭାବ ଏକ କାଳ ବିଭାଜିକା ସଦୃଶ ଦିଶିଥାଏ। ପ୍ରକାଶ ଥାଉ କି ଏହି ଆପ୍ ଦ୍ବାରା ବନ୍ଧୁତା ସୃଷ୍ଟି, ଅତୀତ ଗର୍ଭରେ ନିଖୋଜ ସଂପର୍କମାନର ପୁନଃପ୍ରତିଷ୍ଠା, ସମଧର୍ମାମାନଙ୍କ ଗୋଷ୍ଠୀ ଗଠନ ଏବଂ ପରସ୍ପର ମଧ୍ୟରେ ଭାବ ବିନିମୟ ଠାରୁ ଆରମ୍ଭ କରି ବାଣିଜ୍ୟ ବ୍ୟବସାୟ ବୃଦ୍ଧି ଏବଂ ଅର୍ଥ ପ୍ରେରଣ ଓ ପ୍ରଦାନ ଇତ୍ୟାଦି ପର୍ଯ୍ୟନ୍ତ ଅନେକ ଅପୂର୍ବାନୁମେୟ ସୁଯୋଗର ସୃଷ୍ଟି ସହିତ ‘ହ୍ବାଟ୍ସଆପ୍’ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଭାରତ ମଧ୍ୟରେ ଏକ ବିଭାଜନ ରେଖା ଦୃଷ୍ଟିଗୋଚର ହୋଇଥାଏ। ସେହି ମର୍ମରେ ‘ହ୍ବାଟ୍ସଆପ୍’ ଆସକ୍ତ ଭାରତରୁ ଯେତେବେଳେ ଏହି ‘ଆପ୍’ ପ୍ରସ୍ଥାନ କରିବାର ଚେତାବନୀ ପ୍ରଦାନ କରିଛି, ସେତେବେଳେ ଏହାର ଚାଳିଶ କୋଟି ବ୍ୟବହାରକାରୀଙ୍କ ମଧ୍ୟରେ ଏକ ଅବିଶ୍ବାସ ଭରା ଉଦ୍ବେଗର ତରଙ୍ଗ ସୃଷ୍ଟି ହେବା ସ୍ବାଭାବିକ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ପ୍ରଥମେ ଘଟଣାର ପୃଷ୍ଠଭୂମି ଉପରେ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। କଥା ହେଲା, ୨୦୨୧ ମସିହାରେ ଭାରତ ସରକାରଙ୍କ ଦ୍ବାରା ରୂପ ପାଇଥିବା ନୂତନ ସୂଚନା ପ୍ରଯୁକ୍ତି ବା (‘ଆଇ.ଟି.’) ନିୟମ କହିଥାଏ ଯେ ସାମାଜିକ ଗଣମାଧ୍ୟମରେ ସନ୍ଦେଶ ପ୍ରେରଣର ମଞ୍ଚଗୁଡ଼ିକ ନିକଟରେ ପ୍ରତ୍ୟେକ ସନ୍ଦେଶର ମୂଳ ପ୍ରେରଣକାରୀଙ୍କ ସଂପର୍କରେ ସୂଚନା ରହିବା ଜରୁରୀ, ଯାହା ଆବଶ୍ୟକ ସ୍ଥଳେ ସରକାରଙ୍କୁ ଉପଲବ୍ଧ କରାଯାଇପାରିବ। ସରକାରଙ୍କ କହିବାନୁୟାୟୀ ଏହା ଦ୍ବାରା ଘୃଣା, ହିଂସା, ଗୁଜବ, ଆତଙ୍କବାଦ, ଅଶ୍ଳୀଳତା ସମ୍ବଳିତ ସନ୍ଦେଶର ସ୍ରଷ୍ଟା ଏବଂ ମୂଳ ପ୍ରସାରଣକାରୀଙ୍କୁ ଠାବ ଓ ଦଣ୍ଡିତ କରାଯାଇପାରିବ। କିନ୍ତୁ ଏହା ବିରୋଧରେ ‘ହ୍ବାଟ୍ସଆପ୍’ ଦ୍ବାରା ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ମକଦ୍ଦମାର ପ୍ରଥମ ଶୁଣାଣି ବେଳେ ଏହି ଆପ୍ ପକ୍ଷରୁ ପ୍ରଦତ୍ତ ଯୁକ୍ତି ତ୍ରୟ ହେଲେ: ଏହା ଦ୍ବାରା ଆପ୍ ବ୍ୟବହାରକାରୀଙ୍କୁ ପ୍ରଦାନ କରାଯାଇଥିବା ସଂପୂର୍ଣ୍ଣ ‘ଏନ୍କ୍ରିପ୍ସନ୍’ ବା ‘ଗୁପ୍ତ ଲିଖନ’ର ପ୍ରତିଶ୍ରୁତି ଭଙ୍ଗ ହେବ; ଯେଉଁ ଗୋପନୀୟତା ଉପରେ ଅତୁଟ ଆସ୍ଥା ପ୍ରଦର୍ଶନ କରି ପ୍ରସାରିତ ହେଉଥିବା ବ୍ୟକ୍ତିଗତ ଏବଂ ବ୍ୟାବସାୟିକ ସନ୍ଦେଶମାନ ଅଗତ୍ୟା ପ୍ରକାଶ୍ୟ ହୋଇଯିବାର ସମ୍ଭାବନା ସୃଷ୍ଟି ହେବ। ଦ୍ବିତୀୟରେ, ଏହା ଦ୍ବାରା ଭାରତୀୟ ସଂବିଧାନ ଦ୍ବାରା ପ୍ରଦତ୍ତ ଦୁଇଟି ମୌଳିକ ଅଧିକାର (ମୁକ୍ତ ଅଭିବ୍ୟକ୍ତିର ଅଧିକାର ଏବଂ ବ୍ୟକ୍ତିଗତ ଗୋନୀୟତାର ଅଧିକାର) ଅଚିରେ ଭୂଲୁଣ୍ଠିତ ହେବେ। ତୃତୀୟରେ, ନୂତନ ଆଇ.ଟି. ନିୟମାନୁସାରେ ଯେ କୌଣସି ସମୟରେ, େଯ କୌଣସି ସନ୍ଦେଶର ପ୍ରଥମ ପ୍ରେରକଙ୍କୁ ଚିହ୍ନଟ କରିବା ନେଇ ସରକାର ବା ଅଦାଲତଙ୍କ ଆଗ୍ରହକୁ ଚରିତାର୍ଥ କରିବା ଲାଗି ପ୍ରତି କ୍ଷଣ ଓ ନିରନ୍ତର ଉଦ୍ଗମ ହେଉଥିବା ଏବଂ ଚଳାଚଳ କରୁଥିବା ନିୟୁତ ନିୟୁତ ସନ୍ଦେଶକୁ ଦୀର୍ଘ କାଳ ସକାଶେ ସଂରକ୍ଷଣ କରି ରଖିବା ଆବଶ୍ୟକ ହେବ, ଯାହାକୁ ସମ୍ଭବ କରିବା ଲାଗି ପୃଥିବୀରେ ଏ ଯାବତ୍ କୌଣସି ‘ଡେଟା ସର୍ଭର’ ତିଆରି ହୋଇନାହିଁ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ତର୍କ ହେଲା ‘ହ୍ବାଟ୍ସଆପ୍’ ଭଳି ମଞ୍ଚଗୁଡ଼ିକ ଅବାଧ ସନ୍ଦେଶ ପ୍ରେରଣ ଓ ପ୍ରସାରଣର କେବଳ ନିଃସର୍ତ୍ତ ମାଧ୍ୟମ ମାତ୍ର ହୋଇ ରହିପାରିବେ ନାହିଁ; ତହିଁରେ ପ୍ରସାରିତ ହେଉଥିବା ରାଷ୍ଟ୍ର ଓ ସମାଜ ବିରୋଧୀ ସନ୍ଦେଶ, ଘୃଣା, ଅଶ୍ଳୀଳତା ଏବଂ ଆତଙ୍କବାଦ ସମ୍ବଳିତ ବାର୍ତ୍ତା ପରିପ୍ରେକ୍ଷୀରେ କେତେକ ଦାୟିତ୍ବ ବହନ କରିବାକୁ ହେବ, ଯହିଁରେ ଏଭଳି ସନ୍ଦେଶର ସ୍ରଷ୍ଟା ଓ ପ୍ରଥମ ପ୍ରସାରଣକାରୀକୁ ଚିହ୍ନଟ କରିବା ଅନ୍ତର୍ଭୁକ୍ତ। ଦ୍ବିତୀୟରେ ‘ହ୍ବାଟ୍ସଆପ୍’ ଭଳି ମଞ୍ଚ ସନ୍ଦେଶ ଆଦାନପ୍ରଦାନ ପ୍ରକରଣରେ ସଂଗ୍ରହ କରୁଥିବା ‘ଡେଟା’ ବିକ୍ରୟ ଦ୍ବାରା କରୁଥିବା ବିପୁଳ ଆୟ ପରିପ୍ରେକ୍ଷୀରେ ‘ଏନ୍କ୍ରିପ୍ସନ’ ବା ‘ଡେଟା ଗୋପନୀୟତା’ର ଯୁକ୍ତି ଆଧାରଶୂନ୍ୟ ଭଳି ମନେ ହୋଇଥାଏ। ପ୍ରକାଶ ଥାଉ କି କେବଳ ଭାରତରେ ‘ହ୍ବାଟ୍ସଆପ୍’ କରୁଥିବା ବ୍ୟବସାୟର ଆକାର ହେଉଛି ବର୍ଷକୁ ପ୍ରାୟ ୧ ବିଲିଅନ ଡଲାର। ସୁତରାଂ, ଉଭୟ ପକ୍ଷର ଯୁକ୍ତି ଅନ୍ତତଃ ଦୃଢ଼ ଏବଂ ଅକାଟ୍ୟ ଭଳି ମନେ ହୋଇଥାଏ, ଯାହା ହିଁ ଜଟିଳତାକୁ ଜନ୍ମ ଦେଇଛି।
ପ୍ରକାଶ ଥାଉ କି ସାମରିକ କାର୍ଯ୍ୟକଳାପ ଏବଂ ରଣନୀତି ସଂଦର୍ଭରେ ପ୍ରେରଣ କରାଯାଉଥିବା ଲିଖିତ ବାର୍ତ୍ତାଗୁଡ଼ିକୁ ଗୋପନୀୟତା ପ୍ରଦାନ କରିବା ସକାଶେ ଖ୍ରୀଷ୍ଟପୂର୍ବ ୧୯୦୦ରୁ ପ୍ରାଚୀନ ଇଜିପ୍ଟରେ ‘କ୍ରିପ୍ଟୋଗ୍ରାଫି’ ବା ‘ଛଦ୍ମ ବା ଗୂଟ ଲିଖନ’ର ଆବିର୍ଭାବ ଘଟିଥିଲା। ଆଜିର ‘ଏନ୍କ୍ରିପ୍ସନ’ ପଛରେ ମଧ୍ୟ ସେହି ତର୍କ ବିଦ୍ୟମାନ, ଯାହା ହେଲା କୌଣସି ସନ୍ଦେଶକୁ ଗୋପନୀୟ କରି ରଖିବା। କିନ୍ତୁ, ଏଭଳି ସନ୍ଦେଶମାନ ଜରିଆରେ ସମାଜ ଓ ରାଷ୍ଟ୍ରରେ ବିଭିନ୍ନ ପ୍ରକାର ବିଭାଜନ ସୃଷ୍ଟିର ସଘନ ପ୍ରୟାସ ଚାଲୁଥିବାରୁ ପୃଥିବୀରେ ସର୍ବତ୍ର ଉଦ୍ବେଗ ପ୍ରକାଶିତ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଏକ ‘ଆଇଫୋନ୍’ରେ ଥିବା କଂପାନି ପ୍ରଦତ୍ତ ସୁରକ୍ଷା କୋଡ୍କୁ ଭାଙ୍ଗିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ନିର୍ଦ୍ଦେଶକୁ ଅଗତ୍ୟା ନିର୍ମାତା କଂପାନି ‘ଆପଲ୍’ ଅମାନ୍ୟ କରିବାରୁ ଏକ ତୀବ୍ର ଅଦାଲତୀ ସଂଘର୍ଷ ଜନ୍ମ ଦେଇଥିଲା। ସଂପ୍ରତି ଏଭଳି ବିବାଦ ବିଭିନ୍ନ ଦେଶରେ ପରିଦୃଷ୍ଟ ହେଲାଣି; ଯଦିଓ କୌଣସି ରାଷ୍ଟ୍ର ପକ୍ଷରୁ ଏ ଯାବତ୍ ଏଭଳି