ତିରିଶ ବର୍ଷରୁ ଅଧିକ ସମୟ ଧରି ଇଂରେଜୀ ଭାଷା ସାହିତ୍ୟ ଅଧ୍ୟାପନାରୁ ଅବସର ଗ୍ରହଣ ପରେ ଚାରିଆଡ଼ର ପରିବେଶକୁ ଏକ ନିରୁତା ‘ଓଡ଼ିଆମୟତା’ରେ ଭରିଦେବାର ଦୁର୍ବାର ଇଚ୍ଛା ଅନୁଭବ କଲି। ବୃତ୍ତିଗତ ଜୀବନରେ ଥିଲା ଇଂରେଜୀର ପ୍ରାଧାନ୍ୟ। ଏବେ ସେଇ ନିୟମବନ୍ଧା ବାଧ୍ୟବାଧକତାରୁ ମୁକ୍ତି ଲାଭ କରି ଭାବିଲି ଓଡ଼ିଆ ଉପରେ ମନୋନିବେଶ କରିବି। ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ଇଂରେଜୀ ଖବରକାଗଜକୁ ବିଦାୟ ଦେଲି; ରହିଲା କେବଳ ଓଡ଼ିଆ ଖବରକାଗଜ।
ଆଗରୁ ଓଡ଼ିଆର ବ୍ୟବହାର ‘ଘରୋଇ’ ଓ ‘ସାହିତ୍ୟିକ’ ଏହି ଦୁଇ ଚରମ ବିନ୍ଦୁ ମଧ୍ୟରେ ଦୋଳାୟିତ ହେଉଥିଲା। ଏବେ ଏହି ଦୁଇ ବିନ୍ଦୁ ମଧ୍ୟରେ ଉପେକ୍ଷିତ ଥିବା ଏକ ବିଶାଳ ଭାଷା ଭୂଖଣ୍ଡ ଆବିଷ୍କାରର ଆଶାରେ ଆହ୍ଲାଦିତ ହେଲି। ବାସ୍ତବିକ ଓଡ଼ିଆକୁ ସାମ୍ବାଦିକତା, ସଂଯୋଗ, ନିଯୁକ୍ତି ଓ ବଜାରର ଭାଷା ଭାବେ ଶିଖିବାକୁ ଓ ଆୟତ୍ତ କରିବାକୁ ଓଡ଼ିଆ ଖବରକାଗଜ ଠାରୁ ପ୍ରକୃଷ୍ଟ ଉତ୍ସ ଓ ମାଧ୍ୟମ ଆଉ କ’ଣ ଥାଇପାରେ?
ଆରମ୍ଭ ହେଲା ଓଡ଼ିଆ ଶିଖା ପର୍ବ। ବହୁ ଦିନର ଅବହେଳାର ଶିକାର ହେବା ପରେ ଏଥିରେ କଳଙ୍କି ଲାଗି ଏହା ଯେ ଚଳତ୍‌ ଶକ୍ତି ରହିତ ହୋଇଯାଇଥିଲା, ଏ କଥା ସହଜେ ଅନୁଭବ କରି ହେଲା। ଏହା ସତ୍ତ୍ବେ ନିଜସ୍ବ ଅଭିବ୍ୟକ୍ତିକୁ ବ୍ୟକ୍ତ ନ କରି ରହି ହେଉ ନାହିଁ। ଭାଷା ସହ କସରତ ସମୟରେ ଯେଉଁ କେତୋଟି କଥା ମନକୁ ଆନ୍ଦୋଳିତ କରିଛି, ତାହା ପ୍ରକାଶ କରୁଛି।
ପ୍ରଥମ କଥା ନିରୁତା ‘ଓଡ଼ିଆମୟତା’ର ସନ୍ଧାନ ଏକ ବିଫଳ ପ୍ରୟାସ ଭଳି ମନେ ହୁଏ। ଗୋଟିଏ ଭାଷା ସହ ଅନ୍ୟ ଭାଷାଗୁଡ଼ିକର ନିରନ୍ତର ସହାବସ୍ଥାନ ଘଟିଥାଏ। ସହାବସ୍ଥାନଜନିତ ସଂକ୍ରମଣ ଫଳରେ ଭାଷା ଉପରେ ଭାଷାର ପ୍ରଭାବ ପ୍ରତ୍ୟକ୍ଷ ଭାବରେ ତ ପଡ଼େ; ତା’ ଛଡ଼ା ଭାଷା ଭିତରକୁ ପଡ଼ୋଶୀ ବା ବିଦେଶୀ ଭାଷାର ଅନୁପ୍ରବେଶ ମଧ୍ୟ ଘଟେ। ଓଡ଼ିଆ ଖବରକାଗଜମାନଙ୍କରେ ‘ଓଡ଼ିଆକରଣ’ ପ୍ରକ୍ରିୟା ଉପରେ ଦୃଷ୍ଟିପାତ କଲେ ଏହି ଗୋପନ ଅନୁପ୍ରବେଶ କଥା ସ୍ପଷ୍ଟ ବାରି ହେବ।
