ଭାରତୀୟ ଭୋଟରମାନେ ଦର୍ଶାଉଥିବା ଆଉ ଏକ ଚାତୁର୍ଯ୍ୟ ହେଲା ନିଜ ମତକୁ ହୃଦୟରେ ନିଭୃତ କୋଣରେ ଗୋପନ ରଖି ବିଦ୍ବାନ ବିଶ୍ଳେଷଣକାରୀ ବା ଶିରୋନାମା ଶିକାରୀ ସାମ୍ବାଦିକମାନଙ୍କୁ ସେମାନେ ଲୋଡୁଥିବା ଭଳି ଉତ୍ତରମାନ ପ୍ରଦାନ କରିବା। ଏହି କାରଣରୁ ଭାରତୀୟ ନିର୍ବାଚନଗୁଡ଼ିକରେ ପୂର୍ବାନୁମାନ ଓ ନିର୍ବାଚନ ପରବର୍ତ୍ତୀ ‘ଏକଜିଟ୍ ପୋଲ୍’ଗୁଡ଼ିକ ବାରମ୍ବାର ଭୁଲ୍ ବୋଲି ପ୍ରମାଣିତ ହେବାରେ ଲାଗିଛନ୍ତି। ସୁତରାଂ, ଇନ୍.ଡି. ବନାମ ଏନ୍.ଡି. ମେଣ୍ଟ ଓ ପ୍ରଶାନ୍ତ ବନାମ ଯୋଗେନ୍ଦ୍ରଙ୍କ ପ୍ରତିସ୍ପର୍ଦ୍ଧାର ଫଳାଫଳ ଜାଣିବାକୁ ହେଲେ ଅଗତ୍ୟା ଜୁନ୍ ୪ ତାରିଖକୁ ଅପେକ୍ଷା କରିବା ବୁଦ୍ଧିମାନର କାର୍ଯ୍ୟ ହେବ।
ମାସାଧିକ କାଳ ଧରି ଚାଲି ରହିଥିବା ୨୦୨୪ ସାଧାରଣ ନିର୍ବାଚନରେ କେବଳ ଅନ୍ତିମ ପର୍ଯ୍ୟାୟର ଭୋଟଦାନ ପ୍ରକ୍ରିୟା ବାକି ଥିବା ବେଳେ ଜୁନ୍ ୪ ତାରିଖରେ ଏନ୍.ଡି. ଓ ଇନ୍.ଡି. େମଣ୍ଟ ମଧ୍ୟରୁ ଜିତାପଟ କାହାର ହେବ, ସେ ନେଇ ଅନୁମାନ, ଆକଳନ ଓ ତର୍ଜମା ଇତ୍ୟାଦି ତୀବ୍ର ଉଚ୍ଚାଟ ଲାଭ କରିଥିବା ବେଳେ ପ୍ରାୟ ସମତୁଲ ଆଗ୍ରହ ସୃଷ୍ଟି ହୋଇଛି ପ୍ରଶାନ୍ତ କିଶୋର ଓ ଯୋଗେନ୍ଦ୍ର ଯାଦବଙ୍କ ମଧ୍ୟରୁ କାହାର ନିର୍ବାଚନ ଅନୁଶୀଳନ ଅଧିକ ଅନ୍ତର୍ଭେଦୀ ଓ ବାସ୍ତବବାଦୀ ହେବାକୁ ଯାଉଛି, ତାହାକୁ ନେଇ! ପ୍ରକାଶ ଥାଉ କି ସାଧାରଣ ନାଗରିକଙ୍କ ନାଡ଼ିର ସ୍ପନ୍ଦନରୁ ସେମାନଙ୍କ ରାଜନୈତିକ ପସନ୍ଦ ସମ୍ପର୍କରେ ଧାରଣା ଲାଭ କରି ସେହି ଆଧାରରେ ସଫଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ପାରୁଥିବା ପ୍ରଶାନ୍ତ କିଶୋରଙ୍କ ସୁଖ୍ୟାତି ତୁଳନାରେ ନବମ ଦଶକରେ ‘ସେଫୋଲୋଜି’ ବା ‘ନିର୍ବାଚନ ବିଶ୍ଳେଷଣ ବିଦ୍ୟା’କୁ ଏକ ପ୍ରକାର ଶାସ୍ତ୍ରୀୟତା ଓ ବିଶ୍ବସନୀୟତା ପ୍ରଦାନ କରିଥିବା ଯୋଗେନ୍ଦ୍ର ଯାଦବଙ୍କ ପ୍ରସିଦ୍ଧି କୌଣସି ଗୁଣରେ ଊଣା ନୁହେଁ। ଏହି ପରିପ୍ରେକ୍ଷୀରେ ଯାହା କୌତୂହଳୋଦ୍ଦୀପକ, ତାହା ହେଲା ନିର୍ବାଚନ ଫଳାଫଳକୁ ନେଇ ଏହି ଦୁଇ ବିଚକ୍ଷଣ ବ୍ୟକ୍ତି ଆପଣା ଆପଣା ଅନୁଭୂତି, ତର୍କ ଓ ଅନ୍ତଃସ୍ବର ଆଧାରରେ ଯେଉଁ ନିଷ୍କର୍ଷରେ ପହଞ୍ଚିଛନ୍ତି, ତାହା ପରସ୍ପରର ବିପରୀତ! ସୁତରାଂ, ଏଭଳି ସ୍ଥଳେ ଏନ୍.