ଅସଲ କଥା ହେଲା ବିହାର ଭଳି ଏକ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ରାଜ୍ୟ ଯଦି ବିଗତ ପ୍ରାୟ ଏକ ଦଶନ୍ଧି ଧରି ମଦ-ମୁକ୍ତ ହୋଇ ତିଷ୍ଠି ରହିପାରିଛି, ଓଡ଼ିଶା କାହିଁକି ତାହା କରି ନ ପାରିବ? ନିଶା ନିବାରଣ ଯୋଗୁଁ ନୀତୀଶ କୁମାର ମହିଳା ମତଦାତାମାନଙ୍କର ସମର୍ଥନ ରୂପକ ଯେଉଁ ନିର୍ବାଚନୀ ପୁଞ୍ଜି ହାସଲ କରିପାରିଛନ୍ତି, ଓଡ଼ିଶାରେ ମଧ୍ୟ ତାହା ଉପଲବ୍ଧ ହୋଇପାରିବ। ନିଶା ନିବାରଣ ତେଣୁ ହେଉଛି ଏକ ଜୟ-ଜୟ ବା ‘ୱିନ୍-ୱିନ୍’ କୌଶଳ, ଯାହାକୁ କାର୍ଯ୍ୟକାରୀ କରିବା ପାଇଁ କେବଳ ଯଥେଷ୍ଟ ସାହସ ଲୋଡ଼ା।
ଓଡ଼ିଶାରେ ନୂତନ ବିଜେପି ସରକାର ସାଂବିଧାନିକ ଶପଥ ପାଠ କରି ତାଙ୍କର ବିଧିବଦ୍ଧ ଶାସନ ଆରମ୍ଭ କରିବାର ଠିକ୍ ପରଦିନ ଏହି ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ଏକ ଲେଖା ମାଧ୍ୟମରେ ଓଡ଼ିଶାକୁ ମଦ-ମୁକ୍ତ କରିବା ପାଇଁ ଆଜୀବନ ସଂଗ୍ରାମ ଚଳାଇ ଆସିଥିବା ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ସଭାପତି ପଦ୍ମଚରଣ ନାୟକ ଏହି ସରକାରଙ୍କୁ ତାଙ୍କର ଏକ ନିର୍ବାଚନୀ ପ୍ରତିଶ୍ରୁତି ସମ୍ବନ୍ଧରେ ସ୍ମରଣ କରାଇ ଦେଇଥିଲେ। ସେଇ ପ୍ରତିଶ୍ରୁତିଟି ହେଲା- ବିଜେପିର ନିର୍ବାଚନ ଇସ୍ତାହାର ଅନୁସାରେ ୨୦୨୯ ସୁଦ୍ଧା, ଅର୍ଥାତ୍ ବର୍ତ୍ତମାନ ଶାସନ ଭାର ଗ୍ରହଣ କରିଥିବା ସରକାରଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଓଡ଼ିଶାକୁ ମଦମୁକ୍ତ କରାଯିବ।
ସରକାର ଯଦି ସତରେ ତାଙ୍କ ଦଳ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଥାନ୍ତି, ତେବେ ତାଙ୍କୁ ଯେଉଁ ଏକ ଅସୁବିଧାଜନକ ସତ୍ୟର ସମ୍ମୁଖୀନ ହେବାକୁ ପଡ଼ିବ, ତାହା ହେଲା, ଓଡ଼ିଶାରେ ଗୁଜରାଟ ବା ବିହାର ଭଳି ନିଶା ନିବାରଣ ନୀତି କାର୍ଯ୍ୟକାରୀ କରିବାକୁ ହେବ। ଏଠାରେ ସେଭଳି ଏକ ନୀତି କାର୍ଯ୍ୟକାରୀ ନ କରିବା ପାଇଁ ସରକାରଙ୍କୁ ଯାହା ସର୍ବାଧିକ ଆକର୍ଷିତ କରିବ, ତାହା ଅବଶ୍ୟ ହେଉଛି ପଦ୍ମଚରଣ ରହସ୍ୟରେ ବଗର ବର୍ଦ୍ଧିଷ୍ଣୁ ଥଣ୍ଟ ରୂପେ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ମଦ ବ୍ୟବସାୟରୁ ଓଡ଼ିଶା ସରକାର ସଂଗ୍ରହ କରୁଥିବା ରାଜସ୍ବରେ ସମୟକ୍ରମେ ଘଟିଚାଲିଥିବା ବିସ୍ଫୋରକ ବୃଦ୍ଧି, ଯାହାକୁ କୌଣସି ସରକାର ହାତଛଡ଼ା କରିବା ପାଇଁ କୁଣ୍ଠିତ ହେବା ସ୍ବାଭାବିକ। କିନ୍ତୁ ଓଡ଼ିଶା ସରକାର ଏହି କାରଣରୁ ଆମ ରାଜ୍ୟରେ ନିଶା ନିବାରଣ କାର୍ଯ୍ୟକାରୀ କରିବା ପାଇଁ ପଛଘୁଞ୍ଚା ଦେବା ଉଚିତ କି ନୁହେଁ, ତାହା ପରଖିବା ପାଇଁ ଆମେ ଦେଶରେ ନିକଟ ଅତୀତରେ ଏହି ନୀତି କାର୍ଯ୍ୟକାରୀ କରିଥିବା ଏକ ଅନୁରୂପ ଭାବରେ ଅର୍ଥନୈତିକ-ପଛୁଆ ତଥା ଜନବହୁଳ ରାଜ୍ୟ ବିହାରର ଏ ସଂପର୍କିତ ଅନୁଭୂତି ଉପରେ ଦୃଷ୍ଟି ନିକ୍ଷେପ କରିବା ବେଶ୍ ଶିକ୍ଷଣୀୟ ହେବ ବୋଲି ଆଶା କରାଯାଇପାରେ।
ବିହାରର ଏହି ଅନୁଭୂତି ସମ୍ବନ୍ଧରେ ଅବଗତ ହେବା ପାଇଁ ସୌଭାଗ୍ୟବଶତଃ ଆମ ପାଖରେ ବର୍ତ୍ତମାନ ଯେଉଁ ଏକ ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ର ଉପଲବ୍ଧ ହୋଇଛି, ତାହା ହେଉଛି ପୃଥିବୀର ସର୍ବାଧିକ ମର୍ଯ୍ୟାଦାଜନକ ଚିକିତ୍ସାବିଜ୍ଞାନ ପତ୍ରିକାମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ଖ୍ୟାତି ଲାଭ କରିଥିବା ପତ୍ରିକା, ଲଣ୍ଡନ୍ରୁ ପ୍ରକାଶିତ ‘ଦି ଲାନ୍ସେଟ୍’। ଏଇ ମାତ୍ର ଗତ ମାସରେ ଏହି ପତ୍ରିକାରେ ବିହାରରେ ଲାଗୁ କରାଯାଇଥିବା ନିଶା ନିବାରଣ (‘ପ୍ରୋହିବିସନ୍’)ର ପ୍ରଭାବ ସଂପର୍କରେ ପ୍ରକାଶିତ ଗବେଷଣା ପ୍ରସୂତ ରିପୋର୍ଟ ନିଶା ନିବାରଣ କ୍ଷେତ୍ରରେ ସମସ୍ତ ନୀତିନିର୍ଦ୍ଧାରକମାନଙ୍କ ପାଇଁ ଦିଗ୍ଦର୍ଶକ ରୂପେ କାର୍ଯ୍ୟ କରିବା ଉଚିତ। ରିପୋର୍ଟର ଟିକିନିଖି ବୈଷୟିକ ସୂଚନାମାନଙ୍କୁ ଭେଦ କରି ଯେଉଁ ଅଂଶମାନ ଆମ ପାଇଁ ପ୍ରାସଙ୍ଗିକତା ବହନ କରିଥାନ୍ତି, ତାହା ହେଉଛି ଅତି ସଂକ୍ଷେପରେ ନିମ୍ନରେ ଉପସ୍ଥାପନ କରାଯାଇଥିବା ଭଳି।
ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସ୍ବରୂପ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ୟମରେ ସେ ରାଜ୍ୟରେ ପ୍ରଣୟନ ଓ ଲାଗୁ କରାଯାଇଥିବା ‘ଦି ବିହାର ପ୍ରୋହିବିସନ୍ ଆଣ୍ଡ୍ ଏକ୍ସାଇଜ୍ ଆକ୍ଟ’ ଅନୁସାରେ ୨୦୧୬ ଏପ୍ରିଲ୍ ଠାରୁ ବିହାରରେ ମଦ ଉତ୍ପାଦନ, ପରିବହନ, ବିକ୍ରୟ ଓ ସେବନ ପ୍ରାୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେର କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟାବିଶିଷ୍ଟ ଏହି ରାଜ୍ୟରେ ରାତାରାତି ଏଭଳି ଏକ କଠୋର ନିଶା ନିବାରଣ ନୀତି କାର୍ଯ୍ୟକାରୀ ହୋଇଥିବାରୁ ‘ଦି ଲାନ୍ସେଟ୍’ର ଗବେଷକମାନେ ଏହି ରାଜ୍ୟକୁ ନିଶା