ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ମ୍ୟାଚଗୁଡ଼ିକୁ ପୃଥିବୀର ସର୍ବାଧିକ ଉତ୍କଣ୍ଠା ସୃଷ୍ଟିକାରୀ ପ୍ରତିଦ୍ବନ୍ଦ୍ବିତା ରୂପେ ଗଣାଯାଇଥାଏ, ଯାହା ପୃଥିବୀର ଯେ କୌଣସି ସ୍ଥାନରେ ହେଲେ ସୁଦ୍ଧା ଏକ ଭରପୂର ଷ୍ଟାଡିଅମକୁ ସୁନିଶ୍ଚିତ କରିଥାଏ। ପାକିସ୍ତାନର ବିଡ଼ମ୍ବନା ହେଲା ରାଜନୈତିକ ବୈରୀ କାରଣରୁ ପାକିସ୍ତାନ ଭୂମିରେ ଭାରତ-ପାକିସ୍ତାନ ମ୍ୟାଚମାନ ଅନୁଷ୍ଠିତ ନ ହୋଇ ଦୁବାଇ ବା ଅନ୍ୟ ସ୍ଥାନମାନଙ୍କରେ ଆେୟାଜିତ ହେଉଛି ଏବଂ ଯାହା ପାକିସ୍ତାନକୁ ବିପୁଳ ଆୟ ପ୍ରଦାନ କରନ୍ତା, ତାହା ଅନ୍ୟ େଦଶର ଜମା ଖାତାକୁ ଯାଉଛି।
ଗଲା ଗୁରୁବାର ଠାରୁ କରାଚୀସ୍ଥିତ ନେସନାଲ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ‘ଆଇ.ସି.ସି. ଚାଂପିଅନ୍ସ ଟ୍ରଫି’ ଟୁର୍ନାମେଣ୍ଟଟି ଚର୍ଚ୍ଚାର ବିଷୟ ହେବା ସକାଶେ ଏକାଧିକ କାରଣ ବିଦ୍ୟମାନ ଥିଲେ େହଁ ଯେଉଁ ଅତ୍ୟନ୍ତ ଅନପେକ୍ଷିତ କାରଣଟି ଆଲୋଚନା ପରିସରଭୁକ୍ତ ହୋଇଛି, ତାହା ହେଲା ପାକିସ୍ତାନ ଭଳି ଏକ କ୍ରିକେଟ୍-ପ୍ରମତ୍ତ ରାଷ୍ଟ୍ରରେ ପ୍ରାୟ ତିରିଶ ବର୍ଷ ଅନ୍ତରାଳରେ ବିଶ୍ବ କପ୍ ସମକକ୍ଷ ଏକ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ଉଦ୍ଘାଟନୀ ମ୍ୟାଚରେ ହିଁ ଷ୍ଟାଡିଅମର ଅନେକ ଆସନ ଶୂନ୍ୟ ରହିବା। ତେବେ, କେବଳ ସେତିକି ନୁହେଁ, ଆହୁରି ବିସ୍ମୟକର ବିଷୟ ହେଲା ଏହି ମ୍ୟାଚରେ ଖୋଦ୍ ପାକିସ୍ତାନୀ ଦଳ ଅବତୀର୍ଣ୍ଣ ହୋଇଥିଲା ଏବଂ ଭୁଲିଗଲେ ହେବ ନାହିଁ ଯେ ପାକିସ୍ତାନ ହେଉଛି ଏହା ପୂର୍ବ ‘ଆଇସିସି ଚାଂପିଅନ୍ସ ଟ୍ରଫି’ର ବିଜେତା। ତେବେ, ଏହି କାରଣ ଉପରେ ଗଭୀର ଦୃଷ୍ଟିପାତ କଲେ ଏହା ସହିତ ପାକିସ୍ତାନର ରାଜନୀତି, ରଣନୈତିକ ଆଭିମୁଖ୍ୟ ଏବଂ ଆର୍ଥିକ ଅବସ୍ଥା ଇତ୍ୟାଦି ଭଳି ବିଭିନ୍ନ ପ୍ରସ୍ଥର ସଂପର୍କ ଥିବାରୁ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଏହା ପୂର୍ବରୁ ୧୯୯୬ ମସିହାରେ ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନ ଏକତ୍ର