କେଉଁଟା ସତ, କେଉଁଟା ମିଛ?

ମହମ୍ମଦ ହିଫଜୁର୍ ରହେମାନ୍

ବଲିଉଡ୍‌ ଏବେ ଡ୍ରଗ୍‌ସ ଜାଲରେ ଛନ୍ଦି ହୋଇପଡ଼ିଥିବାର ଧାରଣାଟିଏ ବଦ୍ଧମୂଳ ହୋଇ ଆସିଲା ବେଳକୁ ହଠାତ୍‌ ଆଉ ଗୋଟିଏ ବିବାଦ ମୁଣ୍ଡ ଟେକିଲାଣି, ଯାହା ସରକାରୀ ପୋଷାକ ତଳେ ଲୁଚି ରହି ବଟି ଆଦାୟକାରୀ ସମ୍ଭାବ୍ୟ ଗୁଣ୍ଡାମାନଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଛି। କଥା ହେଲା, ଏକ ବିଳାସପୂର୍ଣ୍ଣ ଜାହାଜରୁ ଆରୟନ୍‌ ଖାଁଙ୍କୁ ଗିରଫ କରି ଡ୍ରଗ୍‌ସ କାରବାର ବିପକ୍ଷରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ‘ଏନ୍‌.ସି.ବି.’ର ଉଚ୍ଚ ପଦସ୍ଥ ଅଧିକାରୀ ସମୀର ୱାଙ୍ଖଡ଼େ ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ଘଟଣାର ଏକ ମୋଡ଼ ପ୍ରଦାନ କରିଥିବା ଅଭିଯୋଗ ଆସିଛି ଯେ ସେ କୁଆଡ଼େ ଆରୟନ୍‌ ଖାଁଙ୍କୁ ଛାଡ଼ିବା ଲାଗି ୨୫ କୋଟି ଟଙ୍କାର ଲାଞ୍ଚ (ବଟି) ମାଗିଥିଲେ, ଯାହା ଶେଷରେ ୧୮ କୋଟି ଟଙ୍କାରେ ଛିଡ଼ିଥିଲା। ଏହି ଅଭିଯୋଗ ପରେ ସମୀର ୱାଙ୍ଖଡ଼େ ଏବେ ନିଜେ ବିଭାଗୀୟ ତଦନ୍ତର ସାମ୍‌ନା କଲେଣି।

ସମୀର ୱାଙ୍ଖଡ଼େଙ୍କୁ ନେଇ ଉଠିଥିବା ଅଭିଯୋଗ କେତେ ସତ୍ୟ ବା ମିଥ୍ୟା; ତାହା ତ ତଦନ୍ତ ପରେ ଜଣାପଡ଼ିବ, କିନ୍ତୁ ସମୀରଙ୍କ ସଚ୍ଚୋଟତାକୁ ଆଜି ପର୍ଯ୍ୟନ୍ତ ପ୍ରଶଂସା କରି ଆସୁଥିବା ଅନେକ ଲୋକ ଏହାକୁ ମିଛ ବୋଲି କହି ଉଡ଼ାଇ ଦେବାର ସ୍ଥିତିରେ ନାହାନ୍ତି ମଧ୍ୟ। ଏହାର କାରଣ ହେଲା ‘ରୋଲ୍‌ ମଡେଲ୍‌’ ରୂପେ ବିବେଚିତ ହୋଇଥିବା କେତେକ ଅଧିକାରୀ ସରକାରୀ ପୋଷାକ ଓ କ୍ଷମତାର ଅପବ୍ୟବହାର କରି ଅନେକ କୁକର୍ମ କରି ଧରାପଡ଼ିବାର ଦୃଷ୍ଟାନ୍ତ ରହିଛି। ଏଭଳି ଜଣେ ଅଧିକାରୀ ହେଉଛନ୍ତି ମୁମ୍ବାଇ ପୁଲିସ ଇନ୍ସପେକଟର ଦୟା ନାୟକ, ଯାହାଙ୍କ ବିଷୟ ସମସ୍ତଙ୍କ ସ୍ମରଣରେ ଥାଇପାରେ। ମୁମ୍ବାଇ ଅଣ୍ଡର ୱର୍ଲଡ‌୍କୁ ନିପାତ କରିବାରେ ଦୟା ଓ ତାଙ୍କ ସହଯୋଗୀମାନଙ୍କ ଭୂମିକା ଥିଲା ଉଦାହରଣୀୟ। ଅଚିରେ ସେ ପାଲଟି ଯାଇଥିଲେ ଜଣେ ‘ସେଲିବ୍ରିଟି’ ପୁଲିସ ଅଫିସର। କିନ୍ତୁ ପରେ ଜଣାପଡ଼ିଲା ଯେ ଦୟା ନାୟକଙ୍କୁ ବିପୁଳ ଅର୍ଥ ଦେଇ ଗୋଟିଏ ଅଣ୍ଡର ୱର୍ଲଡ୍‌ ଗ୍ୟାଙ୍ଗ୍‌ ତା’ର ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗ୍‌କୁ ସମୂଳେ ନିଶ୍ଚିହ୍ନ କରିଥିଲା। ସୁତରାଂ, ଗୋଟିଏ ଗ୍ୟାଙ୍ଗ୍‌ର ହାତବାରିସିରେ ପରିଣତ ହୋଇଥିଲେ ଦୟା ନାୟକ। ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।

