ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହିତ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଆଉ ଗୋଟିଏ ମାଇଲ ଖୁଣ୍ଟ ସ୍ଥାପିତ ହୋଇଯିବ। ଅପରିଚୟର ଅନ୍ଧାର ମଧ୍ୟରେ ରହି ସୁଦ୍ଧା ନିଜ ଦଳ ଓ ନେତାଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ଅସଂଖ୍ୟ ତୃଣମୂଳ ସ୍ତରୀୟ କର୍ମୀ ଓ ସମର୍ଥକ ତଥା ଗଣତନ୍ତ୍ରକାମୀ ସାଧାରଣ ନାଗରିକ ଆଗାମୀ ନିର୍ବାଚନକୁ ପୁଣି ପ୍ରତୀକ୍ଷା କରି ରହିବେ। ନେତାମାନଙ୍କ ଉଚ୍ଚତା ଓ ଦୂରତା ସେମାନଙ୍କ ଲାଗି ଯେତେ ଅନତିକ୍ରମ୍ୟ ହୋଇଥିଲେ ସୁଦ୍ଧା ସେମାନେ ହିଁ ନେତାମାନଙ୍କୁ କ୍ଷମତାସୀନ ବା କ୍ଷମତାଚ୍ୟୁତ କରି ଚାଲିଥିବେ। ଏହା ହିଁ ଗଣତନ୍ତ୍ରର ନୃତ୍ୟ ଯାହା ଅସରନ୍ତି।
ଗତ କାଲି ସୂର୍ଯ୍ୟାସ୍ତ ଠାରୁ ଆମ ସାଧାରଣତନ୍ତ୍ର ଏକ ଗଭୀର ନିରବତା ମଧ୍ୟକୁ ଅବରୋହଣ କରିସାରିଛି; ଆସନ୍ତା ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ନିର୍ବାଚନ ସଂପାଦିତ ହେବା ସହିତ ଗଲା ଚଉରାଳିଶ ଦିନ ଧରି ଚାଲିଥିବା ନିର୍ବାଚନ ପ୍ରଚାର ଜନିତ କର୍ଣ୍ଣଫଟା କୋଳାହଳ ଓ ଗୋପନ ପ୍ରଭାବ ବିସ୍ତାରର ଉଦ୍ୟମରେ ସଂପୂର୍ଣ୍ଣ ଅବସାନ ଘଟିବ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ୨୦୧୪ ମସିହାରେ ବିଜେପିର କ୍ଷମତା ଦଖଲ ସହିତ ଭାରତୀୟ ରାଜନୀତିରେ ଏକ ଚରିତ୍ରଗତ ପରିବର୍ତ୍ତନ ଘଟିଛି, ଯହିଁେର ବିରୋଧ ଅଧିକ ବିଷାକ୍ତ, ବିରୋଧୀଙ୍କ ପ୍ରତି କ୍ଷମତାସୀନଙ୍କ ମନୋଭାବ ଅଧିକ ନିଷ୍ଠୁର, ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଅଧିକ ଆକ୍ରମଣାତ୍ମକ ଓ ଅନେକ ସମୟରେ କ୍ଷମାଶୂନ୍ୟ ହୋଇ ପଡ଼ିଛି। ସେହି ଦୃଷ୍ଟିରୁ ୨୦୨୪ ମସିହାର ନିର୍ବାଚନ ଯେଉଁଭଳି ଏକ ପରିବେଶ ସୃଷ୍ଟି କରିଛି, ତାହା ପୂର୍ବର ନିର୍ବାଚନଗୁଡ଼ିକରେ ଦେଖିବାକୁ ମିଳି ନ ଥିଲା ବୋଲି ଅନେକ ଅଭିଜ୍ଞ ମତ ପ୍ରଦାନ କରନ୍ତି। ତେବେ, ଏ ସଂଦର୍ଭରେ ଯାହା ମହତ୍ତ୍ବପୂର୍ଣ୍ଣ, ତାହା ହେଲା ଏକ ରେକର୍ଡ ଭଙ୍ଗକାରୀ ଉତ୍ତପ୍ତ ଏପ୍ରିଲରୁ ପ୍ରାରମ୍ଭ ହୋଇ ଦେଢ଼ ମାସ ବ୍ୟାପୀ ଚାଲିଥିବା ଘମାଘୋଟ ନିର୍ବାଚନ ପ୍ରଚାରରେ ଭାରତୀୟ ନାଗରିକଙ୍କ ସ୍ବଭାବସୁଲଭ ଅସରନ୍ତି ଉତ୍ସାହର ଜୁଆର ସମଗ୍ର ପ୍ରକରଣକୁ ଅତ୍ୟନ୍ତ ଉତ୍ସବମୁଖର ମଧ୍ୟ କରି ରଖିଥିଲା, ଯାହାକୁ ସମଗ୍ର ବିଶ୍ବ ‘ଡ୍ୟାନ୍ସ ଅଫ୍ ଡେମୋକ୍ରାସି’ ବା ‘ଗଣତନ୍ତ୍ରର ନୃତ୍ୟ’ ବୋଲି ଅଭିହିତ କରିଥାଏ।
କିନ୍ତୁ, ସ୍ବାଧୀନତା ପରବର୍ତ୍ତୀ ଦେଶ ବିଭାଜନ ଓ ତୀବ୍ର ସାଂପ୍ରଦାୟିକ ହିଂସା ଓ ରକ୍ତପାତ ପରିପ୍ରେକ୍ଷୀରେ ୧୯୫୨ ମସିହାରେ ଅନୁଷ୍ଠିତ ଭାରତ ସାଧାରଣତନ୍ତ୍ରର ପ୍ରଥମ ନିର୍ବାଚନକୁ ପାଶ୍ଚାତ୍ୟ ପୃଥିବୀ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖିଥିଲା; ଚର୍ଚ୍ଚିଲ ପନ୍ଥୀ ବିଶେଷଜ୍ଞଗଣ ପ୍ରାୟ ସୁନିଶ୍ଚିତ ଥିଲେ ଯେ ମାତ୍ର ୧୮% ସାକ୍ଷର ବସବାସ କରୁଥିବା ବହୁଭାଷୀ ଓ ବିବିଧ ସଂସ୍କୃତି ଧାରଣ କରିଥିବା ଏହି ନବଜାତ ରାଷ୍ଟ୍ର ତା’ର ଟଳମଳ ପାଦରେ ଗଣତନ୍ତ୍ର ଭଳି ଏକ ସଂଭ୍ରାନ୍ତ ଶାସନ ବ୍ୟବସ୍ଥାକୁ ବହନ କରି ଚାଳିବା ଅସମ୍ଭବ। କିନ୍ତୁ ସମସ୍ତଙ୍କୁ ଭୁଲ୍ ବୋଲି ପ୍ରମାଣିତ କରି ଚାରି ମାସରୁ ଅଧିକ ଦିନ ଧରି ୬୮ଟି ପର୍ଯ୍ୟାୟରେ ସଂପାଦିତ ପ୍ରଥମ ନିର୍ବାଚନ ଯେଉଁ ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲା, ତାହା ଉପରେ ପୃଥିବୀର ବୃହତ୍ତମ ଗଣତନ୍ତ୍ର ଦୀର୍ଘ ସାତ ଦଶନ୍ଧି ଧରି ବିଦ୍ୟମାନ; ଯହିଁରେ ଅନେକ କ୍ଷମତା ପରିବର୍ତ୍ତନ ଅତ୍ୟନ୍ତ ସାବଲୀଳ ଢଙ୍ଗରେ ହୋଇଛି ଏବଂ ଜନାଦେଶ ହିଁ ନିରଙ୍କୁଶ ସର୍ବମାନ୍ୟତା ପାଇଛି। ୨୦୨୦ ମସିହାରେ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପ୍ରତୀକ ଓ ପୃଷ୍ଠପୋଷକ ରୂେପ ନିଜକୁ ଦର୍ଶାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ନିର୍ବାଚନୀ ପରାଜୟକୁ ସ୍ବୀକାର ନ କରି ପଦଚ୍ୟୁତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ଙ୍କ ଆହ୍ବାନରେ ତାଙ୍କର ଉପଦ୍ରବୀ ସମର୍ଥକଗଣ ଆମେରିକୀୟ ସଂସଦ ‘କ୍ୟାପିଟଲ୍ ହିଲ୍’ ମଧ୍ୟକୁ ଯେମିତି ଧସେଇ ପଶିବାର ଉଦ୍ୟମ କରିଥିଲେ, ତାହା ଯେ କଦାଚିତ୍ ଭାରତରେ ଦୃଶ୍ୟମାନ ହୁଅନ୍ତା