ଏହି ନିର୍ବାଚନରେ ପ୍ରିୟଙ୍କାଙ୍କୁ ଲଢ଼ିବାକୁ ସୁଯୋଗ ଦିଆ ଯାଇନାହିଁ, ଯଦିଓ ସେ ଦଳର ସାଧାରଣ ସଂପାଦକ ଏବଂ ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ନିୟୋଜିତ ମଧ୍ୟ। ଏହା ମଧ୍ୟ ଉତ୍ତମ ବିବେଚନାବୋଧର ପରିଚୟ ଦେଇଥାଏ। ଏହା ଦ୍ବାରା ସେ କେବଳ ନିର୍ବାଚନ ପ୍ରଚାର ଦାୟିତ୍ବରେ ହିଁ ସଂପୂର୍ଣ୍ଣ ବ୍ରତୀ ହୋଇ ରହିବେ। ଏହା ମଧ୍ୟ ସତ ଯେ ତାଙ୍କ ପ୍ରାର୍ଥିତ୍ବ ସହିତ ବିଜେପି ପକ୍ଷରୁ ଗାନ୍ଧୀ ବଂଶବାଦକୁ ନେଇ ଟୀକା ଓ ଟିପ୍ପଣୀର ଝଡ଼ ଉଠିଥାଆନ୍ତା; ଯହିଁରେ ଏବେ କିଛିଟା ବିରାମ ଲାଗିବ। ପ୍ରକାରାନ୍ତରେ ଏହା କଂଗ୍ରେସ ଲାଗି ଅନେକଟା ଆଶ୍ବସ୍ତିକର ହେବ।
ସମସ୍ତ ଉତ୍କଣ୍ଠାର ଅବସାନ ଘଟାଇ ଉତ୍ତର ପ୍ରଦେଶର ଦୁଇ ଲୋକସଭା ଆସନ ଆମେଥି ଓ ରାଏବରେଲୀ ସକାଶେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ନାମ ଘୋଷିତ ହୋଇ ସାରିଛି ଏବଂ ତାହା ଏବେ ରାଷ୍ଟ୍ରବ୍ୟାପୀ ଆଲୋଚନାର କେନ୍ଦ୍ର ପାଲଟିଛି। ଏହା ସୁବିଦିତ ଯେ ଏହି ଦୁଇ ଆସନ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ କାଳ ଧରି ଗାନ୍ଧୀ ପରିବାରର ଦୁର୍ଗ ଭାବେ ପରିଚିତ ଥିଲେ, ଯଦିଓ ୨୦୧୯ ନିର୍ବାଚନରେ ରାହୁଳ ଗାନ୍ଧୀଙ୍କ ପରାଜୟ ସହିତ ଆମେଥିର ଦୁର୍ଗଟି ଧସି ପଡ଼ିବାର ସଂକେତ ପ୍ରଦାନ କରିଥିଲା! ତେଣୁ ପ୍ରାର୍ଥିତ୍ବ ଘୋଷଣା ପୂର୍ବରୁ ଉତ୍କଣ୍ଠାପୂର୍ଣ୍ଣ ପ୍ରଶ୍ନ ଥିଲା ଯେ ଚଳିତ ନିର୍ବାଚନରେ ରାହୁଳ ଗାନ୍ଧୀ ପୁନର୍ବାର ଆମେଥିରୁ ପ୍ରାର୍ଥୀ ହେବେ ନା ନାହିଁ? ସେହିଭଳି ରାଏବରେଲୀ ଦୁର୍ଗର କର୍ତ୍ତ୍ରୀ ସୋନିଆ ଗାନ୍ଧୀ ତାଙ୍କ ଅସୁସ୍ଥତା କାରଣରୁ ନିର୍ବାଚନ ରଣାଙ୍ଗନରୁ ଅବ୍ୟାହତି ନେବା ବିଷୟ ସ୍ପଷ୍ଟ କରିବା ପରେ ପଚରା ଯାଉଥିଲା ଯେ ତାଙ୍କ ସ୍ଥାନରେ କନ୍ୟା ପ୍ରିୟଙ୍କା ଗାନ୍ଧୀ-ଭଦ୍ରା ନିର୍ବାଚନରେ ଅବତୀର୍ଣ୍ଣ ହେବେ କି? ପୁଣି ଆସନ ଦ୍ବୟରେ ପ୍ରାର୍ଥୀ ଘୋଷଣା କରିବାରେ ପ୍ରଦର୍ଶିତ ମାତ୍ରାଧିକ ବିଳମ୍ବ କାରଣରୁ ଏକ ଧାରଣା ଜନ୍ମିଥିଲା ଯେ କଂଗ୍ରେସ ଏକ ନିଷ୍ପତ୍ତି-ସଂକଟ ଦେଇ ଗତି କରୁଥିବ! କାରଣ ଅନେକଙ୍କ ଦୃଷ୍ଟିରେ ଏହି ଆସନ ଦ୍ବୟରେ କୌଣସି ଅଣ-ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯିବାର ଅର୍ଥ ହେଉଛି ଯୁଦ୍ଧ ପୂର୍ବରୁ ପରାଜୟ ବରଣ କରିନେବା ଏବଂ ଅପର ପକ୍ଷରେ କୌଣସି ଗାନ୍ଧୀ ଯଦି ନିର୍ବାଚନ ଲଢ଼ି ପରାଜିତ ହୁଅନ୍ତି, ତେବେ ତା’ର ଅର୍ଥ ହେବ ଖାନଦାନର ସମ୍ମାନକୁ ଭୂଲୁଣ୍ଠିତ କରିବା। ସୁତରାଂ, ଏଭଳି ପ୍ରଶ୍ନ, ଅନୁମାନ ଓ ସମ୍ଭାବନା ପରିପ୍ରେକ୍ଷୀରେ ଆସନ ଦୁଇଟି ସକାଶେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ସ୍ବାଭାବିକ ଭାବେ ଉଷ୍ମ ଆଲୋଚନା ଲାଗି ଖାଦ୍ୟ ଯୋଗାଇଛି।
ପ୍ରକାଶ ଥାଉ କି ଦୀର୍ଘ ସତଚାଳିଶ ବର୍ଷ ପରେ ଆମେଥି ଏକ ଗାନ୍ଧୀ-ଶୂନ୍ୟ ଲୋକସଭା ନିର୍ବାଚନ ପ୍ରତ୍ୟକ୍ଷ କରିବାକୁ ଯାଉଛି; ଯହିଁରେ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ ଶର୍ମା; ବିଶେଷ ଉଚ୍ଚାକାଂକ୍ଷା ପୋଷଣ କରୁ ନ ଥିବା ଜଣେ ନିତାନ୍ତ କଂଗ୍ରେସ ଏବଂ ଗାନ୍ଧୀ ପରିବାର ଅନୁଗତ ବ୍ୟକ୍ତି। ୧୯୮୦ ମସିହା ନିର୍ବାଚନରେ ସଞ୍ଜୟ ଗାନ୍ଧୀଙ୍କ ଠାରୁ ୨୦୧୯ ମସିହାରେ ରାହୁଳ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଆମେଥି ଗାନ୍ଧୀ ପରିବାରକୁ ଅପରାଜେୟ କରି ରଖିଥିଲା। ୨୦୦୪ ମସିହାରେ ରାହୁଳ ଗାନ୍ଧୀ ଅନତିକ୍ରମ୍ୟ ଜନ ସମର୍ଥନ ସହିତ ଆମେଥିରୁ ତାଙ୍କ ରାଜନୈତିକ ଜୀବନର ଶୁଭାରମ୍ଭ କରିଥିଲେ। କିନ୍ତୁ, ୨୦୦୯ ମସିହାରୁ ତାଙ୍କ ଜନାଧାର କ୍ରମାଗତ ଭାବେ କ୍ଷୟିଷ୍ଣୁ ହୋଇ ଚାଲିଲା; ୨୦୦୯ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଠାରୁ ୩ ଲକ୍ଷ ୪୦ ହଜାର ଭୋଟର ବ୍ୟବଧାନ ହ୍ରାସମାନ ହୋଇ ୨୦୧୪ ମସିହାରେ ବିଜେପିର ସ୍ମୃତି ଇରାନୀଙ୍କ ବିପକ୍ଷରେ ୧ ଲକ୍ଷ ୬୦ ହଜାରରେ ପହଞ୍ଚିଥିଲା ଏବଂ ୨୦୧୯ ମସିହା ନିର୍ବାଚନରେ ତାହା