ତାଙ୍କ ପ୍ରତିବାଦ କୌଣସି ସରକାରଙ୍କ ବିରୋଧରେ ନୁହେଁ; ତାହା ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବିରୋଧରେ। କିନ୍ତୁ ବିଡ଼ମ୍ବନା, ସେହି ଆଭିମୁଖ୍ୟର ପ୍ରସାରକାରୀ ଅଧିକାଂଶ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ତାଙ୍କୁ ସତକୁ ସତ ଜଣେ ‘ଇଡିଅଟ୍‌’ ବୋଲି ମଣି ନଜରଅନ୍ଦାଜ କରିବା‌ରେ ଲାଗିଛି। ଏହା ମଧ୍ୟ ଏକ ଦୁର୍ଭାଗ୍ୟ ଯେ ଗୂଢ଼ ଜ୍ଞାନର ଅଧିକାରୀମାନେ ଏବେ ‘ଇଡିଅଟ୍‌’ମାନଙ୍କ ଭଳି ଦିଶୁଛନ୍ତି!

Advertisment

ସାଂପ୍ରତିକ ସମୟର ଅନ୍ୟତମ ସର୍ବାଧିକ ହିଟ୍‌ ସିନେମା ‘ଥ୍ରି ଇଡିଅଟ୍‌ସ’ରେ ଅମୀର ଖାଁଙ୍କ ଅଭିନୟ ଦ୍ବାରା ଜୀବନ୍ତ ହୋଇ ଉଠିଥିବା ଚରିତ୍ର ରାଂଚୋ ଓରଫ ଫୁନସୁକ ୱାଙ୍ଗଡୁ ଦ୍ବାରା ବିମୋହିତ ଅନେକ ଦର୍ଶକ ହୁଏତ ଅବଗତ ନ ଥିବେ ଯେଉଁ ବାସ୍ତବ ଚରିତ୍ରଙ୍କ ଦ୍ବାରା ତାହା ଅନୁପ୍ରେରିତ, ସେ ହେଉଛନ୍ତି ସୋନମ ୱାଙ୍ଗଚୁକ; ଯିଏ ଆଜିକୁ ୧୩ ଦିନ ହେବ ଲଦାଖର ବିଯୁକ୍ତ ୨୦ ଡିଗ୍ରି ସେଲସିଅସରୁ ନିମ୍ନତର ତାପମାତ୍ରାରେ ସଂପୂର୍ଣ୍ଣ ଖୋଲା ଆକାଶ ତଳେ ପ୍ରତିବାଦ ଅନଶନରେ ବସିଛନ୍ତି ଏବଂ ଏକ ବିଡ଼ମ୍ବନା ହେଲା ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ଏହାକୁ ଏ ଯାବତ୍‌ ସଂପୂର୍ଣ୍ଣ ନଜରଅନ୍ଦାଜ କରି ରଖିଛି। ପ୍ରକାଶ ଥାଉ କି ଶିକ୍ଷା ଏବଂ ତାଲିମରେ ଜଣେ ଇଂଜିନିଅର ୱାଙ୍ଗଚୁକ ଏକାଧାରରେ ଜଣେ ଆବିଷ୍କାରକ, ପଥ-ପ୍ରଦର୍ଶକ, ଶିକ୍ଷାବିତ୍‌, ପର୍ଯ୍ୟାବରଣ ଚିନ୍ତକ ଏବଂ ରକ୍ଷକ, ଗାନ୍ଧୀବାଦୀ ଜନନେତା, ଯିଏ ଲଦାଖର ଆସନ୍ନ ବିପତ୍ତି ସକାଶେ ଉଦ୍‌ବିଗ୍ନ ହୋଇ ଏହି ଆନ୍ଦୋଳନର ସୂତ୍ରପାତ ଘଟାଇଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ଆନ୍ଦୋଳନ ଏବଂ ଉଦ୍‌ବେଗର ପ୍ରକୃତ ମର୍ମ ହୃଦୟଙ୍ଗମ କରିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏମିତି ଉପର ଠାଉରିଆ ଦୃଷ୍ଟିରେ ୱାଙ୍ଗଚୁକଙ୍କ ଦାବିମାନ ରାଜନୈତିକ ଚରିତ୍ର ବହନ କରିଥିବା ଭଳି ମନେ ହୋଇଥାଏ; ଯେମିତି କି ଲଦାଖକୁ ସଂବିଧାନର ଷଷ୍ଠ ସିଡ୍ୟୁଲ୍‌ ଅନ୍ତର୍ଭୁକ୍ତ କରିବା, ଲଦାଖରେ ଏକ ରାଜ୍ୟସ୍ତରୀୟ ବିଧାନ ଗୃହ ପ୍ରତିଷ୍ଠା‌ କରିବା, ସଂସଦରେ ଲଦାଖର ଜଣେ ମାତ୍ର ପ୍ରତିନିଧିଙ୍କ ସ୍ଥାନରେ ଅନ୍ତତଃ ଦୁଇ ଜଣଙ୍କୁ ପ୍ରେରଣ କରିବା ଏବଂ ଯୁବ ବର୍ଗଙ୍କ କର୍ମ ନିଯୁକ୍ତି ସକାଶେ ଏକ ‘ପବ୍ଲିକ ସର୍ଭିସ କମିସନ’ର ସ୍ଥାପନା କରିବା। ଏହାର କାରଣ ୨୦୧୯ ମସିହାରେ ଧାରା ୩୭୦ର ଉଚ୍ଛେଦ ଘଟିବା ପରେ ଲଦାଖ ଜାମ୍ମୁ କାଶ୍ମୀରରୁ ବିଚ୍ଛିନ୍ନ ହୋଇ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ତାହା ଦିଲ୍ଲୀ ପ୍ରେରିତ ଲେଫ୍‌ଟନାଣ୍ଟ ଗଭର୍ନର ଏବଂ ବ୍ୟୁରୋକ୍ରାଟ୍‌ମାନଙ୍କ ଶାସନାଧୀନ ହୋଇଛି, ଯେଉଁ ବହିରାଗତମାନେ ପର୍ଯ୍ୟାବରଣ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଏହି ହିମାଳୟ କ୍ରୋଡ଼ାଶ୍ରିତ ଅଞ୍ଚଳ ବିଷୟରେ ଅଜ୍ଞ ଓ ଅନଭିଜ୍ଞ ଏବଂ ଯେଉଁ କାରଣରୁ ସେମାନଙ୍କ ପରିକଳ୍ପିତ ବିକାଶର ମଡେଲ୍‌ ଲଦାଖର ଭାଷା, ସଂସ୍କୃତି, ଜନ-ଜୀବନ ଏବଂ ପର୍ଯ୍ୟାବରଣକୁ ଅଚିରେ ବିପର୍ଯ୍ୟସ୍ତ କରି ପକାଇବାର ଆଶଙ୍କା ସୃଷ୍ଟି କଲାଣି। କେବଳ ସେତିକି ନୁହେଁ, ଭାରତୀୟ ସରକାରୀ ବ୍ୟବସ୍ଥାରେ ମୁହୁର୍ମୁହୁଃ ବଦଳି ଏହି ପ୍ରଶାସକମାନଙ୍କୁ ଲଦାଖ ଭଳି ଏକ ସଂପୂର୍ଣ୍ଣ ଭିନ୍ନ ପରିସଂସ୍ଥାକୁ ଠିକଣା ଭାବେ ଅନୁଧ୍ୟାନ କରିବାର ବା ବୁଝିବାର ସୁଯୋଗ ମଧ୍ୟ ପ୍ରଦାନ କରି ନ ଥାଏ ବା ଲଦାଖ ସମ୍ବନ୍ଧୀୟ କିଞ୍ଚିତ ଧାରଣା ଆହରଣ କରିବା ବେଳକୁ ଅଗତ୍ୟା ବଦଳି ସୂତ୍ରରେ ସେମାନଙ୍କୁ ଅନ୍ୟତ୍ର ଗମନ କରିବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ୱାଙ୍ଗଚୁକ୍‌ ଲଦାଖର ଶାସନ ଏବଂ ବିକାଶ ଯୋଜନାରେ ସ୍ଥାନୀୟ ଜନ ସଂପୃକ୍ତିକୁ ଗୁରୁତ୍ବ ପ୍ରଦାନ କରିଥାଆନ୍ତି, ଯାହା ତାଙ୍କର ଉପରୋକ୍ତ ଚାରିଟି ଦାବିର ପୂରଣ ସହିତ ସମ୍ଭବ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବୀୟ ଜନଜାତିବହୁଳ ରାଜ୍ୟଗୁଡ଼ିକର ଶାସନରେ ସ୍ଥାନୀୟ ଜନଜାତି ସଂପ୍ରଦାୟର ସଂପୃକ୍ତିକୁ ଦୃଢ଼ତର କରିବା ସକାଶେ ସଂବିଧାନର ‘ଷଷ୍ଠ ସିଡ୍ୟୁଲ୍‌’ର ପରିକଳ୍ପନା କରାଯାଇଥିଲା; ଯହିଁରେ ଜଳ, ଜମି ଓ ଜଙ୍ଗଲ ଉପରେ ସେମାନଙ୍କ ଅଧିକାର ପ୍ରାଧାନ୍ୟ ପାଇଥିଲା। ପ୍ରକାଶ ଥାଉ କି ୨୦୧୯ ମସିହାରେ ବିଜେପିର ନିର୍ବାଚନ ଇସ୍ତାହାରରେ ଲଦାଖକୁ ‘ଷଷ୍ଠ ସିଡ୍ୟୁଲ୍‌’ ଅନ୍ତର୍ଭୁକ୍ତ କରିବାର ଦୃଢ଼ ଓ ସ୍ପଷ୍ଟ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। କେବଳ ସେତିକି ନୁହେଁ, ଲଦାଖରେ ଜନଜାତି ସଂପ୍ରଦାୟର ଅଂଶ ହେଉଛି ୯୦%ରୁ ଅଧିକ। ସୁତରାଂ, ୱାଙ୍ଗଚୁକଙ୍କ ଅନୁସାରେ ‘ଷଷ୍ଠ ସିଡ୍ୟୁଲ୍‌’ ଏବଂ ରାଜ୍ୟ ତଥା କେନ୍ଦ୍ରରେ ଜନ ପ୍ରତିନିଧିତ୍ବର ପ୍ରଭାବ ବୃଦ୍ଧି ଲଦାଖରେ ଅନ୍ଧାଧୁନିଆ ବିକାଶର ଆଶଙ୍କାକୁ ପ୍ରତିହତ କରିବ, ଯାହା ହିମାଳୟ ବକ୍ଷରେ ଉତ୍ତର କାଶୀ, ଯୋଶୀ ମଠ ଇତ୍ୟାଦି ଅଞ୍ଚଳକୁ ବିଧ୍ବସ୍ତ ହେବାର ଦ୍ବାରଦେଶରେ ପହଞ୍ଚାଇ ସାରିଲାଣି। ଏବଂ ତାଙ୍କ ପ୍ରତିବାଦ ଅନଶନ ଦ୍ବାରା ସେ ସମ୍ଭବତଃ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ତାଙ୍କ ପୁରୁଣା ପ୍ରତିଶ୍ରୁତି ମନେ ପକାଇ ଦେବାକୁ ଚାହାନ୍ତି, ଯାହା ପୂରଣ କରିବାକୁ ଅଗତ୍ୟା କେନ୍ଦ୍ର ସରକାର ରାଜି ନୁହନ୍ତି।
