ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆମ ଦେଶେର ଶିକ୍ଷାର ସ୍ତର ସହିତ ନିଯୁକ୍ତିର ଗରିମା ମଧ୍ୟ ଯୋଡ଼ି ହୋଇ ରହିଥାଏ, ଯାହା ପାଶ୍ଚାତ୍ୟ ଦେଶମାନଙ୍କରେ ନାହିଁ; ଯେଉଁଠି ନିଯୁକ୍ତିର ସ୍ତର ନେଇ ସାମାଜିକ ବିଦ୍ବେଷ ନ ଥାଏ। ଭାରତରେ ଏହି କାରଣରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଆଶାନୁରୂପକ ନ ହେଲେ ନିଯୁକ୍ତି ସ୍ବୀକାର କରି ନ ଥାଆନ୍ତି। ଯଦି ସାଧୁତା ଓ ନିଷ୍ଠାର ସହିତ କୌଣସି କାର୍ଯ୍ୟ ସଂପାଦନ ଗୁରୁତ୍ବ ଲାଭ କରନ୍ତା, ତେବେ ହୁଏତ ନିଯୁକ୍ତିହୀନତାର ଦୃଶ୍ୟପଟରେ କିଛି ପରିବର୍ତ୍ତନ ଆସନ୍ତା! କିନ୍ତୁ ଏଥି ଲାଗି ଏକ ଭୂଚଳନତୁଲ୍ୟ ଆଭିମୁଖ୍ୟଗତ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହା ସମ୍ଭବ ହେବା ହୁଏତ ସମୟସାପେକ୍ଷ।
ପ୍ରଥମରୁ କହି ରଖିବା ଉଚିତ ହେବ ଯେ ଦିବାରାତ୍ର ଗଳଦ୍ଘର୍ମ ପରିଶ୍ରମ କରି ଦେଶର ସର୍ବୋତ୍କୃଷ୍ଟ ଇଂଜିନିଅରିଂ କଲେଜଗୁଡ଼ିକର ପ୍ରବେଶିକା ପରୀକ୍ଷାରେ ସଫଳତାର ଛଟା ଦେଖିବା ଲାଗି ଉତ୍କଣ୍ଠିତ ଛାତ୍ରଛାତ୍ରୀମାନଙ୍କୁ ଏହା ସୁଖପ୍ରଦ ଲାଗି ନ ପାରେ; କିନ୍ତୁ ଏକ ଅରୁଚିକର ବାସ୍ତବତାର ଅନିବାର୍ଯ୍ୟତାକୁ ସ୍ବୀକାର କରି ନେଲେ ହିଁ ତହିଁରୁ ନିଷ୍କ୍ରାନ୍ତ ହେବାର ପଥ ଅନ୍ବେଷଣ ଲାଗି ଚିନ୍ତନ ସମ୍ଭବ ହୋଇଥାଏ। ସୁତରାଂ, କୌଣସି ଭୂମିକା ନ କରି ସିଧାସଳଖ କହିଦେବା ଉଚିତ ହେବ ଯେ ଚଳିତ ବର୍ଷ ଦେଶର ସର୍ବାଧିକ ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ମୁମ୍ବାଇ ଆଇ.ଆଇ.ଟି.ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୩ ପ୍ରତିଶତ କୌଣସି ଚାକିରି ବା ‘ପ୍ଲେସ୍ମେଣ୍ଟ୍’ ପାଇ ନାହାନ୍ତି, ଯେଉଁ ସଂଖ୍ୟା ହେଉଛି ୭୧୨। ଗଲା ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ଏଭଳି ଅକୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଭାଗ ଥିଲା ୩୬ ପ୍ରତିଶତ। ଦିଲ୍ଲୀ ଆଇ.ଆଇ.ଟି.ରେ ଏହା ୪୦ ପ୍ରତିଶତ ଏବଂ କାନପୁର ଆଇ.ଆଇ.ଟି.ରେ ଏହା ୩୧ ପ୍ରତିଶତ। ଏହି ପରିପ୍ରେକ୍ଷୀରେ ଲକ୍ଷ୍ନୌ ଆଇ.