କେଜ୍ରିୱାଲ୍ଙ୍କ ନୀତିହୀନତାର ତାଲିକା ବହୁତ ଲମ୍ବା। ଭାରତରେ ଆହୁରି ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କର ନୀତିହୀନତାର ତାଲିକା ମଧ୍ୟ ଅନୁରୂପ ଭାବରେ ଲମ୍ବା। କିନ୍ତୁ କେଜ୍ରିୱାଲ୍ଙ୍କୁ ପୂଜା କରିଆସିଥିବା ଅଗଣିତ ଭାରତୀୟଙ୍କ ପାଇଁ ଏହା ହିଁ ହେଉଛି ବେଦନାଦାୟକ- ଏହି ରାଜନେତା ଓ କେଜ୍ରିୱାଲ୍ଙ୍କ ମଧ୍ୟରେ କୌଣସି ଫରକ ନାହିଁ।
ମହାନ ଔପନ୍ୟାସିକ ଆଇଜାକ୍ ବାସେଭିସ୍ ସିଙ୍ଗର୍ଙ୍କର ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ ‘ଜିମ୍ପେଲ୍ ଦି ଫୁଲ୍’ (‘ବୋକା ଜିମ୍ପେଲ୍’)ରେ ତା’ର ସରଳ ନିଷ୍କପଟ ଚରିତ୍ର ପାଇଁ ଫ୍ରାମ୍ପଲ୍ ସହରର ବାସିନ୍ଦାମାନେ ଜିମ୍ପେଲ୍କୁ ସଦାବେଳେ ଥଟ୍ଟା କରିଥାନ୍ତି ଓ ଠକିବାକୁ ଚେଷ୍ଟା କରିଥାନ୍ତି। ସଇତାନ ଥରେ ଜିମ୍ପେଲ୍ ନିଘୋଡ଼ ନିଦରେ ଶୋଇଥିବାବେଳେ ତାକୁ ସ୍ବପ୍ନରେ ଦେଖାଦେଇ ତାକୁ ନଗରବାସୀଙ୍କ ଠାରୁ ଏହି ଅପମାନର ପ୍ରତିଶୋଧ ନେବାର ଏକ ସଇତାନୀ ଉପାୟ ବତାଇଲା। ନଗରବାସୀଙ୍କ ପାଇଁ ଜିମ୍ପେଲ୍ ଯେଉଁ ପାଉଁରୁଟି ତିଆରି କରି ବିକ୍ରି କରେ, ସେଥିରେ ସେ ତା’ର ପରସ୍ରା ମିଶାଇ ଦେବାକୁ ସଇତାନ ଏହି ପ୍ରତିଶୋଧର ଯୋଜନା ଅନୁସାରେ ଜିମ୍ପେଲ୍କୁ ଉସ୍କାଇଲା।
ସଇତାନର ଏହି ପ୍ରତିଶୋଧ ପ୍ରସ୍ତାବ ଉତ୍ତମ ସ୍ବଭାବସଂପନ୍ନ ଜିମ୍ପେଲ୍ର ଅନ୍ତର୍ନିହିତ ମୂଲ୍ୟବୋଧର ସଂପୂର୍ଣ୍ଣ ପରିପନ୍ଥୀ ଥିଲା। ଜିମ୍ପେଲ୍ ତେଣୁ ସ୍ବାଭାବିକ ଭାବରେ ସଇତାନକୁ ପ୍ରଶ୍ନ କଲା, ଯଦି ସେ ଏହି ପ୍ରତିଶୋଧ ଉପାୟ ଅବଲମ୍ବନ କରେ, ତେବେ ପରଜନ୍ମରେ ଏଥିପାଇଁ ତାକୁ ଦଣ୍ଡ ମିଳିଲେ, ସେ କ’ଣ କରିବ? ଏହାର ଉତ୍ତରରେ ସଇତାନ ଜିମ୍ପେଲ୍କୁ ବିଦ୍ରୂପ କରି କହିଲା, ପରଜନ୍ମ ବୋଲି କିଛି ନାହିଁ। ଜିମ୍ପେଲ୍ ଯେତେବେଳେ କହିଲା, ଈଶ୍ବର