ଲୋମ୍ବର୍ଗ ଦର୍ଶାଇଛନ୍ତି ଯେ ଯଦି ତରବରିଆ ଭାବରେ ପୃଥିବୀରେ ସମସ୍ତ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିଦିଆଯାଏ, ତେବେ ସେଥିଯୋଗୁଁ ଅବିଳମ୍ବେ କୋଟି କୋଟି ଲୋକ ଅକାଳ ମୃତ୍ୟୁମୁଖରେ ପଡ଼ିବେ। ତାଙ୍କ ମତରେ ଚିକିତ୍ସା ଯେପରି ବ୍ୟାଧିଠାରୁ ଅଧିକ ମାରାତ୍ମକ ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ଅକ୍ଷୟ ଶକ୍ତି ଦ୍ବାରା ଅଙ୍ଗାର ନିର୍ଗମନକାରୀ ଶକ୍ତିର ପ୍ରତିସ୍ଥାପନ ପ୍ରକ୍ରିୟା ତରବରିଆ ନ ହୋଇ ଧୀର ମନ୍ଥର ହେବା ହେଉଛି ଅଧିକ ଫଳପ୍ରଦ ଓ ନିରାପଦ- ଧୀର ପାଣି ପଥର କାଟେ। ଏହି ଦୃଷ୍ଟିରୁ ଦେଖିଲେ ଦ୍ବିତୀୟ ପାଳିର ମୋଦୀ ସରକାର ଦେଶରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଉଦ୍ୟମ କରିବା ସହିତ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଉପଲବ୍ଧ ୫୦ ଗିଗାୱାଟ୍ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନ କ୍ଷମତାରେ ଆଉ ୩୫ ଗିଗାୱାଟ୍ ଅଧିକ ଉତ୍ପାଦନ କ୍ଷମତା ଯୋଗ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ବୋଲି କୁହାଯିବ।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ହେଉଛି ବର୍ତ୍ତମାନ ପୃଥିବୀର ସମସ୍ତ ବୃହତ୍ ଅର୍ଥନୀତିମାନଙ୍କ ମଧ୍ୟରେ ଦ୍ରୁତତମ। ଦ୍ରୁତ ଅଭିବୃଦ୍ଧି ଅର୍ଥ ବିଭିନ୍ନ ପ୍ରକାରର ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ବେଗରେ ବୃଦ୍ଧି ଘଟିଚାଲିଛି। ପ୍ରତ୍ୟେକ କିସମର ଅର୍ଥନୈତିକ କାର୍ଯ୍ୟ ସଂପାଦନ ନିମିତ୍ତ ବିଦ୍ୟୁତ୍ ଶକ୍ତି ଏକ ମୁଖ୍ୟ ଉପାଦାନ ରୂପେ ବ୍ୟବହୃତ ହୋଇଥାଏ। ଏଥିସହିତ ଦେଶରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମିତ୍ତ ବିଦ୍ୟୁତ୍ ଚାହିଦାରେ ସ୍ବାଭାବିକ ଭାବରେ ତୀକ୍ଷ୍ଣ ବୃଦ୍ଧି ଘଟିବା ଦେଖାଯାଉଛି। ଏହାର ଏକ ଉଦାହରଣ ସ୍ବରୂପ ନିିକଟରେ ସମସ୍ତ ପୂର୍ବାନୁମାନକୁ ଅତିକ୍ରମ କରି ଦେଶରେ ଏକ ସମୟରେ ସର୍ବୋଚ୍ଚ ଶକ୍ତି ଚାହିଦା ୨୫୦ ଗିଗାୱାଟ୍ ଛୁଇଁବା ଛୁଇଁବା ହେବା ଦେଖାଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ ସରକାର ବାଧ୍ୟ ହୋଇ ବନ୍ଦ ହୋଇପଡ଼ିଥିବା ବ୍ୟୟବହୁଳ ବାଷ୍ପ-ଭିତ୍ତିକ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କୁ ମଧ୍ୟ ସକ୍ରିୟ କରିଥିଲେ ହେଁ ଚାହିଦା ପୂରଣ କରିବା ସମ୍ଭବ ହୋଇ ନ ଥିଲା।
ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ନିକଟ ଭବିଷ୍ୟତରେ ଆଗାମୀ ପାଞ୍ଚ ଛ’ବର୍ଷ କାଳ ଦେଶରେ ବିଦ୍ୟୁତ୍ ଶକ୍ତି ଚାହିଦାରେ ବାର୍ଷିକ ୫-୬ ଶତାଂଶ ହାରରେ ବୃଦ୍ଧି ଘଟିଚାଲିବ। ତେଣୁ ଦେଶରେ ଯଦି ଏହି ବର୍ଦ୍ଧିଷ୍ଣୁ ଚାହିଦା ସହିତ ତାଳ ଦେଇ ଶକ୍ତି ଉତ୍ପାଦନ କ୍ଷମତାରେ ବୃଦ୍ଧି ନ ଘଟେ, ତେବେ ଦେଶ ଏକ ଭୟଙ୍କର ଶକ୍ତି ସଂକଟର ସମ୍ମୁଖୀନ ହେବ। ଏହି ପରିପ୍ରେକ୍ଷୀରେ ଯାହା ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନକୁ ନିୟନ୍ତ୍ରଣ କରିବା ପାଇଁ ଚାଲିଥିବା ବିଶ୍ବବ୍ୟାପୀ ଉଦ୍ୟମର ଅଂଶ ସ୍ବରୂପ ଭାରତ ନିଜର ଶକ୍ତି ଉତ୍ପାଦନକୁ ଅକ୍ଷୟ ଶକ୍ତିଭିତ୍ତିକ କରିବାକୁ ସ୍ଥାପନ କରିଥିବା ଲକ୍ଷ୍ୟ, ଯାହା ଅନୁସାରେ ଦେଶରେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦିତ ହେବ ବୋଲି ଘୋଷଣା କରାଯାଇଛି।
ଅଧିକାଂଶ ସୌର ଶକ୍ତି ଓ ବାୟୁ ଶକ୍ତି ଉତ୍ପାଦନ ସ୍ଥଳୀମାନ ପ୍ରାୟ ଅପହଞ୍ଚ ଦୂରଦୂରାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ସେଠାରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତିକୁ ଚାହିଦା ସ୍ଥଳୀମାନଙ୍କରେ ପହଞ୍ଚାଇବା ନିମିତ୍ତ ବ୍ୟାପକ ଶକ୍ତି ସରବରାହ ଓ ବଣ୍ଟନ (ଟ୍ରାନ୍ସମିସନ୍ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍) ବ୍ୟବସ୍ଥା ନିର୍ମିତ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଏଥିପାଇଁ ଯଥେଷ୍ଟ ଘରୋଇ ନିବେଶକୁ ଅାକୃଷ୍ଟ କରିବାକୁ ସରକାର ଚେଷ୍ଟା ମଧ୍ୟ କରୁଛନ୍ତି। କିନ୍ତୁ ଏଥିସତ୍ତ୍ବେ ବର୍ତ୍ତମାନର ଚିତ୍ର ଅନୁସାରେ ଦେଶରେ ଯେତିକି ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ପ୍ରତିଷ୍ଠିତ ହୋଇଛି, ତାହା ହେଉଛି ଦେଶରେ ପ୍ରତିଷ୍ଠିତ ହୋଇଥିବା ମୋଟ ଶକ୍ତି ଉତ୍ପାଦନ କ୍ଷମତାର ୪୩ ଶତାଂଶ ମାତ୍ର ଏବଂ ଏହି ଶକ୍ତିର ପ୍ରକୃତ ଯୋଗାଣ ହେଉଛି ମୋଟ ଶକ୍ତି େଯାଗାଣର ୨୫ ଶତାଂଶରୁ ମଧ୍ୟ କମ୍। ଏହି ତଫାତର ମୁଖ୍ୟ କାରଣ ହେଉଛି ଏହି ଶକ୍ତି ଉତ୍ପାଦନର ଅନିୟମିତ ଚରିତ୍ର। ସୂର୍ଯ୍ୟାଲୋକ ଉପରେ ନିର୍ଭର କରୁଥିବା ସୌର ବିଦ୍ୟୁତ୍ ଉତ୍ପାଦନ ଉଭୟ ପାଗ ଓ ଦିବାଲୋକ ଉପରେ ନିର୍ଭରଶୀଳ ହୋଇଥାଏ: ମେଘୁଆ ପାଗରେ ଓ ରାତ୍ରି ସମୟରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥାଏ। ବାୟୁ ଶକ୍ତି ସେଇଭଳି ପବନ ବହିବା ଓ ତା’ର ବେଗ ଉପରେ ନିର୍ଭର କରିଥାଏ। ତେଣୁ ଅକ୍ଷୟ ଶକ୍ତି ଯୋଗାଣକୁ ଅବ୍ୟାହତ ରଖିବାକୁ ହେଲେ ଅନୁକୂଳ ସମୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଶକ୍ତିକୁ ଉଚ୍ଚ କ୍ଷମତାସଂପନ୍ନ ବ୍ୟାଟେରିମାନଙ୍କରେ ସାଇତି ରଖିବା ଦରକାର ହୋଇଥାଏ।
ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟିର ଆକଳନ ଅନୁସାରେ ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ ୨୦୩୦ ସୁଦ୍ଧା ଦେଶରେ ୬୦ ଗିଗାୱାଟ୍ରୁ ଅଧିକ ଶକ୍ତି ସାଇତିବା ବ୍ୟବସ୍ଥା ସ୍ଥାପିତ ହେବା ଆବଶ୍ୟକ, ଯାହା ବର୍ତ୍ତମାନ ହେଉଛି ଏଭଳି ନଗଣ୍ୟ ଯେ, ଏହି ଲକ୍ଷ୍ୟ ପୂରଣ ଏକ ଅସମ୍ଭବ ବ୍ୟାପାର ଭଳି ମନେ ହୁଏ। ପୁଞ୍ଜି ନିବେଶକମାନେ ଶକ୍ତି ସାଇତିବା ପାଇଁ ବ୍ୟାଟେରି ନିର୍ମାଣରେ ପୁଞ୍ଜି ନିବେଶ କରିବା ନିମିତ୍ତ ଅତ୍ୟନ୍ତ କୁଣ୍ଠା ପ୍ରଦର୍ଶନ କରୁଥିବା ଯୋଗୁଁ ସରକାର ସେମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା କରିଥିଲେ ହେଁ, ଅଙ୍ଗାରଶୂନ୍ୟ ଶକ୍ତି ଉତ୍ପାଦନ ପାଇଁ ସରକାର ରଖିଥିବା ଲକ୍ଷ୍ୟ ଠିକଣା ସମୟରେ ପୂରଣ ହେବାର ସମ୍ଭାବନା କ୍ଷୀଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ତେଣୁ ସରକାରଙ୍କ ପାଇଁ ଏକ ନୀତିଗତ ଦ୍ବିଧା ସୃଷ୍ଟି କରିଥାଏ: ଅଙ୍ଗାରଶୂନ୍ୟ ଶକ୍ତି ଉତ୍ପାଦନ ନିମିତ୍ତ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିବା ବେଳେ ଦେଶର ଦ୍ରୁତବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ପୂରଣ କରିବା ପାଇଁ ସରକାର ଆଉ ଅଙ୍ଗାରଯୁକ୍ତ ଶକ୍ତି ଉତ୍ପାଦନ, ଅର୍ଥାତ୍ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନ କରିବା ପାଇଁ ପଦକ୍ଷେପ ନେବା ଗ୍ରହଣୀୟ ହେବ କି?
ଏହି ପରିପ୍ରେକ୍ଷୀରେ ଯିଏ ବୋଧହୁଏ ସରକାରଙ୍କୁ ଏହି ନୀତିଗତ ଦ୍ବିଧାରୁ ଉଦ୍ଧାର କରିପାରିବେ, ସେ ହେଉଛନ୍ତି ପରିବେଶ ଅର୍ଥନୀତି କ୍ଷେତ୍ରରେ ସକ୍ରିୟ ଥିବା ବିଶ୍ବବିଖ୍ୟାତ ଥିଙ୍କ୍ଟ୍ୟାଙ୍କ୍ ‘କୋପେନ୍ହାଗେନ୍ କନ୍ସେନ୍ସସ୍’ର ମୁଖ୍ୟ ବ୍ୟର୍ନ ଲୋମ୍ବର୍ଗ। ଏହି ଦିନାମାର୍ ଗବେଷକଙ୍କର ଅତି ସଂକ୍ଷିପ୍ତ ପରିଚୟ ପ୍ରଦାନ ଛଳରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଅନ୍ୟମାନେ ଯେତେବେଳେ ପୃଥିବୀର ପରିବେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦମାନ ସଂପର୍କରେ ଏକ ଆତଙ୍କ ସୃଷ୍ଟିକାରୀ ଚିତ୍ରର ପରିକଳ୍ପନା କରି ଭୟରେ କାଳାତିପାତ କରୁଥାନ୍ତି, ସେତେବେଳେ ଲୋମ୍ବର୍ଗ ଏକ ଯୁକ୍ତିଯୁକ୍ତ ଢଙ୍ଗରେ ଏହାର ମୁକାବିଲା କରିବାର ପଥପ୍ରଦର୍ଶନ କରି ସେମାନଙ୍କୁ ଆଶ୍ବସ୍ତ କରିବାକୁ ଚେଷ୍ଟା କରିଥାନ୍ତି।
