ଯୌବନର ବାସନା ଦ୍ରବୀଭୂତ ହେବା ଲାଗି ଯଯାତିଙ୍କ ଭଳି ସୁପୁରୁଷଙ୍କ ସ୍ଥଳେ ଯଦି ହଜାରେ ବର୍ଷ ଲାଗିଯାଇଥିଲା, ବର୍ତ୍ତମାନର ମନୁଷ୍ୟ ସକାଶେ ମାତ୍ର ଦଶ କି ପନ୍ଦର ବର୍ଷର ନିରୁତା େଯୗବନ ତାକୁ ତୃପ୍ତ କରିପାରନ୍ତା ବା କିପରି? ତେଣୁ ତ ଯୌବନ ଅତୁଟ ରଖିବା ଲାଗି ଅନନ୍ତ ଉଦ୍ୟମର ପଟୁଆର!
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ବର୍ଷ ଆମେରିକାର ମହାକାଶ ବିଜ୍ଞାନ ପ୍ରତିଷ୍ଠାନ ‘ନାସା’ ଦ୍ବାରା କରାଯାଇଥିବା ଏକ ପରୀକ୍ଷଣରୁ ଯେଉଁ ଚମକପ୍ରଦ ତଥ୍ୟଟି ବର୍ତ୍ତମାନ ହସ୍ତଗତ ହୋଇଛି, ତାହା ଉଭୟ ଆଶା, ଆଲୋଡ଼ନ ଓ ଆମୋଦ ସୃଷ୍ଟି କରିଥାଏ; କାରଣ ମନୁଷ୍ୟର ଅକ୍ଳାନ୍ତ ଅନ୍ବେଷଣର କେନ୍ଦ୍ରରେ ରହି ଆସିଥିବା ‘ଅତୁଟ ଯୌବନର ଝର’ ଆଡ଼କୁ ତାହା ହୁଏତ ବାଟ କଢ଼ାଇ ନେଇପାରେ। ପ୍ରକାଶ ଥାଉ କି ମଙ୍ଗଳ ଅଭିଯାନ ପରିପ୍ରେକ୍ଷୀରେ କେତେକ ପରୀକ୍ଷାନିରୀକ୍ଷା ସକାଶେ ‘ନାସା’ ପକ୍ଷରୁ ଆମେରିକୀୟ ନୌ-ସେନା ଅଧିକାରୀ ତଥା ବୈଜ୍ଞାନିକ ଡକ୍ଟର ଜୋସେଫ ଡିଟୁରିଙ୍କୁ ଏକ ବନ୍ଦ ପିଂପା ମଧ୍ୟରେ ଆବଦ୍ଧ କରି ଆଟଲାଣ୍ଟିକ ମହାସାଗରର ତିରିଶ ଫୁଟ ଗଭୀରତାରେ ଲଗାତାର ଶହେ ଦିନ ଧରି ରଖାଯିବା ପରେ ଗଲା ବର୍ଷ ଜୁନ୍ ମାସରେ ବାହାରକୁ ଅଣାଯାଇଥିଲା। ଏହା ପରେ ତାଙ୍କ ଶରୀର ଉପରେ ଜଳର ଚାପ ସମ୍ବନ୍ଧୀୟ ଅନେକ ଗବେଷଣା ପରେ ପ୍ରକାଶିତ ଉପରୋକ୍ତ ତଥ୍ୟଟି ହେଲା ଡିଟୁରିଙ୍କ ବୟସରେ ପ୍ରାୟ ଦଶ ବର୍ଷ ହ୍ରାସ ଘଟିଛି। କହିବା ବାହୁଲ୍ୟ ପ୍ରୌଢ଼ ଡିଟୁରିଙ୍କ ଶରୀରରେ ଘଣ୍ଟା କଣ୍ଟାର ଏଭଳି ଓଲଟ ଘୂର୍ଣ୍ଣନ ଯେଉଁ କୌତୂହଳପ୍ରଦ ଆଗ୍ରହ ସୃଷ୍ଟି କରିଥାଏ, ସେ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ବେଳେ ପୃଥିବୀ ପୃଷ୍ଠରେ ପଞ୍ଚାବନ ବର୍ଷ କାଳ ଅତିବାହିତ କରିଥିବା ଜୋସେଫ ଡିଟୁରିଙ୍କ ‘ବାୟୋଲୋଜିକାଲ ଏଜ୍’ ବା ‘ଜୈବ ବୟସ’ ଥିଲା ଚଉରାଳିଶ ବର୍ଷ; ଅର୍ଥାତ୍ ପଞ୍ଚାବନ ବର୍ଷ ବୟସ୍କ ହୋଇଥିବା ସତ୍ତ୍ବେ ଶାରୀରିକ ସ୍ବାସ୍ଥ୍ୟ ଓ ଦକ୍ଷତା ଅନୁସାରେ ସେ ଥିଲେ ଜଣେ ଚଉରାଳିଶ ବର୍ଷ ବୟସ୍କଙ୍କ ସହିତ ସମକକ୍ଷ, ଅଥଚ ଶହେ ଦିନ ପରେ ସମୁଦ୍ର ଗର୍ଭରୁ ବାହାରିଥିବା ଡିଟୁରିଙ୍କ ‘ଜୈବ ବୟସ’ ମପାଯିବା ପରେ ଦେଖିବାକୁ ମିଳିଥିଲା ଯେ ତାହା ଚଉତିରିଶ ବର୍ଷ ବୟସକୁ ଖସି ଆସିଛି। ଏ ସଂଦର୍ଭରେ ବୈଜ୍ଞାନିକମାନେ କହିଥାଆନ୍ତି ଯେ ବୟସ ବୃଦ୍ଧି ସହିତ ଜୀବକୋଷରେ ସ୍ଥାନିତ ‘କ୍ରୋମୋଜମ’ଗୁଡ଼ିକରେ ସୁରକ୍ଷା କବଚ ତୁଲ୍ୟ କାମ କରୁଥିବା ‘ଟେଲୋମିଅର’ ମଧ୍ୟ କ୍ରମ କ୍ଷୟିିଷ୍ଣୁ ହୋଇଚାଲେ, ଯାହା ଫଳରେ ଜୀବକୋଷଗୁଡ଼ିକ କ୍ରମେ ଦୁର୍ବଳ ହୁଅନ୍ତି ଏବଂ ଶରୀରକୁ ଜରାଜୀର୍ଣ୍ଣ ଅବସ୍ଥାକୁ ଘେନି ଯାଆନ୍ତି। ଦେଖିବାକୁ ମିଳିଛି ଯେ ସମୁଦ୍ରରୁ ବାହାରିବା ପରେ ଡିଟୁରିଙ୍କ ‘କ୍ରମୋଜମ୍’ର ‘ଟେଲୋମିଅର’ରେ ମରାମତି ହୋଇଯିବା ସହିତ ସେଗୁଡ଼ିକର ଆକାରରେ ମଧ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି, ଯଦ୍ଦ୍ବାରା ତାଙ୍କ ଜୀବକୋଷଗୁଡ଼ିକ ନବ-ଯୌବନ ପ୍ରାପ୍ତ ହୋଇଛନ୍ତି। ତେବେ, ଡିଟୁରିଙ୍କ ଶରୀର ଉପରେ ପଡ଼ିଥିବା ଜଳରାଶିର ଚାପ ଏହାର ଏକ କାରଣ ନା ଅନ୍ୟ କିଛି, ସେ ସମ୍ବନ୍ଧରେ ଗବେଷଣା ଚାଲିଛି।
ତେବେ, ବାର୍ଦ୍ଧକ୍ୟରେ ବିରାମ ଘଟାଇବା ଲାଗି ପୃଥିବୀର ବିଭିନ୍ନ ବାୟୋ-ଟେକ୍ ଲାବରେଟରିରେ ଚାଲୁ ରହିଥିବା ସଘନ ଗବେଷଣା କ୍ଷେତ୍ରରେ ଯେ ଏହା ଦ୍ବାରା ଏକ ନୂତନ ଦ୍ବାର ଉନ୍ମୁକ୍ତ ହୋଇଛି, ଏହା କହିବା ଅନାବଶ୍ୟକ। ପ୍ରକାଶ ଥାଉ କି ବର୍ତ୍ତମାନ ସାରା ପୃଥିବୀରେ ପ୍ରାୟ ପଚାଶ ହଜାର ସରିକି ‘ବାୟୋ-ଟେକ୍’ ଷ୍ଟାର୍ଟଅପ୍ କଂପାନି ମାନବ ଜୀବନରୁ ବାର୍ଦ୍ଧକ୍ୟ ବିଲୁପ୍ତ କରିବା ଉଦ୍ୟମରେ ପ୍ରବୃତ୍ତ, ଯହିଁରେ ପ୍ରାୟ ଦଶ ହଜାର ପୁଂଜିପତି ଅକଳ୍ପନୀୟ ଭାବେ ବିପୁଳ ଅର୍ଥ ବିନିଯୋଗ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଜେଫ୍ ବେଜୋସ୍, ସାମ ଅଲ୍ଟମ୍ୟାନ୍ ଏବଂ ଲାରି ପେଜ୍ଙ୍କ ଭଳି ଉଦ୍ୟୋଗୀ ମଧ୍ୟ ଅନ୍ତର୍ଭୁକ୍ତ। ତେବେ, ଏ ଯାବତ୍ ମନୁଷ୍ୟକୁ କେବଳ ପ୍ରାସାଧନିକ ସ୍ତରରେ ଜରାମୁକ୍ତ କରିବା ଲାଗି ବିଭିନ୍ନ ପ୍ରକାର କ୍ରିମ, ଔଷଧ ଓ ଅସ୍ତ୍ରୋପଚାର ଭଳି ମାଧ୍ୟମମାନ ଉପଲବ୍ଧ ଅଛନ୍ତି, ଯାହାର ବ୍ୟବସାୟର ଆକାର ଅତ୍ୟନ୍ତ ବିଶାଳ। ବାର୍ଦ୍ଧକ୍ୟ କାରଣରୁ ମୁଖମଣ୍ଡଳରେ ଲୋଳିତ ଚର୍ମର ଭାଙ୍ଗ ଦୃଶ୍ୟମାନ ହେଲେ ଯେଉଁ ‘ବଟୁଲିନମ ଟକ୍ସିନ’ ବା ସଂକ୍ଷେପରେ ‘ବଟକ୍ସ’ର ଇଂଜେକ୍ସନ ଜରିଆରେ ତାକୁ ଅବିଳମ୍ବେ ଦୂର କରିଦିଆଯାଇଥାଏ, ତାହାର ବ୍ୟବସାୟର ଆକାର ୨୦୨୩ରେ ଥିଲା ୭ ବିଲିଅନ ଡଲାର, ଯାହା ୨୦୩୦ ମସିହା ସୁଦ୍ଧା ୧୦ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଥାଏ। ସେହିଭଳି ବାର୍ଦ୍ଧକ୍ୟର ଚିହ୍ନ ଅପସାରଣକାରୀ ‘କସ୍ମେଟିକ୍ ସର୍ଜରି’ର କାରବାର ୨୦୨୩ ମସିହାରେ ୫୫ ବିଲିଅନ ଡଲାର ଥିବା ବେଳେ ୨୦୩୦ ବେଳକୁ ତାହା ବୃଦ୍ଧି ପାଇ ୭୫ ବିଲିଅନ ଡଲାରରେ ପହଞ୍ଚିବ ବୋଲି ବଜାର ବିଶାରଦମାନେ କହିଥାଆନ୍ତି। କିନ୍ତୁ ଗୂଢ଼ କଥାଟି ହେଲା ଏ ଯାବତ୍ ଏଭଳି ଉଦ୍ୟମମାନ କେବଳ ‘ଚର୍ମ ଗଭୀର’ ହୋଇ ରହିଛି; ଶରୀରର ଜରାଗ୍ରସ୍ତ ଜୀବକୋଷଗୁଡ଼ିକୁ ନିଷ୍କାସିତ କରି ଶରୀରର ଅଭ୍ୟନ୍ତରରେ ଯୌବନ ପ୍ରତିଷ୍ଠା କରିବା ଲାଗି ଉଦ୍ଦିଷ୍ଟ କେତେକ ଔଷଧ ସଂପ୍ରତି ‘ମାନବ ପ୍ରୟୋଗ’ ସ୍ତରରେ ରହିଛି। ତେବେ ସେ ସବୁ ସଫଳ ହୋଇ ବ୍ୟବହାର ସ୍ତରକୁ ଆସିବାକୁ ହେଲେ ହୁଏତ ଆହୁରି କେତେ ଦଶକ ଅପେକ୍ଷା କରିବାକୁ ପଡ଼ିପାରେ!
ଶରୀର ବିଜ୍ଞାନୀମାନଙ୍କ ମତରେ ନିୟମିତ ବ୍ୟାୟାମ, ସୁସଂହତ ତଥା କର୍ମଠ ଜୀବନ, ସମ୍ୟକ ଆହାର, ପରିପୂର୍ଣ୍ଣ ନିଦ୍ରା ଓ ଚାପମୁକ୍ତ ମନ ଜରିଆରେ ‘ଜୈବ ବୟସ’ ବୃଦ୍ଧିକୁ ପ୍ରତିହତ କରାଯାଇପାରେ; ସୁତରାଂ, ସେଭଳି ସ୍ଥଳେ ବୃଦ୍ଧ ବୟସେର ତାରୁଣ୍ୟର ଶକ୍ତି, ସତେଜତା ଓ ଦକ୍ଷତା ପରିଦୃଷ୍ଟ ହୋଇପାରେ। କିନ୍ତୁ ଏହା ଯେଉଁ ଭଳି ଶୃଙ୍ଖଳା ଲୋଡ଼ିଥାଏ, ତାହା ଅଗତ୍ୟା କଷ୍ଟପ୍ରଦ ହୋଇଥିବାରୁ ମନୁଷ୍ୟ ସର୍ବଦା ସହଜ ଉପାୟର ସନ୍ଧାନରେ ରହିଥାଏ। ତେଣୁ କାହାଣୀ ଓ କିଂବଦନ୍ତିରେ ବର୍ଣ୍ଣିତ ବିରଳ ‘ଚିର ଯୌବନର ଝର’କୁ ବାସ୍ତବ ବୋଲି ବିଶ୍ବାସ କରି ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଅସଂଖ୍ୟ ପରିବ୍ରାଜକ ତା’ର ସନ୍ଧାନରେ ବ୍ୟାପୃତ ଥିଲେ। ଇତିହାସ କହେ ଯେ ମାତ୍ର ତେତିଶ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଥିବା ଦିଗ୍ବିଜୟୀ ଆଲେକଜାଣ୍ଡର ମଧ୍ୟ କୁଆଡ଼େ ଏଭଳି ଏକ ନଦୀର ସନ୍ଧାନରେ ଥିଲେ। ଦ୍ବାଦଶ ଶତାବ୍ଦୀର ୟୁେରାପୀୟ ସମ୍ରାଟ ପେଷ୍ଟର୍ ଜନ୍ଙ୍କ ସାମ୍ରାଜ୍ୟରେ ଚିର ଯୌବନର ଝରଣାଟିଏ ବିଦ୍ୟମାନ ବୋଲି ଗୁଜବର ତରଙ୍ଗ ଚାରିଆଡ଼େ ଖେଳି ବୁଲୁଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଥିବା ଏକ ଝରଣା ହିଁ ଯୌବନର ଝର ବୋଲି ଦାବି କରିଥିଲେ ଷୋଡ଼ଶ ଶତାବ୍ଦୀର ସ୍ପେନୀୟ ଅଭିଯାତ୍ରୀ ଜୁଆନ ପୋନ୍ସ ଡି ଲିଅନ୍। କିନ୍ତୁ କ୍ରମେ ଏହି ଆଶା ମଉଳି ଯାଇ ଏଭଳି ଅନ୍ବେଷଣରେ ଅନ୍ତ ଘଟିଥିଲା। କିନ୍ତୁ ତା’ ସତ୍ତ୍ବେ ଚିର ଯୌବନ ଲଭିବାର ଇଚ୍ଛା ଓ ଉଦ୍ୟମରେ ଅନ୍ତ ଘଟି ନାହିଁ।
ଭାରତୀୟ ପୁରାଣରେ ରାଜା ଯଯାତିଙ୍କ ଉପାଖ୍ୟାନରେ ବର୍ଣ୍ଣିତ ଅଛି କିଭଳି ଅନନ୍ତ ଅତୁଟ ଯୌବନକୁ ଉପଭୋଗ କରିବା ଲାଗି ପ୍ରତି ଶହେ ବର୍ଷରେ ଥରେ ଆପଣା ବୟସ ପ୍ରତିବଦଳରେ ନିଜର କୌଣସି ଜଣେ ସନ୍ତାନ ଠାରୁ ଯୌବନ ଭିକ୍ଷା କରି ଆଣି ଏକ ସହସ୍ର ବର୍ଷ କାଳ ଉଚ୍ଛଳ ତାରୁଣ୍ୟ ଉପଭୋଗ କରିଥିଲେ। କହିବା ବାହୁଲ୍ୟ, ଯୌବନ ମଦମତ୍ତ ଯଯାତିଙ୍କ ଔରସରୁ ଜନ୍ମିତ ଅସଂଖ୍ୟ ସନ୍ତାନଙ୍କ ମଧ୍ୟରୁ ପ୍ରତି ଶହେ ବର୍ଷରେ ଥରେ ଜଣେ ପରମ ତ୍ୟାଗୀ ସନ୍ତାନ ପିତାଙ୍କ ଜରା ବରଣ କରି ତାଙ୍କୁ ଯୌବନ ପ୍ରଦାନ କରୁଥିଲା। ତେବେ, ଏହା ସତ ନୁହେଁ କି ଯେ ଆମେ ସମସ୍ତେ ଊଣାଅଧିକେ ଯଯାତିଙ୍କ କାମନାର ଅଂଶ ବହନ କରି ଆତଯାତ ହେଉଥାଏଁ! ତେଣୁ ତ ଯୌବନକୁ ଚିରନ୍ତନତା ଦେବା ଦିଗରେ ଅବିରତ ଉଦ୍ୟମ ଚାଲିଛି। କେବଳ ସେତିକି ନୁହେଁ, ଆମମାନଙ୍କ ମଧ୍ୟରେ ଧନିକ ଉଦ୍ୟୋଗପତି ବ୍ରିଆନ୍ ଜନ୍ସନ୍ଙ୍କ ଭଳି ଚଉରାଳିଶ ବର୍ଷ ବୟସ୍କ ‘ଯଯାତି’ ମଧ୍ୟ ବିଦ୍ୟମାନ, ଯିଏ ତାଙ୍କ ଯୌବନକୁ ଅତୁଟ ରଖିବା ଲାଗି ସମୟ ଅନ୍ତରାଳରେ ନିଜ ଅଠର ବର୍ଷ ବୟସ୍କ ପୁତ୍ର ଠାରୁ ରକ୍ତ-ପ୍ଲାଜ୍ମା ଲୋଡ଼ିଥାଆନ୍ତି। ଆଦ୍ୟ ତାରୁଣ୍ୟରେ ଥିବା ଭଳି ଲାଗୁଥିବା ସୌମ୍ୟଦର୍ଶନ ବ୍ରିଆନ୍ ଦାବି କରନ୍ତି ଯେ ତାଙ୍କ ‘ଜୈବ ବୟସ’ ହେଉଛି ମାତ୍ର ଅଠର ବର୍ଷ। ସେ କହିଥାଆନ୍ତି ଯେ ବାର୍ଦ୍ଧକ୍ୟ େହଉଛି ଏକ ବ୍ୟାଧି, ଯହିଁରୁ ମାନବ ଜାତି ମୁକ୍ତ ହେବା ଆବଶ୍ୟକ। ଏହି ମର୍ମରେ ଜୋସେଫ୍ ଡିଟୁରିଙ୍କ ଊଦାହରଣ ତାଙ୍କୁ ଉତ୍ସାହିତ କରିଥିବା ସୁନିଶ୍ଚିତ।
ପୁରାଣରେ ବର୍ଣ୍ଣିତ ଅଛି ଯେ ସହସ୍ର ବର୍ଷର ଯୌବନ ଉପଭୋଗ କରି ପରିଶେଷରେ ଅତ୍ୟନ୍ତ କ୍ଳାନ୍ତ ଯଯାତି ହୃଦୟଙ୍ଗମ କରିଥିଲେ ଯେ ଯୌବନର ରସ ଆସ୍ବାଦନ କରୁଥିବା ବେଳେ ସେ ନିଜେ ହିଁ ଯୌବନ ଦ୍ବାରା ଜୀର୍ଣ୍ଣ ହୋଇ ଯାଇଛନ୍ତି। ଏହା ହୃଦ୍ବୋଧ ହେବା ପରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ଯୌବନର ବାସନା ଦ୍ରବୀଭୂତ ହେବା ଲାଗି ଯଯାତିଙ୍କ ଭଳି ସୁପୁରୁଷଙ୍କ ସ୍ଥଳେ ଯଦି ହଜାରେ ବର୍ଷ ଲାଗିଯାଇଥିଲା, ବର୍ତ୍ତମାନର ମନୁଷ୍ୟ ସକାଶେ ମାତ୍ର ଦଶ କି ପନ୍ଦର ବର୍ଷର ନିରୁତା େଯୗବନ ତାକୁ ତୃପ୍ତ କରିପାରନ୍ତା ବା କିପରି? ତେଣୁ ତ ଯୌବନ ଅତୁଟ ରଖିବା ଲାଗି ଅନନ୍ତ ଉଦ୍ୟମର ପଟୁଆର!