ବିଶେଷ କୌଣସି ଉନ୍ନତିର ସ୍ବପ୍ନ ନ ଦେଖି ସେମାନେ କେବଳ ଯନ୍ତ୍ରବତ୍ କାର୍ଯ୍ୟ ସଂପାଦନ କରି ଚାଲିଥାଆନ୍ତି। ନିମ୍ନ ବିତ୍ତ ବର୍ଗର ଅସଂଖ୍ୟ ଲୋକେ କେବଳ ପେଟ ଚାଖଣ୍ଡକ ପୋଷିବା ଲାଗି ଦୀର୍ଘ ସମୟ ଧରି ହାଡ଼ଭଙ୍ଗା ପରିଶ୍ରମ କରି ଚାଲନ୍ତି। ଏମାନେ ସମସ୍ତେ ପରିଶେଷରେ ନିରବରେ ମଉଳି ଯାଆନ୍ତି। କିନ୍ତୁ, ଯେଉଁମାନେ ସଫଳତାର ସ୍ବପ୍ନ ଦେଖନ୍ତି, ସେମାନେ ବିଶ୍ରାମହୀନ ପରିଶ୍ରମ କରି ଚାଲନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଶେଷରେ ଦଗ୍ଧ ହୋଇ ଯାଆନ୍ତି। ବୋଧହୁଏ, ସେହିମାନଙ୍କ ଲାଗି ପପ୍ ଗାୟକ ନିଲ ୟଙ୍ଗ ଗାଇଥିଲେ ‘ଇଟ ଇଜ୍ ବେଟର ବର୍ନ ଆଉଟ୍ ଦ୍ୟାନ୍ ଫେଡ୍ ଆୱେ’ ଯାହାର ଅର୍ଥ ହେଲା ‘ମଉଳି ଯିବା ଠାରୁ ବରଂ ଦଗ୍ଧ ହୋଇଯିବା ଶ୍ରେୟସ୍କର’। ଏହି ଗୀତଟି ସେହିମାନଙ୍କ ଲାଗି ଉଦ୍ଦିଷ୍ଟ ଯେଉଁମାନେ ନିରବରେ ମଉଳି ନ ଯାଇ ସପ୍ତାହକୁ ସତୁରି ଘଣ୍ଟା କାର୍ଯ୍ୟ କରିବାକୁ ବାହାରି ପଡ଼ନ୍ତିି, ତେଣିକି ସେମାନଙ୍କ ଜୀବନ ଦଗ୍ଧ ହୋଇ ଯାଉ ପଛକେ!
ନିକଟରେ ଏକ ପଡ୍କାଷ୍ଟ୍ରେ ଇନ୍ଫୋସିସ୍ର ପ୍ରତିଷ୍ଠାତା ତଥା ଜଣେ ଅତ୍ୟନ୍ତ ସଫଳ ଉଦ୍ୟୋଗୀ ଏନ୍. ଆର. ନାରାୟଣ ମୂର୍ତ୍ତିଙ୍କ ଦ୍ବାରା ପ୍ରଦତ୍ତ ଯେଉଁ ପରାମର୍ଶମୂଳକ ବିବୃତି ଅତ୍ୟନ୍ତ ବିତର୍କିତ ହୋଇ ଉଠିଛି, ସେ ସମ୍ବନ୍ଧରେ ଏହି ସ୍ତମ୍ଭର ପାଠକପାଠିକାମାନେ ଊଣାଅଧିକେ ଅବଗତ ଥିବେ। ତାଙ୍କ ନାତିଦୀର୍ଘ ବକ୍ତବ୍ୟର ସର୍ବାଧିକ ବିବଦାସ୍ପଦ ଅଂଶଟି ହେଉଛି: ଦେଶାତ୍ମବୋଧ ଦ୍ବାରା ପରିଚାଳିତ ହୋଇ ଭାରତୀୟ ଯୁବ ବର୍ଗ ସପ୍ତାହକୁ ସତୁରି ଘଣ୍ଟା କାର୍ଯ୍ୟ କରିବା ଉଚିତ। ଏହି ପରିପ୍ରେକ୍ଷୀରେ ତାଙ୍କ ମତର ସାରାଂଶ ହେଲା ଭାରତୀୟ କର୍ମ ସଂସ୍କୃତି ସନ୍ତୋଷଜନକ ନୁହେଁ। ଏହି ବିବାଦୀୟ ବିବୃତିକୁ କେନ୍ଦ୍ର କରି ଏହି ସମ୍ବାଦପତ୍ରରେ ଗଲା ୧ ତାରିଖ ଦିନ ‘ବଳଦିଆ ବାଟ’ ଶୀର୍ଷକରେ ସଂପାଦକୀୟ ପ୍ରକାଶିତ ହୋଇସାରିଛି, ଯହିଁରେ ଏହି ମତର ଅଗ୍ରହଣୀୟତା ଏବଂ ଭାରତ ପରିପ୍ରେକ୍ଷୀରେ ଏହାର ଅପ୍ରାସଙ୍ଗିକତା ନେଇ ଆଲୋଚନା କରାଯାଇଥିଲା, କାରଣ ଭାରତ ହେଉଛି ସେହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯହିଁରେ ହାରାହାରି ଶ୍ରମ ଘଣ୍ଟା ଅନ୍ୟାନ୍ୟ ଦେଶ ତୁଳନାରେ ଅଧିକ କିନ୍ତୁ ତା’ ବଦଳରେ ମିଳୁଥିବା ପାରିଶ୍ରମିକ ଅପେକ୍ଷାକୃତ ଭାବେ ଯଥେଷ୍ଟ କମ୍। କିନ୍ତୁ ଆଜି ଏହି ସ୍ତମ୍ଭରେ ଯାହା ଆଲୋଚ୍ୟ, ତାହା ହେଲା ସଫଳତା ଲାଭ ସକାଶେ ଅଧିକ ସମୟ ଧରି ଅବିଶ୍ରାନ୍ତ କାର୍ଯ୍ୟ କରିବା ଦ୍ବାରା ସୃଷ୍ଟି ହେବାରେ ଲାଗିଥିବା ଆଉ ଏକ ପରିସ୍ଥିତି, ଯାହାକୁ କୁହାଯାଉଛି ‘ବର୍ନଆଉଟ୍’ ହୋଇଯିବା ବା ‘ଦଗ୍ଧୀଭୂତ’ ହୋଇଯିବା; ଯାହାର ଲକ୍ଷଣଗୁଡ଼ିକ ହେଲା ଅକାଳ ଅବସନ୍ନତା, ଅବିମୋଚନୀୟ ବୀତସ୍ପୃହତା, ନୈରାଶ୍ୟବାଦ ଏବଂ ନକରାତ୍ମକତା। ପ୍ରକାଶ ଥାଉ କି ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଏହାର ଉଦ୍ବେଗଜନକ ପ୍ରଭାବକୁ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ’ ସ୍ବୀକାର କରି ସାରିଲାଣି। ସୁତରାଂ, ଏ ସଂଦର୍ଭରେ ମଧ୍ୟ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଠିକ୍ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଅର୍ଥାତ୍ ୧୯୭୩ ମସିହାରେ ମନୋଚିକିତ୍ସକ ହର୍ବର୍ଟ ଟି. ଫ୍ରଏଡନ୍ବର୍ଗରଙ୍କ ଦ୍ବାରା ‘ବର୍ନଆଉଟ୍’ ଭଳି ଏକ ଅଭିବ୍ୟକ୍ତି ଜନସାଧାରଣଙ୍କ କଥାଭାଷାରେ ପ୍ରବେଶ କରି ଖୁବ୍ ଶୀଘ୍ର ବହୁଳ ଭାବେ ବ୍ୟବହୃତ ହେବାରେ ଲାଗିଥିଲା। ତା’ ପୂର୍ବରୁ ଏହି ଅଭିବ୍ୟକ୍ତିର ପ୍ରଚଳନ ସପ୍ତମ ଦଶକର ହିପ୍ପୀ ତରୁଣତରୁଣୀମାନଙ୍କ କଥାବାର୍ତ୍ତାରେ ସୀମିତ ଥିଲା; ଯେଉଁମାନେ ‘ହିପ୍ପୀ’ ସଂସ୍କୃତିର ପ୍ରଭାବରେ ଆସି ‘ମାରିଜୁଆନା’ ଧୂଆଁରେ ଚୂର ହୋଇ ବେପରୁଆ ଭାବେ ସର୍ବତ୍ର ବିଚରଣ କରୁଥିଲେ। ସେହି ନିଶାସକ୍ତ ବା ‘ଡ୍ରଗ୍ ଆଡିକ୍ଟ’ଙ୍କ ଚିକିତ୍ସା ସକାଶେ ନିଜ କ୍ଲିନିକ୍ରେ ଅବିଶ୍ରାନ୍ତ କାର୍ଯ୍ୟ କରି ଫ୍ରଏଡନବର୍ଗର ସଂପୂର୍ଣ୍ଣ ଅବସନ୍ନ ହୋଇଯିବା ପରେ ନିଜର ସ୍ଥିତିକୁ ସେ ସେହି ନିଶାସକ୍ତମାନଙ୍କ ଶବ୍ଦକୋଷରୁ ଉଦ୍ଧାର କରି ‘ବର୍ନ୍ଟଆଉଟ୍’ ବା ‘ଜଳି ନିଃଶେଷ’ ହୋଇଯାଇଥିବା ରୂପେ ବର୍ଣ୍ଣନା କରିଥିଲେ। ତେବେ ସେ ଯାହା ହେଉ, ଏ ସଂକ୍ରାନ୍ତରେ ପ୍ରକାଶିତ ତଥ୍ୟ ଅନୁସାରେ ସାଂପ୍ରତିକ ମୂଷା ଦୌଡ଼ସୁଲଭ ପ୍ରତିଦ୍ବନ୍ଦ୍ବିତାର ପରିବେଶରେ ସଫଳତାର ସ୍ବପ୍ନ ନେଇ ଦୀର୍ଘ ସମୟ ଧରି ସଘନ କାର୍ଯ୍ୟ କରୁଥିବା ୫୪ ପ୍ରତିଶତ ଭାରତୀୟ ଯୁବକଯୁବତୀ ‘ବର୍ନଆଉଟ୍’ର ଶିକାର। ତହିଁରୁ ଆହୁରି ଜଣାଯାଇଥାଏ ଯେ ୬୫ ପ୍ରତିଶତ ଭାରତୀୟ ଯୁବକଯୁବତୀ ଏହି କାରଣରୁ ସେମାନଙ୍କ ବୃତ୍ତି ପରିବର୍ତ୍ତନ କରିବା ବିଷୟ ଚିନ୍ତା କରିଥାଆନ୍ତି। ବର୍ତ୍ତମାନ ସମଗ୍ର ପୃଥିବୀରେ ବିଭିନ୍ନ ଦପ୍ତରରେ କାର୍ଯ୍ୟରତ କର୍ମଶକ୍ତିର ୪୨% ‘ବର୍ନଆଉଟ୍’ ଦ୍ବାରା ଆକ୍ରାନ୍ତ; ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ହେଉଛି ୫୨ ପ୍ରତିଶତ। ଏହି ପରିପ୍ରେକ୍ଷୀରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ରିପୋର୍ଟ କହିଥାଏ ଯେ ‘ବର୍ନଆଉଟ୍’ କାରଣରୁ ଉତ୍ପାଦକତାରେ ହ୍ରାସ ଘଟି ପୃଥିବୀ ଯେଉଁ କ୍ଷତି ସହୁଛି, ତା’ର ପରିମାଣ ବର୍ଷକୁ ପ୍ରାୟ ୧ ଟ୍ରିଲିଅନ ଡଲାର। ଏଭଳି ସ୍ଥଳେ ଦୀର୍ଘକାଳୀନ ଶ୍ରମ ସହିତ ଉତ୍ପାଦନରେ ବୃଦ୍ଧିର ସଂପର୍କ ନେଇ ନାରାୟଣ ମୂର୍ତ୍ତି ପୋଷଣ କରିଥିବା ଧାରଣା ଯେ ଭ୍ରମାତ୍ମକ, ତାହା ବୁଝି ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ନାରାୟଣ ମୂର୍ତ୍ତିଙ୍କ ବିବୃତିର ସମର୍ଥକ ରୂପେ ‘ଓଲା’ର ପ୍ରତିଷ୍ଠାତା ଭବେଶ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିଥାଏ। ସପ୍ତାହକୁ ୧୩୦ ଘଣ୍ଟା କାର୍ଯ୍ୟ କରୁଥିବା ୟାହୁର ପୂର୍ବତନ ସି.