ବାସ୍ତବତାଟି ହେଲା ସେହି ପାଶ୍ଚାତ୍ୟ ସଂସ୍କୃତି ଦ୍ବାରା ପ୍ରଭାବିତ ଓ ପରିଚାଳିତ ପୃଥିବୀରେ ଯେତେବେଳେ ନିରନ୍ତର ବିସ୍ତାର ଲାଭ କରି ଚାଲିଥିବା ମନୁଷ୍ୟର ଉପଦ୍ରବ ଭୂମି, ବାୟୁ ଓ ଜଳରେ ବଞ୍ଚି ରହିଥିବା ପ୍ରାଣୀମାନଙ୍କ ଜୀବନକୁ ଦୁର୍ବିଷହ କରି ସାରିଲାଣି, ସେତିକି ବେଳେ ବିଲୁପ୍ତିରୁ ପ୍ରତ୍ୟାବର୍ତ୍ତନ କରିଥିବା ‘ଲୋମଶ ମାମଥ’ ଲାଗି କେଉଁ ଭୂ-ସ୍ବର୍ଗର ପ୍ରତିଶ୍ରୁତି ପ୍ରଦାନ କରାଯାଇପାରିବ?
୧୯୯୩ ମସିହାରେ ମୁକ୍ତିଲାଭ କରି ସମଗ୍ର ପୃଥିବୀରେ ଚହଳ ପକାଇଥିବା ଷ୍ଟିଭେନ ସ୍ପିଲ୍ବର୍ଗ ନିର୍ମିତ ଚଳଚ୍ଚିତ୍ର ‘ଦ ଜୁରାସିକ୍ ପାର୍କ’ରେ ଦେଖିବାକୁ ମିଳିଥିଲା କିଭଳି ଜନ୍ ହାମଣ୍ଡ ନାମକ ଜଣେ ଅମିତ ବିତ୍ତଶାଳୀ ବ୍ୟବସାୟୀ ଏକ ବିଚିତ୍ର ଖିଆଲର ବଶବର୍ତ୍ତୀ ହୋଇ ସଂପୂର୍ଣ୍ଣ ଅବଲୁପ୍ତ ପ୍ରାଗୈତିହାସିକ ପ୍ରାଣୀ ଡାଇନୋସରକୁ, ଅତ୍ୟନ୍ତ ଉଚ୍ଚାଙ୍ଗ ଗବେଷଣା ବଳରେ, ପୁନରୁଜ୍ଜୀବିତ କରାଇବାରେ ସଫଳ ହୋଇଥିଲେ। କାହାଣୀ ଅନୁସାରେ ନିଘଞ୍ଚ ବର୍ଷା ବଣ ପରିବେଷ୍ଟିତ ନ୍ୟୁବ୍ଲାର୍ ନାମକ ଦ୍ବୀପରେ ‘ଜୁରାସିକ୍ ପାର୍କ’ ପ୍ରତିଷ୍ଠା କରି ଏହି ଅତ୍ୟନ୍ତ ଅତିକାୟ ବିଲୁପ୍ତ ପ୍ରାଣୀଗୁଡ଼ିକୁ ପୁନର୍ବାର ବିଚରଣ କରାଇବା ସହିତ ହାମଣ୍ଡ ମହାଶୟ ଏକ ଅନନ୍ୟ ପର୍ଯ୍ୟଟନ ବ୍ୟବସାୟର ସମ୍ଭାବନା ସୃଷ୍ଟି କରିବାକୁ ଚାହିଁଥିଲେ। ଆଜକୁ ପ୍ରାୟ ୧୪୫ ନିୟୁତ ବର୍ଷ ପୂର୍ବର, ଅର୍ଥାତ୍ ‘ଜୁରାସିକ୍’ ଯୁଗର ପ୍ରାଣୀମାନଙ୍କୁ ଅବଲୁପ୍ତିର ଅତଳ ଗର୍ଭରୁ ଭିଡ଼ି ଆଣିବାରେ ତାଙ୍କ ପ୍ରାୟୋଜିତ ଗବେଷଣାର ସଫଳତା ବୃଦ୍ଧ ହାମଣ୍ଡଙ୍କ ମନରେ ଏକ ଅହମିକା ଜନିତ ପୁଲକ ଓ ରୋମାଂଚ ଭରି ଦେଇଥିଲା ସିନା, ଏହା କିଭଳି ଏକ ଅକ୍ଷମଣୀୟ ବିମୂଢ଼ତା ଥିଲା, ତାହା ଦର୍ଶାଇବା ଥିଲା ସ୍ପିଲବର୍ଗ ନିର୍ଦ୍ଦେଶିତ ଅପୂର୍ବ ସିନେମାଟିର ଉଦ୍ଦେଶ୍ୟ। କହିବା ବାହୁଲ୍ୟ, ଏଭଳି ବିମୂଢ଼ତା ସହିତ ଊଣାଅଧିକେ ସମସ୍ତେ ଏକମତ ହୁଅନ୍ତି। କିନ୍ତୁ, ବିଡ଼ମ୍ବନାଟି ହେଲା ‘ଡି-ଏକ୍ସଟିଂକ୍ସନ’ ବା ‘ବିପରୀତ-ବିଲୋପନ’ ନାମକ ଏକ ଚିନ୍ତାଧାରା ଦ୍ବାରା ପରିଚାଳିତ ହୋଇ ପୃଥିବୀର କେତେକ ବିଚକ୍ଷଣତମ ପ୍ରାଣୀ ବିଜ୍ଞାନୀ ବାସ୍ତବରେ ‘ଜୁରାସିକ ପାର୍କ’ ତୁଲ୍ୟ କ୍ଷଣ ସୃଷ୍ଟି କରିବାରେ ବ୍ୟାପୃତ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଆଜକୁ ପ୍ରାୟ ଚାରି ହଜାର ବର୍ଷ ପୂର୍ବରୁ ଅର୍ଥାତ୍ ଦ୍ବିତୀୟ ହିମ ଯୁଗରୁ ବିଲୁପ୍ତ ହୋଇ ସାରିଥିବା ‘ଉଲି ମାମଥ୍’ ବା ‘ଲୋମଶ ମାମଥ’କୁ ପୁନରୁଜ୍ଜୀବିତ କରିବାର ସଘନ ପ୍ରଚେଷ୍ଟା ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ସ୍ଥିତ ‘ବାୟୋ ସାଇନ୍ସେସ୍’ କଂପାନି ‘କଲୋସସ୍’ ପକ୍ଷରୁ ପ୍ରାରମ୍ଭ ହୋଇସାରିଛି; ଏବଂ ୭.୫ ନିୟୁତ ଡଲାର ବିନିଯୁକ୍ତ ହୋଇଥିବା ଏହି ଗବେଷଣାକୁ ଅଧିକ ବେଗ ପ୍ରଦାନ କରିବା ଲାଗି ‘ପ୍ରାଚୀନ ଡି.ଏନ୍.ଏ.’ ଗବେଷଣା କ୍ଷେତ୍ରରେ ସ୍ବନାମଧନ୍ୟ ଗବେଷକ ଓ ବୈଜ୍ଞାନିକ ବେଥ୍ ସାପିରୋଙ୍କୁ ନିକଟରେ ନିଯୁକ୍ତ କରାଯାଇଛି; ଏବଂ ପ୍ରକଳ୍ପଟି ୨୦୨୭ ମସିହା ସୁଦ୍ଧା ସଫଳ ହେବାର ଆଶା ରଖାଯାଇଛି। ପ୍ରକାଶ ଥାଉ କି ଘନ ହିମାବୃତ ତୁନ୍ଦ୍ରା ଅଞ୍ଚଳରେ ଏକଦା ବିଚରଣ କରୁଥିବା ହାତୀଙ୍କ ପୂର୍ବଜ ଏହି ଅତ୍ୟନ୍ତ ବିଶାଳ ଚତୁଷ୍ପଦର ଶରୀରାବଶେଷ ଅଗତ୍ୟା ବରଫର ବହଳ ଆସ୍ତରଣ ତଳେ ଏତେ ଦୀର୍ଘକାଳ ଧରି ହିମୀକୃତ ଓ ସଂରକ୍ଷିତ ହୋଇ ରହିପାରିଥିଲା, ଯହିଁରୁ ‘ଡି.ଏନ୍.ଏ.’ ସଂଗ୍ରହ କରିବା ସମ୍ଭବ ହୋଇଛି। ସଂପ୍ରତି ଏହି ଅସାଡ଼ ‘ଡି.ଏନ୍.ଏ.’ରେ ପ୍ରାଣବାୟୁ ସଂଚାର କରାଯାଉଛି। କହିବା ଅନାବଶ୍ୟକ ଯେ ଅତ୍ୟନ୍ତ ଜଟିଳ ‘ଜେନେଟିକ୍ ବିଜ୍ଞାନ ଏବଂ ପ୍ରଯୁକ୍ତି’ ବଳରେ ଏହି ‘ଡି.ଏନ୍.ଏ.’ରୁ କୃତ୍ରିମ ଉପାୟରେ ଭ୍ରୂଣଟିଏ ସମ୍ଭବ କରିବା ନେଇ ବୈଜ୍ଞାନିକମାନେ ଅତ୍ୟନ୍ତ ଆଶାବାଦୀ; ଯାହା ଥରେ ସମ୍ଭବ ହୋଇଗଲେ ତାକୁ ‘ମାମଥ’ର ଘନିଷ୍ଠତମ ସଂପର୍କୀୟ ହାତୀ ଗର୍ଭରେ ସ୍ଥାପନ କରି ‘ଲୋମଶ ମାମଥ’ ଶାବକଟିଏ ଭୂମିଷ୍ଠ କରାଇବାର ପ୍ରଚେଷ୍ଟା କରାଯିବ। ‘କଲୋସସ୍’ର ଜନ୍ ହାମଣ୍ଡସୁଲଭ ସ୍ବପ୍ନଟି ହେଲା ‘ଲୋମଶ ମାମଥ’, ଟାସମାନୀୟ ବାଘ ଏବଂ ଡୋଡୋ ପକ୍ଷୀକୁ ‘ବିପରୀତ ବିଲୋପନ’ କ୍ରମରେ ପୁନର୍ବାର ପୃଥିବୀକୁ ଫେରାଇ ଆଣିବ। ପ୍ରକାଶ ଥାଉ କି ବିଲୁପ୍ତ ପାର୍ବତ୍ୟ ଛେଳି ‘ପାଇରେନିଆନ୍ ଇବେକ୍ସ’ ବା ‘ବୁକାର୍ଡୋ’କୁ ପୃଥିବୀକୁ ଫେରାଇ ଆଣିବାର ଉଦ୍ୟମ ଆଂଶିକ ସଫଳ ହୋଇସାରିଛି। ୨୦୦୦ ମସିହାରେ ଏକ ବୃକ୍ଷଚ୍ୟୁତ ବିଶାଳ ଶାଖା ତଳେ ଚାପି ହୋଇ ପୃଥିବୀର ଅନ୍ତିିମ ବୁକାର୍ଡୋ ଶେଷ ନିଃଶ୍ବାସ ତ୍ୟାଗ କରିଥିଲା। କିନ୍ତୁ ବିଚକ୍ଷଣ ପ୍ରାଣୀ ବିଜ୍ଞାନୀଗଣ ଏହି ବିଲୁପ୍ତି ପୂର୍ବରୁ ବୁକାର୍ଡୋ ‘ଡି.ଏନ୍.ଏ.’ ସଂଗ୍ରହ କରି ରଖି ସାରିଥିଲେ, ଯହିଁରୁ ଅତ୍ୟନ୍ତ କଷ୍ଟସାଧ୍ୟ ବୈଜ୍ଞାନିକ ଉଦ୍ୟମ ପରେ ଏକ ସାଧାରଣ ଛେଳି ଗର୍ଭରୁ ‘ବୁକାର୍ଡୋ’ ଶାବକଟିଏ ୨୦୦୩ ମସିହାରେ ଜନ୍ମ ଲାଭ କରି ମାତ୍ର କିଛି କ୍ଷଣ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା। ନବଜାତ ‘ବୁକାର୍ଡୋ’ଟିର ଅଣବିକଶିତ ଫୁସ୍ଫୁସ୍ ତା’ର ମୃତ୍ୟୁର କାରଣ ହୋଇ ପୃଥିବୀ ପୃଷ୍ଠରେ ଦ୍ବିତୀୟ ଥର ଲାଗି ବିଲୁପ୍ତ ହୋଇଥିବା ଏକମାତ୍ର ହତଭାଗ୍ୟ ପ୍ରାଣୀ ରୂପେ ତାକୁ ପରିଚିତ କରାଇଛି। କିନ୍ତୁ ଏହା ମଧ୍ୟ ସତ ଯେ ଏହି ଆଂଶିକ ସଫଳତା ହିଁ ‘ଲୋମଶ ମାମଥ’ ବା ଟାସମାନୀୟ ବାଘ ବା ଡୋଡୋ ଭଳି ପରଲୋକଗତ ପ୍ରାଣୀ-ଜାତିକୁ ସମୟର ଉଜାଣିରେ ପ୍ରତ୍ୟାବର୍ତ୍ତନ କରାଇବାର ସ୍ବପ୍ନକୁ ଜୀବନ୍ତ କରି ରଖିଛି। କିନ୍ତୁ ଏହା ସହିତ ପ୍ରଶ୍ନ ଉଠିଥାଏ ଯେ ଏଭଳି ଉଦ୍ୟମ କେତେ ଯୁକ୍ତିଯୁକ୍ତ ଏବଂ ନୈତିକ?
