ବୋର୍‌ଡମ୍ ବିଷ

ଏକ ଦୁଷ୍ଟାମିଭରା ସ୍ବର ଅବଲମ୍ବନ କଲା ଭଳି ସେ କହିଥିଲେ ‌େଯ ଦେବତାମାନେ ବୋର୍ ହେଉଥିଲେ, ତେଣୁ ସେମାନେ ମନୁଷ୍ୟକୁ ସୃଷ୍ଟି କଲେ। ଏହି ମନୁଷ୍ୟ ହେଉଛି ଆଦାମ୍। ଏକାକୀ ଅବସ୍ଥାରେ ଥିବା ଯୋଗୁଁ ଆଦାମ୍ ବୋର୍ ହେବାରୁ ଇଭ୍ ନାମକ ନାରୀକୁ ସୃଷ୍ଟି କରାଗଲା। ଏ ଦୁହେଁ ମିଶି ପୃଥିବୀ ପୃଷ୍ଠରେ ଅସଂଖ୍ୟ ମନୁଷ୍ୟମାନଙ୍କର ସୃଷ୍ଟିର କାରଣ ହେଲେ।

ଅସ୍ତିତ୍ବବାଦର ଆବାହକ, ଊନବିଂଶ ଶତାବ୍ଦୀର ବିଚକ୍ଷଣ ସ୍ବଳ୍ପାୟୁ ଦୀନାମାର୍ ଦାର୍ଶନିକ ସୋରେନ୍ କିର୍କେଗାଡ୍ ଉଚ୍ଚ ସ୍ବରରେ ଘୋଷଣା କରିଥିଲେ ଯେ ‘ବୋର୍‌ଡମ୍’ (ଏହାର ନିକଟତମ ଓଡ଼ିଆ ପ୍ରତିଶବ୍ଦ ହୋଇପାରେ ‘ବିରକ୍ତି ଭାବ’ କିମ୍ବା ‘ଉଦାସ ଭାବ’) ହେଉଛି ସଂସାରରେ ସମସ୍ତ ‘ଇଭିଲ୍’ (ମନ୍ଦ)ର ମୂଳ। ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ, ‘ଆଇଦର୍/ଅର୍’ରେ ତାଙ୍କର ଏହି ବିଶ୍ବାସକୁ ନିମ୍ନମତେ ସଂପ୍ରସାରିତ କରିଥି‌ଲେ। ଏକ ଦୁଷ୍ଟାମିଭରା ସ୍ବର ଅବଲମ୍ବନ କଲା ଭଳି ସେ କହିଥିଲେ ‌େଯ ଦେବତାମାନେ ବୋର୍ ହେଉଥିଲେ, ତେଣୁ ସେମାନେ ମନୁଷ୍ୟକୁ ସୃଷ୍ଟି କଲେ। ଏହି ମନୁଷ୍ୟ ହେଉଛି ଆଦାମ୍। ଏକାକୀ ଅବସ୍ଥାରେ ଥିବା ଯୋଗୁଁ ଆଦାମ୍ ବୋର୍ ହେବାରୁ ଇଭ୍ ନାମକ ନାରୀକୁ ସୃଷ୍ଟି କରାଗଲା। ଏ ଦୁହେଁ ମିଶି ପୃଥିବୀ ପୃଷ୍ଠରେ ଅସଂଖ୍ୟ ମନୁଷ୍ୟମାନଙ୍କର ସୃଷ୍ଟିର କାରଣ ହେଲେ।
ଆରମ୍ଭରେ ଆଦାମ୍ ଓ ଇଭ୍ ଏକାକୀ ବୋର୍ ହେଉଥିଲେ; ତା’ ପରେ ଦୁହେଁ ମିଶି ମିଳିତ ଭାବରେ ବୋର୍ ହେଲେ। ବୋର୍‌ଡମ୍‌ରୁ ନିସ୍ତାର ପାଇବା ଆଶାରେ ନିଷିଦ୍ଧ ଫଳ ଖାଇବା ପାଇଁ ଇଭ୍ ଚାହିଁଲେ ଓ ଆଦାମ୍ ତାଙ୍କର ଇଚ୍ଛା ପୂରଣ କଲେ, ଯାହାର ପରିଣତି ସ୍ବରୂପ ପୃଥିବୀରେ ଯନ୍ତ୍ରଣା ଜର୍ଜରିତ ମାନବ ଜାତିର ଆବିର୍ଭାବ ଘଟିଲା। ମିଳିତ ଭାବରେ ବୋର୍ ହେଉଥିବା ଆଦାମ୍ ଓ ଇଭ୍‌ଙ୍କ ସହିତ ପ୍ରଥମେ ଯୋଗଦେଲେ ସେମାନଙ୍କର ପ୍ରଥମ ପୁତ୍ର ଦ୍ବୟ କେନ୍ ଓ ଆବେଲ୍। ଏହି ଚାରି ସଦସ୍ୟବିଶିଷ୍ଟ ପ୍ରଥମ ପରିବାର ଏଥର ପାରିବାରିକ ସ୍ତରରେ ବୋର୍ ହେବାକୁ ଲାଗିଲେ। ଏହା ପରେ ଯେତେବେଳେ ପୃଥିବୀ ପୃଷ୍ଠରେ ମନୁଷ୍ୟର ସଂଖ୍ୟାରେ ବୃଦ୍ଧି ଘଟି ଚାଲିଲା, ସମଗ୍ର ମନୁଷ୍ୟ ସମାଜ ବୋର୍ ହେବାରେ ଲାଗିଲା। ଏହି ବୋର୍‌ଡମ୍‌ରୁ ମୁକୁଳିବା ପାଇଁ ମନୋରଞ୍ଜନର ମାଧ୍ୟମ ସ୍ବରୂପ ସେମାନେ ଏକ ସୁଉଚ୍ଚ ଟାୱାର୍ ନିର୍ମାଣରେ ଲାଗିପଡ଼ିଲେ, ଯାହାର ଶିଖର ଆକାଶକୁ ଛୁଇଁବ (‘ଟାୱାର୍ ଅଫ୍ ‌ବାବେଲ୍’) ବୋଲି ପରିକଳ୍ପନା କରାଯାଇଥିଲା। କିର୍କେଗାଡ୍‌ଙ୍କ ଭାଷାରେ ଏହି ପରିକଳ୍ପିତ ଟାୱାର୍‌ର ଉଚ୍ଚତା ଯେଉଁଭଳି ଆକାଶଛୁଅଁା ଥିଲା, ଏହି ପରିକଳ୍ପନା ସେଇଭଳି ଆକାଶଛୁଅଁା ଭାବରେ ବୋରିଙ୍ଗ୍ ଥିଲା। ସେ ତା’ ପରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଲୋକମାନେ ଯେତେ ଅଧିକ ନିଜର ମନ ବହଲାଇବାର ଉପାୟମାନ ଖୋଜିବାରେ ଲାଗିପଡ଼ନ୍ତି, ସେମାନେ ନିଜର ଧ୍ବଂସକୁ ସେତେ ତ୍ବରାନ୍ବିତ କରିଥାନ୍ତି।
କିର୍କେଗାଡ୍‌ଙ୍କ ସମୟରେ ଆଜିର ଏକ ପ୍ରଧାନ ବୋର୍‌ଡମ୍‌ ଦୂରକାରୀ ମନୋରଞ୍ଜନର ମାଧ୍ୟମ ସିନେମାର ଉଦ୍ଭାବନ ଘଟି ନ ଥିଲା କିମ୍ବା ସୋସିଆଲ୍ ମିଡିଆର ଆବିର୍ଭାବ ଘଟି ନ ଥିଲା। କିନ୍ତୁ ବୋର୍‌ଡମ୍ ହଟାଇବା ନିମିତ୍ତ ଉଦ୍ଦିଷ୍ଟ ଏହି ଦୁଇ ମାଧ୍ୟମର ବ୍ୟବହାରର ପାର୍ଶ୍ବଫଳ ସ୍ବରୂପ ଏବେ ଭାରତର କର୍ଣ୍ଣାଟକ ରାଜ୍ୟରେ ଯେଉଁ ଏକ ଲୋମହର୍ଷଣକାରୀ ନାରକୀୟ ଘଟଣା ଘଟିଛି, ତାହାକୁ କିର୍କେଗାଡ୍‌ଙ୍କ ଉପରୋକ୍ତ ଚିନ୍ତାଧାରାର ସତ୍ୟତାର ଏକ ବଳିଷ୍ଠ ପ୍ରମାଣ ରୂପେ ଉପସ୍ଥାପନ କଲେ କିଛି ଭୁଲ୍ ହେବନାହିଁ।
ସିନେମା ଭଳି ଗଣ-ମନୋରଞ୍ଜନ ମାଧ୍ୟମରେ ଅଭ୍ୟୁଦୟ ସହିତ ତାଳ ଦେଇ ପୃଥିବୀସାରା ଯେଉଁ ଏକ ଉପ-ସଂସ୍କୃତିର ଜନ୍ମ ଓ ପ୍ରସାର ଘଟିବା ଦେଖାଯାଏ, ତାହା ହେଉଛି ଅନ୍ଧ ଅନୁରାଗୀମାନଙ୍କ ଦ୍ବାରା ନାୟକ/ନାୟିକା-ଉପାସନା; ଯାହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସଂପର୍କ ଭଳି ହୋଇଥାଏ। ଏହାକୁ ସ୍ପଷ୍ଟ ଭାବରେ ବୁଝିବା ପାଇଁ ପ୍ରକୃଷ୍ଟ ଉପାୟ ହେଉଛି ଯେଉଁ ଜଣେ ଚିନ୍ତାନାୟକଙ୍କ ସହାୟତା ଲୋଡ଼ିବା, ସେ ହେଉଛନ୍ତି ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ୍ ନୃତତ୍ତ୍ବବିତ୍-ଦାର୍ଶନିକ ଲୁଡ୍‌ୱିଗ୍ ଫୁଏର୍‌ବାକ୍। ତାଙ୍କର ଅତ୍ୟନ୍ତ ପ୍ରଭାବଶାଳୀ ପୁସ୍ତକ ‘ଦି ଏସେନ୍‌ସ ଅଫ୍ କ୍ରିଶ୍ଚିଆନିଟି’ (‘ଖ୍ରୀଷ୍ଟଧର୍ମର ସାରମର୍ମ’)ରେ ଫୁଏର୍‌ବାକ୍ ଯେଉଁଭଳି ପରିକଳ୍ପନା କରିଥିଲେ, ସେଇଭଳି ଈଶ୍ବର ଯଦି ବାସ୍ତବରେ ରକ୍ତମାଂସର ଶରୀର ଧରି କେଉଁଠି ଦେଖିବାକୁ ମିଳିଥାନ୍ତି, ତାହା ହେଉଛି ଉପରୋକ୍ତ ଅନ୍ଧ-ଅନୁରାଗୀମାନଙ୍କର ଦୁନିଆ ବା ‘ଫ୍ୟାନ୍‌ଡମ୍’ରେ (ସୂଚାଇବା ଅନାବଶ୍ୟକ, ଏହି ଭକ୍ତମାନଙ୍କୁ ସେମାନଙ୍କର ନାୟକ/ନାୟିକାରୂପୀ ଈଶ୍ବରଙ୍କର ‘ଫ୍ୟାନ୍’ ରୂପେ ବର୍ଣ୍ଣନା କରାଯାଇଥାଏ)।
ଫୁଏର୍‌ବାକ୍‌ଙ୍କ ଅନୁସାରେ ଏକ ଧର୍ମ ଭାବରେ ଯାହା ହେଉଛି ଖ୍ରୀଷ୍ଟଧର୍ମର ସାରମର୍ମ, ତାହା ହେଲା- ଏହା ହେଉଛି ଏକ ପ୍ରକ୍ଷେପଣକାରୀ ଧର୍ମ (ପ୍ରୋଜେକ୍‌ଟିଭ୍ ରିଲିଜିଅନ୍)। ମନୁଷ୍ୟ ସର୍ବଜ୍ଞ ହେବାକୁ ଚାହେଁ, କିନ୍ତୁ ତା’ର ଜ୍ଞାନ ହେଉଛି ସୀମିତ; ମନୁଷ୍ୟ ସର୍ବଶକ୍ତିମାନ ହେବାକୁ ଇଚ୍ଛା କରେ, କିନ୍ତୁ ତା’ର ଶକ୍ତି ହେଉଛି ସୀମିତ; ମନୁଷ୍ୟ ସର୍ବବିଦ୍ୟମାନ ହେବାକୁ କଳ୍ପନା କରେ, କିନ୍ତୁ ତା’ର ଅବସ୍ଥିତି ହେଉଛି ସୀମିତ। ବାସ୍ତବ ଦୁନିଆରେ ଏଭଳି ସବୁ ଅସୀମ କ୍ଷମତାର ଅଧିକାରୀ ହେବାରେ ବିଫଳ ମନୁଷ୍ୟ ତେଣୁ ତା’ର କଳ୍ପନା ଜଗତରେ ଏଭଳି ଏକ ସତ୍ତାର ପରିକଳ୍ପନା କରିଥାଏ, ଯିଏ ଏ ସମସ୍ତ ଅସୀମ ଶକ୍ତିର ଅଧିକାରୀ ହୋଇଥା’ନ୍ତି। ସେଇ କାଳ୍ପନିକ ସତ୍ତା ହେଉଛନ୍ତି ଈଶ୍ବର, ଯିଏ ହେଉଛନ୍ତି ମନୁଷ୍ୟ ପ୍ରକ୍ଷେପଣ କରିଥିବା ତା’ର ଅପୂର୍ଣ୍ଣ ଇଚ୍ଛାସବୁର ସଂପୂର୍ଣ୍ଣ ଅଧିକାରୀ। ମନୁଷ୍ୟ ତେଣୁ ଈଶ୍ବରଙ୍କ ଠାରେ ନିଜକୁ ହିଁ ଦେଖିଥାଏ; ଈଶ୍ବର-ପ୍ରେମ ଆତ୍ମ-ପ୍ରେମ ବ୍ୟତୀତ ଅନ୍ୟ କିଛି ନୁହେଁ।
ଜଣେ ଫ୍ୟାନ୍ ଓ ତା’ର ଉପାସ୍ୟ ନାୟକ/ନାୟିକାଙ୍କ ମଧ୍ୟରେ ସଂପର୍କ ଠିକ୍ ଏଇଭଳି ଫୁଏର୍‌ବାକୀୟ ଭକ୍ତ-ଭଗବାନ ସଂପର୍କ ଭଳି ହୋଇଥାଏ। ଆଉ ପୃଥିବୀରେ କେଉଁଠି ଯଦି ଏହାର ଚରମତମ ପ୍ରଦର୍ଶନ ଦେଖିବାକୁ ମିଳିଥାଏ, ତାହା ହେଉଛି ଦକ୍ଷିଣ ଭାରତର ତାମିଲନାଡୁ ଓ କର୍ଣ୍ଣାଟକ ପରି ରାଜ୍ୟମାନଙ୍କରେ। ସେଠାରେ ଏହି ସଂପର୍କକୁ ସୁଦୃଢ଼ କରିବା ପାଇଁ ଅଗଣିତ ସୁସଂଗଠିତ ଫ୍ୟାନ୍‌ କ୍ଲବ୍‌ମାନ କାର୍ଯ୍ୟ କରିଥା’ନ୍ତି। ଫ୍ୟାନ୍‌ମାନଙ୍କ ଦୃଷ୍ଟିରେ ସେମାନଙ୍କର ପ୍ରିୟ ନାୟକ/ନାୟିକାମାନେ (‘ଏମ୍‌ଜିଆର୍‌’ଙ୍କ ଠାରୁ ଆରମ୍ଭ କରି ରଜନୀକାନ୍ତଙ୍କ ପର୍ଯ୍ୟନ୍ତ, ଜୟଲଳିତାଙ୍କ ଠାରୁ ରାଜକୁମାରଙ୍କ ପର୍ଯ୍ୟନ୍ତ) ଈଶ୍ବରଙ୍କ ଠାରୁ କୌଣସି ଗୁଣରେ କମ୍ ହୋଇ ନଥା’ନ୍ତି। ଫ୍ୟାନ୍‌ମାନଙ୍କର ଆତ୍ମ-ପ୍ରକ୍ଷେପଣ ଏପରି ହୋଇଥାଏ ଯେ ନାୟକ/ନାୟିକାଙ୍କର ସ୍ବାଭାବିକ ମୃତ୍ୟୁକୁ ନିଜର ମୃତ୍ୟୁ ରୂ‌େପ ବିଚାର କରି ବେଳେବେଳେ ସେମାନେ ଆତ୍ମହତ୍ୟା କରିବା ମଧ୍ୟ ଦେଖାଯାଇଥାଏ- ୧୯୮୭ରେ ‘ଏମ୍‌ଜିଆର୍’ଙ୍କ ମୃତ୍ୟୁ ପରେ ପ୍ରାୟ ୩୦ ଜଣ ଫ୍ୟାନ୍ ଅଗ୍ନିରେ ଝାସଦେଇ କିମ୍ବା ବିଷପାନ କରି ଆତ୍ମହତ୍ୟା କରିଥିଲେ। ୨୦୦୬ରେ କନ୍ନଡ଼ ତାରକା ରାଜକୁମାରଙ୍କର ମୃତ୍ୟୁ ପରେ ଶୋକାତୁର ଫ୍ୟାନ୍‌ମାନଙ୍କ ଦ୍ବାରା ଘଟିଥିବା ବ୍ୟାପକ ହିଂସାକାଣ୍ଡ ଯୋଗୁଁ ସମଗ୍ର ବାଙ୍ଗାଲୋର୍ ବନ୍ଦ ହୋଇଯାଇଥିଲା।