ଆମେ ସମସ୍ତେ ‘ମୋବାଇଲ୍’, ‘ମାରାଥନ୍’, ‘ମବ୍‌ ଲିଞ୍ଚିଙ୍ଗ୍’ ଆଦିର ଓଡ଼ିଆ ଅବତାର ବିଷୟରେ ନିଶ୍ଚୟ ଅବଗତ ଅଛୁ। ‘ମୋବାଇଲ୍’ ହେଲା ‘ଭ୍ରାମ୍ୟ ଭାଷ’। ସେହିପରି ‘ମାରାଥନ୍’ ଓ ‘ମବ୍‌ ଲିଞ୍ଚିଙ୍ଗ୍’ ହେଉଛନ୍ତି ଯଥାକ୍ରମେ ‘ଗଣଦୌଡ଼’ ଓ ‘ଭିଡ଼ ହିଂସା’। ଏହି ସୂତ୍ରରେ ଖବରକାଗଜ ପୃଷ୍ଠାରେ ଆଉ କେତେକ ଅବତାରମାନଙ୍କର ନିକଟ ଅତୀତରେ ଅାବିର୍ଭାବ ହୋଇଛି: ଯଥା ‘ଭଲ୍ଲୁକ ଆଲିଙ୍ଗନ’, ‘ବାନରବସନ୍ତ’, ‘ସଡ଼କ ଶକ୍ତି’ ଓ ‘ମସୃଣ ଋଣ’ ଇତ୍ୟାଦି। କହିବା ବାହୁଲ୍ୟ, ଏ ସବୁ ‘ବେଆର୍‌ ହଗ୍’, ‘ମଙ୍କିପକ୍‌ସ’, ‘ଷ୍ଟ୍ରିଟ୍ ପାୱାର୍’, ‘ସ୍ମୁଥ୍ ଲୋନ୍’ର ଓଡ଼ିଆ ପ୍ରତିଶବ୍ଦ। ଶବ୍ଦଗୁଡ଼ିକ ବେଶ୍ ଆମୋଦଦାୟକ, ହାସ୍ୟ ଉଦ୍ରେକକାରୀ ଓ ଅର୍ଥସୂଚକ। ବ୍ୟଙ୍ଗ ଏମାନଙ୍କର ମୁଖ୍ୟ ଉପଜୀବ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍‌ଙ୍କ ‘ଭଲ୍ଲୁକ ଆଲିଙ୍ଗନ’ କଥା ପଢ଼ିଲେ ହସ ସଂବରଣ କରିବା ଅସମ୍ଭବ। ‘ଇଣ୍ଡିଆ ଟୁଡେ’ ଟିଭି ଏବେ ଏହାକୁ ଭିତ୍ତି କରି ଏକ ନୂଆ ଇଂରେଜୀ ଶବ୍ଦ ମଧ୍ୟ ତିଆରି କରିଛନ୍ତି- ହଗ୍‌ପ୍ଲୋମେସି। ଅନୁରୂପ ଭାବରେ ‘ବାନରବସନ୍ତ’ ଓ ‘ସଡ଼କ ଶକ୍ତି’ ମଧ୍ୟ ଅତ୍ୟନ୍ତ ମଜାଦାର ଶବ୍ଦ। ଯେତେବେଳେ ‘ବାନରବସନ୍ତ’ ଶବ୍ଦଟି ମୋର ଦୃଷ୍ଟି ପଥାରୁଢ଼ ହେଲା, ମୁଁ ଭାବିଲି ରାମାୟଣର କିସ୍କିନ୍ଧ୍ୟାକାଣ୍ଡରେ ବର୍ଣ୍ଣିତ କେଉଁ ଏକ ଅଜ୍ଞାତ ଉପାଖ୍ୟାନକୁ ସ୍ମରଣ କରାଇବାକୁ ଏହି ସ୍ତମ୍ଭଟି ଲେଖା ହୋଇଛି। ଏବେ ମୋ ଆଖିରେ ପଡ଼ିଥିବା ସବୁଠାରୁ ଭ୍ରୂକୁଞ୍ଚନକାରୀ ‘ଓଡ଼ିଆକରଣ’ର କଥା କହିବି। ବିଂଶ ଶତାବ୍ଦୀର ଫରାସୀ ଦାର୍ଶନିକ ହେନ୍‌ରି ବାର୍ଗସଁ ରୈଖିକ ସମୟର ପ୍ରତ୍ୟାଖ୍ୟାନ ପାଇଁ ବେଶ୍ ଚର୍ଚ୍ଚିତ। ସେ ଏହାକୁ ‘କ୍ଲକ୍ ଟାଇମ୍’ କହନ୍ତି। ଖବରକାଗଜର ଏକ ସୁନ୍ଦର ଆ‌େଲଖ୍ୟରେ ଏହାକୁ ‘ଘଡ଼ି ସମୟ’ କୁହାଯାଇଛି। ଖାଲି ସେତିକି