ତ ଅଛନ୍ତି, ସଇତାନ କହିଲା ଈଶ୍ବର ବୋଲି କେହି ନାହାନ୍ତି। ଜିମ୍ପେଲ୍ ପୁଣି ଯେତେବେଳେ କହିଲା ଯେ ତା’ହେଲେ ଏ ସଂସାରର ଅସ୍ତିତ୍ବ କେଉଁଠୁ ଆସିଲା, ସଇତାନ ଉତ୍ତର ଦେଲା ଯେ ଅସ୍ତିତ୍ବ ବୋଲି କିଛି ନାହିଁ, ସବୁ ହେଉଛି ମିଥ୍ୟା ଏବଂ ଜିମ୍ପେଲ୍ ଯଦି ତା’ର ପାଉଁରୁଟିର ଅଟାରେ ତା’ର ପରିସ୍ରା ରୂପକ ଆଉ ଏକ ମିଥ୍ୟା ମିଶାଇ ଦିଏ, କିଛି ଫରକ ପଡ଼ିବ ନାହିଁ।
ଜିମ୍ପେଲ୍ ପ୍ରଥମେ ସଇତାନର ପ୍ରରୋଚନା ଦ୍ବାରା ଭଳିଯାଏ, କିନ୍ତୁ ପର ମୁହୂର୍ତ୍ତରେ ସେ ଏହି ଦୁଷ୍ଟ ଉପଦେଶକୁ ପ୍ରତ୍ୟାଖ୍ୟାନ କରେ। ସିଙ୍ଗର୍ଙ୍କର ଏହି ନୈତିକ କାହାଣୀର ସାରମର୍ମ ହେଉଛି ସରଳ: ଜଣେ ସରଳ ନୀତିବାନ ବ୍ୟକ୍ତି ସଇତାନର ପ୍ରରୋଚନାରେ ପଡ଼ି ନଗରବାସୀଙ୍କ ବିଶ୍ବାସରେ ବିଷ ମିଶାଇବା ପୂର୍ବରୁ ତାଙ୍କର ମୌଳିକ ଗଭୀର ସାଧୁତା ନିକଟରେ ସଇତାନ ହାର ମାନିଛି; ଜିମ୍ପେଲ୍ର ଅସ୍ତିବାଦ ଦ୍ବାରା ସଇତାନର ନାସ୍ତିବାଦ ପରାସ୍ତ ହୋଇଛି।
‘ଆମ୍ ଆଦ୍ମୀ ପାର୍ଟି’ (‘ଆପ୍’)ର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ୍ ହେଉଛନ୍ତି ବୁଦ୍ଧିମତ୍ତା ଦୃଷ୍ଟିରୁ ସିଙ୍ଗର୍ଙ୍କ ଜିମ୍ପେଲ୍ର ସଂପୂର୍ଣ୍ଣ ବିପରୀତ- ସେ ଦେଶର ସର୍ବାଧିକ ମର୍ଯ୍ୟାଦାଜନକ ବୈଷୟିକ ଶିକ୍ଷାନୁଷ୍ଠାନ ‘ଆଇଆଇଟି’ରୁ ଇଞ୍ଜିନିଅରିଙ୍ଗ୍ ଶିକ୍ଷା ଲାଭ କରିଛନ୍ତି। କିନ୍ତୁ ସେ ଯେତେବେଳେ ପ୍ରାୟ ବାର ବର୍ଷ ତଳେ ଭାରତୀୟ ରାଜନୀତିରେ ପ୍ରଥମେ ଆବିର୍ଭୂତ ହେଲେ, ସେତେବେଳେ ପ୍ରାୟ ସବୁ ବର୍ଗର ଭାରତୀୟମାନଙ୍କୁ ଯାହା ଚମତ୍କୃତ କରିଥିଲା, ତାହା ହେଲା ତାଙ୍କର ଜିମ୍ପେଲ୍ସୁଲଭ ସରଳତା, ସାଧୁତା ଓ ସତ୍ୟନିଷ୍ଠା, ଯାହା ରାଜନୀତିରେ ସଂପୂର୍ଣ୍ଣ ବିରଳ। ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ ଲୋକଲୋଚନକୁ ଆସିଥିବା ଅରବିନ୍ଦ କେଜ୍ରିୱାଲ୍ଙ୍କର ଦୁର୍ନୀତି ବିେରାଧରେ ଆହ୍ବାନରୁ ଆରମ୍ଭ କରି ତାଙ୍କର ସାଦାସିଧା ପୋଷାକପତ୍ର ଓ ସିଧାସଳଖ କଥାବାର୍ତ୍ତା ପର୍ଯ୍ୟନ୍ତ ଦ୍ବାରା ସେ ଲୋକମାନଙ୍କର ଏପରି ହୃଦୟ ଜିଣି ନେଇଥିଲେ ଯେ ଦିନ ମଜୁରିଆରୁ ପ୍ରଫେସର ପର୍ଯ୍ୟନ୍ତ, ଛାତ୍ରରୁ ଓକିଲ ପର୍ଯ୍ୟନ୍ତ ନିଜ ନିଜର କାମଧନ୍ଦା ତ୍ୟାଗ କରି କେଜ୍ରିୱାଲ୍ଙ୍କ ଆନ୍ଦୋଳନ ଓ ଦଳରେ ସାମିଲ ହୋଇଯାଇଥିଲେ। ତାଙ୍କ ଉପରେ ଏହି ଅଗାଧ ବିଶ୍ବାସର ଫଳସ୍ବରୂପ ଦିଲ୍ଲୀବାସୀ ଦୀର୍ଘ ବାର ବର୍ଷ କାଳ ତାଙ୍କ ପ୍ରତି ବିପୁଳ ସମର୍ଥନ ପ୍ରଦାନ କରି ତାଙ୍କ ହାତରେ ଶାସନ କ୍ଷମତା ନ୍ୟସ୍ତ କରିଆସିଥିଲେ।
କିନ୍ତୁ ଏଇ ବାର ବର୍ଷ ମଧ୍ୟରେ କ୍ଷମତା ବିଷ (ଅତୀତରେ ସୋନିଅା ଗାନ୍ଧୀ କହିଥିବା ଭଳି- ‘‘କ୍ଷମତା ହେଉଛି ବିଷ।’’) କେଜ୍ରିୱାଲ୍ଙ୍କ ଠାରେ ଏପରି ଧୀରେ ଧୀରେ ସଞ୍ଚରିଗଲା ଯେ କ୍ରମେ ସେ ତାଙ୍କର ସେଇ ଜିମ୍ପେଲ୍ସୁଲଭ ସରଳତା ଓ ନୈତିକତା ହରାଇ ବସିଲେ ଏବଂ ଶେଷରେ ସଇତାନ ପାଖରେ ହାର ମାନିଲେ। ଏହାର ଏକ ଚରମ ଉଦାହରଣ ଦେଖିବାକୁ ମିଳିଛି କେଜ୍ରିୱାଲ୍ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆକ୍ଷରିକ ଭାବରେ ସଇତାନର ପ୍ରରୋଚନାରେ ପଡ଼ି ପାଉଁରୁଟିର ଅଟାରେ ଜିମ୍ପେଲ୍ ପରିସ୍ରା ମିଶାଇବା ପରି (ଯଦି ଜିମ୍ପେଲ୍ ତାହା କରିଥାନ୍ତା) ଏକ କାର୍ଯ୍ୟ କରିବା। ଏହି କାର୍ଯ୍ୟ ହେଲା, ସମଗ୍ର ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିବା ପାଇଁ କେଜ୍ରିୱାଲ୍ ଏକ ମିଥ୍ୟା ଘୋଷଣା କରିଦେଲେ ଯେ ଦିଲ୍ଲୀରେ ଗଣହତ୍ୟା ରଚନା କରିବା ପାଇଁ ହରିଆନାର ବିଜେପି ସରକାର ଯମୁନା ନଦୀର ଉପର ମୁଣ୍ଡରେ ପାଣିରେ ବିଷ ମିଶାଇ ଦେଉଛନ୍ତି।
