ପୁରୁଷଙ୍କ ପରିବର୍ତ୍ତେ ଭଲ୍ଲୁକ ପ୍ରତି ଅଧିକ ଆସ୍ଥା ପ୍ରକଟ କରିଥିବା ମହିଳାମାନଙ୍କୁ ବିଦ୍ରୂପ କରି ସନ୍ଦେଶମାନ ଆସିବାରେ ଲାଗିଛି ଯେ ଜଙ୍ଗଲର ଭାଲୁ ‘ଟେଡି ବିଅର’ ନୁହେଁ, ଯାହାକୁ ମହିଳାମାନେ ଗେହ୍ଲାରେ ଆଲିଙ୍ଗନାବଦ୍ଧ କରି ରଖିଥାନ୍ତି! କିନ୍ତୁ ଉପରୋକ୍ତ ସାତ ଜଣ ଯାକ ମହିଳା ସେମାନଙ୍କ ଉତ୍ତରର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କହନ୍ତି ଯେ ହିଂସ୍ର ହୋଇଥିଲେ ହେଁ ଅନ୍ତତଃ ପକ୍ଷେ ଭାଲୁ ନିଷ୍କପଟ; ଅର୍ଥାତ୍‌ ପୁରୁଷ ଛଳନାଶ୍ରୟୀ ହୋଇ ରୂପ ପରିବର୍ତ୍ତନ କରିପାରେ! ସେମାନେ କହନ୍ତି ଯେ ପାଖରେ ‘ମଷ୍ଟାର୍ଡ‌୍ ସ୍ପ୍ରେ’ ଥିଲେ ଭାଲୁକୁ ଘଉଡ଼ାଇ ଦିଆଯାଇପାରେ, କିନ୍ତୁ ଆକ୍ରମଣ କରିବାକୁ ଉଦ୍ୟତ ପୁରୁଷ କବଳରୁ ନିସ୍ତାର ପାଇବା ଲାଗି କୌଣସି ‘ମଷ୍ଟାର୍ଡ ସ୍ପ୍ରେ’ ଯଥେଷ୍ଟ ନୁହେଁ।

Advertisment

ଏକ କଳ୍ପିତ ପରିସ୍ଥିତିକୁ ନେଇ କେବଳ ମହିଳାମାନଙ୍କୁ ପଚରା ଯାଇଥିବା ଗୋଟିଏ କୌତୁକପ୍ରଦ ପ୍ରଶ୍ନର ଉତ୍ତର ‘ଟିକ୍‌ଟକ୍‌’ରେ ପ୍ରସାରିତ ହୋଇ ସାମାଜିକ ଗଣମାଧ୍ୟମରେ ବଣ ନିଆଁ ଭଳି ମାଡ଼ି ଚାଲିଥିବା ବେଳେ ପୁରୁଷମାନଙ୍କ ଠାରୁ ତୀବ୍ର ପ୍ରତିକ୍ରିୟାର ଶରବ୍ୟ ହେବାରେ ଲାଗିଛି। ଯେଉଁ ପ୍ରଶ୍ନଟିକୁ ଏବେ ବିଭିନ୍ନ ଦେଶରେ ମହିଳାମାନଙ୍କୁ ପଚାରାଯାଇ ସେମାନଙ୍କ ଉତ୍ତରକୁ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରାଯାଉଛି, ତାହା ହେଲା, ‘ଗୋଟିଏ ଜଙ୍ଗଲରେ ଏକୁଟିଆ ଫସିଯାଇଥିବା ବେଳେ ଜଣେ ପୁରୁଷ (ଅପରିଚିତ ନିଶ୍ଚୟ!)