ସେଇ କର୍ଣ୍ଣାଟକରେ ଏଥର କିନ୍ତୁ ଆଉଜଣେ ମେଗାଷ୍ଟାର୍ ଦର୍ଶନ ଓ ତାଙ୍କର ଫ୍ୟାନ୍‌ମାନେ ମିଶି ଯେଉଁ ବର୍ବର କାଣ୍ଡ ଘଟାଇଛନ୍ତି ତାହା ‘ଫ୍ୟାନ୍‌ଡମ୍’ ଉପ-ସଂସ୍କୃତିର ଇତିହାସରେ ଏପରି ଏକ ନୃଶଂସ ନୂତନ ଅଧ୍ୟାୟ ଯୋଡ଼ିଛି, ଯାହା ପେସାଦାର ଅପରାଧୀ କିମ୍ବା ଆତଙ୍କବାଦୀମାନଙ୍କର ଦୁନିଆ ବାହାରେ କଳ୍ପନା କରାଯାଇ ପାରିବ ନାହିଁ। ଦର୍ଶନଙ୍କର ପରକୀୟା ପ୍ରୀତି ଦ୍ବାରା ମର୍ମାହତ ହୋଇ ରେଣୁକାସ୍ବାମୀ ନାମକ ତାଙ୍କର ଜଣେ ଯୁବକ ଫ୍ୟାନ୍‌ ଦର୍ଶନଙ୍କ ବାନ୍ଧବୀ ପବିତ୍ରା ଗୌଡ଼ଙ୍କୁ ସମାଲୋଚନା କରି ସୋସିଆଲ୍ ମିଡିଆରେ ମେସେଜ୍ ପ୍ରସାର କରିବାରୁ ଦର୍ଶନ ଓ ତାଙ୍କର ଅନ୍ୟ କେତେକ ଫ୍ୟାନ୍ ତଥା ଖୋଦ୍ ପବିତ୍ରା ମିଶି ରେଣୁକାଙ୍କୁ ଅପହରଣ କରି ହତ୍ୟା କରିବା ଖବର ଏବେ ଦେଶସାରା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ୍ୟୁ ପୂର୍ବରୁ ଏମାନେ ରେଣୁକାଙ୍କ ଉପରେ ଯେଉଁଭଳି ଯନ୍ତ୍ରଣା ପ୍ରଦାନକାରୀ ଅତ୍ୟାଚାର କରିଥିବାର ବର୍ଣ୍ଣନା ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି, ତାହା ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଠାରେ ମଧ୍ୟ ଅସ୍ବସ୍ତି ସୃଷ୍ଟି କରିପାରେ।
ନିଜର ‘ବୋର୍‌ଡମ୍’ ଦୂର କରିବା ଚକ୍କରରେ ମଣିଷ କିପରି ‌ରାକ୍ଷସରେ ପରିଣତ ହୋଇଯାଇପାରେ, ଏହା ଠାରୁ ଆଉ ଅଧିକ ବଳିଷ୍ଠ ଉଦାହରଣ କ’ଣ ହୋଇପାରେ? କିର୍କେଗାଡ୍‌ କହିଥିବା ଭଳି ଆରମ୍ଭରେ ଦେବତାମାନେ ଯଦି ବୋର୍ ନ ହୋଇଥାନ୍ତେ, ହତଭାଗ୍ୟ ‌େରଣୁକାସ୍ବାମୀଙ୍କୁ ଆଜି ଏହି ଭୟଙ୍କର ଦଶା ଭୋଗିବାକୁ ପଡ଼ି ନଥାନ୍ତା!

ସମ୍ବନ୍ଧିତ ଖବର