ଗଣତନ୍ତ୍ର ହେଉଛି ଲୋକଙ୍କ ଦ୍ବାରା, ଲୋକଙ୍କର ଓ ଲୋକଙ୍କ ପାଇଁ। ଏଇଟି କାନକୁ ଭଲ ଶୁଭେ ଏବଂ ଲୋକଙ୍କ ଦ୍ବାରା ଏକ ଗଣତାନ୍ତ୍ରିକ ସରକାର ନିର୍ବାଚିତ ହୋଇଥାଏ ବୋଲି ଆମେ ଭାବିଥାଉ। କିନ୍ତୁ, ଆମ ଭାରତୀୟ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାର ଆଉ ଏକ ଲୁକ୍କାୟିତ ଦିଗ ବି ରହିଛି। ଅର୍ଥବଳ, ବାହୁବଳ ଓ ଲାଞ୍ଚ-ମିଛର ତିନି ଖମ୍ବ ଉପରେ ଏ ନିର୍ବାଚନୀ ବ୍ୟବସ୍ଥା ତିଷ୍ଠି ରହିଛି। ଅର୍ଥ ନ ଥିଲେ ବା କମ୍ ଟଙ୍କାରେ ନିର୍ବାଚନ ଲଢ଼ି କେହି ଜିତି ନାହାନ୍ତି ବା ଜିତି ପାରିବେନି, ତାହା ନୁହେଁ। ତେବେ, ଏହା ଆମ ନିର୍ବାଚନ ବ୍ୟବସ୍ଥାର ସାଧାରଣ ଚରିତ୍ର ନୁହେଁ, ଏକ ବ୍ୟତିକ୍ରମ ମାତ୍ର।
ଏବେ ବିଜୟୀ ବା ପ୍ରତିଦ୍ବନ୍ଦ୍ବୀ ବିଧାୟକ ପ୍ରାର୍ଥୀଟିଏ ଅତି କମ୍‌ରେ ତିନିରୁ ଛଅ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାଂସଦ ପ୍ରାର୍ଥୀଟିଏ ୧୫ରୁ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ନିର୍ବାଚନ କମିସନଙ୍କ ଧାର୍ଯ୍ୟ ଖର୍ଚ୍ଚ ସୀମା ବିଧାୟକ ପ୍ରାର୍ଥୀ ପାଇଁ ୪୫ ଲକ୍ଷ ଟଙ୍କା ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ୯୫ ଲକ୍ଷ ଟଙ୍କା ରହିଛି। କହିବା ବାହୁଲ୍ୟ ଯେ, ପ୍ରାର୍ଥୀ ଓ ଦଳମାନଙ୍କ ଦ୍ବାରା ନିର୍ବାଚନ ପ୍ରଚାର ଓ ଭୋଟ୍ କିଣାବିକାରେ ହେଉଥିବା ପ୍ରକୃତ ଖର୍ଚ୍ଚର ହିସାବ କେବେ ଦିଆଯାଏ ନାହିଁ।
ପ୍ରଶ୍ନ ଉଠେ, ନିର୍ବାଚନରେ ଖର୍ଚ୍ଚ ହେଉଥିବା ଏଇ ବିପୁଳ ଅର୍ଥ ଜଣେ ପ୍ରାର୍ଥୀଙ୍କ ପାଖକୁ ଆସେ କେଉଁଠୁ? ଯୁକ୍ତି ଛଳରେ କେହି କହିପାରନ୍ତି ଯେ, ଏ ତ ପାର୍ଟି ଦେଉଛି। ଠିକ୍ ଅଛି, ପାର୍ଟି ପାଖକୁ ଏ ବିପୁଳ ଅର୍ଥ ଆସେ କେଉଁଠୁ? କିଏ କାହିଁକି ଏ ଅର୍ଥ ତାଙ୍କୁ ଦେଉଛି? କେଉଁ ସ୍ବାର୍ଥ ପାଇଁ ଅର୍ଥଦାତା ଗୋଟିଏ ରାଜନୈତିକ ଦଳକୁ ଏ ଅର୍ଥ ଦେଉଛି?