ବିଯୁକ୍ତାତ୍ମକ ହୋଇ ସ୍ମୃତି ଇରାନୀଙ୍କ ଠାରୁ ୫୫ ହଜାର ଭୋଟ ପଛରେ ରହିଥିଲା। ପରାଜୟ ପରେ ରାହୁଳ ଗାନ୍ଧୀ ଆମେଥିକୁ ଏକ ପ୍ରକାର ପରିତ୍ୟାଗ କରି ଦେଇଥିବାରୁ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏଇ ନିର୍ବାଚନରେ ତାଙ୍କ ପରାଜୟ ସୁନିଶ୍ଚିତ ହୁଅନ୍ତା! ସେହି ଦୃଷ୍ଟିରୁ ଦଳ ପକ୍ଷରୁ ଏହା ଯେ ଏକ ବିବେଚନାପୂର୍ଣ୍ଣ ନିଷ୍ପତ୍ତି, ତହିଁରେ ସନ୍ଦେହ ନାହିଁ। ବରଂ, ରାଏବରେଲୀ ଏକ ଅପେକ୍ଷାକୃତ ଅଧିକ ସୁରକ୍ଷିତ ଦୁର୍ଗ, ଯାହା ୧୯୫୨ ମସିହାରେ ଫିରୋଜ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ଦେଇ ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଗାନ୍ଧୀ ପରିବାରକୁ ଲଗାତର ବିଜୟ ପ୍ରଦାନ କରି ଆସିଛି। ଯଦିଓ ଏହା ସତ ଯେ ୨୦୧୪ ମସିହା ନିର୍ବାଚନରେ ସୋନିଆ ଲାଭ କରିଥିବା ୫୫ ପ୍ରତିଶତର ଭୋଟ ଅଂଶ ଅବକ୍ଷୟ କ୍ରମରେ ୨୦୧୯ ମସିହା ବେଳକୁ ୩୩ ପ୍ରତିଶତରେ ପହଞ୍ଚିଥିଲା, ତଥାପି ପ୍ରଣିଧାନଯୋଗ୍ୟ ବିଷୟ ହେଲା ୨୦୧୯ ମସିହାରେ ବିଜେପିର ଉତ୍ତାଳ ତରଙ୍ଗ ସମଗ୍ର ଉତ୍ତରପ୍ରଦେଶକୁ ମଗ୍ନ କରି ଦେଇଥିବା ସ୍ଥଳେ ରାଏବରେଲୀ ଏକମାତ୍ର କଂଗ୍ରେସ ଟାପୁ ଭାବେ ମୁଣ୍ଡ ଟେକି ରହିଥିଲା। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ରାଏବରେଲୀ ଏବେ ବି ଏକ ଭିନ୍ନ କାଳଖଣ୍ଡରେ ଆତଯାତ ହେଉଥିବା ଭଳି ମନେ ହୁଏ, ଯେଉଁଠି ସାଧାରଣ ଲୋକେ କଥା ଓ କିଂବଦନ୍ତିରେ ନେହରୁ ବା ଫିରୋଜ ବା ଇନ୍ଦିରାଙ୍କ ବିଷୟ କହିଥାଆନ୍ତି। ଅବଶ୍ୟ, ବିଜେପିର ପ୍ରାର୍ଥୀ ଦୀନେଶ ପ୍ରସାଦ ସିଂହ ଜଣେ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ଏବଂ ବିଏସ୍ପିର ପ୍ରାର୍ଥୀ ଜଣକ କଂଗ୍ରେସ ଜନାଧାରରେ କ୍ଷତ ସୃଷ୍ଟି କରିବାର ସମ୍ଭାବନା ରହିଛି, ତଥାପି ଉତ୍ତରପ୍ରଦେଶର କଂଗ୍ରେସ-ମରୁ ବାତାବରଣରେ ରାହୁଳଙ୍କ ସକାଶେ ରାଏବରେଲୀରେ ତଥାପି କିଛି ଆଶା ଉଜ୍ଜୀବିତ ରହିଛି!