ସେମିତି ଅାଉ ଜଣେ ସଚ୍ଚୋଟ ଏବଂ ଟାଣୁଆ ପୁଲିସ ଅଧିକାରୀ ରୂପେ ବିବେଚିତ ହେଉଥିଲେ ସଚିନ ୱାଜେ। ସେ ଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହଙ୍କ ପ୍ରିୟ ଅଫିସର। କିନ୍ତୁ ପରେ ଜଣାପଡ଼ିଲା ଯେ ସଚିନ ୱାଜେ ଏବଂ ସ୍ବୟଂ ପରମବୀର ସିଂହ ଗୋଟିଏ ବଡ଼ ‘ଦାଦାବଟି’ ଆଦାୟ କରୁଥିବା ରୢାକେଟ୍‌ର କାର୍ପଟ୍‌ଦାର। ସେମାନଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଡ୍ୟାନ୍‌ସ ବାର୍‌ରୁ ପ୍ରତି ମାସରେ କୋଟି କୋଟି ଟଙ୍କାର ବଟି ଆଦାୟ କରାଯାଏ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ଜବତ ହୋଇଥିବା ଏକ ବିସ୍ଫୋରକଭରା ଗାଡ଼ି ଓ ସେହି ଗାଡ଼ିର ମାଲିକଙ୍କ ସନ୍ଦିଗ୍‌ଧ ମୃତ୍ୟୁ ମାମଲାରେ ସଚିନ ୱାଜେ ଧରାପଡ଼ିଥିଲେ। ତାଙ୍କଠାରୁ ଅନେକ ଉଦ୍‌ବେଗଜନକ ତଥ୍ୟ ମିଳିଥିଲା ଏବଂ ଏବେ ସେ ଏବେ ଜେଲ୍‌ରେ। ସେମିତି ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ସୁନାମ ଅର୍ଜନ କରିଥିବା ପୁଲିସ ଡି.ଏସ୍‌.ପି ଦେବୀନ୍ଦର ସିଂହ ଯେ ନିଜେ ଗୋଟିଏ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ, ତାହା ଜଣାପଡ଼ିବା ପରେ ଦେଶ ସାରା ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏଭଳି ଉଦାହରଣ ଆହୁରି ଅନେକ ଅଛି, ଯହିଁରେ ଅନେକ ଆଦର୍ଶ ସ୍ଥାନୀୟ ଅଧିକାରୀଙ୍କ ମାଟିଗୋଡ଼ ଭାଙ୍ଗି ଯାଇଛି ଏବଂ ସେମାନେ ଭୂଲୁଣ୍ଠିତ ହୋଇଛନ୍ତି।

