ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧାରଣ ପୃଷ୍ଠଭୂମି, ନିଜ ହାତରେ ଗଢ଼ି ହୋଇଥିବା ଜଣେ ସୁପୁରୁଷର ଦୃଷ୍ଟାନ୍ତ, ‘ଆଲ୍ଫା ମେଲ୍’ ବା ବଳିଷ୍ଠମନା ପୁରୁଷ ଭାବେ ତାଙ୍କ ଆଚରଣ ଓ ଉଚ୍ଚାରଣ ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ଯେଉଁ ଭାବମୂର୍ତ୍ତି ସୃଷ୍ଟି କରିଛି, ତାହା ମଧ୍ୟ ଆଉ ବିଶେଷ ଉତ୍ସାହ ସୃଷ୍ଟି କରୁନାହିଁ। ଅନେକଙ୍କ ମତରେ ଏଭଳି କଥାମାନ ସାମାଜିକ ଗଣମାଧ୍ୟମରେ କେବଳ ମୋଦୀ ପ୍ରଶଂସକମାନଙ୍କ ‘ଗ୍ରୁପ୍’ରେ ଘୂରି ବୁଲୁଛି ସିନା, କୌଣସି ନୂତନ ବ୍ୟକ୍ତିଙ୍କୁ ମୋଦୀ ପ୍ରଶଂସକ ରୂେପ ଦୀକ୍ଷିତ କରି ପାରୁନାହିଁ। ସୁତରାଂ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଗି ନୂଆ ବ୍ୟାଖ୍ୟାନ ଓ ନୂତନ ଭାବମୂର୍ତ୍ତି ନିର୍ମାଣ କରିବାର ବେଳ ଉପନୀତ ବୋଲି ଏହି ସମୀକ୍ଷକମାନେ କହିଥାଆନ୍ତି; ଯେମିତିକି ତାଙ୍କ ନୂଆ ପରିଚୟ ଅନୁସାରେ ସେ ହେବେ ନିଜ ମେଣ୍ଟର ଅଂଶୀଦାର ଦଳ ଏବଂ ବିରୋଧୀ ପକ୍ଷଙ୍କୁ ସାଙ୍ଗରେ ନେଇ ଚାଲିବାର ଦକ୍ଷତା ରଖୁଥିବା ଜଣେ ସହନଶୀଳ ଓ ବିବେଚନାପୂର୍ଣ୍ଣ ମୁରବି!
ଗତ କାଲି ଆମ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶନକୁ ଠିକ୍ ଏକ ମାସ ପୂରି ଯାଇଛି। କହିବା ଅନାବଶ୍ୟକ େଯ ଏହି ଫଳାଫଳ ଅଧିକାଂଶ ଭାରତୀୟଙ୍କ ସକାଶେ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା; ‘ମୋଦୀମୟ ସମର୍ଥନ’ର ତରଙ୍ଗ ତଳେ ବିରୋଧର ଏକ ଅଦୃଶ୍ୟ ଅନ୍ତଃ-ସଲିଳା ପ୍ରବାହିତ ହୋଇ ଅଧିକାଂଶ ବିଜ୍ଞ ପୂର୍ବାନୁମାନ ଓ ଆକଳନର ସଲିଳ ସମାଧି ଘଟାଇଥିଲା। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସକାଶେ ଆହୁରି ୩୨ଟି ଆସନ ଲୋଡୁଥିବା ବିଜେପି ଅଂଶୀଦାର ଦଳଗୁଡ଼ିକର ସହାୟତାରେ ଏକ ମେଣ୍ଟ ସରକାର ଗଢ଼ିବାରେ ସମର୍ଥ ହୋଇଛି ସିନା, ଅଗତ୍ୟା ଅସହାୟ ଦିଶିବାକୁ ଲାଗିଛି। କେବଳ ସେତିକି ନୁହେଁ, ଏହି