ୱାଙ୍ଗଚୁକଙ୍କ ମତରେ ବଜାର କୈନ୍ଦ୍ରିକ ତଥା ଉପଭୋଗ ଆଧାରିତ ବିକାଶ ମଡେଲର ପ୍ରବର୍ତ୍ତକମାନଙ୍କ ଲଦାଖ ସଂପର୍କିତ ଜ୍ଞାନ ମନୋଜ ଦାସୀୟ ଭାଷାରେ ହୁଏତ ‘ମର୍କଟର ଉଦ୍ୟାନ ଜ୍ଞାନ’ ସହିତ ସମତୁଲ! ଏକ ଉଦାହରଣ ପ୍ରଦାନ କରି ସେ କହିଥାଆନ୍ତି ଯେ ଲଦାଖରେ ଉପଲବ୍‌ଧ ପ୍ରଚୁର ସୂର୍ଯ୍ୟାଲୋକର ଉପଯୋଗ ୧୩ ଗିଗାୱାଟ୍‌ କ୍ଷମତାସଂପନ୍ନ ବିଦ୍ୟୁତ୍ କେନ୍ଦ୍ରର ପରିକଳ୍ପନା ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇଥିଲେ ହେଁ ପାଙ୍ଗ୍‌ ଅଞ୍ଚଳରେ ବିସ୍ତୀର୍ଣ୍ଣ ଓ ପରିପୁଷ୍ଟ ଚାରଣ ଭୂମି ଉପରେ ତାହା କରା ନ ଯାଇ ଅନୁର୍ବର ଶୀତଳ ଅଞ୍ଚଳ ସେଚୁ ଠାରେ କରାଯାଇପାରନ୍ତା ଏବଂ ଚାରଣ ଭୂମିର ପରିମାଣରେ ହ୍ରାସ ଗୋପାଳନକୁ ମୁଖ୍ୟ ଜୀବିକା କରି ବଞ୍ଚୁଥିବା ଲଦାଖୀମାନଙ୍କ ସକାଶେ ଏକ ଦାରୁଣ ଅନ୍ତର୍ଘାତ ଭଳି ହୋଇଥାଏ। କହିବା ବାହୁଲ୍ୟ ଲଦାଖୀମାନେ ଅତ୍ୟନ୍ତ ସରଳ ଏବଂ ପରିବେଶ ଅନୁକୂଳ ଜୀବନ ଜିଇଥାଆନ୍ତି, ଯହିଁରେ ହିମାଳୟ ପରିସଂସ୍ଥାର ସୁରକ୍ଷା ସେମାନଙ୍କ ରକ୍ତଗତ ହୋଇଥାଏ। ଏଠାରେ ପ୍ରକାଶ ଥାଉ କି ସୋନମ ୱାଙ୍ଗଚୁକ୍‌ ତାଙ୍କ ବିଚକ୍ଷଣ ଆବିଷ୍କାରକ ପ୍ରତିଭାର ପରିଚୟ ଦେଇ ପରିବେଶ ଅନୁକୂଳ ବିକାଶ ତଥା ଉନ୍ନତ ଜୀବନଯାପନର ସୁଯୋଗ ସୃଷ୍ଟିରେ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଛନ୍ତି; ଯେମିତି କି ତାଙ୍କ ଦ୍ବାରା ବିକଶିତ ସୌର ଶକ୍ତି ପରିଚାଳିତ ‘ଉଷ୍ମ ତମ୍ବୁ’, ଯାହା ଅତ୍ୟନ୍ତ ପ୍ରତିକୂଳ ତଥା ରକ୍ତ ଜମାଟ ବାନ୍ଧି ପକାଉଥିବା ଭଳି ଲଦାଖୀ ଶୀତରେ ଭାରତୀୟ ସୈନ୍ୟମାନଙ୍କୁ ଆରାମପ୍ରଦ ଆଶ୍ରୟ ପ୍ରଦାନ କରିଛି ବା ହିମବାହରୁ ଜଳ ପ୍ରସ୍ତୁତିର ଅଭିନବ କୌଶଳ ଅସଂଖ୍ୟ ଲଦାଖୀଙ୍କ ଜଳ କଷ୍ଟ ଲାଘବ କରିଛି; ଯେଉଁଥି ସକାଶେ ସେ ରମନ ମାଗସେ‌େସ ପୁରସ୍କାର ସମେତ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ମାନ ଦ୍ବାରା ମଧ୍ୟ ସମ୍ମାନିତ। ସୁତରାଂ, ୱାଙ୍ଗଚୁକ୍‌ଙ୍କ ଉଦ୍‌ବେଗକୁ ହାଲୁକା ଭାବେ ମଧ୍ୟ ଗ୍ରହଣ କରାଯାଇ ନ ପାରେ!