କ୍ରିକେଟ୍ ବିଶ୍ବକପର ଆୟୋଜନ କରିଥିଲେ। ସୁତରାଂ, ପାକିସ୍ତାନ ଭଳି କ୍ରିକେଟ୍ ପାଗଳ ରାଷ୍ଟ୍ରରେ ପ୍ରାୟ ତିନି ଦଶନ୍ଧିର କ୍ରିକେଟ୍ ବୁଭୁକ୍ଷାକୁ ତୃପ୍ତ କରିବା ଲାଗି ଚାଂପିଅନ୍ସ ଟ୍ରଫି ମ୍ୟାଚଗୁଡ଼ିକ ଯେ ଚୁମ୍ବକୀୟ ଆକର୍ଷଣର କେନ୍ଦ୍ର ହେବ, ତାହା ଆଶା କରିବା ଥିଲା ସ୍ବାଭାବିକ। ଏହି ଆଶାକୁ ଆହୁରି ଦୃଢ଼ କରିଥିଲା ପାକିସ୍ତାନୀ ଗଣମାଧ୍ୟମର ସମ୍ବାଦ ଯେ ଟିକେଟ୍ ଖର୍ଦ୍ଦିରେ ବିପୁଳ ଉତ୍ସାହ ପରିଲକ୍ଷିତ ହେଉଛି, ଅନ୍ତତଃ ପାକିସ୍ତାନ ଟିମ୍ ଖେଳୁଥିବା ମ୍ୟାଚଗୁଡ଼ିକର ଟିକେଟ୍ ଖୁବ୍ ଶୀଘ୍ର ଶେଷ ହୋଇଯାଇଛି। କିନ୍ତୁ ପାକିସ୍ତାନ ଖେଳୁଥିବା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଉପସ୍ଥିତ ଇଂଲାଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନଙ୍କ ‘ଏକ୍ସ’ ହାଣ୍ଡଲ ନିସୃତ ମନ୍ତବ୍ୟ ହେଲା: ‘ତିରିଶ ବର୍ଷ ପରେ ପାକିସ୍ତାନରେ ଏଭଳି ଏକ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ଖୁସିର କଥା। କିନ୍ତୁ ମ୍ୟାଚ ହେଉଛି ବୋଲି ସ୍ଥାନୀୟ ଲୋକଙ୍କୁ କହିବାକୁ େସମାନେ ଭୁଲିଗଲେ କି? ଲୋକ କାହାନ୍ତି?’ ତେଣୁ ପ୍ରଶ୍ନ ଉଠିଥାଏ ଯେ ଟିକେଟ୍ କ୍ରୟ କରିଥିବା ଦର୍ଶକ ଗଲେ କୁଆଡ଼େ? ଏହି ସନ୍ଦର୍ଭରେ ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଟିକେଟ୍ ବିକ୍ରି ହୋଇ ସାରିଛି ବୋଲି ବ୍ୟାଖ୍ୟାନଟିଏ ବୋଧହୁଏ ପାକିସ୍ତାନୀ ଗଣମାଧ୍ୟମ ଦ୍ବାରା ସୃଷ୍ଟ, ଯାହାର ଉଦ୍ଦେଶ୍ୟ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରସାରିତ ସମ୍ବାଦର ପ୍ରଭାବକୁ ପ୍ରତିହତ କରିବା; କାରଣ କେତେକ ବିଦେଶୀ ଗଣମାଧ୍ୟମ ବାରମ୍ବାର କହି ଚାଲିଥିଲେ ଯେ କ୍ରିକେଟ୍ ଟୁର୍ନାମେଣ୍ଟ ଲାଗି ପାକିସ୍ତାନ ପ୍ରସ୍ତୁତ ନୁହେଁ ଏବଂ ସେଠାରେ ଷ୍ଟାଡିଅମଗୁଡ଼ିକର ନବୀକରଣ କାର୍ଯ୍ୟ ଅଧାପନ୍ତରିଅା ଓ ଅତ୍ୟନ୍ତ ଶିଥିଳ! ଏହି ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏହି ଟୁର୍ନାମେଣ୍ଟ ଲାଗି ସାଧାରଣ ଟିକେଟ୍ର