ଡି. ବନାମ ଇନ୍.ଡି. ମେଣ୍ଟ ଭଳି ଯେ ପ୍ରଶାନ୍ତ ବନାମ ଯୋଗେନ୍ଦ୍ର ଭଳି ସ୍ଥିତିଟିଏ ଉପୁଜିଛି, ତାହା କହିବା ବାହୁଲ୍ୟ ମାତ୍ର। ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ଉଭୟ ପ୍ରଶାନ୍ତ ଓ ଯୋଗେନ୍ଦ୍ର ସେମାନଙ୍କ ମତପାର୍ଥକ୍ୟ ସତ୍ତ୍ବେ ଯହିଁରେ ସହମତ ହୋଇଥାଆନ୍ତି ତାହା ହେଲା ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଆକର୍ଷଣ କେତେକାଂଶରେ କ୍ଷୀଣପ୍ରଭ ହୋଇସାରିଛି, ଯାହା ଫଳରେ କୌଣସି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ଓ ଅପାରଗ ବିଜେପି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବାରେ ମୋଦୀଙ୍କ ନାମର ପ୍ରଭାବ ଯଥେଷ୍ଟ ହେବ ନାହିଁ। ପ୍ରଶାନ୍ତ କିଶୋର କହିଥାଆନ୍ତି ଯେ ଏକ ବିରୋଧୀ ପକ୍ଷର ଆଳସ୍ୟ ଓ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଶୂନ୍ୟତା ହିଁ ତାଙ୍କୁ ଓ ତାଙ୍କ ଦଳକୁ ସଫଳ କରାଇବ, ଅନ୍ୟଥା ସେ ଘୋର ଆହ୍ବାନର ସମ୍ମୁଖୀନ ହୋଇଥାଆନ୍ତେ! ସୁତରାଂ, ତାଙ୍କ ମତରେ ଚଳିତ ନିର୍ବାଚନରେ ବିଜେପି ୨୦୧୯ ମସିହାର ସଫଳତାର ପ୍ରାୟ ପୁନରାବୃତ୍ତି ଘଟାଇବ। କେତେକ ଅଞ୍ଚଳ (ଯେମିତିକି ମହାରାଷ୍ଟ୍ର)ରେ ବିଜେପି ଆସନ ସଂଖ୍ୟାରେ ସମ୍ଭାବ୍ୟ ସାମନ୍ୟ ହ୍ରାସକୁ ଅନ୍ୟ କେତେକ ଅଞ୍ଚଳ (ପୂର୍ବ ଓ ଦକ୍ଷିଣ ଭାରତ)ରେ ହେବାକୁ ଥିବା ସଂଖ୍ୟା ବୃଦ୍ଧି ମୋଟାମୋଟି ଭରଣା କରିବ। ତେବେ, ଯୋଗେନ୍ଦ୍ର ଯାଦବ ଏହାର ବିପରୀତରେ ଯାଇ କହନ୍ତି ଯେ ଚଳିତ ନିର୍ବାଚନରେ ବିଜେପି ଲୋଭସଭାରେ ସଂଖ୍ୟାଗରିଷ୍ଠତା (୨୭୨ ଆସନ) ଲାଭ କରିବାକୁ ସମର୍ଥ ହେବନାହିଁ। ତାଙ୍କ ମତରେ ରାମ ମନ୍ଦିର ନିର୍ମାଣ ଭଳି ପ୍ରସଙ୍ଗ ବିଜେପି ସକାଶେ ସମର୍ଥନର ଯେଉଁ ତରଙ୍ଗ ସୃଷ୍ଟି କରିବ ବୋଲି ଆଶା କରାଯାଉଥିଲା, ତାକୁ ପ୍ରତିହତ କରୁଛି ଦର ବୃଦ୍ଧି, ବେକାରି, ସାଂପ୍ରଦାୟିକତା ଇତ୍ୟାଦି ଭଳି ପ୍ରସଙ୍ଗ ଦ୍ବାରା ସୃଷ୍ଟ ଏକ ସରକାର ବିରୋଧୀ ଅନ୍ତଃ-ସ୍ରୋତ, ଯାହାର ଲାଭ ଏନ୍.