ନିବାରଣର ପ୍ରଭାବ ଅନୁଶୀଳନ ପାଇଁ ଏକ ପ୍ରକୃଷ୍ଟତମ କ୍ଷେତ୍ର ରୂପେ ବିଚାର କରିଛନ୍ତି। ସେମାନେ ଏହି ଅନୁଶୀଳନ ନିମିତ୍ତ ‘ଇଣ୍ଡିଆନ୍ ନେସ୍ନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ’, ୨୦୦୫-୦୬, ୨୦୧୫-୧୬, ଓ ୨୦୧୯-୨୧ରୁ ଉପଲବ୍ଧ ପରିସଂଖ୍ୟାନମାନ ବ୍ୟବହାର କରିଛନ୍ତି।
ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ନିଶା ନିବାରଣ କଡ଼ାକଡ଼ି ଭାବରେ ଲାଗୁ ହେବା ପରେ ବିହାରରେ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ପୁରୁଷମାନଙ୍କ ମଧ୍ୟରେ ବାରମ୍ବାର ମଦ୍ୟପାନ ଅଭ୍ୟାସରେ ତୀକ୍ଷ୍ଣ ହ୍ରାସ ଘଟିଛି ଏବଂ ସେଥି ସହିତ ସେମାନଙ୍କ ଠାରେ ଅନ୍ୟ ଗୁରୁତର ବ୍ୟାଧିମାନଙ୍କର ଆବହକ ରୂପେ ସ୍ବୀକୃତ ମେଦବୃଦ୍ଧି ଓ ମଧୁମେହର ଆବିର୍ଭାବରେ ମଧ୍ୟ ହ୍ରାସ ଘଟିଛି। ‘ଦି ଲାନ୍ସେଟ୍’ରେ ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ମଦ ନିଷେଧ ଯୋଗୁଁ ଗବେଷଣା ସମୟକାଳ ମଧ୍ୟରେ ସେ ରାଜ୍ୟରେ ୨.୪ ନିୟୁତ ସଂଖ୍ୟକ ବାରମ୍ବାର ମଦ୍ୟପାନ ଘଟଣା ପ୍ରତିହତ ହୋଇପାରିଥିବା ବେଳେ ୧.୮ ନିୟୁତ ସଂଖ୍ୟକ ମେଦବୃଦ୍ଧି ଘଟଣା ପ୍ରତିହତ ହୋଇପାରିଛି।
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟତଃ ସେ ରାଜ୍ୟର ମହିଳାମାନଙ୍କୁ ନିଶାସକ୍ତ ପୁରୁଷ ଆତ୍ମୀୟମାନଙ୍କ ହିଂସାଚରଣ (‘ଇଣ୍ଟିମେଟ୍ ପାର୍ଟନର୍ ଭାଓଲେନ୍ସ’- ‘ଆଇପିଭି’)ରୁ ସୁରକ୍ଷା ପ୍ରଦାନ କରିବା ପାଇଁ ନୀତୀଶ କୁମାର ସେଠାରେ ନିଶା ନିବାରଣ କାର୍ଯ୍ୟକାରୀ କରିବେ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଗବେଷକମାନେ ନିଶା ନିବାରଣ ଲାଗୁ ହେବା ପରେ ସେଠାରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏଭଳି ହିଂସାଚରଣ ସଂଖ୍ୟାରେ ବିଶେଷ ହ୍ରାସ ଘଟିଥିବା ଆବିଷ୍କାର କରିଥିଲେ। ସେମାନଙ୍କ ଆକଳନ ଅନୁସାରେ ଏହି ସମୟକାଳରେ ନିଶା ନିବାରଣ ଲାଗୁ ହୋଇ ନ ଥିବା ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ବିହାରରେ ୨.୧ ନିୟୁତ ସଂଖ୍ୟକ ‘ଆଇପିଭି’ ଘଟଣା ପ୍ରତିହତ ହୋଇପାରିଥିଲା।