ଆଇ.ଏମ.ର ପ୍ରଫେସର ଡି. ତ୍ରିପତି ରାଓଙ୍କ ଏକ ଅନୁଧ୍ୟାନ ଯେଉଁ ବିଚିତ୍ର ଭାରତୀୟ ସ୍ଥିତିକୁ ଉଜାଗର କରିଥାଏ, ତାହା ହେଉଛି ‘ଏମ୍ପ୍ଲଏମେଣ୍ଟ କାପାବିଲିଟି ପାରାଡକ୍ସ’ ବା ‘ନିଯୁକ୍ତି ସାମର୍ଥ୍ୟ ବିରୋଧାଭାସ’, ଯାହା ଅନୁସାରେ ଅଧିକ ଉଚ୍ଚତର ଏପରିକି ଉଚ୍ଚକୋଟୀର ଶିକ୍ଷାଗତ ଡିଗ୍ରିର ଅର୍ଥ ସଂକୁଚିତ ନିଯୁକ୍ତି ସମ୍ଭାବନା। ସୁତରାଂ, ଏଭଳି ଏକ ଉଦ୍ବେଗଜନକ ପରିସ୍ଥିତିରେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତ୍ରିପତି ରାଓଙ୍କ ଅନୁଶୀଳନର ଆଧାର ହୋଇଥିବା ପରିସଂଖ୍ୟାନ ଅନୁସାରେ ଆମ ଦେଶରେ ନିରକ୍ଷରମାନଙ୍କ ନିଯୁକ୍ତିହୀନତାର ହାର ମାତ୍ର ୦.୫ ପ୍ରତିଶତ ହୋଇଥିବା ବେଳେ ଅଶିକ୍ଷିତ ବା ସ୍ବଳ୍ପ ଶିକ୍ଷିତଙ୍କ କ୍ଷେତ୍ରରେ ତାହା ହୋଇଥାଏ ମାତ୍ର ୩.୪ ପ୍ରତିଶତ, ଅଥଚ ମାଧ୍ୟମିକ ଶିକ୍ଷାପ୍ରାପ୍ତଙ୍କ କ୍ଷେତ୍ରରେ ଏହା ୧୮.୩ ପ୍ରତିଶତ ଏବଂ ସ୍ନାତକ ସ୍ତରରେ ତାହା ୨୯.୧ ପ୍ରତିଶତ। ପ୍ରକାଶ ଥାଉ କି ଇଂଜିନିଅରିଂ ଏବଂ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଏଭଳି ଦୃଶ୍ୟପଟ ଅଧିକ ଦୃଷ୍ଟିକଟୁ ହେବାରେ ଲାଗିଛି; କାରଣ ମାତ୍ର ପାଞ୍ଚ ବର୍ଷ ପୂର୍ବେ ଏହି କ୍ଷେତ୍ର ଦ୍ବୟ ନିଯୁକ୍ତିର ବିସ୍ତୀର୍ଣ୍ଣ ଦାଗହୀନ ସବୁଜ ପ୍ରାନ୍ତର ତୁଲ୍ୟ ଦିଶୁଥିଲେ! ଏଭଳି ଏକ ବାସ୍ତବତା ସତ୍ତ୍ବେ ଯାହା ଚିନ୍ତାଜନକ, ତାହା ହେଲା ବିପୁଳ ସଂଖ୍ୟକ ଦେଶର ସର୍ବାଧିକ ମେଧାବୀ ଏବଂ ବିଚକ୍ଷଣ ତରୁଣ ବର୍ଗ ଏହି ଶିକ୍ଷା କ୍ଷେତ୍ରଗୁଡ଼ିକ ପ୍ରତି ଆକର୍ଷିତ ହେଉଛନ୍ତି, ଯହିଁରେ ଆଇ.ଆଇ.ଟି.ମାନ ସେମାନଙ୍କ ସ୍ବପ୍ନର ଚାରଣ ଭୂମି ହୋଇଥାଏ। ଏବଂ ଏଭଳି ସ୍ଥିତିରେ ଯାହା ଆହୁରି ଅଧିକ ବିଚଳିତକାରୀ ତାହା ହେଲା ସମସ୍ୟାକୁ ବୁଝି ସମାଧାନର ପଥ ବାହାର କରିବା ଦିଗରେ ଏହି ଉତ୍କୃଷ୍ଟତମ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିସ୍ପୃହ। ଉଦାହରଣ ସ୍ବରୂପ ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ବା ‘ଏ.ଆଇ.’