ଫଳାଫଳ ସହିତ ଅଷ୍ଟାଦଶ ଲୋକସଭାରେ ବିରୋଧୀ ପକ୍ଷଙ୍କ ଏକ ସୁଦୃଶ୍ୟ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏହି ନିର୍ବାଚନ ପରିଣାମରୁ ପ୍ରାପ୍ତ ସଂକେତ, ଇଙ୍ଗିତ ଓ ଆଦେଶ ପରିପ୍ରେକ୍ଷୀରେ ଗଲା ତିରିଶ ଦିନ ମଧ୍ୟରେ ଦୃଷ୍ଟିଗୋଚର ହୋଇଥିବା ରାଜନୈତିକ ଚିତ୍ରପଟକୁ ନେଇ କ୍ଷୁଦ୍ର ଆଲୋଚନାଟିଏ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଅଧିକାଂଶ ରାଜନୈତିକ ସମୀକ୍ଷକ ମତ ପୋଷଣ କରିଥାଆନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ଭବତଃ ବର୍ତ୍ତମାନ ସୁଦ୍ଧା ଜନାେଦଶରୁ ଲବ୍ଧ ସନ୍ଦେଶକୁ ସ୍ବୀକାର କରି ପାରିନାହାନ୍ତି; ଯେଉଁ ଜନାଦେଶ ବଳରେ ଏନ୍.ଡି.ଏ.ର ସଂରଚନା ୨୦୧୪ ବା ୨୦୧୯ ମସିହା ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇସାରିଛି ଏବଂ ସଂପ୍ରତି ଅଂଶୀଦାର ଦଳଗୁଡ଼ିକ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ବିଜେପି ଏକ ଶୀର୍ଣ୍ଣ ମଞ୍ଜ ଦଳ ତୁଲ୍ୟ ଦିଶିଥାଏ। କିନ୍ତୁ ପୂର୍ବ ଦର୍ପକୁ ଯେ ମୋଦୀ ନେତୃତ୍ବାଧୀନ ବିଜେପି ଏ ଯାବତ୍ ଅତୁଟ ରଖିଛି, ତା’ର ନମୁନା ମିଳେ ନୂତନ ମନ୍ତ୍ରିମଣ୍ଡଳ ଗଠନରୁ, ଯହିଁରେ ପୂର୍ବ ସରକାରର ପ୍ରାୟ ପୁନରାବୃତ୍ତି ଘଟିଛି; ଅଂଶୀଦାର ଦଳଗୁଡ଼ିକର ମହତ୍ତ୍ବ ଇତିମଧ୍ୟରେ ବୃଦ୍ଧି ପାଇ ସରକାରର ଅସ୍ତିତ୍ବ ସକାଶେ ନିର୍ଣ୍ଣାୟକ ହୋଇ ସାରିଥିବା ସତ୍ତ୍ବେ ମନ୍ତ୍ରିମଣ୍ଡଳରେ ସେମାନଙ୍କ ଉପସ୍ଥିତିକୁ ଗୌଣ କରି ରଖାଯାଇଛି। ସମୀକ୍ଷକମାନେ ଆହୁରି କହନ୍ତି ଯେ ନିର୍ବାଚନ ପରବର୍ତ୍ତୀ ସଂସଦର ପ୍ରଥମ ଅଧିବେଶନରେ ମଧ୍ୟ ବିଜେପିର ସେହି ପୂର୍ବ ଅନମନୀୟତା ପରିଲକ୍ଷିତ ହୋଇଛି, ଯହିଁରେ ଉପବାଚସ୍ପତି ଭଳି ଏକ ସାଂକେତିକ ପଦକୁ ମଧ୍ୟ ବିରୋଧୀ ପକ୍ଷଙ୍କ ନିକଟକୁ ଯିବା ନେଇ ଶାସକ ଦଳ ସମ୍ମତ ହୋଇନାହିଁ। କହିବା ବାହୁଲ୍ୟ, ଚଳିତ ଅଷ୍ଟାଦଶ ଲୋକସଭାର ଅଧିବେଶନମାନ ଷୋଡ଼ଶ ବା ସପ୍ତଦଶ ଲୋକସଭା