ଆଇନର ପ୍ରାବଧାନ କରାଯାଇନାହିଁ। ‘ହ୍ବାଟ୍ସଆପ୍’ର ଆଶଙ୍କା ଯେ ଭାରତରେ ଯଦି ଏହି ନିୟମକୁ ସ୍ବୀକାର କରି ନିଆଯାଏ, ତେବେ ପୃଥିବୀର ଅନ୍ୟାନ୍ୟ ଦେଶ ମଧ୍ୟ ସମତୁଲ ଆଇନ ଆଣି ‘ହ୍ବାଟ୍ସଆପ୍’କୁ ନତମସ୍ତକ କରିପକାଇବେ, ଯାହା ଫଳରେ କ୍ରମେ ଏହି ଆପ୍ର ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ଏହା ପ୍ରାଣହୀନ ହୋଇଯିବ।
ଏହି ନୂଆ ନିୟମକୁ ନେଇ ସୃଷ୍ଟ ବିବାଦ ଦ୍ବାରା ଅସଂଖ୍ୟ ଭାରତୀୟ ତୀବ୍ର ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛନ୍ତି। ସେମାନେ ଗୋଟିଏ ପକ୍ଷରେ ସ୍ବୀକାର କରନ୍ତି ଯେ ମିଥ୍ୟାଚାର, ଗୁଜବ ଏବଂ ଘୃଣା ଆଦିର ପ୍ରସାର ଦ୍ବାରା ପରିପୃକ୍ତ ‘ହ୍ବାଟ୍ସଆପ୍’ ଏବେ ସାଂପ୍ରଦାୟିକ ହିଂସା, ମିଥ୍ୟାଶ୍ରୟୀ ଇତିହାସ ଏବଂ ଅଯଥାର୍ଥ ଚରିତ୍ର ହନନର ମାଧ୍ୟମ ହୋଇଛି, ଯହିଁରେ ବିରାମ ଲାଗିବା ଆବଶ୍ୟକ ଏବଂ ଅନ୍ୟ ପକ୍ଷରେ ସେମାନେ ଦୃଢ଼ ନିଶ୍ଚିତ ଯେ ଏବର ବିଜେପି ସରକାର ନିଜ ପକ୍ଷକୁ ସମର୍ଥନ କରି ଯାହା କହିଲେ ମଧ୍ୟ ପ୍ରକୃତ ଲକ୍ଷ୍ୟ କଦାଚିତ୍ ଏଥିରେ ବିରାମ ଲଗାଇବା ନୁହେଁ; ବରଂ ଏହି ନିୟମ ବଳରେ ସରକାର ଭିନ୍ନମତ ପ୍ରଦାନକାରୀଙ୍କୁ ଅଯଥା ହଇରାଣ କରିବେ ଅଥବା ଯାତନା ଦେବେ। ସେହିଭଳି ‘ହ୍ବାଟ୍ସଆପ୍’ ଲାଗି ପ୍ରମୁଖ ଦ୍ବନ୍ଦ୍ବ ହେଲା ଭାରତରୁ ପ୍ରସ୍ଥାନ କରି ଏକ ବିଶାଳ ବଜାର ଏବଂ ବ୍ୟବସାୟକୁ ହରାଇବା ଭଳି ପରିସ୍ଥିତିର ସାମନା କରିବା। ଏଭଳି ଦ୍ବନ୍ଦ୍ବ ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୧୪କୁ ପ୍ରତୀକ୍ଷା କରାଯାଇପାରେ, ଯେଉଁ ଦିନ ଏହାର ପରବର୍ତ୍ତୀ ଶୁଣାଣି ହେବ। କିନ୍ତୁ ଏହା ମଧ୍ୟ ଏକ ବାସ୍ତବତା ଯେ ଅଦାଲତଙ୍କ ଲାଗି ଏହାର ବିଚାର ସହଜସାଧ୍ୟ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)