ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍‌କ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଦୀର୍ଘ କାଳ ଧରି ଅନୁସୃତ ହୋଇଆସିଥିବା ଯେଉଁ ଏକ ପରମ୍ପରାର ଅନ୍ତ ଘଟିବ, ତାହା ହେଲା ‘ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର’ ବା ‘ମୋଷ୍ଟ ଫେଭର୍‌ଡ ନେସନ୍’ (‘ଏମ୍ଏଫ୍ଏନ୍’) ଧାରଣା। ଏହା ଅନୁସାରେ ଏକ ଦେଶ ଅନ୍ୟ କୌଣସି ଦେଶ ପ୍ରତି ଯେଉଁ ସର୍ବୋତ୍ତମ ବାଣିଜ୍ୟ ନୀତି ଅବଲମ୍ବନ କରିଥାଏ, ତାହା ସେ ଦେଶ ତା’ର ଅନ୍ୟ ବାଣିଜ୍ୟ ପାର୍ଟନର୍ ଦେଶମାନଙ୍କ ପ୍ରତି ମଧ୍ୟ ଅବଲମ୍ବନ କରିବାକୁ ବାଧ୍ୟ ହୋଇଥାଏ।

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ୧୦୦ ଡଲାର୍ ନୋଟ୍‌ରେ ସେ ରାଷ୍ଟ୍ରର ଅନ୍ୟତମ ପ୍ରତିଷ୍ଠାତା ପିତା ତଥା ମହାନ ପଣ୍ଡିତ ବେଞ୍ଜାମିନ୍ ଫ୍ରାଙ୍କଲିନ୍‌ଙ୍କର ମୁଖମଣ୍ଡଳର ଛବି ଶୋଭା ପାଇଥାଏ। ଫ୍ରାଙ୍କଲିନ୍ ଥରେ ଲେଖିଥିଲେ, ‘‘ବାଣିଜ୍ୟ ଦ୍ବାରା କେବେ‌େହଲେ କୌଣସି ଦେଶର କ୍ଷତି ଘଟି ନ ଥାଏ।’’ କିନ୍ତୁ ଏହା ସତ୍ତ୍ବେ ସେମାନେ ଅନ୍ୟ ଦେଶମାନଙ୍କୁ ବାଣିଜ୍ୟ ପ୍ରତିବନ୍ଧକମାନ ହଟାଇବା ନିମିତ୍ତ ଉତ୍ସାହିତ କରୁଥିବାବେଳେ ଆମେରିକା ଓ ଇଉରୋପ ନିଜ ନିଜ ଅଞ୍ଚଳରେ ହେଉଥିବା ଆମଦାନି ଉପରେ ଶୁଳ୍‌କ ବସାଇବାରେ ଲାଗିଥିଲେ। ସେମାନେ ଏଭଳି ନୀତି ଅବଲମ୍ବନ କରିବାର ଅନ୍ୟତମ କାରଣ ଥିଲା ସମ୍ବଳ ସଂଗ୍ରହର ଆବଶ୍ୟକତା। ଆୟ କରର ବ୍ୟାପକ ବ୍ୟବହାର ପୂର୍ବରୁ ଅନେକ ଦେଶମାନଙ୍କ ପାଇଁ ଆମଦାନି ଶୁଳ୍‌କ (ବର୍ତ୍ତମାନର ବହୁ ଚର୍ଚ୍ଚିତ ‘ଟାରିଫ୍’) ଥିଲା ସମ୍ବଳ ସଂଗ୍ରହର ଏକ ପ୍ରଧାନ ସୂତ୍ର। ବାସ୍ତବରେ ନେପୋଲିଅନୀୟ ଯୁଦ୍ଧ ଏବଂ ଆମେରିକାର ଗୃହଯୁଦ୍ଧ ପାଇଁ ଆବଶ୍ୟକ ସମ୍ବଳ ମୁଖ୍ୟତଃ ଆମଦାନି ଶୁଳ୍‌କରେ ବୃଦ୍ଧି ମାଧ୍ୟମରେ ହିଁ ସଂଗୃହୀତ ହୋଇଥିଲା।
ସଂପୃକ୍ତ ଦେଶର ସରକାରଙ୍କ ପାଇଁ ଆମଦାନି ଶୁଳ୍‌କ ସଂଗ୍ରହ କରିବା ସହଜ ହୋଇଥାଏ ଏବଂ ଏହା ସରକାରଙ୍କ ବଜେଟ୍‌କୁ ପରିପୁଷ୍ଟ କରିଥାଏ। ଏହା କିନ୍ତୁ ସେ ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ହୋଇ ନ ଥାଏ। ଆନ୍ତର୍ଜାତିକ ବାଣିଜ୍ୟର ଛାତ୍ରଛାତ୍ରୀମାନେ ଆମଦାନି ଶୁଳ୍‌କକୁ ସେ ଦେଶର ବନ୍ଦରମାନଙ୍କର ପ୍ରବେଶ ପଥରେ ବଡ଼ ବଡ଼ ପଥର ଖଣ୍ଡ ପକାଇ ଜାହାଜ ଚଳାଚଳକୁ ବ୍ୟାହତ କରିବା ଉଦ୍ୟମ ସହିତ ତୁଳନା କରିଥାନ୍ତି। ସେ ଦେଶ ଯଦି ତା’ର ବାଣିଜ୍ୟ-ପାର୍ଟନର୍ ଦେଶମାନଙ୍କ ଆଚରଣକୁ ଅପେକ୍ଷା ନ କରି ନିଜର ବନ୍ଦରମାନଙ୍କର ପ୍ରବେଶ ପଥରୁ ପଥର ହଟାଇ ଜାହାଜ ଚଳାଚଳକୁ ସୁଗମ କରିଦିଏ, ତେବେ ଏହାଦ୍ବାରା ସେ ଦେଶ ନିଶ୍ଚିତ ରୂପେ ଲାଭବାନ ହେବ। ଶହେ ଡଲାର୍ ନୋଟ୍‌କୁ ମୂଲ୍ୟ ପ୍ରଦାନ କରୁଥିବା ବେଞ୍ଜାମିନ୍ ଫ୍ରାଙ୍କଲିନ୍‌ଙ୍କ ଚିନ୍ତାଧାରା ଏହି ସରଳ ସତ୍ୟ ଉପରେ ପ୍ରତିଷ୍ଠିତ ଥିଲା।
କିନ୍ତୁ କୁହାଯାଇଥାଏ, ଉତ୍ତମ ଅର୍ଥନୀତି ହେଉଛି ଅସୁବିଧାଜନକ ରାଜନୀତି। ରାଜନେତାମାନଙ୍କ ପାଇଁ ଆମଦାନି ଶୁଳ୍‌କ ବସାଇବା ଯେ ସୁବିଧାଜନକ ହୋଇଥାଏ, ତାହାର ଏକ ମୂର୍ତ୍ତିମନ୍ତ ଉଦାହରଣ ହେଉଛନ୍ତି ସେଇ ଫ୍ରାଙ୍କଲିନ୍‌ଙ୍କ ଦେଶ ଆମେରିକାରେ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍‌ଡ ଟ୍ରମ୍ପ। ଟ୍ରମ୍ପଙ୍କର ଘୋଷିତ ଲକ୍ଷ୍ୟ ହେଉଛି ଅତୀତର ପୁନରାବୃତ୍ତି କଲାଭଳି ତାଙ୍କ ସରକାର ସମ୍ବଳ ସଂଗ୍ରହ ପାଇଁ ଆୟ କର ସ୍ଥାନରେ ଆମଦାନି ଶୁଳ୍‌କକୁ ମୁଖ୍ୟ ଉପାୟ ରୂପେ ପୁନଃ ପ୍ରତିଷ୍ଠିତ କରିବା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବନ୍ଧୁ-ଶତ୍ରୁ ନିର୍ବିଶେଷରେ ପୃଥିବୀର ଅଧିକାଂଶ ଦେଶମାନଙ୍କ ପ୍ରତି ଆମଦାନି ଶୁଳ୍‌କ ଲାଗୁ କରିବା ପାଇଁ ତାଙ୍କର ବାରମ୍ବାର ଘୋଷଣା ତାଙ୍କ ଦେଶରେ ବିପୁଳ ଜନସମର୍ଥନ ଲାଭ କରିବା ଦେଖାଯାଉଛି, ଅର୍ଥାତ୍ ଏହି ପଦକ୍ଷେପ ହେଉଛି ଡୋନାଲ୍‌ଡ ଟ୍ରମ୍ପଙ୍କ ପାଇଁ ଉତ୍ତମ ରାଜନୀତି।
ଟ୍ରମ୍ପଙ୍କର ଏହି ଅଣ-ଫ୍ରାଙ୍କଲିନ୍‌ସୁଲଭ ଆଚରଣର ଏକ ସଦ୍ୟ ପରିପ୍ରକାଶ ଦେଖିବାକୁ ମିଳିଥିଲା ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା କରିବା ପରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିବା ଘୋଷଣାରେ। ‌େସ ସ୍ପଷ୍ଟ କରିଦେଇଥିଲେ ଯେ ଭାରତ ଆମେରିକାରୁ ଆମଦାନି କରୁଥିବା ନିର୍ଦ୍ଦିଷ୍ଟ ଦ୍ରବ୍ୟ ବା ନିର୍ଦ୍ଦିଷ୍ଟ ଶ୍ରେଣୀୟ ଦ୍ରବ୍ୟମାନଙ୍କ ଉପରେ ଯେଉଁ ହାରରେ ଆମଦାନି ଶୁଳ୍‌କ ଲାଗୁ କରିବ, ଆମେରିକା ମଧ୍ୟ ଭାରତରୁ ଆମଦାନି କରୁଥିବା ସେଇଭଳି ଦ୍ରବ୍ୟମାନଙ୍କ ଉପରେ ଅନୁରୂପ ହାରରେ ଆମଦାନି ଶୁଳ୍‌କ ଲାଗୁ କରିବ। ଟ୍ରମ୍ପ ତାଙ୍କର ଏହି ଯେସାକୁ ତେସା ନୀତିକୁ ଆମେରିକା ସହିତ ବାଣିଜ୍ୟ ସଂପର୍କ ଥିବା ସମସ୍ତ ଦେଶମାନଙ୍କ ପ୍ରତି ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି।
ତାଙ୍କର ଏହି ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେଲେ, ଭାରତୀୟ ଅର୍ଥନୀତିର ଅଗ୍ରଗତି ଗୁରୁତର ଭାବରେ ବାଧାପ୍ରାପ୍ତ ହେବ ବୋଲି ଆମ ଦେଶରେ ଘୋର ଆଶଙ୍କା ପ୍ରକାଶ ପାଇବା ଦେଖାଯାଉଛି। କିନ୍ତୁ ଭାରତୀୟ ବାଣିଜ୍ୟ ଉପରେ ଓ ଅର୍ଥନୀତି ଉପରେ ଟ୍ରମ୍ପଙ୍କର ଏହି ଅନ୍ତର୍ମୁଖୀ ନୀତିର ସମ୍ଭାବ୍ୟ ପ୍ରଭାବକୁ ଯଦି ଯତ୍ନର ସହିତ ଅନୁଶୀଳନ କରାଯାଏ, ତେବେ ଏଭଳି ଆତଙ୍କ ଏକ ଅତିରଞ୍ଜନ ପରି ମନେ ହୋଇଥାଏ। ଉଦାହରଣ ସ୍ବରୂପ ଆମେ ଆମେରିକାକୁ ଯେଉଁ ଦ୍ରବ୍ୟମାନ ରପ୍ତାନି କରିଥାଉ (ଅର୍ଥାତ୍ ଆମେରିକା ଭାରତରୁ ଆମଦାନି କରିଥାଏ), ଆମେ ଯେତେବେଳେ ସେଇ ଶ୍ରେଣୀୟ ଦ୍ରବ୍ୟମାନ ଆମେରିକାରୁ ଆମଦାନି କରିଥାଉ, ତାହାର ୭୫ ଶତାଂଶ ଉପରେ ଆମେ ହାରାହାରି ମାତ୍ର ୫ ଶତାଂଶ ହାରରେ ଆମଦାନି ଶୁଳ୍‌କ ଲାଗୁ କରିଥାଉ। ଅପରପକ୍ଷେ ପୋଷାକପତ୍ର, ବସ୍ତ୍ର, ଚମଡ଼ା ପଦାର୍ଥ ପରି ଶ୍ରମ-ସଘନ ପଦାର୍ଥମାନଙ୍କର ଆମଦାନି ଉପରେ ଆମେରିକା ୧୫ରୁ ୩୦ ଶତାଂଶ ହାରରେ ଶୁଳ୍‌କ ଲାଗୁ କରିଥାଏ।
ତେଣୁ ଆମେରିକା ଯଦି ପ୍ରକୃତରେ ଯେସାକୁ ତେସା ବା ପାରସ୍ପରିକ ଶୁଳ୍‌କ ଲାଗୁ କରେ, ତେବେ ଭାରତ ରପ୍ତାନି କରୁଥିବା ଅନେକ ଦ୍ରବ୍ୟ ଉପରେ ଆମେରିକା ଆମଦାନି ଶୁଳ୍‌କରେ ହ୍ରାସ ଘଟାଇବାକୁ ବାଧ୍ୟ ହେବ। ଆମ ପାଇଁ ଯାହା ହେଉଛି ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଏଥିମଧ୍ୟରୁ ଅଧିକାଂଶ ଦ୍ରବ୍ୟ ଏଠାରେ କ୍ଷୁଦ୍ର ଓ ମଧ୍ୟମ ଆକାରର ଶିଳ୍ପସଂସ୍ଥାମାନଙ୍କ ଦ୍ବାରା ଉତ୍ପାଦିତ ହୋଇଥାଏ, ‌େଯଉଁଠି ଉତ୍ପାଦନ ତୁଳନାତ୍ମକ ଭାବରେ ଅଧିକ ଶ୍ରମଭିତ୍ତିକ ହୋଇଥାଏ। ପାରସ୍ପରିକ ଶୁଳ୍‌କ କାର୍ଯ୍ୟକାରୀ ହେବାଦ୍ବାରା ଏମାନଙ୍କର ରପ୍ତାନି ଓ ଉତ୍ପାଦନରେ ବୃଦ୍ଧି ଘଟିଲେ ସେଥିସହିତ ତାଳଦେଇ ନିଯୁକ୍ତି ସୃଷ୍ଟି ମଧ୍ୟ ବୃଦ୍ଧି ପାଇବ।
ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ପାଇଁ ଭାରତ ଯେଉଁସବୁ ଉଚ୍ଚ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଦ୍ରବ୍ୟମାନ ଆମେରିକାରୁ ଆମଦାନି କରିବାକୁ ଚାହେଁ, ତାହା ଉପରେ ଶୂନ୍ୟ ଆମଦାନି ଶୁଳ୍‌କ ବସାଇବା ଭାରତର ସ୍ବାର୍ଥ ପାଇଁ ଅନୁକୂଳ ହେବ। ଉଦାହରଣ ସ୍ବରୂପ ଆମେରିକାରୁ ଆମଦାନି କରୁଥିବା ଉଚ୍ଚ କ୍ଷମତାସଂପନ୍ନ ସେମିକଣ୍ଡକ୍ଟର୍ ଉପରେ ଭାରତ ଆଦୌ ଆମଦାନି ଶୁଳ୍‌କ ଲାଗୁ କରିବ ନାହିଁ।
ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍‌କ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଦୀର୍ଘ କାଳ ଧରି ଅନୁସୃତ ହୋଇଆସିଥିବା ଯେଉଁ ଏକ ପରମ୍ପରାର ଅନ୍ତ ଘଟିବ, ତାହା ହେଲା ‘ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର’ ବା ‘ମୋଷ୍ଟ ଫେଭର୍‌ଡ ନେସନ୍’ (‘ଏମ୍ଏଫ୍ଏନ୍’) ଧାରଣା। ଏହା ଅନୁସାରେ ଏକ ଦେଶ ଅନ୍ୟ କୌଣସି ଦେଶ ପ୍ରତି ଯେଉଁ ସର୍ବୋତ୍ତମ ବାଣିଜ୍ୟ ନୀତି ଅବଲମ୍ବନ କରିଥାଏ, ତାହା ସେ ଦେଶ ତା’ର ଅନ୍ୟ ବାଣିଜ୍ୟ ପାର୍ଟନର୍ ଦେଶମାନଙ୍କ ପ୍ରତି ମଧ୍ୟ ଅବଲମ୍ବନ କରିବାକୁ ବାଧ୍ୟ ହୋଇଥାଏ। ୧୮୬୦ରେ ବ୍ରିଟେନ୍ ଓ ଫ୍ରାନ୍‌ସ ମଧ୍ୟରେ ସଂପନ୍ନ ହୋଇଥିବା ବାଣିଜ୍ୟ ଚୁକ୍ତିରେ ପ୍ରଥମେ ସ୍ଥାନ ପାଇଥିବା ଏହି ପରିକଳ୍ପନା ବର୍ତ୍ତମାନ ‘ବିଶ୍ବ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’)ର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଛି। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍‌କ ବିରାଜମାନ କରୁଥିବା ଦୁନିଆରେ ‘ଡବ୍ଲ୍ୟୁଟିଓ’ର ଏହି ସାମ୍ୟବାଦୀ ଆଦର୍ଶର ସ୍ଥାନ ନାହିଁ। ଟ୍ରମ୍ପଙ୍କ ଏହି ଯେସାକୁ ତେସା ନିଶାଜନିତ ସାମୟିକ ବିକୃତି ଦ୍ବାରା କିନ୍ତୁ ହତୋତ୍ସାହିତ ନ ହୋଇ ଭାରତ ସମେତ ପୃଥିବୀର ଅନ୍ୟ ସମସ୍ତ ଦେଶମାନେ ପୃଥିବୀରେ ଅବାଧ ବାଣିଜ୍ୟର ପ୍ରସାର ଘଟାଇବା ନିମିତ୍ତ ‘ଡବ୍ଲ୍ୟୁଟିଓ’କୁ ଜୀବନ୍ତ ରଖିବା ପାଇଁ ଉଦ୍ୟମ କରିବା ଜରୁରି। କାରଣ ବାଣିଜ୍ୟ ବିନା ବିକାଶ ସମ୍ଭବ ନୁହେଁ।