ସ୍ବାଭାବିକ ସମ୍ପର୍କ

ଅର୍ଥଶାସ୍ତ୍ରର ଗବେଷକମାନେ ଯେଉଁ ସମସ୍ତ ପ୍ରସଙ୍ଗମାନଙ୍କୁ ନେଇ ଗବେଷଣାରେ ବ୍ୟାପୃତ ହୋଇଥା’ନ୍ତି, ତାହାର ସ˚ଖ୍ୟା ଓ ପ୍ରକାର ଭେଦ ବସ୍ତୁତଃ ଅସୁମାରି କହିଲେ ଅତ୍ୟୁକ୍ତି ହେବ ନାହିଁ: ସରକାରୀ ଖର୍ଚ୍ଚର ଜାତୀୟ ବାସ୍ତବିକ ଆୟ ଉପରେ ପ୍ରଭାବରୁ ଆରମ୍ଭ କରି ବୈବାହିକ ଅବସ୍ଥାର ଶ୍ରମଶକ୍ତିରେ ଅ˚ଶଗ୍ରହଣ ଉପରେ ପ୍ରଭାବ ପର୍ଯ୍ୟନ୍ତ; ଆୟରେ ପରିବର୍ତ୍ତନର ଖାଉଟି ପସନ୍ଦ ଉପରେ ପ୍ରଭାବରୁ ବିମୁଦ୍ରୀକରଣର କ୍ଷୁଦ୍ର ଓ ମଧୢମ ଉଦ୍ୟୋଗମାନଙ୍କ ଉପରେ ପ୍ରଭାବ ପର୍ଯ୍ୟନ୍ତ…। ତେବେ ପ୍ରସଙ୍ଗ ଯାହା ହୋଇଥାଉ ନା କାହିଁକି, ତାହା ଯେ ଗୋଟିଏ କେନ୍ଦ୍ରୀୟ ସମସ୍ୟା ଉପରେ ଆଧାରିତ, ଏହା ଅର୍ଥଶାସ୍ତ୍ରର ପ୍ରତ୍ୟେକ ଛାତ୍ରଙ୍କୁ ଜଣା। ଏହି କେନ୍ଦ୍ରୀୟ ସମସ୍ୟାଟି ହେଉଛି- କାର୍ଯ୍ୟ ଓ କାରଣ ମଧୢରେ ସମ୍ପର୍କର ଆବିଷ୍କାର।

ଚିରାଚରିତ ଭାବରେ ଏହି କାର୍ଯ୍ୟ-କାରଣ ସମ୍ପର୍କ ପ୍ରତି ପ୍ରକାଶ କରା ହୋଇଥିବା ଦୃଷ୍ଟିଭଙ୍ଗୀ ଦୁଇ କିସମର ହୋଇ ଆସିଛି। ଗୋଟିଏ ହେଉଛି କାର୍ଯ୍ୟର ଅନୁଭୂତି ପୂର୍ବରୁ ଯୁକ୍ତି ବଳରେ କାରଣ ସହିତ ତା’ର ସମ୍ପର୍କ ସ୍ଥାପନ କରିବା। ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତି ବିବାହ କରିବା ପୂର୍ବରୁ ଯୁକ୍ତି ବଳରେ ପୂର୍ବାନୁମାନ କରାଯାଇପାରେ ଯେ ବିବାହ ପରେ ପାରିବାରିକ ଦାୟିତ୍ବ ବୃଦ୍ଧି ଯୋଗୁଁ ବିବାହିତ ବ୍ୟକ୍ତି ଜଣକ ନିଯୁକ୍ତି ସନ୍ଧାନରେ ବାହାରି ପଡ଼ିବା ଅର୍ଥାତ୍‌ ଶ୍ରମଶକ୍ତିରେ ଅ˚ଶଗ୍ରହଣ କରିବା ସମ୍ଭାବନା ହେଉଛି ଅବିବାହିତଙ୍କ ଅପେକ୍ଷା ଅଧିକ। ଅନ୍ୟ କିସମଟି ହେଉଛି ବାସ୍ତବ ଅନୁଭୂତିକୁ ପର୍ଯ୍ୟବେକ୍ଷଣ କରି ସେଥିରୁ କାର୍ଯ୍ୟ-କାରଣ ସମ୍ପର୍କ ଆବିଷ୍କାର କରିବା। ଯେମିତି ବିବାହିତ ଓ ଅବିବାହିତମାନଙ୍କର ଆଚରଣ ଉପରେ ନଜର ରଖି ଚାଲିବା ପରେ ଯଦି ଦେଖାଯାଏ ଯେ ବିବାହିତ ବ୍ୟକ୍ତିମାନେ ନିୟମିତ ଭାବରେ ଅଧିକ ଅନୁପାତରେ ଶ୍ରମଶକ୍ତିରେ ଅ˚ଶଗ୍ରହଣ କରୁଛନ୍ତି, ତେବେ ଏହି ଅନୁଭୂତି ଆଧାରରେ ଏକ କାର୍ଯ୍ୟ-କାରଣ ସମ୍ପର୍କ ସ୍ଥାପନ କରାଯାଇ ପାରିବ ଯେ ବିବାହିତ ବ୍ୟକ୍ତିମାନଙ୍କର ଶ୍ରମଶକ୍ତିରେ ଅ˚ଶଗ୍ରହଣ କରିବା ସମ୍ଭାବନା ହେଉଛି ଅଧିକ।

ଅତୀତରେ ଡେଭିଡ୍‌ ହିଉମ୍‌ ଓ ଜନ୍‌ ଷ୍ଟୁଆର୍ଟ ମିଲ୍‌ଙ୍କ ଭଳି ବିଶିଷ୍ଟ ଦାର୍ଶନିକ-ଅର୍ଥନୀତିଜ୍ଞମାନେ ଏହି ଦ୍ବିତୀୟ କିସମର, ଅନୁଭୂତି-ଭିତ୍ତିକ କାର୍ଯ୍ୟ-କାରଣ ସମ୍ପର୍କକୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ଦେଖାଯାଇଥିଲା। ହିଉମ୍‌ କହୁଥିଲେ, କାର୍ଯ୍ୟ-କାରଣ ସମ୍ପର୍କ ହେଉଛି କେବଳ ମାତ୍ର ଦୁଇଟି ଘଟଣା ମଧୢରେ ନିୟମିତ ଭାବରେ ପରିଲକ୍ଷିତ ହେଉଥିବା ସମ୍ପର୍କର ପୁନରାବୃତ୍ତି ମାତ୍ର। ଅର୍ଥାତ୍‌ ଅନୁଭୂତି ନାହିଁ ତ କାର୍ଯ୍ୟ-କାରଣ ସମ୍ପର୍କର ଅସ୍ତିତ୍ବ ନାହିଁ। ମିଲ୍‌ ତ କହୁଥିଲେ ଗଣିତରେ ଚିରନ୍ତନ ପ୍ରତୀୟମାନ ହେଉଥିବା କାର୍ଯ୍ୟ-କାରଣ ସମ୍ପର୍କମାନ (ଯେମିତି ୩+୪=୭) ମଧୢ ଅନୁଭୂତି-ମୁକ୍ତ ନୁହନ୍ତି। ୩ରେ ୪ ମିଶାଇଲେ ୭ ହୋଇଥାଏ ବୋଲି ଆମର ନିୟମିତ ଅନୁଭୂତି ହୋଇଥିବାରୁ ଆମେ ଏହାକୁ ଏକ ଚିରନ୍ତନ ସମ୍ପର୍କ ରୂପେ ଗ୍ରହଣ କରିଥାଉ ବୋଲି ମିଲ୍‌ କହୁଥିଲେ।