ଅଧିବେଶନଗୁଡ଼ିକ ଭଳି ବିରୋଧୀ ସ୍ବର ଶୂନ୍ୟ ହୋଇ ରହିବ ନାହିଁ; ଯାହାର ପ୍ରମାଣ ମିଳି ସାରିଲାଣି ଯେତେବେଳେ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦାତ୍ତ କଣ୍ଠରେ ପ୍ରଦତ୍ତ ଦୁଇ ଘଣ୍ଟାରୁ ଅଧିକ କାଳର ଭାଷଣ ଅଗତ୍ୟା ବିରୋଧୀ ପକ୍ଷଙ୍କ ନିରବଚ୍ଛିନ୍ନ ସମ୍ମିଳିତ କୁହାଟ - ‘ମଣିପୁର, ନ୍ୟାୟ ଦୋ’ - ର ଉଚ୍ଚାଟ ମଧ୍ୟରେ ଲୀନ ହେବା ଭଳି ସ୍ଥିତିରେ ପହଞ୍ଚିଥିଲା। ଏହା ସତ୍ତ୍ବେ, ସମୀକ୍ଷକମାନଙ୍କ ମତରେ, ସଂଖ୍ୟାଗରିଷ୍ଠତାର ନିର୍ମମ ବଳ ବିନା ଶାସନ ଚଳାଇବାରେ ଅନଭ୍ୟସ୍ତ ପ୍ରଧାନମନ୍ତ୍ରୀ ଅଗତ୍ୟା ଆକ୍ରମଣକୁ ହିଁ ଆତ୍ମରକ୍ଷାର ଉପାୟ ବୋଲି ଧରି ନେଇଛନ୍ତି। ପ୍ରକାଶ ଥାଉ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ବା ଦେଶର ପ୍ରଧାନମନ୍ତ୍ରୀ ରୂପେ ସେ ସର୍ବଦା ବିଧାନ ଗୃହର ପୂର୍ଣ୍ଣ ବହୁମତ ପାଇ ଆସିଥିଲେ। ସୁତରାଂ, ସାଂପ୍ରତିକ ପରିବର୍ତ୍ତିତ ପରିପ୍ରେକ୍ଷୀରେ ‘ଆତ୍ମରକ୍ଷା ଲାଗି ଆକ୍ରମଣ’ ଭଳି ରଣନୀତି ଯେ ଏକ ଭୁଲ୍ ସନ୍ଦେଶ ପ୍ରେରଣ କରିପାରେ ବା ପ୍ରତିକୂଳ ପରିଣାମର ପରିବେଶ ସୃଷ୍ଟି କରିପାରେ, ତାହା ଅନୁମାନସାପେକ୍ଷ। ଏହି ଅଧିବେଶନେର ଦେଖିବାକୁ ମିଳିଛି ଯେ ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ପକ୍ଷରୁ ହୋଇଥିବା ଅତ୍ୟନ୍ତ କଟୁ ସମାଲୋଚନା ବା ତୃଣମୂଳ କଂଗ୍ରେସର ନେତ୍ରୀ ମହୁଆ ମୈତ୍ରଙ୍କ କଣ୍ଠରୁ ପ୍ରତିଶୋଧବ୍ୟଂଜକ ତିତିକ୍ଷା ସତ୍ତ୍ବେ କେବଳ ବିଜେପି ପକ୍ଷରୁ ହିଁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା; ଚିରାଗ ପାଶୱାନ (ଲୋକ ଜନଶକ୍ତି ପାର୍ଟିର ନେତା)ଙ୍କ ବ୍ୟତୀତ ଅନ୍ୟ କୌଣସି ଅଂଶୀଦାର ଦଳର ନେତା ମୁହଁ ଖୋଲି ନାହାନ୍ତି। କେବଳ ସେତିକି ନୁହେଁ, ରାଜନୈତିକ ଆନୁଗତ୍ୟ ଦୃଷ୍ଟିରୁ ଜେ.ଡି.