ଏହା ସୁନିଶ୍ଚିତ ଯେ ଆମେରିକାର ଏହି ଅପ୍ରତ୍ୟାଶିତ ଓ ଆକସ୍ମିକ ବିଜୟ ସେଠାରେ ଏକ ମୃଦୁ ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିବ। ଯେ କୌଣସି କ୍ରୀଡ଼ା କ୍ଷେତ୍ରରେ ଏଭଳି ଆକସ୍ମିକ ବିଜୟମାନ ସେହି କ୍ରୀଡ଼ା ପ୍ରତି ପ୍ରଭୂତ ଜନାଗ୍ରହ ସୃଷ୍ଟି କରିଥାଏ; ଯେମିତି ଘଟିଥିଲା ୧୯୮୩ ମସିହାରେ, ଦିନିକିଆ ବିଶ୍ବକପ୍ ଶୃଙ୍ଖଳାରେ ଭାରତର ବିଜୟ ସହିତ। ଏହା ପରଠାରୁ ଭାରତୀୟଙ୍କ ଧମନୀରେ କ୍ରିକେଟ୍ କଣିକା ଖେଳି ବୁଲିବା ଆରମ୍ଭ କରିଥିଲା। ଏହି ଟୁର୍ନାମେଣ୍ଟରେ ଆମେରିକାର ପ୍ରଦର୍ଶନ ଯଦି ଆଶାତୀତ ହୁଏ, ତେବେ ଖୁବ୍ ସମ୍ଭବ ଏହି ଦେଶ କ୍ରିକେଟ୍ର କର୍ଣ୍ଣଧାର ହେବା ଲାଗି ବାହାରି ପଡ଼ିପାରେ।
ଇତିମଧ୍ୟରେ କ୍ରିକେଟ୍ ଏକ ପରିବ୍ରାଜକ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଭୂଖଣ୍ଡରେ ପହଞ୍ଚି ଯାଇଛି। ଚଳିତ ‘ଟି-ଟ୍ବେଣ୍ଟି’ ବିଶ୍ବକପ୍ ଟୁର୍ନାମେଣ୍ଟ ସେଠାରେ ଚାଲିଥିବା ବେଳେ ଆମେରିକା ଭଳି କ୍ରିକେଟ୍-ବନ୍ଧ୍ୟା ଭୂମିରେ ଏହାକୁ ଆୟୋଜନ କରିବାର ଯୌକ୍ତିକତା ନେଇ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି। ଅବଶ୍ୟ, ଟେଲିଭିଜନ ମାଧ୍ୟମରେ ଏହି ଟୁର୍ନାମେଣ୍ଟର ସିଧା ପ୍ରସାରଣ କ୍ରିକେଟ୍ପ୍ରେମୀ ଦେଶଗୁଡ଼ିକର ଅଗଣିତ ପ୍ରଶଂସକମାନଙ୍କ ବୈଠକଖାନାରେ ପହଞ୍ଚୁଛି, କିନ୍ତୁ, ଷ୍ଟାଡିଅମ୍ର ବୈଦ୍ୟୁତିକ ବାତାବରଣରେ ପ୍ରତ୍ୟକ୍ଷ ଭାବେ ମ୍ୟାଚ୍ ଦେଖିବାର ମହାର୍ଘ ରୋମାଂଚରୁ ବଞ୍ଚିତ ହୋଇଥିବାରୁ ସେମାନେ ମର୍ମାହତ। ଏହି ମର୍ମ ବେଦନା ଅଧିକ ଘନୀଭୂତ ହୋଇଥାଏ, ଯେତେବେଳେ ଏହି ଟୁର୍ନାମେଣ୍ଟର ଅନେକ ମ୍ୟାଚ୍ରେ ଦର୍ଶକଶୂନ୍ୟ ଷ୍ଟାଡିଅମ୍ମାନ ଦୃଷ୍ଟିଗୋଚର ହେଉଛି, ଯାହା ଭାରତ ବା ଅଷ୍ଟ୍ରେଲିଆ ବା ସେହିଭଳି କୌଣସି କ୍ରିକେଟ୍ ଆସକ୍ତ ଦେଶରେ ଜନସମୁଦ୍ରରେ ଉଛୁଳି ଉଠନ୍ତା। ଏହି ପରିପ୍ରେକ୍ଷୀରେ କ୍ରିକେଟ୍ର ଆମେରିକୀୟ ଅଭିଯାତ୍ରା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
