ନିର୍ବାଚନ ଓ ଗଣତନ୍ତ୍ର ପରସ୍ପର ସହ ଯୋଡ଼ା। ନିର୍ବାଚନ ମାଧ୍ୟମରେ ସାବାଳକ ଜନସାଧାରଣ ଜନପ୍ରତିନିଧି ବାଛନ୍ତି। ପରେ ସେଇ ପ୍ରତିନିଧିମାନଙ୍କ ଭିତରୁ ସଂଖ୍ୟାଗରିଷ୍ଠତା ଆଧାରରେ ସରକାର ଗଢ଼ାହୁଏ ଓ ଶାସନ ଚାଲେ। ସେଇ ପଦ୍ଧତି ଆଧାରରେ ସରକାର ବି ବଦଳେ। ଆଜି ଯିଏ ସରକାରରେ ବସି ନିଶ ମୋଡୁଛି କାଲି ସେଇ ଲୋକ ନିଶକୁ ତଳମୁହଁା କରି ଆସନରୁ ଓହ୍ଲାଏ। ଆଗରୁ ଯାହାକୁ ବହୁମତ ଦେଇ ଲୋକେ ବାଛିଥାନ୍ତି, ତା’କୁ ତା’ର ଲୋକବିରୋଧୀ କାମ ଓ ଆଚରଣ କାରଣରୁ ଭୋଟ ନ ଦେଇ ବିଦା କରନ୍ତି।
ଅତଏବ ଶାସନ, ସରକାର ଓ ଗଣତନ୍ତ୍ରରେ ନିର୍ବାଚନ ହିଁ ଅସଲ ନିୟାମକ। ତେବେ ନିର୍ବାଚନ ବୋଲି କହିଲେ ତାହା ଯେ ସବୁବେଳେ ଅସଲି ମହୁ ପରି ଶୁଦ୍ଧ ସେ କଥା କେହି ହଲପ୍ କରି କହିପା‌ରିବେ ନାହିଁ। ଯେତେ ଭଲ ଜିନିଷ ସେତେ ଅଧିକ ତା’ର ନକଲି ବିକଳ୍ପ ବାହାରେ। ଭଲର କୀର୍ତ୍ତି-ନାମଟିକୁ ବେପାରୀ ମନୋଭାବର ଲୋକେ ଅପମିଶ୍ରିତ ଦ୍ରବ୍ୟ ମାଧ୍ୟମରେ ବଣିଜ କରନ୍ତି। ସେଇଥିପାଇଁ ନକଲି ମହୁ, ନକଲି ଗୁଆଘିଅ, ନକଲି ମୋତି, ନକଲି ହୀରା ଯାହାକୁ ଯେତେ। ଅସଲି ମିଳିବା ମୁସ୍କିଲ। ଠିକ୍ ସେଇଭଳି ଅସଲି ଗଣତନ୍ତ୍ର ଓ ଅସଲି ନିର୍ବାଚନ।
ଅସଲି ନିର୍ବାଚନ ଆମ ସମୟରେ ଏବେ ଦୁର୍ଲଭ। ‌ସବୁଠାରେ ନକଲିର ବିପୁଳତା। ଗାଈ ନକଲି; ସେ ଅସଲି କ୍ଷୀର ଦେବ କେମିତି? ନିର୍ବାଚନ ଯେବେ ନକଲି, ଅଶୁଦ୍ଧ, ଅପମିଶ୍ରଣରେ ଭରା, ଆମେ ସେଠାରେ ଶୁଦ୍ଧ ଗଣତନ୍ତ୍ରଟିଏ ପାଇବା କେଉଁଠୁ? ଯେଉଁମାନେ ଅପମିଶ୍ରଣ ବାଟେ କ୍ଷମତାର ମିଠା ସୁଆଦ ପାଇଛନ୍ତି ସେମାନେ ହିଁ ଆଉ ନିଜଆଡୁ ଅସଲି ଧାରାକୁ ଫେରିବେ ନାହିଁ। ଅତଏବ ଏହାର ଉତ୍ତର କେବଳ ସର୍ବସାଧାରଣଙ୍କ ପାଖରେ। କୌଣସି ରାଜନୈତିକ ଦଳ ଠାରୁ ଶୁଦ୍ଧ-ନିର୍ବାଚନ ଆଶା କରିବା ବୃଥା। ଆସିଲାବେଳେ ଶୁଦ୍ଧତାର ଡୁହା ଦେଇ ସେମାନେ ହୁଏତ କ୍ଷମତା ହାସଲ କରିପାରନ୍ତି ହେଲେ ଥରେ କ୍ଷମତାର ନିଶା ଚାଖିଲେ ଆଉ ଶୁଦ୍ଧ ଧାରାକୁ ଫେରିପାରନ୍ତି ନାହିଁ। ସେମାନଙ୍କର ନିଶା ଛଡ଼େଇବାର ଗଦ କେବଳ ଭୋଟରମାନଙ୍କ ପାଖରେ ଥାଏ। ନିଶାଗ୍ରସ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ଲୋକମାନେ ହିଁ ନିଶାନିବାରଣ କେନ୍ଦ୍ର। ହେଲେ ଲୋକେ ଯେଉଁଠାରେ ନିଶାଗ୍ରସ୍ତ ସେଠାରେ ଶୁଦ୍ଧ-ନିର୍ବାଚନ ଆଶା କରିବା ବୃଥା।
ଏ ନିଶା, ରାଜନୈତିକ ଦଳମାନଙ୍କ ପାଇଁ ବୋତଲ ଭରା କ୍ଷମତା ଓ ସାଧାରଣ ଲୋକଙ୍କ ପାଇଁ ବୋତଲ ଭରା ହାତଟେକା ଭିକ। ଲୋକଙ୍କୁ କାମ ନ ଦେଇ ରୋଜଗାରକ୍ଷମ କରିବାର ସୁବିଧା ନ ଦେଇ ମାଗଣା ଡାଲି, ଚାଉଳ, ଲୁଣ ଦେବା ଭିକ ନୁହେଁ ତ ଆଉ କ’ଣ? ସବୁ ରାଜନୈତିକ ଦଳମାନଙ୍କର ଇଚ୍ଛା ଗଣତନ୍ତ୍ର-ମନ୍ଦିରର ସିଂହଦ୍ବାର ନିକଟରେ ଏମାନଙ୍କର ଭିଡ଼ ଜମୁ। ଯେତେ ଅଧିକ ଭିକାରି, ସେତେ ଅଧିକ ନିର୍ବାଚନ ଜିଣିବାର ସମ୍ଭାବନା। ସେଥିପାଇଁ କୋଡ଼ିଏ ପଚିଶ ବର୍ଷ ଶାସନରେ ରହିଲେ ବି ସେମାନେ କହି ଚାଲିଥାନ୍ତି, ଆମେ ଦାରିଦ୍ର୍ୟ ହ‌େଟଇବୁ, ସମସ୍ତଙ୍କୁ ରୋଜଗାର ଦେବୁ। ଘା’କୁ ଚିଅଁାଇ ରଖନ୍ତି ଏବଂ ସବୁଥର ନିର୍ବାଚନ ବେଳେ ମଲମ ବାଣ୍ଟିବାର କଥା କହନ୍ତି। ସ୍ଥଳବିଶେଷରେ ମଲମ ଯେ ବାଣ୍ଟନ୍ତି ନାହିଁ ସେ କଥା ନୁହେଁ, ହେଲେ ସେ ମଲମ କୌଣସି ଠାରେ ଘା’କୁ ଶୁଖାଏ ନାହିଁ। ଓଲଟି ଘା’-କଣ୍ଡୁକୁ ଜାଗରିତ କରି ରଖେ।
ନିର୍ବାଚନକୁ ଆସିବା। ବଳଶାଳୀ ଆମେରିକା ମାତ୍ର ତିନି ଶତାବ୍ଦୀର ଦେଶ। ସେମାନେ ଆମର ଏଇଠୁ ସବୁ ଆରମ୍ଭ ବୋଲି କହିପାରନ୍ତି ନାହିଁ। ସାରା ବିଶ୍ବକୁ ଉପନିବେଶ ମାଧ୍ୟମରେ ଏକଦା ଭିକାରି କରି ରଖିଥିବା ଇଉରୋପଦେଶୀ ସବୁକଥା ସେଇଠୁ ଆରମ୍ଭ ବୋଲି କହନ୍ତି। ଗଣତନ୍ତ୍ର ସେଇଠୁ, ନିର୍ବାଚନ ସେଇଠୁ, ରାଜନୀତିର ଅନୁଶୀଳନ, ଦେଶବୋଧ, ରାଷ୍ଟ୍ରବୋଧ ବି ସେଇଠୁ। ଆରିଷ୍ଟଟଲ୍‌ଙ୍କ ନାମ ସାରା ପୃଥିବୀ ଜାଣେ, ଚାଣକ୍ୟଙ୍କ ନାମ କେତେଗୋଟି ଦେଶ ଜାଣନ୍ତି? ‌ସକ୍ରେଟସ୍ ଜ୍ଞାନ-ପୁରୁଷ। ବାଲ୍ମୀକି, ବ୍ୟାସ, ପତଞ୍ଜଳି, ଯାଜ୍ଞବଳ୍କଙ୍କ ସଂପର୍କରେ କେତେଜଣ ଜାଣନ୍ତି? ଚରକ, ସୁଶ୍ରୁତଙ୍କ କଥା କେତେଭାଗ ପୃଥିବୀ ଜାଣେ?
ଆଜି ଆମେ ଯେଉଁ ନିର୍ବାଚନ କଥା କହୁ ତାହା ବ୍ୟାଲଟ୍ ବା ମତଦାନ ଆଧାରିତ ନିର୍ବାଚନ। ନିର୍ବାଚନର ଅସଲ ଅର୍ଥ ନିଷ୍ଠାପର ଭାବେ ଚୟନ କରିବା ବା ବାଛିବା। କାଗଜରେ ସହମତି ଜଣାଇ ଲୁଚେଇ ବାଛିବାର ପରମ୍ପରା ମାତ୍ର ତିନିଶହ ବର୍ଷର କଥା। ତା’ ଆଗରୁ ଗଣମତ ଆଧାରରେ ମୁଖିଆ ବାଛିବାର ପରମ୍ପରା ଯେ ନ ଥିଲା, ସେ କଥା ନୁହେଁ। ଆଦିବାସୀ ସମାଜ ପ୍ରାଚୀନତମ ସମାଜ। ଅଧିକାଂଶ ଆଦିବାସୀ ଜନପଦରେ ମୁଖିଆ ବାଛିବାର ପରମ୍ପରା ପ୍ରାଚୀନ। ଭାରତ ଏକ ଖୁବ୍ ପ୍ରାଚୀନ ଭୂଖଣ୍ଡ। ସାରା ଇଉରୋପ ଯେତେବେଳେ ସଭ୍ୟତା କ’ଣ ଜାଣି ନ ଥିଲା, ସେତେବେଳେ ଭାରତ ବେଦ, ବେଦାନ୍ତ, ଉପନିଷଦ, ରାମାୟଣ, ଭାଗବତର ଦେଶ ପାଲଟି ସାରିଥିଲା। ଅଥଚ ଆଜି ସମଗ୍ର ଭାରତବର୍ଷରେ ଶାସନରେ ଯେଉଁସବୁ ସରଞ୍ଜାମ ଓ ପଦ୍ଧତିର ଉପଯୋଗ ହେଉଛି ‌ସବୁ ସେଇ ପାଶ୍ଚାତ୍ୟ ଦେଶରୁ ଧାରକରା ପରାମର୍ଶ ଓ ପଦ୍ଧତି।
ନୂଆ ଭାରତ ପାଇଁ ଆମେ ସଂବିଧାନ ତିଆରି କଲୁ ହେଲେ ସବୁ ଗୋଟେଇ ଆଣିଲୁ ସେଇଆଡୁ। ଝୋଟ ତାଙ୍କର ଅଖା ତାଙ୍କର। ଧାରକରା ଶାସନ ପଦ୍ଧତି। ଧାରକରା ନିର୍ବାଚନ ପଦ୍ଧତି।
