ସଫଳ ସଇତାନ

ଡକ୍ଟର ଫିଲିପ୍‌ସ ତାଙ୍କ ପୋଷ୍ଟରେ ବିଭିନ୍ନ ବୈଜ୍ଞାନିକ ଗବେଷଣାପ୍ରସୂତ ତଥ୍ୟକୁ ଆଧାର କରି ଦର୍ଶାଇଛନ୍ତି ଯେ କୌଣସି ବି ମାତ୍ରାରେ ମଦ୍ୟପାନ ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ନିରାପଦ ନୁହେଁ, ତାହା ଯେତେ ସାମାନ୍ୟ ହୋଇଥାଉ ନା କାହିଁକି। ସେ ମଧ୍ୟ ମଦ୍ୟପାନର ଭୟଙ୍କର ସାମାଜିକ କୁପରିଣାମମାନ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଭୁଲି ନାହାନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏ ସଂପର୍କିତ ଉଦାହରଣମାନଙ୍କୁ ଉଦ୍ଧାର କରି ସେ ଲେଖିଛନ୍ତି, ‘‘ମଦ୍ୟପାନ ମଧ୍ୟ ହେଉଛି ଏକ ସାମାଜିକ ବିଷ। ଏହା ଲୋକଙ୍କୁ ସମାଜ ପ୍ରତି ଏକ ଆତଙ୍କରେ ପରିଣତ ହେବା ପାଇଁ ପ୍ରବୃତ୍ତ କରିଥାଏ, ପ୍ରାଣ ନାଶ ଘଟାଇଥାଏ, ପରିବାରକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥାଏ।’’

ସୋସିଆଲ୍ ମିଡିଆରେ ସକ୍ରିୟ ଥିବା କେରଳ ଜନ୍ମିତ ଯକୃତ୍‌ ବିଶେଷଜ୍ଞ ଡକ୍ଟର ସିରିଆକ୍ ଆବି ଫିଲିପ୍‌ସ ତାଙ୍କର ସୋସିଆଲ୍ ମିଡିଆ ହାଣ୍ଡ୍‌ଲ ଅନୁସାରେ ତାଙ୍କର ଅଗଣିତ ଅନୁଗାମୀମାନଙ୍କ ନିକଟରେ ‘ଦି ଲିଭର୍‌ ଡକ୍’ ରୂପେ ସୁପରିଚିତ। ଏବେ ସେ ‘ଏକ୍ସ’ (ପୂର୍ବତନ ‘ଟ୍ବିଟର୍’)ରେ ପ୍ରସାରିତ କରିଥିବା ଏକ ଦୀର୍ଘ ପୋଷ୍ଟ ସୋସିଆଲ୍ ମିଡିଆ ଦୁନିଆରେ ପ୍ରବଳ ଚାଞ୍ଚଲ୍ୟ ସୃଷ୍ଟି କରିବାରେ ଲାଗିଛି। ‘ଦି ଲିଭର୍‌ ଡକ୍’ଙ୍କର ଏହି ପୋଷ୍ଟ ହେଉଛି ସେଇ ସୋସିଆଲ୍ ମିଡିଅାରେ ନିକଟରେ ପ୍ରସାରିତ ହୋଇଥିବା କେତେଜଣ ଜଣାଶୁଣା ବ୍ୟବସାୟପତିମାନଙ୍କର ଏକ ଆଲୋଚନା ବହନ କରୁଥିବା ସନ୍ଦେଶ ବିରୁଦ୍ଧରେ ତାଙ୍କର ବିଶେଷ ଜ୍ଞାନ ଓ ଅନୁଭୂତିଭିତ୍ତିକ ପ୍ରତିକ୍ରିୟା।