ର ଉପସ୍ଥିତି ଚାହିଁବେ ନା ଗୋଟିଏ ଭାଲୁର? ପ୍ରକାଶ ଥାଉ କି ଭାଇରାଲ ହୋଇଥିବା ପ୍ରଥମ ‘ଟିକ୍‌ଟକ୍‌’ ଭିଡିଓରେ ଆଠ ଜଣ ମହିଳାଙ୍କ ମଧ୍ୟରୁ ସାତ ଜଣ ଅତି ନିର୍ଦ୍ବନ୍ଦ୍ବରେ ଭାଲୁ ସପକ୍ଷରେ ମତ ଦେଇଛନ୍ତି, ଯାହା ସ୍ବାଭାବିକ ଭାବେ ଅସଂଖ୍ୟ ପୁରୁଷ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କୁ ରୁଷ୍ଟ କରିଛି, ଯେଉଁମାନେ ଏହି ମହିଳାମାନଙ୍କୁ ଟାହିଟାପରା, ଏପରିକି ଭର୍ତ୍ସନା କରିବା ସହିତ ଆରୋପ କରିଛନ୍ତି ଯେ ପ୍ରଶ୍ନଟି ତୀବ୍ର ପୁରୁଷ ବିରୋଧୀ ମାନସିକତା ବହନ କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଉତ୍ତର ଦେଇଥିବା ମହିଳାମାନେ କ’ଣ ଏକ କଳ୍ପିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ହାଲୁକା ଉତ୍ତର ଦେଇଛନ୍ତି ନା ସେମାନେ ଲାଭ କରିଥିବା କୌଣସି ତିକ୍ତ ଅନୁଭୂତି କାରଣରୁ ସେମାନେ ଏଭଳି ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି?
ଏକ ନିଭୃତ ନିଘଞ୍ଚ ଜଙ୍ଗଲରେ ଅପରିଚିତ ପୁରୁଷଟିଏ ଜଣେ ଏକାକିନୀ ମହିଳାଙ୍କ ଠାରେ କିଭଳି ଭାବନା ସୃଷ୍ଟି କରିପାରେ, ତାହାର ଏକ ଆଭାସ ମିଳେ ଏକ ପରିସଂଖ୍ୟାନରୁ, ଯହିଁରେ ଅଂଶ ଗ୍ରହଣ କରିଥିବା ପୃଥିବୀର ବଡ଼ ବଡ଼ ୨୫ଟି ସହରର ପ୍ରାୟ ୧୦,୦୦୦ ମହିଳାଙ୍କ ମଧ୍ୟରୁ ୮୫ ପ୍ରତିଶତ ସ୍ବୀକାର କରିଥିଲେ ଯେ କୌଣସି ରେଳଡବାରେ ଏକୁଟିଆ ଯାତ୍ରା କରୁଥିବା ବେଳେ ଅପରିଚିତ ପୁରୁଷ ସହଯାତ୍ରୀଙ୍କ ଉପସ୍ଥିତିରେ ସେମାନେ ଅସୁରକ୍ଷିତ ମଣନ୍ତି ବା ସଂଧ୍ୟାରେ ଏକ ବିଜନ ‘ସବ୍‌ ୱେ’ ଦେଇ ଏକୁଟିଆ ଗଲା ବେଳେ କୌଣସି ପୁରୁଷ ଆଗନ୍ତୁକର ଆବିର୍ଭାବରେ ଆଶଙ୍କାରେ ଶିହରି ଉଠନ୍ତି। ପୃଥିବୀର ସର୍ବତ୍ର ଅନେକ ଶିକ୍ଷିତ ଓ ସଂଭ୍ରାନ୍ତ ଶ୍ରେଣୀର ପୁରୁଷ ସେମାନଙ୍କ ପରିଚୟକୁ ଲୁକ୍କାୟିତ ରଖିବାର ସୁଯୋଗ ପାଉଥିବାରୁ ‘ଅନ୍‌ଲାଇନ୍‌’ରେ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି। ୨୦୨୧ ମସିହାରେ ନୀନା ‌େଜନ୍‌ ପଟେଲ ନାମକ ଜଣେ ବ୍ରିଟିସ ମହିଳାଙ୍କ ଅଭିଯୋଗ ଥିଲା ଯେ ‘ମେଟାଭର୍ସ’ର ପ୍ରତୀୟମାନ ପୃଥିବୀରେ ସେ ଚାରି ଜଣ ପୁରୁଷଙ୍କ ଦ୍ବାରା ଗଣ-ଦୁଷ୍କର୍ମର ଶିକାର ହୋଇଥିଲେ। ଯଦିଓ ସୃଷ୍ଟିର ବିଚାର ଅନୁସାରେ ପୁରୁଷ ଏବଂ ନାରୀ ପରସ୍ପରର ପରିପୂରକ ହେବା ପ୍ରକୃତିଗତ, ଏକ ବିଡ଼ମ୍ବନା ସ୍ବରୂପ କେବଳ ମନୁଷ୍ୟ କ୍ଷେତ୍ରରେ ମହିଳାମାନେ ପୀଡ଼ିତା ଏବଂ ପୁରୁଷମାନେ ଉତ୍ପୀଡ଼କ ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି। ୨୦୨୨ ମସିହାରେ ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସେହି ବର୍ଷ ପୃଥିବୀରେ ୮୯,୦୦୦ ମହିଳା ପୁରୁଷମାନଙ୍କ ହାତରେ ନିହତ ହୋଇଥିଲେ, ଯହିଁରୁ ୩୮ ପ୍ରତିଶତ ସେମାନଙ୍କ ପତି ବା ପୁରୁଷ ଯୋଡ଼ିଦାରଙ୍କ ହାତରେ ହୋଇଥିଲା। କେବଳ ସେତିକି ନୁହେଁ, ଏକ-ତୃତୀୟାଂଶ ମହିଳା ସେମାନଙ୍କ ପରିଚିତ ପୁରୁଷମା‌ନଙ୍କ ଦ୍ବାରା ହିଂସାର ଶିକାର ହୁଅନ୍ତି। ପ୍ରାୟ ୯୦ ପ୍ରତିଶତ ମହିଳା ଗୃହ, ସଡ଼କ, ବଜାର ଓ କର୍ମକ୍ଷେତ୍ର କେଉଁଠି ନା କେଉଁଠି ପୁରୁଷମାନଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଥାଆନ୍ତି, ଯହିଁରେ ସେମାନଙ୍କୁ ଦେଖି ସୁସୁରି ବଜାଇବା ଠାରୁ ଆରମ୍ଭ କରି ଦୁଷ୍କର୍ମ କରିବା ପର୍ଯ୍ୟନ୍ତ କାର୍ଯ୍ୟମାନ ଅନ୍ତର୍ଭୁକ୍ତ ହୋଇପାରେ! ସୁତରାଂ, ନିକାଞ୍ଚନ ଜଙ୍ଗଲ ଭିତରେ ଜଣେ ପୁରୁଷ ବଦଳରେ ଭଲ୍ଲୁକ ସହିତ ସହାବସ୍ଥାନ କରିବା ଲାଗି ମହିଳାମାନଙ୍କ ଆଗ୍ରହ ପଛରେ ଯଥାର୍ଥତା ଦେଖି ହୁଏ କି?