ଏଥିରେ ସନ୍ଦେହ ନାହିଁ ଯେ ‘ଟି-ଟ୍ବେଣ୍ଟି’ ହେଉଛି ସର୍ବାଧିକ ଲୋକପ୍ରିୟ କ୍ରିକେଟ୍ ଫର୍ମାଟ୍, ଯହିଁରେ ଅନ୍ତିମ ବଲ୍ ସହିତ ସୃଷ୍ଟି ହେଉଥିବା ହୃତ୍-ସ୍ପନ୍ଦନରୋଧୀ ରୋମାଂଚକର କ୍ଷଣମାନ ଖୁବ୍ ସମ୍ଭବ ଅନ୍ୟ କୌଣସି ଦଳଗତ କ୍ରୀଡ଼ା ପ୍ରତିଯୋଗିତାରେ ଦୃଷ୍ଟିଗୋଚର ହୋଇ ନ ଥାଏ। ତେଣୁ, ଦର୍ଶକ ପରିତ୍ୟକ୍ତ ବା ଦର୍ଶକ ମରୁଡ଼ି ପଡୁଥିବା ଷ୍ଟାଡିଅମ୍ ଯେ ଏଭଳି ଏକ କ୍ରୀଡ଼ା ଓ ତା’ର ଖେଳାଳିମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରି ନ ଥାଏ, ତାହା କହିବା ବାହୁଲ୍ୟ ମାତ୍ର। ପ୍ରକାଶ ଥାଉ କି ଆମେରିକାର ଯେଉଁ ତିନିଟି ଷ୍ଟାଡିଅମ୍ରେ ‘ଟି-ଟ୍ବେଣ୍ଟି’ ବିଶ୍ବକପ୍ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେଉଛି, ସେଗୁଡ଼ିକ ହେଲେ ନ୍ୟୁୟର୍କର ନାସାଉ କାଉଣ୍ଟି, ଫ୍ଲୋରିଡାର ଲଡର ହିଲ୍ ଓ ଡାଲାସର ଗ୍ରାଣ୍ଡ ପ୍ରେରି, ଯେଉଁଠାରେ ଆସନ ସଂଖ୍ୟା ଯଥାକ୍ରମେ ୩୪,୦୦୦, ୨୦,୦୦୦ ଓ ୭,୫୦୦; ଯେତେବେଳେ କି ଅଷ୍ଟ୍ରେଲିଆର ମେଲବୋର୍ନ କ୍ରିକେଟ୍ ଷ୍ଟାଡିଅମ୍ରେ ଆସନ ସଂଖ୍ୟା ୧ ଲକ୍ଷ ବା କୋଲକାତାର ଇଡେନ ଗାର୍ଡେନରେ ତାହା ୬୮,୦୦୦ ଏବଂ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍ରେ ତାହା ୧ ଲକ୍ଷ ୩୨ ହଜାର। ସୁତରାଂ, ଏହା ସ୍ପଷ୍ଟ କରିଥାଏ ଯେ କ୍ରିକେଟ୍ ପ୍ରତି ଆମେରିକୀୟଙ୍କ ଠାରେ ଆକର୍ଷଣର ଉତ୍ତାପ ସୃଷ୍ଟି ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ‘ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍’ ବା ‘ଆଇ.ସି.ସି.’ ପ୍ରଥମରୁ ହିଁ ନିଶ୍ଚିତ ଥିଲେ। ତେଣୁ ଏ ସଂଦର୍ଭରେ ଉଠୁଥିବା ପ୍ରଶ୍ନଟି ହେଲା, ତାହା ହେଲେ ସେଠାରେ ଏଭଳି ଆୟୋଜନ କରି ଟିକେଟ୍ ବିକ୍ରିରୁ ବିପୁଳ ଅର୍ଥ ଲାଭ କରିବାର ସୁଯୋଗରୁ ‘ଆଇ.ସି.ସି.’ ନିଜକୁ ବଞ୍ଚିତ କଲା କାହିଁକି? ଏହାର ଏକ ସରଳ ଉତ୍ତର ହେଲା କ୍ରିକେଟ୍ର ଲୋକପ୍ରିୟତା ଓ ଗ୍ରହଣୀୟତା ପୃଥିବୀର ଅଧିକ ଅଂଶକୁ ସଂପ୍ରସାରିତ ହେଉ ବୋଲି ଆଇ.ସି.ସି. ଚାହିଁଥାଏ; ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ୍ ଦୃଢ଼ମୂଳ ହୋଇପାରିଲେ ଦୂରଦୂରାନ୍ତକୁ ଏହାର ବୀଜ ବିକ୍ଷେପ ହେବାର ଆଶା ଅଧିକ ହେବ। ଦ୍ବିତୀୟ କାରଣଟି ହେଲା ଆମେରିକା ସହ ସଂପୃକ୍ତି ଯଦି ଘନିଷ୍ଠ ହୁଏ, ତେବେ ଏହି କ୍ରୀଡ଼ା ଲାଗି ଅପରିମେୟ ବିତ୍ତର ସ୍ରୋତ ମଧ୍ୟ ସୃଷ୍ଟି ହେବ; ସୁତରାଂ, ଏହି ବିଶ୍ବ କପ୍ ଆୟୋଜନକୁ ଏକ ନିବେଶ ଭାବେ ମଧ୍ୟ ଦେଖାଯାଇପାରେ। ତୃତୀୟରେ, କ୍ରିକେଟ୍ର ଏହି ଫର୍ମାଟ୍ ଅଲିଂପିକ୍ରେ ଏକ ସ୍ଥାୟୀ ସ୍ପର୍ଦ୍ଧା ରୂପେ ଅନ୍ତର୍ଭୁକ୍ତ ହେବାକୁ ହେଲେ ଅଧିକରୁ ଅଧିକ ସଂଖ୍ୟକ ରାଷ୍ଟ୍ରରେ କ୍ରିକେଟ୍ ଖେଳାଯିବା ଆବଶ୍ୟକ। ପ୍ରକାଶ ଥାଉ କି ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ସଂଖ୍ୟା ୨୦, ଯାହା ପୂର୍ବ ବିଶ୍ବ କପ୍ରେ ୧୪ରେ ସୀମିତ ଥିଲା। ସୁତରାଂ, ଏକ ବିଶ୍ବ ପରିଚିତି ଦିଗରେ ଉଦ୍ୟମର ଅଂଶ ରୂପେ ଆମେରିକାରେ ଏହି ଟୁର୍ନାମେଣ୍ଟର ଆୟୋଜନ ଯୁକ୍ତିସଂଗତ ଭଳି ମଧ୍ୟ ମନେ ହୋଇଥାଏ!
ପ୍ରକାଶ ଥାଉ କି କ୍ରିକେଟ୍ ତା’ର ମୂଳ ସ୍ବରୂପରେ କଦାପି ଜନାଗ୍ରହ ସୃଷ୍ଟି କରିବା ଲାଗି ଅଭିପ୍ରେତ ନ ଥିଲା, ବରଂ ଏହା ଥିଲା ସଂଭ୍ରାନ୍ତ ବ୍ରିଟିସ୍ମାନଙ୍କ ଅବସର ବିନୋଦନର ଏକ ଉପାୟ। ବ୍ରିଟିସ୍ ଉପନିବେଶ ଅଧୀନସ୍ଥ ଭୂଖଣ୍ଡଗୁଡ଼ିକରେ କ୍ରିେକଟ୍ର ପ୍ରସାର ଘଟିବା ପଛରେ ଆନୁଗତ୍ୟର ଦାୟ ଥିଲା ଅଧିକ ଏବଂ କ୍ରିକେଟ୍ର ଇତିହାସକାରମାନେ କହିଥାଆନ୍ତି ଯେ ଭାରତୀୟ ରାଜବଂଶଜମାନେ ବ୍ରିଟିସ୍ ଲାଟ-ସହେବମାନଙ୍କୁ ତୁଷ୍ଟ କରିବା ଲାଗି ଏହି କ୍ରୀଡ଼ା ପ୍ରତି ଆଗ୍ରହ ଦେଖାଇଥିଲେ। ଅନେକ ସମୟରେ ଏହି କ୍ରୀଡ଼ା ମନ୍ଥର ଗତିରେ ଅନ୍ତହୀନ କାଳ ଯାଏ ମଧ୍ୟ ଚାଲୁଥିଲା। ଏଭଳି ଏକ ମ୍ୟାଚ୍ ୧୯୩୯ ମସିହାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ଠାରେ ଅନୁଷ୍ଠିତ ହୋଇଥିଲା, ଯାହା