ପରମ୍ପରା ବେଦିରେ ନାରୀର ନିଜ ଶରୀର ଉପରେ ଥିବା ଅବିଚ୍ଛେଦ୍ୟ ଅଧିକାରକୁ ବଳି ପକାଇବା ଯେଉଁ ପୁରୁଷ-ପ୍ରଧାନ ମାନସିକତା ବହନ କରିଥାଏ, ତାହାକୁ ପୃଥିବୀର ଅଧିକରୁ ଅଧିକ ଦେଶ ପରିତ୍ୟାଗ କରିବାରେ ଲାଗିଥିବା ବେଳେ ଭାରତ ତାହାକୁ ତଥାପି ଜାବୁଡ଼ି ଧରି ନିଜକୁ ‘ବିଶ୍ବଗୁରୁ’ ବୋଲି ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ନୁହେଁ କି? ବୈବାହିକ ଧର୍ଷଣକୁ ଆଇନରେ ପ୍ରଦାନ କରାଯାଇଥିବା ବ୍ୟତିକ୍ରମକୁ ସଂବିଧାନ ବିରୋଧୀ ବୋଲି ଦର୍ଶାଇ ଏକ ଆବେଦନ ଏବେ ସୁପ୍ରିମ୍ କୋର୍ଟଙ୍କ ବିଚାର ଅପେକ୍ଷାରେ ପଡ଼ିରହିଛି। ଆଶା କରାଯାଏ ନିଜକୁ ଏକ ପ୍ରଗତିଶୀଳ ନ୍ୟାୟ ପ୍ରଦାନକାରୀ ରୂପେ ପ୍ରଦର୍ଶିତ କରୁଥିବା ସର୍ବୋଚ୍ଚ ଅଦାଲତ ଏହାର ବିଚାର ତ୍ବରାନ୍ବିତ କରି ନାରୀମାନଙ୍କୁ ସେମାନେ ବିବାହ ମାଧ୍ୟମରେ ପ୍ରବେଶ କରୁଥିବା ଯୌନ ଦାସତ୍ବରୁ ସ୍ଥାୟୀ ମୁକ୍ତି ପ୍ରଦାନ କରି‌େବ।

Advertisment

୧୯୨୯‌େ‌ର ପ୍ରଥମେ ପ୍ରକାଶ ପାଇଥିବା ତାଙ୍କର ଚହଳ ସୃଷ୍ଟିକାରୀ ପୁସ୍ତକ ‘ମ୍ୟାରେଜ୍ ଆଣ୍ଡ୍‌ ମୋରାଲ୍‌ସ’ (‘ବିବାହ ଓ ନୈତିକତା’)ରେ ବିଶ୍ବବିଖ୍ୟାତ ବ୍ରିଟିଶ୍ ଦାର୍ଶନିକ ବଟ୍ରାଣ୍ଡ୍ ରସେଲ୍ ବିବାହିତା ନାରୀମାନେ ସେମାନଙ୍କ ସ୍ବାମୀମାନଙ୍କ ତରଫରୁ ସମ୍ମୁଖୀନ ହେଉଥିବା ଯୌନ ଅତ୍ୟାଚାର ସମ୍ବନ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ନିମ୍ନମତେ ବର୍ଣ୍ଣନା କରିଥିଲେ। ରସେଲ୍ ଲେଖିଥିଲେ: ‘‘ନାରୀମାନଙ୍କ ପାଇଁ ବିବାହ ହେଉଛି ସର୍ବାଧିକ ଅନୁସୃତ ଜୀବିକା ଅର୍ଜନର ପନ୍ଥା, ଏବଂ ବିବାହ ଭିତରେ ନାରୀମାନଙ୍କୁ ସମୁଦାୟ ଯେତିକି ପରିମାଣର ଅବାଞ୍ଛିତ ଯୌନକ୍ରିୟା ସହନ କରିବାକୁ ପଡ଼ିଥାଏ ତାହା ବେଶ୍ୟାବୃତ୍ତି ଠାରୁ ଅଧିକ ହୋଇଥାଏ।’’ ଏକ ସହମତିହୀନ ଅବାଞ୍ଛିତ ‌େଯୗନକ୍ରିୟାର ଅନ୍ୟ ନାମ ହେଉଛି ଧର୍ଷଣ। ରସେଲ୍‌ଙ୍କ ଉକ୍ତିର ଅର୍ଥ ହେଲା ଜୀବିକା ଅର୍ଜନ ଉଦ୍ଦେଶ୍ୟରେ ଉଭୟ ବେଶ୍ୟାବୃତ୍ତି ଓ ବିବାହରେ ନାରୀମାନଙ୍କୁ ବିନା ପ୍ରତିବାଦରେ ଧର୍ଷଣ ସହନ କରିବାକୁ ହୋଇଥାଏ ଏବଂ ଏହାର ମାତ୍ରା ହେଉଛି ବିବାହ ମଧ୍ୟରେ ବହୁ ଅଧିକ।
ଏହାର କାରଣ ବୁଝିବା କଷ୍ଟ ନୁହେଁ, କାରଣ ଅଧିକାଂଶ ସମାଜ ଓ ସଂସ୍କୃତିରେ ବିବାହ ପୁରୁଷମାନଙ୍କୁ ନାରୀମାନଙ୍କ ଉପରେ ଏଥିପାଇଁ ଆଜୀବନ ଅଧିକାର ପ୍ରଦାନ କରିଥାଏ ବୋଲି ବିଶ୍ବାସ କରାଯାଇଥାଏ। ଠିକ୍ ଏଇଭଳି ଏକ ଚିନ୍ତାଧାରା ପ୍ରତିଫଳିତ ‌େହାଇଛି ସେଇ ବ୍ରିଟିଶ୍ ଶାସନ ସମୟରେ ପ୍ରଣୟନ କରାଯାଇଥିବା ଓ ଏବେ ମଧ୍ୟ ଭାରତରେ ଅନୁସୃତ ହେଉଥିବା ‘ଇଣ୍ଡିଆନ୍ ପେନାଲ୍ କୋଡ୍, ୧୮୬୦’ରେ। ଧର୍ଷଣର ସଂଜ୍ଞା ନିରୂପଣ କରାଯାଇଥିବା ସେଇ ଆଇନର ଧାରା-୩୭୫ ସହିତ ଖଞ୍ଜା ଯାଇଥିବା ଦ୍ବିତୀୟ ବ୍ୟତିକ୍ରମ ଅନୁସାରେ ଜଣେ ପୁରୁଷର ତା’ର ନିଜ ବିବାହିତା ପତ୍ନୀଙ୍କ ସହିତ କୌଣସି ଯୌନକ୍ରିୟାକୁ ଧର୍ଷଣ ରୂପେ ବିବେଚନା କରାଯିବ ନାହିଁ, ଯଦି ସଂପୃକ୍ତା ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍ ନ ହୋଇଥାଏ। ଭାରତର ସୁପ୍ରିମ୍ କୋର୍ଟ ନାରୀମାନଙ୍କ ପ୍ରତି ସାମାନ୍ୟ ସଦୟ ହୋଇ ୨୦୧୭ରେ ଏକ ମାମଲାରେ ରାୟ ଦେଇ ଏହି ସର୍ବନିମ୍ନ ବୟସ ସୀମାରେ ବୃଦ୍ଧି ଘଟାଇ ତାହାକୁ ୧୮ ବର୍ଷ କରିଦେଇଛନ୍ତି (ଅବଶ୍ୟ ଏଥିରେ କିଛି ବିଶେଷତ୍ବ ନାହିଁ, କାରଣ ୨୦୦୬ରେ ପ୍ରଣୀତ ବାଲ୍ୟବିବାହ ନିଷେଧ ଆଇନ ଦ୍ବାରା ବାଳିକାମାନଙ୍କ ପାଇଁ ଲାଗୁ ହେଉଥିବା ସର୍ବନିମ୍ନ ବିବାହ ବୟସ ସୀମା ହେଉଛି ୧୮ ବର୍ଷ)।
