ଏଥର ଚବାହର

ତେବେ ବିଧି ରକ୍ଷା କରି ଆମେରିକା ଏଥିପାଇଁ ଚେତାବନୀ ଦେଇଥିଲେ ହେଁ, ବର୍ତ୍ତମାନର ଅସ୍ଥିର ପୃଥିବୀରେ ଏକ ଆକ୍ରମଣାତ୍ମକ ଚୀନ୍‌ର ମୁକାବିଲା କରିବା ପାଇଁ ଭାରତ ସହିତ ମେଣ୍ଟ କରିବାକୁ ବ୍ୟଗ୍ର ଆମେରିକା ଚବାହର ଯୋଗୁ ଭାରତକୁ ଦଣ୍ଡିତ କରିବା ସମ୍ଭାବନା କ୍ଷୀଣ ମନେ ହୁଏ। ତଥାପି ଭାରତକୁ ଏଠାରେ ଅତ୍ୟନ୍ତ ସତର୍କତାର ସହିତ ଅଗ୍ରସର ହେବାକୁ ପଡ଼ିବ।

ଇରାନର ଚବାହରସ୍ଥିତ ସାହିଦ୍ ବେହେସ୍ତି ପୋର୍ଟ ଟର୍ମିନାଲ୍ ନିର୍ମାଣ ପାଇଁ ଏବେ ଭାରତର ‘ଇଣ୍ଡିଆ ପୋର୍ଟ ଗ୍ଲୋବାଲ୍ ଲିମିଟେଡ୍’ (‘ଆଇପିଜିଏଲ୍’) ଓ ଇରାନର ‘ପୋର୍ଟସ୍ ଆଣ୍ଡ୍ ମାରିଟାଇମ୍ ଅର୍ଗାନାଇଜେସନ୍’ (‘ପିଏମ୍‌ଓ’) ମଧ୍ୟରେ ଏକ ଦୀର୍ଘକାଳୀନ ‘ମୁଖ୍ୟ ଚୁକ୍ତି’ (‘ମେନ୍ କଣ୍ଟ୍ରାକ୍ଟ’) ସ୍ବାକ୍ଷରିତ ହେବା ସହିତ ଦୀର୍ଘ ଦୁଇ ଦଶନ୍ଧିର ଏକ ଅସ୍ବସ୍ତିକର ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି କୁହାଯାଇପାରେ। ଏକୋଇଶି ବର୍ଷ ତଳେ ଚବାହର ବନ୍ଦର ନିର୍ମାଣ ପାଇଁ ଇରାନ ପ୍ରଥମେ ଭାରତର ସହଯୋଗ ଲୋଡ଼ିଥିଲେ ହେଁ, ଏହି ସମୟ ମଧ୍ୟରେ ଇରାନ ତା’ର ସେଇ ପ୍ରାଥମିକ ଆଗ୍ରହରେ ପ୍ରଦର୍ଶନ କରିଆସିଥିବା ଜୁଆର ଭଟ୍ଟା ଯୋଗୁ ଏହି ପ୍ରସ୍ତାବିତ ପ୍ରକଳ୍ପରେ କୌଣସି ଅଗ୍ରଗତି ଘଟି ପାରି ନ ଥିଲା। ବର୍ତ୍ତମାନ ନିଜର ସେଇ ଦୋଦୁଲ୍ୟମାନ ଆଭିମୁଖ୍ୟ ପରିତ୍ୟାଗ କରି ଇରାନ ଭାରତ ସହିତ ଏହି ନୂତନ ଦୀର୍ଘକାଳୀନ ଚୁକ୍ତି ସ୍ବାକ୍ଷର କରିବା ପାଇଁ ଆଗେଇ ଆସିବାର ପ୍ରଧାନ କାରଣ ପ୍ରାୟ ନିଶ୍ଚିତ ରୂପେ ହେଉଛି ଭାରତର ଅନ୍ୟ ଏକ ପ୍ରକଳ୍ପ ସହିତ ସଂପୃକ୍ତି ଯୋଗୁଁ ତା’ ଉପରେ ପଡ଼ିଥିବା ଚାପ।
ସେଇ ପ୍ରକଳ୍ପଟି ହେଉଛି ୨୦୨୩ ସେପ୍‌ଟେମ୍ବରରେ ଭାରତ ଅଂଶ ଗ୍ରହଣ କରିଥିବା ‘ଇଣ୍ଡିଆ-ମିଡ୍‌ଲ ଇଷ୍ଟ୍ ଇକନମିକ୍ କରିଡର୍’ (‘ଆଇଏମ୍‌ଇସି’)। ଯୁକ୍ତରାଷ୍ଟ୍ର ଆମେରିକା ଓ ସାଉଦି ଆରବର ସହଯୋଗରେ ଆରମ୍ଭ ହୋଇଥିବା ଏହି ପରିବହନ ପଥ ପ୍ରକଳ୍ପ ଭାରତ ଓ ଉପସାଗରୀୟ ଦେଶମାନଙ୍କ ମଧ୍ୟରେ ତଥା ଭାରତ ଓ କେନ୍ଦ୍ରଏସୀୟ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ପଥ ସଂପ୍ରସାରିତ କରିବା ନିମିତ୍ତ ଉଦ୍ଦିଷ୍ଟ ହୋଇଥିବାରୁ ଇରାନ ଏଥିରୁ ବହିର୍ଭୁକ୍ତ ହେବାର ଆଶଙ୍କା କରି ଚବାହର ବନ୍ଦର ନିର୍ମାଣ ପାଇଁ ସୁପ୍ତ ଉଦ୍ୟମକୁ ବର୍ତ୍ତମାନ ପୁନରୁଜ୍ଜୀବିତ କରିଛି ବୋଲି ମନେ ହୁଏ।