ମାକ୍ସ ୱେବର କହିଥିବା ଭଳି ରାଜନୀତି ହେଉଛି ଏକ ସଇତାନୀ ଖେଳ। କିନ୍ତୁ କେବଳ ଭାରତ ନୁହେଁ, ସାରା ପୃଥିବୀର କୌଣସି ଦେଶର ରାଜନୀତିରେ କେହି କେବେହେଲେ ନିର୍ବାଚନ ଜିତିବା ପାଇଁ ଏଭଳି ଏକ ସଇତାନୀ ଚାଲ୍ ଚଳାଇବା ଦେଖାଯାଇନାହିଁ। ସ୍ବାର୍ଥାନ୍ଧ କେଜ୍ରିୱାଲ୍ ଏହି ବିପଜ୍ଜନକ ଗୁଜବ ପ୍ରସାର କରିବା ପୂର୍ବରୁ ଥରେ ହେଲେ ଭାବିଲେ ନାହିଁ ଯେ ଯଦି ଖଳ ଲୋକମାନେ ତାଙ୍କ ଇସାରାକୁ ଅନୁସରଣ କରନ୍ତି, ତା’ହେଲେ ଦେଶରେ କିଭଳି ଭୟଙ୍କର ପରିସ୍ଥିତି ଉପୁଯିବ। ତେବେ ଯମୁନା ଜଳକୁ ନେଇ ତାଙ୍କର ଏହି ଖେଳ କେଜ୍ରିୱାଲ୍ଙ୍କ ନୈତିକ ସ୍ଖଳନର ଚରମତମ ଉଦାହରଣ ହୋଇଥିଲେ ହେଁ, ତାଙ୍କର କ୍ଷମତାସୀନ ସମୟରେ ତାଙ୍କର ଆଚରଣରେ ଏହି ନୈତିକ ଦୁର୍ବଳତା ବାରମ୍ବାର ପରିସ୍ଫୁଟ ହେବା ଦେଖାଯାଇଛି।
େଯମିତି, ସୁବିଧାବାଦ। ଏହାର ଏକ ଉଦାହରଣ ସ୍ବରୂପ ସେ ଆରମ୍ଭରେ କଂଗ୍ରେସ କିମ୍ବା ଭାଜପାର ସହାୟତା କେବେହେଲେ ଲୋଡ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ହେଁ ୨୦୧୩ରେ କଂଗ୍ରେସ ସହିତ ମିଶି ସରକାର ଗଠନ କରିଥିଲେ। ସେହିପରି ଦେଶରୁ ଦୁର୍ନୀତି ଦୂର କରିବା ପାଇଁ ରାଜନୀତିରେ ପ୍ରବେଶ କରିଥିବା କେଜ୍ରିୱାଲ୍ ନିଜର ସୁବିଧା ପାଇଁ ଦେଶରେ ଦୁର୍ନୀତିର ପ୍ରତିନିଧି ଲାଲୁ ଯାଦବଙ୍କ ମହାଗଠବନ୍ଧନକୁ ସମର୍ଥନ ପ୍ରଦାନ କରିବାକୁ ପଛାଇ ନ ଥିଲେ। ଯେମିତି, ମିଥ୍ୟା ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀ ହେଲେ ଜଣେ ସାଧାରଣ ନାଗରିକ ପରି ଏକ ଦୁଇବଖୁରିଆ ଗୃହରେ ବାସ କରିବାକୁ ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲ୍ ୪୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ନିଜ ପାଇଁ ଏକ ସରକାରୀ ବାସଭବନ ନିର୍ମାଣ କରିବା ଗତ ନିର୍ବାଚନରେ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଦୁର୍ନୀତି ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କେଜ୍ରିଵାଲ୍ କିପରି ଦିଲ୍ଲୀରେ ମଦ ଦୋକାନ ଦୁର୍ନୀତିରେ ଛନ୍ଦି ହୋଇ ଜେଲ୍ ଯାଇ ଜାମିନରେ ଆସିଛନ୍ତି, ସେ ସମ୍ବନ୍ଧରେ ଅଧିକ ଉଲ୍ଲେଖ ନିଷ୍ପ୍ରୟୋଜନ। ଏହାଦ୍ବାରା କେଜ୍ରିୱାଲ୍ ତାଙ୍କର ରାଜନୈତିକ ଗୁରୁଙ୍କୁ ଯେଉଁ େଦ୍ବୖତ ଧୋକା ଦେଇଛନ୍ତି, ତାହା ତାଙ୍କର ଅନୈତିକତାର ଏକ ବେଦନାଦାୟକ ଉଦାହରଣ।
ଏହି ଗୁରୁ ହେଉଛନ୍ତି ଆନ୍ନା ହଜାରେ। ଏହି ବର୍ଷିୟାନ ନେତା ଯେଉଁ ଦୁଇ ମନ୍ଦ ଶକ୍ତି ବିରୁଦ୍ଧରେ ସଂଗ୍ରାମ ଚଳାଇ ଆସିଛନ୍ତି, ସେମାନେ ହେଲେ ଦୁର୍ନୀତି ଓ ମଦ୍ୟପାନ। ଦିଲ୍ଲୀ ମଦ ଦୁର୍ନୀତି ମାଧ୍ୟମରେ କେଜ୍ରିୱାଲ୍ ଏଇ ଦୁଇ ମନ୍ଦ ଶକ୍ତିଙ୍କୁ ଆଲିଙ୍ଗନ କରିବା ଆନ୍ନା ହଜାରେଙ୍କୁ ଏପରି ମର୍ମାହତ କରିଛି ଯେ ସେ ଖୋଲାଖୋଲି ନିଜର ପୂର୍ବତନ ଶିଷ୍ୟଙ୍କ ବିରୁଦ୍ଧରେ ମନ୍ତବ୍ୟ ପ୍ରଦାନ କରିବା ପାଇଁ ଆଗେଇ ଆସିବା ଦେଖାଯାଇଛି।
କେଜ୍ରିୱାଲ୍ଙ୍କ ନୀତିହୀନତାର ତାଲିକା ବହୁତ ଲମ୍ବା। ଭାରତରେ ଆହୁରି ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କର ନୀତିହୀନତାର ତାଲିକା ମଧ୍ୟ ଅନୁରୂପ ଭାବରେ ଲମ୍ବା। କିନ୍ତୁ କେଜ୍ରିୱାଲ୍ଙ୍କୁ ପୂଜା କରିଆସିଥିବା ଅଗଣିତ ଭାରତୀୟଙ୍କ ପାଇଁ ଏହା ହିଁ ହେଉଛି ବେଦନାଦାୟକ- ଏହି ରାଜନେତା ଓ କେଜ୍ରିୱାଲ୍ଙ୍କ ମଧ୍ୟରେ କୌଣସି ଫରକ ନାହିଁ। ବରଂ ଯମୁନାକୁ ବିଶ୍ବାସ କରୁଥିବା ଲୋକଙ୍କ ବିଶ୍ବାସରେ ବିଷ ମିଶାଇ କେଜ୍ରିୱାଲ୍ ସାବ୍ୟସ୍ତ କରିଛନ୍ତି ଯେ ସେ ହେଉଛନ୍ତି ସାଧାରଣ ରାଜନେତାମାନଙ୍କ ଅପେକ୍ଷା ବହୁ ଅଧିକ ବିପଜ୍ଜନକ। ସେଥିପାଇଁ କେଜ୍ରିୱାଲ୍ଙ୍କ ପରାଜୟ ଆଜି ତାଙ୍କର ଅନେକ ପୂର୍ବ-ପ୍ରଶଂସକମାନଙ୍କୁ ଗଭୀର ଭାବରେ ଆଶ୍ବସ୍ତ କରିଛି।