ସେଇ ବ୍ୟବସାୟୀ ଗୋଷ୍ଠୀର ଆଲୋଚନାର ବିଷୟବସ୍ତୁ ଥିଲା- ମଦ୍ୟପାନ। ସେମାନଙ୍କ ଆଲୋଚନାର ସାରମର୍ମ ହେଲା, ସୀମିତ ମାତ୍ରାରେ ମଦ୍ୟପାନ ହେଉଛି ସ୍ବାସ୍ଥ୍ୟ ପାଇଁ ଉପକାରୀ। ଶେଷରେ ମଦ୍ୟପାନକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଉପଦେଶ ହେଲା- ଦାୟିତ୍ବପୂର୍ଣ୍ଣ ଭାବରେ ପାନ କର। ଡକ୍ଟର ସିରିଆକ୍ ଫିଲିପ୍‌ସ ଏହାର ପ୍ରତିକ୍ରିୟାରେ ସିଧାସଳଖ କହିଛନ୍ତି ଯେ ସୀମିତ ମାତ୍ରାରେ ମଦ୍ୟପାନକୁ ସ୍ବାସ୍ଥ୍ୟପ୍ରଦ ବୋଲି ପ୍ରଚାର କରିବା ହେଉଛି ଏକ ଅପରାଧ; ମାନବଜାତି ପ୍ରତି ଏକ ଅପରାଧ। ଡକ୍ଟର ଫିଲିପ୍‌ସ ତାଙ୍କର ସୋସିଆଲ୍ ମିଡିଆ ହାଣ୍ଡ୍‌ଲ ସୂଚାଇବା ଭଳି ହେଉଛନ୍ତି ଜଣେ ଅନୁଭୂତିସଂପନ୍ନ ଲିଭର୍ ରୋଗ ବିଶେଷଜ୍ଞ। ସେ ପ୍ରତିଦିନ ଅନେକ ସଂଖ୍ୟକ ମଦ୍ୟପାନଜନିତ ଲିଭର୍ ବ୍ୟାଧିସବୁ ଦ୍ବାରା ପୀଡ଼ିତ ରୋଗୀମାନଙ୍କର ଚିକିତ୍ସା କରିଥାନ୍ତି। କେରଳରେ ମଦ୍ୟପାନ ଏକ ବ୍ୟାପକ ସାମାଜିକ ବ୍ୟାଧି ହୋଇଥିବାରୁ ଡକ୍ଟର ଫିଲିପ୍‌ସଙ୍କ ପାଖରେ ସର୍ବଦା ଏଭଳି ରୋଗୀମାନଙ୍କର ଭିଡ଼ ଲାଗିରହିଥାଏ। ସେ ତାଙ୍କର ଏହି ପୋଷ୍ଟରେ ମଦ୍ୟପାନ ଯୋଗୁଁ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରୋଗୀମାନଙ୍କ ସହିତ ତାଙ୍କର ଅନୁଭୂତି ସବୁ ବର୍ଣ୍ଣନା କରିଛନ୍ତି।
ଏଥିରେ ସେ ମଧ୍ୟ ମଦ୍ୟପାନର କୁଫଳ ସହିତ ମୁକାବିଲା କରିବାରେ ଧନୀ ଓ ଗରିବ ମଦ୍ୟପ ମଧ୍ୟରେ ପରିଦୃଷ୍ଟ ତଫାତ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଧନୀ ରୋଗୀମାନେ ବ୍ୟୟବହୁଳ ଚିକିତ୍ସା ଓ ଯତ୍ନ ପାଇ ପାରୁଥିବାବେଳେ ଗରିବ ରୋଗୀଟିଏ ଦୁର୍ବିଷହ ଯନ୍ତ୍ରଣାରେ ଆଉଟୁପାଉଟୁ ହେବା ବ୍ୟତୀତ ତା’ର ଅନ୍ୟ ଉପାୟ ନ ଥାଏ। ଡକ୍ଟର ସିରିଆକ୍ ଫିଲିପ୍‌ସ ନିଜର ମର୍ମବେଦନା ପ୍ରକାଶ କରି ଲେଖିଛନ୍ତି ତାଙ୍କୁ କିପରି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଦିବସରେ ମଦ୍ୟପାନଜନିତ ତୀବ୍ର (ଆକ୍ୟୁଟ୍) ଯକୃତ ବ୍ୟାଧି, ଦୀର୍ଘସ୍ଥାୟୀ (କ୍ରୋନିକ୍) ଯକୃତ ବ୍ୟାଧି ଏବଂ ଦୀର୍ଘସ୍ଥାୟୀ ସହିତ ତୀବ୍ର (ଆକ୍ୟୁଟ୍-ଅନ୍-କ୍ରୋନିକ୍) ଲିଭର୍ ବ୍ୟାଧି ଦ୍ବାରା ପୀଡ଼ିତ ରୋଗୀମାନଙ୍କର ଅସରନ୍ତି ଧାଡ଼ିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାକୁ ସେ ଏକ ଅବିରାମ ସଂଗ୍ରାମ ରୂପେ ଅଭିହିତ କରିଛନ୍ତି।
