କୋଭିଡ୍-୧୯ ସଂକ୍ରମଣ ଓ ବର୍ତ୍ତମାନ ଚୀନ୍‌ରେ ଦେଖା ଦେଇଥିବା ସଂକ୍ରମଣ ମଧ୍ୟରେ ଥିବା ଏକ ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ହେଲା, ଶିଶୁମାନେ ହେଉଛନ୍ତି ଏହି ନୂତନ ସଂକ୍ରମଣର ଶିକାର। କୋଭିଡ୍ ସଂକ୍ରମଣ ସମୟରେ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ଓ ଶୁଶ୍ରୂଷା ପାଇଁ ଯେଉଁଭଳି ବ୍ୟବସ୍ଥା କରାଯାଇଥିଲା, ତାହା ଶିଶୁମାନଙ୍କ ପାଇଁ ଆଦୌ ଉପଯୁକ୍ତ ହେବ ନାହିଁ। ତେଣୁ ଆବଶ୍ୟକ ହେଲେ ଯେପରି ଶିଶୁମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇ ପାରିବ, ଆମକୁ ସେଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

Advertisment

ସପ୍ତାହକ ତଳେ ନଭେମ୍ବର ୨୯ରେ ଚୀନ୍‌ରେ ଏକ ଆଞ୍ଚଳିକ ସମ୍ବାଦପତ୍ର ସେଠାକାର ‘‌େୱଇବୋ’ ସୋସିଆଲ୍ ମିଡିଆ ନେଟ୍‌ୱାର୍କରେ ଏକ ସନ୍ଦେଶ ପୋଷ୍ଟ କରିଦେବା ପରେ ତାହା ବିଦ୍ୟୁତ୍ ଗତିରେ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ପ୍ରସାର ଲାଭ କରି ଏକ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶରେ ‘ୱେଇବୋ’ କାଳବିଳମ୍ବ ନ କରି ସେହି ମେସେଜ୍‌କୁ ନେଟ୍‌ୱାର୍କରୁ ଅପସାରିତ କରିଦେଲା। ଚାଞ୍ଚଲ୍ୟର କାରଣ ହେଲା, ସେଇ ମେସେଜ୍‌ରେ ଦେଶର ଉତ୍ତର ଭାଗରେ ଅବସ୍ଥିତ ଏକ ହସ୍‌ପିଟାଲରେ ନିମୋନିଆ ଭଳି କୌଣସି ଏକ ଶ୍ବାସପ୍ରଶ୍ବାସ ସଂକ୍ରମଣ ଦ୍ବାରା ଆକ୍ରାନ୍ତ ଶହ ଶହ ଶିଶୁ ଓ ସେମାନଙ୍କର ପିତାମାତାଙ୍କର ପ୍ରବଳ ଭିଡ଼ ‌ଜମିଥିବା ସମ୍ବନ୍ଧରେ ସଚିତ୍ର ଉଲ୍ଲେଖ କରାଯାଇଥିଲା। ଅବଶ୍ୟ ଏଥିପୂର୍ବରୁ କେତେ ଦିନ ଧରି ଇଣ୍ଟରନେଟ୍‌ରେ ଏଇଭଳି ଖବରମାନଙ୍କର ଅାବିର୍ଭାବ ଘଟି ଚାଲିଥିଲା, ଯେଉଁଥି ପାଇଁ ଉପରୋକ୍ତ ପ୍ରତିକ୍ରିୟା ଏକ ସୁନାମି ସଦୃଶ ହୋଇଥିଲା।
ଏଠାରେ ଏ ଘଟଣା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଏହା ଚୀନ୍‌ରେ କିଭଳି ଆତଙ୍କ ସୃଷ୍ଟି କରିଛି, ସେ ସମ୍ବନ୍ଧରେ ଏକ ଧାରଣା ପ୍ରଦାନ କରିବା। ଚୀନ୍‌ରେ ଏହି ଆତଙ୍କ ଅଧିକ ତୀବ୍ର ହୋଇଥିଲେ ହେଁ ପୃଥିବୀର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହା ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଆରମ୍ଭ କଲାଣି। ଏଭଳି ଭୟ ଓ ଆତଙ୍କର କାରଣ ବୁଝିବା ଅବଶ୍ୟ କଷ୍ଟ ନୁହେଁ; ସେଇ ଚୀନ୍‌ରୁ ଉଦ୍ଭବ ହୋଇଥିବା କୋଭିଡ୍-୧୯ ପାଣ୍ଡେମିକ୍ କବଳରୁ ପୃଥିବୀବାସୀ ଏଇମାତ୍ର ମୁକୁଳିବାକୁ ଆରମ୍ଭ କରିଛନ୍ତି।