ମୂଲ୍ୟ ଅପେକ୍ଷାକୃତ ଶସ୍ତା (ଭାରତୀୟ ମୁଦ୍ରାରେ ମାତ୍ର ଅଢ଼େଇ ଶହ ଟଙ୍କା) ହୋଇଥିଲେ ହେଁ ପାକିସ୍ତାନର ଦୟନୀୟ ଆର୍ଥିକ ସ୍ଥିତି, ଅତ୍ୟାବଶ୍ୟକ ଦ୍ରବ୍ୟର ଅତ୍ୟୁଚ୍ଚ ମୁଦ୍ରାସ୍ଫୀତି ଏବଂ ସାଧାରଣ ନାଗରିକଙ୍କ ଆୟରେ ତୀବ୍ର ସଂକୋଚନ ହେତୁ ଟିକେଟ୍ କ୍ରୟ କରିବା ଲାଗି ଆଗ୍ରହ ସୃଷ୍ଟି ହୋଇନାହିଁ, ବରଂ କ୍ରିକେଟ୍ ପ୍ରେମୀମାନେ ଗୃହାବଦ୍ଧ ହୋଇ େଟଲିଭିଜନ ଯୋଗେ ତାହା ଉପଭୋଗ କରିବାକୁ ପସନ୍ଦ କରିଛନ୍ତି। ଆଉ ଗୋଟିଏ ମତ ହେଲା, ଆତଙ୍କବାଦୀ ଆକ୍ରମଣର ଭୟ ହେତୁ ହୁଏତ ଅନେକ ଦର୍ଶକ ଷ୍ଟାଡିଅମରେ ଉପସ୍ଥିତ ହୋଇ ନ ଥିବେ। ପ୍ରକାଶ ଥାଉ କି ଆତଙ୍କବାଦର କରାଳ ଛାୟା ଦ୍ବାରା ସଂପ୍ରତି ପାକିସ୍ତାନ ରାହୁଗ୍ରସ୍ତ; କେବଳ ଗତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୧୬୦୦ ଲୋକ ନିହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର ଠିକ୍ ଅବ୍ୟବହିତ ପୂର୍ବରୁ ବେଲୁଚିସ୍ତାନ ଠାରେ ଆତଙ୍କବାଦୀମାନେ ସାତ ଜଣଙ୍କୁ ହତ୍ୟା କରିଛନ୍ତି। ଏହା ମଧ୍ୟ ସମସ୍ତଙ୍କ ସ୍ମରଣରେ ଥିବ ଯେ ୨୦୦୯ ମସିହାରେ ପାକିସ୍ତାନ ମାଟିରେ ଶ୍ରୀଲଙ୍କା କ୍ରିକେଟ୍ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ସଂଘଟିତ ହୋଇଥିଲା। କହିବା ବାହୁଲ୍ୟ ଯେ ‘ଚାଂପିଅନ୍ସ ଟ୍ରଫି’ ଭଳି ଏକ ବିଶ୍ବସ୍ତରୀୟ ଟୁର୍ନାମେଣ୍ଟରେ ରକ୍ତାକ୍ତ ବ୍ୟାଘାତ ସୃଷ୍ଟି କରିବା ଯେ କୌଣସି ଆତଙ୍କବାଦୀ ଗୋଷ୍ଠୀ ସକାଶେ ଏକ ସ୍ବପ୍ନ ଭଳି ହୋଇପାରେ, ଯେଉଁ ଆଶଙ୍କା ହେତୁ ଲାହୋର, କରାଚୀ ଓ ରାୱଲ ପିଣ୍ଡି ଭଳି ମାତ୍ର ତିନିଟି ସ୍ଥାନରେ ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେଉଥିଲେ ହେଁ ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ଏବଂ ସେନା ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ସୁତରାଂ, ଚାଂପିଅନ୍ସ ଟ୍ରଫି ହେତୁ ପାକିସ୍ତାନରେ ଯେଉଁଭଳି ଉତ୍ସବମୁଖର ବାତାବରଣ ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା, ତାହା ଦୃଷ୍ଟିଗୋଚର ହେଉନାହିଁ।