ସମୀର ୱାଙ୍ଖଡ଼େଙ୍କୁ ନେଇ ଏବେ ଅନେକ ବିବାଦୀୟ କଥାମାନ ସାମ୍‌ନାକୁ ଆସୁଛି। ଅନେକଙ୍କ ମତରେ ସମୀର ଜଣେ ଦକ୍ଷ ଅଧିକାରୀ ହୋଇଥିଲେ ସୁଦ୍ଧା ସର୍ବଦା ଶିରୋନାମା ମଣ୍ଡନ କରିବାକୁ ଆଗ୍ରହୀ ଥାଆନ୍ତି। ସେ ଜଣେ ତାରକା ଅଫିସର ଭାବେ ପରିଚିତ ହେବାକୁ ଚାହାନ୍ତି। ସେଥି ଲାଗି ବଲିଉଡ୍‌ ତାଙ୍କର ପ୍ରିୟ ଶିକାର ସ୍ଥଳୀରେ ପରିଣତ ହୋଇଛି। ତାଙ୍କ ସଂପର୍କରେ ଏହା ମଧ୍ୟ ଶୁଣାଯାଏ ଯେ ତାଙ୍କର ପତ୍ନୀ ଯିଏ କି ଜଣେ ମରାଠୀ ସିନେମା ନାୟିକା, ବଲିଉଡ୍‌ରେ ସୁଯୋଗ ପାଇବାରୁ ବଂଚିତ ହେବାରୁ ସମୀର ଏଇ ବାଟେ ତା’ର ପ୍ରତିଶୋଧ ନେଉଛନ୍ତି। ଏବେ ଏ ପ୍ରକରଣରେ ରାଜନୀତି ପ୍ରବେଶ କରି ଘଟଣାକୁ ଆହୁରି ପଙ୍କିଳ କରି ପକାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ତଥ‌ା ଏନ୍‌.ସି.ପି. ନେତା ନୱାବ ମଲିକ କିଛି ଦିନ ପୂର୍ବରୁ ୱାଙ୍ଖଡ଼େଙ୍କ ବିରୋଧରେ ଆହୁରି ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଆରୟନ୍‌ ମାମଲାରେ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଲାଞ୍ଚ ଦାବିର ଅଭିଯୋଗ ଆଣିଥିବା ପ୍ରଭାକର ସେଲ ପ୍ରକୃତରେ ହେଉଛନ୍ତି ରାଜନୀତିକ ପଶାପାଲିରେ ଗୋଟିଏ ମାମୁଲି ମୋହରା ମାତ୍ର। ତେବେ ଏ ସଂଦର୍ଭରେ କ’ଣ ସତ ବା କ’ଣ ମିଛ; ତାହା ଜାଣିବା ଦୁଷ୍କର। ଏଥି ଲାଗି ଆମକୁ ହୁଏ’ତ ଆହୁରି କିଛି ଦିନ ଅପେକ୍ଷା କରିବାକୁ ହେବ। ଗତକାଲି ଆରୟନ୍‍ଙ୍କୁ ଜାମିନ ମିଳିଯାଇଛି। କିନ୍ତୁ ବଡ଼ ପ୍ରଶ୍ନ ହେଲା, ଯେଉଁଠି ସବୁ କିଛି କର୍ଦ୍ଦମାକ୍ତ, ଯେଉଁଠି ସବୁ କିଛି ରାଜନୀତୀକରଣ ଦ୍ବାରା ଆକ୍ରାନ୍ତ, ସେଠି ଆମକୁ ଯାହା ସତ୍ୟ ବୋଲି ଦେଖାଇ ଦିଆଯିବ, ତାହା କ’ଣ ପ୍ରକୃତ ସତ୍ୟ ହୋଇଥିବା ନିଶ୍ଚିତ?

ସମ୍ବନ୍ଧିତ ଖବର