ଏପ୍ରିଲ୍ ୫ରେ ହଂକଂର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ସଂସ୍ଥା ଉପରୋକ୍ତ ଭାରତୀୟ ମସଲାମାନଙ୍କ ଉପରେ ନିଷେଧାଦେଶ ଘୋଷଣା କରିବାର ତିନି ଦିନ ପରେ ଭାରତର ଅନୁରୂପ ନିୟନ୍ତ୍ରକ ସଂସ୍ଥା ‘ଏଫ୍ଏସ୍ଏସ୍ଆଇ’ ଭାରତୀୟ ମସଲା ଇତ୍ୟାଦିରେ ଅନୁମୋଦିତ କୀଟନାଶକ ଉପସ୍ଥିତି ସ୍ତରରେ ବୃଦ୍ଧି ଘଟାଇ ଦେଇଥିଲା, ଯାହା ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ହତଚକିତ କରିଦେଇଛି। ଏହି ସଂସ୍ଥାର ଏଭଳି ପଦକ୍ଷେପ ଭାରତୀୟ ମସଲାର ରପ୍ତାନିରେ ସହାୟକ ହେବା ପରିବର୍ତ୍ତେ ଯେ ବାଧକ ସାଜିବ, ହଂକଂ ଓ ସିଙ୍ଗାପୁର ଗ୍ରହଣ କରିଥିବା ପଦକ୍ଷେପ ଠାରୁ ତାହା ସ୍ପଷ୍ଟ ହୋଇଛି। ବିଦେଶ ବଜାରରେ ଗ୍ରହଣୀୟତା ହାସଲ କରିବାକୁ ହେଲେ ଆମର ଗୁଣାତ୍ମକ ମାନ ପରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ଯେ କଡ଼ାକଡ଼ି କରିବାକୁ ହେବ, ଏହା ହେଉଛି ସେଥିପାଇଁ ସତର୍କ ଘଣ୍ଟି।

Advertisment

ସାରା ଜୀବଜଗତରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ, ଯିଏ ଉପଲବ୍‌ଧ ଖାଦ୍ୟର ସ୍ବାଭାବିକ ସ୍ବାଦରେ ଉନ୍ନତି ଘଟାଇବା ପାଇଁ ସେଥିରେ ମସଲା ମିଶାଇଥାଏ। ବିବର୍ତ୍ତନୀୟ ଦୃଷ୍ଟିକୋଣରୁ ଏହା କେତେକଙ୍କୁ ରହସ୍ୟଜନକ ମନେ ହୋଇପାରେ, କାରଣ ମନୁଷ୍ୟ ବଞ୍ଚି ରହିବା ପାଇଁ ଖାଦ୍ୟରୁ ପୁଷ୍ଟି ଆହରଣ କରିଥାଏ, କିନ୍ତୁ ମସଲା ପ୍ରାୟ ସଂପୂର୍ଣ୍ଣ ରୂପେ ପୁଷ୍ଟିଶୂନ୍ୟ ହୋଇଥାଏ। କେତେକ ଖାଦ୍ୟ ବିଶାରଦ କିନ୍ତୁ ମସଲାର ମଧ୍ୟ ଏକ ବିବର୍ତ୍ତନୀୟ ଅବଦାନ ରହିଛି ବୋଲି ବିଶ୍ବାସ କରିଥାନ୍ତି। ସେମାନଙ୍କ ଅନୁସାରେ ମସଲାର ନିଜର କୌଣସି ପୁଷ୍ଟିକାରକ ଗୁଣ ନ ଥାଇପାରେ, କିନ୍ତୁ ତାହା ଖାଦ୍ୟକୁ ଅଧିକ ସ୍ବାଦଯୁକ୍ତ କରିବା ଦ୍ବାରା ମନୁଷ୍ୟ‌ ସେ ଖାଦ୍ୟକୁ ଅଧିକ ଆଗ୍ରହ ସହକାରେ ଖାଇଥାଏ, ଯାହାଦ୍ବାରା ତା’ର ଆବଶ୍ୟକ ପୁଷ୍ଟିସାଧନ ହୋଇଥାଏ।
ଅତୀତରେ ପାଶ୍ଚାତ୍ୟ ଅଭିଯାତ୍ରୀମାନେ କିପରି ଏଇ ମସଲାର ସନ୍ଧାନରେ ହିଁ ପ୍ରାଚ୍ୟ ଜଗତକୁ ଆବିଷ୍କାର କରିବାକୁ ବାହାରି ପଡ଼ିଥିଲେ, ତାହା ସାଧାରଣ ଜ୍ଞାନରେ ପରିଣତ ହୋଇସାରିଛି। ଉତ୍ତର-ପଶ୍ଚିମ ଇଉରୋପୀୟ ଅଞ୍ଚଳର ଶୀତଳ ଜଳବାୟୁରେ ମସଲା ଉତ୍ପନ୍ନ ସମ୍ଭବ ହେଉ ନ ଥିବାରୁ ସେ ଅଞ୍ଚଳର ଅଭିଯାତ୍ରୀମାନେ ତାହାର ସନ୍ଧାନରେ ଉଷ୍ଣକଟୀବନ୍ଧୀୟ ମସଲା ଉତ୍ପନ୍ନ ସ୍ଥାଳୀମାନଙ୍କ ପ୍ରତି ଆକୃଷ୍ଟ ହେଲେ। ଭାରତ ସେବେଠାରୁ ପୃଥିବୀର ଏକ ପ୍ରମୁଖ ମସଲା ଉତ୍ପନ୍ନକାରୀ ଦେଶ ରୂପେ ସାରା ପୃଥିବୀରେ ସୁଖ୍ୟାତି ଲାଭ କରିଛି। ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ ଭାରତୀୟ ରାନ୍ଧଣାର ଲୋକପ୍ରିୟତାରେ ବୃଦ୍ଧି ଘଟିବା ସହିତ ତାଳ ଦେଇ ବିଦେଶୀ ସହରମାନଙ୍କରେ ଭାରତୀୟ ରେଷ୍ଟୁରାଣ୍ଟ୍‌ମାନଙ୍କର ଆବିର୍ଭାବ ନିୟମିତ ଭାବରେ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ଭାରତୀୟ ମସଲା ସହିତ ପରିଚିତିରେ ପ୍ରସାର ଘଟାଇ ଚାଲିଛି। ମସଲାର ଆନ୍ତର୍ଜାତିକ ଆଦରରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ମସଲା ଭାରତର ଏକ ଗୁରୁତ୍ବପୂର୍ଣ୍ଣ ରପ୍ତାନି ଦ୍ରବ୍ୟରେ ପରିଣତ ହୋଇଛି।
ଦିନ ଥିଲା ଯେତେବେଳେ ଗୋଲମରିଚ, ଗୁଜରାତି, ଅଳେଇଚ, ଲବଙ୍ଗ, ଡାଳଚିନି ଆଦି ମସଲାମାନଙ୍କୁ ସିଧାସଳଖ ଘରେ କୁଟାଯାଇ, ବଟାଯାଇ, ପେଶାଯାଇ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା। ଆଜିର ବେଗବାନ୍, ସମୟ-କାଙ୍ଗାଳ ଜୀବନଶୈଳୀରେ କିନ୍ତୁ ସେଇ ଅଳସ ପଦ୍ଧତିର ପ୍ରୟୋଗ ଆଉ ସମ୍ଭବ ହେଉ ନ ଥିବାରୁ, ସେ ସମସ୍ତ ମସଲା ଆଂଶିକ ପୂର୍ବପ୍ରସ୍ତୁତି ଦେଇ ଗତିକରି ଗୁଣ୍ଡ ଆକାରରେ ବିଭିନ୍ନ ପ୍ରସ୍ତୁତକାରୀ କଂପାନିର ବ୍ରାଣ୍ଡ୍ ବହନ କରି ଦେଶବିଦେଶର ବଜାରରେ ଉପଲବ୍‌ଧ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ବ୍ରାଣ୍ଡ୍ ଏଭଳି ଲୋକପ୍ରିୟତା ହାସଲ କରିଛନ୍ତି ଯେ ସେମାନେ ବସ୍ତୁତଃ ମସଲାର ଅନ୍ୟ ନାମରେ ପରିଣତ ହୋଇସାରିଛନ୍ତି। ଏଭଳି ଦୁଇଟି ବ୍ରାଣ୍ଡ୍ ହେଉଛନ୍ତି- ‘ଏମ୍‌ଡିଏଚ୍’ ଓ ‘ଏଭରେଷ୍ଟ୍’। ବର୍ତ୍ତମାନ ଏଇ ଦୁଇଟି ବ୍ରାଣ୍ଡ୍ ସଂପର୍କରେ ବିଦେଶରୁ ଏପରି ଖବର ପ୍ରକାଶ ପାଇଛି, ଯାହା କେବଳ ସେଠାକାର ଖାଉଟିମାନଙ୍କ ମଧ୍ୟରେ ଯେ ଏକ ଆତଙ୍କ ସୃଷ୍ଟି କରିଛି, ତାହା ନୁହେଁ, ସମଗ୍ର ଭାରତୀୟ ମସଲା ଉତ୍ପାଦନ ଓ ରପ୍ତାନି ଜଗତକୁ ବିବ୍ରତ କରିପକାଇଛି।
ଏହି ଖବର ଅନୁସାରେ ହଂକଂ ଓ ସିଙ୍ଗାପୁରରେ ଖାଦ୍ୟ ମାନ ନିୟନ୍ତ୍ରକମାନେ ଏହି ଉଭୟ ବ୍ରାଣ୍ଡ୍‌ର ମସଲାରେ ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ରାସାୟନିକ ପଦାର୍ଥମାନଙ୍କର ଉପସ୍ଥିତି ଆବିଷ୍କାର କରିଛନ୍ତି। ନିର୍ଦ୍ଦିଷ୍ଟ ଭାବରେ କହିଲେ ପରୀକ୍ଷକମାନେ ଏହି ମସଲାରେ ନିରାପଦ ସୀମାଠାରୁ ବହୁ ଅଧିକ ମାତ୍ରାରେ ଏଥିଲିନ୍ ଅକ୍‌ସାଇଡ୍ ନାମକ କୀଟନାଶକର ଉପସ୍ଥିତି ଆବିଷ୍କାର କରିଛନ୍ତି। ଏହି ମସଲା ବ୍ରାଣ୍ଡ୍ ଦ୍ବୟ ଭାରତୀୟ ରୋଷେଇ ଘରମାନଙ୍କରେ ମଧ୍ୟ ବ୍ୟାପକ ଭାବରେ ବ୍ୟବହୃତ ହେଉଥିବାରୁ ଏହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ। ଅନୁରୂପ ଭାବରେ ଚିନ୍ତାର ବିଷୟ ହେଉଛି ରପ୍ତାନି ହେଉଥିବା ଦ୍ରବ୍ୟସବୁର ଗୁଣାତ୍ମକ ମାନ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ଆନ୍ତର୍ଜାତିକ ବିଶ୍ବସନୀୟତା ପ୍ରତି ଏହା ପହଞ୍ଚାଇଥିବା ଆଘାତ। ଏଇମାତ୍ର ଅଳ୍ପ କେତେଦିନ ତଳେ ଭାରତରୁ ରପ୍ତାନି ହେଉଥିବା କାଶ ଔଷଧ ବା କଫ୍‌ ସିରପ୍‌କୁ କେନ୍ଦ୍ର କରି ଏହାଠାରୁ ଆହୁରି ଭୟଙ୍କର କେଳେଙ୍କାରି ଉପୁଜିଥିବା କେହି ପାସୋରି ନ ଥିବେ। ରପ୍ତାନି ହୋଇଥିବା ଅପମିଶ୍ରିତ କଫ୍ ସିରପ୍ ସେବନ କରି ଆଫ୍ରିକାର ଗାମ୍ବିଆ, କାମେରୁନ୍ ଓ କେନ୍ଦ୍ର ଏସିଆର ଉଜ୍‌ବେକିସ୍ତାନ୍‌ରେ ମୋଟ ୧୪୧ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ତା’ ପୂର୍ବରୁ ‘ନେସ୍‌ଲେ’ କଂପାନିର ବହୁଳ ବ୍ୟବହୃତ ଇନ୍‌ଷ୍ଟାଣ୍ଟ ନୁଡ୍‌ଲସ ‘ମାଗି’ରେ କ୍ଷତିକାରକ ଉପାଦାନର ଉପସ୍ଥିତି ଆବିଷ୍କାର ଯୋଗୁଁ ସାମୟିକ ଭାବରେ ସମଗ୍ର ଦେଶରେ ଏହାର ବିକ୍ରୟ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଉପରୋକ୍ତ କଫ୍ ସିରପ୍ କେଳେଙ୍କାରି ଘଟିବା ପରେ ଏଠାକାର ଔଷଧ ନିୟନ୍ତ୍ରକ ଅନ୍ୟ କେତେକ ଶିଶୁ ଔଷଧ ମଧ୍ୟ ନିଷିଦ୍ଧ କରିଦେବା ଦେଖାଯାଇଥିଲା। ଏଭଳି ଘଟଣାମାନ ଉଭୟ ଭାରତରେ ମାନ ନିୟନ୍ତ୍ରକ ଓ ଉତ୍ପାଦନକାରୀମାନଙ୍କର କର୍ତ୍ତବ୍ୟରେ ଅବହେଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ।
ଉପସ୍ଥିତ ମସଲା ଘଟଣାରେ ସଂପୃକ୍ତ ଥିବା ଏଥିଲିନ୍ ଅକ୍‌ସାଇଡ୍‌କୁ ‘ଇଣ୍ଟର୍‌ନେସନାଲ୍ ‌ଏଜେନ୍‌ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍‌ସର୍’ ଏକ କ୍ୟାନ୍‌ସର୍-ସୃଷ୍ଟିକାରୀ ପଦାର୍ଥ ରୂପେ ଚିହ୍ନିତ କରିଛି। ଏହି ବିପଜ୍ଜନକ ପଦାର୍ଥ ଆମର ଖାଦ୍ୟ ଶୃଙ୍ଖଳାରେ କିପରି ପ୍ରବେଶ କରିଛି, ତାହା ଆବିଷ୍କାର କରିବା ପାଇଁ ଅନୁସନ୍ଧାନକାରୀମାନଙ୍କୁ ଆକ୍ଷରିକ ଭାବରେ ସମସ୍ୟାର ମୂଳକୁ ଯିବାକୁ ପଡ଼ିପାରେ। ଅର୍ଥାତ୍ ମସଲା ଚାଷର ମୂଳକୁ। ଚାଷୀମାନେ ଫସଲ ନଷ୍ଟକାରୀ କୀଟପତଙ୍ଗକୁ ବିନାଶ କରିବା ପାଇଁ ରାସାୟନିକ କୀଟନାଶକ ପ୍ରୟୋଗ କରିଥାନ୍ତି। ମସଲା ସାଇତିବା ସମୟରେ ଓ ପ୍ୟାକେଜ୍ କରିବା ବେଳେ ମଧ୍ୟ ତାହାକୁ କୀଟପତଙ୍ଗ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଧୂଆଁ ଦିଆଯାଏ ଓ କୀଟନାଶକ ସିଞ୍ଚନ କରାଯାଏ। ଯଦି କୀଟନାଶକର ଏତାଦୃଶ ବ୍ୟବହାର ମାତ୍ରାଧିକ ହୁଏ, ତେବେ ମସଲା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ବେଳକୁ ସେଥିରେ ରହିଯାଇଥିବା କୀଟନାଶକର ଅବଶେଷ ନିରାପଦ ସ୍ତରଠାରୁ ଉପରେ ଥିବାର ସମ୍ଭାବନା ଦୃଢ଼ ହୋଇଥାଏ।
ବଜାରରେ ପ୍ରବେଶ କରୁଥିବା ଅନ୍ୟାନ୍ୟ କୃଷିଜାତ ପଦାର୍ଥମାନ ମଧ୍ୟ ଏହି ସମସ୍ୟାରୁ ମୁକ୍ତ ନୁହନ୍ତି ଏବଂ ଏହି କାରଣରୁ ଭାରତୀୟ କୃଷିଜାତ ପଦାର୍ଥ ବିଦେଶ ବଜାରରେ ପ୍ରତିରୋଧର ସମ୍ମୁଖୀନ ହେବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ୨୦୧୪ରେ ‘ଇଉରୋପିଆନ୍ ୟୁନିଅନ୍’ (‘ଇୟୁ’) ସାମୟିକ ଭାବରେ ଭାରତରୁ ଆଲ୍‌ଫୋନ୍‌ସୋ ଆମ୍ବ ସମେତ ଅନ୍ୟ ଚାରିଗୋଟି ପରିବା ଆମଦାନି ନିଷିଦ୍ଧ କରିଦେଇଥିଲା। ସେଇ ବର୍ଷ ସାଉଦି ଆରବ ମଧ୍ୟ ଉଚ୍ଚ ମା‌ତ୍ରାରେ କୀଟନାଶକର ଉପସ୍ଥିତି ଅଭିଯୋଗରେ ଭାରତରୁ ଲଙ୍କା ଆମଦାନି ଉପରେ ନିଷେଧାଦେଶ ଲାଗୁ କରିଦେଇଥି‌ଲା। ଏଭଳି ପଦକ୍ଷେପ ସବୁକୁ ଅଣ-ଶୁଳ୍‌କ କୌଶଳ ପ୍ରୟୋଗ କରି ଭାରତୀୟ ରପ୍ତାନି ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଉଦ୍ୟମ ବୋଲି ଭାରତ ପ୍ରତିବାଦ କରିଆସିଛି।
କିନ୍ତୁ ବର୍ତ୍ତମାନର ମସଲା ଅପବାଦ ଆମକୁ ସେଭଳି ବାହାନା ପାଇଁ ସୁଯୋଗ ଦେଇ ନ ଥାଏ। କାରଣ, ଏପ୍ରିଲ୍ ୫ରେ ହଂକଂର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ସଂସ୍ଥା ଉପରୋକ୍ତ ଭାରତୀୟ ମସଲାମାନଙ୍କ ଉପରେ ନିଷେଧାଦେଶ ଘୋଷଣା କରିବାର ତିନି ଦିନ ପରେ ଭାରତର ଅନୁରୂପ ନିୟନ୍ତ୍ରକ ସଂସ୍ଥା ‘ଏଫ୍ଏସ୍ଏସ୍ଆଇ’ ଭାରତୀୟ ମସଲା ଇତ୍ୟାଦିରେ ଅନୁମୋଦିତ କୀଟନାଶକ ଉପସ୍ଥିତି ସ୍ତରରେ ବୃଦ୍ଧି ଘଟାଇ ଦେଇଥିଲା, ଯାହା ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ହତଚକିତ କରିଦେଇଛି। ଏହି ସଂସ୍ଥାର ଏଭଳି ପଦକ୍ଷେପ ଭାରତୀୟ ମସଲାର ରପ୍ତାନିରେ ସହାୟକ ହେବା ପରିବର୍ତ୍ତେ ଯେ ବାଧକ ସାଜିବ, ହଂକଂ ଓ ସିଙ୍ଗାପୁର ଗ୍ରହଣ କରିଥିବା ପଦକ୍ଷେପ ଠାରୁ ତାହା ସ୍ପଷ୍ଟ ହୋଇଛି। ବିଦେଶ ବଜାରରେ ଗ୍ରହଣୀୟତା ହାସଲ କରିବାକୁ ହେଲେ ଆମର ଗୁଣାତ୍ମକ ମାନ ପରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ଯେ କଡ଼ାକଡ଼ି କରିବାକୁ ହେବ, ଏହା ହେଉଛି ସେଥିପାଇଁ ସତର୍କ ଘଣ୍ଟି। ବେଳହୁଁ ଏଥିପ୍ରତି ଧ୍ୟାନ ନ ଦେଲେ ଏହି ଆନ୍ତର୍ଜାତିକ ସ୍ବାଦ ଯୁଦ୍ଧରେ ଆମେ ପରାଜୟ ସ୍ବୀକାର କରିବା ଅବଧାରିତ।