ଉଲ୍ଲେଖଯୋଗ୍ୟ ଯେ ଗବେଷକମାନେ ନିଦ୍ରା ଅଭ୍ୟାସ ଆଧାରରେ ବ୍ୟକ୍ତିତ୍ବର ବର୍ଗୀକରଣ ମଧ୍ୟ କଲେଣି। ସେମାନଙ୍କ ମତରେ ସ୍ବଭାବଗତ ଭାବେ ଅତି ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିମାନେ ମନନଶୀଳ, ଗଭୀର ତର୍ଜମା ଶକ୍ତିର ଅଧିକାରୀ, ଅନ୍ତର୍ବୋଧସଂପନ୍ନ ଓ ସୁବିନ୍ୟସ୍ତ ଜୀବନର ସ୍ତାବକ ହୋଇଥିବା ବେଳେ ବିଳମ୍ବିତ ରାତ୍ର ଯାଏ କାର୍ଯ୍ୟକ୍ଷମ ରହୁଥିବା ଲୋକେ ଭାବୁକ, ଶ୍ରଦ୍ଧାଶୀଳ, ଆବେଗସଂପନ୍ନ ଓ ଉଚ୍ଚ ସର୍ଜନ ଶକ୍ତିର ଅଧିକାରୀ ହୋଇଥାଆନ୍ତି। ସୁତରାଂ, ବିଳମ୍ବିତ ରାତ୍ର ଯାଏ ନିଦ୍ରା ଦେବୀଙ୍କ ଦର୍ଶନ ଲାଭ କରୁ ନ ଥିବା ବ୍ୟକ୍ତିମାନେ ଗ୍ଳାନିଯୁକ୍ତ ହେବାର କୌଣସି କାରଣ ନାହିଁ।
ଗଲା ଶୁକ୍ରବାର ଦିନ ସମଗ୍ର ପୃଥିବୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବା ଅବସରରେ ଯୋଗର ଜନ୍ମଭୂମି ଭାରତରେ ଏକ ରୋଚକ ତର୍କ ସୃଷ୍ଟି ହୋଇଛି, ଯହିଁରେ ଯୋଗକୁ ଆରାଧ୍ୟ ବୋଲି ମଣୁଥିବା ପରମ ନୈଷ୍ଠିକମାନେ ତାହାର ଅଭ୍ୟାସରେ କେତେକ ନିର୍ଦ୍ଦିଷ୍ଟ ଶୃଙ୍ଖଳା ଅନିବାର୍ଯ୍ୟ ବୋଲି କହୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ତହିଁରେ ଆବଶ୍ୟକ ନମନୀୟତା ସପକ୍ଷରେ ଯୁକ୍ତି ପ୍ରଦାନ କରିଥାଆନ୍ତି; ଯେମିତି କି ଜୀବନଧାରାକୁ ସଂପୂର୍ଣ୍ଣ ସୁସଂହତ କରିବା ସକାଶେ ଯୋଗାଭ୍ୟାସ ଏକ ମାଧ୍ୟମ ବୋଲି ନୈଷ୍ଠିକମାନେ ବିଚାର କରୁଥିବା ବେଳେ ବର୍ତ୍ତମାନର ଘନ ବ୍ୟସ୍ତତାବହୁଳ ଜୀବନଚର୍ଯ୍ୟାରେ ସହଜିଆ ଯୋଗାଭ୍ୟାସର ଆବଶ୍ୟକତା ରହିଛି ବୋଲି ଆଉ ଏକ ଗୋଷ୍ଠୀ ମତ ପ୍ରଦାନ କରନ୍ତି, କାରଣ ସେମାନେ ମଧ୍ୟ ସଚେତନ ଯେ ସୁସ୍ଥ ଶରୀର