୧୯୫୬ ମସିହାରେ ହଙ୍ଗେରୀରେ ହୋଇଥିବା ଜନ ବିଦ୍ରୋହକୁ ସୋଭିଏତ୍ ସେନାବାହନୀ ଅତି କ୍ରୂରତାର ସହିତ ଦମନ କରିଥିଲା। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ସଡ଼କ ଏହି ରକ୍ତକ୍ଷରା ଦମନଲୀଳାର ପ୍ରତ୍ୟକ୍ଷ କରିଥିଲା। ଏବଂ ସେହି ୧୯୫୬ ମେଲବୋର୍ନ ଅଲିଂପକ୍ସରେ ‘ୱାଟର ପୋଲୋ’ ବିଭାଗରେ ଉଭୟ ଦେଶର ଖେଳାଳି ସେମି ଫାଇନାଲରେ ଅଗତ୍ୟା ମୁହାଁମୁହିଁ ହୋଇଥିଲେ। ସେମାନେ କ’ଣ ଅଲିଂପିକ୍ସର ମୂଳ ଆଦର୍ଶକୁ ସ୍ମରଣ କରି ପରସ୍ପରକୁ ଆଲିଙ୍ଗନ କରି ଖେଳରେ ବ୍ୟାପୃତ ରହିଥିଲେ? ନା! ଉଭୟ ଦେଶର ଖେଳାଳି ପରସ୍ପର ଉପରେ ଆକ୍ରମଣରେ ପ୍ରବୃତ୍ତ ରହି ‘ୱାଟର ପୋଲୋ’ ସରୋବରଟିକୁ ଶୋଣିତ ଲୋହିତ କରିଦେଇଥିଲେ। ଯୁଦ୍ଧ ସମୟର ଅଲିଂପିକ୍ସ ଏଭଳି ଦୁର୍ଭାଗ୍ୟ ଭୋଗିବାର ଆଶଙ୍କା ମଧ୍ୟ ଥାଏ!
ଗଲା ଶୁକ୍ରବାର ଦିନ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ତେତ୍ରିଶତମ ଅଲିଂପିକ୍ସ କ୍ରୀଡ଼ା ଶୃଙ୍ଖଳାର ଅତ୍ୟନ୍ତ ମନୋରମ ଶୁଭାରମ୍ଭ ଘଟିଛି, ଯହିଁରେ ପ୍ୟାରିସ୍ ନଗରୀର ପ୍ରାଣ ପ୍ରବାହ ସ୍ବପ୍ନର ‘ସ୍ୟଁ’ ନଦୀର ନିର୍ମଳ ଜଳରାଶି ଉପରେ ବିଭିନ୍ନ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଥିବା କ୍ରୀଡ଼ାବିତ୍ ଦଳଗୁଡ଼ିକର ଅବିସ୍ମରଣୀୟ ଭାବେ ଚିତ୍ତାକର୍ଷକ ନୌ-ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। କହିବା ବାହୁଲ୍ୟ, ଅଲିଂପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଷ୍ଟାଡିଅମ୍ ବାହାରେ ଏଭଳି ଭବ୍ୟ ଆୟୋଜନ କରାଯିବା ମଧ୍ୟ ହେଉଛି କିଂବଦନ୍ତୀୟ ଅଭିନବ ଫରାସୀ ଚିନ୍ତନର ପରାକାଷ୍ଠା ପ୍ରଦର୍ଶନର ଏକ ପ୍ରୟାସ। ଏହି ସମୟରେ ମଧ୍ୟ ସ୍ମରଣକୁ ଆସିଥାନ୍ତି ଫରାସୀ ସ୍ବପ୍ନଦ୍ରଷ୍ଟା ପିଏରେ ଡି କୁବର୍ତିନ, ଯାହାଙ୍କ ସଘନ ପ୍ରଚେଷ୍ଟାରେ ୧୮୯୬ ମସିହାରେ ଆନ୍ତର୍ଜାତିକ ଅଲିଂପିକ୍ କମିଟି ବା ‘ଆଇ.ଓ.ସି.’ର ଗଠନ ସହିତ ଆଧୁନିକ ଅଲିଂପିକ୍ସ କ୍ରୀଡ଼ା ଶୃଙ୍ଖଳାର ପ୍ରାରମ୍ଭ ଘଟିଥିଲା। ତେବେ, ଇତିମଧ୍ୟରେ ଅଲିଂପିକ୍ସ ନିର୍ମଳ ଉଲ୍ଲାସପ୍ରଦାୟୀ କ୍ରୀଡ଼ା ଶୃଙ୍ଖଳା ମାତ୍ର ହୋଇ ରହିନାହିଁ, ଏହା ଅନ୍ତର୍ଜାତୀୟ ରାଜନୀତିର ଦର୍ପଣରେ ପରିଣତ ହୋଇଛି ଏବଂ ଯୁଦ୍ଧ ଓ ସଂତ୍ରାସ କାଳରେ ଆତଙ୍କର ରାହୁଛାୟା ତଳେ ଭୀତତ୍ରସ୍ତ ହୋଇ ରହୁଛି ମଧ୍ୟ!