ମାର୍ଚ୍ଚ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଚାଲିବା ସତ୍ତ୍ବେ ଅଗତ୍ୟା ଅମୀମାଂସିତ ଭାବେ ରହିବାକୁ ବାଧ୍ୟ ହୋଇଥିଲା, କାରଣ ବ୍ରିଟିସ୍ ଖେଳାଳିମାନେ କେପ୍ ଟାଉନ୍ରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଏକ ନିର୍ଦ୍ଦିଷ୍ଟ ଜାହାଜ ଧରିବା ଲାଗି ମ୍ୟାଚ୍କୁ ଅଧାରେ ଛାଡ଼ି ରେଳ ଯୋଗେ ବାହାରି ଯାଇଥିଲେ। ସେଭଳି କରି ନ ଥିଲେ ପରବର୍ତ୍ତୀ ଜାହାଜ ସକାଶେ ସେମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଆନ୍ତା। ତେଣୁ ଦୀର୍ଘ କାଳ ଚାଲୁ ରହିବା ସତ୍ତ୍ବେ ଅମୀମାଂସିତ ରହୁଥିବା ଏହି ଖେଳଟିକୁ ଏକ ସୀମିତ ଅବଧି ମଧ୍ୟରେ ଏବଂ ଯଥାସମ୍ଭବ ଏକ ମୀମାଂସା ସହିତ ସମାପ୍ତ କରିବାର ଉଦ୍ୟମରୁ ଯେଉଁ ତିନିଟି ଫର୍ମାଟ୍ ଉପଲବ୍ଧ, ସେଗୁଡ଼ିକ ହେଲା ପାଞ୍ଚଦିନିଆ ଟେଷ୍ଟ ମ୍ୟାଚ୍, ସୀମିତ ପଚାଶ ଓଭର୍ ବିଶିଷ୍ଟ ଦିନିକିଆ ମ୍ୟାଚ୍ ଏବଂ କୋଡ଼ିଏ ଓଭର୍ ସଂବଳିତ ‘ଟି-ଟ୍ବେଣ୍ଟି’। କହିବା ବାହୁଲ୍ୟ, ଏହି କ୍ରମ ବିବର୍ତ୍ତନ ପ୍ରକ୍ରିୟାରେ ଦେଖିବାକୁ ମିଳିଛି କିଭଳି ପ୍ରତି ନୂତନ ଫର୍ମାଟ୍ରେ ଏହି ଖେଳଟି ନାଟକୀୟ ମୀମାଂସାରେ ପହଞ୍ଚିବା ନିଧାର୍ଯ୍ୟ ହୋଇଛି ଏବଂ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ରୋମାଂଚର ତୀବ୍ରତା ବଜାୟ ରଖାଯିବା ସୁନିଶ୍ଚିତ କରାଯାଇଛି। ସୁତରାଂ, କ୍ରିକେଟ୍ର ଏଭଳି ଆଙ୍ଗିକ ପରିବର୍ତ୍ତନ ଘଟାଇବା ପଛରେ ନିହିତ ଉଦ୍ଦେଶ୍ୟଟି ଯେ ଏହାକୁ ଅଧିକ ଲୋକପ୍ରିୟ ତଥା ଆକର୍ଷଣୀୟ କରିବା, ଏଥିରେ ସନ୍ଦେହ ନାହିଁ। ସୁତରାଂ, ବ୍ରିଟେନ୍ରେ ଉଦ୍ଭାବିତ ‘ଟି-ଟ୍ବେଣ୍ଟି’ ଫର୍ମାଟ୍ ସହିତ ଛଅ ଦଶନ୍ଧି ତଳେ ମନ୍ଥର ପଦଚାରଣ କରୁଥିବା ଖେଳଟି ଯେ ଏକ ଦ୍ରୁତ ଧାବକରେ ପରିଣତ ହୋଇଛି, ଏଥିରେ ଦ୍ବିରୁକ୍ତି ନାହିଁ। ଉଚ୍ଛ୍ବାସ, ସନ୍ତାପ, ଶୋକ, କ୍ରୋଧ, ଅବିମୋଚନୀୟ ହତାଶା ଭଳି ଅନେକ ଆବେଗ ସୃଷ୍ଟି କରି ପାରୁଥିବା ଏହି ଫର୍ମାଟ୍ର ରହିଥିବା ଚୁମ୍ବକୀୟ ଆକର୍ଷଣକୁ ଏହି ଖେଳ ଜାଣିଥିବା ଏବଂ ଏହାକୁ ଦେଖୁଥିବା ଅଧିକାଂଶ ବ୍ୟକ୍ତି ଅନୁଭବ ମଧ୍ୟ କରି ପାରୁଛନ୍ତି।