ପ୍ରସିଦ୍ଧ ଆମେରିକୀୟ ଶିକ୍ଷାବିତ୍‌ ଜାକସନ କାଜ୍‌ଙ୍କ ମତରେ ଲିଙ୍ଗଗତ ସମସ୍ୟା ବୋଇଲେ ସଚରାଚର ତାହାକୁ କେବଳ ମହିଳାମାନଙ୍କ ପ୍ରସଙ୍ଗ ରୂପେ ବୁଝାଯିବା ହିଁ ଏହାର ପ୍ରମାଣ ଯେ ପୁରୁଷ ହିଁ ପ୍ରାୟତଃ ଆକ୍ରମଣକାରୀ; କିନ୍ତୁ ବିଡ଼ମ୍ବନା ହେଲା ମହିଳା ନିର୍ଯାତନାର ପ୍ରକ୍ରିୟାରେ ଉତ୍ପୀଡ଼କ ପୁରୁଷ କ୍ରମେ ଅଦୃଶ୍ୟ ସୂତ୍ରଧରରେ ପରିଣତ ହୋଇଯାଏ ଏବଂ ‘ପୀଡ଼ିତା ମହିଳା’ଟି ଏକ ସାଧାରଣ ‘ଷ୍ଟେରିଓଟାଇପ୍‌’ ହୋଇ ରହିଯାଏ। ଏହାକୁ ବୁଝାଇବାକୁ ଯାଇ ଜାକସନ ବ୍ୟବହାର କରିଥିବା ଉଦାହରଣଟି ଏହିଭଳି: ଧରନ୍ତୁ ପ୍ରଥମେ ଶୁଣାଗଲା ଯେ ‘ରାମ ମାଳତୀକୁ ପିଟେ’। କିନ୍ତୁ କ୍ରମେ ହୁଏତ କିଛି ମାସ ପରେ ସେହି ବାକ୍ୟଟି ‘ମାଳତୀ ରାମ ଦ୍ବାରା ମାଡ଼ ଖାଏ’କୁ ବଦଳି ଯାଇଥାଏ। ସୁତରାଂ, ପ୍ରଥମ ବାକ୍ୟର ‘କର୍ତ୍ତା’ ରାମ ଦ୍ବିତୀୟ ବାକ୍ୟ ବେଳକୁ ଆଉ ସେହି ସ୍ଥାନରେ ନ ଥାଏ; ସେହି ସ୍ଥାନ ଗ୍ରହଣ କରିସାରିଥାଏ ମାଳତୀ। କିଛି କାଳ ପରେ ତୃତୀୟ ବାକ୍ୟଟି ଶୁୁଣାଯାଏ ଯେ ‘ମାଳତୀ ପ୍ରତିଦିନ ମାଡ଼ ଖାଏ’, ଯହିଁରେ ରାମ ଆଉ ନ ଥାଏ। ପରିଶେଷରେ ଯେଉଁ ଅଭିବ୍ୟକ୍ତି ମାଳତୀ ଲାଗି ବ୍ୟବହାର କରାଯାଇଥାଏ, ତାହା ହୁଏତ ହୋଇପାରେ କେବଳ ଏତିକି ଯେ ‘ବିଚାରୀ ମାଳତୀ’। ଏହାର ତାତ୍ପର୍ଯ୍ୟ ହେଲା ମାଡ଼ ମାରୁଥିବା ପ୍ରକ୍ରିୟାରେ ରାମ ସକ୍ରିୟ ଥିଲେ ହେଁ ପୁରୁଷ ପ୍ରଧାନ ପୃଥିବୀରେ ସ୍ଥିତି ଏଭଳି ଦେହସୁହା ହୋଇଯାଏ ଯେ ରାମ ଆଉ ଦୃଷ୍ଟିପଟଳକୁ ଆସି ନ ଥାଏ। ପ୍ରକାଶ ଥାଉ କି ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ମହିଳାମାନେ ପୁରୁଷମାନଙ୍କ ଦ୍ବାରା ନିର୍ଯାତିତ ହୁଅନ୍ତି; ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୫୭ ପ୍ରତିଶତ ମହିଳାଙ୍କ କପାଳରେ କେବେ ନା କେବେ ସେମାନଙ୍କ ସ୍ବାମୀ ବା ପୁରୁଷ ବନ୍ଧୁଙ୍କ ଧମକ ଭରା ପିସ୍ତଲ ନଳୀ ଲାଗିଥାଏ ଏବଂ ୫୭ ପ୍ରତିଶତ ଭାରତୀୟ ମହିଳା ସେମାନଙ୍କ ପତି ବା ପୁରୁଷ ‘ଯୋଡ଼ିଦାର’ଙ୍କ ଠାରୁ ମାଡ଼ ଖାଇବାକୁ ଯଥାର୍ଥ ବୋଲି ମନେ କରନ୍ତି। ଏଭଳି ସ୍ଥଳେ ‘ଟିକ୍‌ଟକ୍’ ଭିଡିଓରେ ମହିଳାମାନଙ୍କ ଦ୍ବାରା ପ୍ରକାଶିତ ଶଙ୍କାକୁ ହୁଏତ ହୃଦୟଙ୍ଗମ କରାଯାଇପାରେ।
ପୁରୁଷଙ୍କ ପରିବର୍ତ୍ତେ ଭଲ୍ଲୁକ ପ୍ରତି ଅଧିକ ଆସ୍ଥା ପ୍ରକଟ କରିଥିବା ମହିଳାମାନଙ୍କୁ ବିଦ୍ରୂପ କରି ସନ୍ଦେଶମାନ ଆସିବାରେ ଲାଗିଛି ଯେ ଜଙ୍ଗଲର ଭାଲୁ ‘ଟେଡି ବିଅର’ ନୁହେଁ, ଯାହାକୁ ମହିଳାମାନେ ଗେହ୍ଲାରେ ଆଲିଙ୍ଗନାବଦ୍ଧ କରି ରଖିଥାନ୍ତି! କିନ୍ତୁ ଉପରୋକ୍ତ ସାତ ଜଣ ଯାକ ମହିଳା ସେମାନଙ୍କ ଉତ୍ତରର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କହନ୍ତି ଯେ ହିଂସ୍ର ହୋଇଥିଲେ ହେଁ ଅନ୍ତତଃ ପକ୍ଷେ ଭାଲୁ ନିଷ୍କପଟ; ଅର୍ଥାତ୍‌ ପୁରୁଷ ଛଳନାଶ୍ରୟୀ ହୋଇ ରୂପ ପରିବର୍ତ୍ତନ କରିପାରେ! ସେମାନେ କହନ୍ତି ଯେ ପାଖରେ ‘ମଷ୍ଟାର୍ଡ‌୍ ସ୍ପ୍ରେ’ ଥିଲେ ଭାଲୁକୁ ଘଉଡ଼ାଇ ଦିଆଯାଇପାରେ, କିନ୍ତୁ ଆକ୍ରମଣ କରିବାକୁ ଉଦ୍ୟତ ପୁରୁଷ କବଳରୁ ନିସ୍ତାର ପାଇବା ଲାଗି କୌଣସି ‘ମଷ୍ଟାର୍ଡ ସ୍ପ୍ରେ’ ଯଥେଷ୍ଟ ନୁହେଁ। ତେବେ, ଏ ପରିପ୍ରେକ୍ଷୀରେ ଅନେକ ପୁରୁଷ ଏହି ମହିଳାମାନଙ୍କ ଉଦ୍‌ବେଗକୁ ହୃଦୟଙ୍ଗମ କରି ପାରିଥାନ୍ତି। ତାହାର ପ୍ରମାଣ ମିଳୁଛି ଏହି ଭିଡିଓକୁ ଅନୁସରଣ କରି ତିଆରି ହୋଇଥିବା ଆଉ ଏକ ପ୍ରକାର ଭିଡିଓରୁ, ଯହିଁରେ କେତେକ ଯୁବତୀ ସେମାନଙ୍କ ପିତାଙ୍କୁ ପ୍ରଶ୍ନ କରୁଥିବା ଦେଖାଯାଉଛି ଯେ ଏଭଳି ଏକ ପରିସ୍ଥିତିରେ ସେମାନେ ନିଜ କନ୍ୟାକୁ କାହା ସହିତ ଦେଖିବାକୁ ଚାହିଁବେ? ଜଣେ ପୁରୁଷ ନା ଭଲ୍ଲୁକ? ଏବଂ ପ୍ରାୟତଃ ପିତାମାନଙ୍କ ଠାରୁ ଉତ୍ତର ମିଳୁଛି ‘ଭଲ୍ଲୁକ’!