ପରାଗ ଆଚାର୍ଯ୍ୟ
ଯାହାର ପ୍ରେରଣାରେ ଆଜିର ଏହି ଶୀର୍ଷକର ଉତ୍ପତ୍ତି, ତାହା ହେଉଚି ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମରେ ପ୍ରସାରିତ ଗୋଟେ ‘ରିଲ୍’। ପ୍ରାୟ ନବେ ସେକେଣ୍ଡର ଏହି ରିଲ୍ର ଦୃଶ୍ୟଟି ଏହିଭଳି। ରାଜରାସ୍ତାର ଗୋଟିଏ କଡ଼ରେ, ମୁଣ୍ଡରେ ବସ୍ତାଟିଏ ମୁଣ୍ଡେଇ ଚାଲିଚି ଯୁବକଟିଏ। ବୋଧହୁଏ ଦିନମଜୁରିଆ କିମ୍ବା ଶ୍ରମିକଟିଏ। ସାଥିରେ ଅଛି ତା’ର ସହଧର୍ମିଣୀ, ଯିଏକି ବାମ ହାତରେ କାଖେଇଚି ବର୍ଷେ କି ଦୁଇ ବର୍ଷର ଗୋଟେ କୁନି ଛୁଆକୁ। ସ୍ବାମୀଟି ଡାହାଣ ହାତରେ ବସ୍ତାଟିରେ ହାତ ପକେଇ ଭାରସାମ୍ୟ ରଖିବାକୁ ଚେଷ୍ଟା କରୁଛି ଓ ତା’ର ବାମ ପାଖରେ ସ୍ତ୍ରୀର ଡାହାଣ ହାତକୁ ଛନ୍ଦି ଆଗେଇ ଚାଲିଚି ନିଜର ଗନ୍ତବ୍ୟ ପଥରେ। ଦୃଶ୍ୟଟିକୁ ଦେଖିଲେ ନିଶ୍ଚୟ ମନେ ପଡ଼ିବ, ‘ଖୁନ୍ ଭରି ମାଙ୍ଗ’ ଚଳଚ୍ଚିତ୍ରର ‘ହସ୍ତେ, ହସ୍ତେ କଟ୍ଯାଏ ରାସ୍ତେ... ଜିନ୍ଦେଗି ୟୁହିଁ ଚଲ୍ତେ ରହେ... ଖୁସି ମିଲେ ୟା ଗମ୍... ବଦ୍ଲେଙ୍ଗେ ନା’ ହମ୍... ଦୁନିଆ ଚାହେ ବଦ୍ଲତି ରହେ।’’ ଘଟଣାଟିକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ସେହି ସମୟରେ ଦୈବାତ୍ ରାସ୍ତାରେ ଯାଉଥିବା ଜଣେ ‘ଟ୍ରାଭେଲ ବ୍ଲଗର’। ସେ ଦଂପତିଙ୍କୁ ଅନୁରୋଧ କରୁଛନ୍ତି, ତାଙ୍କ ଫଟୋଟିଏ ଉଠେଇବା ପାଇଁ। ଫଟୋ ଉଠେଇବା ପାଇଁ ଠିଆହେବା ବେଳେ ଦେଖିବାକୁ ମିଳୁଛି, ସେମାନଙ୍କ ଠାରେ ସନ୍ତର୍ପଣ ଭାବ ଅଛି, କିନ୍ତୁ ମନର ଅପାର ଖୁସି ବି ବାହାରି ଆସୁଛି। ସ୍ତ୍ରୀଟି ସ୍ବାମୀର ହାତ ପାପୁଲିକୁ ନିଜ ହାତ ପାପୁଲିରେ ଛନ୍ଦି ଦେଇ ପ୍ରଶାନ୍ତିଭରା ହସହସ ଫଟୋ ପାଇଁ ଯେଉଁ ପୋଜ୍ ଦେଉଛି, ତାହା ବାସ୍ତବିକ ଦେଖିବା ଭଳିଆ। ପୋଲାରଏଡ୍ କ୍ୟାମେରାରେ ତତ୍କ୍ଷଣାତ୍ ବାହାରି ଯାଉଥିବା ନିଜର ଫଟୋଟିକୁ ଦେଖି ଦଂପତିଙ୍କ ଠାରେ ଦେଖିବାକୁ ମିଳୁଛି ଗଭୀର ଆତ୍ମତୃପ୍ତି। ‘ସ୍ତ୍ରୀ’ଟି ନିଜ ଆଞ୍ଚଳିକ ଭାଷାରେ ‘ଫଟୋ’ଟିକୁ ଫ୍ରେମ କରି ରଖିବାକୁ କହୁଛି ଏବଂ ଦୁଇ ଜଣ ପୁଣି ଆଗେଇ ଯାଇଛନ୍ତି, ନିଜ ଗନ୍ତବ୍ୟ ପଥରେ, ‘ବ୍ଲଗର’ଙ୍କୁ ଅଶେଷ ଧନ୍ୟବାଦ ଜଣେଇ। ନବେ ସେକେଣ୍ଡର ଭିଡିଓଟି ଅନେକ କିଛି ବୟାନ କରୁଛି। ପ୍ରଥମତଃ ସମାଜର ଅବହେଳିତ ଅବା ଆର୍ଥିକ ଦୃଷ୍ଟିରୁ ନିମ୍ନ ସ୍ତରରେ ଥିବା ଗୋଷ୍ଠୀ ପାଇଁ ଅନ୍ତରର ସାମାନ୍ୟ ସ୍ନେହ, ସରାଗ ଓ ସମ୍ବେଦନଶୀଳତା ସେମାନଙ୍କୁ କେତେ ଖୁସି ଆଣିଦେଉଛି! ଦ୍ବିତୀୟତଃ, ଆର୍ଥିକ ସ୍ବଚ୍ଛଳତା ବ୍ୟତିରେକ ମଧ୍ୟ ସ୍ବାମୀଟିର ସ୍ତ୍ରୀ ପ୍ରତି, ଆଉ ସ୍ତ୍ରୀର ସ୍ବାମୀ ପ୍ରତି ପ୍ରଗାଢ଼ ଭଲପାଇବା ଆଉ ଅନୁରକ୍ତି- ଅନେକ ଶିକ୍ଷିତ ଆଉ ଧନୀ ଲୋକଙ୍କ ପାଇଁ ଉଦାହରଣୀୟ ନିଶ୍ଚୟ।
‘ରିଲ୍’ଟିକୁ ଦେଖି ଅନେକ ବର୍ଷ ତଳର ସ୍ମୃତିଟିଏ ଉଜ୍ଜୀବିତ ହେଲା। କଲେଜରେ ପଢ଼ିବା ବେଳେ ମୋର ‘କୋଡାକ’ କଂପାନିର କ୍ୟାମେରାଟିଏ ଥାଏ। ଗଁାରେ ଜଣେ ଦୂର ସଂପର୍କୀୟ ଦାଦାଙ୍କର ନୂଆ ନୂଆ ବାହାଘର ହେଇଥାଏ। ଦିନେ ସକାଳେ ଆମ ଘର ଛାତ ଉପରେ ମୋତେ ଏକୁଟିଆ ଦେଖି କହିଲେ ତୋର କ୍ୟାମେରାଟେ ଅଛି ପରା? ତୋ ଖୁଡ଼ି ଆଉ ମୋର ଫଟୋଟିଏ ଉଠାନ୍ତୁନି? ମୁଁ କହିଲି, ଠିକ୍ ଅଛି। ଆଜି ଚାରିଟା ବେଳେ ତୁମ ଘରକୁ ଆସିବି, କ୍ୟାମେରା ନେଇ। ସେଠି ଫଟୋ ଉଠେଇବା। ତତ୍କ୍ଷଣାତ୍ ଦାଦା କହିଲେ, ନା’ ନା’ ସେଠି ହବନି। ଆମ ଖଳାବାଡ଼ି ପାଳଗଦା ପାଖେ ଉଠେଇବା। ବୋଧହୁଏ! ଯୌଥ ପରିବାରର ଶାଶୂ, ଶ୍ବଶୁର, ଭାଇ, ଭାଉଜ, ପୁତୁରା, ଝିଆରୀମାନଙ୍କ ଗହଣରେ ସ୍ତ୍ରୀ ପାଖରେ ଠିଆହୋଇ ଫଟୋଟିଏ ଉଠେଇବାର ଅସହଜତା, ତାଙ୍କୁ ବାଧ୍ୟ କଲା ଖଳାବାଡ଼ିର ପାଳଗଦା ପାଖେ ଫଟୋଟିଏ ଉଠେଇବା ପାଇଁ। ପ୍ରାୟ କେବେ ପାଦରେ ଚପଲ କି ଦେହରେ କମିଜ ପିନ୍ଧୁ ନ ଥିବା ଦାଦା ସେଦିନ ପାଖ ବଜାରରୁ ଚିକ୍କଣ କରି ନିଶ, ଦାଢ଼ି କାଟି, ଗୋଟେ ଫୁଲ୍ ପ୍ୟାଣ୍ଟ, ହାପ୍ ସାର୍ଟ ଆଉ ପାଦରେ ସ୍ଲିପର ପିନ୍ଧି ଆସିଥିଲେ ଫଟୋ ଉଠେଇବା ପାଇଁ। ଆଉ ଖୁଡ଼ି ପିନ୍ଧିଥିଲେ ଗୋଟେ ନୂଆ ଲୁଗା। କିଛି ଦିନ ପରେ ଷ୍ଟୁଡିଓରେ ଫଟୋଟିକୁ ବାହାର କରି, ତାଙ୍କୁ ଦେଇ ଆସିଥିଲି। ଯଦିଓ, ଅନେକ ଥର ଫଟୋଟିକୁ ତାଙ୍କ ଘର କାନ୍ଥରେ ଟଙ୍ଗା ହୋଇଥିବାର ଆଶାରେ କାନ୍ଥକୁ ଅନେଇଚି, କିନ୍ତୁ କେବେ ଫଟୋଟିକୁ କାନ୍ଥରେ ଓହଳିବା ଦେଖିବାକୁ ପାଇନି। ବୋଧହୁଏ, ଟ୍ରଙ୍କରେ ଲୁଗାମାନଙ୍କ ଭିତରେ ଯତ୍ନରେ ସାଇତା ହେଇ ରହିଥିବ। ଥାଉ। ଦାଂପତ୍ୟ ଜୀବନର ସରାଗ ଆଉ ସୁକୁମାରପଣିଆ ସାଧାରଣରେ ପରିପ୍ରକାଶ ହେଉ ବା ନ ହେଉ, ହୃଦୟ ଭିତରେ ତା’ର ଫଲ୍ଗୁ ପ୍ରବାହିତ ହେଉଥାଉ। ନ ହେଲେ, ସାଂସାରିକ ପୋତ, ସଂସାର ବାରିଧିକୁ କେମିତି ଅତିକ୍ରମ କରିବ?
ଏ ସଂପର୍କରେ ଆଉ ଯେଉଁ ଏକ ଘଟଣା ମନକୁ ଆସୁଛି, ତାହା ହେଉଛି, ଇନ୍ଷ୍ଟାଗ୍ରାମରେ ଚର୍ଚ୍ଚିତ ‘‘ଫଲୋ ମି ଟୁ’’ ଫଟୋ ସିରିଜର କଥା। ଏଥିରେ ‘ମୁରାଦ ଓସ୍ମାନ’ ନାମକ ଜଣେ ବ୍ୟକ୍ତି (ସ୍ବାମୀ)ଙ୍କର ହାତକୁ ତାଙ୍କ ସ୍ତ୍ରୀ ‘ନାଟାଲି ଜାଖାରୋଭା’ ଟାଣି ଆଗକୁ ନବାର ଦୃଶ୍ୟ ରହିଛି। ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର ବଛା ବଛା ପର୍ଯ୍ୟଟନସ୍ଥଳୀରେ ସମାନ ପ୍ରକାର ‘ଥିମ୍’ ଓ ‘ଶୈଳୀ’ରେ ଭ୍ରମଣପ୍ରିୟ ଦଂପତି ଫଟୋ ଉଠାନ୍ତି। ଯେଉଁଥିରେ ନାଟାଲି ଓସ୍ମାନଙ୍କ ହାତକୁ ଧରି ଆଗକୁ ଟାଣିବାର ଦେଖାଯାଏ। ୨୦୧୧ ମସିହାରେ ବାର୍ସେଲୋନାକୁ ବୁଲିବାକୁ ଯାଇଥିବା ବେଳେ, ପ୍ରାୟ ସବୁ ଜିନିଷର ଫଟୋ ଉଠାଉଥିବା ସ୍ବାମୀଙ୍କ ଉପରେ କୃତ୍ରିମ ଅଭିମାନ କରି ନାଟାଲି ତାଙ୍କ ହାତଧରି ଆଗକୁ ଭିଡ଼ିନେବାର ପ୍ରୟାସ କରିଥିଲେ। ପ୍ରବୃତ୍ତି ବଶତଃ ଓସ୍ମାନ ତାହାର ଏକ ଫଟୋ ଉତ୍ତୋଳନ କରିଥିଲେ। ସ୍ବତଃସ୍ଫୂର୍ତ୍ତ ଭାବେ ସୁନ୍ଦର ଭାବେ ଉଠାଯାଇଥିବା ଫଟୋଟି କ୍ରମେ ପତି-ପତ୍ନୀଙ୍କ ମଧ୍ୟରେ ଥିବା ରୋମାଣ୍ଟିସିଜମ୍ର ଏକ ପ୍ରତୀକ ଭାବେ ସାରା ବିଶ୍ବରେ ଅକୁଣ୍ଠ ଭଲପାଇବା ଓ ସ୍ବୀକୃତି ଲାଭ କଲା। ଏଣୁ ‘ଫଲୋ ମି ଟୁ’ କେବଳ ଏକ ଧାରା ନୁହେଁ, ବରଂ ଏହା ହେଉଛି ପ୍ରେମ, ଭ୍ରମଣ, ବିଶ୍ବାସ ଓ କଳାତ୍ମକ ଦୃଷ୍ଟିକୋଣର ଏକ ସମ୍ମିଳନ, ଯାହା ଆମକୁ ପ୍ରେମମନସ୍କ କରିବା ସହ ସୃଜନାତ୍ମକ ଭାବେ ବଞ୍ଚିବା ପାଇଁ ଅଧିକା ପ୍ରେରଣା ଦେଇଥାଏ।
ଶେଷରେ ରୁଷିଆ ଦେଶର ଜଣେ ମହାକାଶଚାରୀ ଓ ମସ୍ତିଷ୍କ ଶଲ୍ୟ ଚିକିତ୍ସା ବିଶେଷଜ୍ଞଙ୍କ ମଧ୍ୟରେ କଥୋପକଥନଟିଏ ମନେ ପଡୁଛି। ମହାକାଶଚାରୀ ଜଣକ କହିଲେ, ଅନେକବାର ଅନ୍ତରୀକ୍ଷରେ ଘୂରିଛି, କିନ୍ତୁ କେବେ ଭଗବାନଙ୍କୁ ଦେଖିନି। ମସ୍ତିଷ୍କ ବିଶେଷଜ୍ଞ ଜଣକ କହିଲେ, ଅନେକ ବିଜ୍ଞ ଲୋକମାନଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରିଚି ସତ, କିନ୍ତୁ ସେମାନଙ୍କର ‘ବୁଦ୍ଧିମତ୍ତା’କୁ ମସ୍ତିଷ୍କ ଭିତରେ ପାଇନି। ଠିକ୍ ସେହିପରି ହଜାର ହଜାର ସଂଖ୍ୟାରେ ହୃଦୟର ଅସ୍ତ୍ରୋପଚାର କରୁଥିବା ଡାକ୍ତରମାନେ କହିପାରିବେ, ହୃଦୟକୁ ଖୋଲିଲା ବେଳେ ସେଥିରେ ମଣିଷର ଭଲପାଇବାକୁ ପରିପ୍ରକାଶ କରୁଥିବା ଅଂଶଟିଏ ଅଛି କି ନାହିଁ? ନ ଥିଲେ ନ ଥାଉ। କିନ୍ତୁ ମଣିଷର ଭଲପାଇବା ଏମିତି ପରିସ୍ଫୁଟ ହେଉଥାଉ- ଦିନମଜୁରିଆଟିଏ ଗଭୀର ଆଶ୍ଳେଷରେ ପତ୍ନୀର ହାତ ଧରି ବାଟ ଚାଲୁଥିବା ବେଳେ, କିମ୍ବା ଗ୍ରାମ୍ୟ ଲୋକଟିଏ ନିଜ ଦାଂପତ୍ୟର ଫଟୋଟିଏକୁ କାନ୍ଥରେ ବିଜ୍ଞପିତ କରି ନ ପାରି ନିରବରେ ନିଜର ଅର୍ଦ୍ଧାଙ୍ଗିନୀକୁ ଭଲପାଉଥିବା ବେଳେ କିମ୍ବା ଓସ୍ମାନ ଓ ନାଟାଲିଙ୍କ ପରି ବିଶ୍ବ ଭ୍ରମଣକାରୀଙ୍କ ‘ଫଲୋ ଟୁ ମି’ ଫଟୋ ସିରିଜର ଧାରାର ଅନ୍ତରାଳରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୨୯୫୬୧୮୦୯୭