ଓ ମନ ସକାଶେ ଯୋଗାଭ୍ୟାସର ସୁନିଶ୍ଚିତ ମହତ୍ତ୍ବ ରହିଛି। ଏହି କ୍ରମରେ ‘ବ୍ରହ୍ମ ମୁହୂର୍ତ୍ତ’ରେ ଶଯ୍ୟା ତ୍ୟାଗ କରି ଯୋଗାଭ୍ୟାସ କରିବାର ଅପରିହାର୍ଯ୍ୟତା ମତାନୈକ୍ୟତାର କେନ୍ଦ୍ରବିନ୍ଦୁ ହୋଇଛି। ସୁତରାଂ, ଯୋଗାଭ୍ୟାସକୁ ଯୁଗୋପଯୋଗୀ କରିବା ସକାଶେ ହେଉଥିବା ଉଦ୍ୟମ ପ୍ରତି ନୈଷ୍ଠିକମାନଙ୍କ ନାସିକା ଓ ଭ୍ରୂ କୁଂଚନ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଉଭୟ ରୋଚକ ଓ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ବୈଦିକ ବିଚାରରେ ଓ ଋଷି ପରଂପରା ଅନୁସାରେ ରାତ୍ରର ଅନ୍ତିମ ପ୍ରହର ‘ବ୍ରହ୍ମ ମୁହୂର୍ତ୍ତ’ ଭାବେ ସ୍ବୀକୃତ, ଯାହା ଆମ ପ୍ରଚଳିତ ଘଣ୍ଟାର ସମୟ ଅନୁସାରେ ଭୋର ସାଢ଼େ ତିନିଟାରୁ ପାଞ୍ଚଟା ପର୍ଯ୍ୟନ୍ତ ହୋଇଥାଏ, ଯାହା ଜଗତ୍ ସ୍ରଷ୍ଟା ‘ବ୍ରହ୍ମାଙ୍କ ସମୟ’ ବା ସେହି କ୍ରମେ ‘ସର୍ଜନା ବା ସୃଷ୍ଟିର ସମୟ’ ଭାବେ ବିବେଚିତ ହୋଇଥାଏ। ଅଧ୍ୟାତ୍ମ ବିଚାର କହିଥାଏ ଯେ ଏହି ସମୟରେ ଉଭୟ ପ୍ରକୃତି ଓ ମନୁଷ୍ୟ ଶରୀର ଅନବଦ୍ୟ ସର୍ଜନାଶୀଳ ତରଙ୍ଗ ଦ୍ବାରା ପ୍ଳାବିତ ହୋଇଥାଏ ଏବଂ ଯେ କୌଣସି ମନୁଷ୍ୟ ସକାଶେ ଏହା ହିଁ ହୋଇଥାଏ ଦିବସ ପ୍ରାରମ୍ଭ କରିବାର ଭବ୍ୟତମ କ୍ଷଣ! କେବଳ ସେତିକି ନୁହେଁ, ଏହି ସମୟରେ ପରିବେଶରେ ରାଜୁତି କରୁଥିବା ନୈସର୍ଗିକ ନିରବତା କାରଣରୁ ସଦ୍ୟ ଶଯ୍ୟା ତ୍ୟାଗ କରିଥିବା ସତେଜ ମନୁଷ୍ୟ ସକାଶେ ଧ୍ୟାନ ବା ଯୋଗାଭ୍ୟାସରେ ନିମଜ୍ଜିତ ରହିବା ଅତ୍ୟନ୍ତ ସହଜସାଧ୍ୟ ମଧ୍ୟ ହୋଇଥାଏ।
ଏହି ମର୍ମରେ ସଦ୍ଗୁରୁ ଭାବେ ସୁବିଖ୍ୟାତ ଜାଗି ବାସୁଦେବ କହିଥାଆନ୍ତି ଯେ କେବଳ ରୋଗୀ ଓ ଭୋଗୀମାନେ ରାତ୍ରର ବିଳମ୍ବିତ ପ୍ରହର ଯାଏ ଜାଗ୍ରତ ରହନ୍ତି; ଅସହାୟ ରୋଗୀ ଶାରୀରିକ ଯନ୍ତ୍ରଣା ବା ଅସ୍ବସ୍ତି କାରଣରୁ ଜାଗ୍ରତ ରହିବା ଅଦୃଷ୍ଟର ବିଧାନ ହୋଇଥିବା ବେଳେ ମାତ୍ରାଧିକ ଇନ୍ଦ୍ରିୟାସକ୍ତି କାରଣରୁ ଭୋଗୀମାନେ ନୈଶ କାଳର ଜାନ୍ତବ ଉଲ୍ଲାସରେ ବିଭୋର ରହନ୍ତି। ସଂପ୍ରତି ‘ନାଇଟ୍ ଲାଇଫ୍’ ବା ‘ନୈଶ ଜୀବନ’ ବୋଲି ଯାହାକୁ କୁହାଯାଉଛି, ତାହା ଐନ୍ଦ୍ରୀୟ ଉନ୍ମାଦନାର ଉଲଙ୍ଗ ନୃତ୍ୟ ନୁହେଁ କି? କିନ୍ତୁ, ଜାଗି ବାସୁଦେବ ଏହା ମଧ୍ୟ କହିଥାଆନ୍ତି ଯେ ସଂପ୍ରତି ବିଭିନ୍ନ କାରଣରୁ ବିଳମ୍ବିତ ରାତ୍ରରେ ଏକ ରକମର ଯୋଗୀମାନଙ୍କ ମଧ୍ୟ ଆବିର୍ଭାବ ଘଟିଲାଣି, ଯେଉଁମାନେ ହେଉଛନ୍ତି ବିଭିନ୍ନ ପରୀକ୍ଷା ସକାଶେ ସଘନ ପ୍ରସ୍ତୁତିରେ ଧ୍ୟାନରତ ଛାତ୍ରଛାତ୍ରୀ ଏବଂ ଯେଉଁମାନେ ଅଭ୍ୟାସ ବଦଳାଇ ‘ବ୍ରହ୍ମ ମୁହୂର୍ତ୍ତ’ର ଉପଯୋଗ କଲେ ହୁଏତ ସେମାନଙ୍କ ପ୍ରସ୍ତୁତି ଅଧିକ ଫଳପ୍ରଦ ହୁଅନ୍ତା! ତେବେ, ଏହି ତିନି ବର୍ଗ ବାଦେ ଆଉ ଯେଉଁ ଏକ ଗୋଷ୍ଠୀ ସଂପ୍ରତି ବୃତ୍ତିର ଦାୟରୁ ଅଗତ୍ୟା ନିଶାଚର ପାଲଟିବାକୁ ବାଧ୍ୟ ହୋଇଥାଆନ୍ତି, ତାହା ହେଲା ସୂଚନା ପ୍ରଯୁକ୍ତିର ବିପ୍ଳବ ପରେ ‘୨୪x୭’ ଖୋଲା କଲ୍ ସେଣ୍ଟର୍ ବା ଟେଲିଭିଜନ୍ ଚ୍ୟାନେଲ୍ ଇତ୍ୟାଦିରେ କାର୍ଯ୍ୟରତ ଅସଂଖ୍ୟ ତରୁଣତରୁଣୀ, ଯେଉଁମାନେ ରାତ୍ରିର ଶେଷ ଯାମ ପର୍ଯ୍ୟନ୍ତ ଉଜାଗର ରହି ‘ବ୍ରହ୍ମ ମୁହୂର୍ତ୍ତ’ ବେଳକୁ ହିଁ ନିଦ୍ରା ଦେବୀଙ୍କ କ୍ରୋଡ଼କୁ ଅବତରଣ କରିବାକୁ ସମୟ ପାଆନ୍ତି। ଏଭଳି ସ୍ଥିତିରେ ନୈଷ୍ଠିକତା ଓ ଶାସ୍ତ୍ରୀୟତା କାରଣରୁ ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷ ଯୋଗାଭ୍ୟାସର ସୁଯୋଗରୁ ବଞ୍ଚିତ ହେବା ଉଚିତ କି?
