ଗ୍ରାମବାସୀମାନଙ୍କୁ ସନ୍ତ‌ୁଷ୍ଟ କରିବା ପାଇଁ ସରକାର ଅବଶ୍ୟ ମାଗଣା ଖାଦ୍ୟଶସ୍ୟ ବଣ୍ଟନରୁ ଆରମ୍ଭ କରି ମାଗଣା ବିଜୁଳି, କୃଷି ସବ୍‌ସିଡି, ଗୃହ ନିର୍ମାଣ ସହାୟତା, ନିଯୁକ୍ତି ଯୋଗାଣ ଆଦି ପର୍ଯ୍ୟନ୍ତ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ନିର୍ବାଚନ ଫଳାଫଳରୁ ସାବ୍ୟସ୍ତ ହୋଇଥାଏ ଯେ ଗ୍ରାମାଞ୍ଚଳର ମତଦାତାମାନେ ଏ ସବୁକୁ ଯଥେଷ୍ଟ ରୂପେ ବିଚାର କରି ନାହାନ୍ତି। ମୋଦୀଙ୍କ ପ୍ରଥମ ଫାଇଲ୍‌ ଦସ୍ତଖତରୁ ମନେ ହୁଏ ସେ ବର୍ତ୍ତମାନ ଏ ସମ୍ବନ୍ଧରେ ସଚେତନ ହୋଇଛନ୍ତି। ଅାଶା କରାଯାଏ ଏଥର ସେ ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ସବୁମନ୍ତେ ଉଦ୍ୟମ ଆରମ୍ଭ କରିଦେବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ ପାଳି ସରକାରର ଦାୟିତ୍ବ ଗ୍ରହଣ କରିବା ପରେ ପରେ ଯେଉଁ ପ୍ରଥମ ଫାଇଲ୍‌ରେ ସ୍ବାକ୍ଷର କରି ତାଙ୍କର କାର୍ଯ୍ୟ ଆରମ୍ଭ କଲେ ବୋଲି ସୂଚନା ପ୍ରକାଶ ପାଇଛି, ତାହା ହେଉଛି ପିଏମ୍-କିଷାନ ନିଧି ସଂପର୍କିତ ଫାଇଲ୍। ଏହି ଫାଇଲ୍‌ରେ ସ୍ବାକ୍ଷର କରି ସେ ଏହି ଯୋଜନା ଅନୁସାରେ ୧୭ତମ କିସ୍ତି ଅର୍ଥରାଶି କୃ‌ଷକ-ଲାଭାର୍ଥୀମାନଙ୍କ ମଧ୍ୟରେ ବଣ୍ଟନ ହେବା ନିମିତ୍ତ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଦ୍ବାରା ଯେଉଁ ମୋଟ ପ୍ରାୟ ୨୦,୦୦୦ କୋଟି ଟଙ୍କା ବଣ୍ଟନ କରାଯିବା ପାଇଁ ବାଟ ଖୋଲିଗଲା, ତା’ ଦ୍ବାରା ଦେଶର ପ୍ରାୟ ୯.୩ କୋଟି କୃଷକ ଲାଭବାନ ହେବେ। ଫାଇଲ୍‌ରେ ଦସ୍ତଖତ କରିସାରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ‘‘ଆ‌ମ ସରକାର ହେଉଛି ସଂପୂର୍ଣ୍ଣ ରୂପେ କୃଷକ କଲ୍ୟାଣ ନିମିତ୍ତ ପ୍ରତିଶ୍ରୁତିବଦ୍ଧ। ... ଆଗାମୀ ସମୟରେ ଆମେ କୃଷକ ଏବଂ କୃଷି ପାଇଁ କାର୍ଯ୍ୟ କରିଚାଲିବୁ।’’
ତାଙ୍କର ତୃତୀୟ ପାଳିର ଆରମ୍ଭରେ ମୋଦୀ କୃଷି ଉପରେ ଏପରି ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ଯଦି ମୁଖ୍ୟତଃ କେଉଁ ଏକ ରାଜ୍ୟରେ ଶୋଚନୀୟ ପ୍ରଦର୍ଶନ ଯୋଗୁଁ ଲୋକସଭାରେ ନିଜ ବଳରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି, ସେ ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଏବଂ ସେ ରାଜ୍ୟର ମତଦାତାମାନେ ପୂର୍ବର ଧାରାରେ ପରିବର୍ତ୍ତନ ଘଟାଇ ଏଥର ନିର୍ବାଚନରେ ଭାଜପା ପ୍ରତି ବିମୁଖ ହେବାର ଯାହା ହେଉଛି ଅନ୍ୟତମ ମୁଖ୍ୟ କାରଣ, ତାହା ହେଲା ସେଠାରେ କୃଷି ଉପରେ ନିର୍ଭରଶୀଳ ସଂଖ୍ୟାଧିକ ମତଦାତାମାନେ ସମ୍ମୁଖୀନ ହୋଇ ଚାଲିଥିବା ଦୁରବସ୍ଥା।
୨୦୧୪ରେ ଭାଜପା ଯେତେବେଳେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରଦର୍ଶିତ କରି ନିର୍ବାଚନରେ ଅବତୀର୍ଣ୍ଣ ହେଲା, ୨୪ କୋଟି ଜନସଂଖ୍ୟାବିଶିଷ୍ଟ ଏହି ବିଶାଳ ରାଜ୍ୟ ସେତେବେଳେ ଏହି ଦଳକୁ ଅକୁଣ୍ଠ ସମର୍ଥନ ପ୍ରଦାନ କରି ଲୋକସଭାରେ ସଂଖ୍ୟାଗରିଷ୍ଠତା ଲାଭ କରିବାରେ ସହାୟକ ହୋଇଥିଲା। ହୁଏତ ଭାଜପାର ହିନ୍ଦୁତ୍ବବାଦୀ ଆଭିମୁଖ୍ୟ ସେମାନଙ୍କର ସମର୍ଥନ ପଛରେ ନିହିତ ଥିବା ଏକ କାରଣ ହୋଇଥାଇପାରେ, କିନ୍ତୁ ସେଥିସହିତ ମତଦାତାମାନେ ମଧ୍ୟ ଆଶା କରିଥିବେ ଯେ ସେମାନଙ୍କର ରାଜ୍ୟ ଏଥର ଜାତିଆଣ ରାଜନୀତି ଓ କୁଶାସନରୁ ମୁକୁଳି ଅର୍ଥନୈତିକ ପ୍ରଗତି ହାସଲ କରିବାରେ ସକ୍ଷମ ହେବ ଏବଂ ସେମାନଙ୍କର ଅର୍ଥନୈତିକ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିବ। ଇତି ମଧ୍ୟରେ ନରେନ୍ଦ୍ର ମୋଦୀ ସରକାରଙ୍କ ଉଦ୍ୟମରେ ଭାରତ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାର ଦ୍ବାରଦେଶରେ ଉପନୀତ ହେଲାଣି ଏବଂ ଭାରତୀୟ ଅର୍ଥନୀତି ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପେ ସାରା ପୃଥିବୀର ପ୍ରଶଂସା ଓ ଈର୍ଷା ଆକର୍ଷଣ କରିଚାଲିଛି। ଉଦାହରଣ ସ୍ବରୂପ ବିଗତ ବିତ୍ତବର୍ଷରେ ଭାରତୀୟ ଅର୍ଥନୀତି ଏକ ଅବିଶ୍ବସନୀୟ ବାର୍ଷିକ ୮.୨ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିଥିବା ବେଳେ, ଚଳିତ ବିତ୍ତବର୍ଷରେ ମଧ୍ୟ ଏହି ଅଭିବୃଦ୍ଧି ହାର ୭ ଶତାଂଶରୁ ଅଧିକ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି।