ରିପୋର୍ଟରେ ଦର୍ଶାଯାଇଛି ଯେ ‘ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍-୨୦୧୯’ର ରୢାଙ୍କିଙ୍ଗ୍ ଅନୁସାରେ ଭାରତରେ ୧୫-୪୯ ବର୍ଷ ବୟସସୀମା ଅନ୍ତର୍ଗତ ବ୍ୟକ୍ତିମାନଙ୍କ ମଧ୍ୟରେ ମୃତ୍ୟୁ ଓ ଶାରୀରିକ ଅକ୍ଷମତାର ଦ୍ବିତୀୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସମ୍ଭାବ୍ୟ କାରଣ ବା ‘ରିସ୍କ ଫ୍ୟାକ୍ଟର୍’ ହେଉଛି ମଦ୍ୟପାନ। ଅନ୍ତତଃ ଏଇ ଦୃଷ୍ଟିକୋଣମାନଙ୍କରୁ ବିଚାର କଲେ କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ନିଶା ନିବାରଣ ଯୋଗୁଁ ସରକାର ହରାଉଥିବା ରାଜସ୍ବ ଠାରୁ ଏହାଦ୍ବାରା ସାଧିତ ହେଉଥିବା ଜନମଙ୍ଗଳ ବହୁଗୁଣ ଅଧିକ ହୋଇଥାଏ।
ଯୁକ୍ତି କରାଯାଇଥାଏ ଯେ ନିଶା ନିବାରଣ ଯୋଗୁଁ ମଦର ଚୋରା କାରବାରର ଆବିର୍ଭାବ ଘଟିବ। କିନ୍ତୁ ମନେ ରଖିବା କଥା ସହଜରେ ମଦ ମିଳୁଥିବାରୁ ବର୍ତ୍ତମାନ ପଦ୍ମଚରଣ କହିଥିବା ଭଳି ଓଡ଼ିଶାର ଗାଁ ଗହଳିରେ ମଧ୍ୟ େଯଉଁଭଳି ମଦ୍ୟପାନ ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି, ମଦ୍ୟ ପାନ, ଉତ୍ପାଦନ ଓ ବିତରଣ ଅପରାଧରେ ପରିଣତ ହେବା ପରେ ସେଥିରେ ଅନ୍ତ ଘଟି ଅନ୍ୟ େଯ କୌଣସି ଅପରାଧ ଭଳି ମଦ୍ୟପାନ ଆଉ ଏକ ସାଧାରଣ ଘଟଣା ନ ହୋଇ ଏକ ବ୍ୟତିକ୍ରମରେ ପରିଣତ ହେବ। ଏବଂ ଯଦି ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖାଯାଏ, ମଦ ବନ୍ଦ ହୋଇଗଲେ ତା’ ଉପରେ ହେଉଥିବା ଖର୍ଚ୍ଚର ଦିଗ ପରିବର୍ତ୍ତନ ଘଟି ହୁଏତ ଅନ୍ୟାନ୍ୟ ବିଳାସ ଦ୍ରବ୍ୟ ଓ ସେବାମାନଙ୍କ ଦିଗରେ ମୁହଁାଇ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବ, ଯେଉଁଥିରୁ ଟିକସ ସଂଗୃହୀତ ହୋଇ େଶଷରେ ରାଜକୋଷର କ୍ଷତି ଭରଣା କରିବ। ନିଶାମୁକ୍ତ ଶ୍ରମ ଶକ୍ତିର ଉତ୍ପାଦନଶୀଳତାରେ ବୃଦ୍ଧି ଘଟି ଅର୍ଥନୀତିକୁ ମଜଭୁତ କରିବ ମଧ୍ୟ।
ଅସଲ କଥା ହେଲା ବିହାର ଭଳି ଏକ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ରାଜ୍ୟ ଯଦି ବିଗତ ପ୍ରାୟ ଏକ ଦଶନ୍ଧି ଧରି ମଦ-ମୁକ୍ତ ହୋଇ ତିଷ୍ଠି ରହିପାରିଛି, ଓଡ଼ିଶା କାହିଁକି ତାହା କରି ନ ପାରିବ? ନିଶା ନିବାରଣ ଯୋଗୁଁ ନୀତୀଶ କୁମାର ମହିଳା ମତଦାତାମାନଙ୍କର ସମର୍ଥନ ରୂପକ ଯେଉଁ ନିର୍ବାଚନୀ ପୁଞ୍ଜି ହାସଲ କରିପାରିଛନ୍ତି, ଓଡ଼ିଶାରେ ମଧ୍ୟ ତାହା ଉପଲବ୍ଧ ହୋଇପାରିବ। ନିଶା ନିବାରଣ ତେଣୁ ହେଉଛି ଏକ ଜୟ-ଜୟ ବା ‘ୱିନ୍-ୱିନ୍’ କୌଶଳ, ଯାହାକୁ କାର୍ଯ୍ୟକାରୀ କରିବା ପାଇଁ କେବଳ ଯଥେଷ୍ଟ ସାହସ ଲୋଡ଼ା।