ର ପ୍ରଭାବ ହେତୁ ବିଶ୍ବର ପ୍ରାୟ ସର୍ବତ୍ର ନିଯୁକ୍ତି କ୍ଷେତ୍ରରେ ଭୂ-ଚଳନତୁଲ୍ୟ ପରିବର୍ତ୍ତନର ଶକୁନମାନ ମିଳିବାରେ ଲାଗିଥିବା ବେଳେ ଏ ଯାବତ୍ ଆମ ଦେଶରେ ‘କୃତ୍ରିମ ବୁଦ୍ଧିମତ୍ତା’ର ବିକାଶ ଓ ପରିଚାଳନାଗତ ସାମର୍ଥ୍ୟ ସୃଷ୍ଟି ଲାଗି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଗଢ଼ି ଉଠିନାହିଁ, ଯଦିଓ ‘ୟୁନାଇଟେଡ୍ ଆରବ ଏମିରେଟ୍ସ’ ବା ‘ୟୁ.ଏ.ଇ.’ରେ ‘ଏ.ଆଇ.’ କଲେଜଟିଏ ମୁଣ୍ଡ ଟେକି ସାରିଲାଣି। ଏକ ସର୍ବେକ୍ଷଣ କହିଥାଏ ଯେ ଭାରତୀୟ ଇଂଜିନିଅରିଂ ସ୍ନାତକଙ୍କ ମଧ୍ୟରେ ‘ଏ.ଆଇ.’ ଓ ତାକୁ ସମ୍ଭବ କରୁଥିବା ‘େମସିନ ଲର୍ନିଂ’ ଭଳି ଅତ୍ୟାଧୁନିକ ବିଦ୍ୟା ଓ ତାଲିମର ଅଧିକାରୀଙ୍କ ସଂଖ୍ୟା ହେଉଛି ମାତ୍ର ୨ ପ୍ରତିଶତ। ସୁତରାଂ, ହୃଦ୍ବୋଧ କରି ହୋଇଥାଏ ଯେ ନୂତନ ଜ୍ଞାନ ଦ୍ବାରା ଦିଗନ୍ତ ବିସ୍ତାରିତ ହେବାର କ୍ଷଣ ଭାରତରେ ଏ ଯାବତ୍ ଉତ୍ପନ୍ନ ହୋଇନାହିଁ।
ଉେଲ୍ଲଖଯୋଗ୍ୟ ଯେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ତଥା ‘ଟେସ୍ଲା’ ଓ ‘ସ୍ପେସ ଏକ୍ସ’ ଭଳି ଭବିଷ୍ୟ-ଦ୍ରଷ୍ଟାସୁଲଭ ପରିକଳ୍ପନା ଏବଂ ଉଦ୍ୟୋଗର ସତ୍ତ୍ବାଧିକାରୀ ଏଲନ ମସ୍କ ଠାଏ କହିଥିଲେ ଯେ ‘ଇଂଜିନିଅରିଂ ହେଉଛି ବାସ୍ତବରେ ଗୋଟିଏ ମେଜିକ ବା ଇନ୍ଦ୍ରଜାଲ’, ଯାହାର ତାତ୍ପର୍ଯ୍ୟ ହେଲା ପ୍ରଯୁକ୍ତିର ବିହନ କିମିଆ ପ୍ରଦର୍ଶନ ନ କଲେ ବିଜ୍ଞାନର ଅତି ଉର୍ବର ଭୂମି ମଧ୍ୟ ଅଣ-ଉତ୍ପାଦନକ୍ଷମ ହୋଇ ରହନ୍ତା; ‘ଉଦ୍ଭାବନ’ର ଫୁଲ ପ୍ରସ୍ଫୁଟିତ ହୁଅନ୍ତା ନାହିଁ। କିନ୍ତୁ, ଏକ ବାସ୍ତବତା ହେଲା ଭାରତର ସର୍ବୋକୃଷ୍ଟ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ଉଦ୍ଭାବନ’ ଏକ ବିଧିବଦ୍ଧ ପାଠ୍ୟ ବିଷୟ ବା ‘କରିକୁଲମ୍’ ହୋଇ ପାରିନାହିଁ; ଅଥଚ ସେହି ସବୁ ଶିକ୍ଷାୟତନରେ ଅଫୁରନ୍ତ ସର୍ଜନା ଶକ୍ତିର ଅଧିକାରୀ ଓ ବିରଳ ‘ଉଦ୍ଭାବନ-ସାମର୍ଥ୍ୟ’ ଧାରଣକାରୀ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ରୁଣ୍ଡ ହୋଇଛନ୍ତି। କେବଳ ସେତିକି ହୋଇଥିଲେ ଅନେକ ତରୁଣ ଓ ବିରଳ ଶ୍ରେଣୀୟ ଭାରତୀୟ ଉଦ୍ଭାବନକାରୀଙ୍କ ମଧ୍ୟରୁ ‘ଆଇ.ଆଇ.