ମଦ୍ୟପାନଜନିତ ସ୍ବାସ୍ଥ୍ୟ ସଂକଟ କିପରି ସଂପୃକ୍ତ ପରିବାର ପାଇଁ ଏକ ଅସହ୍ୟ ଆର୍ଥିକ ତଥା ଆବେଗିକ ବୋଝ ସୃଷ୍ଟି କରିଥାଏ, ‘ଦି ଲିଭର୍‌ ଡକ୍’ ତାଙ୍କର ପୋଷ୍ଟରେ ତାହାର ମର୍ମସ୍ପର୍ଶୀ ବର୍ଣ୍ଣନା କରିଛନ୍ତି। ସେ ସେଥିରେ ଲେଖିଛନ୍ତି ରୋଗୀ ଜଣକ ଶେଷରେ ଯାଇ ପହଞ୍ଚନ୍ତି ଭେଣ୍ଟିଲେଟର୍‌ରେ ଯେଉଁଠୁ ଆଉ ଜୀବନ୍ତ ଫେରିବାର ସମ୍ଭାବନା ନ ଥାଏ ଓ ସେତେବେଳକୁ ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସର୍ବସ୍ବାନ୍ତ ହୋଇସାରିଥାଏ। ତୀବ୍ର ମର୍ମବେଦନା ସହକାରେ ଡକ୍ଟର ଫିଲିପ୍‌ସ ଏ କଥା ମନେ ପକାଇ ଦେଇଛନ୍ତି ଯେ ଏମିତିରେ ମଦ୍ୟପାନ ଅଭ୍ୟାସ ଯୋଗୁଁ ପୂର୍ବରୁ ସେ ପରିବାରର ଆର୍ଥିକ ସ୍ଥିତି ସାଧାରଣତଃ ଭୁଶୁଡ଼ି ପଡ଼ିଥାଏ।
ଉପରୋକ୍ତ ବ୍ୟବସାୟୀ ଗୋଷ୍ଠୀର ଯେଉଁ ଶଠତାପୂର୍ଣ୍ଣ ଉପଦେଶକୁ ଡକ୍ଟର ଫିଲିପ୍‌ସ ତୀବ୍ର ଭର୍ତ୍ସନା କରିଛନ୍ତି ତାହା ହେଲା: ‘‘ଦାୟିତ୍ବପୂର୍ଣ୍ଣ ଭାବରେ ପାନ କର’’। ସେ ସମସ୍ତଙ୍କୁ ଚେତାଇ ଦେଇଛନ୍ତି ଯେ ଏଭଳି ଉପଦେଶ ହେଉଛି ଦାୟିତ୍ବ ଏଡ଼ାଇଯିବା ପାଇଁ ମଦ ଶିଳ୍ପ ବ୍ୟବହାର କରୁଥିବା ଏକ ଚତୁର କୌଶଳ। ସେ ଯୁକ୍ତି କରିଛନ୍ତି ଯେ ଯେଉଁମାନେ ମଦ୍ୟପାନ ଆରମ୍ଭ କରନ୍ତି ସେମାନେ ଅବିଳମ୍ବେ ନିଜର ପିଇବା ଉପରେ ନିୟନ୍ତ୍ରଣ ହରାଇ ବସନ୍ତି ଏବଂ ଦେଖୁଦେଖୁ ମଦ ଉପରେ ନିର୍ଭରଶୀଳ ହୋଇପଡ଼ନ୍ତି ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇପଡ଼ନ୍ତି। ତାଙ୍କ ଭାଷାରେ, ‘‘ପ୍ରଥମ ଡ୍ରିଂକ୍‌ଟି ତୁମର ମସ୍ତିଷ୍କକୁ ଦଖଲ କରେ। ଏହା ମସ୍ତିଷ୍କର ଧାରଣ କ୍ଷମତାକୁ ସଂକୁଚିତ କରେ, ତୁମକୁ ଏକ ଡୋପାମିନ୍ କିକ୍ ଦିଏ, ତୁମକୁ ଉଲ୍ଲସିତ କରେ। ଏବଂ ପରବର୍ତ୍ତୀ ସମୟରେ ତୁମେ ମଦର ଦାସରେ ପରିଣତ ହୋଇଯାଅ।’’
ଡକ୍ଟର ଫିଲିପ୍‌ସଙ୍କର ଏହି ଚେତାବନୀ ପୃଥିବୀର ଅଗ୍ରଗଣ୍ୟ ମଦ୍ୟପାନ-ନିବୃତ୍ତକାରୀ ସଂଗଠନ ‘ଆଲ୍‌କହଲିକ୍‌ସ ଆନୋନିମସ୍’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସ୍ବନାମଧନ୍ୟ ଚିକିତ୍ସକ ଡକ୍ଟର ୱିଲିଅମ୍ ଡି ସିଲ୍‌କଵର୍ଥଙ୍କର ଏ ସଂପର୍କିତ ଏକ ଉକ୍ତିର ପ୍ରତିଧ୍ବନି ପରି ଶୁଭିଥାଏ। ଉକ୍ତ ସଂଗଠନର ବହୁଳ ପ୍ରସାରିତ ସହାୟିକା ପୁସ୍ତକ ‘ଦି ବିଗ୍‌ ବୁକ୍’ (ପ୍ରଥମ ପ୍ରକାଶ- ୧୯୩୯)ରେ ସ୍ଥାନୀତ ଡକ୍ଟର ସିଲ୍‌କଵର୍ଥଙ୍କର ଏହି ଉକ୍ତିର କିୟଦଂଶ ହେଉଛି ନିମ୍ନରେ ଉପସ୍ଥାପନ କରାଯାଇଥିବା ଭଳି। ସେ କହିଥିଲେ ଯେ ମଦ ଉତ୍ପନ୍ନ କରୁଥିବା ପ୍ରଭାବ ପାଇଁ ହିଁ ମୂଳତଃ ପୁରୁଷ ଓ ନାରୀମାନେ ମଦ୍ୟପାନ କରିଥାନ୍ତି। ଏହି ପ୍ରଭାବର ଅନୁଭବ ଏପରି ଖସଡ଼ା ହୋଇଥାଏ ଯେ ଏହା କ୍ଷତିକାରକ ବୋଲି ସେମାନେ ସ୍ବୀକାର କରୁଥିଲେ ହେଁ କିଛି କାଳ ପରେ ସେମାନେ ଆଉ ସତ୍ୟ ଓ ମିଥ୍ୟା ମଧ୍ୟରେ ଥିବା ଫରକ ବାରିପାରନ୍ତି ନାହିଁ। ଏହାପରେ ସେମାନଙ୍କର ମଦ୍ୟାସକ୍ତ ଜୀବନ ସେମାନଙ୍କୁ ଏକମାତ୍ର ସାଧାରଣ ବା ନର୍ମାଲ୍ ଜୀବନ ଭଳି ପ୍ରତୀୟମାନ ହୋଇଥାଏ।
ଡକ୍ଟର ଫିଲିପ୍‌ସ ତାଙ୍କ ପୋଷ୍ଟରେ ବିଭିନ୍ନ ବୈଜ୍ଞାନିକ ଗବେଷଣାପ୍ରସୂତ ତଥ୍ୟକୁ ଆଧାର କରି ଦର୍ଶାଇଛନ୍ତି ଯେ କୌଣସି ବି ମାତ୍ରାରେ ମଦ୍ୟପାନ ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ନିରାପଦ ନୁହେଁ, ତାହା ଯେତେ ସାମାନ୍ୟ ହୋଇଥାଉ ନା କାହିଁକି। ସେ ମଧ୍ୟ ମଦ୍ୟପାନର ଭୟଙ୍କର ସାମାଜିକ କୁପରିଣାମମାନ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଭୁଲି ନାହାନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏ ସଂପର୍କିତ ଉଦାହରଣମାନଙ୍କୁ ଉଦ୍ଧାର କରି ସେ ଲେଖିଛନ୍ତି, ‘‘ମଦ୍ୟପାନ ମଧ୍ୟ ହେଉଛି ଏକ ସାମାଜିକ ବିଷ। ଏହା ଲୋକଙ୍କୁ ସମାଜ ପ୍ରତି ଏକ ଆତଙ୍କରେ ପରିଣତ ହେବା ପାଇଁ ପ୍ରବୃତ୍ତ କରିଥାଏ, ପ୍ରାଣ ନାଶ ଘଟାଇଥାଏ, ପରିବାରକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥାଏ।’’
