ଯୀଶୁଙ୍କ ବ୍ୟବହାର

କଥାଟିଏ-ଯାଯାବର

ଜ‌େଣ ବ୍ୟକ୍ତିି ବାଇବଲ୍‌ରୁ କଥାଟିଏ ଉଦ୍ଧାର କରି ଓଶୋ ରଜନୀଶଙ୍କୁ ପ୍ରଶ୍ନଟିଏ ପଚାରିଲେ। କଥାଟି ହେଲା ଏହିଭଳି। ଯୀଶୁ ଗୋଟିଏ ଗଛ ମୂଳରେ ବସିଲେ। ଗଛରେ କୌଣସି ଫଳ ନ ଥିଲା। ଏହା ଦେଖି ଯୀଶୁ କହିଲେ- ଏ ଗଛ ସର୍ବଦା ଫଳହୀନ ହୋଇ ରହୁ। ସେହି ଭଦ୍ର ବ୍ୟକ୍ତି ପଚାରିଲେ- ସମସ୍ତଙ୍କୁ ସ୍ନେହ, ପ୍ରେମ ଓ କରୁଣାର ଉପଦେଶ ଦେଉଥିବା ଯୀଶୁ ଗୋଟିଏ ଗଛ ଉପରେ ଅକାରଣେ କ୍ରୋଧ କଲେ ନାହିଁକି? ପୁଣି ବୋଧଶକ୍ତିହୀନ ଗଛଟିଏ ଯଦି ଦୈବାତ୍‌ ଫଳହୀନ ହୋଇ ଯାଇଛି, ତେବେ ତହିଁରେ ତା’ ଦୋଷ ଅବା କ’ଣ? ଏ କଥାକୁ ପ୍ରସିଦ୍ଧ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ ତାଙ୍କ ପୁସ୍ତକ ‘ହ୍ବାଇ ଆଇ ଏମ୍‌ ନଟ ଏ ଖ୍ରୀଷ୍ଟିଆନ୍’ (ମୁଁ କାହିଁକି ଜଣେ ଖ୍ରୀଷ୍ଟିଆନ ନୁହେଁ)ରେ ଉଦାହରଣ ଭାବେ ଦେଇ କହିଛନ୍ତି ଯେ ଯୀଶୁଙ୍କ ଉଚ୍ଚାରଣ ଏବଂ ଆଚରଣରେ ଏଭଳି ପ୍ରଭେଦ ଥିବାରୁ ସେ ତାଙ୍କୁ ଅନୁସରଣ କରିବାକୁ ଚାହିଁ‌େଲ ନାହିଁ।

ଏଥିରେ ଓଶୋଙ୍କ ମନ୍ତବ୍ୟ ଥିଲା ଏହିଭଳି: ଯୀଶୁଙ୍କୁ ବୁଝିବାରେ ରସେଲ ଭୁଲ୍‌ କରିଥିଲେ ବୋଲି ଏଭଳି କହିଛନ୍ତି। ଏଭଳି କ୍ରୋଧ କେବଳ ଅବୋଧ ଶିଶୁମାନେ ହିଁ କରିଥାନ୍ତି। ସେମାନେ ଚାଲୁଚାଲୁ ତଳେ ପଡ଼ିଗଲେ କାନ୍ଦନ୍ତି ଏବଂ ତାଙ୍କୁ ବୁଝାଇବା ଲାଗି ପାଖରେ ଥିବା ଲୋକ ମାଟିକୁ ବାଡ଼ାନ୍ତି, ସତେ ଯେମିତି ମାଟି ସଜୀବ ଓ ତାରି ଦୋଷରୁ ସେ ପଡ଼ିଗଲା! ଯୀଶୁ ସେହିଭଳି ଅକୃତ୍ରିମ ଓ ଅବୋଧ ଶିଶୁସୁଲଭ ହୋଇଯାଇଥିଲେ, ଯେଉଁ କାରଣରୁ ଗଛ ସହିତ ସେ ଏଭଳି ବ୍ୟବହାର କରିଥିଲେ। ଆଉ ଯୀଶୁ ସର୍ବଦା କହୁଥିଲେ ଯେ ଶିଶୁଙ୍କ ଭଳି ହୋଇପାରିଲେ ଯାଇ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ଭବ।

ସମ୍ବନ୍ଧିତ ଖବର