ଡେଟା ଅସ୍ତ୍ର?

ଭାରତୀୟ ଜନସାଂଖ୍ୟିକ ସଂରଚନାରେ ସଂଖ୍ୟାବହୁଳ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସ୍ଥିତି ନେଇ ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ‘ଡେଟା’ କହିଥାଏ ଯେ ଏଠାରେ ହିନ୍ଦୁମାନେ ମୁସଲିମ ଜନସଂଖ୍ୟାର ପ୍ଳାବନରେ ସମାଧି ଲାଭ କରିବାର ଭୟ ଓ ଉଦ୍‌ବେଗ ଆଦୌ ନାହିଁ। କିନ୍ତୁ ‘ଡେଟା’କୁ ସଂପୂର୍ଣ୍ଣ ନ ଦର୍ଶାଇ ବା ତାକୁ ମୋଡ଼ି ବଙ୍କେଇ ରାଜନୀତି କରାଗଲେ ତାହା ଅସ୍ତ୍ରରେ ମଧ୍ୟ ପରିଣତ ହୋଇପାରେ, ଯେମିତି ଘଟିଥିଲା କୋଭିଡ୍‌ ପାନ୍‌ଡେମିକ୍‌ ସମୟରେ! କିନ୍ତୁ ନିଷ୍ଠାପର ଗବେଷକ ଓ ବୈଜ୍ଞାନିକମାନେ ସେଭଳି କାର୍ଯ୍ୟରେ ଲିପ୍ତ ରହନ୍ତି ନାହିଁ।

ନିକଟରେ ପ୍ରଧାନମନ୍ତ୍ରୀଙ୍କ ‘ଆର୍ଥିକ ପରାମର୍ଶଦାତା ପରିଷଦ’ (ଇକୋନୋମିକ୍‌ ଆଡ୍‌ଭାଇଜରି କାଉନ୍‌ସିଲ୍‌) ଦ୍ବାରା ପ୍ରକାଶିତ ଏକ ଅନୁଧ୍ୟାନମୂଳକ ରିପୋର୍ଟ ବିଭିନ୍ନ କାରଣରୁ ଉଭୟ ଆଲୋଚନା ଓ ସମାଲୋଚନାର କେନ୍ଦ୍ରରେ ରହିଛି। ‘ବିଭିନ୍ନ ଦେଶରେ ଧର୍ମୀୟ ସଂଖ୍ୟାଲଘୁଙ୍କ ଅଂଶ- ଏକ ବିଶ୍ଳେଷଣ’ ଶୀର୍ଷକ ବହନ କରିଥିବା ଏହି ଗବେଷଣାତ୍ମକ ରିପୋର୍ଟରେ ୧୯୫୦ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ କାଳଖଣ୍ଡରେ ୧୬୭ଟି ଦେଶର ଜନସଂଖ୍ୟାରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଉପସ୍ଥିତି କିଭଳି ପରିବର୍ତ୍ତନ ଦେଇ ଗତି କରିଛି, ସେ ସଂପର୍କରେ ଉଲ୍ଲେଖ କରାଯାଇଛି। ତେବେ, ତହିଁରେ ସ୍ଥାନିତ ଯେଉଁ ବିବରଣୀଟି ଭାରତରେ ବିବାଦର ଝଡ଼ ସୃଷ୍ଟି କରିଛି, ତାହା ହେଲା ଉପରୋକ୍ତ ପଞ୍ଚଷଠି ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଅଂଶରେ ଦୃଷ୍ଟିଗୋଚର ହୋଇଥିବା ହ୍ରାସ ସହିତ ମୁସଲମାନ ଧର୍ମାବଲମ୍ବୀଙ୍କ ଅଂଶରେ ଘଟିଥିବା ବୃଦ୍ଧି; ଯାହା ସତେ ଯେମିତି ପରିସଂଖ୍ୟାନଗତ ପ୍ରମାଣ ଭିତ୍ତିରେ ସେହି ଭୟ ବା ଉଦ୍‌ବେଗକୁ ସାବ୍ୟସ୍ତ କରିଛି ଯେ ଭାରତୀୟ ମୁସଲମାନମାନେ ଅଭିସନ୍ଧିମୂଳକ ଭାବେ ଅଧିକ ସନ୍ତାନ ଉପୁଜାଇ ଅବଲୀଳା କ୍ରମେ ଭାରତକୁ ଏକ ମୁସଲମାନ ପ୍ରଧାନ ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟିତ। ସୁତରାଂ, ଏଭଳି ଭୟର ଯଥାର୍ଥତା ଓ ପରିସଂଖ୍ୟାନର ପରଦା ତଳେ ସ୍ପଷ୍ଟ-ଅସ୍ପଷ୍ଟ ବାସ୍ତବତା ପରିପ୍ରେକ୍ଷୀରେ ଏକ ପାରଦର୍ଶୀ ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ବିଷୟଟି ହେଲା ୧୯୫୦ ମସିହାରୁ ୨୦୧୫ ମସିହା ମଧ୍ୟରେ ଆମ ଦେଶରେ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ବୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ସତ୍ତ୍ବେ ଜନସଂଖ୍ୟାରେ ଉଭୟ ସଂପ୍ରଦାୟଙ୍କ ଭାଗ ଦୃଷ୍ଟିରୁ ହିସାବ କରି ଶଂସିତ ରିପୋର୍ଟରେ କୁହାଯାଇଛି ଯେ ୧୯୫୦ ମସିହାରେ ହିନ୍ଦୁମାନଙ୍କ ଅଂଶ ଭାରତୀୟ ଜନସଂଖ୍ୟାର ୮୩.୬୮% ଥିବା ବେଳେ ୨୦୧୫ ମସିହା ବେଳକୁ ତାହା ହ୍ରାସ ପାଇ ୭୮.୦୬%ରେ ପହଞ୍ଚିଛି ଏବଂ ସେହି ଅବଧିରେ ମୁସଲିମମାନଙ୍କ ଅଂଶ ୯.୮%ରୁ ବୃଦ୍ଧି ପାଇ ୧୪.୯%ରେ ପହଞ୍ଚିଛି। ଏହି ଆଧାରରେ ରିପୋର୍ଟ ପ୍ରସ୍ତୁତକାରୀ ବିଶେଷଜ୍ଞଙ୍କ ମତ ଅନୁସାରେ କୌଣସି ଦେଶର ଜନସଂଖ୍ୟାରେ ସଂଖ୍ୟାଲଘୁଙ୍କ ଅଂଶ ସ୍ଫୀତ ହେବାର ଅର୍ଥ ହେଲା ସେ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ସକାଶେ ଏକ ଅନୁକୂଳ ବାତାବରଣ ବିଦ୍ୟମାନ, ଯାହା ଆଦର୍ଶସ୍ଥାନୀୟ। ଭାରତର କୌଣସି ପଡ଼ୋଶୀ ଦେଶରେ ଏଭଳି ଚିତ୍ର ଦୃଶ୍ୟମାନ ହୋଇ ନ ଥାଏ; ବାଂଲାଦେଶ ବା ପାକିସ୍ତାନରେ ବରଂ ଏହାର ସଂପୂର୍ଣ୍ଣ ବିପରୀତ ହିଁ ଘଟିଛି, ଯେମିତି କି ଏହି ପଞ୍ଚଷଠି ବର୍ଷ ଅବଧି ମଧ୍ୟରେ ବାଂଲାଦେଶରେ (୧୯୫୦ ବେଳକୁ ପୂର୍ବ ପାକିସ୍ତାନ ଥିଲା) ସଂଖ୍ୟାଲଘୁ ହିନ୍ଦୁଙ୍କ ଅଂଶରେ ତୀବ୍ର ସ୍ଖଳନ ଘଟି ତାହା ୨୨.