ସଂପ୍ରତି ଦଳୀୟ ମୁଖପାତ୍ର ଭାବେ ଯେଉଁମାନଙ୍କୁ ଦଳଗୁଡ଼ିକ ପକ୍ଷରୁ ଚୟନ କରାଯାଉଛି, ସେମାନେ କିଭଳି ରୁକ୍ଷ ଓ ଅସହିଷ୍ଣୁ ତାହା ସେମାନଙ୍କୁ ଶୁଣିବା ମାତ୍ରକେ ହୃଦୟଙ୍ଗମ କରି ହୋଇଥାଏ। କିନ୍ତୁ ବିଖ୍ୟାତ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଦ୍ବାରା ଠିକଣା ଭାବେ ପରିଭାଷିତ ହୋଇଥିବା ‘ତର୍କ ପ୍ରିୟ’ ଭାରତୀୟମାନେ ଏଭଳି କଣ୍ଠରୋଧର ପ୍ରୟାସକୁ ଅଧିକ କାଳ ଧରି ବରଦାସ୍ତ କରି ପାରନ୍ତି କି? ଏହାର ଉତ୍ତର ନିଶ୍ଚିତ ଭାବେ ନାସ୍ତିବାଚକ। ଏହା ଦେଖିବାକୁ ମିଳିଥିଲା ଇନ୍ଦିରା ଗାନ୍ଧୀଙ୍କ ଇମର୍ଜେନ୍‌ସି ପରେ! ସଂପ୍ରତି ଜାତୀୟ ସ୍ତରରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପଛରେ ମଧ୍ୟ ଏହାକୁ ଏକ କାରଣ ରୂପେ ଦେଖାଯାଉଛି, ଯହିଁରେ ସରକାର ବିରୋଧୀ ସମାଲୋଚନାକୁ ପଦାନତ କରିବା ଲାଗି ସରକାର ପ୍ରବଳ ଉଦ୍ୟମରତ ହେଉଥିଲା। ଆମ ରାଜ୍ୟରେ ମଧ୍ୟ ତାହା ହିଁ ଘଟିଛି; ସେହି ଶାଣିତ ସମାଲୋଚନାର ସ୍ବରକୁ ନିରବ କରିଦେବାର ପ୍ରଚେଷ୍ଟା ନବୀନ ସରକାରଙ୍କୁ ଅପଦସ୍ଥ କରିଛି। ସୁତରାଂ, ଏଭଳି ଦୃଶ୍ୟାନ୍ତର!

Advertisment

ଏହି ନିର୍ବାଚନରେ ଆମ ରାଜ୍ୟରେ ଏକ ବିରଳ କୀର୍ତ୍ତିମାନ ସ୍ଥାପିତ ହୋଇପାରିଲା ନାହିଁ, ଯାହା ହୋଇଥିଲେ ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠ ଥର ସକାଶେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ ଏବଂ ଖୁବ୍‌ ସମ୍ଭବ ଏଭଳି ଏକ ରେକର୍ଡ ଅନେକ କାଳ ଯାଏ ଅନତିକ୍ରମ୍ୟ ହୋଇ ରହିଥାଆନ୍ତା! ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଅଗଣିତ ଓଡ଼ିଶାବାସୀ, ଯେଉଁମାନେ ପୂର୍ବର ପାଞ୍ଚ ପାଳିରେ ଏବଂ ବିଶେଷ କରି ୨୦୧୪ ଓ ୨୦୧୯ ମସିହାରେ ନରେନ୍ଦ୍ର ମୋଦୀଙ୍କ ଉତ୍ତାଳ ତରଙ୍ଗ କାଳରେ ଓ ମାତ୍ର ଦୁଇ ବର୍ଷ ତଳେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ‘ବିଜୁ ଜନତା ଦଳ’ ବା ‘ବିଜେଡି’ର ଅପରାଜେୟ ପ୍ରଦର୍ଶନର ଧାରା ପ୍ରତ୍ୟକ୍ଷ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ସୁନିଶ୍ଚିତ ଥିବେ ଯେ ୨୦୨୪ ନିର୍ବାଚନରେ ତାହାର ପୁନରାବୃତ୍ତି ଘଟିବ, ଯଦିଓ ଦଳର ଚମକ ଅନେକାଂଶରେ ମଳିନ ପଡ଼ିଥିବାର ସ୍ପଷ୍ଟ ଧାରଣା ମିଳୁଥିଲା! ସେହି ଦୃଷ୍ଟିରୁ ନିର୍ବାଚନର ଫଳାଫଳ ଅଧିକାଂଶଙ୍କ ଲାଗି ଅତ୍ୟନ୍ତ ଅପ୍ରତ୍ୟାଶିତ ହୋଇଥିବ ଯହିଁରେ ରାଜ୍ୟ ଇତିହାସରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂ‌େପ ସ୍ବୀକୃତ ନବୀନ ପଟ୍ଟନାୟକ ସ୍ବୟଂ କଂଟାବାଞ୍ଜି ଆସନରେ ପରାସ୍ତ ହେବା ସହିତ ନିଜ ପାରଂପରିକ ଆସନ ହିଞ୍ଜିଳିରେ ଏକ ଅସମ୍ମାନଜନକ ମାତ୍ର ୪,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୧୯ ମସିହା ନିର୍ବାଚନରେ ମିଳିଥିବା ଆସନ ସଂଖ୍ୟାର ଅର୍ଧେକରୁ କମ୍‌ରେ ହିଁ ଅଗତ୍ୟା ଦଳ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି। ଏଭଳି ଏକ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଉପଲବ୍‌ଧ ଶିକ୍ଷା, ସଂକେତ ଓ ଇଙ୍ଗିତଗୁଡ଼ିକୁ ଚିହ୍ନିବା ଓ ବୁଝିବା ଜରୁରୀ ଭଳି ମନେ ହୋଇଥାଏ।
ପ୍ରାୟତଃ ଦେଖାଯାଇଥାଏ ଯେ କୌଣସି ରାଜନୈତିକ ଦଳ କ୍ରମାଗତ ଭାବେ ଦୁଇଟି ପାଳି କ୍ଷମତାରୂଢ଼ ହୋଇଗଲେ ଜନସାଧାରଣଙ୍କ ମଧ୍ୟରେ ସରକାର ବିରୋଧୀ ମୃଦୁ ଧୈର୍ଯ୍ୟହୀନତା ଏପରିକି ବିରକ୍ତି ସୃଷ୍ଟି ହୋଇଥାଏ, ଯାହା ତୀବ୍ର ହେଲେ ପରିବର୍ତ୍ତନକାମୀ ମତଦାନରେ ପ୍ରତିଫଳିତ ହୋଇଥାଏ। ଏଭଳି ସ୍ଥଳେ ପାଞ୍ଚ ପାଳି ଧରି କ୍ଷମତାସୀନ ରହିଥିବା ଏକ ରାଜନୈତିକ ଦଳ ତା’ର ଆଭିମୁଖ୍ୟରେ ଅହଂକାର ଓ ହେୟମନ୍ୟତା ପରିବର୍ତ୍ତେ ଯେ ମାପଚୁପ ବିନମ୍ରତା ତଥା ଆଚରଣ ଓ ଉଚ୍ଚାରଣରେ ସୂକ୍ଷ୍ମ ସତର୍କତା ପ୍ରଦର୍ଶନ କରିବା