ପ୍ରକାଶ ଥାଉ କି ଏହା ହେଉଛି ଫ୍ରାନ୍ସ ଦ୍ବାରା ଆୟୋଜିତ ତୃତୀୟ ଅଲିଂପିକ୍ସ; ୧୯୦୦ ମସିହାରେ ଆୟୋଜିତ ପ୍ରଥମ ପ୍ୟାରିସ୍ ଅଲିଂପିକ୍ସରେ ମହିଳା ଖେଳାଳିମାନଙ୍କୁ ଅଂଶ ଗ୍ରହଣ କରିବାର ପ୍ରଥମ ସୁଯୋଗ ଓ ଅଧିକାର ମିଳିଥିଲା, ଯହିଁରେ ସେମାନଙ୍କ ଭାଗ ଥିଲା ମାତ୍ର ୩%, କିନ୍ତୁ ଚଳିତ ଅର୍ଥାତ୍ ତୃତୀୟ ପ୍ୟାରିସ୍ ଅଲିଂପିକ୍ସରେ ଏହି ଭାଗ ୫୦%ରେ ପହଞ୍ଚି ଏକ ଉଦାହରଣୀୟ ଲିଙ୍ଗୀୟ ସାମ୍ୟ ଲାଭ କରିପାରିଛି। କେବଳ ସେତିକି ନୁହେଁ, ଏହାକୁ ‘ସବୁଜ ଅଲିଂପିକ୍’ରେ ପରିଣତ କରିବାର ପ୍ରୟାସ ମଧ୍ୟ ଦୃଷ୍ଟାନ୍ତମୂଳକ, ଯହିଁରେ ଅଲିଂପିକ୍ସ ଗ୍ରାମର ଘରଗୁଡ଼ିକୁ ଅଣ-ବାତାନୁକୂଳିତ କରାଯାଇଛି ଏବଂ ସେଠାରୁ ପ୍ରତ୍ୟହ ବାହାରିବାକୁ ଥିବା ବିପୁଳ ପରିମାଣର ବଳକା ଖାଦ୍ୟର ପୁନଃ-ଚକ୍ରଣର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ, ବିଡ଼ମ୍ବନା ହେଲା ଏହା ଯେ ସମସ୍ତ ସାଧୁ ଉଦ୍ୟମ ସତ୍ତ୍ବେ ଏହି କ୍ରୀଡ଼ା ଶୃଙ୍ଖଳାକୁ ଘୋଟି ରହିଛି ଏକ ସନ୍ଦେହ ଓ ଆତଙ୍କର ପରିବେଶ, ଯାହାର କାରଣ ହେଉଛି ପୃଥିବୀକୁ ଶୋଣିତ ରଂଜିତ କରି ଚାଲିଥିବା ଦୁଇଟି ଯୁଦ୍ଧ! ସେହି ପରିପ୍ରେକ୍ଷୀରେ ଉଦ୍ଘାଟନୀ ସମାରୋହର ଅବ୍ୟବହିତ ପୂର୍ବରୁ, ଅନ୍ତର୍ଘାତୀ କାର୍ଯ୍ୟ ଦ୍ବାରା, ପ୍ୟାରିସ୍ର ଅତ୍ୟନ୍ତ ବ୍ୟସ୍ତ ରେଳ ଟ୍ରାଫିକ୍ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦିଆଯିବା ଏହାର ଏକ ପୂର୍ବାଭାସ କି? ପ୍ରକାଶ ଥାଉ କି ଇସ୍ରାଏଲ୍ ଆକ୍ରମଣରେ ଚୂର୍ଣ୍ଣୀଭୂତ ଗାଜାର ଅବର୍ଣ୍ଣନୀୟ ମାନବୀୟ ଟ୍ରାଜେଡି ଆରବ ସମାଜରେ ଯେଉଁ କ୍ରୋଧର ଦାବାନଳ ଜଳାଇଛି, ସେଥିରେ ଇସ୍ରାଏଲୀ କ୍ରୀଡ଼ାବିତ୍ ଦଳ ଅଗତ୍ୟା କୌଣସି ଇସଲାମୀୟ (ଆରବୀ) ଆତଙ୍କବାଦୀ ଆକ୍ରମଣର ଶରବ୍ୟ ହୋଇପଡ଼ିବା ଏକ ସ୍ବାଭାବିକ ସମ୍ଭାବନା ରୂପେ ଉଭା ହୋଇଛି। ଏହି ସଂଦର୍ଭରେ ୧୯୭୨ ମସିହାର ମ୍ୟୁନିକ (ପଶ୍ଚିମ ଜର୍ମାନୀ) ଅଲିଂପିକ୍ସ ବିଭୀଷିକା ସ୍ମରଣକୁ ଆସିଥାଏ। ଉେଲ୍ଲଖଯୋଗ୍ୟ ଯେ ଏହା ପୂର୍ବରୁ ୧୯୩୬ ମସିହାରେ ହିଟଲର ଶାସନାଧୀନ ଜର୍ମାନୀର ବର୍ଲିନ ନଗରୀରେ ଅଲିଂପିକ୍ସ କ୍ରୀଡ଼ା ଶୃଙ୍ଖଳାର ଅତ୍ୟନ୍ତ ସଫଳ ଆୟୋଜନ କରାଯାଇଥିଲା; କିନ୍ତୁ, ତାହା ପରେ ପରେ ହିଟଲରର ଜଘନ୍ୟତମ ଇହୁଦୀ ଗଣହତ୍ୟା ବିଷୟ ପ୍ରାଂଜଳ ହୋଇଉଠି ଜର୍ମାନୀ ଓ ଜର୍ମାନ୍ ଜାତି ଲାଗି ଅବିମୋଚନୀୟ ଅପବାଦ ମଧ୍ୟ ଆଣି ଦେଇଥିଲା। ସେହି ଦୃଷ୍ଟିରୁ ୧୯୭୨ ମସିହାର ମ୍ୟୁନିକ୍ ଅଲିଂପିକ୍ସ ଥିଲା ଏକ ଅନୁତପ୍ତ (ହିଟଲରର କୃତକର୍ମ ଲାଗି) ଜର୍ମାନୀ ଓ ଜର୍ମାନ୍ ଜାତିକୁ ଏକ ନୂତନ ଆଲୋକରେ ପ୍ରଦର୍ଶନ କରିବାର ପ୍ରୟାସ। କିନ୍ତୁ ଦୈବୀ ବିଡ଼ମ୍ବନା, ‘ବ୍ଲାକ୍ ସେପ୍ଟେମ୍ବର’ ନାମଧାରୀ ଏକ ଆରବୀ ସଂତ୍ରାସବାଦୀ ସଂଗଠନ ଦ୍ବାରା ଏଗାର ଜଣ ଇସ୍ରାଏଲୀ ଖେଳାଳି ସେଠାରେ ଗଣ ସଂହାରର ଶିକାର ହେଲେ; ଯେଉଁ ଜର୍ମାନ ଜାତିର ଅତ୍ୟାଚାର ବା ‘ହଲୋକଷ୍ଟ’ କାରଣରୁ ଇହୁଦୀମାନେ ଇସ୍ରାଏଲ୍ ନାମକ ଏକ ନୂତନ ରାଷ୍ଟ୍ର ଗଢ଼ିବାର ସୁଯୋଗ ପାଇଲେ, ଅବଲୀଳା କ୍ରମେ ସେହି କାରଣରୁ ନିଜ ମାତୃଭୂମିରୁ ବିତାଡ଼ିତ ଆରବମାନେ ଏଣିକି ଇହୁଦୀମାନଙ୍କ ଚରମ ଶତ୍ରୁରେ ପରିଣତ ହୋଇ ସାରିଥିଲେ। ମ୍ୟୁନିକ ଆକ୍ରମଣ ଥିଲା ଏକ ପ୍ରତିଶୋଧ, ଯେଉଁ ଭୟ ହମାସ-ଇସ୍ରାଏଲ୍ ଯୁଦ୍ଧ ପରିପ୍ରେକ୍ଷୀରେ ଏ ଯାବତ୍ ଅବ୍ୟାହତ ରହିଛି।