ଟି. ଡ୍ରପ୍ଆଉଟ୍’ମାନେ ଦିଶନ୍ତେ ନାହିଁ; ଯେମିତି ଅର୍ଜୁନ ମୁଖାର୍ଜୀ, ଯାହାଙ୍କ ଉଦ୍ଭାବିତ ପାଣି ‘ଫିଲଟର’ ଯାହା ବିନା ବିଜୁଳି ଓ ବିନା ରାସାୟନିକ ଦ୍ରବ୍ୟରେ ବୋର୍-ୱେଲର ଘାତକ ଭାବେ ପ୍ରଦୂଷିତ ଜଳକୁ ବିଶୁଦ୍ଧ ପାନୀୟ ଜଳରେ ପରିଣତ କରି ଅସଂଖ୍ୟ ଭାରତୀୟ ଗ୍ରାମବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଘଟାଇ ପାରିଛି। ପ୍ରକାଶ ଥାଉ କି ଏହିଭଳି ଅନେକଙ୍କ ଭିତରୁ ଅର୍ଜୁନ ମାତ୍ର ଗୋଟିଏ ଦୃଷ୍ଟାନ୍ତ। କହିବା ବାହୁଲ୍ୟ ଯେ ‘ଉଦ୍ଭାବନ’କୁ ଆନୁଷ୍ଠାନିକ ପ୍ରୋତ୍ସାହନ ଦେବାର ଅର୍ଥ ଆତ୍ମନିର୍ଭରଶୀଳତା, ଉଦ୍ୟୋଗ ସ୍ଥାପନ ଏବଂ ସେହି କ୍ରମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏକ ବଡ଼ ପଦକ୍ଷେପ। ସେହିଭଳି ସାଂପ୍ରତିକ ଜୀବନରେ ‘ଡିଜିଟାଲ୍’ ପ୍ରଯୁକ୍ତିର ସର୍ବ ବିଦ୍ୟମାନତା ଦୃଷ୍ଟିରୁ ‘ସାଇବର ସିକ୍ୟୁରିଟି’ ପାଠ୍ୟକ୍ରମର ବିପୁଳ ଚାହିଦା ରହିଛି, ଅଥଚ ଆମ ଦେଶରେ ସେ ସଂପର୍କିତ ଶିକ୍ଷା ଓ ଗବେଷଣା ମାମୁଲି ସ୍ତରର। ଭାରତରତ୍ନ ଦ୍ବାରା ସମ୍ମାନିତ ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ ପ୍ରଫେସର ସି.ଏନ.ଆର. ରାଓଙ୍କ ଏକ ଖେଦୋକ୍ତି ଥିଲା ଏହା ଯେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପୁରୁଣା ଏବଂ ଅନେକ ସ୍ଥଳେ ଅଚଳ ବିଷୟର ଶିକ୍ଷାଦାନରୁ ଏ ଯାବତ୍ ଅବ୍ୟାହତି ନେଇ ନାହାନ୍ତି। ହୁଏତ ସେହି କାରଣରୁ ଭାରତୀୟ ଅଭିଭାବକମାନଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ‘ଟେନଲ ଭିଜନ୍’ ବା ‘ସୁଡ଼ଙ୍ଗ ଦୃଷ୍ଟିପଥ’ ଭଳି ସଂକୁଚିତ ହୋଇଛି, ଯହିଁରେ ଇଂଜିନିଅରିଂ ବା ଏମ୍.ବି.ଏ. ହିଁ ପରିତ୍ରାଣର ଏକମାତ୍ର ମାଧ୍ୟମ ଭଳି ପ୍ରତୀତ ହେଉଛି। ସଂପ୍ରତି ପର୍ଯ୍ୟଟନ, ବିମାନ ଚଳାଚଳ, ହସ୍ପିଟାଲିଟି ବା ଆତିଥେୟତା ପ୍ରଦାନ, ସ୍ବାସ୍ଥ୍ୟ ରକ୍ଷା ଏବଂ ପୌଷ୍ଟିକତା ଭଳି କେତେକ କ୍ଷେତ୍ର ନିଯୁକ୍ତିର ନୂତନ ସମ୍ଭାବନା ସୃଷ୍ଟି କଲାଣି। ସଂପ୍ରତି ଜଣେ ପ୍ରଶିକ୍ଷିତ ପାଚକ (ସେଫ୍) କୌଣସି ତାରକା ହୋଟେଲରେ ବା ଜଣେ ତାଲିମପ୍ରାପ୍ତ ବିମାନ ପରିଚାରକ କୌଣସି ବିମାନ ସେବା ଉଦ୍ୟୋଗରେ ସମ୍ମାନାସ୍ପଦ ବେତନ ସହିତ ନିଯୁକ୍ତି ପାଇବା ଅଧିକ ସହଜସାଧ୍ୟ ହେଲାଣି; ଯହିଁରେ ଶିକ୍ଷା ଲାଭ କରି ଡିଗ୍ରି ପାଇବା ଇଂଜିନିଅରିଂ ବା ମେଡିକାଲ ବା ମ୍ୟାନେଜମେଣ୍ଟ ଶିକ୍ଷା ତୁଳନାରେ ଅନେକ ଗୁଣ ଶସ୍ତା ମଧ୍ୟ! ସୁତରାଂ, ଉଭୟ ଛାତ୍ରଛାତ୍ରୀ ଏବଂ ଏ ସଂଦର୍ଭରେ ଅଭିଭାବକମାନଙ୍କ ଦୃଷ୍ଟିପଥ ଅଧିକ ପ୍ରଶସ୍ତ ହେବା ମଧ୍ୟ ଆବଶ୍ୟକ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆମ ଦେଶେର ଶିକ୍ଷାର ସ୍ତର ସହିତ ନିଯୁକ୍ତିର ଗରିମା ମଧ୍ୟ ଯୋଡ଼ି ହୋଇ ରହିଥାଏ, ଯାହା ପାଶ୍ଚାତ୍ୟ ଦେଶମାନଙ୍କରେ ନାହିଁ; ଯେଉଁଠି ନିଯୁକ୍ତିର ସ୍ତର ନେଇ ସାମାଜିକ ବିଦ୍ବେଷ ନ ଥାଏ। ଭାରତରେ ଏହି କାରଣରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଆଶାନୁରୂପକ ନ ହେଲେ ନିଯୁକ୍ତି ସ୍ବୀକାର କରି ନ ଥାଆନ୍ତି। ଯଦି ସାଧୁତା ଓ ନିଷ୍ଠାର ସହିତ କୌଣସି କାର୍ଯ୍ୟ ସଂପାଦନ ଗୁରୁତ୍ବ ଲାଭ କରନ୍ତା, ତେବେ ହୁଏତ ନିଯୁକ୍ତିହୀନତାର ଦୃଶ୍ୟପଟରେ କିଛି ପରିବର୍ତ୍ତନ ଆସନ୍ତା! କିନ୍ତୁ ଏଥି ଲାଗି ଏକ ଭୂଚଳନତୁଲ୍ୟ ଆଭିମୁଖ୍ୟଗତ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହା ସମ୍ଭବ ହେବା ହୁଏତ ସମୟସାପେକ୍ଷ। ଆମ ବହୁ ପରିଚିତ ଲୋକଥାରେ ଯେଉଁ ଶାସ୍ତ୍ରଜ୍ଞ ବ୍ରାହ୍ମଣ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ଶାସ୍ତ୍ରଜ୍ଞାନ ବିବର୍ଜିତ ନାଉରୀର ବାର’ଣା ଜୀବନ ନଷ୍ଟ ହୋଇଛି ବୋଲି ତାଚ୍ଛଲ୍ୟ କରିଥିଲେ; ଡଙ୍ଗାଟି ଅଗତ୍ୟା ବୁଡ଼ିଗଲା ବେଳେ ସେ ନିଶ୍ଚିତ ହୃଦୟଙ୍ଗମ କରିଥିବେ ଯେ ନାଉରୀ ଭଳି ସନ୍ତରଣ ଜ୍ଞାନ ଟିକକ ଥିଲେ ତାଙ୍କ ଷୋହଳ’ଣା ଜୀବନ ଚାଲି ଯିବାର ସ୍ଥିତି ଉପୁଜି ନ ଥାଆନ୍ତା। କାହାଣୀକୁ ସେଇଠାରେ ସମାପ୍ତ ନ କରି ଟିକିଏ ସଂପ୍ରସାରଣ କଲେ ହୁଏତ ଆମେ ପାଇବା ବ୍ରାହ୍ମଣଙ୍କ ସୁଯୋଗ୍ୟ ସନ୍ତାନକୁ, ଯିଏ ଉଚ୍ଚ ଡିଗ୍ରିର ପାଣ୍ଡିତ୍ୟ ସହିତ ସନ୍ତରଣ ବିଦ୍ୟାରେ ମଧ୍ୟ ଦକ୍ଷତା ହାସଲ କରିଥିବ; କାରଣ ସେ ଜାଣେ ଯେ ଯୋଗ୍ୟତମ ହେବାକୁ ହେଲେ ସମୟ, ପରିବେଶ ଏବଂ ପରିସ୍ଥିତି ଉପଯୋଗୀ ହେବାକୁ ପଡ଼ିଥାଏ।