୫%ରୁ ୮%ରେ ପହଞ୍ଚିଛି ଏବଂ ପାକିସ୍ତାନରେ ତାହା ୧୩.୫%ରୁ କମି ୨%ରେ ପହଞ୍ଚିଛି। ଏହାର ଅର୍ଥ ସେ ଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଅସୁରକ୍ଷିତ ହୋଇ ହୁଏତ ପଳାୟନ କରିଛନ୍ତି ବା ଧର୍ମାନ୍ତରିତ ହୋଇଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତକାରୀ ଦଳର ମୁଖ୍ୟ ଶମିକା ରବି କହନ୍ତି ଯେ ଧର୍ମାନ୍ତରଣ, ସ୍ଥାନାନ୍ତରଣ ଓ ଜନ୍ମ ହାର ଇତ୍ୟାଦି କାରଣରୁ କିଭଳି ପୃଥିବୀର ସର୍ବତ୍ର ଜନସାଂଖ୍ୟିକ ସଂରଚନାରେ ସାଂପ୍ରଦାୟିକ ଚିତ୍ର ଓ ଚରିତ୍ର ବଦଳୁଥାଏ, ତା’ର ଅନୁଶୀଳନ କରିବା ହେଉଛି ଏହି ଗବେଷଣାର ଅଭିପ୍ରାୟ। ସେହି ରିପୋର୍ଟରେ ଦେଖିବାକୁ ମିଳିଛି ଯେ ପୃଥିବୀର ସର୍ବାଧିକ ବିକଶିତ, ଉଦାର ଅର୍ଥନୀତି ଅନୁସରଣକାରୀ ଗଣତାନ୍ତ୍ରିକ ୩୮ଟି (ଓ.ଇ.ସି.ଡି.) ଦେଶ ମଧ୍ୟରୁ ଅନ୍ତତଃ ୩୩ଟି ଦେଶରେ ସଂଖ୍ୟାଗରିଷ୍ଠ ଧର୍ମୀୟ ସଂପ୍ରଦାୟ, ଭାରତୀୟ ହିନ୍ଦୁମାନଙ୍କ ଭଳି, ଜନସଂଖ୍ୟାରେ ସେମାନଙ୍କ ଅଂଶୀଦାରିରେ କ୍ରମ ସଂକୋଚନ ପ୍ରଦର୍ଶନ କରିଚାଲିଛନ୍ତି। ସୁତରାଂ, ଭାରତ ସକାଶେ ତହିଁରୁ ମିଳିଥିବା ଆଉ ଏକ ସକାରାତ୍ମକ ବାର୍ତ୍ତା ହେଲା ସାକ୍ଷରତା ଓ ସଂପନ୍ନତାଗତ ଦୌର୍ବଲ୍ୟ ସତ୍ତ୍ବେ ଭାରତୀୟ ହିନ୍ଦୁମାନେ ପରିବାରକୁ ସୀମିତ ରଖିବାର ଦୂରଦୃଷ୍ଟି ସଂପନ୍ନ ସଚେତନତା ପ୍ରଦର୍ଶନ କରିଛନ୍ତି, ଯାହା ପ୍ରଶଂସାଯୋଗ୍ୟ।
ତେବେ, ଜନସଂଖ୍ୟା ସମ୍ବନ୍ଧୀୟ ଗବେଷଣା କ୍ଷେତ୍ରରେ ପ୍ରସିଦ୍ଧ ଥିଙ୍କ-ଟ୍ୟାଙ୍କ ‘ଦ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍ ଇଣ୍ଡିଆ’ (ପି.ଏଫ୍.ଆଇ.) କକ୍ଷରୁ ଉପରୋକ୍ତ ରିପୋର୍ଟ ଦ୍ବାରା ସୃଷ୍ଟ ହୋଇଥିବା ସାଂପ୍ରଦାୟିକ ଉଦ୍‌ବେଳନକୁ ନାପସନ୍ଦ କରାଯିବା ସହିତ ରିପୋର୍ଟ ପ୍ରସ୍ତୁତକାରୀମାନଙ୍କ ତର୍କକୁ ଖଣ୍ଡନ କରି କୁହାଯାଇଛି ଯେ ଶିକ୍ଷିତ, ସଚେତନ, ସଂପନ୍ନ ଓ ଅପେକ୍ଷାକୃତ ଅଧିକ ସ୍ବାଧୀନ ମହିଳାମାନେ ସାଧାରଣତଃ ପରିବାରକୁ କ୍ଷୁଦ୍ର ରଖିବାକୁ ଇଚ୍ଛା କରନ୍ତି। ସେ ଦୃଷ୍ଟିରୁ ଭାରତରେ ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ଶତାଂଶ ବୃଦ୍ଧି ଏହା ପ୍ରମାଣ କରିଥାଏ ଯେ ସେମାନେ ଏକ ଅନୁକୂଳ ବାତାବରଣରେ କାଳ ଅତିବାହିତ କରନ୍ତି ନାହିଁ, ବରଂ ସେମାନେ ଅସଚେତନ, ଅଶିକ୍ଷିତ, ଦରିଦ୍ର ଓ ପରାଧୀନ। କେରଳର ଅପେକ୍ଷାକୃତ ଅଧିକ ଶିକ୍ଷିତ ଓ ସଚେତନ ମୁସଲିମ ମହିଳାଙ୍କ କ୍ଷେତ୍ରରେ ପରିଦୃଷ୍ଟ ସ୍ବଳ୍ପ ପ୍ରସବ ହାରକୁ ଦର୍ଶାଇ ‘ପି.ଏଫ.ଆଇ.’ ପକ୍ଷରୁ ଏହି ଯୁକ୍ତିର ପ୍ରତିପାଦନ କରାଯିବାର ଉଦ୍ୟମ ହୋଇଛି ଏବଂ ଏହାର ବିପରୀତରେ ଉତ୍ତରପ୍ରଦେଶ ଓ ବିହାରର ଅଧିକ ସନ୍ତାନଧାରିଣୀ ଦରିଦ୍ର ଓ ଅଶିକ୍ଷିତ ମୁସଲିମ ମହିଳାଙ୍କ ଉଦାହରଣମାନ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ‘ପି.ଏଫ.ଆଇ.’ ପକ୍ଷରୁ କୁହାଯାଇଛି ଯେ ସନ୍ତାନ ଜନ୍ମ ହାର ଦୃଷ୍ଟିରୁ ଦେଖିବାକୁ ମିଳିଥାଏ ଯେ ୨୦୦୫ରୁ ୨୦୨୦ ମଧ୍ୟବର୍ତ୍ତୀ ଦେଢ଼ ଦଶକ ମଧ୍ୟରେ ମୁସଲମାନ ମହିଳାଙ୍କ ‘ଟିଏଫଆର’ ବା ‘ପ୍ରସବ ହାର’ ୩.୪ରୁ ହ୍ରାସ ପାଇ ୨.୪.ରେ ପହଞ୍ଚି ପୂରା ୧ ପର୍ସେଂଟେଜ୍‌ ପଏଣ୍ଟ ସଂକୁଚିତ ହୋଇଥିବା ବେଳେ ହିନ୍ଦୁ ମହିଳାଙ୍କ ‘ପ୍ରସବ ହାର’ରେ ୦.୭ ପର୍ସେଂଟେଜ୍‌ ପଏଣ୍ଟ ହ୍ରାସ ଘଟି ୧.୯ ରହିଛି। ସୁତରାଂ, ସନ୍ତାନ ଜନ୍ମ ହାର ଦୃଷ୍ଟିରୁ ମୁସଲିମ ମହିଳାମାନେ ଆଉ ହିନ୍ଦୁ ମହିଳାଙ୍କ ଠାରୁ ବି‌ଶେଷ ଆଗରେ ନାହାନ୍ତି। ଏଭଳି ସ୍ଥଳେ ରିପୋର୍ଟଟି ତା’ର ଗୋଚରରେ ହେଉ ବା ଅଗୋଚରରେ ଏକ ଭ୍ରମାତ୍ମକ ଧାରଣାକୁ ପରିପୁଷ୍ଟ କରିବାରେ ସହାୟକ ହୋଇଛି ବୋଲି ‘ପି.