ନିକଟ ଅତୀତରେ ବୈବାହିକ ଧର୍ଷଣ ବିରୁଦ୍ଧରେ ଭାରତରେ ପ୍ରତିବାଦର ସ୍ବର ଉତ୍ତୋଳନ ହେବା ଦେଖାଯାଇଥିଲେ ହେଁ ଏହି ଆଇନର ଉପସ୍ଥିତି ଯୋଗୁଁ ସେଥିରୁ କୌଣସି ଫଳ ମିଳିନାହିଁ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ହାଇକୋର୍ଟ ମଇ ପହିଲା ଦିନ ପ୍ରଦାନ କରିଥିବା ଏକ ରାୟରେ, ଯାହା ଏହି ପ୍ରସଙ୍ଗକୁ ବର୍ତ୍ତମାନ ପୁଣି ବୃହତ୍ତର ସମାଜରେ ଆଲୋଚନାର ପରିସରକୁ ଆଣିଛି। ‘ମନୀଷ ସାହୁ ବନାମ ଷ୍ଟେଟ୍ ଅଫ୍ ମଧ୍ୟପ୍ରଦେଶ’ ନାମକ ମାମଲାରେ ଏହି ରାୟ ପ୍ରଦାନ କରି ମାନ୍ୟବର ହାଇକୋର୍ଟ କହିଛନ୍ତି: ‘‘୧୫ ବର୍ଷ ବୟସରୁ କମ୍ ବୟସର ହୋଇ ନ ଥିବା ନିଜର ପତ୍ନୀଙ୍କ ସହିତ ପତିଙ୍କର ‌େଯ କୌଣସି ପ୍ରକାରର ଯୌନ ସଙ୍ଗମ ବା ଆଚରଣ ଏକ ଧର୍ଷଣ ନୁହେଁ, ତେଣୁ ଏଭଳି ପରିସ୍ଥିତିରେ ଅପ୍ରାକୃତିକ କ୍ରିୟା ପାଇଁ ପତ୍ନୀଙ୍କର ସମ୍ମତିର ଅନୁପସ୍ଥିତି ତା’ର ଗୁରୁତ୍ବ ହରାଇଥାଏ।’’ ଉପରୋକ୍ତ ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରି ବିଚାରପତି ମହୋଦୟ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ଆଇନ ଅନୁସାରେ ସେ ଅଭିଯୋଗକୁ ଗ୍ରହଣ କରି ଏକ ନୂତନ ଅପରାଧ ସୃଷ୍ଟି କରିପାରିବେ ନାହିଁ କିମ୍ବା ଅଭିଯୁକ୍ତକୁ ଦଣ୍ଡ ଦାନ କରିପାରିବେ ନାହିଁ। ଅର୍ଥାତ୍ ମାନ୍ୟବର ନ୍ୟାୟମୂର୍ତ୍ତି ନିଜକୁ ଆଇନର ଦାସ ରୂପେ ପ୍ରଦର୍ଶିତ କରି ନାରୀମାନଙ୍କୁ ଏ ସଂପର୍କିତ ନ୍ୟାୟ ପ୍ରଦାନ ଦାୟିତ୍ବ ଆଇନର ପ୍ରଣେତା ଅର୍ଥାତ୍ ପାର୍ଲିଆମେଣ୍ଟ ନିକଟକୁ ଠେଲି ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୈବାହିକ ଧର୍ଷଣକୁ ଏ ପର୍ଯ୍ୟନ୍ତ ଆଇନଗତ ଅପରାଧରେ ପରିଣତ କରି ନ ଥିବା ଅଳ୍ପସଂଖ୍ୟକ ଦେଶମାନଙ୍କ ମଧ୍ୟରେ ଭାରତ ହେଉଛି ଏକ ପ୍ରମୁଖ ଦେଶ। ଇତିମଧ୍ୟରେ ବଟ୍ରାଣ୍ଡ୍ ରସେଲ୍‌ଙ୍କ ନିଜ ଦେଶ ବ୍ରିଟେନ୍, ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶମାନଙ୍କ ସମେତ ପ୍ରାୟ ୧୫୦ଟି ଦେଶରେ ଆଇନ ଅନୁସାରେ ବୈବାହିକ ଧର୍ଷଣକୁ ଅପରାଧରେ ପରିଣତ କରି ଦିଆଯାଇ ସରିଛି। ଭାରତରେ କିନ୍ତୁ ଭାରତୀୟ ସଂସ୍କୃତିର ଦ୍ବାହି ଦେଇ ଏଭଳି ଉଦ୍ୟମକୁ ବିରୋଧ କରି କୁହାଯାଇଥାଏ ଯେ ଯଦି ବୈବାହିକ ଧର୍ଷଣକୁ ଏକ ଅପରାଧରେ ପରିଣତ କରାଯାଏ, ତେବେ ଏଠାରେ ତା’ ଦ୍ବାରା ବିବାହ ନାମକ ଅନୁଷ୍ଠାନ ତଥା ତାହାକୁ ଭିତ୍ତିକରି ସୃଷ୍ଟ ପରିବାର ଭୁଶୁଡ଼ି ପଡ଼ିବ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭାରତୀୟ ସମାଜରେ ଅଧିକାଂଶ ବିବାହ ସଂପୃକ୍ତ ପରିବାରମାନଙ୍କ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଆୟୋଜିତ ‌େହାଇଥାଏ ଏବଂ କନ୍ୟା-ପିତା କନ୍ୟାଦାନ କରି ବିବାହକୁ ସଂପୂର୍ଣ୍ଣ କରିଥାନ୍ତି। (ଯୁବକ-ଯୁବତୀଙ୍କର ସ୍ବେଚ୍ଛାକୃତ ବିବାହରେ ମଧ୍ୟ ଅଧିକାଂଶ କ୍ଷେତ୍ରରେ କନ୍ୟାଦାନ ବିଧି ପାଳିତ ହୋଇଥାଏ।) ସ୍ବାମୀ ଓ ସମାଜ ଦୃଷ୍ଟିରେ ତା’ର ପତ୍ନୀ ହୋଇଥାଏ ସେ ଦାନ ସୂତ୍ରରେ ପାଇଥିବା ଏକ ସଂପତ୍ତି, ଯାହାକୁ ସେ ବିଶେଷ କରି ନିଜର ଯୌନ ପିପାସା ମେଣ୍ଟାଇବା ପାଇଁ ଏକ ଆତ୍ମ-ନିୟନ୍ତ୍ରଣ-ଶକ୍ତିହୀନା ନିର୍ଜୀବ କଣ୍ଢେଇ ଭଳି ବ୍ୟବହାର କରିପାରିବ। ସେଇ କାରଣରୁ ଅନ୍ୟ ନାରୀ ସହିତ ସହମତିହୀନ ଯୌନ ସଂପର୍କ ସ୍ଥାପନ ଧର୍ଷଣ ରୂପେ ବିବେଚିତ ହେଉଥିବା ବେଳେ ପତ୍ନୀ ନାମକ ନାରୀ ସହିତ ସହମତିହୀନ ଯୌନକ୍ରିୟା ଧର୍ଷଣ ରୂପେ ବିବେଚିତ ହୋଇ ନ ଥାଏ- ଯଦିବା ଉଭୟ ପୀଡ଼ିତା ହେଉଛନ୍ତି ଜଣେ ଜଣେ ନାରୀ।
ଉଲ୍ଲେଖ ନିଷ୍ପ୍ରୟୋଜନ, ଏକ ଆଧୁନିକ ସଭ୍ୟ ସମାଜରେ ନାରୀମାନଙ୍କ ପ୍ରତି ଏପରି କ୍ରୀତଦାସୀସୁଲଭ ଆଭିମୁଖ୍ୟର ସ୍ଥାନ ନାହିଁ। ଏଣୁ ଏହି ଆଭିମୁଖ୍ୟକୁ ସହାୟତା ପ୍ରଦାନ କରୁଥିବା ଧର୍ଷଣ ଓ ଯୌନ ଅତ୍ୟାଚାର ସଂପର୍କିତ ଆଇନରେ ସଂସ୍କାର ସୁପାରିସ କରିବା ଉଦ୍ଦେଶ୍ୟରେ ୨୦୧୨ରେ ଗଠିତ ଜଷ୍ଟିସ୍ ବର୍ମା କମିଟି ଉପରଲିଖିତ ଆଇନରେ ବୈବାହିକ ଧର୍ଷଣକୁ ବାଦ୍‌ ଦେବା ନିମିତ୍ତ ଥିବା