ନାହିଁ, ତାହା କହିବା ବାହୁଲ୍ୟ; ଯଦିଓ ନିର୍ବାଚନ ପ୍ରଚାର କାଳରେ ପ୍ରାର୍ଥୀମାନେ ପରସ୍ପର ବିରୋଧରେ ଅଶାଳୀନ ଏପରିକି ଅତ୍ୟନ୍ତ ଗର୍ହିତ ମନ୍ତବ୍ୟର ଝଡ଼ ସୃଷ୍ଟି କରନ୍ତି ଏବଂ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପୂର୍ବ କ୍ଷଣ ପର୍ଯ୍ୟନ୍ତ ପରାଜୟର ସମ୍ଭାବନାକୁ ଆଦୌ ସ୍ବୀକାର କରି ନ ଥାଆନ୍ତି! ଏହା ହିଁ ହେଉଛି ଆମେରିକା ବା ବ୍ରିଟେନ୍ ତୁଳନାରେ ଏକ ତରୁଣପ୍ରାୟ ଗଣତନ୍ତ୍ରର ପରିପକ୍ବତା।
ଭାରତର ପ୍ରଥମ ସାଧାରଣ ନିର୍ବାଚନର ପରିଚାଳନା କରିଥିଲେ ସୁକୁମାର ସେନ, ଯହିଁରେ ସରକାରୀ ତନ୍ତ୍ରର ବ୍ୟବହାର ବଳରେ ସଫଳତାର ସହିତ ନିର୍ବାଚନ କାର୍ଯ୍ୟ ସଂପାଦନର ଭିତ୍ତି ପଡ଼ିଥିଲା, ଯାହା ଏ ଯାବତ୍ ବଳବତ୍ତର ରହିଛି। ଏବଂ ଇତିମଧ୍ୟରେ ଅକଳ୍ପନୀୟ ଭାବେ ବିଶାଳ ଓ ଜଟିଳ ହୋଇସାରିଥିବା ଏହି ପ୍ରକରଣକୁ ଅଗତ୍ୟା ଦୁର୍ନୀତିଗ୍ରସ୍ତ ଓ ଅପାରଗ ରୂପେ ଅପଖ୍ୟାତ ସରକାରୀ କର୍ମଚାରୀମାନେ ଅତୁଲ୍ୟ ସମର୍ପଣର ଭାବ ସହିତ ତୁଲାଇ ଆସିଛନ୍ତି। ଚଳିତ ନିର୍ବାଚନରେ ପ୍ରାୟ ୧୫ ଲକ୍ଷ ସରକାରୀ କର୍ମଚାରୀ ୫ ନିୟୁତ ଇଭିଏମ୍କୁ ସାଙ୍ଗରେ ନେଇ ଅତ୍ୟନ୍ତ ଅଗମ୍ୟ ଅଞ୍ଚଳରେ ବୁଥ୍ମାନ ସ୍ଥାପନ କରିଛନ୍ତି। ଗଲା ୨୦୧୯ ନିର୍ବାଚନରେ ୧୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଥିବା ଏକ ଅରୁଣାଚଳୀ ଗ୍ରାମରେ ବୁଥ୍ ଖୋଲା ଯାଇଥିଲା, ଯହିଁରେ ଭୋଟ ଦେବାକୁ ପ୍ରତୀକ୍ଷା କରି ରହିଥିଲେ ମାତ୍ର ଜଣେ ମହିଳା ଭୋଟର। ଏଥର ମଧ୍ୟ ଅଗମ୍ୟ ଅତିକ୍ରମ କରିବାର ଅନେକ ଉଦାହରଣ ସ୍ଥାପିତ ହୋଇଥିବ, ଯେଉଁଥି ଲାଗି ସେମାନେ ହାତୀ ଠାରୁ ହେଲିକପ୍ଟର ପର୍ଯ୍ୟନ୍ତ ମାଧ୍ୟମର ସହାୟତା ନେଇଥିବେ ଏବଂ କେତେକ ସ୍ଥଳେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସକାଶେ କିଛି ଦିନର ଅତ୍ୟନ୍ତ କ୍ଳାନ୍ତିପ୍ରଦ ନିରୋଳା ପଦବ୍ରଜ ହିଁ ସେମାନଙ୍କ ଏକମାତ୍ର ଆଶ୍ରୟ ହୋଇଥିବ। କହିବା ବାହୁଲ୍ୟ ଏହା ହିଁ ଭାରତୀୟଙ୍କ ଧମନୀରେ ପ୍ରବାହିତ ହେଉଥିବା ଗଣତନ୍ତ୍ରର ପରିଚୟ।
