ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଘରୋଇ କ୍ଷେତ୍ରରେ ଆରକ୍ଷଣ ବ୍ୟବସ୍ଥା ସଂବିଧାନର ଧାରା-୧୯ର ଉଲ୍ଲଂଘନ କରିଥାଏ, ଯାହା ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ଯେ କୌଣସି ବୃତ୍ତି ଅବଲମ୍ବନ କରିବାର ଅଧିକାର ଉପଭୋଗ କରିଥାଏ ଓ ତାହା କରିବା ପାଇଁ ଭାରତରେ ଯେ କୌଣସି ସ୍ଥାନକୁ ଗମନ କରିବାର ସ୍ବାଧୀନତା ଉପଭୋଗ କରିଥାଏ। ତେବେ ଏହା ସିନା ହେଉଛି ନ୍ୟାୟମୂର୍ତ୍ତିମାନଙ୍କର ମସ୍ତିଷ୍କରୁ ନିଃସୃତ ସ୍ବଚ୍ଛ ଚିନ୍ତାଧାରା, କିନ୍ତୁ ରାଜନେତାମାନଙ୍କର ମସ୍ତିଷ୍କରୁ ନିର୍ଗତ ମଇଳା ଚିନ୍ତାଧାରା ସର୍ବଦା ଏହାକୁ ଅତିକ୍ରମ କରିବାକୁ ଯେ ଚେଷ୍ଟା କରିଚାଲିବ, ଏଥିରେ କୌଣସି ସନ୍ଦେହ ନାହିଁ।
ମନୁଷ୍ୟର ମସ୍ତିଷ୍କରୁ ନିର୍ଗତ ଚିନ୍ତାର ପ୍ରବାହର ସ୍ବରୂପ କ’ଣ? ଊନବିଂଶ ଶତାବ୍ଦୀର ଜର୍ମାନ୍ ମନସ୍ତତ୍ତ୍ବବିତ୍ କାର୍ଲ ଫୋକ୍ଟ ଏ ସଂପର୍କରେ ଯେଉଁ ମତାମତ ପ୍ରଦାନ କରିଥିଲେ, ତାହା ଏକ ଅଣପାରମ୍ପରିକ ଅନ୍ତର୍ଦୃଷ୍ଟି ବହନ କରୁଥିଲେ ହେଁ ତାହା ଅନ୍ୟମାନଙ୍କ ଦ୍ବାରା ଅତ୍ୟନ୍ତ ଅରୁଚିକର ବିବେଚିତ ହୋଇ ସମାଲୋଚିତ ହୋଇଆସିଛି। ଫୋକ୍ଟ କହିଥିଲେ ଯେ ଚିନ୍ତା ସ୍ରୋତର ମସ୍ତିଷ୍କ ସହିତ ସଂପର୍କ ହେଉଛି ସେଇଭଳି, ଯେଉଁଭଳି ହୋଇଥାଏ ପରିସ୍ରାର କିଡ୍ନି ସହିତ ଥିବା ସଂପର୍କ କିମ୍ବା ପିତ୍ତରସର ଲିଭର୍ ସହିତ ଥିବା ସଂପର୍କ। ସେ ଅବଶ୍ୟ ଏଭଳି ଏକ ମତ ପୋଷଣ କରିବାରେ ଯାହାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ, ସେ ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ମନସ୍ତତ୍ତ୍ବବିତ୍ ପିଅର୍ କାବାନିସ୍। କାବାନିସ୍ ତାଙ୍କର ସୁପ୍ରସିଦ୍ଧ ପୁସ୍ତକ ‘ରିଲେସନ୍ସ ଅଫ୍ ଦି ଫିଜିକାଲ୍ ଆଣ୍ଡ ଦି ମୋରାଲ୍ ଇନ୍ ମ୍ୟାନ୍’ (‘ମନୁଷ୍ୟର ଅନ୍ତର୍ନିହିତ ଦୈହିକ ଓ ନୈତିକ ମଧ୍ୟରେ ସଂପର୍କ’)ରେ ସୂଚାଇଥିଲେ ଯେ ମନୁଷ୍ୟର ପାକସ୍ଥଳୀରେ ଯେଉଁଭଳି ଖାଦ୍ୟର ହଜମ ପ୍ରକ୍ରିୟା ସଂଘଟିତ ହୋଇ ମଳ ନିର୍ଗତ ହୋଇଥାଏ, ମନୁଷ୍ୟର ମସ୍ତିଷ୍କରେ ସେଇଭଳି ଧାରଣା ବା ‘ଇମ୍ପ୍ରେସନ୍’ମାନଙ୍କର ହଜମ ପ୍ରକ୍ରିୟା ସଂଘଟିତ ହୋଇ ଚିନ୍ତାଧାରା ନିର୍ଗତ ହୋଇଥାଏ।