ଚବାହର ଠାରେ ପାଦ ଥାପିବା ଭାରତ ପାଇଁ ଉଭୟ ବାଣିଜ୍ୟିକ ଓ ସାମରିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଗୁରୁତ୍ବ ବହନ କରିଥାଏ। ଅନୁରୂପ କାରଣରୁ ଚୀନ୍ ପାଇଁ ମଧ୍ୟ ଏହା ବିଶେଷ ଆକର୍ଷଣ ବହନ କରିଥାଏ। ଏହି ଆକର୍ଷଣର ପ୍ରଭାବରେ ଚୀନ୍ ଇରାନର ମେରୁ ଅଞ୍ଚଳରେ ଅନେକ ଭିତ୍ତିଭୂମି ସୃଷ୍ଟି କରିବାରେ ସମ୍ବଳ ବିନିଯୋଗ କରିବା ଦେଖାଯାଇଛି। ସେଇଭଳି ଚବାହର ପ୍ରକଳ୍ପରେ ଅଂଶ ଗ୍ରହଣ ପାଇଁ ଇରାନ ଭାରତ ପ୍ରତି ଲାଗୁ ହେବା ସର୍ତ୍ତସବୁକୁ ଅଧିକରୁ ଅଧିକ କଠୋର କରିବାକୁ ମଧ୍ୟ ଚେଷ୍ଟା କରିଆସିଛି। ଭାରତ ବିରୁଦ୍ଧରେ ଇରାନ ଅଭିଯୋଗ କରିଆସୁଥିଲା ଯେ ଭାରତ ସେଠାରେ ଯଥେଷ୍ଟ ଡଲାର୍ ପୁଞ୍ଜି ନିବେଶ କରିବାକୁ କୁଣ୍ଠା ପ୍ରଦର୍ଶନ କରିଆସୁଛି। ବିଶେଷ କରି ଆମେରିକା ସେ ଦେଶ ପ୍ରତି ଲାଗୁ କରିଥିବା ଅର୍ଥନୈତିକ ବାସନ୍ଦ ଯୋଗୁ ଇରାନ ଘୋର ବୈଦେଶିକ ମୁଦ୍ରା ସଂକଟର ସମ୍ମୁଖୀନ ହୋଇଥିବାରୁ, ଭାରତ ସେଠାରେ ନିବେଶ ମାଧ୍ୟମରେ କିଞ୍ଚିତ ମାତ୍ରାରେ ସେଇ ଅଭାବ ପୂରଣ କରିବ ବୋଲି ଇରାନ ଆଶା କରୁଥିଲା। ଭାରତ କିନ୍ତୁ ଆଶଙ୍କା କରିଥାଏ ଯେ ଯଦି ସେ ଇରାନରେ ଭାରତୀୟ ବ୍ୟାଙ୍କ୍‌ମାନଙ୍କ ମାଧ୍ୟମରେ ପୁଞ୍ଜି ନିବେଶ କରେ, ତେବେ ସେଇ ବ୍ୟାଙ୍କ୍‌ମାନ ଅାମେରିକା ଦ୍ବାରା ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହେ‌େବ।
ଭାରତ ମଧ୍ୟ ଚାହୁଁଥିଲା ଯେ ଇରାନ ଚବାହର ସହିତ କାସ୍ପିଆନ୍ ସାଗରର ବନ୍ଦର ଅଞ୍ଜାଲିର ସଂଯୋଗ ସ୍ଥାପନ କରୁ, ଯାହାଦ୍ବାରା ଦକ୍ଷିଣ ଏସିଆ ସହିତ ରୁଷିଆକୁ ସଂଯୁକ୍ତ କରିବା ନିମିତ୍ତ ଉଦ୍ଦିଷ୍ଟ ପ୍ରସ୍ତାବିତ ‘ଇଣ୍ଟର୍‌ ନେସନାଲ୍ ନର୍ଥ-ସାଉଥ୍ କରିଡର୍’ (‘ଆଇଏନ୍‌ଏସ୍‌ଟିସି’) କାର୍ଯ୍ୟକାରୀ ହୋଇପାରିବ। ଇରାନର ଦକ୍ଷିଣ ଉପକୂଳରେ ବିକ୍ଷୁବ୍‌ଧ ସିଷ୍ଟାନ୍-‌ବାଲୋଚିସ୍ତାନ୍ ପ୍ରଦେଶରେ ଅବସ୍ଥିତ ଚବାହର ବନ୍ଦର ଭାରତୀୟ ପ୍ରଣ୍ୟଦ୍ରବ୍ୟ ଆଫଗାନିସ୍ତାନ ଓ କେନ୍ଦ୍ରଏସୀୟ ଅଞ୍ଚଳରେ ‘ଆଇଏନ୍‌ଏସ୍‌ଟିସି’ ଦେଇ ପହଞ୍ଚିବା ପାଇଁ ଏକ ଯୋଗସୂତ୍ର ଯୋଗାଇବ ବୋଲି ଭାରତ ଆଶା କରିଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ସଡ଼କ-ରେଳ କରିଡର୍ କେଉଁଠାରେ ହେଲେ ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ସ୍ପର୍ଶ କରିବ ନାହିଁ, ଯାହାର ଇରାନ ସହିତ ସଂପର୍କ ମଧ୍ୟ ମଧୁର ନୁହେଁ। ୨୦୧୫ରେ ଭାରତ ଚବାହର ବନ୍ଦର ନିର୍ମାଣ ପାଇଁ ଇରାନ ସହିତ ସ୍ବାକ୍ଷର କରିଥିବା ଦଶବର୍ଷିଆ ଚୁକ୍ତିରେ ବିଶେଷ ଅଗ୍ରଗତି ନ ଘଟି ସେଥିରେ ଆସନ୍ତା ବର୍ଷ ଯବନିକା ପଡ଼ିବାର ଠିକ୍ ପୂର୍ବରୁ ଏବେ ଆଉ ଏକ ଦଶବର୍ଷିଆ ଚୁକ୍ତି ଦ୍ବାରା ପୁନରୁଜ୍ଜୀବିତ କରି ଭାରତ ଉଭୟ ପାକିସ୍ତାନ ଓ ଆମେରିକା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି କହିଲେ ଭୁଲ୍ ହେବନାହିଁ। ଆମେରିକା ଆଶା କରାଯାଉଥିବା ଭଳି ଏହାର ପ୍ରତିକ୍ରିୟା ସ୍ବରୂପ ତେଣୁ ଭାରତ ଉଦ୍ଦେଶ୍ୟରେ ଏକ ଚେତାବନୀ ଜାରି କରିବାରେ କିଛି ଅାଶ୍ଚର୍ଯ୍ୟ ହେବାର ନାହିଁ। ଆମେରିକା ପରରାଷ୍ଟ୍ର ବିଭାଗ (‘ଷ୍ଟେଟ୍ ଡିପାର୍ଟମେଣ୍ଟ୍’)ର ଉପ-ମୁଖପାତ୍ର ବେଦାନ୍ତ ପଟେଲ ଭାରତକୁ ମନେ ପକାଇ ଦେବାଭଳି କହିଛନ୍ତି: ‘‘ଇରାନ ଉପରେ ଆମେରିକାର ବାସନ୍ଦ ବଳବତ୍ତର ରହିଛି ଏବଂ ଆମେ ତାହାକୁ ବଳବତ୍ତର ରଖି ଚାଲିବୁ।’’ ଏହା ପରେ ସେ ସତର୍କ କରିଦେଇଛନ୍ତି ଯେ ଯିଏ ବି ଇରାନ ସହିତ କୌଣସି ବ୍ୟବସାୟ କାରବାର କରିବାକୁ ଚିନ୍ତା କରିବ, ସେ କିଭଳି ବିପଦର ସମ୍ମୁଖୀନ ହେବାକୁ ଯାଉଛି, ସେ ସମ୍ବନ୍ଧରେ ସଚେତନ ରହିବା ଉଚିତ, ବିଶେଷ କରି ବାସନ୍ଦ ସମ୍ମୁଖୀନ ହେବା ସମ୍ବନ୍ଧରେ।