ସାଧାରଣ ସଂଖ୍ୟାଗରିଷ୍ଠତା କହିଲେ ଆମେ ଅର୍ଦ୍ଧାଧିକ ବୋଲି ଜାଣୁ। ପଚାଶ ଭାଗରୁ ଅଧିକ। ଅଥଚ ନିର୍ବାଚନରେ ଜିଣିବାର ଅର୍ଥ ସବୁ ପ୍ରତିଯୋଗୀଙ୍କ ଭିତରେ ଯେ‌ନତେନ ପ୍ରକାରେଣ ଆଗରେ ରହିପାରିବାର କୁଶଳତା। ଶହେ ହାତର ଦଉଡ଼ରେ ଅନ୍ୟମାନେ ଦୁଇ ତିନି ହାତ ‌ଯାଇ ପାରିଥିବାବେଳେ ତୁମେ ଯଦି ପାଞ୍ଚ ହାତ ଘୋଷାରି ହୋଇ ଯାଇପାରୁଛ ତେବେ ତୁମେ ବିଜୟୀ। ଶହେ ହାତରୁ ପାଞ୍ଚ ହାତ। ଧନ୍ୟ ଏ ପ୍ରତିଯୋଗିତା!
ଆମେ କ’ଣ ବିଶ୍ବାସ କରିପାରିବା ‌େଯ ଭାରତର ଗଣତାନ୍ତ୍ରିକ ଇତିହାସରେ ଯେତେ ‌େଯତେ ରାଜନୈତିକ ଦଳ ନିର୍ବାଚନ ଜିଣି କ୍ଷମତାକୁ ଆସିଛନ୍ତି ସେମାନଙ୍କ ଭିତରୁ କେହି ବି, କେବେ ବି ମତଦାତାଙ୍କର ପଚାଶ ଭାଗ ମତରୁ ଅଧିକ ମତ ହାସଲ କରିପାରି ନାହାନ୍ତି?
ଏ କେଉଁ ନିଷ୍ଠାପର ଚୟନ?
ଆମେ କହୁ ଗଣତନ୍ତ୍ର, ଲୋକଶାସନ। ଅଥଚ ସବୁବେଳେ ଶତକଡ଼ା ତିରିଶ ଚାଳିଶ ଭାଗ ମତଦାତା ଭଦ୍ରଲୋକ ବୋଲାଇ ମତଦାନ କରନ୍ତି ନାହିଁ। ଗଁା ଗହଳରେ ଲୋକେ ଟଙ୍କା ଟୋକର ପାଇଲେ ଭୋଟ ଦେବାକୁ ବାହାରନ୍ତି। ସହରସାରା ବସ୍ତିଗୁଡ଼ିକ କିଣାହୁଏ। ପୈତୃକ ସଂପତ୍ତି ବାଣ୍ଟିବା ପରି ପ୍ରତିଟି ଦଳ ଅସତ୍ ଉପାୟରେ ଲୁଣ୍ଠନ କରିଥିବା ଅର୍ଥ ବାଣ୍ଟି ଭୋଟ କିଣନ୍ତି। ପ୍ରତି ନିର୍ବାଚନ ଏବେ ମତକ୍ରୟର ବାଞ୍ଛିତ ଅବସର। କିଏ ନ କିଣେ? ହଜାରେ ସ୍ଥାନରେ ହଜାରେ ଏକ ହେଇଗଲେ ମତକ୍ରେତା ଜିଣେ। ହଜାରେ ଦେଇଥିବା ବାଲା ପଛରେ ରହେ।
ଏ କେଉଁ ନିର୍ବାଚନ? କେଉଁ ଚୟନ? ପ୍ରାଚୀନ ଏଥେନ୍‌ସରେ ସେମାନେ ନିର୍ବାଚନକୁ ଅଲିଗାର୍କିକ୍ ଅନୁଷ୍ଠାନ ବା ଗୋଷ୍ଠୀତାନ୍ତ୍ରିକ କାର୍ଯ୍ୟ ବୋଲି କହୁଥିଲେ। ସେଥିପାଇଁ ସର୍ଟି‌ସନ୍ ବା ‌ଲଟେରି ବ୍ୟବସ୍ଥାର ପ୍ରଚଳନ କରାଇଥିଲେ।