ଏ ବିପୁଳ ଅର୍ଥର ଏକ ବଡ଼ ଉତ୍ସ ହେଉଛି ଦୁର୍ନୀତି। କ୍ଷମତାସୀନ ଦଳ କଂପାନି ସପକ୍ଷବାଦୀ ନୀତି ପ୍ରଣୟନ କରି ଆଇନଗତ ଭାବେ ଜନଗଣଙ୍କ କଷ୍ଟ-ଅର୍ଜିତ ସଂପତ୍ତିକୁ ଅଧିକରୁ ଅଧିକ ଲୁଣ୍ଠନ କରିବା ପାଇଁ ବଡ଼ବଡ଼ କଂପାନି ଓ ଅନ୍ୟ ଧନିକ ବର୍ଗର ଲୋକଙ୍କୁ ସୁଯୋଗ ଦେଲେ କିମ୍ବା ଭବିଷ୍ୟତରେ ଦେବାର ଭିତିରି ପ୍ରତିଶ୍ରୁତି ଦେଲେ, ତା’ ବଦଳରେ ପାର୍ଟି ମୋଟା ଅଙ୍କର ଚାନ୍ଦା ପାଇଥା‌ଏ। ଏ ବ୍ୟବସ୍ଥା ୧୯୫୦ ମସିହା ପର ନିର୍ବାଚନ ଠାରୁ ଆଜିଯାଏ ଚାଲିଆସିଛି, ଯଦିଓ ଏହାକୁ ଦୁର୍ନୀତି ବୋଲି ଧରାଯାଇନାହିଁ। ହଁ କଂପାନିଟି ଖାଲି ଯେ କ୍ଷମତାସୀନ ଦଳକୁ ଚାନ୍ଦା ଦିଏ ତା’ ନୁହେଁ, ବିରୋଧୀ ଦଳକୁ ମଧ୍ୟ ଟିକେ କମ୍ ପରିମାଣର ହେଲେ ବି ଚାନ୍ଦା ଦିଏ। କାରଣ, କଂପାନି ଓ ଧନିକ ସଂସ୍ଥାର ଅଧିକ ପସନ୍ଦର ଦଳଟି କ୍ଷମତାରେ ଥିଲେ ବି, ବିରୋଧୀ ଦଳର ମୁହଁ ବନ୍ଦ ପାଇଁ ହେଉ କିମ୍ବା ଭବିଷ୍ୟତରେ ବିରୋଧୀ ଦଳଟି କ୍ଷମତାକୁ ଆସିଲେ ତା’ ଠାରୁ ସମାନ ପରିମାଣରେ ଫାଇଦା ଉଠାଇବା ଲକ୍ଷ୍ୟରେ ଏହି ଚାନ୍ଦା ଦେଇଥାଏ।
ଆଗରୁ ଏ ଟଙ୍କା କିଏ କାହାକୁ ଦେଉଥିଲା ଏବଂ ଦେଣନେଣର ପରିମାଣ କେତେ ତାହା ପ୍ରାୟ ଜଣାପଡୁଥିଲା। ଫଳରେ, ସରକାରରେ ଥିବା ଦଳଟି ଯେବେ ଗୋଟିଏ କଂପାନିକୁ ଅହେତୁକ ଅନୁକଂପା ଦେଖାଉଥିଲା, ସେବେ ବିରୋଧୀମାନେ କଂପାନି ସହ ସରକାରୀ ଦଳର ନାଁକୁ ମିଶାଇ ପ୍ରଚାର ଓ ଆନ୍ଦୋଳନ ଚଳାଉଥିଲେ। ଏଥିରେ ଚାପଗ୍ରସ୍ତ ହୋଇ ସରକାର ଖୋଲାଖୋଲି କଂପାନି ସପକ୍ଷବାଦୀ ନୀତି ପ୍ରଣୟନରୁ ଟିକେ ପଛକୁ ହଟିଯାଉଥିଲେ। ଏଭଳି କଂପାନି ଅନୁକଂପା ଓ ଲୁଟ୍ ବିରୋଧୀ ପ୍ରଚାର ଓ ଆନ୍ଦୋଳନ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନର ଚାପରେ ‘ୟୁପିଏ’ ସରକାର ଦ୍ବାରା ୨୦୧୩ର କଂପାନି ଆଇନରେ ଉଲ୍ଲେଖ କରାଗଲା ଯେ ‘‘କଂପାନି ଯେ କୌଣସି ଦଳକୁ ଚାନ୍ଦା ଦେଇପାରିବ। କିନ୍ତୁ, ଏଇ ଚାନ୍ଦାକୁ କଂପାନିର ବୋର୍ଡରୁ ମଞ୍ଜୁରି ମିଳିବା ଦରକାର। ନଗଦ ଟଙ୍କା ଆକାରରେ ନୁହେଁ, ଚେକ୍ ଜରିଆରେ ଚାନ୍ଦା ଦେଣନେଣ ହେବ। କଂପାନିର ହିସାବରେ ଏଇ ଚାନ୍ଦାର ହିସାବ ଓ ଦଳର ନାଁ ରହିବ। ତେବେ, ଏଇ ଚାନ୍ଦାର ପରିମାଣ, ବିଗତ ୩ ବର୍ଷର କଂପାନି ଲାଭର ୭.୫%ରୁ ଅଧିକ ହୋଇପାରିବନି।’’