ଏଥରର ନିର୍ବାଚନ କମିସନ ମେରୁଦଣ୍ଡବିହୀନ ବୋଲି ଅନେକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି। ସେମାନେ ଅଭିଯୋଗ କରନ୍ତି ଯେ ଆଦର୍ଶ ନିର୍ବାଚନୀ ଆଚରଣରେ ଉଲ୍ଲଂଘନ ସତ୍ତ୍ବେ କମିସନ କ୍ଷମତାସୀନ ଦଳର ନେତାଙ୍କ ପ୍ରତି ଅଧିକ କୋମଳ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ପ୍ରକାଶ ଥାଉ କି ୧୯୯୧ ମସିହାରେ ନିର୍ବାଚନ କମିସନର ରୂପେ ଟି.ଏନ୍. ଶେଷାନଙ୍କ ଦାୟିତ୍ବ ଗ୍ରହଣ ପୂର୍ବରୁ ଏହି ସାଂବିଧାନିକ ପଦଟି ସଂପୂର୍ଣ୍ଣ ପ୍ରଭାବଶୂନ୍ୟ ହୋଇ ରହିଥିଲା। ତେବେ, ପରବର୍ତ୍ତୀ କାଳରେ ନିର୍ବାଚନ କମିସନରମାନଙ୍କ ମଧ୍ୟରୁ ଅନେକ ଶେଷାନଙ୍କ ତୁଲ୍ୟ ଦୃଢ଼ତା ପ୍ରଦର୍ଶନରେ ବିଫଳ ହୋଇ ହତାଶା ସୃଷ୍ଟି କରିଛନ୍ତି। ଏହି ସାଂବିଧାନିକ ପଦକୁ ଦୁର୍ବଳ କରିବା ଲାଗି ଏବର କ୍ଷମତାସୀନ ସରକାର ଉଦ୍ୟମ କରୁଛନ୍ତି ବୋଲି ମଧ୍ୟ ବିଧିବଦ୍ଧ ଅଭିଯୋଗମାନ ହୋଇଥାଏ। ସୁତରାଂ, ଏହି ପଦର ଗରିମାରେ କ୍ଷୟ ଘଟିଛି। କିନ୍ତୁ ନିର୍ବାଚନ କମିସନରମାନେ ଦୃଢ଼ ମେରୁଦଣ୍ଡଧାରୀ ହୁଅନ୍ତୁ ବୋଲି ଆଶାରେ କ୍ଷୟ ଘଟୁନାହିଁ। ଏ ସଂଦର୍ଭରେ ଶେଷାନଙ୍କ ସମୟରେ ଘଟିଥିବା ଏକ ଘଟଣା ଉଲ୍ଲେଖ ନ କଲେ ଆଭିମୁଖ୍ୟ ସଂପୂର୍ଣ୍ଣ ହେବ ନାହିଁ। ଭୋଟର କାର୍ଡ ପ୍ରଚଳନ ସକାଶେ ଶେଷାନଙ୍କ ଉଦ୍ୟମକୁ ତତ୍କାଳୀନ କେନ୍ଦ୍ର ସରକାର ଅର୍ଥାଭାବର କାରଣ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଦିଅନ୍ତେ, ଶେଷାନ ନିର୍ବାଚନ କମିସନର ରୂପେ କ୍ଷମତା ପ୍ରୟୋଗ କରି ଅଗତ୍ୟା ନିର୍ବାଚନ ବନ୍ଦ କରି ଦେବାର ଧମକ ଦେଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ପଦାସୀନ ପି.ଭି. ନରସିଂହ ରାଓ ଛଅ ମାସ ଭିତରେ ସାଂସଦ ରୂପେ ନିର୍ବାଚନଟିଏ ନ ଜିଣିଲେ ପଦ ହରାଇବାର ଭୟରେ ତୁରନ୍ତ ଅର୍ଥ ମଂଜୁର କରିଥିଲେ। ନିର୍ବାଚନକୁ ପାରଦର୍ଶୀ କରିବା ସହିତ ଭୋଟର ଭାବେ ଗର୍ବର ସନ୍ତକ ରୂପେ ସେହି ଦିନ ଠାରୁ ଏହି ପରିଚୟ ପତ୍ର ରହିଆସିଛି ଏବଂ ଶେଷାନଙ୍କ ତୁଳନା ଆଧାରରେ ଖର୍ବକାୟମାନେ ସମାଲୋଚିତ ହେବାରେ ଲାଗିଛନ୍ତି। ଏହା ମଧ୍ୟ ଆମ ଉଚ୍ଚ ଗଣତାନ୍ତ୍ରିକ ପ୍ରତ୍ୟାଶାକୁ ଦର୍ଶାଇ ନ ଥାଏ କି?