ଏହି ଜାଜ୍ବଲ୍ୟମାନ ଅର୍ଥନୈତିକ ଅଭିବୃଦ୍ଧି ଅନ୍ତରାଳରେ କିନ୍ତୁ ଲୁଚି ରହିଛି ଦେଶର କୃଷି ଓ ଗ୍ରାମ୍ୟ ଅର୍ଥନୀତିର ଏକ ଅତ୍ୟନ୍ତ ନିଷ୍ପ୍ରଭ ଦୃଶ୍ୟ ଯାହା ଗ୍ରାମାଞ୍ଚଳର ମତାଦାତାମାନଙ୍କ ମଧ୍ୟରେ ଏକ ବ୍ୟାପକ ହତାଶା ସୃଷ୍ଟି କରିଥିବାର ଦୃଢ଼ ସମ୍ଭାବନା ରହିଛି। ଯେହେତୁ ଉତ୍ତରପ୍ରଦେଶ ହେଉଛି ଏକ ଗ୍ରାମବହୁଳ ଦେଶ, ସେଠାରେ ଏହି ହତାଶା ସେମାନଙ୍କୁ ଭାଜପା ପ୍ରତି ସେମାନେ ପୂର୍ବରୁ ପ୍ରକାଶ କରିଆସିଥିବା ସମର୍ଥନ ପ୍ରତ୍ୟାହାର କରିବା ପାଇଁ ଏଥର ପ୍ରବୃତ୍ତ କରିଥିବାର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଛି। ସାମଗ୍ରିକ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ଭେଦ କରି ଭାରତର ଗ୍ରାମ୍ୟ ଅର୍ଥନୀତିର ରୁଗ୍‌ଣ‌ ଚେହେରା ଅବଶ୍ୟ କେବେଠାରୁ ଉଙ୍କି ମାରିବାରେ ଲାଗିଛି। ନିକଟ ଅତୀତରେ ଗ୍ରାମାଞ୍ଚଳରେ ବାସ୍ତବ ମଜୁରିରେ ଏକ ସ୍ଥାଣୁତା ଦେଖାଯାଇଛି କିମ୍ବା କେଉଁଠି କେଉଁଠି ସେଥିରେ ସ୍ଖଳନ ମଧ୍ୟ ଘଟିଛି। ମର୍ଯ୍ୟାଦାଜନକ ଅର୍ଥନୈତିକ ଗବେଷଣା ସଂସ୍ଥା ‘ଆଇସିଆର୍‌ଆଇଇଆର୍’ (‘ଇକ୍ରିଅର୍’) ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଭାରତରେ କୃଷିକ୍ଷେତ୍ରରେ ଉପଲବ୍‌ଧ ବାସ୍ତବ ମଜୁରିର ବୃଦ୍ଧିରେ ବାର୍ଷିକ ୩.୩ ଶତାଂଶ ହାରରେ ହ୍ରାସ ଘଟିଛି। ସେଇ ସମୟ କାଳରେ ମଧ୍ୟ ଅଣ-କୃଷି ବାସ୍ତବ ମଜୁରିର ବୃଦ୍ଧିରେ ବାର୍ଷିକ ୩ ଶତାଂଶ ହାରରେ ହ୍ରାସ ଘଟିଥିଲା। ଚିନ୍ତାଜନକ ଭାବରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ବାସ୍ତବ ମଜୁରିରେ ଏହି ମନ୍ଥର ବୃଦ୍ଧି ସ୍ଥାନରେ ସିଧାସଳଖ ହ୍ରାସ ଘଟିବା ଦେଖାଦେଇଛି (ଆର୍ଥିକ ମଜୁରିରୁ ଦରଦାମ ବୃଦ୍ଧି ଅର୍ଥାତ୍ ମୁଦ୍ରାସ୍ଫୀତିର ପ୍ରଭାବକୁ ବାଦ୍ ଦେଲେ ବାସ୍ତବ ମଜୁରି ହାର ଜଣାପଡ଼ିଥାଏ)। ସରଳ ଭାବରେ କହିଲେ ଯେଉଁ ସମୟରେ ନିର୍ବାଚନ ନିକଟତର ହୋଇ ଆସୁଥିଲା, ସେଇ ସମୟରେ ଗ୍ରାମାଞ୍ଚଳରେ ଉଭୟ କୃଷି-ମଜୁରି ଓ ଅଣ-କୃଷି-ମଜୁରିରେ ବୃଦ୍ଧି ଦରଦାମ ବୃଦ୍ଧି ସହିତ ତାଳ ଦେଇ ନ ପାରି ପଛରେ ପଡ଼ିଯାଉଥିଲା। ଏଥିଯୋଗୁଁ କଠିନ ଅା‌ର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ମତଦାତାମାନେ ନିର୍ବାଚନରେ ଶାସନ କ୍ଷମତାରେ ଥିବା ଦଳ ସପକ୍ଷରେ ମତଦାନ କରିବା ଆଶା କରାଯାଏ ନାହିଁ।
