ସେହି ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଆଟୋପ ପରିପୂର୍ଣ୍ଣ ପ୍ରଭାବଶାଳୀ ପୁରୁଷ ସଦ୍ୟ କୃତଜ୍ଞତା ବିଗଳିତ ହୋଇଯିବାର ଦୃଶ୍ୟ ସମଗ୍ର ପୃଥିବୀ ଦେଖିଲା। ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରଂପ୍‌, ଯିଏ ମସ୍ତକରେ ଗୁଳିବିଦ୍ଧ ହେବା ସତ୍ତ୍ବେ ଦୈବୀ କୃପାରୁ ବଞ୍ଚି ଯାଇଥିଲେ। ଗୁଳି ଚାଳନା କରାଯିବା ମୁହୂର୍ତ୍ତରେ ଯଦି ସେ ଦୈବାତ୍‌ ମୁହଁ ବୁଲାଇ ଦେଇ ନ ଥାଆନ୍ତେ, ତେବେ ଗୁଳିଟି ତାଙ୍କ କାନରେ ଘଷି ନ ହୋଇ କପାଳ ଭେଦ କରିଥାଆନ୍ତା। ଅନେକ କହନ୍ତି ଯେ ନିଜ ତ୍ରୁଟି ଓ ପରାଜୟକୁ କଦାପି ସ୍ବୀକାର କରୁ ନଥିବା ଟ୍ରଂପ୍‌ଙ୍କ ଚକ୍ଷୁରୁ ସେହି ଦିନ ହିଁ କୃତଜ୍ଞତାର ଅଶ୍ରୁ କେଇ ବୁନ୍ଦା ଝରି ପଡ଼ିଥିବ!

Advertisment

ଯୁଦ୍ଧ, ସଂତ୍ରାସ, ଆତଙ୍କବାଦ, ହିଂସା, ପ୍ରାକୃତିକ ଦୁର୍ବିପାକ ଇତ୍ୟାଦି ଭଳି ହାହାକାରମୟ ସମ୍ବାଦର ଭିଡ଼ ଭିତରେ ନିକଟରେ ପ୍ରକାଶିତ ଯେଉଁ ଚିତ୍ତରଂଜକ ସମ୍ବାଦଟି ପ୍ରାୟତଃ ଲୋକଲୋଚନକୁ ଆସିପାରିନାହିଁ, ତାହା କହିଥାଏ ଯେ ‘କୃତଜ୍ଞତାବୋଧ’ ଦ୍ବାରା ଆର୍ଦ୍ର ବ୍ୟକ୍ତିବିଶେଷ ତୁଳନାତ୍ମକ ଭାବେ ଅଧିକ ଦୀର୍ଘଜୀବୀ ହୁଅନ୍ତି। ଜୀବନଯାତ୍ରା କାଳରେ ବିଭିନ୍ନ ସୂତ୍ର ଓ ସ୍ରୋତରୁ ଉପଲବ୍‌ଧ କ୍ଷୁଦ୍ରତିିକ୍ଷୁୁଦ୍ର ଉପକାର ସକାଶେ ଯଦି ସେଥି ଲାଗି ଦାୟୀ ବ୍ୟକ୍ତି ବା ପ୍ରକୃତି ବା ପୃଥିବୀ ଅଥବା ଈଶ୍ବରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଏ, ତେବେ ସେହି ପ୍ରକ୍ରିୟାରେ ଜାତ ହେଉଥିବା ‘ସନ୍ତୋଷ’ର ସକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଉଭୟ ମନସ୍ତତ୍ତ୍ବବିତ୍‌ ଓ ଶରୀର ବିଜ୍ଞାନୀମାନେ କହିଥାଆନ୍ତି। ଏହା ଗବେଷଣା ଦ୍ବାରା ପ୍ରମାଣିତ ଯେ କାୟମନୋବାକ୍ୟରେ ‘କୃତଜ୍ଞତା ଜ୍ଞାପନ’ ବା ‘ଧନ୍ୟବାଦ ଅର୍ପଣ’ ଭଳି କ୍ରିୟା ଦ୍ବାରା ମନକୁ ପ୍ରଫୁଲ୍ଲ ରଖୁଥିବା ହରମୋନ ‘ଡୋପାମାଇନ୍‌’ ଓ ‘ସେରୋଟୋନିନ୍‌’ର ଅଧିକ କ୍ଷରଣ ଘଟିଥାଏ। ଯଦିଓ ‘ଜିନ୍‌ଗତ କାରଣ’ରୁ କେତେକ ବ୍ୟକ୍ତି ଆଜନ୍ମ ଏଭଳି ମନୋଭାବ ପୋଷଣ କରିଥାଆନ୍ତି, ମନସ୍ତତ୍ତ୍ବବିତ୍‌ମାନେ କହନ୍ତି ଯେ ଅଭ୍ୟାସ ବଳରେ ଓ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟାଇ ମଧ୍ୟ ଏଭଳି ଭାବର ସୃଷ୍ଟି କରାଯାଇପାରେ, ଯାହା ସେମାନଙ୍କ ଆୟୁଷରେ କିଛି ବୃଦ୍ଧି ମଧ୍ୟ ଘଟାଇପାରେ!
ଉଲ୍ଲେଖଯୋଗ୍ୟ ଯେ ହାର୍ଭାର୍ଡ ବିଶ୍ବବିଦ୍ୟାୟର ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର କେତେକ ଗବେଷକ ଏଭଳି ଏକ ତଥ୍ୟ ନେଇ ଆବିର୍ଭୂତ ହୋଇଛନ୍ତି, ଯାହା ପଛରେ ଏକ ସଘନ ଓ ସୁଦୀର୍ଘ ଗବେଷଣା ମଧ୍ୟ ରହିଛି। ପ୍ରକାଶ ଥାଉ କି ୨୦୧୬ ମସିହାର ‘ନର୍ସ ହେଲ୍‌ଥ ସର୍ଭେ’ରୁ ପ୍ରାପ୍ତ ସୂଚନା ଆଧାରରେ ଏହି ଅନୁଧ୍ୟନ କରାଯାଇଥିଲା, ଯହିଁରେ ହାରାହାରି ୭୯ ବର୍ଷ ବୟସ ବର୍ଗର ୪୯,୨୭୬ ଜଣ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ। ଜୀବନକୁ ନେଇ ସେମାନେ କେତେ ସନ୍ତୁ‌ଷ୍ଟ ଓ କୃତଜ୍ଞ ବୋଲି ସେମାନଙ୍କୁ ବିଭିନ୍ନ ଉପାୟରେ ଛଅଟି ପ୍ରଶ୍ନ ଆଧାରରେ ପଚରାଯାଇଥିଲା, ଯାହାର ଉତ୍ତରମାନ ଥିଲା ଏହି ଗବେଷଣାର ମୂଳ ପିଣ୍ଡ। ଏହାର ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୯ ମସିହାରେ ଗବେଷଣାକାରୀମାନେ ପୁନର୍ବାର ଏହି ସମସ୍ତ ମହିଳାଙ୍କୁ ଯୋଗାଯୋଗ କରିଥିଲେ। ଏହି ଅବଧି ମଧ୍ୟରେ ମୃତ୍ୟୁବରଣ କରିସାରିଥିବା ମହିଳାମାନଙ୍କ ଉତ୍ତରର ବିଶ୍ଳେଷଣ କରି ଗବେଷକମାନେ ଦେଖିବାକୁ ପାଇଥିଲେ ଯେ ବାର୍ଦ୍ଧକ୍ୟ ଓ ବ୍ୟାଧିର ପୀଡ଼ା ସତ୍ତ୍ବେ ଜୀବନ ପ୍ରତି ‘କୃତଜ୍ଞତା’ ପ୍ରକାଶ କରିଥିବା ମହିଳାମାନେ ତୁଳନାତ୍ମକ ଭାବେ ଅଧିକ ଦୀର୍ଘାୟୁ ହୋଇଛନ୍ତି; ଅନ୍ତତଃ ୯ ପ୍ରତିଶତ ଅଧିକ। କେବଳ ସେତିକି ନୁହେଁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଏହି ମହିଳାମାନେ ତୁଳନାତ୍ମକ ଭାବେ କମ୍‌ ସଂଖ୍ୟାରେ ହୃଦ୍‌ଘାତ ବା କ୍ୟାନ୍‌ସର୍‌ ଭଳି ବ୍ୟାଧିର ଶିକାର ହୋଇଥିଲେ।
ଏହା ସୁବିଦିତ ଯେ ମନୁଷ୍ୟ ମସ୍ତିଷ୍କକୁ ପ୍ରକୃତିର ସର୍ବାଧିକ ଅଲୌକିକ ସୃଷ୍ଟି ବୋଲି ଅଭିହିତ କରାଯାଇଥାଏ। କିନ୍ତୁ ଏକ ବିଡ଼ମ୍ବନା ହେଲା ଏହି ମସ୍ତିଷ୍କ ମନୁଷ୍ୟର ସାମର୍ଥ୍ୟ ପ୍ରତିଷ୍ଠା କରିବା ସହିତ ତାକୁ ଏଭଳି ଆଟୋପ ପରିପୂର୍ଣ୍ଣ କରିଦେଇଛି ଯେ ତହିଁରେ ‘କୃତଜ୍ଞ’ ହେବା ଭଳି ଭାବ ସକାଶେ ସ୍ଥାନ ନ ଥାଏ। ସେଥି ପାଇଁ ଦେଖିବାକୁ ମିଳି ନ ଥାଏ କି ପ୍ରକୃତିର ସମସ୍ତ ଅବଦାନକୁ ଆଶୀର୍ବାଦ ବା ଉପକାର ରୂପେ ନ ଦେଖି ମାନବ ଜାତି ଏକ ଜନ୍ମଗତ ଅଧିକାର ରୂପେ ବିବେଚନା କରିବାର ମୂଢ଼ତା କାରଣରୁ ଜଳବାୟୁ ପରିବର୍ତ୍ତନ ଏକ ବିଭୀଷିକା ରୂପେ ଦଣ୍ଡାୟମାନ? ସଭ୍ୟତାର ଉନ୍ମେଷ କାଳରେ ପ୍ରକୃତିର ସଦୟ ଉପକାର ପ୍ରତି କୃତଜ୍ଞତାର ପ୍ରାର୍ଥନା ସଂପ୍ରତି ଅର୍ଥଶୂନ୍ୟ ଭଳି ମନେ ହୋଇଥାଏ। ସେମିତି ପ୍ରତ୍ୟେକ ସଂସ୍କୃତିରେ ଅନାଦି କାଳରୁ ପ୍ରଚଳିତ ହୋଇ ରହିଥିବା କୃଷିଜ ଅମଳ ପରବର୍ତ୍ତୀ କୃତଜ୍ଞତା ଜ୍ଞାପନର ପର୍ବମାନ ମଧ୍ୟ ସେଗୁଡ଼ିକର ପ୍ରକୃତ ଉଦ୍ଦେଶ୍ୟ ବିସ୍ମୃତ ହୋଇ ସାରିଛନ୍ତି! ଥାଳିରେ ପରିବେଷିତ ହୋଇ ଆମ ସାମନାକୁ ଆସିଯାଉଥିବା ସୁସ୍ବାଦୁ ବ୍ୟଂଜନମାନ ସମ୍ଭବ ହେବା ପଛରେ ଭୂମି କର୍ଷଣରୁ ପ୍ରାରମ୍ଭ କରି ରୋଷେଇ ଘରେ ତାହାକୁ ପ୍ରସ୍ତୁତ କରୁଥିବା ବ୍ୟସ୍ତ ହସ୍ତଗୁଡ଼ିକ ପ୍ରତି ଆମମାନଙ୍କ ସର୍ବନିମ୍ନ କୃତଜ୍ଞତାବୋଧର ଅଭାବରୁ ତ ଖାଦ୍ୟ ନଷ୍ଟ ଭଳି ଏକ ବିକଟ ସମସ୍ୟାର ଆବିର୍ଭାବ ଘଟିଛି। କହିବା ନିଷ୍ପ୍ରୟୋଜନ ଯେ ‘କୃତଜ୍ଞତାବୋଧ’ ଉଦ୍ରେକ ହେବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତାଟି ହେଲା, ଯାହା ଓ ଯେତିକି ଉପଲବ୍‌ଧ, ସ୍ବଳ୍ପ ହେଉ ବା ଅଧିକ, ତହିଁରେ ସନ୍ତୁଷ୍ଟ ହେବା‌ର ମନୋଭାବ। କିନ୍ତୁ ବସ୍ତୁବାଦୀ ଓ ଉପଭୋଗକୈନ୍ଦ୍ରିକ ପୃଥିବୀରେ ଅଗତ୍ୟା ସେଭଳି ମନୋଭାବ ବିରଳ ହୋଇ ଯାଉ ନାହିଁ କି?
ଏହି ପରିପ୍ରେକ୍ଷୀରେ ୨୦୨୩ ମସିହାରେ ଆମେରିକାର ପେନ୍‌ସିଲ୍‌ଭେନିଆ ବିଶ୍ବବିଦ୍ୟାଳୟର ପ୍ରଫେସର ମାଥ୍ୟୁ କିଲିଙ୍ଗୱର୍ଥଙ୍କ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣମୂଳକ ଅନୁଧ୍ୟାନ କହିଥାଏ ଯେ ଆୟ ସହିତ ସୁଖର ଘନିଷ୍ଠ ସଂପର୍କ ରହିଛି। ତାଙ୍କ ଅନୁଶୀଳନର ସୁଖ ସୂଚକାଙ୍କରେ ଅତ୍ୟନ୍ତ ବିତ୍ତଶାଳୀଙ୍କ ମଧ୍ୟରୁ ଅର୍ବପତିମାନେ ୭ରୁ ସର୍ବାଧିକ ୬ ନମ୍ବର ଦେଇଥିବା ବେଳେ ମଧ୍ୟମ ଆୟକାରୀ ଓ ନିମ୍ନ ଆୟକାରୀ ବର୍ଗ ସେହି ସ୍କେଲ୍‌ରେ ଯଥାକ୍ରମେ ୪.୯ ଓ ୪.୧ ନମ୍ବର ଦେଇଥିଲେ। ସେ ଏହି ନିଷ୍କର୍ଷରେ ମଧ୍ୟ ଉପନୀତ ହୋଇଛନ୍ତି ଯେ ଆୟ ବୃଦ୍ଧି ସହିତ ତାଳ ଦେଇ ସୁଖ ଲାଭ‌ର ଅନୁଭୂତିରେ ମଧ୍ୟ ବୃଦ୍ଧି ଘଟିଥାଏ, ଯାହା ୨୦୧୦ ମସିହାରେ ନୋବେଲ ପୁରସ୍କାର ବିଜେତା ପ୍ରିନ୍‌ସଟନ୍‌ ବିଶ୍ବବିଦ୍ୟାଳୟର ଦୁଇ ବିଶିଷ୍ଟ ଅର୍ଥନୀତିଜ୍ଞ ଡାନିଏଲ୍‌ କାନେମ୍ୟାନ୍‌ ଓ ଆଙ୍ଗସ୍‌ ଡିଟନ୍‌ଙ୍କ ଅନୁଶୀଳନକୁ ଖାରଜ କରିଥାଏ। ଉପରୋକ୍ତ ଦୁଇ ବିଶିଷ୍ଟ ଅର୍ଥଶାସ୍ତ୍ରୀ କହିଥିଲେ ଯେ ଯେ ମାସିକ ୭୫,୦୦୦ ଡଲାର ଆୟରେ ପହଞ୍ଚିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ସୁଖାନୁଭୂତି କ୍ରମବର୍ଦ୍ଧମାନ ଆୟର ସମାନୁପାତିକ ଭାବେ ବୃଦ୍ଧି ପାଇ ଚାଲିଥାଏ ସିନା, ଆୟ ଯଦି ୭୫,୦୦୦ ଡଲାରର ସୀମାନ୍ତ ଅତିକ୍ରମ କରିଯାଏ, ତେବେ ତାହା ହୁଏତ ଆଉ ଅଧିକ ଆନନ୍ଦ ବା ସୁଖ ପ୍ରଦାନ କରି ନ ପାରେ! ସେମାନେ ବୁଝାଇଥିଲେ ଯେ ଜୀବନର ସମସ୍ତ ବସ୍ତୁଗତ ଇଚ୍ଛା ଓ ବିଳାସର ପୂର୍ତ୍ତି ସୁନିଶ୍ଚିତ କରିପାରୁଥିବା ଅର୍ଥଠାରୁ ଅଧିକ ଆୟ ପ୍ରାୟତଃ ପୂର୍ବ ଭଳି ବିଶେଷ ଚିତ୍ତଚାଞ୍ଚଲ୍ୟ ସୃଷ୍ଟି କରି ନ ଥାଏ। ତେବେ ସେ ଯାହା ହେଉ, ପ୍ରଫେସର କିଲିଂୱର୍ଥଙ୍କ ସିଦ୍ଧାନ୍ତରୁ କ’ଣ ଏହା କୁହାଯାଇପାରିବ ଯେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ଜଣକ ହେଉଛନ୍ତି ପୃଥିବୀର ସର୍ବାଧିକ ସୁଖୀ ବ୍ୟକ୍ତି? ସ୍ବାଭାବିକ ଭାବେ ଏହାର ଉତ୍ତର ନାସ୍ତିବାଚକ। କାରଣ, ଏହା ନିଃସନ୍ଦେହ ଯେ ନିଜ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିଭୋର ଅନେକ ବ୍ୟକ୍ତି ସ୍ବଳ୍ପ ଉପାର୍ଜନ ସତ୍ତ୍ବେ ଅତ୍ୟନ୍ତ ସୁଖୀ ଥାଆନ୍ତି। ପୁଣି ମନସ୍ତତ୍ତ୍ବବିତ୍‌ଙ୍କ ମତରେ ଅର୍ଥ ବା ସଫଳତା ବା ଯଶ ଇତ୍ୟାଦିର ପ୍ରାପ୍ତି ଦ୍ବାରା ସୃଷ୍ଟ ସୁଖର ବୈଦ୍ୟୁତିକ ଛଟା କିଛି ସମୟ ଲାଗି ମନକୁ ଆଲୋକିତ କରି ନିଷ୍ପ୍ରଭ ହୋଇଯାଏ ଏବଂ ପୁନର୍ବାର ଅଧିକ ପ୍ରାପ୍ତିର କାମନା ଉ‌ଦ୍ରେକ ହୋଇ ମନ ମଧ୍ୟ‌େର ଶୂନ୍ୟତା ସୃଷ୍ଟି କରିଥାଏ। ସୁତରାଂ, ସୁଖକୁ ‘ପରିତୃପ୍ତି’ ବା ‘ସନ୍ତୋଷ’ ସହିତ ତୁଳନା କରାଯିବା ବିଭ୍ରାନ୍ତିକର; କାରଣ ସନ୍ତୋଷ ବିଜୁଳିତୁଲ୍ୟ କ୍ଷଣିକ ପାଇଁ ନ ହୋଇ ଏକ ଶୀତଳ ଧାରା ଭଳି ମନରେ ପ୍ରବାହିତ ହୋଇ ଚାଲିଥାଏ ଏବଂ ମନୁଷ୍ୟକୁ ସେ ଲାଭ କରିଥିବା ଯତ୍‌ସାମାନ୍ୟ ପ୍ରାପ୍ତି ଲାଗି ମଧ୍ୟ କୃତଜ୍ଞ କରି ରଖିଥାଏ। ଆମେରିକା ଭଳି ଏକ ପୁଂଜିବା‌ଦୀ ଉପଭୋଗକୈନ୍ଦ୍ରିକ ରାଷ୍ଟ୍ରରେ ସୃଷ୍ଟ ଦୁଇ ଅନୁଶୀଳନ ‘ସୁଖ’କୁ ‘ସନ୍ତୋଷ’ଠାରୁ ଭିନ୍ନ ରୂପେ ଦେଖିବାର ମାର୍ଗ ପ୍ରସ୍ତୁତ କରିଛି, ତାହା ସା‌ନ୍ତ୍ବନାଦାୟକ।
ସେହି ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଆଟୋପ ପରିପୂର୍ଣ୍ଣ ପ୍ରଭାବଶାଳୀ ପୁରୁଷ ସଦ୍ୟ କୃତଜ୍ଞତା ବିଗଳିତ ହୋଇଯିବାର ଦୃଶ୍ୟ ସମଗ୍ର ପୃଥିବୀ ଦେଖିଲା। ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରଂପ୍‌, ଯିଏ ମସ୍ତକରେ ଗୁଳିବିଦ୍ଧ ହେବା ସତ୍ତ୍ବେ ଦୈବୀ କୃପାରୁ ବଞ୍ଚି ଯାଇଥିଲେ। ଗୁଳି ଚାଳନା କରାଯିବା ମୁହୂର୍ତ୍ତରେ ଯଦି ସେ ଦୈବାତ୍‌ ମୁହଁ ବୁଲାଇ ଦେଇ ନ ଥାଆନ୍ତେ, ତେବେ ଗୁଳିଟି ତାଙ୍କ କାନରେ ଘଷି ନ ହୋଇ କପାଳ ଭେଦ କରିଥାଆନ୍ତା। ଅନେକ କହନ୍ତି ଯେ ନିଜ ତ୍ରୁଟି ଓ ପରାଜୟକୁ କଦାପି ସ୍ବୀକାର କରୁ ନଥିବା ଟ୍ରଂପ୍‌ଙ୍କ ଚକ୍ଷୁରୁ ସେହି ଦିନ ହିଁ କୃତଜ୍ଞତାର ଅଶ୍ରୁ କେଇ ବୁନ୍ଦା ଝରି ପଡ଼ିଥିବ! ଅଗତ୍ୟା ଦୀର୍ଘାୟୁ ହୋଇଯିବା ପରେ ସେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥିବେ ସିନା, ସେ ଯଦି ହାର୍ଭାର୍ଡ ସ୍କୁଲ୍‌ରୁ ଲବ୍‌ଧ ନିଷ୍କର୍ଷ (ଉପକ୍ରମରେ ବର୍ଣ୍ଣିତ)କୁ ସମ୍ମାନ ଜଣାଇ ସର୍ବଦା କୃତଜ୍ଞ ଭାବ ପୋଷଣ କରି ରହନ୍ତେ, ତେବେ ହୁଏତ ତାଙ୍କ ଆୟୁ‌େର ସ୍ବାଭାବିକ ଭାବେ ବୃଦ୍ଧି ଘଟନ୍ତା! କିନ୍ତୁ ଟ୍ରଂପ୍‌ଙ୍କ ସମର୍ଥକମାନେ ଏହା ଶୁଣି ଭ୍ରୂକୁଂଚନ କରି କହିବେ- ଏହାର ଅର୍ଥ ତୁମେ ଚାହଁ ଯେ ଟ୍ରଂପ୍‌ ଆଉ ଟ୍ରଂପ୍‌ ଭଳି ହୋଇ ନ ରହନ୍ତୁ?