ଜୀବ ବିଜ୍ଞାନୀମାନଙ୍କ ଦୃଷ୍ଟିରେ ଅତି ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରିବାର ଅଭ୍ୟାସ ଜିନ୍ଗତ କାରଣରୁ ମଧ୍ୟ ନିର୍ଦ୍ଧାରିତ ହେଉଥିବାର ସମ୍ଭାବନା ରହିଛି। ସେମାନଙ୍କ ମତରେ ଆଜିକୁ ଚାଳିଶ ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ୟୁରେସିଆ ଅଞ୍ଚଳର ବାସିନ୍ଦା ‘ନିଏଣ୍ଡର୍ଥଲ୍’ମାନଙ୍କ ଠାରୁ ମନୁଷ୍ୟ ଆହରଣ କରିଥିବା ‘ଡି.ଏନ୍.ଏ’ର ପ୍ରଭାବ ମନୁଷ୍ୟର ଶଯ୍ୟା ତ୍ୟାଗର ଅଭ୍ୟାସକୁ ନିୟନ୍ତ୍ରଣ କରୁଥାଇପାରେ। ପ୍ରକାଶ ଥାଉ କି ‘ନିଏଣ୍ଡର୍ଥଲ୍’ମାନେ ଥିଲେ ମନୁଷ୍ୟର ନିକଟତମ ସାଦୃଶ୍ୟ ବହନ କରୁଥିବା ପ୍ରାଚୀନତମ ପ୍ରାଣୀ, ଯେଉଁମାନେ ମନୁଷ୍ୟର ପୂର୍ବପୁରୁଷ ଆଦ୍ୟ ‘ହୋମୋ ସେପିଏନ୍ସ’ମାନଙ୍କ ସହିତ ମିଳନ ଓ ସଂଘାତ କ୍ରମରେ ବିଲୁପ୍ତ ହୋଇଯାଇଥିଲେ ଏବଂ ସେହି ମିଳନର ସଂକେତ ସ୍ବରୂପ ଆମ ଜିନ୍ରେ ୨%ରୁ ୪% ‘ନିଏଣ୍ଡର୍ଥଲ୍’ ଡି.ଏନ୍.ଏ. ମଧ୍ୟ ଦେଖିବାକୁ ମିଳିଥାଏ। ନୃତତ୍ତ୍ବବିତ୍ମାନେ କହନ୍ତି ଯେ ୟୁରେସୀୟ ପାର୍ବତ୍ୟାଞ୍ଚଳରେ ଦିବସର ଆକାର କ୍ଷୁଦ୍ର ହୋଇଥିବା କାରଣରୁ ସେଠାରେ ବସବାସ କରୁଥିବା ‘ନିଏଣ୍ଡର୍ଥଲ୍’ମାନେ ଅତି ପ୍ରାତଃ କାଳରୁ ଖାଦ୍ୟ ଅନ୍ବେଷଣରେ ବାହାରି ଯାଉଥିବେ, ଯେଉଁ ଅଭ୍ୟାସ ଲକ୍ଷାଧିକ ବର୍ଷର ବିବର୍ତ୍ତନ କ୍ରମେର ସେମାନଙ୍କ ଜିନ୍ ସଂରଚନାର ଅଂଶ ପାଲଟି ଯାଇଥିବ ଏବଂ ଅବଲୀଳା କ୍ରମେ ମନୁଷ୍ୟ ଶରୀରକୁ ଓହ୍ଲାଇ ଆସି ତାହାର ଶଯ୍ୟା ତ୍ୟାଗ କରିବାର ଅଭ୍ୟାସକୁ ପରିଚାଳିତ କରୁଛି; ଅର୍ଥାତ୍ ଯେଉଁମାନଙ୍କ ଠାରେ ‘ନିଏଣ୍ଡର୍ଥଲ୍’ ଡି.ଏନ୍.ଏ.ର ଅଂଶ ଅଧିକ ସେମାନେ ସ୍ବଭାବତଃ ‘ବ୍ରହ୍ମ ମୁହୂର୍ତ୍ତ’ର ଉପାସକ। ପ୍ରକାଶ ଥାଉ କି ପୃଥିବୀରେ ସବୁଠାରୁ ଅଧିକ ଶୀଘ୍ର ଶଯ୍ୟା ତ୍ୟାଗ କରୁଥିବା ଦେଶ ହେଲା କଲମ୍ବିୟା, ଯହିଁରେ ହାରାହାରି ସମୟ ହେଲା ସକାଳ ୬ଟା ୩୧। ଭାରତରେ ତାହା ସକାଳ ୭ଟା ୩୬। ତେବେ, ପୃଥିବୀ ଜନସଂଖ୍ୟାର ୫୦% ସକାଳେ ଶଯ୍ୟା ତ୍ୟାଗ ଓ ରାତିରେ ନିଦ୍ରା ଗମନ ପରିପ୍ରେକ୍ଷୀରେ ‘ମଧ୍ୟମ ପନ୍ଥୀ’।