ସେଇ ମହାସଂକ୍ରମଣରୁ ଶିକ୍ଷା ଲାଭ କରିଥିବା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ଏଥର କାଳବିଳମ୍ବ ନ କରି ନଭେମ୍ବର ୨୨ରେ ଚୀନ୍‌ ଠାରୁ ଏହି ନୂତନ ସଂକ୍ରମଣ ସମ୍ବନ୍ଧରେ ଏକ ବିଶଦ ବିବରଣୀ ସମ୍ବଳିତ ରିପୋର୍ଟ ତଲବ କରିଥିଲା। ନଭେମ୍ବର ୨୩ ଦିନ ଚୀନ୍ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ପଷ୍ଟୀକରଣରେ ଦର୍ଶା ଯାଇଥିଲା ଯେ କୌଣସି ନୂତନ କିମ୍ବା ଅଜଣା କାରଣ ଯୋଗୁଁ ଏହି ସଂକ୍ରମଣର ଆବିର୍ଭାବ ଘଟି ନାହିଁ। ସେମାନେ କହିଥିଲେ ଯେ କେତେକ ପରିଚିତ ଜୀବାଣୁ ବା ଭୂତାଣୁ ଯୋଗୁଁ ଶିଶୁମାନଙ୍କ ଠାରେ ଏହି ସଂକ୍ରମଣ ଦେଖାଦେଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ହେଉଛନ୍ତି: ମାଇକୋପ୍ଲାଜ୍‌ମା ନିଉମୋନି ବ୍ୟାକ୍‌ଟେରିଆ, ଆଡେନୋଭାଇରସ୍, କୋଭିଡ୍-୧୯, ଇନ୍‌ଫ୍ଲୁଏନ୍‌ଜା ଓ ରେସ୍‌ପିରେଟରି ସିନ୍‌କିଟିଆଲ୍ ଭାଇରସ୍ ବା ‘ଆର୍‌ଏସ୍‌ଭି’। ଏହା ପରେ ‘ହୁ’ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ ଏଥିମଧ୍ୟରୁ କେତେକ ସଂକ୍ରମଣର ସଅଳ ଆବିର୍ଭାବ ଘଟିଥିଲେ ହେଁ, ଅତୀତରେ ଶୀତ ଋତୁରେ ଏଭଳି ସଂକ୍ରମଣ ଘଟିବା ଦେଖାଯାଇଛି।
ଏହାକୁ କିନ୍ତୁ ଚୀନ୍‌କୁ ଏକ କ୍ଲିନ୍‌ ଚିଟ୍ ପ୍ରଦାନ ରୂପେ ବିଚାର କରାଯାଇ ପାରିବ ନାହିଁ। କୋଭିଡ୍-୧୯ ଚୀନ୍‌ରୁ ବାହାରି ସାରା ପୃଥିବୀରେ ବ୍ୟାପିଯିବା ପଛରେ ନିହିତ ଥିବା ମୁଖ୍ୟ କାରଣ ଥିଲା ଆରମ୍ଭ ସମୟରେ ଚୀନ୍ ଏ ସଂପର୍କରେ ଅବଲମ୍ବନ କରିଥିବା ସଂପୂର୍ଣ୍ଣ ଗୋପନୀୟତା ଓ ଅସ୍ବଚ୍ଛତା। ଏଥର ମଧ୍ୟ ଚୀନ୍‌ର ଆଚରଣରେ ସ୍ବଚ୍ଛତା ପ୍ରକଟିତ ହୋଇ ନାହିଁ। ସେଠାରେ ଏଥର ଯେତେବେଳେ ନିମୋନିଆ ସଂକ୍ରମଣରେ ଏକ ଅସ୍ବାଭାବିକ ବୃଦ୍ଧି ଦେଖାଦେଲା, ଚୀନ୍‌ର ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ ନିଜ ଆଡୁ ‘ହୁ’କୁ ଏ ସମ୍ବନ୍ଧରେ କୌଣସି ସୂଚନା ପ୍ରଦାନ କରି ନ ଥିଲେ। ଗଣମାଧ୍ୟମରେ ଏ ସଂପର୍କରେ ପ୍ରକାଶିତ ସୂଚନା ସୂତ୍ରରୁ ହିଁ ‘ହୁ’ ଏହି ସଂକ୍ରମଣର ଜୁଆର ସମ୍ବନ୍ଧରେ ଅବଗତ ହୋଇଥିଲା। ଚୀନ୍‌ ଅବଶ୍ୟ ସଫେଇ ଦେଉଛି ଯେ ଯେହେତୁ ଜଣାଶୁଣା ଜୀବାଣୁ ବା ଭୂତାଣୁମାନଙ୍କ ଯୋଗୁଁ ଏହି ସଂକ୍ରମଣ ଘଟିଛି