ଏପରି ପରିସ୍ଥିତିରେ ଉତ୍ତମ ମୌସୁମୀ ବୃଷ୍ଟିପାତ ଯୋଗୁଁ ଦେଶରେ ସାମଗ୍ରିକ କୃଷି ଉତ୍ପାଦନରେ ବୃଦ୍ଧି ଘଟିଲେ ମଧ୍ୟ, ଖାଦ୍ୟଦ୍ରବ୍ୟ- ବିଶେଷ କରି ପନିପରିବା, ଡାଲି ଓ ଖାଇବା ତେଲ ଆଦିର ବଜାର ଦରରେ ବୃଦ୍ଧି ଘଟିବା ଦେଖାଯାଇଥାଏ। ତେଣୁ ମୌସୁମୀର ଏହି ପୂର୍ବାନୁମାନ ଆମ ପାଇଁ ସୁସମ୍ବାଦ ବହନ କରୁଥିଲେ ହେଁ, ଏହାର ପ୍ରକୃତ ପ୍ରଭାବ ଏହାର ଉପରୋକ୍ତ ଆଚରଣମାନ ଅର୍ଥାତ୍ ମୁଡ୍ ଉପରେ ହିଁ ନିର୍ଭର କରିବ।
ଦିନ ଥିଲା ଭାରତ ପରିଚିତ ଥିଲା ଏକ କୃଷିପ୍ରଧାନ ଦେଶ ରୂପେ। ବର୍ତ୍ତମାନ ସେ ପରିଚୟ ଅାଉ ଯେ ଭାରତ ପାଇଁ ପ୍ରଯୁଜ୍ୟ ନୁହେଁ, ତାହା ଭାରତର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ପ୍ରତି କୃଷିର ଅବଦାନ ଉପରେ ଦୃଷ୍ଟି ନିକ୍ଷେପ କଲେ ସ୍ପଷ୍ଟ ହୋଇଥାଏ, ଯାହା ହେଉଛି ଏକ-ପଞ୍ଚମାଂଶରୁ ମଧ୍ୟ କମ୍: ୧୭.୬ ଶତାଂଶ ମାତ୍ର। ଭାରତ ଏହି ପରିଚୟ ପରି ଅନ୍ୟ ଯେଉଁ ଏକ ପରିଚୟ ବହନ କରୁଥିଲା, ତାହା ହେଲା, ଭାରତୀୟ କୃଷି ହେଉଛି ମୌସୁମୀର କ୍ରୀଡ଼ନକ ବା ମୌସୁମୀର ଜୁଆ ଖେଳ। ଅର୍ଥାତ୍ ଭାରତରେ କୃଷି ଉତ୍ପାଦନ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରିଥାଏ, ଯାହା ହେଉଛି ପ୍ରତି ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହର ଅବଦାନ। ଏହା ହେଉଛି ଯେହେତୁ କୃଷି ଆବଶ୍ୟକ କରୁଥିବା ଜଳର ଏକ ଅନିୟନ୍ତ୍ରିତ ପ୍ରାକୃତିକ ଉତ୍ସ, ମନୋଈ ମୌସୁମୀର ମୁଡ୍ ଅନୁସାରେ କେଉଁ ବର୍ଷ ଅତିବୃଷ୍ଟି ତ କେଉଁ ବର୍ଷ ଅନାବୃଷ୍ଟି ଘଟିଥାଏ ଓ ତାହା ସେଇ ଅନୁଯାୟୀ ସେ ବର୍ଷ କୃଷି ଉତ୍ପାଦନକୁ ପ୍ରଭାବିତ କରିଥାଏ। ସେଥିପାଇଁ ଭାରତୀୟ କୃଷକ ପ୍ରତି ବର୍ଷ ମୌସୁମୀର ଆଗମନକୁ ସତୃଷ୍ଣ ଭାବରେ ଅପେକ୍ଷା କରିଥାଏ ଓ ତା’ର ଆଚରଣକୁ ଉତ୍କଣ୍ଠାର ସହିତ ନିରୀକ୍ଷଣ କରିଥାଏ।
ଇତିମଧ୍ୟରେ ଭାରତର କୃଷିପ୍ରଧାନ ପରିଚୟରେ ଉପରୋକ୍ତ ଭାବରେ ପରିବର୍ତ୍ତନ ଘଟିସାରିଥିଲେ ହେଁ, ଭାରତୀୟ କୃଷିର ସେଇ ଉପରବର୍ଣ୍ଣିତ ପରିଚୟରେ କୌଣସି ପରିବର୍ତ୍ତନ ଏ ପର୍ଯ୍ୟନ୍ତ ଘଟିନାହିଁ। ଏହାର ଏକ ନିଶ୍ଚିତ ପ୍ରମାଣ ସ୍ବରୂପ ଜାତୀୟ ଉତ୍ପାଦରେ କୃଷିର ଉପରୋକ୍ତ ଅବାଦନର ପ୍ରାୟ ୬୦ ଶତାଂଶ ଉତ୍ପନ୍ନ ହୋଇଥାଏ ଅଣ-ଜଳସେଚିତ ବୃଷ୍ଟି-ନିର୍ଭରଶୀଳ କୃଷିେକ୍ଷତ୍ରମାନଙ୍କରେ। ଦେଶର ପ୍ରାୟ ୧୪୦ ନିୟୁତ ହେକ୍ଟର ନେଟ୍ କୃଷିଯୋଗ୍ୟ ଇଲାକାର ଅର୍ଦ୍ଧେକରୁ ଅଧିକ ଅଞ୍ଚଳରେ କୃତ୍ରିମ ଜଳସେଚନର କୌଣସି ବ୍ୟବସ୍ଥା ଉପଲବ୍ଧ ନୁହେଁ ଓ ସେଠାରେ କୃଷି ସଂପୂର୍ଣ୍ଣ ରୂପେ ବର୍ଷାଜଳ ଉପରେ ନିର୍ଭର କରିଥାଏ। ଯଦି କୃଷକମାନଙ୍କର ପରିସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖାଯାଇଥାଏ ଯେ ଦେଶର ତିନି-ପଞ୍ଚମାଂଶ କୃଷକମାନେ ଏପରି ଫସଲ ଉତ୍ପନ୍ନ କରିଥାନ୍ତି, ଯାହା ବର୍ଷାଜଳ ଦ୍ବାରା ପରିପୁଷ୍ଟ ହୋଇଥାନ୍ତି।
ଏହି ପରିପ୍ରେକ୍ଷୀରେ ଏବେ ଉଭୟ ଘରୋଇ କ୍ଷେତ୍ରରେ ସକ୍ରିୟ ଥିବା ପାଣିପାଗ ପୂର୍ବାନୁମାନ ପ୍ରଦାନକାରୀ ସଂସ୍ଥା ‘ସ୍କାଏମେଟ୍’ ଓ ଭାରତର ସରକାରୀ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ‘ଇଣ୍ଡିଆ ମେଟିଓରୋଲୋଜିକାଲ୍ ଡିପାର୍ଟମେଣ୍ଟ୍’ (‘ଆଇଏମ୍ଡି’) ଆସନ୍ନ ମୌସୁମୀ ଋତୁ ସମ୍ବନ୍ଧରେ ପ୍ରକାଶ କରିଥିବା ସୂଚନା ଭାରତୀୟ କୃଷି, କୃଷକ, ଖାଉଟି ଓ ସରକାରଙ୍କ ପାଇ ସୁସମ୍ବାଦ ବହନ କରିଥାନ୍ତି। ‘ଆଇଏମ୍ଡି’ର ପୂର୍ବାନୁମାନ ଅନୁସାରେ ୨୦୨୪ରେ ଭାରତରେ ମୌସୁମୀ ପ୍ରବାହଜନିତ ବୃଷ୍ଟିପାତ ସାଧାରଣ ବା ‘ନର୍ମାଲ୍’ ସ୍ତରଠାରୁ ଅଧିକ ହେବାକୁ ଯାଉଥିବା ବେଳେ ‘ସ୍କାଏମେଟ୍’ ଅନୁସାରେ ଏହା ‘ନର୍ମାଲ୍’ ହେବାକୁ ଯାଉଛି ବୋଲି ବିଶ୍ବାସ କରାଯାଉଛି। ଯେହେତୁ ଉଭୟ ସଂସ୍ଥା ଏଭଳି ପୂର୍ବାନୁମାନ କରିଛନ୍ତି, ବୋଧହୁଏ ନିରାପଦ ଭାବରେ ଧରି ନିଆଯାଇପାରେ ଯେ ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ନିଅଣ୍ଟିଆ ହେବାକୁ ଯାଉନାହିଁ।