ବ୍ୟତିକ୍ରମକୁ ଉଚ୍ଛେଦ କରିଦେବା ନିମିତ୍ତ ଦୃଢ଼ ଭାବରେ ସୁପାରିସ କରିଥିଲେ। ଏଥିରେ ଜଷ୍ଟିସ୍ ବର୍ମା ସ୍ପଷ୍ଟ କରିଦେଇଥିଲେ ଯେ ବୈବାହିକ ଧର୍ଷଣ ଘଟଣାରେ ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ସଂପର୍କ (ପତି-ପତ୍ନୀ) ହେଉଛି ସଂପୂର୍ଣ୍ଣ ରୂପେ ଅପ୍ରାସଙ୍ଗିକ ଏବଂ ବିବାହ ଅର୍ଥ ଯୌନକ୍ରିୟା ପାଇଁ ସହମତି ବୋଲି ଧରି ନିଆଯାଇ ପାରିବ ନାହିଁ। ଦୁର୍ଭାଗ୍ୟଜନକ ଭାବରେ କମିଟିଙ୍କ ସୁପାରିସ ପାର୍ଲିଆମେଣ୍ଟରେ ଗୃହୀତ ହେଲା ନାହିଁ। ପରମ୍ପରାକୁ ସମ୍ମାନ ଜଣାଇ ସରକାର ମଧ୍ୟ ବୈବାହିକ ଧର୍ଷଣକୁ ଅପରାଧରେ ପରିଣତ କରିବା ପାଇଁ ପ୍ରବଳ କୁଣ୍ଠା ପ୍ରଦର୍ଶନ କରିଆସିଛନ୍ତି (ଜୁଲାଇରୁ ବଳବତ୍ତର ହେବାକୁ ଯାଉଥିବା ‘ଭାରତୀୟ ନ୍ୟାୟ ସଂହିତା’ରେ ମଧ୍ୟ ‘ଆଇପିସି’ରେ ଥିବା ଉପରୋକ୍ତ ବ୍ୟତିକ୍ରମ ବଜାୟ ରହିଛି)।
କିନ୍ତୁ ପରମ୍ପରା ବେଦିରେ ନାରୀର ନିଜ ଶରୀର ଉପରେ ଥିବା ଅବିଚ୍ଛେଦ୍ୟ ଅଧିକାରକୁ ବଳି ପକାଇବା ଯେଉଁ ପୁରୁଷ-ପ୍ରଧାନ ମାନସିକତା ବହନ କରିଥାଏ, ତାହାକୁ ପୃଥିବୀର ଅଧିକରୁ ଅଧିକ ଦେଶ ପରିତ୍ୟାଗ କରିବାରେ ଲାଗିଥିବା ବେଳେ ଭାରତ ତାହାକୁ ତଥାପି ଜାବୁଡ଼ି ଧରି ନିଜକୁ ‘ବିଶ୍ବଗୁରୁ’ ବୋଲି ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ନୁହେଁ କି? ବୈବାହିକ ଧର୍ଷଣକୁ ଆଇନରେ ପ୍ରଦାନ କରାଯାଇଥିବା ବ୍ୟତିକ୍ରମକୁ ସଂବିଧାନ ବିରୋଧୀ ବୋଲି ଦର୍ଶାଇ ଏକ ଆବେଦନ ଏବେ ସୁପ୍ରିମ୍ କୋର୍ଟଙ୍କ ବିଚାର ଅପେକ୍ଷାରେ ପଡ଼ିରହିଛି। ଆଶା କରାଯାଏ ନିଜକୁ ଏକ ପ୍ରଗତିଶୀଳ ନ୍ୟାୟ ପ୍ରଦାନକାରୀ ରୂପେ ପ୍ରଦର୍ଶିତ କରୁଥିବା ସର୍ବୋଚ୍ଚ ଅଦାଲତ ଏହାର ବିଚାର ତ୍ବରାନ୍ବିତ କରି ନାରୀମାନଙ୍କୁ ସେମାନେ ବିବାହ ମାଧ୍ୟମରେ ପ୍ରବେଶ କରୁଥିବା ଯୌନ ଦାସତ୍ବରୁ ସ୍ଥାୟୀ ମୁକ୍ତି ପ୍ରଦାନ କରି‌େବ।