ବୋଲି ଆବିଷ୍କୃତ ହୋଇଛି, ସେଇ କାରଣରୁ ‘ହୁ’କୁ ଏ ସଂପର୍କରେ କୌଣସି ସୂଚନା ପ୍ରଦାନ କରିବା ଆବଶ୍ୟକ ନ ଥିଲା (କୋଭିଡ୍-୧୯ ଥିଲା ଏକ ସଂପୂର୍ଣ୍ଣ ଅଜଣା ଭୂତାଣୁ)। ଏଭଳି ଯୁକ୍ତି ଅବଶ୍ୟ ଆଦୌ ଗ୍ରହଣୀୟ ନୁହେଁ; ଯେ କୌଣସି ଅସ୍ବାଭାବିକ ସଂକ୍ରମଣ ସମ୍ବନ୍ଧରେ ‘ହୁ’କୁ ଅବଗତ କରିବା ହେଉଛି ପ୍ରତ୍ୟେକ ଦେଶର ମୌଳିକ ଦାୟିତ୍ବ।
ବିଶ୍ବାସ କରାଯାଉଛି ଯେ ବର୍ତ୍ତମାନ ଏଭଳି ସଂକ୍ରମଣ ବୃଦ୍ଧି ଦେଖାଦେବାର କୋଭିଡ୍ ପାଣ୍ଡେମିକ୍ ସହିତ ଏକ ଘନିଷ୍ଠ ସଂପର୍କ ରହିଛି। ସେଇ ମହାମାରୀର ମୁକାବିଲା ନିମିତ୍ତ ମାସ୍କ ପରିଧାନ ଠାରୁ ଆରମ୍ଭ କରି ଲକ୍‌ଡାଉନ୍ ଓ ସାମାଜିକ ଦୂରତା ରକ୍ଷା ପର୍ଯ୍ୟନ୍ତ ବିଭିନ୍ନ କଠୋର କଟକଣାମାନ ଲାଗୁ ହୋଇଥିଲା। ଏ ସମସ୍ତ ସୁରକ୍ଷା କବଚ ଆଢୁଆଳରେ ରହିବା ଦ୍ବାରା ଲୋକମାନଙ୍କର ପ୍ରାକୃତିକ ପ୍ରତିରୋଧିନୀ ଶକ୍ତିରେ ସ୍ବାଭାବିକ ଭାବରେ ହ୍ରାସ ଘଟିଛି। ନିକଟରେ ଚୀନ୍‌ରେ ସେ ସମସ୍ତ କଟକଣା ଆସ୍ତେ ଆସ୍ତେ ଅପସାରିତ ହେବା ପରେ ଏହା ହେଉଛି ପ୍ରଥମ ଶୀତ ଋତୁର ଆଗମନ, ଯାହା ହେଉଛି ଚିରାଚରିତ ଭାବରେ ଫ୍ଲୁ ଆଦି ଶ୍ବାସପ୍ରଶ୍ବାସ ବ୍ୟାଧିର ବାହକ। କଟକଣା ଅପସାରଣ ପରେ ଆମେରିକା ଓ ବ୍ରିଟେନ୍ ଆଦି ଦେଶରେ ମଧ୍ୟ ଏଭଳି ସଂକ୍ରମଣ ବୃଦ୍ଧି ଘଟିବା ଦେଖା ଯାଇଥିଲା। ଏହା ସତ୍ତ୍ବେ ଅନେକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯେହେତୁ ଚୀନ୍‌ରେ ଦେଖା ଦେଇଥିବା ସଂକ୍ରମଣ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଯଥେଷ୍ଟ ତଥ୍ୟ ଉପଲବ୍‌ଧ ହୋଇ ନାହିଁ, ଏ ସମ୍ବନ୍ଧରେ ଏକ ଅକାଟ୍ୟ ନିର୍ଣ୍ଣୟରେ ପହଞ୍ଚିବା ସମ୍ଭବ ନୁହେଁ। କୋଭିଡ୍ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିବା ଦେଶମାନେ ତେଣୁ ଛାନିଆ ହୋଇ ଚୀନ୍‌ରେ ଉନ୍ମୋଚିତ ହେଉଥିବା ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ‘ହୁ’ ସେମାନଙ୍କୁ ଆଶ୍ବସ୍ତ କରିବା ପାଇଁ ମଧ୍ୟ କହିଛି ଯେ ସେ ମଧ୍ୟ ପରିସ୍ଥିତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ଓ ଚୀନା କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି।