ଏଭଳି ସ୍ଥଳେ ଆମେରିକାକୁ କ୍ରିକେଟ୍ କେବଳ ଏକ ପରିବ୍ରାଜକ ମାତ୍ର ଭଳି ଯାଇଛି ବୋଲି କହିବା ପ୍ରମାଦପୂର୍ଣ୍ଣ ହୋଇପାରେ। ସେଠାକାର ଊଷର ଭୂମିରେ କ୍ରିକେଟ୍-ଆଗ୍ରହର ଅଙ୍କୁରଣ ଘଟିବାର ସମ୍ଭାବନା ଥିଲେ ସେଠାରେ ଏହି ଖେଳ ଏକ ସ୍ଥାୟୀ ବାସିନ୍ଦା ହୋଇ ରହିଯାଇପାରେ। ଇତିମଧ୍ୟରେ, ଏହି ଟୁର୍ନାମେଣ୍ଟରେ ଆମେରିକାର ଜାତୀୟ କ୍ରିକେଟ୍ ଟିମ୍ ୨୦୦୯ ମସିହାର ବିଶ୍ବ ଚାଂପିଅନ୍ ପାକିସ୍ତାନକୁ ପରାସ୍ତ କରି ଚମକ ସୃଷ୍ଟି କଲାଣି; ଯେଉଁ ଆମେରିକୀୟ ଦଳରେ ଅଧିକାଂଶ ଖେଳାଳି ପ୍ରବାସୀ ଭାରତୀୟ ବା ଭାରତୀୟ ମୂଳୋଦ୍ଭବ, ଏବଂ ଯେଉଁମାନେ ପେସାଦାର କ୍ରିକେଟ୍ ଖେଳାଳି ମଧ୍ୟ ନୁହନ୍ତି। ଏହି ଦେଶାନ୍ତରୀ ଭାରତୀୟମାନେ ହିଁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କ୍ରିକେଟ୍ର ବୀଜ ବିକ୍ଷେପରେ ସହାୟକ ହୋଇଛନ୍ତି। ଏହା ସୁନିଶ୍ଚିତ ଯେ ଆମେରିକାର ଏହି ଅପ୍ରତ୍ୟାଶିତ ଓ ଆକସ୍ମିକ ବିଜୟ ସେଠାରେ ଏକ ମୃଦୁ ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିବ। ଯେ କୌଣସି କ୍ରୀଡ଼ା କ୍ଷେତ୍ରରେ ଏଭଳି ଆକସ୍ମିକ ବିଜୟମାନ ସେହି କ୍ରୀଡ଼ା ପ୍ରତି ପ୍ରଭୂତ ଜନାଗ୍ରହ ସୃଷ୍ଟି କରିଥାଏ; ଯେମିତି ଘଟିଥିଲା ୧୯୮୩ ମସିହାରେ, ଦିନିକିଆ ବିଶ୍ବକପ୍ ଶୃଙ୍ଖଳାରେ ଭାରତର ବିଜୟ ସହିତ। ଏହା ପରଠାରୁ ଭାରତୀୟଙ୍କ ଧମନୀରେ କ୍ରିକେଟ୍ କଣିକା ଖେଳି ବୁଲିବା ଆରମ୍ଭ କରିଥିଲା। ଏହି ଟୁର୍ନାମେଣ୍ଟରେ ଆମେରିକାର ପ୍ରଦର୍ଶନ ଯଦି ଆଶାତୀତ ହୁଏ, ତେବେ ଖୁବ୍ ସମ୍ଭବ ଏହି ଦେଶ କ୍ରିକେଟ୍ର କର୍ଣ୍ଣଧାର ହେବା ଲାଗି ବାହାରି ପଡ଼ିପାରେ। ଯଦି ତାହା ନ ହୁଏ, ତେବେ ମଧ୍ୟ ପରିବ୍ରାଜକ କ୍ରିକେଟ୍ େସଠାରେ ସୃଷ୍ଟି କରିଥିବା ପଦଚିହ୍ନ କିଛି ଅନୁସରଣକାରୀଙ୍କୁ ତ ସମ୍ଭବ କରିବ, ଯେଉଁମାନେ କ୍ରିକେଟ୍ର ପ୍ରଚାର କରିବେ!