ଡି. ମେଣ୍ଟ ପରିବର୍ତ୍ତେ ଇନ୍.ଡି. ମେଣ୍ଟକୁ ପ୍ରାପ୍ତ ହେବ। ତେବେ, ସେ ଯାହା ହେଉ, ଏଭଳି ସ୍ଥଳେ କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଉଭୟ ବିଶ୍ଳେଷଣକାରୀ ଇତିମଧ୍ୟରେ ରାଜନୈତିକ ଭାବେ ସକ୍ରିୟ ହୋଇଥିବା ଦୃଷ୍ଟିରୁ ସେମାନଙ୍କ ବିବେଚନାରେ ପେସାଦାରତୁଲ୍ୟ ଅନାସକ୍ତ ଆଭିମୁଖ୍ୟ ପରିଲକ୍ଷିତ ହୋଇ ନ ଥାଏ, ଯାହାର ପରିଣାମ ହେଉଛି ଏଭଳି ନିଷ୍କର୍ଷଗତ ପାର୍ଥକ୍ୟ। କହିବା ଅନାବଶ୍ୟକ ଯେ ଏହି ନିର୍ବାଚନ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଭଳି ପ୍ରଶାନ୍ତ କିଶୋର ଓ ଯୋଗେନ୍ଦ୍ର ଯାଦବଙ୍କ ଭାବମୂର୍ତ୍ତି ସକାଶେ ମଧ୍ୟ ଏକ ପରୀକ୍ଷା ତୁଲ୍ୟ ହୋଇଛି, ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶିତ ହେବ।
ଭାରତରେ ନିର୍ବାଚନର ପରିଣାମ ନେଇ ପୂର୍ବାନୁମାନ କରିବା ଅନେକ ସମୟରେ ଅତ୍ୟନ୍ତ ପିଚ୍ଛିଳ ଭୂମିରେ ପଦଚାରଣା କରିବା ଭଳି ହୋଇଥାଏ, ଯହିଁରେ ସଂପୂର୍ଣ୍ଣ ସାବଧାନତା ସତ୍ତ୍ବେ ସ୍ଖଳନ ଓ ପତନରୁ ସୁରକ୍ଷା ମିଳି ନ ଥାଏ। ତେଣୁ ପ୍ରଶାନ୍ତ କିଶୋର ହୁଅନ୍ତୁ ବା ଯୋଗେନ୍ଦ୍ର ଯାଦବ ବା ସେମାନଙ୍କ ଅନ୍ୟ କେଉଁ ବିଚକ୍ଷଣ ସମଧର୍ମା; ବିଭିନ୍ନ ନିର୍ବାଚନ ପରିପ୍ରେକ୍ଷୀରେ ଭୁଲ୍ ବୋଲି ସାବ୍ୟସ୍ତ ହୋଇଛନ୍ତି। ଏଭଳି ସ୍ଥଳେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷ ବଦଳରେ କେତେକ ପ୍ରଶ୍ନ ମାଧ୍ୟମରେ ଉତ୍ତରର ଆଭାସ ପାଇବାର ଉଦ୍ୟମ କରାଯାଇପାରେ; ଯେମିତି ବିରୋଧର ଜୁଆର ବଦଳରେ କେବଳ ଅନ୍ତଃ-ସ୍ରୋତ ମାଧ୍ୟମରେ ଏକ ଦୃଢ଼ ଭାବେ ଶାସନାରୂଢ଼ ସରକାରକୁ କ୍ଷମତାଚ୍ୟୁତ କରିବା ସମ୍ଭବ କି? ଇମର୍ଜେନ୍ସି ପରବର୍ତ୍ତୀ ୧୯୭୭ ନିର୍ବାଚନରେ ବା ବୋଫର୍ସ ସ୍କାଣ୍ଡାଲକୁ ନେଇ ବିରୋଧର ପ୍ରାବଲ୍ୟ ହେତୁ ୧୯୮୯ ମସିହାର ନିର୍ବାଚନରେ ଅଥବା ଜନ ଲୋକପାଳ ଆଇନ ସପକ୍ଷରେ ସୃଷ୍ଟ ଜନ ଆନ୍ଦୋଳନ କାରଣରୁ ୨୦୧୪ ମସିହାର ନିର୍ବାଚନରେ ଏଭଳି କ୍ଷମତାନ୍ତରର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଣେ କିନ୍ତୁ ଏହା ମଧ୍ୟ ସତ୍ୟ ଯେ କୌଣସି ତରଙ୍ଗ ନ ଥାଇ ମଧ୍ୟ ବିଜୟୀ ହେବାର ସମସ୍ତ ଲକ୍ଷଣ ଓ ସମ୍ଭାବନା ପ୍ରଦର୍ଶନ କରୁଥିବା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍.ଡି.ଏ. ସରକାର ୨୦୦୪ ମସିହାର ନିର୍ବାଚନରେ ଗାଦିଚ୍ୟୁତ ହୋଇଥିଲା! ସେହିଭଳି ଦରଦାମ ବୃଦ୍ଧି ଓ ବେକାରି ଭଳି ସମସ୍ୟା ପ୍ରାୟ ସମସ୍ତ ଭାରତୀୟ ନିର୍ବାଚନରେ ପ୍ରସଙ୍ଗ ହୋଇ ରହିଆସିଥିବା ବେଳେ ଚଳିତ ନିର୍ବାଚନକୁ ଏହା ବିଶେଷ ଭାବେ ପ୍ରଭାବିତ କରିବାର କାରଣ ଅଛି କି? ହୋଇପାରେ, ସରକାରୀ ନିଯୁକ୍ତିି ଦୃଷ୍ଟିରୁ ସାଂପ୍ରତିକ ଭାରତରେ ବେକାରି ସ୍ଥିତି ସ୍ବାଧୀନତା ପରବର୍ତ୍ତୀ ଇତିହାସରେ ସର୍ବାଧିକ ଉତ୍କଟ ହୋଇଥିବାରୁ ଏଭଳି କିଛି ଘଟିବ! କିନ୍ତୁ ଅପର ପକ୍ଷରେ ‘ଗିଗ୍ ଇକୋନୋମି’ ବା ‘ଅନ୍ଲାଇନ୍’ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ଲାଗି ପ୍ରୟାସ ଓ ସୁଯୋଗରେ ବୃଦ୍ଧି ହେତୁ ଅସଂଖ୍ୟ ପଂଜୀକୃତ ବେକାର କିଛି ନା କିଛି ଆୟ କରୁଥିବାରୁ ବେକାରିର ଜ୍ବାଳା ତୀବ୍ର ହେଉନାହିଁ ବା ଏହି ପ୍ରସଙ୍ଗ ଆନ୍ଦୋଳନର ରୂପ ନେଉନାହିଁ କି? ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ପ୍ରଥମ ଥର ଲାଗି ମତଦାନ କରିବାକୁ ଉଦ୍ଗ୍ରୀବ ଭୋଟର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ସମର୍ଥକ। ଚଳିତ ନିର୍ବାଚନରେ ସେମାନଙ୍କ ସଂଖ୍ୟା ପ୍ରାୟ ୧.୮ କୋଟି। ଏମାନେ ମୋଦୀଙ୍କୁ ସମର୍ଥନ କରି ତାଙ୍କ ନେତୃତ୍ବାଧୀନ ବିଜେପିକୁ ଏକ ଶାଣ ପ୍ରଦାନ କରିବେ ନା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ବା ବାଛି ବାଛି ବିରୋଧୀ ଦଳ ଉପରେ ଇ.