(ୟୁ)ର ନେତା ନୀତୀଶ କୁମାର ଓ ତେଲଗୁ ଦେଶମର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ କିଭଳି କ୍ଷଣିକ ଚାପଲ୍ୟ ପ୍ରକାଶ କରିପାରନ୍ତି, ତାହା ସୁବିଦିତ। ସେହି ଦୃଷ୍ଟିରୁ ସଂଖ୍ୟାଗରିଷ୍ଠତା ହରାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ବାସ୍ତବତାକୁ ସ୍ବୀକାର କରି ତାଙ୍କ ରଣନୀତିରେ ପରିବର୍ତ୍ତନ ଘଟାଇବା ଯେ ଏକାନ୍ତ ଆବଶ୍ୟକ, ତହିଁରେ ସନ୍ଦେହ ନାହିଁ।
ଅବଶ୍ୟ, ବିରୋଧୀ ପକ୍ଷଙ୍କ ଦ୍ବାରା ଏହି ଅଧିବେଶନ କାଳରେ ସୃଷ୍ଟ ଗୋଳକୁ ମଧ୍ୟ ନାପସନ୍ଦ କରାଯାଇଛି। ବିରୋଧୀ ପକ୍ଷଙ୍କ ଭାଷଣ ବେଳେ ଶାସକ ପକ୍ଷ ପ୍ରଦର୍ଶନ କରିଥିବା ତୁଳନାତ୍ମକ ଭାବେ ଅଧିକ ସଂଯମପୂର୍ଣ୍ଣ ଆଚରଣକୁ ଉଦାହରଣୀୟ ବୋଲି ମଧ୍ୟ ବିବେଚନା କରାଯାଉଛି। କିନ୍ତୁ, ଏହା ମଧ୍ୟ ପାସୋରି ଗଲେ ହେବ ନାହିଁ ଯେ ଦଶ ବର୍ଷ ପରେ ଆପଣା ଅପହୃତ ସ୍ବରକୁ ସହସା ଫେରି ପାଇଥିବା ବିରୋଧୀ ପକ୍ଷ ଉଚ୍ଚାଟ ସୃଷ୍ଟି କରିବା ଏକ ସ୍ବାଭାବିକତା ମାତ୍ର; ଏବଂ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ଦଶନ୍ଧିରେ ବିରୋଧୀ ପକ୍ଷ ଶାସକ ପକ୍ଷର ନିର୍ଦୟ ସଂଖ୍ୟା ବଳ କାରଣରୁ ଅନେକ ଉତ୍ପୀଡ଼ନ ସହିଛନ୍ତି ଏବଂ ସଂସଦୀୟ ପରଂପରାର କ୍ଷୟର କେବଳ ମୂକ ସାକ୍ଷୀ ପାଲଟିଛନ୍ତି। ତେବେ, ଏହା ମଧ୍ୟ ସତ ଯେ ସାଂପ୍ରତିକ ସଂଖ୍ୟାଧିକ୍ୟ କାରଣରୁ ଆପଣା ଉପସ୍ଥିତି ପ୍ରକାଶ କରିବା ଲାଗି ବିରୋଧୀଙ୍କ ପକ୍ଷରୁ କଣ୍ଠଫଟା ଉପଦ୍ରବ ମଧ୍ୟ ସମୀଚୀନ ନୁୁହେଁ। କାରଣ ଜନାଦେଶ ଇଙ୍ଗିତ କରିଥାଏ ଯେ ଏକ ଭାରସାମ୍ୟ-ରକ୍ଷାକାରୀ ଗଠନମୂଳକ ବିରୋଧୀ ଓ ସହିଷ୍ଣୁ ତଥା ଭିନ୍ନମତକୁ ମହତ୍ତ୍ବ ପ୍ରଦାନ କରୁଥିବା ଶାସକ ଦଳ ହିଁ ସାଂପ୍ରତିକ ସମୟର ଆବଶ୍ୟକତା।
ଇତିମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ଶାସନ ଦଶ ବର୍ଷ ପୂର୍ଣ୍ଣ କରି ସାରିଲାଣି ଏବଂ ଅନେକ ସମୀକ୍ଷକଙ୍କ ମତରେ ଏହି କ୍ରମରେ ତାଙ୍କ ଦ୍ବାରା ସୃଷ୍ଟ ବା ତାଙ୍କୁ ଘେରି ରହିଥିବା ବ୍ୟାଖ୍ୟାନମାନ ଅଗତ୍ୟା ମଳିନ ତଥା ଘଷରା ହେବା ଆରମ୍ଭ କଲାଣି। ଉଦାହରଣ ସ୍ବରୂପ ପ୍ରଧାନମନ୍ତ୍ରୀଙ୍କ ଘୋଷା ବିଦ୍ରୂପରେ ଜର୍ଜର ପଣ୍ଡିତ ଜୱାହରଲାଲ ନେହରୁ, ଇମର୍ଜେନ୍ସି, ଇନ୍ଦିରା ଗାନ୍ଧୀ, ଅପରିପକ୍ବ ରାହୁଳ, ଗାନ୍ଧୀ ବଂଶବାଦ ଭଳି ବିଷୟମାନ ବା ୨୦୪୭ ମସିହାରେ ତାଙ୍କ ସ୍ବପ୍ନର ଭାରତର ଚିତ୍ର ଆଉ ସାଧାରଣରେ ବିଶେଷ ପ୍ରତିକ୍ରିୟା, ଚାଞ୍ଚଲ୍ୟ, ଆଗ୍ରହ ବା ଆଶା ଉଦ୍ରେକ କରୁନାହିଁ। ଦୀର୍ଘ ଅତୀତ ବା ଭବିଷ୍ୟତ୍ ନେଇ ବ୍ୟାଖ୍ୟାନରେ ସାଧାରଣ ଭାରତୀୟ ସନ୍ତୁଷ୍ଟ ନ ହୋଇ ବର୍ତ୍ତମାନର ସ୍ଥିତି ନେଇ ବ୍ୟଗ୍ର; ଯେମିତି କି ବେକାରି, ମୁଦ୍ରାସ୍ଫୀତି, କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ବୈଷମ୍ୟ, ରେଳ ଦୁର୍ଘଟଣା, ପରୀକ୍ଷାରେ ବ୍ୟାପକ ଅନିୟମିତତା ଇତ୍ୟାଦି। ସେମିତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧାରଣ ପୃଷ୍ଠଭୂମି, ନିଜ ହାତରେ ଗଢ଼ି ହୋଇଥିବା ଜଣେ ସୁପୁରୁଷର ଦୃଷ୍ଟାନ୍ତ, ‘ଆଲ୍ଫା ମେଲ୍’ ବା ବଳିଷ୍ଠମନା ପୁରୁଷ ଭାବେ ତାଙ୍କ ଆଚରଣ ଓ ଉଚ୍ଚାରଣ ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ଯେଉଁ ଭାବମୂର୍ତ୍ତି ସୃଷ୍ଟି କରିଛି, ତାହା ମଧ୍ୟ ଆଉ ବିଶେଷ ଉତ୍ସାହ ସୃଷ୍ଟି କରୁନାହିଁ। ଅନେକଙ୍କ ମତରେ ଏଭଳି କଥାମାନ ସାମାଜିକ ଗଣମାଧ୍ୟମରେ କେବଳ ମୋଦୀ ପ୍ରଶଂସକମାନଙ୍କ ‘ଗ୍ରୁପ୍’ରେ ଘୂରି ବୁଲୁଛି ସିନା, କୌଣସି ନୂତନ ବ୍ୟକ୍ତିଙ୍କୁ ମୋଦୀ ପ୍ରଶଂସକ ରୂେପ ଦୀକ୍ଷିତ କରି ପାରୁନାହିଁ। ସୁତରାଂ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଗି ନୂଆ ବ୍ୟାଖ୍ୟାନ ଓ ନୂତନ ଭାବମୂର୍ତ୍ତି ନିର୍ମାଣ କରିବାର ବେଳ ଉପନୀତ ବୋଲି ଏହି ସମୀକ୍ଷକମାନେ କହିଥାଆନ୍ତି; ଯେମିତିକି ତାଙ୍କ ନୂଆ ପରିଚୟ ଅନୁସାରେ ସେ ହେବେ ନିଜ ମେଣ୍ଟର ଅଂଶୀଦାର ଦଳ ଏବଂ ବିରୋଧୀ ପକ୍ଷଙ୍କୁ ସାଙ୍ଗରେ ନେଇ ଚାଲିବାର ଦକ୍ଷତା ରଖୁଥିବା ଜଣେ ସହନଶୀଳ ଓ ବିବେଚନାପୂର୍ଣ୍ଣ ମୁରବି!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)