ଏହି ଚିନ୍ତାଧାରାକୁ ଆଧାର କରି ଅର୍ଥଶାସ୍ତ୍ରର ଅଧିକା˚ଶ ଗବେଷକ ଦୁଇଟି ଘଟଣା ମଧୢରେ କାର୍ଯ୍ୟ-କାରଣ ସମ୍ପର୍କ ରହିଛି କି ନାହିଁ, ତାହା ଆବିଷ୍କାର କରିବା ପାଇଁ ଯେଉଁ କୌଶଳ ଅବଲମ୍ବନ କରିବା ଦେଖାଯାଇଥାଏ, ତାହା ହେଉଛି- ଅନୁଭୂତି ସ˚ଗ୍ରହ। ଦୁଇଟି ଭିନ୍ନ ଭିନ୍ନ ଉପାୟରେ ଏଭଳି ଅନୁଭୂତି ସ˚ଗ୍ରହ କରାଯାଇପାରେ। ଏଥିପାଇଁ ପୂର୍ବୋକ୍ତ ବିବାହ ଓ ବୃତ୍ତି ଗ୍ରହଣ ମଧୢରେ ସମ୍ଭାବ୍ୟ ସମ୍ପର୍କ ଆବିଷ୍କାର ଉଦ୍ୟମକୁ ଉଦାହରଣ ରୂପେ ନିଆଯାଇପାରେ। ଜଣେ ଗବେଷକ କୌଣସି ଉପାୟରେ ଯଦି ଗବେଷଣାରେ ଅନ୍ତର୍ଭୁକ୍ତ ତାଙ୍କର ‘ଅଧୀନ ଜନ’ ବା ‘ସବ୍‌ଜେକ୍ଟ୍‌’ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି ଦେଇପାରିବେ ଏବ˚ ଗୋଟିଏ ଗୋଷ୍ଠୀକୁ ବିବାହ କରିବାକୁ ଦିଆଯିବା ବେଳେ ଅନ୍ୟ ଗୋଷ୍ଠୀଟିକୁ ବିବାହ ଠାରୁ ଦୂରରେ ରଖା ଯାଇ ପାରିବ, ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ଆଚରଣ ଉପରେ ନଜର ରଖି ସେ ବିବାହ ଓ ଶ୍ରମଶକ୍ତିରେ ଅ˚ଶଗ୍ରହଣ ମଧୢରେ କୌଣସି ସମ୍ଭାବ୍ୟ କାର୍ଯ୍ୟ-କାରଣ ସମ୍ପର୍କର ଉପସ୍ଥିତି କିମ୍ବା ଅନୁପସ୍ଥିତି ଆବିଷ୍କାର କରିପାରିବେ। ସାଧାରଣତଃ ନୂତନ ଔଷଧର ଫଳପ୍ରଦତା ପରୀକ୍ଷା ପାଇଁ ବ୍ୟବହାର କରାଯାଉଥିବା ଏହି କୌଶଳର ନାମ ହେଉଛି ‘ରାଣ୍ତମାଇଜ୍‌ଡ କଣ୍ଟ୍ରୋଲ୍‌ଡ ଟ୍ରାଏଲ୍‌’ (‘ଆର‌୍‌.ସି.ଟି.’), ଯାହାକୁ ବିକାଶ ଅର୍ଥନୈତିକ ଗବେଷଣାରେ ପ୍ରୟୋଗ କରି ଏସ୍‌ଥର‌୍‌ ଡଫ୍ଲୋ, ଅଭିଜିତ୍‌ ବାନାର୍ଜୀ ଓ ମାଇକେଲ୍‌ କ୍ରେମର‌୍‌ ୨୦୧୯ରେ ଅର୍ଥନୀତି ପାଇଁ ନୋବେଲ୍‌ ପୁରସ୍କାର ଲାଭ କରିଥିଲେ।