ପାସୋରିଗଲେ ହେବ ନାହିଁ ଯେ ବିବର୍ତ୍ତନ କ୍ରମରେ ଅନେକ ପ୍ରାଣୀ ଜାତିର ବିଲୁପ୍ତି ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା। ଉଦାହରଣ ସ୍ବରୂପ, ଜୁରାସିକ କାଳରେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ଟି-ରେକ୍ସ ହେଉ ବା ବ୍ରଣ୍ଟସରସ୍ ଇତ୍ୟାଦି ବିଲୁପ୍ତ ହୋଇଯିବା ପଛରେ ଯେଉଁ କାରଣଟି ସର୍ବାଧିକ ଗୃହୀତ, ତାହା ହେଲା ଏକ ଗ୍ରହାଣୁ (ଏଷ୍ଟୋରଏଡ୍) ସହିତ ପୃଥିବୀର ଦାରୁଣ ଧକ୍କା ଜନିତ ଆଘାତ; କିନ୍ତୁ ତହିଁରେ କେବଳ ଉପର ବର୍ଣ୍ଣିତ ଅତ୍ୟନ୍ତ ପ୍ରକାଣ୍ଡ ପ୍ରାଣୀ ଜାତି ନିଶ୍ଚିହ୍ନ ହୋଇଯାଇଥିଲେ, ଯେଉଁମାନଙ୍କ ଅତିକାୟତା ସେମାନଙ୍କୁ ଆତ୍ମରକ୍ଷାରେ ଅସଫଳ କରାଇଥିଲା। ବିଶ୍ବାସ କରାଯାଏ ଯେ ‘ମାମଥ’ଗୁଡ଼ିକର ବିଲୁପ୍ତିର କାରଣ ମଧ୍ୟ ସେମାନଙ୍କ ବିଶାଳ ବପୁ ଏବଂ ଖାଦ୍ୟ-ଚକ୍ରଜନିତ ଅସମତୁଲତା। ସେହି ଦୃଷ୍ଟିରୁ ‘ଲୋମଶ ମାମଥ’ର ପୁନରାବିର୍ଭାବକୁ ଅନେକ ଚିନ୍ତାଶୀଳ ବ୍ୟକ୍ତି ‘ଡି-ଏକ୍ସଟିଂକ୍ସନ୍’କୁ ପ୍ରକୃତି ବିରୋଧରେ ମାନବର ଉତ୍ପୀଡ଼କ ହସ୍ତକ୍ଷେପ ରୂପେ ମଧ୍ୟ ଦେଖନ୍ତି, ଯଦିଓ ତାହା ମୃତ ଶରୀରରେ ପ୍ରାଣ ସଂଚାର କରିବା ଭଳି ଏକ ଉତ୍ତମ ଉଦ୍ୟମ ରୂପେ ନୈତିକ ସମର୍ଥନର ଆଶା ରଖିଥାଏ। ଅନେକ ସମାଜ ବିଜ୍ଞାନୀ କହିଥାଆନ୍ତି ଯେ ସମଗ୍ର ପୃଥିବୀେର ଉପନିବେଶ ସ୍ଥାପନର ଅଭିଯାନରେ ବନ୍ଧୁକଧାରୀ ପାଶ୍ଚାତ୍ୟ ଶ୍ବେତାଙ୍ଗଗଣ ବୃକ୍ଷ ସଂପଦ, ଆଦିମ ଜନଜାତି ଏବଂ ଅନେକ ପ୍ରାଣୀ ଜାତିର ବିଲୁପ୍ତି ଘଟାଇଛନ୍ତି; ଯାହାର ପଶ୍ଚାତ୍ତାପ ସ୍ବରୂପ ସେମାନେ ସମ୍ଭବତଃ ଏଭଳି ପ୍ରକଳ୍ପମାନ ଗଢ଼ି ତୋଳିବାକୁ ଚାହାନ୍ତି, ଯହିଁରେ ସେମାନଙ୍କ ଦ୍ବାରା ବିକଶିତ ଜ୍ଞାନ ଓ ପ୍ରଯୁକ୍ତି ସେମାନଙ୍କୁ ସହାୟତା କରିଥାଏ। କିନ୍ତୁ ବାସ୍ତବତାଟି ହେଲା ସେହି ପାଶ୍ଚାତ୍ୟ ସଂସ୍କୃତି ଦ୍ବାରା ପ୍ରଭାବିତ ଓ ପରିଚାଳିତ ପୃଥିବୀରେ ଯେତେବେଳେ ନିରନ୍ତର ବିସ୍ତାର ଲାଭ କରି ଚାଲିଥିବା ମନୁଷ୍ୟର ଉପଦ୍ରବ ଭୂମି, ବାୟୁ ଓ ଜଳରେ ବଞ୍ଚି ରହିଥିବା ପ୍ରାଣୀମାନଙ୍କ ଜୀବନକୁ ଦୁର୍ବିଷହ କରି ସାରିଲାଣି, ସେତିକି ବେଳେ ବିଲୁପ୍ତିରୁ ପ୍ରତ୍ୟାବର୍ତ୍ତନ କରିଥିବା ‘ଲୋମଶ ମାମଥ’ ଲାଗି କେଉଁ ଭୂ-ସ୍ବର୍ଗର ପ୍ରତିଶ୍ରୁତି ପ୍ରଦାନ କରାଯାଇପାରିବ?
ଜ୍ଞାନ ପ୍ରଦର୍ଶନ କରିବାର ଦୃପ୍ତ ଅହମିକା କିଭଳି ବିପଜ୍ଜନକ ମୂଢ଼ତା ହୋଇପାରେ, ତାହା ‘ପଞ୍ଚତନ୍ତ୍ର’ର ସେହି ଅତି ପରିଚିତ ଗଳ୍ପରେ ବର୍ଣ୍ଣିତ। ଗଳ୍ପାନୁସାରେ ତିନି ତରୁଣ ପଣ୍ଡିତ ମିତ୍ର ସେମାନଙ୍କ ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରିବା ଲାଗି ଏକ ସିଂହର ବିଘଟିତ ଶରୀରାବଶେଷରେ ପ୍ରାଣ ସଂଚାର କରିବାର ଧୃଷ୍ଟତା କରି ଅବଲୀଳା କ୍ରେମ ତାହାର ଭୋଜନରେ ପରିଣତ ହୋଇଗଲେ ସିନା, ଏଭଳି ନ କରିବାକୁ ସେମାନଙ୍କ ସହିତ ଥିବା ମୂର୍ଖ ମିତ୍ରଟିର ଘନ ଘନ ଅନୁନୟମୂଳକ ବାରଣକୁ କର୍ଣ୍ଣପାତ କରି ନ ଥିଲେ। ସୁତରାଂ, ଅନ୍ତିମ ପରିଣତି ସମ୍ବନ୍ଧରେ ସୁନିଶ୍ଚିତ ସେହି ତରୁଣ ଅବିଳମ୍ବେ ଏକ ବୃକ୍ଷାରୂଢ଼ ହୋଇ ନିଜ ପ୍ରାଣ ବଞ୍ଚାଇଥିଲା। ଏହି ପ୍ରାଚୀନ ଗଳ୍ପରେ ‘ଡି-ଏକ୍ସଟିଂକ୍ସନ୍’ ବା ‘ବିପରୀତ ବିଲୋପନ’ର ଏକ ସାଦୃଶ୍ୟ ଦିଶି ନ ଥାଏ କି? ଅନେକ ସାଧାରଣ ବୁଦ୍ଧି ସଂପନ୍ନ ବ୍ୟକ୍ତି ବିବର୍ତ୍ତନର ବିପରୀତ ଗତିର ପରିଣାମ ନେଇ ଆଶଙ୍କା ପ୍ରକଟ କରୁଥିଲେ ହେଁ ବିଚକ୍ଷଣ ବିଦ୍ବାନ ଏବଂ ଅସାଧାରଣ ମେଧା ସଂପନ୍ନ ବୈଜ୍ଞାନିକମାନେ ତାହା ବୁଝି ନ ପାରିବା ଏକ ଟ୍ରାଜେଡି।