ଡି. ଓ ସିବିଆଇର ଆକ୍ରମଣ ଅଥବା ଭାରତ ଯୋଡ଼ ଯାତ୍ରା ଓ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପରେ ରାହୁଳ ଗାନ୍ଧୀଙ୍କ ବ୍ୟକ୍ତିିତ୍ବରେ ପରିଦୃଷ୍ଟ ହୋଇଥିବା ଚମକରେ ପ୍ରଭାବିତ ହୋଇ ଏହି ବର୍ଗରୁ ଏକ ଅଂଶ ସେମାନଙ୍କ ମତ ପରିବର୍ତ୍ତନ କରିବେ? ସତରେ କ’ଣ ରାମ ମନ୍ଦିର ପ୍ରତିଷ୍ଠା ଦ୍ବାରା ସୃଷ୍ଟ ଗଭୀର ପ୍ରଭାବ ଭାରତୀୟ ନାଗରିକଙ୍କ ଦୈନନ୍ଦିନ ଜୀବନର ହତାଶା ଦ୍ବାରା ନିଷ୍ପ୍ରଭ ହେବ? ଏ ଭଳି ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମିଳିବା କଷ୍ଟକର, କାରଣ ବର୍ତ୍ତମାନର ରାଜନୈତିକ ଧ୍ରୁବୀକରଣ ଜନିତ ସଘନ ମତ ପାର୍ଥକ୍ୟ ଏଭଳି ସଂଦର୍ଭଗୁଡ଼ିକୁ ଧୂମାଚ୍ଛାଦିତ କରି ରଖିଥାଏ। କେବଳ ସେତିକି ନୁହେଁ, ପ୍ରଶାନ୍ତ କିଶୋର ଓ ଯୋଗେନ୍ଦ୍ର ଯାଦବଙ୍କ ପରୀକ୍ଷଣର ନମୁନାରେ ନାଗରିକ ସମାଜର କେଉଁ ଭଳି ଅଂଶ ବିଦ୍ୟମାନ, ତାହା ମଧ୍ୟ ପୂର୍ବାନୁମାନର ସଠିକତାକୁ ସାବ୍ୟସ୍ତ କରିବ।
କହିବା ବାହୁଲ୍ୟ, ଭାରତୀୟ ଭୋଟରମାନେ ସରକାରଙ୍କୁ କ୍ଷମତାସୀନ ବା କ୍ଷମତାଚ୍ୟୁତ କରିବାରେ ଅପୂର୍ବ ପରିପକ୍ବତା ପ୍ରଦର୍ଶନ କରି ଆସିଛନ୍ତି, ଯହିଁରେ ରାଜନୈତିକ ନେତା, ଦଳ, ସମୀକ୍ଷକ, ବିଶ୍ଳେଷଣକାରୀ ଓ ପର୍ଯ୍ୟବେକ୍ଷକମାନେ ଅନେକ ସମୟରେ ଅତ୍ୟନ୍ତ ଆଚମ୍ବିତ ହୋଇଛନ୍ତି। ଭାରତୀୟ ଭୋଟରମାନେ ଦର୍ଶାଉଥିବା ଆଉ ଏକ ଚାତୁର୍ଯ୍ୟ ହେଲା ନିଜ ମତକୁ ହୃଦୟରେ ନିଭୃତ କୋଣରେ ଗୋପନ ରଖି ବିଦ୍ବାନ ବିଶ୍ଳେଷଣକାରୀ ବା ଶିରୋନାମା ଶିକାରୀ ସାମ୍ବାଦିକମାନଙ୍କୁ ସେମାନେ ଲୋଡୁଥିବା ଭଳି ଉତ୍ତରମାନ ପ୍ରଦାନ କରିବା। ଏହି କାରଣରୁ ଭାରତୀୟ ନିର୍ବାଚନଗୁଡ଼ିକରେ ପୂର୍ବାନୁମାନ ଓ ନିର୍ବାଚନ ପରବର୍ତ୍ତୀ ‘ଏକଜିଟ୍ ପୋଲ୍’ଗୁଡ଼ିକ ବାରମ୍ବାର ଭୁଲ୍ ବୋଲି ପ୍ରମାଣିତ ହେବାରେ ଲାଗିଛନ୍ତି। ସୁତରାଂ, ଇନ୍.ଡି. ବନାମ ଏନ୍.ଡି. ମେଣ୍ଟ ଓ ପ୍ରଶାନ୍ତ ବନାମ ଯୋଗେନ୍ଦ୍ରଙ୍କ ପ୍ରତିସ୍ପର୍ଦ୍ଧାର ଫଳାଫଳ ଜାଣିବାକୁ ହେଲେ ଅଗତ୍ୟା ଜୁନ୍ ୪ ତାରିଖକୁ ଅପେକ୍ଷା କରିବା ବୁଦ୍ଧିମାନର କାର୍ଯ୍ୟ ହେବ।