ସୋନମ ୱାଙ୍ଗଚୁକ୍‌ ଏଥି ଲାଗି ଉଦ୍‌ବିଗ୍ନ ଯେ ବିଶ୍ବ ଉତ୍ତପ୍ତୀକରଣର ପ୍ରଭାବରେ ଲଦାଖର ହିମବାହମାନ ତରଳିବାରେ ଲାଗିଲେଣି, ଯାହା ଲଦାଖକୁ ଅଧିକରୁ ଅଧିକ ଜଳକ୍ଳିଷ୍ଟ କଲାଣି ଏବଂ ଏହା ବଳବତ୍ତର ରହିଲେ ହିମାଳୟର ନଦୀ ବ୍ୟବସ୍ଥା ଆକ୍ରାନ୍ତ ହୋଇ ଭାରତର ମହାନ ଚିରସ୍ରୋତା ନଦୀଗୁଡ଼ିକୁ କ୍ରମେ କୃଶକାୟା ଏବଂ ଶୁଷ୍କ କରିଦେବ। କିନ୍ତୁ, ଉପ‌େଭାଗବାଦୀ ସଂସ୍କୃତିମୂଳକ ବିକାଶର ପ୍ରବର୍ତ୍ତକମାନେ ଏହା ହୃଦୟଙ୍ଗମ କରି ନ ଥାଆନ୍ତି ଏବଂ ୱାଙ୍ଗଚୁକ୍‌ଙ୍କ ଭୟ ଯେ ଶାସନ ପରିଚାଳନାରେ ସ୍ଥାନୀୟ ଅଧିବାସୀଙ୍କ ସଂପୃକ୍ତି ପ୍ରଗାଢ଼ ନ ହେଲେ ସେମାନେ ଲଦାଖ ଅତିକ୍ରମଣ କରି ପକାଇବେ! ବିଦ୍ବାନ ଯୋଜନା ପ୍ରବର୍ତ୍ତକମାନଙ୍କ ସଂପର୍କରେ ଏକଦା ୱାଙ୍ଗଚୁକ୍‌ କହିଥିଲେ ଯେ ସେମାନେ କ୍ଷୁଧା ଓ ଦାରିଦ୍ର୍ୟ ସଂପର୍କିତ ପୃଥୁଳକାୟ ପୁସ୍ତକ ପଢ଼ାରେ ନିମଗ୍ନ ରହି ବାତାନୁକୂଳିତ ଗାଡ଼ିର ଆରାମଦାୟକ ପରିବେଶ ମଧ୍ୟରେ ସେମିନାରକୁ ଭାଷଣ ଦେବାକୁ ଯାଆନ୍ତି ସତ; କିନ୍ତୁ ସଡ଼କ ପ୍ରାନ୍ତରେ ଘନୀଭୂତ ହୋଇଥିବା ଦାରିଦ୍ର୍ୟ ପ୍ରତି ସେମାନଙ୍କ ନିଘା ନ ଥାଏ। ୱାଙ୍ଗଚୁକ୍‌ଙ୍କ ମତରେ ଏଭଳି ବିଦ୍ବାନମାନଙ୍କ ପାଣ୍ଡିତ୍ୟର ଔଜ୍ଜ୍ବଲ୍ୟ ତୁଳନାରେ ଜଠର ଜ୍ବାଳାର ଅନୁଭୂତିରୁ ଜଣେ ବୁଭୁକ୍ଷୁ ଆହରଣ କରିଥିବା ଗୂଢ଼ ଜ୍ଞାନ ଅନେକ ସମୟରେ କ୍ଷୁଧା ନିବାରଣ ଲାଗି ଧାରଣକ୍ଷମ ଯୋଜନା ପ୍ରସ୍ତୁତିରେ ଅଧିକ ସହାୟକ ହୋଇପାରେ! ୱାଙ୍ଗଚୁକ୍‌ ଲଦାଖର ଭବିଷ୍ୟତ୍‌ ସକାଶେ ସେହି ଗୂଢ଼ ଜ୍ଞାନର ପ୍ରତିଷ୍ଠା କରିବାକୁ ଚାହାନ୍ତି। ସୁତରାଂ, ତାଙ୍କ ପ୍ରତିବାଦ କୌଣସି ସରକାରଙ୍କ ବିରୋଧରେ ନୁହେଁ; ତାହା ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବିରୋଧରେ। କିନ୍ତୁ ବିଡ଼ମ୍ବନା, ସେହି ଆଭିମୁଖ୍ୟର ପ୍ରସାରକାରୀ ଅଧିକାଂଶ ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ତାଙ୍କୁ ସତକୁ ସତ ଜଣେ ‘ଇଡିଅଟ୍‌’ ବୋଲି ମଣି ନଜରଅନ୍ଦାଜ କରିବା‌ରେ ଲାଗିଛି। ଏହା ମଧ୍ୟ ଏକ ଦୁର୍ଭାଗ୍ୟ ଯେ ଗୂଢ଼ ଜ୍ଞାନର ଅଧିକାରୀମାନେ ଏବେ ‘ଇଡିଅଟ୍‌’ମାନଙ୍କ ଭଳି ଦିଶୁଛନ୍ତି!