ଭାରତ ସରକାର ମଧ୍ୟ ଏ ଦିଗରେ କୌଣସି ଅବହେଳା ପ୍ରଦର୍ଶନ ନ କରି ରୋଗବ୍ୟାଧି ଆବିର୍ଭାବ ଉପରେ ସତର୍କ ନଜର ରଖିବା ପାଇଁ ଏବଂ ଜନସ୍ବାସ୍ଥ୍ୟ ସମସ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ସାରିଲେଣି। ଅବଶ୍ୟ ଏଥିଯୋଗୁଁ ଭୟଭୀତ ହେବା ଆବଶ୍ୟକ ନୁହେଁ, କିନ୍ତୁ ବେଳହୁଁ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ। କୋଭିଡ୍-୧୯ ସଂକ୍ରମଣ ଓ ବର୍ତ୍ତମାନ ଚୀନ୍‌ରେ ଦେଖା ଦେଇଥିବା ସଂକ୍ରମଣ ମଧ୍ୟରେ ଥିବା ଏକ ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ହେଲା, ଶିଶୁମାନେ ହେଉଛନ୍ତି ଏହି ନୂତନ ସଂକ୍ରମଣର ଶିକାର। କୋଭିଡ୍ ସଂକ୍ରମଣ ସମୟରେ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ଓ ଶୁଶ୍ରୂଷା ପାଇଁ ଯେଉଁଭଳି ବ୍ୟବସ୍ଥା କରାଯାଇଥିଲା, ତାହା ଶିଶୁମାନଙ୍କ ପାଇଁ ଆଦୌ ଉପଯୁକ୍ତ ହେବ ନାହିଁ। ତେଣୁ ଆବଶ୍ୟକ ହେଲେ ଯେପରି ଶିଶୁମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇ ପାରିବ, ଆମକୁ ସେଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।
ଆରମ୍ଭରେ ଉଲ୍ଲେଖ କରାଯାଇଥିବା ଯେଉଁ ‘ୱେଇବୋ’ ପୋଷ୍ଟ୍ ଭାଇରାଲ୍ ହୋଇ ଚୀନ୍‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ସେଥିରେ ଥିଲା ଏକ ଶିଶୁ ଚିକିତ୍ସାଳୟ ସମ୍ମୁଖରେ ଡାକ୍ତରଙ୍କ ପରାମର୍ଶ ପାଇଁ ଅପେକ୍ଷାରତ ଆକ୍ରାନ୍ତ ଶିଶୁ ଓ ସେମାନଙ୍କ ସହିତ ଉପସ୍ଥିତ ଥିବା ସେମାନଙ୍କ ପିତାମାତାଙ୍କର ଦୃଶ୍ୟ। ସେଠାରେ ଶିଶୁ ରୋଗୀମାନଙ୍କର ସମ୍ମିଳିତ କାଶ ଓ କ୍ରନ୍ଦନରେ କାନ ଫାଟି ଯାଉଥାଏ ବୋଲି ସେ ପୋଷ୍ଟ୍‌ରେ ବର୍ଣ୍ଣନା କରାଯାଇଥିଲା। ସେଥିରେ ଜଣେ ମା’ଙ୍କୁ ପ୍ରଦର୍ଶିତ କରାଯାଇଥିଲା, ଯିଏ ତାଙ୍କର ପୀଡ଼ିତା ଶିଶୁ କନ୍ୟାଟିକୁ ଧରି ଡାକ୍ତରଙ୍କୁ ଦେଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ସେ ଦୃଶ୍ୟରେ ଯାହା ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ସେ ମା’ ଓ ଶିଶୁ ଘଣ୍ଟା ଘଣ୍ଟା ଧରି ସେଇ ଧାଡ଼ି‌େର ଛିଡ଼ା ହୋଇ ରହିବା ପରେ ମଧ୍ୟ ତାଙ୍କ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇଥିଲେ ଆହୁରି ତିନି ଶହରୁ ଅଧିକ ତାଙ୍କରି ପରି ଡାକ୍ତରଙ୍କ ପରାମର୍ଶ ପ୍ରାର୍ଥୀ। ଈଶ୍ବର ନ କରନ୍ତୁ, ଯଦି ଏଇ ସଦ୍ୟତମ ଚୀନା ସଂକ୍ରମଣ ଆମ ଦେଶରେ ବ୍ୟାପେ, ସେଭଳି ପରିସ୍ଥିତି ଏଠାରେ ଯେମିତି ସୃଷ୍ଟି ନ ହୁଏ ଓ ସେଭଳି ଦୃଶ୍ୟ ଏଠାରେ ଯେମିତି ଦେଖିବାକୁ ନ ମିଳେ।