ଏହି ସମୟରେ ମୋଦୀ ସରକାର ଦେଶରେ ଭିତ୍ତିଭୂମି ନିର୍ମାଣ ଓ ସଂପ୍ରସାରଣ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ମନୋନିବେଶ କରିଥିଲେ। ବିମାନ ବନ୍ଦର ସଂଖ୍ୟା ଦ୍ବିଗୁଣିତ କରିବା, ୧୦,୦୦୦ କି.ମି.ର ସଡ଼କ ନିର୍ମାଣ କରିବା, ୧୫ ଗିଗାୱାଟ୍‌ର ସୌରଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଆଦି ହେଉଛି ଏହି ଉଦ୍ୟମରେ ଅନ୍ତର୍ଭୁକ୍ତ। ଏଭଳି ଉଦ୍ୟମ ନିଶ୍ଚିତ ରୂପେ ସାମଗ୍ରିକ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ ସତ, କିନ୍ତୁ ଏହାଦ୍ବାରା ଗ୍ରାମ୍ୟ ଅର୍ଥନୀତି ତତ୍‌କ୍ଷଣାତ୍‌ ଲାଭବାନ ହୋଇ ନ ଥାଏ। ସାମଗ୍ରିକ ଅର୍ଥନୀତିର ଅଭିବୃଦ୍ଧି ପରିଶେଷରେ ଗ୍ରାମାଞ୍ଚଳରେ ମଧ୍ୟ ଜୀବନଧାରଣର ମାନରେ ଉନ୍ନତି ଘଟାଇଥାଏ, କିନ୍ତୁ ଏହି ସୁଫଳ ଗ୍ରାମାଞ୍ଚଳରେ ପହଞ୍ଚିବା ପାଇଁ ଦୀର୍ଘ ସମୟ ଅତିବାହିତ ହୋଇଥାଏ। ଏଣୁ ତାତ୍‌କାଳିକ ଦୃଷ୍ଟିକୋଣରୁ ଦେଶର ଚମକପ୍ରଦ ଅର୍ଥନୈତିକ ଅଭିବୃଦ୍ଧି ଗ୍ରାମାଞ୍ଚଳର ଅଗଣିତ ନିମ୍ନ ଆୟ ବର୍ଗର ସଦସ୍ୟମାନଙ୍କ ପାଇଁ ସେହିପରି ହୋଇଥାଏ, ଯେଉଁପରି କୁଆ ପାଇଁ ପାଚିଲା ବେଲ ହୋଇଥାଏ। ଉଲ୍ଲେଖଯୋଗ୍ୟ ‌େଯ ଆଜିକାଲି ଭିତ୍ତିଭୂମି ନିର୍ମାଣରେ ସିଧାସଳଖ ମାନବୀୟ ଶ୍ରମ ଅପେକ୍ଷା ଯନ୍ତ୍ରର ଅଧିକ ବ୍ୟବହାର ହେଉଥିବାରୁ ମୋଦୀ ସରକାରର ଭିତ୍ତିଭୂମି ନିର୍ମାଣ ଅଭିଯାନ ଦ୍ବାରା ଶ୍ରମିକମାନେ ବିଶେଷ ଉପକୃତ ହେଉ ନାହାନ୍ତି।
ଗ୍ରାମବାସୀମାନଙ୍କୁ ସନ୍ତ‌ୁଷ୍ଟ କରିବା ପାଇଁ ସରକାର ଅବଶ୍ୟ ମାଗଣା ଖାଦ୍ୟଶସ୍ୟ ବଣ୍ଟନରୁ ଆରମ୍ଭ କରି ମାଗଣା ବିଜୁଳି, କୃଷି ସବ୍‌ସିଡି, ଗୃହ ନିର୍ମାଣ ସହାୟତା, ନିଯୁକ୍ତି ଯୋଗାଣ ଆଦି ପର୍ଯ୍ୟନ୍ତ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ନିର୍ବାଚନ ଫଳାଫଳରୁ ସାବ୍ୟସ୍ତ ହୋଇଥାଏ ଯେ ଗ୍ରାମାଞ୍ଚଳର ମତଦାତାମାନେ ଏ ସବୁକୁ ଯଥେଷ୍ଟ ରୂପେ ବିଚାର କରି ନାହାନ୍ତି। ମୋଦୀଙ୍କ ପ୍ରଥମ ଫାଇଲ୍‌ ଦସ୍ତଖତରୁ ମନେ ହୁଏ ସେ ବର୍ତ୍ତମାନ ଏ ସମ୍ବନ୍ଧରେ ସଚେତନ ହୋଇଛନ୍ତି। ଅାଶା କରାଯାଏ ଏଥର ସେ ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ସବୁମନ୍ତେ ଉଦ୍ୟମ ଆରମ୍ଭ କରିଦେବେ।