ଏଭଳି ଏକ ସକାରାତ୍ମକ ପ୍ରାରମ୍ଭ କାଳରେ ଆଶା କରିବା ଉଚିତ ଯେ ଉଭୟ ଶାସକ ଓ ବିରୋଧୀ ଦଳର ରାଜନେତାମାନେ କାର୍ଯ୍ୟ, ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଆପଣା ଉଚ୍ଚତା ବୃଦ୍ଧି କରିବା ଲାଗି ଯତ୍ନଶୀଳ ହେବେ। ପ୍ରତିପକ୍ଷକୁ ଖର୍ବକାୟ କରି ନିଜ ଉଚ୍ଚତାକୁ ଅଧିକ ବୋଲି ଦର୍ଶାଯାଇପାରେ, କିନ୍ତୁ ତଦ୍ଦ୍ବାରା ଆପଣା ଖର୍ବତା ଅକ୍ଷୁଣ୍ଣ ରହେ। ସଦ୍ୟ କ୍ଷମତାସୀନ ବିଜେପି ସରକାର ପୂର୍ବ ସରକାରର ଶାସନ ପରିଚାଳନା ଶୈଳୀ ଓ ସଦ୍ୟ ଭୋଗିଥିବା ପରାଭବରୁ ଏହା ହୃଦୟଙ୍ଗମ କରିଥିବ। ଏବଂ ବିରୋଧୀ ଦଳ ଭାବେ ଆପଣା ଉଚ୍ଚତା ବୃଦ୍ଧି କରିବା ଦିଗରେ ବିେଜଡି ନେତାମାନଙ୍କ ଉଦ୍ୟମ ସେମାନଙ୍କ କୃତକର୍ମର ପ୍ରାୟଶ୍ଚିତ୍ତ ହେବ।
ଗଲା ବୁଧବାର ଅପରାହ୍ଣରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସହିତ ପୂର୍ଣ୍ଣ ବହୁମତ ଲାଭ କରିଥିବା ‘ଭାରତୀୟ ଜନତା ପାର୍ଟି’ ବା ‘ବିଜେପି’, ଆମ ରାଜ୍ୟରେ ପ୍ରଥମ ଥର ଲାଗି ଏକକ ସରକାର ରୂପେ କ୍ଷମତାସୀନ ହୋଇଛି। ଏହା ପୂର୍ବରୁ ୨୦୦୦ ମସିହାରେ ଏହା ଏକ ମେଣ୍ଟ ସରକାରର ଅଂଶ ହୋଇ ନଅ ବର୍ଷ କାଳ ଶାସନରେ ଅଂଶୀଦାର ହୋଇଥିଲା। ସେହି ଦୃଷ୍ଟିରୁ ଏକ ନୂତନ ଇତିହାସର ସୂତ୍ରପାତ ମଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସଂଧ୍ୟାରୁ ସୃଷ୍ଟି ହୋଇ ଚାଲିଥିବା ଘଟଣାକ୍ରମରୁ ଯେଉଁ ସବୁ ସ୍ଥୂଳ ସନ୍ଦେଶ ଓ ସୂକ୍ଷ୍ମ ଇଙ୍ଗିତମାନ ମିଳିଥାଏ, ତାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଛି।
ପ୍ରକାଶ ଥାଉ କି ଶପଥ ଗ୍ରହଣ ଉତ୍ସବ ଉପରାନ୍ତ କ୍ୟାବିନେଟ୍ ବୈଠକରେ ଗୃହୀତ ଚାରିଟି ନିଷ୍ପତ୍ତି ମଧ୍ୟରୁ ଯାହା ସର୍ବପ୍ରଥମେ କାର୍ଯ୍ୟକାରୀ ହୋଇ ସହସା ସର୍ବାଧିକ ଦୃଶ୍ୟମାନ ହୋଇପାରିଛି, ତାହା ହେଲା ମହାପ୍ରଭୁଙ୍କ ଅବାଧ ଦର୍ଶନ ସକାଶେ ପୁରୀ ମନ୍ଦିରର ଚାରି ଦ୍ବାରକୁ ଉନ୍ମୁକ୍ତ କରି ଦିଆଯିବା, ଯାହା ଗୁରୁବାର ପ୍ରଭାତରେ ସମସ୍ତ ମନ୍ତ୍ରୀ ଓ ଏକ ଜନସମୁଦ୍ରର ଉପସ୍ଥିତିରେ ସଂପନ୍ନ ହୋଇଥିଲା। ପ୍ରକାଶ ଥାଉ କି ଗଲା ଚାରି ବର୍ଷ ଧରି ଶ୍ରୀମନ୍ଦିରର ତିନି ଦ୍ବାରକୁ ସଂପୂର୍ଣ୍ଣ ବା ଆଂଶିକ ବନ୍ଦ ରଖାଯାଇ ବ୍ୟାରିକେଡ୍ର ଅର୍ଗଳି ମଧ୍ୟ ଦେଇ ମନ୍ଦିର ପ୍ରବେଶର ବ୍ୟବସ୍ଥା ଯେଉଁ ଅକଳ୍ପନୀୟ ଭିଡ଼ ଓ ଶ୍ରଦ୍ଧାଳୁମାନଙ୍କ ସକାଶେ ଅକଥନୀୟ ଶାରୀରିକ ଯନ୍ତ୍ରଣା ଓ ମର୍ମଦାହର କାରଣ ହୋଇଥିଲା, ତାହା କେବଳ ଅନୁଭବୀମାନେ ହିଁ ହୃଦୟଙ୍ଗମ କରିଥିଲେ। ତେବେ, କେବଳ ସେତିକି ନୁହେଁ, ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାର ତୁରନ୍ତ ବାଦେ ଆଉ ଯେଉଁ ଗୁରୁତ୍ବପୂର୍ଣ୍ଣ ଦ୍ବାରଟି ଅଗତ୍ୟା ଅବରୋଧମୁକ୍ତ ହୋଇଛି, ତାହା ହେଲା ସଚିବାଳୟ ବା ଲୋକସେବା ସଦନର ପ୍ରବେଶ ଦ୍ବାର, ଯାହାକୁ ଗଲା ତିନି ବର୍ଷ ଧରି ଗଣମାଧ୍ୟମର ପ୍ରତିନିଧିମାନଙ୍କ ସକାଶେ ସଂପୂର୍ଣ୍ଣ ଅଥବା ଆଂଶିକ ରୂପେ ବନ୍ଦ ରଖା ଯାଇଥିଲା। ଗୋଟିଏ ଦୃଷ୍ଟିରୁ ଦେଖିଲେ ବୁଝି ହୋଇଥାଏ ଯେ ଉଭୟ ଶ୍ରୀମନ୍ଦିର ଓ ଲୋକସେବା ସଦନ ହେଉଛନ୍ତି ସାଧାରଣ ଓଡ଼ିଆଙ୍କ ସକାଶେ ଦୁଇ ଆସ୍ଥାର କେନ୍ଦ୍ର, ଯହିଁରୁ ଗୋଟିଏ ପାରଲୌକିକ ଓ ଅନ୍ୟଟି ଲୌକିକ; ଗୋଟିଏ ପ୍ରଗାଢ଼ ଭାବର ଆଧାର ଉପରେ ଅଧିଷ୍ଠିତ ଏବଂ ଅନ୍ୟଟି ଦୈନନ୍ଦିନ ଜୀବନକୁ ନିୟନ୍ତ୍ରଣ ଓ ପ୍ରଭାବିତ କରୁଥିବା କ୍ଷମତା ଉତ୍ସର ପ୍ରତୀକ! ସୁତରାଂ, କେତେକ ପରଂପରା, ବିଧି ଓ ଆଇନ ଅନୁମୋଦିିତ କଟକଣା ସହିତ ଉଭୟ କ୍ଷେତ୍ର ଯେ ଏକ ସାବଲୀଳ ସଂପର୍କର ପରିବେଶ ଲୋଡ଼ିଥାଏ, ତାହା କହିବା ବାହୁଲ୍ୟ ମାତ୍ର। ସୁତରାଂ, ଆଶା କରାଯାଇପାରେ ଯେ ଲୋକସେବା ସଦନର କ୍ଷମତାର ଅଳିନ୍ଦରେ ଗଣମାଧ୍ୟମର ପ୍ରତିନିଧିମାନେ ଚଳଚଞ୍ଚଳ ରହି ଜନସାଧାରଣଙ୍କ ସହିତ ସରକାରଙ୍କୁ ସଂଶ୍ଳିଷ୍ଟ କରିବାରେ ଏକ ପ୍ରତିରୋଧଶୂନ୍ୟ ସୁଯୋଗ ଲାଭ କରିବେ ଏବଂ ଅପର ପକ୍ଷରେ ସରକାର ବା ଅନ୍ୟ କୌଣସି ଲୌକିକ ଶକ୍ତ ଦ୍ବାରା ହରଣ-ଅସାଧ୍ୟ ଦୁଃଖଗୁଡ଼ିକର ମୋଚନ ସକାଶେ ଆକୁଳ ଶରଣାଗତଙ୍କ ଲାଗି ଶ୍ରୀମନ୍ଦିରର ଚାରି ଦ୍ବାର ବାଧାହୀନ ଭାବେ ଉନ୍ମୁକ୍ତ ରହିବ। ଏହାର ଅର୍ଥ ଜନସାଧାରଣ ଓ ସେମାନଙ୍କ ଏହି ଆସ୍ଥା କେନ୍ଦ୍ର ଦ୍ବୟ ମଧ୍ୟରେ ପୂର୍ବ ସରକାର ଅମଳରେ ସୃଷ୍ଟ ବିଭାଜିକାର ପତନ ଘଟିଛି, ଯାହା ସକାରାତ୍ମକ ରାଜନୀତି ଦିଗରେ ଏକ ସଂକେତ। ଏଭଳି ପରିବେଶ ଆଗକୁ ବଳବତ୍ତର ରହୁ ବୋଲି ଆଶା ରହିବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରଠାରୁ ସମ୍ଭାବ୍ୟ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅସୁମାରି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ଯାହାର ଅବସାନ ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମର ବିଧିବଦ୍ଧ ଘୋଷଣା ସହିତ ଗଲା ମଙ୍ଗଳବାର ସଂଧ୍ୟାରେ ଘଟିଲା। ପ୍ରକାଶ ଥାଉ କି ସାମ୍ବାଦିକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ଉପରୋକ୍ତ କଳ୍ପନାଜଳ୍ପନାର ଭିଡ଼ରେ ମୋହନ ମାଝୀ ଅନୁପସ୍ଥିତ ଥିଲେ! ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଅର୍ପଣ କରାଯିବା ନେଇ ଯେଉଁ ବ୍ୟାଖ୍ୟାନଟି ସୃଷ୍ଟି ହୋଇଛି, ତାହା ହେଲା ଜଣେ ଆଦିବାସୀ ରାଜନେତାଙ୍କୁ ରାଜ୍ୟ ଶାସନର ଶୀର୍ଷତମ ପଦ ଅର୍ପଣ କରି ବିଜେପି କେନ୍ଦ୍ର ନେତୃତ୍ବ ‘ଆଦିବାସୀ କାର୍ଡ’ ଖେଳିଛି ଅର୍ଥାତ୍ ରାଜ୍ୟର ବୃହତ୍ ଜନଜାତି ବର୍ଗଙ୍କୁ ତୁଷ୍ଟ କରିବାର ପ୍ରଯତ୍ନ କରିଛି। କିନ୍ତୁ ଏହି ସ୍ଥୂଳ ବିଚାର ତଳେ ଯେଉଁ ସୂଷ୍ମ ବିବେଚନାଟି ମଧ୍ୟ ରହିଛି, ତାହାକୁ ଅଣଦେଖା କରିବା ମଧ୍ୟ ଅନୁଚିତ। ତାହା ହେଲା ଚବିଶ ବର୍ଷ କାଳ କ୍ଷମତାରେ ରହିଥିବା ସତ୍ତ୍ବେ ନିରାଡ଼ମ୍ବର ଏବଂ ବଚନ ଓ ଆଚରଣ ଦୃଷ୍ଟିରୁ ଅତ୍ୟନ୍ତ ସଂଯତ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କୌଣସି ଉଚ୍ଚାଟ ଓ ହଟଚମଟ ସୃଷ୍ଟିକାରୀ ନେତାଙ୍କୁ ଏକା ବେଳକେ ସ୍ଥାପନ କରିଦେବା ହୁଏତ ଦୃଷ୍ଟି ଓ ଶ୍ରୁତିକଟୁ ହୁଅନ୍ତା! ସୁତରାଂ, ମୋହନ ମାଝୀଙ୍କ ମନୋନୟନ ମଧ୍ୟ ହେଉଛି କ୍ଷମତାର ଶୀର୍ଷତମ ସ୍ଥାନରେ ଆଡ଼ମ୍ବରଶୂନ୍ୟତାର ଏକ ଧାରା ସୃଷ୍ଟିର ଉଦ୍ୟମ, ଯାହା ନବୀନଙ୍କୁ ଅଜସ୍ର ଲୋକପ୍ରିୟତା ଦେଇଥିଲା ଏବଂ ମୋହନ ମାଝୀଙ୍କ ସକାଶେ ମଧ୍ୟ ତାହା ବଳବତ୍ତର ରହିପାରେ! ଏହା ମଧ୍ୟ ଏକ ସକାରାତ୍ମକ ଦୃଶ୍ୟ। କିନ୍ତୁ ଏହା ସତ୍ତ୍ବେ ବାସ୍ତବତାଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ଯାହା ମୋହନ ମାଝୀଙ୍କୁ ପ୍ରତିଷ୍ଠା ଓ ସ୍ଥାୟିତ୍ବ ପ୍ରଦାନ କରିବ, ତାହା ହେଲା ବିବେଚନାପୂର୍ଣ୍ଣ ତଥା ଦୂରଦୃଷ୍ଟିସଂପନ୍ନ ନିଷ୍ପତ୍ତି ନେବାରେ ତାଙ୍କ ସାମର୍ଥ୍ୟ!