ଅବଶ୍ୟ ଏହା ଏକ ବାସ୍ତବତା ଯେ ପୃଥିବୀର ପ୍ରାୟ ସର୍ବତ୍ର ପ୍ରାତଃ-କାଳୀନ ଶଯ୍ୟା ତ୍ୟାଗକୁ ମହିମା ମଣ୍ଡନ କରାଯାଇଥାଏ; ଯେଉଁ କାରଣରୁ ନିଶାଚରମାନେ ମୃଦୁ ଗ୍ଳାନିବୋଧର ମଧ୍ୟ ଶିକାର ହୋଇଥାଆନ୍ତି। ଅତି ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରୁଥିବା ମହନୀୟ ଓ ଅତି ସଫଳ ବ୍ୟକ୍ତିଙ୍କ ଦୃଷ୍ଟାନ୍ତ ରୂପେ ମହାତ୍ମା ଗାନ୍ଧୀ ଓ ଚର୍ଚ୍ଚିଲଙ୍କ ଠାରୁ ଆରମ୍ଭ କରି ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ ନାମଗୁଡ଼ିକର ଉପସ୍ଥାପନ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଗବେଷକମାନେ ନିଦ୍ରା ଅଭ୍ୟାସ ଆଧାରରେ ବ୍ୟକ୍ତିତ୍ବର ବର୍ଗୀକରଣ ମଧ୍ୟ କଲେଣି। ସେମାନଙ୍କ ମତରେ ସ୍ବଭାବଗତ ଭାବେ ଅତି ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିମାନେ ମନନଶୀଳ, ଗଭୀର ତର୍ଜମା ଶକ୍ତିର ଅଧିକାରୀ, ଅନ୍ତର୍ବୋଧସଂପନ୍ନ ଓ ସୁବିନ୍ୟସ୍ତ ଜୀବନର ସ୍ତାବକ ହୋଇଥିବା ବେଳେ ବିଳମ୍ବିତ ରାତ୍ର ଯାଏ କାର୍ଯ୍ୟକ୍ଷମ ରହୁଥିବା ଲୋକେ ଭାବୁକ, ଶ୍ରଦ୍ଧାଶୀଳ, ଆବେଗସଂପନ୍ନ ଓ ଉଚ୍ଚ ସର୍ଜନ ଶକ୍ତିର ଅଧିକାରୀ ହୋଇଥାଆନ୍ତି। ସୁତରାଂ, ବିଳମ୍ବିତ ରାତ୍ର ଯାଏ ନିଦ୍ରା ଦେବୀଙ୍କ ଦର୍ଶନ ଲାଭ କରୁ ନ ଥିବା ବ୍ୟକ୍ତିମାନେ ଗ୍ଳାନିଯୁକ୍ତ ହେବାର କୌଣସି କାରଣ ନାହିଁ। ଏହିଭଳି ବ୍ୟକ୍ତିଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଲାଗି ମଧ୍ୟ ଯୋଗାଭ୍ୟାସ ଅତ୍ୟନ୍ତ ଆବଶ୍ୟକ, ଯେଉଁଥି ଲାଗି ଯୋଗାଭ୍ୟାସର ଧାରା ସମାୟୋପଯୋଗୀ ଓ ଆବଶ୍ୟକ ସ୍ଥଳେ ନମନୀୟ ହେବା ସ୍ବାଭାବିକ ଏବଂ ଉଚିତ ମଧ୍ୟ। ଉଲ୍ଲେଖଯୋଗ୍ୟ ଯେ ଶୀଘ୍ର ଶଯ୍ୟା ତ୍ୟାଗ କରି ଦିନଚର୍ଯ୍ୟା ଆରମ୍ଭ କରିବାର ଯଥାର୍ଥତା ଦର୍ଶାଇବାକୁ ଯାଇ ଏକ ଇଂରେଜୀ ରୁଢ଼ି କହିଥାଏ ଯେ ‘ଆନ୍ ଅର୍ଲି ବାର୍ଡ କ୍ୟାଚେସ୍ ଦ ୱର୍ମ୍’, ଯାହାର ଅର୍ଥ ହେଲା ଭୋର୍ରୁ ନୀଡ଼ ଛାଡ଼ିଥିବା ପକ୍ଷୀ ହିଁ ସହଳ ପତଙ୍ଗ (ଶିକାର) ପାଇଯାଏ। ଏଭଳି ସ୍ଥଳେ ଶୀଘ୍ର ଶଯ୍ୟା ତ୍ୟାଗ କରି ପାରୁ ନ ଥିବା ପକ୍ଷଙ୍କ ଉତ୍ତର ଏହା ହୋଇପାରେ: ‘ ହେଲା ଯେ, ଶୀଘ୍ର ଘର ଛାଡ଼ିଥିବା ପତଙ୍ଗର ଦଶା ଏବେ କ’ଣ ହେଲା ଦେଖିଲେ ତ?’