ଚଳିତ ଅଲିଂପିକ୍ସରେ ‘ଆଇ.ଓ.ସି.’ ପକ୍ଷରୁ ରୁଷିଆର ଅଂଶଗ୍ରହଣ ଉପରେ ନିଷେଧାଦେଶ ଲଗାଯାଇଛି। ଏହାର କାରଣ କେବଳ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ନୁହେଁ; ରୁଷିଆ ଦ୍ବାରା ‘ୟୁକ୍ରେନ ଅଲିଂପିକ୍ ଆସୋସିଏସନ୍’କୁ ସଂପୂର୍ଣ୍ଣ ଆତ୍ମସାତ୍ କରିଦିଆଯାଇଥିବା ଭଳି ଘଟଣା ଏଥି ଲାଗି ଦାୟୀ। ଏହା ପୂର୍ବରୁ ବର୍ଣ୍ଣ ବୈଷମ୍ୟବାଦୀ ଦକ୍ଷିଣ ଆଫ୍ରିକା ଉପରେ ମଧ୍ୟ ‘ଆଇ.ଓ.ସି.’ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ପୁଣି ବିଭିନ୍ନ ସମୟରେ କେତେକ ରାଷ୍ଟ୍ର ମଧ୍ୟ ବିରୋଧ ପ୍ରଦର୍ଶନ କରି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନାହାନ୍ତି; ୧୯୫୬ ମସିହାରେ ନିଜ ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣର ବିରୋଧ କରି ଇଜିପ୍ଟ ଏଭଳି ଦୃଷ୍ଟାନ୍ତ ପ୍ରଥମେ ସ୍ଥାପନ କରିଥିଲା। ଏହା ପରେ ଭିନ୍ନ ଭିନ୍ନ ରାଷ୍ଟ୍ର ଅଲିଂପିକ୍ସରୁ ଓହରିଯାଇ ସେମାନଙ୍କ ରାଜନୈତିକ ବିରୋଧ ପ୍ରଦର୍ଶନ କରି ଆସିଛନ୍ତି। ସେହି ଦୃଷ୍ଟିରୁ ଅଲିଂପିକ୍ସ କେବଳ କ୍ରୀଡ଼ାଙ୍ଗନର ବିଷୟ ହୋଇ ରହିନାହିଁ, ଏହା ରାଜନୈତିକ ରଣାଙ୍ଗନର ସଂଦର୍ଭରେ ମଧ୍ୟ ପରିଣତ ହୋଇଛି।
ଯୁଦ୍ଧ ଓ ଆତଙ୍କବାଦ ହେତୁ ମାତୃଭୂମିହରା ଶରଣାର୍ଥୀମାନଙ୍କୁ ସୁଯୋଗ ଦେବା ଲାଗି ୨୦୧୬ ମସିହା (ରିଓ)ରୁ ଶରଣାର୍ଥୀଙ୍କ ପ୍ରତିନିଧି ଦଳ ଅଲିଂପିକ୍ସରେ ଭାଗ ନେଇ ଆସୁଛନ୍ତି, େଯଉଁମାନଙ୍କୁ ଏଥର ମଧ୍ୟ ଦେଖିବାକୁ ମିଳିଛି। ସେମାନେ ଜାତିସଂଘର ପତାକା ତଳେ ଅଂଶଗ୍ରହଣ କରିବେ। ସେହିଭଳି ୟୁକ୍ରେନ ଆକ୍ରମଣକୁ ବିରୋଧ କରୁଥିବା କତିପୟ ରୁଷୀୟ ଖେଳାଳି କୌଣସି ରାଷ୍ଟ୍ରର ପ୍ରତିନିଧିତ୍ବ ନ କରି ସୁଦ୍ଧା ଏହି ପ୍ରତିଯୋଗିତାରେ ଭାଗ େନବେ। ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ନିଜ ରାଷ୍ଟ୍ରର ଜାତୀୟ ପତାକା ତଳେ ଅଲିଂପିକ୍ସ ଭଳି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବା ବା ପଦକ ଜିଣିବା ପ୍ରତ୍ୟେକ ଖେଳାଳିଙ୍କ ସକାଶେ ଏକମାତ୍ର ଓ ଅନ୍ତିମ ଧ୍ୟେୟ ମଧ୍ୟ ହୋଇଥାଏ। କିନ୍ତୁ ସଂପ୍ରତି ତହିଁରେ ବ୍ୟତିକ୍ରମମାନ ମଧ୍ୟ େଦଖିବାକୁ ମିଳିଲାଣି; ଯେମିତି ଦରିଦ୍ର ଓ ଯୁଦ୍ଧ ବିଦାରିତ କେତେକ ଆଫ୍ରିକୀୟ ରାଷ୍ଟ୍ରର ଅତ୍ୟନ୍ତ ପ୍ରତିଭାଶାଳୀ ଖେଳାଳି ପୃଷ୍ଠପୋଷକତା, ଅର୍ଥ ଓ ଯଶ ଲାଗି ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକତ୍ବ ଗ୍ରହଣ କଲେଣି, ଯାହାର ସର୍ବୋତ୍ତମ ଉଦାହରଣ ସୋମାଲିଆରେ ଜନ୍ମଲାଭ କରିଥିବା ଏମ୍. ଫାରା, ଯିଏ ଇଂଲାଣ୍ଡ ସକାଶେ ପଦକମାନ ଜିଣିଛନ୍ତି ଓ ଜିଣୁଛନ୍ତି। ପୁଣି ଏହି ଆଲୋଚନା ବେଳେ ସ୍ମରଣକୁ ଆସିଥାଏ ଜାତୀୟ ପତାକାକୁ ବିରୋଧ କରିବାର କେତେକ ଦୃଷ୍ଟାନ୍ତ; ଯେମିତି ୧୯୦୬ ମସିହା ଏଥେନ୍ସ ଅଲିଂପିକ୍ସରେ ‘ଟ୍ରିପଲ ଜଂପ୍’ରେ ସ୍ବର୍ଣ୍ଣ ପଦକ ବିଜେତା ଆଇରିସ ଜାତୀୟତାବାଦୀ ଖେଳାଳି ପିଟର ଓ’ କନ୍ନର ବ୍ରିଟିସ ପତାକା ତଳେ ପଦକ ଗ୍ରହଣ କରିବାକୁ ଅସ୍ବୀକାର କରି ପତାକା ଖୁଣ୍ଟରେ ଚଢ଼ି ବ୍ରିଟିସ ଜାତୀୟ ପତାକାକୁ ଚିରି ସେଥିରେ ଆୟର୍ଲାଣ୍ଡର ପତାକା ଉଡ଼ାଇ ଦେଇଥିଲେ ବା ୨୦୧୨ ଲଣ୍ଡନ ଅଲିଂପିକ୍ସରେ ଅଷ୍ଟ୍ରେଲୀୟ ମୁଷ୍ଟିଯୋଦ୍ଧା ଡାମିଏନ ହୁପର ଅଷ୍ଟ୍ରେଲୀୟ ଜାତୀୟ ପତାକା ଚିହ୍ନିତ ଗଂଜି ବଦଳରେ ନିଜ ଜନଜାତୀୟ ପତାକାର ଚିତ୍ର ଥିବା ଗଂଜି ପିନ୍ଧି ରିଂଗରେ ପ୍ରବେଶ କରିଥିଲେ। ଏହା ଥିଲା ତାଙ୍କ ଜନଜାତି ସଂପ୍ରଦାୟକୁ ନିପୀଡ଼ିତ କରିଥିବା ଶ୍ବେତାଙ୍ଗ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ପ୍ରତିବାଦର ସଂକେତ। ତେଣୁ ରାଷ୍ଟ୍ର ଭଳି ବ୍ୟକ୍ତିମାନେ ମଧ୍ୟ ଏହି ଟୁର୍ନାମେଣ୍ଟକୁ ଆପଣା ରାଜନୈତିକ ଅଙ୍ଗୀକାରର ମଞ୍ଚ ରୂପେ ବ୍ୟବହାର କରିଛନ୍ତି।
ପ୍ରଶ୍ନ ଉଠିଥାଏ ଯେ ଏହି ଅଲିଂପିକ୍ସରେ ଯଦି ଦୈବାତ୍ ଇରାନୀ ଓ ଇସ୍ରାଏଲୀ ମଲ୍ଲଯୋଦ୍ଧା ବା ମୁଷ୍ଟିଯୋଦ୍ଧା ପରସ୍ପରର ସମ୍ମୁଖୀନ ହୁଅନ୍ତି, ତେବେ କିଭଳି ପରିସ୍ଥିତି ଉପୁଜିପାରେ? ୧୯୫୬ ମସିହାରେ ହଙ୍ଗେରୀରେ ହୋଇଥିବା ଜନ ବିଦ୍ରୋହକୁ ସୋଭିଏତ୍ ସେନାବାହନୀ ଅତି କ୍ରୂରତାର ସହିତ ଦମନ କରିଥିଲା। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ସଡ଼କ ଏହି ରକ୍ତକ୍ଷରା ଦମନଲୀଳାର ପ୍ରତ୍ୟକ୍ଷ କରିଥିଲା। ଏବଂ ସେହି ୧୯୫୬ ମେଲବୋର୍ନ ଅଲିଂପକ୍ସରେ ‘ୱାଟର ପୋଲୋ’ ବିଭାଗରେ ଉଭୟ ଦେଶର ଖେଳାଳି ସେମି ଫାଇନାଲରେ ଅଗତ୍ୟା ମୁହାଁମୁହିଁ ହୋଇଥିଲେ। ସେମାନେ କ’ଣ ଅଲିଂପିକ୍ସର ମୂଳ ଆଦର୍ଶକୁ ସ୍ମରଣ କରି ପରସ୍ପରକୁ ଆଲିଙ୍ଗନ କରି ଖେଳରେ ବ୍ୟାପୃତ ରହିଥିଲେ? ନା! ଉଭୟ ଦେଶର ଖେଳାଳି ପରସ୍ପର ଉପରେ ଆକ୍ରମଣରେ ପ୍ରବୃତ୍ତ ରହି ‘ୱାଟର ପୋଲୋ’ ସରୋବରଟିକୁ ଶୋଣିତ ଲୋହିତ କରିଦେଇଥିଲେ। ଯୁଦ୍ଧ ସମୟର ଅଲିଂପିକ୍ସ ଏଭଳି ଦୁର୍ଭାଗ୍ୟ ଭୋଗିବାର ଆଶଙ୍କା ମଧ୍ୟ ଥାଏ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)