‘ଫେଡେରାଲ୍ ରିଜର୍ଭ’ର ଚେଅାର୍‌ମ୍ୟାନ୍ ଆର୍ଥର୍ ବର୍ନ‌୍ସଙ୍କୁ ଏଥିରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ନିକ୍ସନ୍ ଏକ ମିଥ୍ୟା ଗୁଜବ ପ୍ରସାର କରିଦେଲେ ଯେ ବର୍ନ‌୍ସ ତାଙ୍କର ଦରମାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇବା ପାଇଁ ରାଷ୍ଟ୍ରପତି ନିକ୍ସନ୍‌ଙ୍କ ଉପରେ ଚାପ ପକାଉଛନ୍ତି। ଏହାର ମର୍ମ ହେଲା ନିକ୍ସନ୍ ଏହା ଅନୁମୋଦନ ନ କରିବାରୁ ବର୍ନ‌୍ସ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉଛନ୍ତି ବୋଲି ସର୍ବସାଧାରଣରେ ଏକ ଧାରଣା ସୃଷ୍ଟି ହେବ, ଯାହା ଫଳରେ ସେ ସୁଧ ହାରରେ ବୃଦ୍ଧି ଘଟାଇବାରୁ ନିବୃତ୍ତ ହେବେ।

Advertisment

କୌଣସି ଗଣତାନ୍ତ୍ରିକ ଦେଶର ସରକାର ତାଙ୍କ ଦେଶରେ ସୁଧ ହାରରେ ବୃଦ୍ଧି ଘଟିବା ଚାହାନ୍ତି ନାହିଁ। କାରଣ ଏହା ଖାଉଟିମାନଙ୍କ ଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତଙ୍କୁ ସରକାରଙ୍କ ପ୍ରତି ବିମୁଖ କରିଥାଏ; ଅର୍ଥନୈତିକ ଅଭିବୃଦ୍ଧି ପଥରେ ପ୍ରତିବନ୍ଧକ ସାଜି ସରକାରଙ୍କୁ ଏଥିପାଇଁ ଉତ୍ତରଦାୟୀ କରିଥାଏ। କିନ୍ତୁ ସମୟ କ୍ରମେ ଦେଶରେ ସୁଧ ହାରକୁ ନିୟନ୍ତ୍ରଣ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ୍ ଯେହେତୁ ପ୍ରାୟତଃ ଏକ ସ୍ବାଧୀନ ସଂସ୍ଥା ରୂପେ ଆବିର୍ଭୂତ ହୋଇଛି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ତା’ର ମୁଖ୍ୟ ଦାୟିତ୍ବ ରୂପେ ଗ୍ରହଣ କରିଛି (ପ୍ରଥମେ ୧୯୯୦ରେ ନିଉଜିଲାଣ୍ଡ୍ ସରକାର ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ଉପରେ ଏହାର ଦାୟିତ୍ବ ନ୍ୟସ୍ତ କରିବା ପରେ ଗୋଟିକ ପରେ ଗୋଟିଏ ଅଧିକାଂଶ ଗଣତାନ୍ତ୍ରିକ ଦେଶମାନେ ତାହାକୁ ଅନୁସରଣ କରିଛନ୍ତି; ଭାରତ ୨୦୧୬ରୁ ତାହା ଅନୁସରଣ କରୁଛି), ଏଭଳି କୌଣସି ଦେଶ‌ର ସରକାର ଖୋଲାଖୋଲି ଭାବରେ ସୁଧ ହାରରେ ହ୍ରାସ ଘଟାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ଉପରେ ଚାପ ପକାଇ ପାରି ନଥାନ୍ତି।
ଏପରିକି ଏହି ‘ମୁଦ୍ରାସ୍ଫୀତି ନିଶାଣ’ ବା ‘ଇନ୍‌ଫ୍ଲେସନ୍ ଟାର୍ଗେଟିଙ୍ଗ୍’ ନୀତି ଅନୁସୃତ ହେବାର ପୂର୍ବ ସମୟରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଆସୁଥିଲେ। ସେତେବେଳେ ମଧ୍ୟ ସରକାରମାନେ ସୁଧ ହାର ନିୟନ୍ତ୍ରଣ ବ୍ୟାପାରରେ କେନ୍ଦ୍ରୀୟ ବ୍ୟାଙ୍କ୍ ଉପରେ ଖୋଲାଖୋଲି ହସ୍ତକ୍ଷେପ ନ କରି ଏଥିପାଇଁ ପରୋକ୍ଷ ଚାପ ପ୍ରୟୋଗ କରିବା ଦେଖାଯାଉଥିଲା। ଏହାର ଏକ ରୋଚକ ଉଦାହରଣ ସ୍ବରୂପ ଆମେରିକାର ଶକ୍ତିଶାଳୀ ତଥା କୁଖ୍ୟାତ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଏକଦା ଏ ସଂପର୍କରେ ଅବଲମ୍ବନ କରିଥିବା ଏକ କୁଟିଳ କୌଶଳ କେନ୍ଦ୍ରୀୟ ବ୍ୟାଙ୍କ୍ ପରିସରରେ ଏବେ ବି ଆଲୋଚିତ ହୋଇଥାଏ।
୧୯୭୨ରେ ଯେତେବେଳେ ଆମେରିକାରେ ଏକ ବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ପରିସ୍ଥିତି ଦେଖାଦେଲା, ନିକ୍ସନ୍ ଆଶଙ୍କା କଲେ ଯେ ତାହାକୁ ଆୟତ୍ତ କରିବା ପାଇଁ ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଯାଉଛି। ‘ଫେଡେରାଲ୍ ରିଜର୍ଭ’ର ଚେଅାର୍‌ମ୍ୟାନ୍ ଆର୍ଥର୍ ବର୍ନ‌୍ସଙ୍କୁ ଏଥିରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ନିକ୍ସନ୍ ଏକ ମିଥ୍ୟା ଗୁଜବ ପ୍ରସାର କରିଦେଲେ ଯେ ବର୍ନ‌୍ସ ତାଙ୍କର ଦରମାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇବା ପାଇଁ ରାଷ୍ଟ୍ରପତି ନିକ୍ସନ୍‌ଙ୍କ ଉପରେ ଚାପ ପକାଉଛନ୍ତି। ଏହାର ମର୍ମ ହେଲା ନିକ୍ସନ୍ ଏହା ଅନୁମୋଦନ ନ କରିବାରୁ ବର୍ନ‌୍ସ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉଛନ୍ତି ବୋଲି ସର୍ବସାଧାରଣରେ ଏକ ଧାରଣା ସୃଷ୍ଟି ହେବ, ଯାହା ଫଳରେ ସେ ସୁଧ ହାରରେ ବୃଦ୍ଧି ଘଟାଇବାରୁ ନିବୃତ୍ତ ହେବେ।
ଭାରତରେ ନିକଟ ଅତୀତରେ ଆମେ ଦେଖିବାକୁ ପାଇଛୁ ଯେ ଶକ୍ତିକାନ୍ତ ଦାସଙ୍କର ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ନର୍ ରୂପେ ଛ’ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନ କରି ତାଙ୍କ ଭାଷାରେ ଅର୍ଜୁନଙ୍କ ପରି ମାଛର ଆଖି ଉପରେ ଦୃଷ୍ଟି ନିବଦ୍ଧ କରି ଆସିଥିଲେ। ଶିଳ୍ପବାଣିଜ୍ୟ ଓ ‌ନିବେଶକ ମହଲରୁ ସୁଧ ହାରରେ ହ୍ରାସ ଘଟାଇବା ପାଇଁ ବାରମ୍ବାର ଆହ୍ବାନ ଦିଆହୋଇ ଆସୁଥିଲେ ହେଁ ତାଙ୍କର ଏହି ଏକାଗ୍ରତା ସଂପୂର୍ଣ୍ଣ ଅତୁଟ ରହିଥିଲା। ମୋଦୀ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ ହେଁ, ଏହା ସ୍ବୀକାର କରିବାକୁ ହେବ ଯେ ସରକାର ଏଥିପାଇଁ କେବେହେଲେ ତାଙ୍କୁ ସିଧାସଳଖ ବାଧ୍ୟ କରି ନ ଥିଲେ କିମ୍ବା ତାଙ୍କ ଉପରେ କୌଣସି ନିକ୍ସନ୍‌ସୁଲଭ କପଟ ଚାପ ପକାଇ ନ ଥିଲେ। କେବଳ ସମୟ ସମୟରେ କେତେକ ମନ୍ତ୍ରୀ ବା ଅନ୍ୟାନ୍ୟ ଅଧିକାରୀମାନେ ସୁଧ ହାରରେ ହ୍ରାସ ଘଟାଇବା ନିମିତ୍ତ ପରୋକ୍ଷ ଆହ୍ବାନ ଦେଉଥିଲେ ହେଁ ଶକ୍ତିକାନ୍ତ ସେଥିପ୍ରତି କର୍ଣ୍ଣପାତ ନ କରି ବିଗତ ଏଗାରଟି ବୈଠକରେ ରେପୋ ରେଟ୍‌କୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖି ଆସିଥିଲେ। ଶକ୍ତିକାନ୍ତଙ୍କର ଏହି ଅଟଳ ନିଷ୍ପତ୍ତିର କାରଣ ହେଲା ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୪ ଶତାଂଶ ସ୍ତରରେ ସ୍ଥିରତା ହାସଲ ନ କରିପାରିବା। ଗତ ଡିସେମ୍ବରରେ ତାଙ୍କର ଅନ୍ତିମ ମୁଦ୍ରାନୀତି ନିର୍ଦ୍ଧାରଣ କମିଟି (‘ଏମ୍‌ପିସି’) ବୈଠକରେ ମଧ୍ୟ ସେ ରେପୋ ରେଟ୍‌କୁ ସେଇଭଳି ଅପରିବର୍ତ୍ତିତ ରଖି ନିଜର କାର୍ଯ୍ୟକାଳ ସମାପ୍ତ କରିଥିଲେ।
ତାହାର ମାତ୍ର ଦୁଇ ମାସ ପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍‌ର ନୂତନ ଗଭର୍ନର୍ ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଏମ୍‌ପିସି’ ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍‌ରେ ଏକ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଛି: ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟି ରେପୋରେଟ୍‌ ବର୍ତ୍ତମାନ ହୋଇଛି ୬.୨୫ ଶତାଂଶ। ଶକ୍ତିକାନ୍ତଙ୍କ ପରି ସଞ୍ଜୟ ମଧ୍ୟ ହେଉଛନ୍ତି ଜଣେ ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ। ତେଣୁ ସ୍ବାଭାବିକ ଭାବରେ ଅନେକଙ୍କ ଠାରେ ଏକ କୌତୂହଳ ସୃଷ୍ଟି ହୋଇଥାଏ ଯେ ବିଗତ ଦୁଇ ମାସ ମଧ୍ୟରେ ଏପରି କ’ଣ ଘଟିଛି, ଯାହା ରେପୋ ରେଟ୍‌ରେ ସ୍ଥିତାବସ୍ଥା ତ୍ୟାଗ କରି ସେଥିରେ ଏହି ହ୍ରାସ ଘଟାଇବା ନିମିତ୍ତ ସଞ୍ଜୟ ମାଲହୋତ୍ରାଙ୍କୁ ପ୍ରବୃତ୍ତ କରିଛି? (ଆମେ ବିଶ୍ବାସ କରୁ ଯେ ସରକାର ସଞ୍ଜୟଙ୍କ ପ୍ରତି ମଧ୍ୟ କୌଣସି ନିକ୍ସନ୍‌ସୁଲଭ କୌଶଳ ପ୍ରୟୋଗ କରିନାହାନ୍ତି।) ଏ ପ୍ରଶ୍ନର ଉତ୍ତର ନିମ୍ନ ପ୍ରକାର ହୋଇପାରେ।