ନୁହେଁ; ରୈଖିକ ସମୟକୁ ଉତ୍ତରଣ କରି ପାରିଥିବା ସାହିତ୍ୟିକ କୃତି(ବାକ୍ୟ)କୁ ‘ଘଡ଼ି ସମୟ ନାକଚ କରା ଧାଡ଼ି’ ବୋଲି ବର୍ଣ୍ଣନା କରାଯାଇଛି। ଅନୁଭବ କଲି ଯେ ଏ ସବୁ ଅତ୍ୟନ୍ତ ଆମୋଦଦାୟକ ବର୍ଣ୍ଣନା, କିନ୍ତୁ ଏସବୁର ନିତିଦିନିଆ ବ୍ୟବହାର ଯୋଗ୍ୟତା ନେଇ ସନ୍ଦେହ ଉପୁଜେ।
ଉପରୋକ୍ତ ‘ଓଡ଼ିଆକରଣ’ ପ୍ରକ୍ରିୟାରେ ମୂଳ ଭାଷା ହେଲା ଇଂରେଜୀ ଓ ଏହି ଇଂରେଜୀ ଶବ୍ଦ ବା ବାକ୍ୟାଂଶର ଆକ୍ଷରିକ ଅନୁବାଦ ଫଳରେ ନୂଆ ଓଡ଼ିଆ ନିର୍ମାଣ ହୋଇଛି। କିନ୍ତୁ କଥା ହେଲା, ଏ ସବୁ କେବଳ ଏକ ଲିଖିତ ଭାଷା ବଳୟ ମଧ୍ୟରେ ସୀମିତ ରହିଯାଇପାରେ, କଥିତ ଭାଷା ବଳୟ ଭିତରକୁ ସମ୍ଭବତଃ ଯାଇ ପାରିବନାହିଁ। କହିଲା ବେଳେ ଆମେ ମୂଳ ଇଂରେଜୀ ଶବ୍ଦମାନଙ୍କୁ ହିଁ ଫେରିବା।
ଏହି ସଂଦର୍ଭରେ ଖବରକାଗଜ ପୃଷ୍ଠାରେ ଦେଖିଥିବା ଓ ପଢ଼ିଥିବା ଏକ ବଳିଷ୍ଠ ଓ ହୃଦୟଗ୍ରାହୀ ‘ଓଡ଼ିଆକରଣ’ ପ୍ରକ୍ରିୟା ବିଷୟରେ କିଞ୍ଚିତ ସୂଚନା ଦେବି। ମାର୍ଚ୍ଚ ୨୧ ତାରିଖ ୨୦୧୩ରେ ଆଫ୍ରିକୀୟ ଲେଖକ ଚିନୁଆ ଆଚିବିଙ୍କ ଦେହାନ୍ତ ହେଲା। ୧୯୫୮ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ ‘ଥିଙ୍ଗସ୍ ଫଲ୍‌ ଏପାର୍ଟ’ ପାଇଁ ସେ ବିଶ୍ବବନ୍ଦିତ। ତାଙ୍କ ଲିଖିତ ଆଫ୍ରିକୀୟ-ତ୍ରୟୀ (‘ଥିଙ୍ଗସ ଫଲ୍‌ ଏପାର୍ଟ’, ‘ଏରୋ ଅଫ୍ ଗଡ୍’, ‘ନୋ ‌ଲଙ୍ଗାର୍ ଏଟ୍ ଇଜ୍’) ଜାତି, ରଙ୍ଗ, ଧର୍ମ, ଲିଙ୍ଗ ଆଧାରରେ ଅବହେଳିତ ଓ ଲାଂଛିତ ମଣିଷର ବେଦାନସିକ୍ତ ଅଭିବ୍ୟକ୍ତି। ପୃଥିବୀର ପ୍ରମୁଖ ଖବରକାଗଜଗୁଡ଼ିକରେ ଆଚିବିଙ୍କ ମୃତ୍ୟୁକୁ ନେଇ ପ୍ରକାଶିତ ଲେଖାମାନଙ୍କର ଶିରୋନାମା ନୈରାଶ୍ୟଜନକ ଭାବରେ ନିରସ ଓ ସାଧାସିଧା ଥିଲା। କିନ୍ତୁ ଗୋଟିଏ ଓଡ଼ିଆ ଖବରକାଗଜ ସ୍ତମ୍ଭ‌ର ଶିରୋନାମା ଥିଲା ‘ଦର୍ପ ଓ ଦହନର ବ୍ୟାଖ୍ୟାକାର’। ‘ଦର୍ପ’ ଓ ‘ଦହନ’ ଏହି ଦୁଇ ନିରୁତା ଓଡ଼ିଆ ଶବ୍ଦ ଆଚିବିଙ୍କୁ ବ୍ୟାଖ୍ୟା କରିବାରେ ନିର୍ଣ୍ଣାୟକ ଥିଲା। ଏହିପରି ‘ଓଡ଼ିଆକରଣ’ ହିଁ କାମ୍ୟ।
ମୋ: ୭୩୭୭୭୭୭୭୦୮