ଉପରେ ପ୍ରଦାନ କରାଯାଇଥିବା ‘ଆର‌୍‌.ସି.ଟି.’ର ଉଦାହରଣ ପାଠକଙ୍କ ମନରେ ନିଶ୍ଚିତ ରୂପେ ଦୁଇଟି ସମ୍ଭାବ୍ୟ ପ୍ରତିକ୍ରିୟା ସୃଷ୍ଟି କରିଥିବ: ଏହାର ପ୍ରୟୋଗ ସମ୍ଭବପର ନୁହେଁ; ଏହା ଅନୈତିକ। କାହାକୁ ବିବାହ କରିବାରୁ ଅଟକାଇବା ଅସମ୍ଭବ ହୋଇପାରେ; କାହାକୁ କୌଶଳ କରି ବିବାହରୁ ବଞ୍ଚିତ କରିବା ଅନୈତିକ କାର୍ଯ୍ୟ ରୂପେ ବିବେଚିତ ହେବ। ସେହିପରି, ଯଦି ବ୍ୟକ୍ତିର ଆୟ ତା’ର ଉତ୍ପାଦନଶୀଳତା ମଧୢରେ ସମ୍ପର୍କ ଆବିଷ୍କାର କରିବା ଗବେଷକଙ୍କର ଲକ୍ଷ୍ୟ ହୋଇଥାଏ, ତେବେ ‘ଆର‌୍‌.ସି.ଟି.’ ଅନୁଯାୟୀ ଗୋଟିଏ ଗୋଷ୍ଠୀର ଆୟ ସ୍ଥିର ରଖି ଅନ୍ୟଟିର ଆୟରେ ବୃଦ୍ଧି ଘଟାଇବା ଯେଉଁଭଳି ଅସମ୍ଭବ ହୋଇପାରେ, ସେହିପରି ଅନୈତିକ ମଧୢ ହୋଇପାରେ।

ଗବେଷଣା ପାଇଁ ଅନୁଭୂତି ସ˚ଗ୍ରହ ଯେ ଏକ ଭିନ୍ନ ଉପାୟରେ- ଏକ ଅଧିକ ବାସ୍ତବ ଓ ନୈତିକ ଉପାୟରେ କରାଯାଇ ପାରିବ, ତାହା ହିଁ ପ୍ରଦର୍ଶିତ କରି ଅନ୍ୟ ତିନିଜଣ ଅର୍ଥନୀତିଜ୍ଞ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ‘ଆର‌୍‌.ସି.ଟି.’ର ବିପରୀତ ମନେ ହେଉଥିବା ଯେଉଁ ଅନୁଭୂତି ସ˚ଗ୍ରହ କୌଶଳର ପ୍ରୟୋଗ ପାଇଁ ଜଶୁଆ ଆଙ୍ଗ୍ରିଷ୍ଟ୍, ଗ୍ବିଡୋ ଇମ୍ବେନ୍‌ସ ଓ ଡେଭିଡ୍‌ କାର୍ଡ‌୍‌ ନୋବେଲ୍‌ ପୁରସ୍କାର ଜିତିଛନ୍ତି, ତାହାର ସାଦାସିଧା, ବାସ୍ତବବାଦୀ ନାମ ହେଉଛି: ‘ନାଚୁରାଲ୍‌ ଏକ୍‌ସପେରିମେଣ୍ଟ୍‌ସ’ (‘ସ୍ବାଭାବିକ ପରୀକ୍ଷା’)। ଏହା ଅନୁସାରେ ପ୍ରକୃତରେ କାର୍ଯ୍ୟକାରୀ ହୋଇଥିବା କୌଣସି କାର୍ଯ୍ୟକ୍ରମର ଫଳାଫଳକୁ ଅନୁଧୢାନ କରି ଗବେଷକ ଏକ କାର୍ଯ୍ୟ-କାରଣ ସମ୍ପର୍କ ଆବିଷ୍କାର କରିବାକୁ ଚେଷ୍ଟା କରିଥା’ନ୍ତି; ଯେମିତି ଶିକ୍ଷାଲାଭର ଦୀର୍ଘତାର ଜୀବନବ୍ୟାପୀ ଆୟରେ ତାରତମ୍ୟ ସହିତ ସମ୍ପର୍କ କିମ୍ବା ସର୍ବନିମ୍ନ ମଜୁରିର ନିଯୁକ୍ତି ସ୍ତର ସହିତ ସମ୍ପର୍କ କିମ୍ବା ଆପ୍ରବାସନ (ପ୍ରବାସୀ ଶ୍ରମିକମାନଙ୍କ ପ୍ରବେଶ)ର ସ୍ଥାନୀୟ ନିଯୁକ୍ତି ପରିସ୍ଥିତି ସହିତ ସମ୍ପର୍କ- ଏ ସମସ୍ତ ହେଉଛନ୍ତି ଚଳିତ ବର୍ଷର ନୋବେଲ୍‌ ବିଜୟୀମାନଙ୍କର ଗବେଷଣାର ବିଷୟବସ୍ତୁ।