ବିଗତ ୨୩ ବର୍ଷ ମଧ୍ୟରେ ୧୧ଥର ‘ଆଇଏମ୍ଡି’ର ପୂର୍ବାନୁମାନ ଠାରୁ ପ୍ରକୃତ ବୃଷ୍ଟିପାତ କମ୍ ହୋଇଥିବା ଦେଖାଯାଇଛି: ୧୨ଥର ବୃଷ୍ଟିପାତ ‘ଆଇଏମ୍ଡି’ର ପୂର୍ବାନୁମାନ ଠାରୁ ଅଧିକ ହୋଇଥିବା ଅନୁଶୀଳନରୁ ଜଣାପଡ଼ିଛି। କିନ୍ତୁ ଯଦି ପୂର୍ବାନୁମାନରେ ୫ ଶତାଂଶ ବିଚ୍ୟୁତି ସହନ କରାଯାଏ, ତେବେ ଅନୁଶୀଳନକାରୀମାନେ ଆବିଷ୍କାର କରିଛନ୍ତି ଯେ ଏହି ସମୟକାଳରେ ୯ଥର ପ୍ରକୃତ ବୃଷ୍ଟିପାତ ‘ଆଇଏମ୍ଡି’ର ପୂର୍ବାନୁମାନ ଠାରୁ କମ୍ ହୋଇଛି, ୭ଥର ଅଧିକ ହୋଇଛି ଏବଂ ୭ଥର ‘ଆଇଏମ୍ଡି’ର ପୂର୍ବାନୁମାନ ସହିତ ସଂପୂର୍ଣ୍ଣ ମେଳ ଖାଇଛି। ଏଥର ‘ଆଇଏମ୍ଡି’ର ପୂର୍ବାନୁମାନ ଅନୁସାରେ ଆସନ୍ତା ମୌସୁମୀ ଋତୁରେ ସାରା ଦେଶ ପାଇଁ ବୃଷ୍ଟିପାତ ପରିମାଣ ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତର ୧୦୬ ଶତାଂଶ ହେବାକୁ ଯାଉଛି।
ଅନୁଶୀଳନକାରୀମାନଙ୍କ ଅନୁସାରେ ଭାରତରେ ମୌସୁମୀର ଆଗମନ ଘଟିଥାଏ ଜୁନ୍ରେ ଓ ପ୍ରସ୍ଥାନ ଘଟିଥାଏ ସେପ୍ଟେମ୍ବରରେ, ଯେଉଁ ଚାରି ମାସ ହେଉଛି ଖରିଫ ଫସଲର ସମୟ। ଏହି ସମୟରେ ବୃଷ୍ଟିପାତ ଯଥେଷ୍ଟ ହେଲେ ଫସଲ ଅମଳ ସ୍ବାଭାବିକ ଭାବରେ ସନ୍ତୋଷଜନକ ହୋଇଥାଏ। ବିଗତ ଦଶ ବର୍ଷ ମଧ୍ୟରେ କୃଷିକ୍ଷେତ୍ରରେ ଗୋଟିଏ ବର୍ଷରେ ଅଭିବୃଦ୍ଧି ନକାରାତ୍ମକ ହେବା ଦେଖାଯାଇଥିବା ବେଳେ ତିନିଟି ବର୍ଷରେ ଏହି ଅଭିବୃଦ୍ଧି ହାର ମାତ୍ର ୨ ଶତାଂଶ ବା ତା’ଠାରୁ କମ୍ ହେବା ଦେଖାଯାଇଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ଚାରି ବର୍ଷରେ ମୌସୁମୀ ବୃଷ୍ଟିପାତ ନର୍ମାଲ୍ ଠାରୁ କମ୍ ହୋଇଥିଲା। ବାକି ଛ’ ବର୍ଷରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାରରେ ଉନ୍ନତି ପରିଲକ୍ଷିତ ହେବା ସହିତ ଦେଶରେ ମୌସୁମୀ ବୃଷ୍ଟିପାତ ମଧ୍ୟ ନର୍ମାଲ୍ ହେବା ଦେଖାଯାଇଥିଲା। ଏଣୁ ସନ୍ଦେହର ଅବକାଶ ନାହିଁ ଯେ ଦେଶରେ ମୌସୁମୀ ବୃଷ୍ଟିପାତ ଓ କୃଷି ଉତ୍ପାଦନ ହାତ ଧରାଧରି ହୋଇ ସର୍ବଦା ଚାଲିଥାନ୍ତି- ଗୋଟିକରେ ଊର୍ଦ୍ଧ୍ବଗତି ସହିତ ତାଳ ଦେଇ ଅନ୍ୟଟିରେ ଊର୍ଦ୍ଧ୍ବଗତି ଘଟିଥାଏ; ଗୋଟିକରେ ଅଧୋଗତି ସହିତ ତାଳ ଦେଇ ଅନ୍ୟଟିରେ ମଧ୍ୟ ଅଧୋଗତି ଘଟିଥାଏ। ବୃଷ୍ଟିପାତ ସନ୍ତୋଷଜନକ ହେଲେ ଦେଶରେ କୃଷି ଉତ୍ପାଦନ ଉପରେ ତା’ର ଦୁଇ ପ୍ରକାର ଅନୁକୂଳ ପ୍ରଭାବ ପଡ଼ିଥାଏ। ଗୋଟିଏ ହେଲା, ବୃଷ୍ଟି ନିର୍ଭରଶୀଳ ଖରିଫ ଫସଲ ସିଧାସଳଖ ଆକାଶରୁ ଜଳସେଚନ ଲାଭ କରିବା ଫଳରେ ଅମଳ ସନ୍ତୋଷଜନକ ହୋଇଥାଏ। ଅନ୍ୟଟି ହେଲା, ଉତ୍ତମ ମୌସୁମୀ ବୃଷ୍ଟିପାତ ଦ୍ବାରା ଦେଶରେ ଥିବା ଜଳଭଣ୍ଡାରମାନ ପୂର୍ଣ୍ଣ ହୁଅନ୍ତି, ଯାହା ରବି ଋତୁରେ ଫସଲ ଆବଶ୍ୟକ କରୁଥିବା କୃତ୍ରିମ ଜଳସେଚନ ଯୋଗାଇ ଫସଲ ଅମଳରେ ଉନ୍ନତି ଘଟାଇଥାଏ। କହିବା ବାହୁଲ୍ୟ, ଗୋଖାଦ୍ୟ ଓ ପାନୀୟ ଜଳ ଯୋଗାଣ ମଧ୍ୟ ଉତ୍ତମ ବୃଷ୍ଟିପାତ ଉପରେ ନିର୍ଭର କରିଥାଏ।
ସାଧାରଣତଃ ଆଶା କରାଯାଇଥାଏ ଯେ ଉତ୍ତମ ବୃଷ୍ଟିପାତ ଯୋଗୁଁ କୃଷି ଉତ୍ପାଦନରେ ବୃଦ୍ଧି ଘଟିଲେ ବଜାରରେ ଖାଦ୍ୟଦ୍ରବ୍ୟ ମୂଲ୍ୟ ବୃଦ୍ଧି ଘଟିବ ନାହିଁ, ଯାହା ଖାଉଟିମାନଙ୍କ ପାଇଁ ଆଶ୍ବାସନା ବହନ କରିଥାଏ। କିନ୍ତୁ କେବଳ ଏକ ପୂର୍ବାନୁମାନ ପରିସଂଖ୍ୟାନକୁ ଭିତ୍ତି କରି ଏ ସମ୍ବନ୍ଧରେ କୌଣସି ନିଶ୍ଚିତ ଧାରଣା ଆହରଣ କରାଯାଇପାରିବ ନାହିଁ। ଉପରେ ଉଲ୍ଲେଖ କରାଯାଇଥିବା ପୂର୍ବାନୁମାନ ପରିସଂଖ୍ୟାନରୁ ମୌସୁମୀର ସବିଶେଷ ଆଚରଣ ସମ୍ବନ୍ଧରେ କୌଣସି ସଠିକ୍ ଅନୁମାନ କରାଯାଇପାରିବ ନାହିଁ, ଯେମିତି: ଏହାର ଆଗମନ ସମୟ, ଏହାର ସମଗ୍ର ଦେଶରେ ଅଗ୍ରଗତି, ଏହାର ପ୍ରସ୍ଥାନ ସମୟ, ଇତ୍ୟାଦି। ଏହାର ସଅଳ ଆଗମନ କୃଷକମାନଙ୍କୁ ଜଳ-ସଘନ ଶସ୍ୟ ବପନ କରିବାକୁ ପ୍ରବୃତ୍ତ କରିଥିବା ବେଳେ ବିଳମ୍ବିତ ଆଗମନ ସେମାନଙ୍କୁ ଜଳ-ନିଅଣ୍ଟ ଶସ୍ୟ ବପନ କରିବାକୁ ବାଧ୍ୟ କରିଥାଏ।