ଇ.ଓ. ମାରିଆସା ମାୟେର ବା ସପ୍ତାହକୁ ୧୨୦ ଘଣ୍ଟା କାର୍ଯ୍ୟ କରୁଥିବା ଟେସଲା-ସ୍ପେସ୍ଏକ୍ସ-ଏକ୍ସ (ପୂର୍ବର ଟ୍ବିଟର)ର ସ୍ବତ୍ତ୍ବାଧିକାରୀ ତଥା ପୃଥିବୀର ସର୍ବାଧିକ ଧନିକ ଏଲନ୍ ମସ୍କ ଅଥବା ସପ୍ତାହକୁ ୭୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ‘ଆଲିବାବା’ ଇ-କମର୍ସ ବ୍ୟବସାୟର ପ୍ରତିଷ୍ଠାତା ଜ୍ୟାକ ମା ଆଦି ମଧ୍ୟ ହୁଏତ ନାରାୟଣ ମୂର୍ତ୍ତିଙ୍କ ସମର୍ଥନରେ ଛିଡ଼ା ହୋଇପାରନ୍ତି। କିନ୍ତୁ, ଏହା ଭୁଲିଯିବା ଉଚିତ ନୁହେଁ ଯେ ସମୟକୁ ଚିପୁଡ଼ି ଜଣେ କେତେ ପରିମାଣରେ ଉତ୍ପାଦନଶୀଳ ହୋଇପାରିବେ, ତାହା କେବଳ ତାଙ୍କର ବ୍ୟକ୍ତିଗତ ଗୁଣ ଓ ସାମର୍ଥ୍ୟ ଉପରେ ନିର୍ଭର କରିଥାଏ; ଯେଉଁ କାରଣରୁ ସମୟାନୁସାରୀ ପ୍ରଦର୍ଶନର ସ୍ତର ପ୍ରତ୍ୟେକଙ୍କ ସକାଶେ ଭିନ୍ନ ଭିନ୍ନ ହେବା ଅବଧାରିତ। ଏବଂ ଆଉ ଏକ ବାସ୍ତବତା ହେଲା ସପ୍ତାହକୁ ୧୨୦ ଘଣ୍ଟାର ନିରନ୍ଧ୍ର ଶ୍ରମ ସହିତ ଯେଉଁ ଅତୁଳନୀୟ ପ୍ରତିଭା, ସୁଯୋଗ ଏବଂ ଦୈବୀ ଆଶୀର୍ବାଦର ସମ୍ମିଶ୍ରଣ ଏଲନ୍ ମସ୍କଙ୍କୁ ସମ୍ଭବ କରିଛି, ତାହା ସଂପୂର୍ଣ୍ଣ ବିରଳ ଶ୍ରେଣୀର, ଯେଉଁ କାରଣରୁ ନାରାୟଣ ମୂର୍ତ୍ତି ବା ଏଲନ ମସ୍କ ବା ଜ୍ୟାକ ମା କେବଳ ଦୃଷ୍ଟାନ୍ତ ରୂପେ ବିଦ୍ୟମାନ ହୋଇପାରନ୍ତି; ଉତ୍ସାହର ଉତ୍ସ ହୋଇପାରନ୍ତି; କିନ୍ତୁ ସଫଳତା ଲାଭ ଲାଗି ଗାଣିତିକ ସୂତ୍ର ସେମାନଙ୍କ ଜୀବନ ବା କାର୍ଯ୍ୟରୁ ମିଳି ନ ପାରେ! ତେଣୁ ସ୍ବୀକାର କରିବାକୁ ହେବ ଯେ ଅସଂଖ୍ୟ ଶିକ୍ଷିତ ଭାରତୀୟ ଯୁବକଯୁବତୀ ସଫଳତା ଲାଭ ଲକ୍ଷ୍ୟରେ ଦୀର୍ଘକାଳୀନ ଶ୍ରମ ହେତୁ କିଛି କିଛି ଉପକାର ପାଇଥିଲେ ମଧ୍ୟ ତା’ର ଦୁଷ୍ପରିଣାମ ସ୍ବରୂପ ଦଗ୍ଧୀଭୂତ ମଧ୍ୟ ହେବାରେ ଲାଗିଛନ୍ତି!
ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ଭାରତୀୟ ବୃତ୍ତିିଧାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ପୁଲିସ ବା ସୁରକ୍ଷା କର୍ମୀ, ଡାକ୍ତର ଓ ଚିକିତ୍ସା ସେବା ପ୍ରଦାନ କରୁଥିବା କର୍ମଚାରୀ, ସୂଚନା ପ୍ରଯୁକ୍ତି କ୍ଷେତ୍ରର କର୍ମୀ, ବିଭିନ୍ନ ସପିଂ ମଲ୍ ବା ଦୋକାନରେ ନିୟୋଜିତ କର୍ମଚାରୀ ବା ‘ଡେଲିଭରି ବୟ’ ରୂପେ କାର୍ଯ୍ୟ କରୁଥିବା ଅସଂଖ୍ୟ ଯୁବକଯୁବତୀ। ଏମାନଙ୍କ ମଧ୍ୟରୁ ଅନେକ ଅତ୍ୟନ୍ତ ସ୍ବଳ୍ପ ପାରିଶ୍ରମିକରେ ମଧ୍ୟ ନିରବଚ୍ଛିନ୍ନ ଭାବେ ଦୀର୍ଘ ସମୟ ପରିଶ୍ରମ କରନ୍ତି; ଏମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ନିଯୁକ୍ତିଦାତାଙ୍କ ଠାରୁ ଭବିଷ୍ୟତ ସୁରକ୍ଷା ବାବଦରେ କୌଣସି ଅଙ୍ଗୀକାର ମଧ୍ୟ ପାଇ ନ ଥାଆନ୍ତି। ବିଶେଷ କୌଣସି ଉନ୍ନତିର ସ୍ବପ୍ନ ନ ଦେଖି ସେମାନେ କେବଳ ଯନ୍ତ୍ରବତ୍ କାର୍ଯ୍ୟ ସଂପାଦନ କରି ଚାଲିଥାଆନ୍ତି। ନିମ୍ନ ବିତ୍ତ ବର୍ଗର ଅସଂଖ୍ୟ ଲୋକେ କେବଳ ପେଟ ଚାଖଣ୍ଡକ ପୋଷିବା ଲାଗି ଦୀର୍ଘ ସମୟ ଧରି ହାଡ଼ଭଙ୍ଗା ପରିଶ୍ରମ କରି ଚାଲନ୍ତି। ଏମାନେ ସମସ୍ତେ ପରିଶେଷରେ ନିରବରେ ମଉଳି ଯାଆନ୍ତି। କିନ୍ତୁ, ଯେଉଁମାନେ ସଫଳତାର ସ୍ବପ୍ନ ଦେଖନ୍ତି, ସେମାନେ ବିଶ୍ରାମହୀନ ପରିଶ୍ରମ କରି ଚାଲନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଶେଷରେ ଦଗ୍ଧ ହୋଇ ଯାଆନ୍ତି। ବୋଧହୁଏ, ସେହିମାନଙ୍କ ଲାଗି ପପ୍ ଗାୟକ ନିଲ ୟଙ୍ଗ ଗାଇଥିଲେ ‘ଇଟ ଇଜ୍ ବେଟର ବର୍ନ ଆଉଟ୍ ଦ୍ୟାନ୍ ଫେଡ୍ ଆୱେ’ ଯାହାର ଅର୍ଥ ହେଲା ‘ମଉଳି ଯିବା ଠାରୁ ବରଂ ଦଗ୍ଧ ହୋଇଯିବା ଶ୍ରେୟସ୍କର’। ଏହି ଗୀତଟି ସେହିମାନଙ୍କ ଲାଗି ଉଦ୍ଦିଷ୍ଟ ଯେଉଁମାନେ ନିରବରେ ମଉଳି ନ ଯାଇ ସପ୍ତାହକୁ ସତୁରି ଘଣ୍ଟା କାର୍ଯ୍ୟ କରିବାକୁ ବାହାରି ପଡ଼ନ୍ତିି, ତେଣିକି ସେମାନଙ୍କ ଜୀବନ ଦଗ୍ଧ ହୋଇ ଯାଉ ପଛକେ!