ନିର୍ବାଚନ ପ୍ରଚାରର ଘନଘଟା ପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଭାରତର ଦକ୍ଷିଣତମ ବିନ୍ଦୁରେ ଅବସ୍ଥିତ ‘ବିବେକାନନ୍ଦ ରକ୍ ମେମୋରିଆଲ’ର ପ୍ରଶାନ୍ତ ବାତାବରଣ ମଧ୍ୟକୁ ଅପସରି ଯାଇ ଏକାନ୍ତ ଧ୍ୟାନ ଓ ଆତ୍ମ ନିରୀକ୍ଷଣରେ ମଗ୍ନ ହେବେ। ଏହା ତାଙ୍କ ଚିତ୍ତକୁ ଶୁଦ୍ଧ ଓ ଶୀତଳ କରିବ। ସଂପ୍ରତି ତାଙ୍କ ପ୍ରତିପକ୍ଷ ରୂପେ ଆବିର୍ଭୂତ ଅରବିନ୍ଦ କେଜ୍ରିୱାଲ ମଧ୍ୟ ତାଙ୍କ ଜାମିନ ଅବଧିର ସମାପ୍ତି କାରଣରୁ ତିହାର ଜେଲର ନିଃସଙ୍ଗ ଅଭ୍ୟନ୍ତରକୁ ଫେରିଯିବେ ଏବଂ ଏକାନ୍ତ ଚିନ୍ତନରେ ବ୍ୟାପୃତ ରହିବେ ନିଶ୍ଚୟ। ଅନ୍ୟାନ୍ୟ ଦିଗ୍ଗଜ ନେତାମାନେ ମଧ୍ୟ ସାମୟିକ ଭାବେ ଦୃଶ୍ୟାନ୍ତର ହେବେ। ପ୍ରଚାରକାଳୀନ ଉତ୍ତେଜନା ଦ୍ବାରା ସୃଷ୍ଟ କଳୁଷରୁ ସେମାନଙ୍କ ଚିତ୍ତ ମୁକ୍ତ ହେଉ ଏବଂ ଦୂରଦ୍ରଷ୍ଟା ନେତା ଭାବେ ସେମାନଙ୍କ ଦୃଷ୍ଟି ପ୍ରସାରିତ ହେଉ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବା ସହିତ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଆଉ ଗୋଟିଏ ମାଇଲ ଖୁଣ୍ଟ ସ୍ଥାପିତ ହୋଇଯିବ। ଅପରିଚୟର ଅନ୍ଧାର ମଧ୍ୟରେ ରହି ସୁଦ୍ଧା ନିଜ ଦଳ ଓ ନେତାଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ଅସଂଖ୍ୟ ତୃଣମୂଳ ସ୍ତରୀୟ କର୍ମୀ ଓ ସମର୍ଥକ ତଥା ଗଣତନ୍ତ୍ରକାମୀ ସାଧାରଣ ନାଗରିକ ଆଗାମୀ ନିର୍ବାଚନକୁ ପୁଣି ପ୍ରତୀକ୍ଷା କରି ରହିବେ। ନେତାମାନଙ୍କ ଉଚ୍ଚତା ଓ ଦୂରତା ସେମାନଙ୍କ ଲାଗି ଯେତେ ଅନତିକ୍ରମ୍ୟ ହୋଇଥିଲେ ସୁଦ୍ଧା ସେମାନେ ହିଁ ନେତାମାନଙ୍କୁ କ୍ଷମତାସୀନ ବା କ୍ଷମତାଚ୍ୟୁତ କରି ଚାଲିଥିବେ। ଏହା ହିଁ ଗଣତନ୍ତ୍ରର ନୃତ୍ୟ ଯାହା ଅସରନ୍ତି। ଏହି ମହୋତ୍ସବ ବିନା ଭାରତର କଳ୍ପନା କରାଯାଇ ନ ପାରେ!