ମୌସୁମୀର ଅଗ୍ରଗତି ଦେଶର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତର ବଣ୍ଟନକୁ ପ୍ରଭାବିତ କରିଥାଏ। ବୃଷ୍ଟିପାତର ଆଞ୍ଚଳିକ ବଣ୍ଟନରେ ଯଦି ବୈଷମ୍ୟ ଦେଖା ଦିଏ ତେବେ ସାମଗ୍ରିକ ଶସ୍ୟ ଅମଳରେ ସନ୍ତୁଳନ ବାଧା ପାଇଥାଏ। ଏଥିଯୋଗୁଁ କେତେକ ଶସ୍ୟ ଉତ୍ପାଦନ ଅତ୍ୟଧିକ ହୋଇଥିବା ବେଳେ ଅନ୍ୟ କେତେକର ଉତ୍ପାଦନ ଆବଶ୍ୟକତାଠାରୁ କମ୍ ହୋଇଥାଏ। ବିଶେଷକରି ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ମୌସୁମୀ ବୃଷ୍ଟିପାତରେ ଅସନ୍ତୁଳିତ ବଣ୍ଟନ ଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି। ମୌସୁମୀର ପ୍ରସ୍ଥାନ ସମୟ ମଧ୍ୟ ଭାରତୀୟ କୃଷିକୁ ପ୍ରଭାବିତ କରିଥାଏ। ଯଦି ଏହା ବିଳମ୍ବିତ ହୋଇ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ପ୍ରତ୍ୟାବର୍ତ୍ତନ କରେ, ତେବେ ପନିପରିବା ଅମଳ ପ୍ରତି ତାହା ବିପଦ ସୃଷ୍ଟି କରିଥାଏ, ଯାହା ନିୟମିତ ଭାବରେ ପିଆଜ ଓ ଟମାଟର ସଂକଟ ସୃଷ୍ଟି କରିବା ଦେଖାଯାଇଥାଏ। ଏପରି ପରିସ୍ଥିତିରେ ଉତ୍ତମ ମୌସୁମୀ ବୃଷ୍ଟିପାତ ଯୋଗୁଁ ଦେଶରେ ସାମଗ୍ରିକ କୃଷି ଉତ୍ପାଦନରେ ବୃଦ୍ଧି ଘଟିଲେ ମଧ୍ୟ, ଖାଦ୍ୟଦ୍ରବ୍ୟ- ବିଶେଷ କରି ପନିପରିବା, ଡାଲି ଓ ଖାଇବା ତେଲ ଆଦିର ବଜାର ଦରରେ ବୃଦ୍ଧି ଘଟିବା ଦେଖାଯାଇଥାଏ। ତେଣୁ ମୌସୁମୀର ଏହି ପୂର୍ବାନୁମାନ ଆମ ପାଇଁ ସୁସମ୍ବାଦ ବହନ କରୁଥିଲେ ହେଁ, ଏହାର ପ୍ରକୃତ ପ୍ରଭାବ ଏହାର ଉପରୋକ୍ତ ଆଚରଣମାନ ଅର୍ଥାତ୍ ମୁଡ୍ ଉପରେ ହିଁ ନିର୍ଭର କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)