‘କ୍ରିକେଟ୍ କଣିକା’କୁ ଶୋଣିତରେ ଧାରଣ କରିଥିବା ପ୍ରାୟ ୨୫ କୋଟି ନାଗରିକଙ୍କ ଏହି ଦେଶ ଯଦି ଏକ ସୁସ୍ଥ ରାଜନୈତିକ ବାତାବରଣ ଦେଇ ଗତି କରିଥାଆନ୍ତା, ତେବେ ତାହା ହୁଏତ ଭାରତ ପଛକୁ ଦ୍ବିତୀୟ ସର୍ବାଧିକ ପ୍ରଭାବଶାଳୀ କ୍ରିକେଟ୍-ରାଷ୍ଟ୍ରରେ ପରିଣତ ହୋଇଥାଆନ୍ତା। କହିବା ଅନାବଶ୍ୟକ ଯେ କ୍ରୀଡ଼ା ପ୍ରତିଭାର ସାନ୍ଦ୍ରତା ଏବଂ କ୍ରୀଡ଼ାପ୍ରେମୀଙ୍କ ସଂଖ୍ୟା ଓ କ୍ରିକେଟ୍-ଆସକ୍ତି ଦୃଷ୍ଟିରୁ ଏହି କ୍ରୀଡ଼ାକୁ ଉପଜୀବ୍ୟ କରି ଏକ ‘ସୁପର ପାୱାର’ରେ ପରିଣତ ହେବାର ସମସ୍ତ ବିଭବ ପାକିସ୍ତାନରେ ରହିଛି। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯେ ପାକିସ୍ତାନର ରାଜନୀତି ଓ ରଣନୀତିି ତାହା ଅଗତ୍ୟା କରାଇ ଦେଉନାହିଁ। ବିଶେଷଜ୍ଞମାନଙ୍କ ମତରେ ‘କାଶ୍ମୀର’ ମୋହାବିଷ୍ଟ ପାକିସ୍ତାନୀ ସରକାରଗୁଡ଼ିକ ସମସ୍ତ ଦୂରଦୃଷ୍ଟି ପରିହାର କରି ଯେଉଁ ପଥରେ ଅଗ୍ରସର ହୋଇ ଚାଲିଛନ୍ତି, ତାହା ସେ ରାଷ୍ଟ୍ରକୁ ଉପହାର ସ୍ବରୂପ ପ୍ରଦାନ କରିଛି ସାମରିକ ବାହିନୀର ଅସୀମ ଓ ଅଯଥାର୍ଥ ପ୍ରଭୁତ୍ବ, ଖର୍ବକାୟ ଗଣତନ୍ତ୍ର, ରାଜନୈତିକ ଅସ୍ଥିରତା, ଆର୍ଥିକ ବିପର୍ଯ୍ୟୟ ଓ ନିଦାରୁଣ ଆତଙ୍କବାଦ। ସେଠାରେ କ୍ଷମତା କନ୍ଦଳ କିଭଳି ତୀବ୍ର ହୋଇପାରେ, ତା’ର ଉଦାହରଣ ହେଲେ କାରାଗାରରେ ବନ୍ଦୀ ଇମରାନ ଖାଁ, ଯିଏ ହେଉଛନ୍ତି ପାକିସ୍ତାନର ସର୍ବ ପ୍ରସିଦ୍ଧ କ୍ରିକେଟ୍ ‘ଆଇକନ’। ଏଭଳି ସ୍ଥଳେ ସେଠାରେ କ୍ରିକେଟ୍ର ଉନ୍ନତି ଓ କ୍ରିକେଟ୍ ଅର୍ଥନୀତିର ବିକାଶ ପଥରେ ସମସ୍ତ ଦ୍ବାର ଯେ ରୁଦ୍ଧ, ତାହା ବୁଝି ହୋଇଥାଏ।
ସଂପ୍ରତି ଭାରତରେ କ୍ରିକେଟ୍ କିଭଳି ଉଚ୍ଚତମ ଆସନରେ ଅଧିଷ୍ଠିତ ଏବଂ ‘ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ’ ବା ‘ବିସିସିଆଇ’ କିଭଳି ବିଶ୍ବ କ୍ରିକେଟ୍ର ‘ଗାର୍ଜନ’ ହୋଇ ସାରିଲାଣି, ସେ ବିଷୟରେ ବୁଝାଇ କହିବାର ଆବଶ୍ୟକତା ନାହିଁ। ସଂପ୍ରତି ପୃଥିବୀର ସର୍ବାଧିକ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ହେଉଛି ‘ବିସିସିଆଇ’, ୨୦୨୩-୨୪ ବର୍ଷରେ ଯାହାର ବାର୍ଷିକ ଆୟ ଥିଲା ପ୍ରାୟ ୯ ହଜାର କୋଟି ଟଙ୍କା।
ବିଶ୍ବ କ୍ରିକେଟ୍ ଉପରେ ‘ବିସିସିଆଇ’ର ପ୍ରଭାବ କିଭଳି ଗଭୀର ତାହା କେବଳ ଏଥିରୁ ଜଣା ପଡ଼ିଥାଏ ଯେ ଚଳିତ ଚାଂପିଅନ୍ସ ଟ୍ରଫିରେ ପାକିସ୍ତାନ ଭୂମିରେ ଖେଳିବାକୁ ପ୍ରତ୍ୟାଖ୍ୟାନ କରିଥିବା ଭାରତ ସକାଶେ ସବୁ ଯାକ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ। ଏହା ମଧ୍ୟ ସତ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ମ୍ୟାଚଗୁଡ଼ିକୁ ପୃଥିବୀର ସର୍ବାଧିକ ଉତ୍କଣ୍ଠା ସୃଷ୍ଟିକାରୀ ପ୍ରତିଦ୍ବନ୍ଦ୍ବିତା ରୂପେ ଗଣାଯାଇଥାଏ, ଯାହା ପୃଥିବୀର ଯେ କୌଣସି ସ୍ଥାନରେ ହେଲେ ସୁଦ୍ଧା ଏକ ଭରପୂର ଷ୍ଟାଡିଅମକୁ ସୁନିଶ୍ଚିତ କରିଥାଏ। ପାକିସ୍ତାନର ବିଡ଼ମ୍ବନା ହେଲା ରାଜନୈତିକ ବୈରୀ କାରଣରୁ ପାକିସ୍ତାନ ଭୂମିରେ ଭାରତ-ପାକିସ୍ତାନ ମ୍ୟାଚମାନ ଅନୁଷ୍ଠିତ ନ ହୋଇ ଦୁବାଇ ବା ଅନ୍ୟ ସ୍ଥାନମାନଙ୍କରେ ଆେୟାଜିତ ହେଉଛି ଏବଂ ଯାହା ପାକିସ୍ତାନକୁ ବିପୁଳ ଆୟ ପ୍ରଦାନ କରନ୍ତା, ତାହା ଅନ୍ୟ େଦଶର ଜମା ଖାତାକୁ ଯାଉଛି।
‘କ୍ରିକେଟ୍’ ବୋଲି ଇଂରେଜୀରେ ଆଉ ଯାହାକୁ ଚିହ୍ନିତ କରାଯାଏ ତାହା ହେଉଛି ଝିଙ୍କାରି, ଏକ ନିର୍ଦ୍ଦିଷ୍ଟ କିସମର ସ୍ବର ସୃଷ୍ଟି କରୁଥିବା ଝିଣ୍ଟିକା ଜାତିର ପତଙ୍ଗ। ଯଦିଓ କ୍ରିକେଟ୍ େଖଳର ଏଭଳି ନାମକରଣ ସହିତ ‘ଝିଙ୍କାରି’ର କୌଣସି ସଂପର୍କ ନାହିଁ ବୋଲି କୁହାଯାଇଥାଏ, କେତେକ ଭାଷାତତ୍ତ୍ବବିତ୍ ଦର୍ଶାନ୍ତି ଯେ ବ୍ୟାଟ୍ ଓ ବଲ୍ର ସଂଯୋଗରେ ଉତ୍ପନ୍ନ ହେଉଥିବା ‘କ୍ରିକ୍’ ଭଳି ‘ଷ୍ଟକାେଟା’ ଶବ୍ଦଟି ଅନେକ ମାତ୍ରାରେ ଝିଙ୍କାରିର ସଂଗୀତ ସହିତ ମେଳ ଖାଇଥାଏ, ସୁତରାଂ ଏଭଳି ନାମକରଣ ହୋଇଥିବା ସମ୍ଭବ। ଝିଙ୍କାରିଗୁଡ଼ିକ ସେମାନଙ୍କ ପ୍ରେମୀଙ୍କୁ ଆକୃଷ୍ଟ କରିବା ଲାଗି ନିରବ ନିଶାର୍ଧକୁ ଏଭଳି ଶବ୍ଦରେ ଭରି ଦିଅନ୍ତି। ପାକିସ୍ତାନରେ କିନ୍ତୁ ସେଭଳି ଘଟୁନାହିଁ; ‘ଝିଙ୍କାରି ସଂଗୀତ’ ତାହାର ପ୍ରେମୀମାନଙ୍କୁ ଷ୍ଟାଡିଅମକୁ ଟାଣି ଆଣି ପାରୁନାହିଁ।