ଏଫ.ଆଇ.’ କହିଥାଏ।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ନିର୍ବାଚନର ଘନଘଟା ମଧ୍ୟରେ, ଦକ୍ଷିଣପନ୍ଥୀ ରାଜନୀତି ଦ୍ବାରା ସାଂପ୍ରଦାୟିକ ଧ୍ରୁବୀକରଣର ଉଚ୍ଚାଟିତ ବାତାବରଣରେ ଏଭଳି ଏକ ସ୍ପର୍ଶକାରତର ରିପୋର୍ଟ ପ୍ରକାଶ ପାଇବା ଉଚିତ କି? ଦ୍ବିତୀୟ ପ୍ରଶ୍ନଟି ହେଲା ବୈଜ୍ଞାନିକ ଗବେଷଣା ପ୍ରସୂତ ତଥ୍ୟଭିତ୍ତିକ ଗମ୍ଭୀର ଅନୁଶୀଳନଟିଏ ଯଦିବା ଏକ ସ୍ପର୍ଶକାତର ସମୟରେ ପ୍ରକାଶିତ ହୁଏ, ତେବେ ତାହାର ବିଚାର ରାଜନୈତିକ ପୂର୍ବାଗ୍ରହ ଆଧାରରେ କରାଯିବା ଉଚିତ କି? ଏହାର ଉତ୍ତର ହେଲା ଏଭଳି ରିପୋର୍ଟଗୁଡ଼ିକର ପ୍ରସ୍ତୁତି, ପ୍ରକାଶନ, ଆଲୋଚନା ଓ ସମାଲୋଚନା ସର୍ବଦା ରାଜନୈତିକ ମତାଦର୍ଶ ଓ ଅଭିସନ୍ଧିରୁ ଊର୍ଦ୍ଧ୍ବରେ ରହି କରାଯିବା ବିଧେୟ। ଏଭଳି ହେଲେ ହିଁ ଉଚିତ ମାର୍ଗ ଉନ୍ମୋଚିତ ହୋଇପାରିବ, ନୂତନ ପ୍ରସ୍ଥମାନ ଖୋଲିବ ଓ ସନ୍ଦେହର ଧୂମପଟଳ ଅପସାରିତ ହେବ। ଭାରତୀୟ ଜନସାଂଖ୍ୟିକ ସଂରଚନାରେ ସଂଖ୍ୟାବହୁଳ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସ୍ଥିତି ନେଇ ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ‘ଡେଟା’ କହିଥାଏ ଯେ ଏଠାରେ ହିନ୍ଦୁମାନେ ମୁସଲିମ ଜନସଂଖ୍ୟାର ପ୍ଳାବନରେ ସମାଧି ଲାଭ କରିବାର ଭୟ ଓ ଉଦ୍‌ବେଗ ଆଦୌ ନାହିଁ। କିନ୍ତୁ ‘ଡେଟା’କୁ ସଂପୂର୍ଣ୍ଣ ନ ଦର୍ଶାଇ ବା ତାକୁ ମୋଡ଼ି ବଙ୍କେଇ ରାଜନୀତି କରାଗଲେ ତାହା ଅସ୍ତ୍ରରେ ମଧ୍ୟ ପରିଣତ ହୋଇପାରେ, ଯେମିତି ଘଟିଥିଲା କୋଭିଡ୍‌ ପାନ୍‌ଡେମିକ୍‌ ସମୟରେ! କିନ୍ତୁ ନିଷ୍ଠାପର ଗବେଷକ ଓ ବୈଜ୍ଞାନିକମାନେ ସେଭଳି କାର୍ଯ୍ୟରେ ଲିପ୍ତ ରହନ୍ତି ନାହିଁ।

ସମ୍ବନ୍ଧିତ ଖବର