ଇତିମଧ୍ୟରେ ‘ନେସ୍‌ନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ’ (‘ଏନ୍‌ଏସ୍ଓ’) ୨୦୨୪-୨୫ ପାଇଁ ଭାରତର ଅଭିବୃଦ୍ଧି ହାର ସମ୍ବନ୍ଧରେ ପ୍ରକାଶ କରିଥିବା ସୂଚନା ନିରୁତ୍ସାହଜନକ ହୋଇଛି। ଖୋଦ ରିଜର୍ଭ ବ୍ୟାଙ୍କ୍ ଏହି ଅଭିବୃଦ୍ଧି ହାର ୬.୬ ଶତାଂଶ ହେବ ବୋଲି ଡିସେମ୍ବରରେ ପୂର୍ବାନୁମାନ ପ୍ରକାଶ କରିଥିବାବେଳେ ‘ଏନ୍ଏସ୍ଓ’ ତାହା ୬.୪ ଶତାଂଶ ହେବ ବୋଲି ଆକଳନ କରିଛି। ଅର୍ଥନୀତିଜ୍ଞମାନେ ଏକମତ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତକୁ ଅନ୍ୟୂନ ୮ ଶତାଂଶ ହାରେ ଅଭିବୃଦ୍ଧି ହାସଲ କରି ଚାଲିବାକୁ ହେବ। ଏଣୁ ଅଭିବୃଦ୍ଧିକୁ‌ ପ୍ରୋତ୍ସାହନ ପ୍ରଦାନ କରିବା ନିମିତ୍ତ ସୁଧ ହାରରେ ହ୍ରାସ ଘଟାଇବା ଜରୁରି ହୋଇପଡ଼ିଛି।
ଦ୍ବିତୀୟରେ ସଦ୍ୟତମ ବଜେଟ୍‌ରେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ବିତ୍ତୀୟ ସଂଯମ ରକ୍ଷା କରି ୨୦୨୫-୨୬ ବିତ୍ତ ବର୍ଷରେ ସରକାରଙ୍କର ରାଜକୋଷୀୟ ନିଅଣ୍ଟକୁ ‌େଦଶର ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’)ର ଏକ ନୀଚା ୪.୪ ଶତାଂଶ ସ୍ତରରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଅର୍ଥନୀତିକୁ ସହାୟତା ପ୍ରଦାନ କରିବା ପାଇଁ ସରକାର ନିଜର ଋଣ ଭାରରେ ବୃଦ୍ଧି କରି ହାତଖୋଲା ଖର୍ଚ୍ଚ କରିବାକୁ ଯାଉ ନାହାନ୍ତି। ଅବଶ୍ୟ ଏହାକୁ ଭରଣା କରିବା ପାଇଁ ସରକାର ଆୟକର ଛାଡ଼ ମାଧ୍ୟମରେ ଗ୍ରାହକମାନଙ୍କ ପାଖରେ ବଜାରରେ ଖର୍ଚ୍ଚ କରିବା ନିମିତ୍ତ ଅତିରିକ୍ତ ଏକ ଲକ୍ଷ କୋଟି ଟଙ୍କା ଉପଲବ୍‌ଧ କରାଇଛନ୍ତି। କିନ୍ତୁ ଏହା ସରକାରଙ୍କ ଦ୍ବାରା ସିଧାସଳଖ ଖର୍ଚ୍ଚ ପରି ପ୍ରଭାବଶାଳୀ ନ ହୋଇପାରେ। ଏଇ ସମୟରେ ଡୋନାଲ୍‌ଡ ଟ୍ରମ୍ପଙ୍କ ଯୋଗୁଁ ବିଶ୍ବ ଅର୍ଥନୀତିରେ ଦେଖାଦେଇଥିବା ଅସ୍ଥିରତାର ମୁକାବିଲା କରିବା ନିମିତ୍ତ ଭାରତୀୟ ଶିଳ୍ପବାଣିଜ୍ୟ କ୍ଷେତ୍ର ମଧ୍ୟ ସହାୟତା ଆବଶ୍ୟକ କରୁଛି। ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ମଧ୍ୟ ବିଗତ କେତେ ମାସ ଧରି ସର୍ବୋଚ୍ଚ ସହନ ସୀମା ୬ ଶତାଂଶ ତଳେ ରହିଆସିଛି (ସଦ୍ୟତମ- ୫.୨ ଶତାଂଶ)। ଏଣୁ ଏ ସମସ୍ତ କାରଣକୁ ବିଚାରକୁ ନେଲେ ମନେ ହୋଇଥାଏ ଯେ ସଞ୍ଜୟଙ୍କ ସ୍ଥାନରେ ଶକ୍ତିକାନ୍ତ ଥିଲେ ମଧ୍ୟ ଏଥର ରେପୋ ରେଟ୍‌ରେ ଏହି ହ୍ରାସ ଘଟାଇଥାନ୍ତେ। ସଞ୍ଜୟ ଉବାଚ ମଧ୍ୟ ହୋଇଥାନ୍ତା ଶକ୍ତିକାନ୍ତ ଉବାଚ।