ଫୋକ୍ଟ ବା କାବାନିସ୍ ମାନବ ମସ୍ତିଷ୍କ ସମ୍ବନ୍ଧରେ ପୋଷଣ କରିଥିବା ଏଭଳି ଏକ ମତ ଅରୁଚିକର ମନେ ହେଉଥିଲେ ବି ଏହା ଯେ ଗୋଟିଏ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ସଂପୂର୍ଣ୍ଣ ପ୍ରଯୁଜ୍ୟ, ତାହା କର୍ଣ୍ଣାଟକ ସରକାର ଏବେ ଆଗତ କରିବା ପରେ ‘ନାସ୍କମ୍’ ଆଦି ଶିଳ୍ପ ସଂଗଠନମାନଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ସ୍ଥଗିତ କରିବା ପାଇଁ ବାଧ୍ୟ ହୋଇଥିବା ଏକ ନୂତନ ଆଇନ ପ୍ରଣୟନ ଉଦ୍ୟମରୁ ସାବ୍ୟସ୍ତ ହୋଇଥାଏ। ଏଭଳି ମଇଳା ଚିନ୍ତା ଯେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ମସ୍ତିଷ୍କରୁ ନିର୍ଗତ ହୋଇପାରେ, ସେମାନେ ହେଉଛନ୍ତି ରାଜନେତା- ଏହାର ସଦ୍ୟତମ ପ୍ରମାଣ ହେଉଛି କର୍ଣ୍ଣାଟକରେ ଏବେ ଦେଖିବାକୁ ମିଳିଥିବା ଏହି ଅସଫଳ ପ୍ରୟାସ। ସଂକ୍ଷେପରେ କହିଲେ ନିଜର ସଂକୀର୍ଣ୍ଣ ଆଞ୍ଚଳିକ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଦେଶର ସାମଗ୍ରିକ ଅର୍ଥନୀତିକୁ ଆହତ କରିବା ପାଇଁ ଉଦ୍ଦିଷ୍ଟ ଏହି ସ୍ଥଗିତ କରାଯାଇଥିବା ବିଲ୍ ଅନୁସାରେ ଭାରତର ଟେକ୍ନୋଲୋଜି, ‘ଷ୍ଟାର୍ଟଅପ୍’ ଆଦିର ରାଜଧାନୀ ରୂପେ ବିବେଚିତ ବାଙ୍ଗାଲୋର ଅବସ୍ଥିତ ଥିବା ଏହି ରାଜ୍ୟରେ ଘରୋଇ କ୍ଷେତ୍ରରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ବାଧ୍ୟତାମୂଳକ ହେବ।
ସେ ରାଜ୍ୟର କ୍ଷମତାସୀନ ରାଜନେତାମାନଙ୍କର ମସ୍ତିଷ୍କରୁ ନିର୍ଗତ ଏହି ମଇଳା ଚିନ୍ତା ଅନୁସାରେ ସେ ରାଜ୍ୟରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶିଳ୍ପ-ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ସମସ୍ତ ପରିଚାଳକ ଶ୍ରେଣୀୟ ପଦମାନଙ୍କର ୫୦ ପ୍ରତିଶତ ସ୍ଥାନରେ ଓ ଅଣପରିଚାଳକ ଶ୍ରେଣୀୟ ପଦମାନଙ୍କର ୭୫ ପ୍ରତିଶତ ସ୍ଥାନରେ ବାଧ୍ୟତାମୂଳକ ଭାବରେ କେବଳ ସ୍ଥାନୀୟ ପ୍ରାର୍ଥୀମାନେ ନିଯୁକ୍ତ ହେବେ। ଏହି ବିଲ୍ରେ ‘ସ୍ଥାନୀୟ’ର ନିରୂପଣ କରାଯାଇଥିବା ସଂଜ୍ଞା ଅନୁସାରେ ଯେଉଁମାନେ କର୍ଣ୍ଣାଟକରେ ଜନ୍ମିତ ହୋଇଥିବେ, ସେ ରାଜ୍ୟରେ ଅନ୍ତତଃ ୧୫ ବର୍ଷ କାଳ ବସବାସ କରିଥିବେ, ଏବଂ କନ୍ନଡ଼ ଭାଷା ପଢ଼ି, ଲେଖି ଓ କହି ପାରୁଥିବେ- ସେଇମାନେ ହିଁ ‘ସ୍ଥାନୀୟ’ ରୂପେ ବିବେଚିତ ହେବେ। ମାଧ୍ୟମିକ ବିଦ୍ୟାଳୟ ସ୍ତରରେ କନ୍ନଡ଼ ଭାଷା ଏକ ବିଷୟ ରୂପେ ଅଧ୍ୟୟନକୁ ଯୋଗ୍ୟତାର ଏକ ମାପକାଠି ରୂପେ ବିଲ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁମାନେ ବିଦ୍ୟାଳୟରେ କନ୍ନଡ଼କୁ ଏକ ବିଷୟ ରୂପେ ଅଧ୍ୟୟନ କରି ନ ଥିବେ, ସେମାନଙ୍କୁ ଏହି ଭାଷାରେ ନିଜର ବ୍ୟୁତ୍ପତ୍ତି ପ୍ରମାଣିତ କରିବା ନିମିତ୍ତ ଏକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିବ। ଏଥିପୂର୍ବରୁ ସେ ରାଜ୍ୟ ସରକାର ସେଠାରେ କାର୍ଯ୍ୟ କରୁଥିବା ବହୁଦେଶୀୟ କଂପାନିମାନଙ୍କୁ ନିର୍ଦ୍ଦେଶ ଦେବା ଦେଖାଯାଇଛି ଯେ ସେମାନେ ନିଯୁକ୍ତ କରିଥିବା କନ୍ନଡ଼ିଗ କର୍ମଚାରୀମାନଙ୍କର ସଂଖ୍ୟା ସର୍ବସାଧାରଣଙ୍କ ଅବଗତି ନିମିତ୍ତ ପ୍ରଦର୍ଶନ କରନ୍ତୁ।
ସରକାରୀ କ୍ଷେତ୍ରରେ ସରକାର ପ୍ରଦାନ କରୁଥିବା ନିଯୁକ୍ତିରେ ଏପରି ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟ କରିବା ଭାରତର ଜଟିଳ ଗଣତନ୍ତ୍ରର ଏକ ଅପରିହାର୍ଯ୍ୟ ବିକୃତି ରୂପେ ଗୃହୀତ ହୋଇଆସିଛି। ସରକାରୀ କ୍ଷେତ୍ର ଓ ବେସରକାରୀ ବା ଘରୋଇ କ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ପାର୍ଥକ୍ୟମାନଙ୍କ ମଧ୍ୟରେ ଏହି ପରିପ୍ରେକ୍ଷୀରେ ଯେଉଁ ପାର୍ଥକ୍ୟଟି ହେଉଛି ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା: ସରକାରୀ କ୍ଷେତ୍ରରେ ବ୍ୟୟ ଆୟ ଉପରେ ନିର୍ଭର କରି ନ ଥାଏ; ଘରୋଇ କ୍ଷେତ୍ରରେ ଆୟଠାରୁ ବ୍ୟୟ ଅଧିକ ହୋଇଚାଲିବା ସମ୍ଭବ ନୁହେଁ। କରଦାତାମାନେ ସରକାରୀ ବ୍ୟୟକୁ ସମ୍ଭାଳିଥାନ୍ତି; ଘରୋଇ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନଙ୍କୁ ନିଜର ଆୟ ସୃଷ୍ଟି କରିବାକୁ ହୋଇଥାଏ। ରାଜନୈତିକ ଚାପରେ ଏକ କଂପାନି ଯଦି ଆରକ୍ଷଣ ନିୟମ ପାଳନ କରି ଦଳେ ଅପାରଗ କର୍ମଚାରୀମାନଙ୍କୁ ନିଯୁକ୍ତ କରେ, ସେ କଂପାନି ଏକ ଅଦକ୍ଷ କଂପାନିରେ ପରିଣତ ହୋଇ ପ୍ରତିଯୋଗିତା କ୍ଷମତା ହରାଇ ବସିବା ଓ ପରିଣାମ ସ୍ବରୂପ କ୍ରମେ ଏହାର ବ୍ୟୟ ଆୟକୁ ଅତିକ୍ରମ କରି ସେ କଂପାନି ଦେବାଳିଆ ହୋଇଯିବା ଅନିବାର୍ଯ୍ୟ।
ଏହି ଯୁକ୍ତି ଏଭଳି ସରଳ ଯେ ଏହାର ଯଥାର୍ଥତା ହୃଦୟଙ୍ଗମ କରିବା ନିମିତ୍ତ ଅର୍ଥଶାସ୍ତ୍ରରେ କୌଣସି ବିଶେଷ ଜ୍ଞାନର ଆବଶ୍ୟକତା ନାହିଁ। କିନ୍ତୁ ରାଜନୀତି ମନୁଷ୍ୟର ମସ୍ତିଷ୍କକୁ ଏପରି ମଇଳା କରିଦିଏ ଯେ ଅତୀତରେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ରାଜନୀତିରେ ପ୍ରବେଶ କରି ଘଟଣାକ୍ରମେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ କହିବା ଦେଖାଯାଇଥିଲା: ‘‘ଏହା (ଘରୋଇ କ୍ଷେତ୍ରରେ ଆରକ୍ଷଣ) ହେଉଛି ଏକ ଚିନ୍ତାଧାରା ଯାହାର ସମୟ ଉପନୀତ ହୋଇସାରିଲାଣି।’’ ଏଠାରେ ସୂଚାଇବା ପ୍ରାସଙ୍ଗିକ ହେବ ଯେ ହିଂସ୍ର ପ୍ରତିଯୋଗିତା ପାଇଁ କୁଖ୍ୟାତ ରାଜନୀତିରେ ମଧ୍ୟ କୌଣସି ପ୍ରତିଯୋଗିତାର ସମ୍ମୁଖୀନ ନ ହୋଇ ଏବଂ ଥରଟିଏ ମଧ୍ୟ କୌଣସି ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟ ଲାଭ ନ କରି ମନମୋହନ ସିଂହ ଦୀର୍ଘ ଏକ ଦଶନ୍ଧି ଧରି ଲଗାତାର ଦୁଇ ପାଳି ଦେଶରେ ପ୍ରଧାନମନ୍ତ୍ରୀ ଆସନ ଦଖଲ କରିପାରିଥିଲେ। ଏଣୁ ମତଦାତାମାନଙ୍କ ଆଶୀର୍ବାଦ ଉପରେ ନିର୍ଭର କରୁଥିବା ଅନ୍ୟ ସାଧାରଣ ରାଜନେତାମାନେ ଯଦି ସେମାନଙ୍କର ତୁଷ୍ଟୀକରଣ ନିମିତ୍ତ ଘରୋଇ କ୍ଷେତ୍ରରେ ଆରକ୍ଷଣ ଲାଗୁ କରିବାକୁ ଆଗେଇ ଆସୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏବଂ କୌଣସି ରାଜନୈତିକ ଦଳ ଏଭଳି ଚିନ୍ତାଧାରାରୁ ମୁକ୍ତ ନୁହନ୍ତି।