ଆଜି ସାରା ବିଶ୍ବକୁ ଯେଉଁ ଜ୍ଞାନଜାଲ ଅାଚ୍ଛାଦିତ କରି ରଖିଛି, ତା‌’ ଅଧିକତର ଭାବେ ପଶ୍ଚିମ-କୈନ୍ଦ୍ରିକ। ଅତଏବ ସେ ଅନୁସାରେ ନିର୍ବାଚନର ଜନ୍ମ ପ୍ରାଚୀନ ଗ୍ରୀସ୍‌ରେ। ରୋମ୍‌ର ସମ୍ରାଟ ଓ ଧର୍ମାଧିକାରୀ ପୋପ୍ କୁଆଡ଼େ ସେଇବାଟେ ବଛା ହେଉଥିଲେ। ପୁଣି ମିଳୁଥିବା ଇତିହାସ ଅନୁସାରେ ଆମ ବଙ୍ଗଦେଶର ପାଳରାଜା ଗୋପାଳ ଆନୁମାନିକ ଅଷ୍ଟମ ଶତାବ୍ଦୀରେ ତାଙ୍କ ଜନପଦରେ ଥିବା ମୁଖିଆମାନଙ୍କ ଦ୍ବାରା ବଛା ହୋଇ ଶାସନଗାଦିରେ ବସୁଥିଲେ। ଚୋଳ ସାମ୍ରାଜ୍ୟରେ ବି ସେଇକଥା। କେନ୍ଦୁଝରରେ ଭୂୟଁାମାନେ ହିଁ ବାଛୁଥିଲେ ରାଜ୍ୟର ରାଜାଙ୍କୁ।
ହେଲେ ଆଜିର ନିର୍ବାଚନ ପ୍ରକ୍ରିୟ‌ା ଓ ପଦ୍ଧତି ସଂପୂର୍ଣ୍ଣ ଅଲଗା। ପ୍ରଚାର ପାଇଁ ପାଣ୍ଠି ସଂଗ୍ରହ ଇଦାନିଂ ଆଇନଗତ ଭାବେ ଗ୍ରହଣୀୟ। କେତେ ଆୟ ହେଲା ସେ କଥା ଆୟକର ବିଭାଗ ଜାଣିବାର ପ୍ରବିଧି ନାହିଁ। ଏମ୍.ଏଲ୍.ଏ. ଓ ଏମ୍.ପି.ଙ୍କ ଠାରୁ ଆରମ୍ଭ କରି ଗଁାର ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରତିଟି ପ୍ରତିଯୋଗୀ ପାଇଁ ବି ଖର୍ଚ୍ଚସୀମାର ପ୍ରାବଧାନ ଅଛି। ହେଲେ କୌଣସିଟି ପ୍ରତିଯୋଗୀ ସେ ସୀମା ଭିତରେ ରହନ୍ତି ନାହିଁ। ଦିବାଲୋକରେ ଜନପ୍ରତିନିଧି ଆଇନର ଉଲ୍ଲଂଘନ ହୁଏ। ସେ ଦିଗରୁ ବିଚାର କଲେ ସବୁ ନିର୍ବାଚନ ଅସିଦ୍ଧ। ଅପମିଶ୍ରଣ କାରଣରୁ ଅଗ୍ରହଣୀୟ।
ଜିନିଷ ଖରାପ ହେଲେ ମରାମତି ଦରକାର କରେ, ସଂସ୍କାର ଲୋଡ଼େ। ମରାମତି କରନ୍ତି ଅଭିଜ୍ଞ କାରିଗରମାନେ। ଆମ ଦେଶରେ କିନ୍ତୁ ଏଇ ଅଭିଜ୍ଞ କାରିଗରମାନେ ହିଁ ଜିନିଷକୁ ଖରାପ କରିଚାଲିଛନ୍ତି। ଗଣତନ୍ତ୍ର ଯେ ଭୁଶୁଡୁଛି ସେଥିପାଇଁ ସର୍ବାଗ୍ରେ ଦାୟୀ ଏଇ ତଥାକଥିତ ଅଭିଜ୍ଞ ମୁଣ୍ଡିଆଳମାନେ। କିଛି ନ କରି ସାତ ସାତଟା ଅବଧି ନିର୍ବାଚିତ ହେବା ପରେ ବି ସେମାନେ ଆଣ୍ଠୁବାତ ଗୋଡ଼ରେ ଦଉଡ଼ ପାଇଁ ନିର୍ବାଚନ ମଇଦାନରେ ହାଜର ହୁଅନ୍ତି।
ସମସ୍ତେ ଜାଣନ୍ତି ୨୧ ବର୍ଷ ହିଁ ପରିପକ୍ବତାର ପରିମାପକ। ସେତେବେଳକୁ ସ୍ନାତକପାଠ ସରିଥାଏ। ଅଥଚ କିଶୋର ମନକୁ ସହଜ ମନେ କରି ତା’କୁ ୧୮ ବର୍ଷ କରିଦିଆଗଲା। ଆମେରିକା କଲା ତେଣୁ ଆମେ କରିବୁ। ସବୁବେଳେ ଧାରକରା ମନୋଭାବ।
ଗଣତନ୍ତ୍ର ସମସ୍ତଙ୍କ ପାଇଁ। ଦୁଇଟି କାର୍ଯ୍ୟକାଳରୁ ଅଧିକ ରହିବାର ଅର୍ଥ ତୁମେ ଦଶ ବର୍ଷରେ ବି କିଛି କରିପାରିଲ ନାହିଁ ତେଣୁ ଅପଦାର୍ଥ। କାର୍ଯ୍ୟକାଳ ଦୁଇ ବା ତିନିଟି ଅବଧିରୁ ଅଧିକ ରହିବା ଦୂଷଣୀୟ। ଗୋଟିଏରୁ ଅଧିକ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପ୍ରତିଯୋଗିତା କରିବା ଅର୍ଥ, ପ୍ରତିଯୋଗୀଟି ଅହଙ୍କାର ଦେଖାଉଛି ବା ନିଜେ ଜିଣିବା ନେଇ ସନ୍ଦିହାନ। ଅନ୍ୟ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ‘‘ନୋଟା’’, ‘‘କେହି ଯୋଗ୍ୟ ନୁହନ୍ତି’’। ଗୋଟିଏ ନିର୍ବାଚନରେ ସଂଖ୍ୟାଧିକ ମତଦାତାଙ୍କ ଦ୍ବାରା ଅଗୃହୀତ ହୋଇଥିବା ବ୍ୟକ୍ତି ଯେ ସବୁଦିନ ଲାଗି ଅଯୋଗ୍ୟ ହେବାକଥା ଏହାର ଘୋଷଣା ସାର୍ବଜନୀନ ହେବା ଦରକାର।
ଗୋଟିଏ ଧାଡ଼ିରେ କହିଲେ, ଆମର ଏ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିର ମରାମତି ନିହାତି ଆବଶ୍ୟକ। ନିର୍ବାଚନୀ ଖର୍ଚ୍ଚର କଡ଼ାକଡ଼ି ସୀମାନିର୍ଦ୍ଧାରଣ, ପ୍ରତିଯୋଗିତା କରିବାର ଟର୍ମ-ସୀମିତତା, ଗୋଟିଏ ମାତ୍ର ନିର୍ବାଚନମଣ୍ଡଳୀରୁ ଲଢ଼ିବାର ନିର୍ଦ୍ଦିଷ୍ଟ ପ୍ରବନ୍ଧନ ସଙ୍ଗକୁ ‘‘ନୋଟା’’ ମତ ପ୍ରତି ପ୍ରାଧାନ୍ୟ ଭଳି ସଂସ୍କାରମାନ ଆମ ବ୍ୟବସ୍ଥାରେ ଯେତେଶୀଘ୍ର ଆସିବ ସେତେ ଭଲ। ସାଧୁ ସାବଧାନ!
[email protected]