ଶପଥ ଗ୍ରହଣ ଉତ୍ସବରେ ଆଉ ଯେଉଁ ଏକ ଚିତ୍ତରଂଜକ ଦୃଶ୍ୟ ଦୃଷ୍ଟିଗୋଚର ହୋଇଛି, ତାହା ହେଲା ସେହି ଉତ୍ସବକୁ ଆମନ୍ତ୍ରିତ ହୋଇ ଆସିଥିବା କ୍ଷମତାଚ୍ୟୁତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ ଓ ଆଭିମୁଖ୍ୟ। ଚବିଶ ବର୍ଷର ଦୀର୍ଘ ଶାସନରୁ ଅପସାରିତ ହୋଇଥିବା ସତ୍ତ୍ବେ ପରାଜୟଜନିତ ହୀନମନ୍ୟତା ବା ଗ୍ଳାନି ବା ହତାଶା ତାଙ୍କ ଠାରେ ଦୃଶ୍ୟମାନ ନ ହୋଇ ଯାହା ଦେଖିବାକୁ ମିଳିଥିଲା ତାହା ହେଉଛି ପ୍ରତିପକ୍ଷ ବିଜେପିର ମଞ୍ଚାସୀନ ରାଜନେତାମାନଙ୍କ ସହିତ ତାଙ୍କର ସଶ୍ରଦ୍ଧ, ସହଜ ଓ ଅକୃତ୍ରିମ ସମ୍ଭାଷଣ, ଅଭିବାଦନ ବା ଅଭିନନ୍ଦନ ଜ୍ଞାପନ। ଏହା ଆଶା ସଂଚାର କରିଛି ଯେ ନବୀନଙ୍କ ନେତୃତ୍ବରେ ବିରୋଧୀ ଦଳ ଭାବେ ବିଜେଡିର ଆଭିମୁଖ୍ୟ ଏଣିକି ଗଠନମୂଳକ ତଥା ଅଯଥାର୍ଥ ଓ ମାତ୍ରାଧିକ ପ୍ରତିକ୍ରିୟାବିହୀନ ହେବ, ଯାହା ସରକାରଙ୍କୁ ଅାବଶ୍ୟକ ସ୍ଥଳେ ବିରୋଧ ଓ ପରାମର୍ଶମାନ ପ୍ରଦାନ କରିବ। କହିବା ବାହୁଲ୍ୟ ଯେ ଗଲା ପାଞ୍ଚ ପାଳିର ଶାସନ କାଳରେ ବିଜେଡି ଦ୍ବାରା ହିଁ ଅହମିକାଭରା ପ୍ରତିଶୋଧପରାୟଣ ରାଜନୀତିର ସୂତ୍ରପାତ ଘଟି କ୍ରମେ ଦୃଢ଼ମୂଳ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଯଦି ଚୈତନ୍ୟ ଉଦୟ ହୋଇ ଏକ ସହମତିଭିତ୍ତିକ ସହିଷ୍ଣୁ ରାଜନୀତିର ପ୍ରାରମ୍ଭ ଘଟେ, ତେବେ ତାହା ରାଜ୍ୟର ଭବିଷ୍ୟତ୍ ସକାଶେ ଶୁଭଙ୍କର ହେବ।
ଏଭଳି ଏକ ସକାରାତ୍ମକ ପ୍ରାରମ୍ଭ କାଳରେ ଆଶା କରିବା ଉଚିତ ଯେ ଉଭୟ ଶାସକ ଓ ବିରୋଧୀ ଦଳର ରାଜନେତାମାନେ କାର୍ଯ୍ୟ, ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଆପଣା ଉଚ୍ଚତା ବୃଦ୍ଧି କରିବା ଲାଗି ଯତ୍ନଶୀଳ ହେବେ। ପ୍ରତିପକ୍ଷକୁ ଖର୍ବକାୟ କରି ନିଜ ଉଚ୍ଚତାକୁ ଅଧିକ ବୋଲି ଦର୍ଶାଯାଇପାରେ, କିନ୍ତୁ ତଦ୍ଦ୍ବାରା ଆପଣା ଖର୍ବତା ଅକ୍ଷୁଣ୍ଣ ରହେ। ସଦ୍ୟ କ୍ଷମତାସୀନ ବିଜେପି ସରକାର ପୂର୍ବ ସରକାରର ଶାସନ ପରିଚାଳନା ଶୈଳୀ ଓ ସଦ୍ୟ ଭୋଗିଥିବା ପରାଭବରୁ ଏହା ହୃଦୟଙ୍ଗମ କରିଥିବ। ଏବଂ ବିରୋଧୀ ଦଳ ଭାବେ ଆପଣା ଉଚ୍ଚତା ବୃଦ୍ଧି କରିବା ଦିଗରେ ବିେଜଡି ନେତାମାନଙ୍କ ଉଦ୍ୟମ ସେମାନଙ୍କ କୃତକର୍ମର ପ୍ରାୟଶ୍ଚିତ୍ତ ହେବ।