୨୦୦୮ରେ ମହାରାଷ୍ଟ୍ର ୮୦ ଶତାଂଶ ଆରକ୍ଷଣଭିତ୍ତିକ ଏକ ଅନୁରୂପ ପଦକ୍ଷେପ ନେଇଥିବା ବେଳେ ୨୦୧୯ରେ ଆନ୍ଧ୍ରପ୍ରଦେଶ ଏକ ୭୫ ଶତାଂଶ ଆରକ୍ଷଣଭିତ୍ତିକ ଆଇନ ପ୍ରଣୟନ କରିଥିଲା ଏବଂ ୨୦୨୦ରେ ‘ଭାଜପା’ ଶାସିତ ହରିୟାଣା ମଧ୍ୟ ୩୦,୦୦୦ ଟଙ୍କା ବା ତା’ଠାରୁ କମ୍ ଦରମାଯୁକ୍ତ ଚାକିରିରେ ୭୫ ଶତାଂଶ ଆରକ୍ଷଣ ଲାଗୁ କରିଦେଇଥିଲା। ହରିୟାଣା ଆଇନକୁ ସଂବିଧାନ ବିରୋଧୀ େବାଲି ଘୋଷଣା କରି ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ଓ ଏହି ରାୟ ବିରୁଦ୍ଧରେ ଅପିଲ୍ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଅଛି। ଆନ୍ଧ୍ର ଆଇନକୁ ମଧ୍ୟ ଅସାଂବିଧାନିକ ବୋଲି ଆଖ୍ୟାୟିତ କରିଥିଲେ ହେଁ ହାଇକୋର୍ଟ ଅନ୍ତିମ ରାୟ ପ୍ରଦାନ କରିନାହାନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଘରୋଇ କ୍ଷେତ୍ରରେ ଆରକ୍ଷଣ ବ୍ୟବସ୍ଥା ସଂବିଧାନର ଧାରା-୧୯ର ଉଲ୍ଲଂଘନ କରିଥାଏ, ଯାହା ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ଯେ କୌଣସି ବୃତ୍ତି ଅବଲମ୍ବନ କରିବାର ଅଧିକାର ଉପଭୋଗ କରିଥାଏ ଓ ତାହା କରିବା ପାଇଁ ଭାରତରେ ଯେ କୌଣସି ସ୍ଥାନକୁ ଗମନ କରିବାର ସ୍ବାଧୀନତା ଉପଭୋଗ କରିଥାଏ। ତେବେ ଏହା ସିନା ହେଉଛି ନ୍ୟାୟମୂର୍ତ୍ତିମାନଙ୍କର ମସ୍ତିଷ୍କରୁ ନିଃସୃତ ସ୍ବଚ୍ଛ ଚିନ୍ତାଧାରା, କିନ୍ତୁ ରାଜନେତାମାନଙ୍କର ମସ୍ତିଷ୍କରୁ ନିର୍ଗତ ମଇଳା ଚିନ୍ତାଧାରା ସର୍ବଦା ଏହାକୁ ଅତିକ୍ରମ କରିବାକୁ ଯେ ଚେଷ୍ଟା କରିଚାଲିବ, ଏଥିରେ କୌଣସି ସନ୍ଦେହ ନାହିଁ। ଆଶା, ଆମର ବିଜ୍ଞ ନ୍ୟାୟପାଳିକା ନିଶ୍ଚିତ କରିବ ଏଠାରେ ଏହି ମଇଳା ଚିନ୍ତାଧାରାର ସମୟ ଯେପରି କେବେହେଲେ ଉପନୀତ ନ ହୁଏ।