ଉଦାହରଣସ୍ବରୂପ ଶିକ୍ଷାଲାଭର ଦୀର୍ଘତାର ଜୀବନବ୍ୟାପୀ ଆୟ ସହିତ ଥିବା ସମ୍ଭାବ୍ୟ ସମ୍ପର୍କ ଠାବ କରିବା ପାଇଁ ଜଶୁଆ ଆଙ୍ଗ୍ରିଷ୍ଟ୍ ଆମେରିକାରେ ବଳବତ୍ତର ଥିବା ବାଧୢତାମୂଳକ ସ୍କୁଲ୍‌ ଶିକ୍ଷା ବ୍ୟବସ୍ଥାକୁ ବ୍ୟବହାର କରିଥିଲେ। ଆମେରିକାରେ କୌଣସି ଏକ ବର୍ଷର ବିଭିନ୍ନ ସମୟରେ ଜନ୍ମ ହୋଇଥିବା ପିଲାମାନେ ସ୍କୁଲ୍‌ରେ ଏକା ଶ୍ରେଣୀରେ ଦାଖଲ ହୋଇ ଶିକ୍ଷାଲାଭ କରିଥା’ନ୍ତି। ଏଥିଯୋଗୁଁ ପରବର୍ତ୍ତୀ ସମୟରେ ସେମାନେ ସ୍କୁଲ୍‌ରେ ବିତାଇଥିବା ମୋଟ ସମୟର ଦୀର୍ଘତାରେ ତାରତମ୍ୟ ଦେଖା ଯାଇଥାଏ। ୧୯୯୦ ଦଶକର ଆରମ୍ଭରୁ ଏହା ଉପରେ ନଜର ରଖି ଆଙ୍ଗ୍ରିଷ୍ଟ୍ ଓ ତାଙ୍କର ଅନ୍ୟ ଜଣେ ସାଥୀ ସ୍ବର୍ଗତ ଆଲାନ୍‌ କ୍ରୁଗର‌୍‌ ଆବିଷ୍କାର କରିଥିଲେ ଯେ ଅଧିକ କାଳ ସ୍କୁଲ୍‌ରେ ବିତାଇ ଶିକ୍ଷା ଲାଭ କରିଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନ କାଳରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଆୟ କରିଥା’ନ୍ତି। ଏହି ବାସ୍ତବ ଅନୁଭୂତି ନୀତି ନିର୍ଦ୍ଧାରଣକୁ ଯେଉଁଭଳି ଦିଗ୍‌ଦର୍ଶନ ଦେବ, କୌଣସି ‘ଆର‌୍‌.ସି.ଟି.’ ପ୍ରସୂତ ନମୁନା ଚିତ୍ର ସେଭଳି ଦେଇପାରିବ ନାହିଁ। ଚଳିତ ବର୍ଷର ନୋବେଲ୍‌ ଯେ ହିଉମ୍‌ ବା ମିଲ୍‌ଙ୍କ ଭଳି ମନୀଷୀମାନଙ୍କର ପୂର୍ଣ୍ଣ ଅନୁମୋଦନ ଲାଭ କରନ୍ତା, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର