ଜୟନ୍ତ କୁମାର ବିଶ୍ବାଳ

ଜୀବନକୁ ସୁନ୍ଦର ଭାବେ ବଞ୍ଚିବାର ଏକମାତ୍ର ଉପାୟ ହେଉଛି, ବର୍ତ୍ତମାନରେ ବଞ୍ଚିବା। ଏହି କଥାଟି କିଛିଟା ଦୁର୍ବୋଧ୍ୟ, ଅସହଜ ଲାଗିପାରେ, କାରଣ ଆମେ ସମସ୍ତେ ତ ବର୍ତ୍ତମାନରେ ବଞ୍ଚୁଛୁ; ବର୍ତ୍ତମାନରେ ଶ୍ବାସ ପ୍ରଶ୍ବାସ ନେଉଛୁ; ଜୀବନର ଯାବତୀୟ କାରବାର ତ ବର୍ତ୍ତମାନରେ କରୁଛୁ। ପୁଣି ବର୍ତ୍ତମାନରେ ବଞ୍ଚିବାର ଅର୍ଥ କ’ଣ? ବର୍ତ୍ତମାନରେ ବଞ୍ଚିବାର କଥାଟିକୁ ଏପରି ଅର୍ଥ କରିବା, ଏକ ଅତି ମାମୁଲି ଢଙ୍ଗରେ କଥାଟିକୁ ଗ୍ରହଣ କରିବା ଅଟେ। ବର୍ତ୍ତମାନରେ ବଞ୍ଚିବା ମଣିଷ ପାଇଁ ଗଭୀର ପରିବର୍ତ୍ତନର ଦ୍ବାର ଖୋଲି ଦେଇପାରେ; ଉତ୍ସାହର, ଆନନ୍ଦର ଏକ ନୂତନ ଦିଗ୍‌ବଳୟକୁ ଉଦ୍‌ଭାସିତ କରିଦେଇପାରେ।
ଏକ ଦାର୍ଶନିକ ସତ୍ୟ ପରି ପ୍ରତୀତ ହେଉଥିବା ଏହି କଥାଟିକୁ ଆମେ ଆମ ବାସ୍ତବ ଜୀବନରେ କିପରି ରୋପିତ କରିପାରିବା? ସାଧାରଣ ଭାବେ ଆମ ଅନେକଙ୍କ ପାଇଁ ଏହା ସମ୍ଭବପର ହୋଇ ନ ଥାଏ, କାରଣ ବର୍ତ୍ତମାନରେ ସିନା ଆମର ଭୌତିକ ସ୍ଥିତିଟି ଥାଏ; କିନ୍ତୁ ଆମର ମାନସିକ, ଆବେଗିକ ଜୀବନ ଅତୀତ ବା ଭବି‌ଷ୍ୟତରେ ନିମଜ୍ଜିତ ହୋଇ ରହିଥାଏ। ବୟସ ଅତିକ୍ରାନ୍ତ ହୋଇଗଲେ ଅନେକ ଅତୀତମନସ୍କ ହୋଇଯାନ୍ତି ଏବଂ ଜୀବନର ଯାହା କିଛି ଆବେଗ, ଶିହରଣ ସେମାନେ ସେହି ଅତୀତକୁ ରୋମନ୍ଥନ କରି ପାଇଥା’ନ୍ତି। ସେମାନଙ୍କର ବଂଶ ଗୌରବ ଗରିମା, ପଦବି, ପ୍ରତିଷ୍ଠା, ସ୍ତ୍ରୀ ପୁତ୍ର କନ୍ୟାମାନଙ୍କୁ ନେଇ‌ ସେମାନଙ୍କର ପରିବାର- ଏହିପରି ଅତୀତର ଗହ୍ବରରେ ଥିବା ଅନେକ କଥାକୁ ରୋମନ୍ଥନ କରିବାରେ ସେମାନଙ୍କର ସମୟ କଟିଯାଏ, କାରଣ ବର୍ତ୍ତମାନରେ ସେମାନେ ସଂପୂର୍ଣ୍ଣ ନିଃସ୍ବ, ସେମାନଙ୍କର କାହା ସହ ସଂପୃକ୍ତି ନ ଥାଏ। ଯିଏ ଅତୀତକୁ ସମ୍ବଳ କରିଥାଏ, ସେ ଅତୀତର ଜୀବନଟି ଆଉ ନ ଥିବାର ଦୁଃଖରେ ମଧ୍ୟ ଘାରି ହେଉଥାଏ। ସେହିପରି ଯେଉଁମାନେ ଭବିଷ୍ୟତମଗ୍ନ ଥାଆନ୍ତି, ସେମାନେ ଭବିଷ୍ୟତ ନେଇ ନାନା ଚିନ୍ତା, ଉଦ୍‌ବେଗ ଭିତରେ ବୁଡ଼ି କରି ଥାଆନ୍ତି। ସେଥିପାଇଁ କୁହାଯାଇଥାଏ ଯେ ଆମର ବହୁତ ଦୁଃଖ ଆମେ ପ୍ରକୃତରେ ଭୋଗିନଥିବା ଦୁଃଖ ଅଟେ।
ତେଣୁ ବର୍ତ୍ତମାନ ହିଁ ଆମର ଏକମାତ୍ର ସମ୍ବଳ। ଯିଏ ବର୍ତ୍ତମାନ ପ୍ରତି ଉଦାସୀନ ରହେ, ତା’ର ଜୀବନ ଦୁର୍ବିଷହ ହେବା ଅବଶ୍ୟମ୍ଭାବୀ। ଆମେ କେବେ ଆମର ପ୍ରତିଦିନର ଜୀବନକୁ ନିରୀକ୍ଷଣ କରିଛେ କି? ରାତିରେ ଶୋଇବାକୁ ଗଲାବେଳେ କ’ଣ ଏହି ଅନୁଭବଟି ନେଇ ଆମେ ଶୋଇବାକୁ ଯାଉଛୁ ଯେ ଆଜି ଦିନଟା ବହୁତ ଭଲ ଲାଗିଲା; ଆଜି କାହାର ଗୋଟିଏ କଥା ବହୁତ ଭଲ ଲାଗିଲା; ଆଜି କ’ଣ ଦେଖି ହୃଦୟ ହଠାତ୍ ଗୁଞ୍ଜରିତ ହୋଇ ଉଠିଲା? ନା, ଆଜି ଦିନଟି ସେମିତି ସେମିତି କଟିଗଲା, ଶୁ‌ଷ୍କ, ନିରସ ଭାବରେ? ଯଦି ଶୁ‌ଷ୍କ, ନିରସ ଭାବରେ କଟିଲା, ତେବେ ଏହାର ଅର୍ଥ ଯେ ଆଜି ଦିନରେ ମୁଁ ଯାହା ସବୁ କଲି, ଯାହାସବୁ ମୁଁ ଦେଖିଲି, ଯେଉଁମାନଙ୍କ ସହ ମୋର ସାକ୍ଷାତ, କଥାବାର୍ତ୍ତା ହେଲା, ସେ ସବୁ ଫମ୍ପା ଥିଲା, କାରଣ ସେ ସବୁ କେବଳ ମୋ’ ପାଇଁ ବ୍ୟାବହାରିକ ଥିଲା; ମୋ ଅନ୍ତଃକରଣରେ ମୁଁ ତାହା ପ୍ରତି ଜାଗ୍ରତ ନ ଥିଲି। ହିସାବ କଲେ, ଦିନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଁ ଅନେକ ଜିନିଷ ଦେଖିଛି; ଅନେକ ଲୋକଙ୍କ ସହ ଦେଖା, କଥାବାର୍ତ୍ତା କରିଛି; କିନ୍ତୁ କିଛି ଗୋଟିଏ ହେଲେ ବି ମୋ ମନ ଉପରେ ରେଖାପାତ କରିନାହିଁ; ମନକୁ ସାମାନ୍ୟ ଆବେଗରେ ସିକ୍ତ କରିନାହିଁ। ଟ୍ରେନ୍‌ରେ ଗଲାବେଳେ ଝରକା ଦେଇ ରାସ୍ତାକଡ଼ର ଯାନବାହନ, ଗଛଲତା, ଗଁା, ପାହାଡ଼ ସବୁ ମୁହୂର୍ତ୍ତକ ପାଇଁ ଦୃଶ୍ୟ ହୋଇ ପୁଣି କେଉଁ ବିସ୍ମୃତିର ଗର୍ଭରେ ହଜିଗଲା ପରି। ସମାଜର ଏତେ ଗହଳ ଚହଳ, କୋଳାହାଳ ଏବଂ ସୃଷ୍ଟିର ଏତେ ପୁଲକଭରା ମୁହୂର୍ତ୍ତ ଭିତରେ ଯଦି ମୋର ଦିନସବୁ ଶୁଷ୍କ, ଶୂନ୍ୟ ଅନୁଭବରେ କଟୁଛି, ତେବେ ଏହାର କାରଣ ଯେ ମୁଁ ମୋର ବର୍ତ୍ତମାନରେ ବଞ୍ଚୁନାହିଁ। ବର୍ତ୍ତମାନରେ ବଞ୍ଚିବାର ଅର୍ଥ ମୁଁ ମୋର ସମସ୍ତ ସଚେତନତାକୁ ମୁଁ ମୋର ବର୍ତ୍ତମାନକୁ ଆଣିବି ଯେପରିକି ମୋର କୌଣସି କାର୍ଯ୍ୟ ଶସ୍ତା, ଉପର ଠାଉରିଆ ସଂପୃକ୍ତି ନେଇ ହେବନାହିଁ; ମଣିଷ, ପ୍ରାଣୀ, ପ୍ରକୃତି ସହ ମୋର ସାକ୍ଷାତ୍‌ରେ ମୋର ସତ୍ତାର ସମଗ୍ର ଜାଗ୍ରତତା କେନ୍ଦ୍ରୀଭୂତ ହୋଇ ରହିବ, ଯାହା ଫଳରେ ମୋର ଜୀବନ ମୋତେ ଫମ୍ପା ଲାଗିବ ନାହିଁ; ଏହା ଏକ ନିବିଡ଼ ଜୀବନବୋଧରେ ସ୍ପନ୍ଦିତ ହେଉଥିବ।
ଏଥିପାଇଁ ପ୍ରଥମେ ଆବଶ୍ୟକ ଯେ ଅନ୍ୟକୁ ମୁଁ ଭେଟିଲା ବେଳେ ମୋ ଭିତରେ ପୂର୍ବରୁ ଥିବା ବଦ୍ଧମୂଳ ଧାରଣାଗୁଡ଼ିକୁ ମୁଁ ତ୍ୟାଗ କରିଦେବି, ଯାହା ଫଳରେ ମୋର ସମସ୍ତ ଦେଖିବା, ଶୁଣିବା, କଥା ହେବାକୁ ମୁଁ ଏକ ସରଳ, ଉନ୍ମୁକ୍ତ ମନରେ କରିପାରିବି। ଗୋଟିଏ ଛୋଟ ଉଦାହରଣ ନିଆଯାଉ- ମୁଁ ବେଶଭୂଷା ବିଷୟରେ ପ୍ରଚଣ୍ଡ ରକ୍ଷଣଶୀଳ ଏବଂ କୌଣସି ପରିସ୍ଥିତିରେ ଯଦି ମୁଁ ଜଣେ ଅତ୍ୟାଧୁନିକ ବେଷଭୂଷାରେ ସଜ୍ଜିତା ଜଣେ ମହିଳାଙ୍କୁ ସାକ୍ଷାତ୍ କରୁଛି, ତେବେ ସେ ସାକ୍ଷାତ୍ ପ୍ରଥମରୁ ତ ମୋର ଘୃଣାରୁ ହିଁ ଆରମ୍ଭ ହେବ ଏବଂ ଏହା ଫଳରେ ମୋର ସଂପୃକ୍ତିର ସମସ୍ତ ରାସ୍ତା ତ ମୁଁ ପ୍ରଥମରୁ ବନ୍ଦ କରିଦେଇଥିବି। ଏପରିକି ନିଜ ବିଷୟରେ ଥିବା ନିଜର ଦୃଢ଼ୀଭୂତ ଧାରଣା- ଯେମିତି ମୁଁ ଏତେ ବଡ଼ ପଦପଦବିର ଅଧିକାରୀ, ବା ମୁଁ ଏତେ ଦୂର ଉଚ୍ଚଶିକ୍ଷିତ- ଗୁଡ଼ିକୁ ପରିହାର କରିବାକୁ ପଡ଼ିବ, କାରଣ ଏହି ଧାରଣାଗୁଡ଼ିକ ନିଜର ଚାରିପଟେ ଲୁହାର ଏକ ବାଡ଼ ତିଆରି କରିଦିଏ, ଯାହା ଫଳରେ ଅନ୍ୟ ମଣିଷଟି ସବୁ ବେଳେ ‘ଅନ୍ୟ’ ହୋଇ ରହିଥାଏ। ଦିନ ଭିତରେ ଶହ ଶହ ମଣିଷଙ୍କୁ ଭେଟିଲା ପରେ ଗୋଟିଏ ବି ମଣିଷର ମୁହଁ ମନ ଭିତରେ ତା’ର ଛାପ ପକେଇ ନ ଥାଏ। ସବୁ ଦେଖିବାଟି କେବଳ ଆଖି‌ର ରେଟିନା ଭିତରେ ସୀମିତ ହୋଇଥାଏ; ଅନ୍ତରକୁ ପ୍ରବେଶ କରି ନ ଥାଏ। ତା’ହେଲେ ଜୀବନ ନିବିଡ଼ ଲାଗିବ କିପରି! ବର୍ଷ ବର୍ଷ ଧରି ଯଦି ଜଣକର ଜୀବନ ଏହିପରି ଫମ୍ପା ଦେଖିବା, ଶୁଣିବା, କଥାବାର୍ତ୍ତାରେ ଅତିବାହିତ ହେଉଥିବ, ତେବେ ତା’ର ଜୀବନ ତ ତା’କୁ ନିଶ୍ଚୟ ଉଦ୍ଭଟ, କରୁଣ ଲାଗିବ। ଅତୀତ ନାହିଁ କି ଭବିଷ୍ୟତ ନାହିଁ; କେବଳ ବର୍ତ୍ତମାନ ଅଛି। ଆଉ ବର୍ତ୍ତମାନରେ ମୋତେ ମିଳୁଥିବା ସମସ୍ତ ମଣିଷ, ପ୍ରାଣୀ, ପ୍ରକୃତି- ତାହା ଯେତେ ତୁଚ୍ଛ, ନଗଣ୍ୟ ଭାବେ ପ୍ରତୀତ ହେଉ ପଛେ, ତାହା ମୋ’ ପାଇଁ ମହାର୍ଘ ସୁଯୋଗ ନେଇଆସିଛି ମୋର ଜୀବନକୁ ସ୍ପନ୍ଦିତ କରିବା ପାଇଁ। ଜୀବନ ଶୁଷ୍କ, କରୁଣ ହୋଇଯାଏ ଏଥିପାଇଁ ନୁହେଁ ଯେ ଜୀବନରେ ଦୁଃଖ, କଷ୍ଟ ଅଛି ବୋଲି; ବରଂ ଏଥିପାଇଁ ଯେ ଜୀବନରେ ଅନୁଭବ ନାହିଁ ବୋଲି। ଅନୁଭବ ତ କେବଳ ବର୍ତ୍ତମାନରୁ ହିଁ ମିଳିବ।
ଲିଓ ଟଲଷ୍ଟୟଙ୍କ ଗଳ୍ପରେ ସାଧୁ ରାଜାଙ୍କୁ କହିଛନ୍ତି ଯେ ବର୍ତ୍ତମାନ ହିଁ ତୁମ ପାଖରେ ଯିଏ ଅଛି, ସେ ହିଁ ତୁମ ପାଇଁ ସବୁଠୁ ମୂଲ୍ୟବାନ। ମାତ୍ର ମୋ ‘ଆପାଟ୍‌ମେଣ୍ଟ’ର ୱାଚ୍‌ମ୍ୟାନ୍ ହେଉ ବା ପରିବା ଦୋକାନୀ ହେଉ, ଯେଉଁମାନଙ୍କୁ ମୁଁ ପ୍ରତିଦିନ ଭେଟୁଛି, ସେମାନଙ୍କୁ ତ କେବେ ମୁଁ ମୋ’ ପାଇଁ ମୂଲ୍ୟବାନ ବୋଲି ଭାବିନାହିଁ! ତିନି, ଚାରି ପଦ କାମର କଥାବାର୍ତ୍ତା ପରେ ମୋ’ ପାଇଁ ସେମାନଙ୍କର ସ୍ଥିତି କିଛି ନାହିଁ। ପ୍ରତିଦିନ, ବର୍ଷ ବର୍ଷ ଧରି ମୁଁ ଭେଟୁଥିବା ଲୋକଟି ଯଦି ୫/୧୦ ବର୍ଷ ପରେ ବି ସେମିତି ଅଜଣା ରହିଗଲା, ତେବେ ଏହାଠାରୁ ବଳି ଦୁଃସ୍ଥିତି କ’ଣ ଥାଇପାରେ! କିନ୍ତୁ ଯଦି ମୁଁ ମୋର ବ୍ୟାବହାରିକ ସଂପର୍କର ଊର୍ଦ୍ଧ୍ବକୁ ଯାଇ ସେମାନଙ୍କ ବିଷୟରେ ପ୍ର‌ଥମେ କେବଳ ଟିକିଏ ଭାବନ୍ତି, ସେମାନଙ୍କର ଜୀବନ ପ୍ରତି ମୁଁ ସାମାନ୍ୟ ଜାଗ୍ରତ ହୁଅନ୍ତି, ତେବେ ଏହି ସାକ୍ଷାତ୍‌ଗୁଡ଼ିକ ଆସ୍ତେ ଆସ୍ତେ ଗଭୀର ସାକ୍ଷାତ୍ ହୁଅନ୍ତା।
ଏହି ପରିପ୍ରେକ୍ଷୀରେ ମୁଁ ସିଦ୍ଧାନ୍ତ ନେଲି ଯେ ଯାହା ସାଥିରେ ମୋର ସାକ୍ଷାତ୍ ହେଉ, ସେହି ସାକ୍ଷାତ୍ ମୋର ଜାଗ୍ରତତାର ଆଧାରରେ ହେବ; ପ୍ରତ୍ୟେକ ସାକ୍ଷାତ୍‌କୁ ମୁଁ ଜୀବନ୍ୟାସ ଦେବି, ସ୍ପନ୍ଦିତ କରିବି। ପ୍ରଥମେ ପ୍ରଥମେ ଏହା କିଛିଟା ଅସ୍ବାଭାବିକ ଲାଗିଲା; କିନ୍ତୁ ଆସ୍ତେ ଆସ୍ତେ ଏକ ନୂତନ ଅନୁଭବ ମଧ୍ୟ ହେଲା। ଉଦାହରଣ ସ୍ବରୂପ, ‘ପାର୍କିଂ ‌ଲଟ୍’ରେ ଯେଉଁ ସିକ୍ୟୁରିଟି ଗାର୍ଡକୁ ମୁଁ ସବୁ ଦିନ ଦେଖେ ଗାଡ଼ି ନେବା ଆଣିବା କଲା ବେଳେ ଏବଂ ଯାହାକୁ ମୁଁ କେବଳ ଗୋଟିଏ ୟୁନିଫର୍ମ ଭାବେ ଗ୍ରହଣ କରି ନେଇଥିଲି, ଏବେ ତା’ର ୟୁନିଫର୍ମ ଉହାଡ଼ରୁ ମୁଁ ଯୁବକର ଚଳଚଞ୍ଚଳ ପ୍ରାଣ, ଆବେଗକୁ ଦେଖିପାରିଲି। ଏହିପରି କିଛି ଦିନ ଭିତରେ ମୁଁ ଯେତେ ଜଣଙ୍କୁ ଭେଟୁଥିଲି- ସେ ପରିବା ଦୋକାନୀ ହେଉ ବା ‘ଆମାଜନ୍’ର କୋରିଅର୍ ପିଲାଟି ହେଉ ବା ଛୋଟ ଛୁଆକୁ କାଖରେ ଧରି ଆସୁଥିବା କାମବାଲୀ ସ୍ତ୍ରୀଲୋକଟି ହେଉ- ସମସ୍ତଙ୍କୁ ମୁଁ ମୋର ପ୍ରତିଦିନ ଜୀବନଯାତ୍ରାରେ ଚଳମାନ ଦୃଶ୍ୟ ବୋଲି ନ ଭାବି ରକ୍ତମାଂସ, ସୁଖଦୁଃଖ, ସ୍ନେହଶ୍ରଦ୍ଧାର ମଣିଷ ଭାବେ ଆବିଷ୍କାର କଲି। ପ୍ରଥମରୁ, ମୋର କାହା ସହ କୌଣସି ଆନ୍ତରିକ କଥାବାର୍ତ୍ତା ହୋଇ ନ ଥିଲା; କେବଳ ସେମାନଙ୍କୁ ମୁଁ ମୋର ଚେତନାରେ ସ୍ଥାନିତ କରିବାକୁ ଆରମ୍ଭ କଲି ଏବଂ ସେମାନଙ୍କୁ ଅନୁଭବ କରିବାକୁ ସମର୍ଥ ହେଲି। ଏହି କ୍ରମରେ ମୋର ଜୀବନରେ ଯେଉଁ ରୁକ୍ଷ, ନିଃଷ୍କରୁଣ, ନିଃସଙ୍ଗ ଭାବ ଥିଲା, ଏହି ଅନୁଭବ ଫଳରେ ତାହା ଧୀରେ ଧୀରେ ଆର୍ଦ୍ର, ସମ୍ବେଦନଶୀଳ ହେବାକୁ ଆରମ୍ଭ କଲା। କ୍ରମଶଃ ଏହି ଅନୁଭବ ମୋତେ ସେମାନଙ୍କ ସହ ସଂପୃକ୍ତିକୁ ବାଟ କଢ଼େଇନେଲା। ସମୟ କ୍ରମେ ମୁଁ ସେମାନଙ୍କର କାହାଣୀ ଶୁଣିଲି ଏବଂ ସେହି ଶୁଣିବା ଭିତରେ ମୋର ଉପଲବ୍‌ଧି ହେଲା ଯେ ଶିକ୍ଷା, ପଦପଦବି, ଅର୍ଥ ଉପାର୍ଜନରେ ସେମାନେ ଖୁବ୍ ନ୍ୟୂନ ମନେ ହେଉଥିଲେ ମଧ୍ୟ ସେମାନଙ୍କର ବଞ୍ଚିବାର ଯେଉଁ ସ୍ନେହ ଓ ଆନ୍ତରିକତା, ଜୀବନ ସହିତ ଯୁଝିବାରେ ଯେଉଁ ଶୌର୍ଯ୍ୟ ଓ ଧୈର୍ଯ୍ୟ ରହିଛି, ତାହାର ଆମର ଜୀବନରେ ବହୁତ ଅଭାବ। କେତେଟି ଦିନର ସଂପର୍କିତ ହେବା ଭିତରେ ମୁଁ ନିଜ ଭିତରେ ଏକ ସୁନ୍ଦର, କୋମଳ ପରିବର୍ତ୍ତନକୁ ଆବିଷ୍କାର କଲି। ମୋର ଅନ୍ତର ଭିତରର ‘ମାହୋଲ’, ମୋର ଆଖପାଖର ‘ମାହୋଲ’ ବଦଳିଗଲା। ପ୍ରତ୍ୟେକ ଦେଖାସାକ୍ଷାତ୍ ହସଖୁସି, ଆନ୍ତରିକତା ଭରା ହୋଇଗଲା। କିଛି କାମ ନାହିଁ ବୋଲି ମୋତେ ଯେଉଁ ‘ବୋର୍’, ଖାଲି ଖାଲି ଲାଗୁଥିଲା, ଏବେ ମୋର ସଂସାର ବଢ଼ିଯିବା ଫଳରେ କାହାର କେଉଁ ନା କେଉଁ କାମରେ ମୁଁ ନିଜକୁ ଛନ୍ଦି ଦେଲି। ମୁଁ ଜାଣିପାରିଲି ଯେ ମୋର ବର୍ତ୍ତମାନରେ ବଞ୍ଚିବା ଫଳରେ ମୋର ଜୀବନ ଉଦାସୀନତାରୁ ବାହାରିଯାଇ ଅନ୍ତରଙ୍ଗତାରେ ପୂର୍ଣ୍ଣ ହୋଇଗଲା।
ରବୀନ୍ଦ୍ରନାଥ ତାଙ୍କର ‘ଏକ୍‌ଟି ଶିଶିର ବିନ୍ଦୁ’ କବିତାରେ ଲେଖିଛନ୍ତି ଯେ ମୁଁ କେଉଁ ଦୂର ଅଜଣା ଦେଶରେ ଅଜସ୍ର ଅର୍ଥ ବ୍ୟୟ କରି ବର୍ଷ ବର୍ଷ ଧରି କେତେକେତେ କ୍ରୋଶ ବୁଲିଅଛି ସାଗର, ପର୍ବତମାଳାକୁ ଦେଖିବା ପାଇଁ। ମାତ୍ର ମୋର ଘର ଠାରୁ ଦୁଇ ପାଦ ପରେ, ଧାନ କେଣ୍ଡାଟି ଉପରେ ଚିକ୍‌ଚିକ୍ କରୁଥିବା ଶିଶିର ବିନ୍ଦୁକୁ ମୁଁ ତ ଆଖି ଖୋଲି ଦେଖିନାହିଁ!
ଏହି ଶିଶିର ବିନ୍ଦୁଗୁଡ଼ିକୁ ଦେଖି ନ ପାରିବା ଆମର ବିଡ଼ମ୍ବିତ ଭାଗ୍ୟକୁ ହିଁ ସୂଚେଇଥାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨ ୯୨୧୧୩