ଦେଖିବାକୁ ମିଳୁଛି ଯେ କଂଗ୍ରେସର ପ୍ରାର୍ଥିତ୍ବ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ରାହୁଳ ଗାନ୍ଧୀଙ୍କୁ ଭୀତତ୍ରସ୍ତ ପଳାତକ ରୂପେ ବିଦ୍ରୂପ କରାଯାଉଛି। କିନ୍ତୁ, ସତ କହିଲେ ପରାଜୟ ଅବଶ୍ୟମ୍ଭାବୀ ଜାଣି ଆମେଥିରେ ନିର୍ବାଚନ ଲଢ଼ିବା ଏକ ଦୁଃସାହସ ହୁଅନ୍ତା ନାହିଁ କି? ସେଠାରେ ରାହୁଳ ଛିଡ଼ା ହୋଇଥିଲେ ଦଳ ପକ୍ଷରୁ କଳ, ବଳ ଓ କୌଶଳର ଯେଉଁ ବିପୁଳ ବିନିଯୋଗ କରାଯାଆନ୍ତା, ତାହା ଅଗତ୍ୟା ଫଳହୀନ ଏପରିକି ମୂଢ଼ପ୍ରାୟ ଲାଗନ୍ତା ନାହିଁ କି? ଅନେକଙ୍କ ମତରେ ଆମେଥି ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆସନର ଦାୟିତ୍ବ ଗାନ୍ଧୀ ପରିବାର ଠାରୁ ଚାଲିଯାଇ ଜଣେ ସାଧାରଣ କଂଗ୍ରେସ କର୍ମୀଙ୍କ କୋଳରେ ପଡ଼ିବା ଏକ ସକାରାତ୍ମକ ସଂକେତ। ଜଣେ ବିଶ୍ବସ୍ତ ତୃଣମୂଳସ୍ତରୀୟ ପଦାତିକଙ୍କୁ ଏହା ଏକ ପୁରସ୍କାର ତୁଲ୍ୟ! କିନ୍ତୁ ଅପର ପକ୍ଷରେ ଏହା ସ୍ମୃତି ଇରାନୀଙ୍କ ଉତ୍ସାହରେ ଭଟ୍ଟା ପକାଇଥିବ! କାରଣ ରାହୁଳ ଗାନ୍ଧୀଙ୍କୁ ଦ୍ବିତୀୟ ବାର ପଦାନତ କରିବାର ଗୌରବରୁ ସେ ଅଗତ୍ୟା ବଞ୍ଚିତ ହେଲେ! ରାହୁଳଙ୍କ ସ୍ଥାନରେ ବିକଳ୍ପ ଭାବେ ଅନ୍ୟ କୌଣସି ଦିଗ୍ଗଜ ଜାତୀୟ ସ୍ତରୀୟ େନତାଙ୍କ ଉପସ୍ଥିତି ତାଙ୍କୁ ହୁଏତ କିଛି ସାନ୍ତ୍ବନା ପ୍ରଦାନ କରିଥାଆନ୍ତା; ତାହା ମଧ୍ୟ ହୋଇପାରିନାହିଁ। ଯଦିବା ସ୍ମୃତି ଇରାନୀ ବିଜୟୀ ହୁଅନ୍ତି (ବିଜୟୀ ହେବା ପ୍ରାୟ ସୁନିଶ୍ଚିତ), ତହିଁରେ ଆଉ ବିଶେଷ ଚମକ ମଧ୍ୟ ରହିବ ନାହିଁ।
ଏହି ନିର୍ବାଚନରେ ପ୍ରିୟଙ୍କାଙ୍କୁ ଲଢ଼ିବାକୁ ସୁଯୋଗ ଦିଆ ଯାଇନାହିଁ, ଯଦିଓ ସେ ଦଳର ସାଧାରଣ ସଂପାଦକ ଏବଂ ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ନିୟୋଜିତ ମଧ୍ୟ। ଏହା ମଧ୍ୟ ଉତ୍ତମ ବିବେଚନାବୋଧର ପରିଚୟ ଦେଇଥାଏ। ଏହା ଦ୍ବାରା ସେ କେବଳ ନିର୍ବାଚନ ପ୍ରଚାର ଦାୟିତ୍ବରେ ହିଁ ସଂପୂର୍ଣ୍ଣ ବ୍ରତୀ ହୋଇ ରହିବେ। ଏହା ମଧ୍ୟ ସତ ଯେ ତାଙ୍କ ପ୍ରାର୍ଥିତ୍ବ ସହିତ ବିଜେପି ପକ୍ଷରୁ ଗାନ୍ଧୀ ବଂଶବାଦକୁ ନେଇ ଟୀକା ଓ ଟିପ୍ପଣୀର ଝଡ଼ ଉଠିଥାଆନ୍ତା; ଯହିଁରେ ଏବେ କିଛିଟା ବିରାମ ଲାଗିବ। ପ୍ରକାରାନ୍ତରେ ଏହା କଂଗ୍ରେସ ଲାଗି ଅନେକଟା ଆଶ୍ବସ୍ତିକର ହେବ।
ରାହୁଳ ଗାନ୍ଧୀଙ୍କ ସକାଶେ କେରଳର ୱାୟନାଡ଼ ଆସନଟି ଅତ୍ୟନ୍ତ ସୁରକ୍ଷିତ ବୋଲି ଧରି ନିଆଯାଏ। ତେବେ, ଯଦି ସେ ରାଏବରେଲୀରୁ ବିଜୟ ଲାଭ କରନ୍ତି, ତେବେ ଗୋଟିଏ ଆସନକୁ ପରିତ୍ୟାଗ କରିବାର ବାଧ୍ୟବାଧକତା କ୍ରମେ ସେ ୱାୟନାଡ଼କୁ ଛାଡ଼ିଦେବା ହିଁ ବିଜ୍ଞତାପୂର୍ଣ୍ଣ ହେବ। କାରଣ, ତ୍ତତ୍ତରପ୍ରଦେଶରେ ସମସ୍ତ ରାଜନୈତିକ ପ୍ରତିକୂଳତା ସତ୍ତ୍ବେ ରାଏବରେଲୀରେ ବିଜୟ ତାଙ୍କୁ ସେହି ଆସନ ଓ ଜନସାଧାରଣଙ୍କ ପ୍ରତି କୃତଜ୍ଞତାରେ ଦ୍ରବୀଭୂତ କରିବା ଉଚିତ, ଯେଉଁଠି ଅଧିକ ଶ୍ରମ ଓ ସମୟ ବିନିଯୋଗ କରି ସେ ତାକୁ ନିଜର ଏକ ଦୁର୍ଭେଦ୍ୟ ଦୁର୍ଗରେ ପରିଣତ କରିପାରିବେ। ଏବଂ ୱାୟନାଡ଼ ଆସନ ଛାଡ଼ିବା ପରେ ଅନୁଷ୍ଠିତ ଉପନିର୍ବାଚନରେ ଯଦି ପ୍ରିୟଙ୍କା ପ୍ରାର୍ଥୀ ହୁଅନ୍ତି ଏବଂ ବିଜୟୀ ହୁଅନ୍ତି, ତେବେ ଭବିଷ୍ୟତ୍ରେ ୱାୟନାଡ଼ ମଧ୍ୟ ଗାନ୍ଧୀ ପରିବାରର ଆଉ ଏକ ଦୁର୍ଗରେ ପରିଣତ ହେବ। ଦୁର୍ଗଗୁଡ଼ିକୁ ଧରି ରଖି ପାରିବାର କଳା ଯଦି ଉଭୟ ଭ୍ରାତା ଓ ଭଗିନୀ ଆୟତ୍ତ କରି ପାରନ୍ତି, ତେବେ ହୁଏତ ଉତ୍ତର ଭାରତ ଏବଂ ଦାକ୍ଷିଣାତ୍ୟରେ ଗାନ୍ଧୀ ପରିବାରର ଦୁଇଟି ଦୁର୍ଗ ଦିଶି ପାରେ!