ମଦ୍ୟପାନର ଏଭଳି ସଇତାନି ପ୍ରଭାବ ସମ୍ବନ୍ଧରେ ଇସଲାମ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସୁପରିଚିତ ଏକ କାହାଣୀ ଚୁମ୍ବକରେ ଏଠାରେ ଉପସ୍ଥାପନ କରିବା ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ। ଥରେ ସଇତାନ ଜଣେ ସାଧୁ ପ୍ରକୃତିର ବ୍ୟକ୍ତିଙ୍କୁ କୁପଥକୁ ଆଣିବାକୁ ଚାହିଁଲା। ତା’ର ଏହି ଉଦ୍ୟମର ଅଂଶ ସ୍ବରୂପ ସଇତାନ ପ୍ରଥମେ ଜଣେ ସୁନ୍ଦରୀ ନାରୀଙ୍କୁ ଏକାକିନୀ ଅବସ୍ଥାରେ ଧର୍ଷଣ କରିବା ପାଇଁ ସାଧୁଙ୍କୁ ପ୍ରବର୍ତ୍ତାଇଲା। ସାଧୁ ନିଜର ସଂଯମ ବଳରେ ସେ ପ୍ରଲୋଭନକୁ ଏଡ଼ାଇ ଦେଲେ। ନାରୀଙ୍କ ସହିତ ଥିବା ଶିଶୁ ସନ୍ତାନର ଉପସ୍ଥିତି ଯୋଗୁଁ ସାଧୁ ଜଣକ କୁଣ୍ଠିତ ହେଉଛନ୍ତି ଭାବି ସଇତାନ ଏଥର ଶିଶୁଟିକୁ ହତ୍ୟା କରିବାକୁ ସାଧୁଙ୍କୁ ପ୍ରରୋଚିତ କଲା। ସାଧୁ ତାହା ମଧ୍ୟ ଟାଳିଦେଲେ। ଏହାପରେ ସଇତାନ ଏକ ପାନପାତ୍ରରେ କିଛି ମଦ ଢାଳି ସାଧୁଙ୍କୁ ତାହା ପାନ କରିବାକୁ ଆମନ୍ତ୍ରଣ କଲା। ଏହାଦ୍ବାରା କାହାର କ୍ଷତି ହେବନାହିଁ ବୋଲି ବିଚାର କରି ସାଧୁ ତାହା ଗ୍ରହଣ କଲେ। ମଦ ନିଶାରେ ସାଧୁଙ୍କର ସମସ୍ତ ସଂଯମ ଉଭେଇଗଲା; ସେ ଧର୍ଷଣ କରିବାକୁ ଉଦ୍ୟତ ହେଲେ; ସେତିକିବେଳେ ଶିଶୁଟି କାନ୍ଦି ଉଠିବାରୁ ସେ ତାକୁ ହତ୍ୟା କଲେ ଓ ତା’ର ଜନନୀକୁ ଧର୍ଷଣ କଲେ। ସଇତାନ ତା’ର ଉଦ୍ଦେଶ୍ୟରେ ସଫଳ ହେଲା।
ଏଇ କାହାଣୀଟି ପ୍ରମାଣ କରିଥାଏ ଡକ୍ଟର ଫିଲିପ୍‌ସ କହିଥିବା ଭଳି ମଦ୍ୟପାନକୁ କିପରି ପ୍ରୋତ୍ସାହିତ କରିବା ହେଉଛି ମାନବ ଜାତି ବିରୁଦ୍ଧରେ ଏକ ଅପରାଧ ରଚନା କରିବା ସହିତ ସମାନ। ଏଣୁ ଏଥିରେ ସନ୍ଦେହ ନାହିଁ ଯେ ରାଷ୍ଟ୍ର ଯେଉଁଠି ରାଜସ୍ବ ଲୋଭରେ ନିଶା ନିବାରଣ ପାଇଁ ପଛଘୁଞ୍ଚା ଦେଇଥାଏ, ତାହା ହେଉଛି ନାଗରିକମାନଙ୍କ ବିରୁଦ୍ଧରେ ରଚିତ ଏକ ଜଘନ୍ୟ ଅପରାଧ।

ସମ୍ବନ୍ଧିତ ଖବର