ଲୋମ୍ବର୍ଗ କହନ୍ତି ଯେ ଜଳବାୟୁ ବିଜ୍ଞାନ ଓ ଜଳବାୟୁ ନୀତି ପ୍ରଣୟନ ମଧ୍ୟରେ ଏକ ବିଶେଷ ତଫାତ ରହିଛି: ବିଜ୍ଞାନ କହେ ଯେ ଅଙ୍ଗାର ନିର୍ଗମନ ଯୋଗୁଁ ପରିବେଶର ତାପମାତ୍ରାରେ ବୃଦ୍ଧି ଘଟିଥାଏ; କିନ୍ତୁ ବିଜ୍ଞାନ କହେ ନାହିଁ ଯେ ସମସ୍ତ ଅଙ୍ଗାର ନିର୍ଗମନକୁ ତୁରନ୍ତ ବନ୍ଦ କରିଦିଆଯାଉ। ସେ ପରିସଂଖ୍ୟାନ ପ୍ରଦାନ କରି ପ୍ରମାଣ ଦର୍ଶାଇଛନ୍ତି ଯେ ପ୍ରାୟ ଏକ ଶହ ବର୍ଷ ତଳେ ବନ୍ୟା, ବାତ୍ୟା, ଅନାବୃଷ୍ଟି, ଦାବାଗ୍ନି ଆଦି ଯୋଗୁଁ ପୃଥିବୀରେ ପ୍ରାୟ ବାର୍ଷିକ ୫,୦୦,୦୦୦ (ପାଞ୍ଚ ଲକ୍ଷ) ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ୨୦୨୦ ଦଶକରେ ଏବେ ସେଇ ସଂଖ୍ୟା ପ୍ରାୟ ୧୫,୦୦୦ରୁ ମଧ୍ୟ କମ୍ ହେବା ଦେଖାଯାଇଛି। ତାଙ୍କର ଯୁକ୍ତି ଅନୁସାରେ ଏଇ ଶହେ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟାରେ ପାଞ୍ଚଗୁଣରୁ ଅଧିକ ବୃଦ୍ଧି ଘଟିଥିଲେ ହେଁ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ସଂଖ୍ୟାରେ ଏଭଳି ତୀକ୍ଷ୍ଣ ହ୍ରାସ ଘଟିବାର କାରଣ ହେଲା ଆଧୁନିକ ମନୁଷ୍ୟର ବିପର୍ଯ୍ୟୟ ମୁକାବିଲା କ୍ଷମତାରେ ଘଟିଥିବା ବୃଦ୍ଧି, ଯାହା ସେ ମୁଖ୍ୟତଃ ଜୀବାଶ୍ମ ଶକ୍ତି ବ୍ୟବହାର କରି ହାସଲ କରିଛି। ଖାଦ୍ୟ ଉତ୍ପାଦନରୁ ଆରମ୍ଭ କରି ଗୃହ ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ଚମକପ୍ରଦ ଉନ୍ନତି ଘଟିଛି, ତାହା ହିଁ ମନୁଷ୍ୟକୁ ଏହି ଶକ୍ତି ପ୍ରଦାନ କରିଛି ଓ ତା’ ପଛରେ ନିହିତ ଥିବା ଅନ୍ୟତମ ମୁଖ୍ୟ ଉପାଦାନ ହେଉଛି ଏହି ଅଙ୍ଗାର ନିର୍ଗମନକାରୀ ଜୀବାଶ୍ମ ଇନ୍ଧନ।
ଲୋମ୍ବର୍ଗ ଦର୍ଶାଇଛନ୍ତି ଯେ ଯଦି ତରବରିଆ ଭାବରେ ପୃଥିବୀରେ ସମସ୍ତ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିଦିଆଯାଏ, ତେବେ ସେଥିଯୋଗୁଁ ଅବିଳମ୍ବେ କୋଟି କୋଟି ଲୋକ ଅକାଳ ମୃତ୍ୟୁମୁଖରେ ପଡ଼ିବେ। ତାଙ୍କ ମତରେ ଚିକିତ୍ସା ଯେପରି ବ୍ୟାଧିଠାରୁ ଅଧିକ ମାରାତ୍ମକ ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ଅକ୍ଷୟ ଶକ୍ତି ଦ୍ବାରା ଅଙ୍ଗାର ନିର୍ଗମନକାରୀ ଶକ୍ତିର ପ୍ରତିସ୍ଥାପନ ପ୍ରକ୍ରିୟା ତରବରିଆ ନ ହୋଇ ଧୀର ମନ୍ଥର ହେବା ହେଉଛି ଅଧିକ ଫଳପ୍ରଦ ଓ ନିରାପଦ- ଧୀର ପାଣି ପଥର କାଟେ। ଏହି ଦୃଷ୍ଟିରୁ ଦେଖିଲେ ଦ୍ବିତୀୟ ପାଳିର ମୋଦୀ ସରକାର ଦେଶରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଉଦ୍ୟମ କରିବା ସହିତ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଉପଲବ୍ଧ ୫୦ ଗିଗାୱାଟ୍ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନ କ୍ଷମତାରେ ଆଉ ୩୫ ଗିଗାୱାଟ୍ ଅଧିକ ଉତ୍ପାଦନ କ୍ଷମତା ଯୋଗ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ବୋଲି କୁହାଯିବ।