ଏକାନ୍ତ ବାଂଛନୀୟ, ଏହା ଏକ ସାଧାରଣ ଜ୍ଞାନର କଥା। କିନ୍ତୁ, ବିଜେଡି ସରକାର ସେହି ଭଳି ବିବେଚନାପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା କି? ନିରଙ୍କୁଶ ନିର୍ବାଚନୀ ବିଜୟର ଧାରା କାରଣରୁ ଦଳ ପକ୍ଷରୁ ଭୋଟରମାନଙ୍କୁ ବଶୀଭୂତ ମେଣ୍ଢା ପଲ ବୋଲି ଧରି ନିଆଯାଇଥିଲା କି? ଅନେକ ବିଜେଡି ସମର୍ଥକ ଏଭଳି ମନ୍ତବ୍ୟ ସହିତ ଏକମତ ହୋଇ ନ ପାରନ୍ତି; କିନ୍ତୁ ଟିକିଏ ସ୍ଥିର ଦୃଷ୍ଟି ନିକ୍ଷେପ କଲେ ଦିଶିଯିବ କିଭଳି ଦଳରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସମ୍ମାନ, ସାମର୍ଥ୍ୟ ଓ ପ୍ରଭାବକୁ ଦଳର ସୁପ୍ରିମୋଙ୍କ ଆଶୀର୍ବାଦପ୍ରାପ୍ତ ଜ‌େଣ ସଚିବ (ସରକାରୀ ଚାକିରିଆ) ସମୂଳ ଅପହରଣ କରି ସେମାନଙ୍କୁ ହୀନବୀର୍ଯ୍ୟ ଓ ସେମାନଙ୍କ ଜନାଧାରକୁ ନିରର୍ଥକ କରି ପକାଇଥିଲେ। ଏହା କ’ଣ ସାବ୍ୟସ୍ତ କରିଥାଏ? ସୁତରାଂ, ନାଗରିକମାନେ ସେହି ପୁରୁଣା ଖୁଆଡ଼ ମଧ୍ୟକୁ ପ୍ରବେଶ କରିବାକୁ ପ୍ରତ୍ୟାଖ୍ୟାନ କରି ଦର୍ଶାଇ ଦେଇଛନ୍ତି ଯେ ସେମାନଙ୍କୁ ବୋଧଶୂନ୍ୟ ମେଷ ଯୂଥ ବୋଲି ବିଚାର କରିବା ଏକ ମୂଢ଼ତା ମାତ୍ର!
କେବଳ ସେହି ରାଜନୈତିକ ଦଳ ନୁହେଁ, ଅନେକ ବୁଦ୍ଧିଜୀବୀ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମଧ୍ୟ ଧରି ନେଇଥିଲେ ଯେ ମାଗଣା ବା ରିହାତି ବଣ୍ଟନ ଜରିଆରେ କେତେକ ସର୍ବନିମ୍ନ ଆବଶ୍ୟକତା ପୂରଣ କରି ସାଧାରଣ ଲୋକଙ୍କୁ ବଶୀଭୂତ କରିଦିଆଯାଇଛି, ଯେଉଁମାନେ ହିଁ ବିଜେଡିର ଭୋଟ ଭଣ୍ଡାର! କିନ୍ତୁ କେବଳ ମାତ୍ର ସର୍ବନିମ୍ନ ଆବଶ୍ୟକତାର ପୂରଣ ମଣିଷ ବଞ୍ଚିବା ସକାଶେ ଯଥେଷ୍ଟ କି? ଯୀଶୁଖ୍ରୀଷ୍ଟଙ୍କ ମୁଖ ନିସୃତ ଏକ ଆପ୍ତବାକ୍ୟସୁଲଭ ବାଣୀ କହି ନ ଥାଏ କି ‘ମ୍ୟାନ ଡଜ୍‌ ନଟ୍‌ ଲିଭ୍‌ ଅନ ବ୍ରେଡ୍‌ ଏଲୋନ୍‌’, ଅର୍ଥାତ୍‌ ମନୁଷ୍ୟ କେବଳ ନିରୋଳା ରୁଟିରେ ବଞ୍ଚି ନ ଥାଏ? ଏହାର ଗୂଢ଼ ଅର୍ଥ ହେଲା ରୁଟି (ସର୍ବନିମ୍ନ ଆବଶ୍ୟକତା) ବଞ୍ଚାଇ ରଖେ ସିନା, ମଣିଷ କେବଳ ତାକୁ ହିଁ ଅବଲମ୍ବନ କରି ବଞ୍ଚି ରହେନାହିଁ। ତେବେ କୌଣସି ହାସ୍ୟ ରସିକ ଯୀଶୁଙ୍କ ଏହି ବାକ୍ୟ ସହିତ ଏକ ଚଟୁଳ ଧାଡ଼ି ଯୋଡ଼ି ଦେଇ କଥାଟିକୁ ଅଧିକ ଅର୍ଥମୟ କରିଛନ୍ତି, ଯାହା କହିଥାଏ: ‘ହି ନିଡ୍‌ସ ବଟର ଠୁ’ ଅର୍ଥାତ୍‌ ରୁଟି ସହିତ ଲହୁଣି ମଧ୍ୟ ଲୋଡ଼ା!; ଯେଉଁଠି ଲହୁଣି ବୋଇଲେ ସ୍ବପ୍ନ, ଆକାଂକ୍ଷା, ସ୍ବାଭିମାନ, ଆଶା ଓ ପ୍ରତ୍ୟାଶା ଇତ୍ୟାଦି। ସେହି ପରିପ୍ରେକ୍ଷୀରେ ସଚିବରୁ ରାଜନେତାରେ ପରିବର୍ତ୍ତିତ ତଥା ନବୀନ ପଟ୍ଟନାୟକଙ୍କ ‘ଚଳନ୍ତି ପ୍ରତିମା’ ରୂପେ ଅାବିର୍ଭୂତ ତାମିଲଭାଷୀ ଭି. କେ. ପାଣ୍ଡିଆନଙ୍କ ଦଳ ଓ ସରକାର ଉପରେ ରହିଥିବା ଅବାଂଛିତ ଓ ସର୍ବବ୍ୟାପୀ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରି ସାଧାରଣ ଭୋଟର ଯେଉଁ ଅସ୍ମିତାର ପ୍ରଦର୍ଶନ କରିଛନ୍ତି, ତାହା ହୁଏତ ଲହୁଣି ସୁଲଭ ସେମାନଙ୍କ ଶୁଖିଲା ଜୀବନକୁ କିଞ୍ଚିତ ରସଯୁକ୍ତ କରିଥିବ! ପ୍ରକାଶ ଥାଉ କି ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ଓଡ଼ିଶାର ରାଜନୀତି କ୍ଷେତ୍ରକୁ ତାଙ୍କ କୁଣ୍ଠିତ ପଦାର୍ପଣ ସତ୍ତ୍ବେ ରାଜ୍ୟବାସୀ ତାଙ୍କୁ ଦୁଇ ଦଶକରୁ ଅଧିକ କାଳ ଧରି ଯେଉଁ ସ୍ବତଃସ୍ଫୂର୍ତ୍ତ, ଅଯାଚିତ ଓ ଅପରିମେୟ ଶ୍ରଦ୍ଧା ଦେଇ ଆସିଥିଲେ, ତାହା ଯେ କୌଣସି ରାଜନେତାଙ୍କ ସକାଶେ ସ୍ବପ୍ନାଭିଳାଷ ତୁଲ୍ୟ ହୁଅନ୍ତା। କିନ୍ତୁ ଏଭଳି ସ୍ଥଳେ ନବୀନ ବାବୁ ଗର୍ଭଗୃହରେ ବିରାଜମାନ କରି ଜଣେ ପ୍ରତିନିଧିଙ୍କୁ ‘ଚଳନ୍ତି ପ୍ରତିମା’ ରୂପେ ପ୍ରଶ୍ରୟ ଦେବା ଏକ ବିବେଚନାଶୂନ୍ୟ କାର୍ଯ୍ୟ ଥିଲା। ଏହି ପରିପ୍ରେକ୍ଷୀରେ ଦୁଇ ‘ଚଳନ୍ତି ପ୍ରତିମା’, ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ଏବଂ ବର୍ତ୍ତମାନ ଭି. କେ. ପାଣ୍ଡିଆନ କେବଳ ହତାଶା ହିଁ ସୃଷ୍ଟି କରିଛନ୍ତି!