ତେବେ ନିକଟ ଅତୀତରେ ନିଜର ଜାତୀୟ ସ୍ବାର୍ଥ ସାଧନ ପାଇଁ ଆବଶ୍ୟକ ହେଲେ ଭାରତ ଏଭଳି ବିପଦର ମୁକାବିଲା କରିବା ନିମିତ୍ତ ନିଜର ସାହସ ପ୍ରଦର୍ଶନ କରିବା ଦେଖାଯାଇଛି। ୟୁକ୍ରେନ୍ ଯୁଦ୍ଧ ଯୋଗୁ ଆମେରିକା ଆକ୍ରମଣକାରୀ ରୁଷିଆ ଉପରେ ଅର୍ଥନୈତିକ ବାସନ୍ଦ ଲାଗୁ କରିଥିଲେ ହେଁ, ତାହାକୁ ବେଖାତିର କରି ଭାରତ ରୁଷିଆ ଠାରୁ ରିହାତି ଦରରେ ତୈଳ କ୍ରୟ କରିବା ଦେଖାଯାଇଛି। ଗତ ବର୍ଷ ଏଇ ଚବାହର ବାଟ ଦେଇ ହିଁ ଭାରତ ଅତ୍ୟନ୍ତ ଦୁର୍ଦ୍ଦିନ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ୨୦,୦୦୦ ଟନ୍ ଗହମ ସାହାଯ୍ୟ ପଠାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅତୀତରେ ୨୦୧୮ରେ ଅ‌ାମେରିକା ଚବାହର ବନ୍ଦରକୁ ଇରାନ ପ୍ରତି ଲାଗୁ କରାଯାଇଥିବା ବାସନ୍ଦ ବ୍ୟବସ୍ଥାରୁ ବହିର୍ଭୁକ୍ତ କରିଥିଲା। ଏହି ବନ୍ଦର ନିର୍ମାଣର ମୁଖ୍ୟ ଲକ୍ଷ୍ୟ ଥିଲା ଭାରତକୁ ଆଫଗାନିସ୍ତାନର ପୁନଃନିର୍ମାଣ ଉଦ୍ୟମରେ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିବା। ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆସରଫ୍ ଘନିଙ୍କର ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ସେ ନିଜ ଦେଶର ମଙ୍ଗଳ ସାଧନ ନିମିତ୍ତ ପର୍ଦ୍ଦା ଅନ୍ତରାଳରେ ନିରବଚ୍ଛିନ୍ନ ଉଦ୍ୟମ କରି ଆଫଗାନିସ୍ତାନର ଉଦ୍ଧାର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ଚବାହର ବନ୍ଦରକୁ ବାସନ୍ଦ-ବହିର୍ଭୁକ୍ତ କରିବା ଲାଗି ଆମେରିକାକୁ ରାଜି କରାଇଥିଲେ।
ପରବର୍ତ୍ତୀ ସମୟରେ ଅାଫଗାନିସ୍ତାନ୍ ପୁନରାୟ ତାଲିବାନ୍ ଦଖଲକୁ ଚାଲିଯିବା ପରେ ଅ‌ାମେରିକା ଚବାହର ପ୍ରତି ସେପରି ସଦୟ ହେବାର କୌଣସି କାରଣ ଆଉ ନାହିଁ। କିନ୍ତୁ ଭାରତ ମଧ୍ୟ ନିଜର ଜାତୀୟ ସ୍ବାର୍ଥ ପାଇଁ ଚବାହରରୁ ଓହରି ଯିବାର ସମ୍ଭାବନା ନାହିଁ। ତେବେ ବିଧି ରକ୍ଷା କରି ଆମେରିକା ଏଥିପାଇଁ ଚେତାବନୀ ଦେଇଥିଲେ ହେଁ, ବର୍ତ୍ତମାନର ଅସ୍ଥିର ପୃଥିବୀରେ ଏକ ଆକ୍ରମଣାତ୍ମକ ଚୀନ୍‌ର ମୁକାବିଲା କରିବା ପାଇଁ ଭାରତ ସହିତ ମେଣ୍ଟ କରିବାକୁ ବ୍ୟଗ୍ର ଆମେରିକା ଚବାହର ଯୋଗୁ ଭାରତକୁ ଦଣ୍ଡିତ କରିବା ସମ୍ଭାବନା କ୍ଷୀଣ ମନେ ହୁଏ। ତଥାପି ଭାରତକୁ ଏଠାରେ ଅତ୍ୟନ୍ତ ସତର୍କତାର ସହିତ ଅଗ୍ରସର ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର