କିମ୍ ଆଶ୍ଚର୍ଯ୍ୟମ୍?

ସୁଦୀପ କୁମାର ଘୋଷ

ମହାଭାରତରେ ଧର୍ମବକ ଓ ଯୁଧିଷ୍ଠିରଙ୍କ ମଧ୍ୟରେ କଥୋପକଥନ ଆମେ ସମସ୍ତେ ପ୍ରାୟ ଜାଣୁ। ଏହି କଥୋପକଥନରେ ଏକ ପ୍ରଶ୍ନ ଯାହାକି ଧର୍ମବକ, ଯୁଧିଷ୍ଠିରଙ୍କୁ ପଚାରିଥିଲେ ତାହା ଥିଲା, ‘କିମ୍ ଆଶ୍ଚର୍ଯ୍ୟମ୍?’ ଅର୍ଥାତ୍ ଏ ଧରା ପୃଷ୍ଠରେ ଆଶ୍ଚର୍ଯ୍ୟ କ’ଣ? ତା’ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଆମେ ସମସ୍ତେ ପ୍ରତ୍ୟହ ଶହ ଶହ ମୃତ୍ୟୁ ଦେଖୁଥିବା ବେଳେ ନିଜକୁ ଅମର ବୋଲି ଭାବୁ। ଏହା ଠାରୁ ବଳି ଆଶ୍ଚର୍ଯ୍ୟ କ’ଣ ଥାଇପାରେ?
ବର୍ତ୍ତମାନ ସମୟରେ ଯଦି ଏହି ପ୍ରଶ୍ନ ଧର୍ମବକ ପଚାରନ୍ତି, ତେବେ ଏହି ଲେଖକ ଭଳି କିଛି ଲୋକ ଉତ୍ତର ଦେଇ କହି ପାରନ୍ତି ଯେ ଯେତେବେଳେ ଶହ ଶହ ଲୋକ ଦୁର୍ନୀତିରେ ଲିପ୍ତ ରହି ଆଇନ ଜାଲଲେ ପଡ଼ି ହନ୍ତସନ୍ତ ହେଉଛନ୍ତି, ସେତେବେଳେ ପୁଣି ଲୋକେ ସେହି କାଦୁଅରେ ଘାଣ୍ଟି ହେଉଛନ୍ତି!
ତେବେ, ଏମିତି ହେଉଛି କାହିଁକି? ବୋଧହୁଏ ଏପରି କର୍ମ କରୁଥିବା ବ୍ୟକ୍ତି ଆଇନର ଅଡୁଆ ସୂତା ଓ ଗଳା ବାଟ ବିଷୟରେ ଆଗରୁ ଅନୁମାନ ଲଗାଇ ପାରନ୍ତି ବା ନିଶ୍ଚିନ୍ତ ରହନ୍ତି ଯେ ସେମାନଙ୍କ ପାଇଁ ଖସିଯିବାର ଯଥେଷ୍ଟ ସୁଯୋଗ ମଧ୍ୟ ରହିଛି। ତାଙ୍କର ଏହି ଭାବନାକୁ ଆହୁରି ବଳ ଯୋଗାଉଛି, ଦୁର୍ନୀତି ନିବାରଣ ଆଇନ ଦ୍ବାରା ଦୋଷୀ ସାବ୍ୟସ୍ତ ହେବାର ଅଳ୍ପ ବା ନଗଣ୍ୟ ଦୃଷ୍ଟାନ୍ତ ଓ ସମ୍ଭାବନା।
ଅବଶ୍ୟ ଏବେ ଆମ ସରକାର ଏହି ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ଏବଂ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ଅନୁସନ୍ଧାନ କରି ଦୁର୍ନୀତିଗ୍ରସ୍ତଙ୍କୁ ସରକାରୀ ଚାକିରିରୁ ବହିଷ୍କାର କଲା ଭଳି ଚରମ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହିଭଳି ପଦକ୍ଷେପ ମଧ୍ୟ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ କୌଣସି ଭୟ ସଂଚାର କରୁନାହିଁ। ବରଂ ଆୟ ବହିର୍ଭୂତ ସଂପତ୍ତି ସଂଗ୍ରହ କରିବାର ନୂଆ ନୂଆ ରେକର୍ଡ ସୃଷ୍ଟି ହେବାରେ ଲାଗିଛି।
ଏ ତ ଗଲା ଆଇନର ଖେଳ, କିନ୍ତୁ ସାଧାରଣ ସାମାଜିକ ଜୀବନରେ ଯେଉଁ ଲାଞ୍ଛନା, ତିରସ୍କାର ଓ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼େ, ସେ ବିଷୟରେ ଏମାନେ ସଚେତନ ଥାଆନ୍ତି କି ନାହିଁ; ତାହା ହିଁ ବଡ଼ ପ୍ରଶ୍ନ। ଏପରି କର୍ମ ଦ୍ୱାରା ସେମାନଙ୍କର ସନ୍ତାନସନ୍ତତି ଓ ବନ୍ଧୁବାନ୍ଧବ ଯେ କେଉଁଭଳି ମାନସିକ ସ୍ଥିତି ଦେଇ ଗତି କରନ୍ତି, ଥରେ ଯଦି ତାହା ସେମାନେ ଜାଣନ୍ତେ, ତେବେ ହୁଏ’ତ ସେମାନଙ୍କ ଭିତରୁ ଅନେକ ଏହି ପରି କାର୍ଯ୍ୟରୁ ଦୂରେଇ ରହନ୍ତେ। ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀମାନଙ୍କର ଚାକିରିର ସୁରକ୍ଷା, ଉଚ୍ଚ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ପରେ ଏଭଳି ଦୁର୍ନୀତି କରିବାର କାରଣ ବୋଧହୁଏ ସେମାନଙ୍କ ପରିବାରବର୍ଗଙ୍କୁ ଏକ ଆଖି ଝଲସା ଜୀବନ ଜିଇବାର ବ୍ୟବସ୍ଥା କରିଦେଇ ନିଜକୁ ଏକ ଉତ୍କୃଷ୍ଟ ଅଭିଭାବକ ଭାବେ ପ୍ରମାଣିତ କରିବା। କିନ୍ତୁ ସେମାନେ ଦସ୍ୟୁ ରତ୍ନାକର ବିଷୟକୁ ଟିକିଏ ହେଜିବା ଦରକାର।
ଦେବର୍ଷି ନାରଦ ଦସ୍ୟୁ ରତ୍ନାକରକୁ ପ୍ରଶ୍ନ କଲେ ଯେ ସେ ଏହିପରି ପାପ କର୍ମ କରି କାହିଁକି ଧନ ଅର୍ଜନ କରୁଛି?
ରତ୍ନାକର ଉତ୍ତର ଦେଲା ଯେ, ତା’ର ସ୍ତ୍ରୀ ଓ ପିଲାଛୁଆଙ୍କୁ ଖୁସିରେ ରଖିବା ପାଇଁ ଏଭଳି କରୁଛି।
ମହର୍ଷି ନାରଦ ତାକୁ କହିଲେ, ତାହା ହେଲେ ସେ ଯାଇ ତା’ ସ୍ତ୍ରୀ, ପିଲାଛୁଆଙ୍କୁ ପଚାରି ଆସୁ ଯେ ସେମାନେ କ’ଣ ତା’ ପାପର ଭାଗୀଦାର ହେବେ?
ସମସ୍ତେ ଜାଣନ୍ତି ଦସ୍ୟୁ ରତ୍ନାକର ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କୁ ଏ ପ୍ରଶ୍ନ ପଚାରି କି ଉତ୍ତର ପାଇଥିଲେ!
ସେମାନେ ସଫା ସଫା ରତ୍ନାକରର ପାପରେ ଭାଗୀ ହେବାକୁ ମନା କରି ଦେଇଥିଲେ। ତା’ ପରେ ଅନୁତାପ ଦଗ୍‌ଧ ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକିରେ ପରିଣତ ହୋଇଥିଲେ।
ତେଣୁ, ଦୁର୍ନୀତିରେ ଲିପ୍ତ ହୋଇ ପରିଣତ ବୟସରେ ଜେଲ୍‌ରେ ଯେଉଁ ବନ୍ଦୀ ଜୀବନ କାଟିବାକୁ ପଡ଼େ ବା ସମାଜରେ ଅପଦସ୍ତ ହେବାକୁ ପଡ଼େ, ତା’ ଲାଗି ବିଦେଶ ପଢୁଆ ପୁଅ ବା କଳା ଟଙ୍କାର ବ୍ୟୟବହୁଳ ଜୀବନ କାଟୁଥିବା ଝିଅ କେବେହେଲେ ଭାଗୀଦାର ହେବେ କି? ତେଣୁ ବେଳ ଥାଉଁ ଥାଉଁ ସମସ୍ତେ ସଚେତନ ହେବା ଉଚିତ। ଦୁର୍ନୀତିକୁ ନୀତି କରି ନିଜକୁ ଓ ନିଜ ପରିବାରକୁ ଖୁସି କରିବାର କାମନାରେ କୁରୁଳି ପରିଶେଷରେ ଧରାପଡ଼ି ସାମାଜିକ ପୀଡ଼ା ଓ ଲାଞ୍ଛନାର ଶିକାର ହେବା ଯୁକ୍ତିଯୁକ୍ତ ନା ସମ୍ମାନର ସହ ସରକାରୀ ଚାକିରିରୁ ଅବସର ନେବା ଉଚିତ; ତାହା ସରକାରୀ ଅଧିକାରୀମାନେ ଚିନ୍ତା କରିବା ଉଚିତ।
ମୋ: ୭୦୭୭୨୫୦୫୬୬

ସମ୍ବନ୍ଧିତ ଖବର