ଏଠାରେ ଯାହା ସର୍ବାଧିକ ପ୍ରଣିଧାନଯୋଗ୍ୟ, ତାହା ହେଲା ଗଲା ବର୍ଷ ଅର୍ଥାତ୍‌ ୨୦୨୩ ମସିହାରେ ବିଜୁ ଜନତା ଦଳ ମଧ୍ୟରୁ ଉଠିଥିବା ଏକ ନିର୍ଦ୍ଦିଷ୍ଟ ଓ ଶାଣିତ ସ୍ବର, ଯାହା ଦଳୀୟ ଗଣତନ୍ତ୍ରକୁ ଅନ୍ତଃସାରଶୂନ୍ୟ କରିବାରେ ତଥା ଦଳରେ ଜନପ୍ରତିନିଧିମାନଙ୍କୁ କ୍ଳୀବରେ ପରିଣତ କରିବାରେ ଜଣେ ସଚିବଙ୍କ ଭୂମିକାକୁ ପ୍ରଶ୍ନ ଜର୍ଜର କରିଥିଲା। ତାହାକୁ ଧୈର୍ଯ୍ୟର ସହ ଶୁଣି ସମସ୍ୟା ସୁଧାରିବାର ପ୍ରଚେଷ୍ଟା କରାଯାଇଥିଲେ ହୁଏତ ସ୍ଥିତି ଆଜି ଏଭଳି ଦୟନୀୟ ହୋଇ ନ ଥାନ୍ତା! କିନ୍ତୁ ଏହାର ବିପରୀତରେ ଯାଇ ସେହି ସମାଲୋଚନା ଓ ସମାଲୋଚନାକାରୀଙ୍କ କଣ୍ଠରୋଧ କରାଯିବା ସହିତ ସମୂଳ ନିଶ୍ଚିହ୍ନ କରିଦିଆଯିବାର ଉଦ୍ୟମ ହେଲା। ଅବଶ୍ୟ, ଏଥିରେ ଦ୍ବିମତ ନାହିଁ ଯେ ୨୦୧୪ ମସିହାରୁ ଭାରତରେ ଯେଉଁ ଆକ୍ରମଣାତ୍ମକ ରାଜନୀତିର ପରଂପରା ସୃଷ୍ଟି ହୋଇଛି, ତାହା ରାଜ୍ୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି, ଯହିଁରେ ଶାସକ ଦଳ ଦୃଷ୍ଟିରେ ଯେ କୌଣସି ସମାଲୋଚନା ଅସହନୀୟ ଏବଂ ସମାଲୋଚକ ଦଣ୍ଡ-ଯୋଗ୍ୟ ହୋଇ ଉଠନ୍ତି। ସଂପ୍ରତି ଦଳୀୟ ମୁଖପାତ୍ର ଭାବେ ଯେଉଁମାନଙ୍କୁ ଦଳଗୁଡ଼ିକ ପକ୍ଷରୁ ଚୟନ କରାଯାଉଛି, ସେମାନେ କିଭଳି ରୁକ୍ଷ ଓ ଅସହିଷ୍ଣୁ ତାହା ସେମାନଙ୍କୁ ଶୁଣିବା ମାତ୍ରକେ ହୃଦୟଙ୍ଗମ କରି ହୋଇଥାଏ। କିନ୍ତୁ ବିଖ୍ୟାତ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଦ୍ବାରା ଠିକଣା ଭାବେ ପରିଭାଷିତ ହୋଇଥିବା ‘ତର୍କ ପ୍ରିୟ’ ଭାରତୀୟମାନେ ଏଭଳି କଣ୍ଠରୋଧର ପ୍ରୟାସକୁ ଅଧିକ କାଳ ଧରି ବରଦାସ୍ତ କରି ପାରନ୍ତି କି? ଏହାର ଉତ୍ତର ନିଶ୍ଚିତ ଭାବେ ନାସ୍ତିବାଚକ। ଏହା ଦେଖିବାକୁ ମିଳିଥିଲା ଇନ୍ଦିରା ଗାନ୍ଧୀଙ୍କ ଇମର୍ଜେନ୍‌ସି ପରେ! ସଂପ୍ରତି ଜାତୀୟ ସ୍ତରରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପଛରେ ମଧ୍ୟ ଏହାକୁ ଏକ କାରଣ ରୂପେ ଦେଖାଯାଉଛି, ଯହିଁରେ ସରକାର ବିରୋଧୀ ସମାଲୋଚନାକୁ ପଦାନତ କରିବା ଲାଗି ସରକାର ପ୍ରବଳ ଉଦ୍ୟମରତ ହେଉଥିଲା। ଆମ ରାଜ୍ୟରେ ମଧ୍ୟ ତାହା ହିଁ ଘଟିଛି; ସେହି ଶାଣିତ ସମାଲୋଚନାର ସ୍ବରକୁ ନିରବ କରିଦେବାର ପ୍ରଚେଷ୍ଟା ନବୀନ ସରକାରଙ୍କୁ ଅପଦସ୍ଥ କରିଛି। ସୁତରାଂ, ଏଭଳି ଦୃଶ୍ୟାନ୍ତର!