୨୦୧୪ରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ପ୍ରଥମେ ୨୦୧୭ରେ ଏଇ କଂପାନି ଆଇନରେ ସଂଶୋଧନ କରି ଚାନ୍ଦା ପରିମାଣର ସୀମାକୁ ହଟାଇ ଅସୀମ କରିଦେଲେ। ପୁଣି କଂପାନି କେଉଁ ଦଳକୁ ଚାନ୍ଦା ଦେଉଛି ତାହାକୁ ଗୁପ୍ତ ରଖିବାକୁ ବ୍ୟବସ୍ଥା କଲେ। ଏହାର ସିଧା ଅର୍ଥ ହେଲା, ‘‘ତୁମେ ମୋତେ ଲାଞ୍ଚ ଦେଉଛ, ଏ କଥା କାହାକୁ କୁହନା। ତା’ ବଦଳରେ ମୁଁ ତୁମକୁ ଫାଇଦା ପାଇବାର ଭଲ ଆଇନଗତ ସୁବିଧା ଦେବି।’’ ଏ ହେଲା ଦୁର୍ନୀତିକୁ ନରେନ୍ଦ୍ର ମୋଦୀ ସରକାରଙ୍କ ଆଇନଗତ ସ୍ବୀକୃତି।
ଏଇ ସଂଶୋଧିତ କଂପାନି ଆଇନକୁ ଆଧାର କରି ପରେ ୨୦୧୭ର ବଜେଟ୍ ଅଧିବେଶନରେ ଏନ୍‌ଡିଏ ସରକାରଙ୍କ ତତ୍‌କାଳୀନ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆଗତ ହେଲା ନିର୍ବାଚନୀ ବଣ୍ଡ୍ ବା ଇଲେକ୍ଟୋରାଲ୍ ବଣ୍ଡ୍ ଯୋଜନା। ୨୦୧୮ ଜାନୁଆରି ୨ରେ ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କଲେ। ଏହି ଯୋଜନା ଅନୁଯାୟୀ ଦେଶର ଏକମାତ୍ର ସୁଧ କାରବାରୀ ମହାଜନ ଗ୍ରୁପ୍ (ଏସ୍‌.ବି.ଆଇ. ବ୍ୟାଙ୍କ୍) ଏଇ ବଣ୍ଡ୍ ବିକ୍ରି କରିପାରିବ। ଏକ ହଜାରରୁ ଏକ କୋଟି ଟଙ୍କା ମୂଲ୍ୟର ବଣ୍ଡ୍‌କୁ ଯେ କେହି ଲୋକ କିଣିପାରିବେ ଓ ତାଙ୍କ ପସନ୍ଦର ରାଜନୈତିକ ଦଳକୁ ଦେଇପାରିବେ। ବଣ୍ଡ୍‌ କ୍ରେତା ଓ ଗ୍ରହଣ କରୁଥିବା ଦଳର ନାମ ଗୁପ୍ତ ରଖାଯିବ। ବଣ୍ଡ୍‌ଗୁଡ଼ିକ କେବଳ ଯୋଗ୍ୟ ବିବେଚିତ କିଛି ସ୍ବୀକୃତିପ୍ରାପ୍ତ ଦଳକୁ ଦିଆଯାଇ ପାରିବ, ସମସ୍ତଙ୍କୁ ନୁହେଁ। କହିବା ବାହୁଲ୍ୟ ଯେ ଏଇ ନିର୍ବାଚନୀ ବଣ୍ଡ୍ ନାଁରେ ଦିଆଯାଉଥିବା ଆଇନଗତ ଲାଞ୍ଚଟି କ୍ଷମତାସୀନ ଦଳକୁ ସବୁଠୁ ଅଧିକ ମିଳିଛି।
୨୦୧୮ରୁ ଏ ପର୍ଯ୍ୟନ୍ତର ତଥ୍ୟ ଏଇ ସତ୍ୟକୁ ତୋଳି ଧରେ। ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରାଇଟ୍‌ସ’ ସଂଗଠନର ତଥ୍ୟ ଅନୁସାରେ, ଏଇ ନିର୍ବାଚନୀ ବଣ୍ଡ୍ ବା ଦୁର୍ନୀତି ବଣ୍ଡ୍ ଜରିଆରେ ବିଜେପି ଦଳକୁ ମିଳିଛି ୬,୩୩୭ କୋଟି ଟଙ୍କା, ଯେତେବେଳେ କି ବିରୋଧୀ କଂଗ୍ରେସ ଦଳକୁ ମିଳିଛି ୧,୧୦୪ କୋଟି ଟଙ୍କା। ୨୦୨୨-୨୩ରେ ଏକାକୀ ବିଜେପି ପାଇଥିବା ଚାନ୍ଦାର ପରିମାଣ, ବିରୋଧୀ କଂଗ୍ରେସ, ସିପିଏମ୍, ଆପ୍ ଓ ଏନ୍‌ପିପି ଦଳର ମିଳିତ ଚାନ୍ଦା ସହ ସମାନ। ପୁନଶ୍ଚ, ବିଜେପି ଦଳକୁ ମିଳୁଥିବା ସମୁଦାୟ ଚାନ୍ଦାର ଅର୍ଦ୍ଧାଧିକ କେବଳ ଏଇ ବଣ୍ଡ୍‌ରୁ ମିଳିଛି।
ନିର୍ବାଚନୀ ବଣ୍ଡ୍ ଜରିଆରେ ଏଭଳି ଦୁର୍ନୀତିକୁ ଆଇନଗତ ସ୍ବୀକୃତି ଦିଆଯିବା ବିରୋଧରେ ୨୦୧୭ରୁ ସ୍ବର ଉଠିଆସିଛି। ସଂବିଧାନର ଧାରା ୩୨ ଅାଧାରରେ ଏହା ବିରୋଧରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ପିଟିସନ୍ ଦାଖଲ ହୋଇସାରିଛି। ବର୍ଷରେ କେବେ କେବେ ସର୍ବୋଚ୍ଚ ନ୍ୟାୟାଳୟ ଏମିତି ଐତିହାସିକ ରାୟ ଦିଅନ୍ତି। ଗତ ଫେବ୍ରୁଆରି ୧୫ରେ ନିର୍ବାଚନୀ ବଣ୍ଡ୍ ପ୍ରଚଳନ ଉପରେ ରହିତାଦେଶ ଦେଇ ଏହାକୁ ଅସାଂବିଧାନିକ ଘୋଷଣା କରିବାଟା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏପରି ଏକ ରାୟ ଥିଲା। ଏହି ରାୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜନଗଣଙ୍କ ମନରେ ବିଶ୍ବାସକୁ ଦୃଢ଼ କରିଛି। ଧନ୍ୟବାଦ ସେଇ ସଂବିଧାନ ପ୍ରଣେତାମାନଙ୍କୁ, ଯିଏ ଯଥାର୍ଥରେ ଧାରା ୩୨କୁ ଆମ ସଂବିଧାନର ‘ଆତ୍ମା’ ବୋଲି ଘୋଷଣା କରିଥିଲେ।
ନିର୍ବାଚନୀ ବଣ୍ଡ୍ ପରି ଏକ ଦୁର୍ନୀତିମୂଳକ ବଣ୍ଡ୍‌କୁ ଅସିଦ୍ଧ ଘୋଷଣା କରିବା ପାଇଁ ଛଅ ବର୍ଷ ସମୟ ଲାଗିବା ଆମ ବିଚାର ବ୍ୟବସ୍ଥାର ଏକ କ୍ରମବର୍ଦ୍ଧିଷ୍ଣୁ ଦୁର୍ବଳ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଇନ୍ଦିରା ସରକାରଙ୍କ ଏମରଜେନ୍‌ସି ବେଳେ ଆମ ବିଚାର ବ୍ୟବସ୍ଥା‌କୁ ଯେମିତି ସରକାରଙ୍କର ସମସ୍ତ ନୀତିଅନୀତିକୁ ଅନୁମୋଦନ ଦେବାର ଏକ ବ୍ୟବସ୍ଥାରେ ପରିଣତ କରିବାର ଚେଷ୍ଟା ହୋଇଥିଲା, ଏବେ ମୋଦୀ ସରକାରଙ୍କ ଅଘୋଷିତ ଏମରଜେନ୍‌ସିରେ ତା’ର ପୁନରାବୃତ୍ତି ଘଟିଛି। ସେଇଥିପାଇଁ ଏ ବିଳମ୍ବିତ ନ୍ୟାୟ!
ନଈ ବଢ଼ିରେ ଭାସି ଯାଉଥିବା ଲୋକ ପାଇଁ କୁଟା ଖିଅଟିଏ ଆଶା ସୃଷ୍ଟି କରେ। ଆମ ଗଣତନ୍ତ୍ରର ଏ ଦୁର୍ଦ୍ଦିନ କାଳରେ, ଯେବେ ବିରୋଧୀ ମତକୁ ଇଡି-ସି.ବି.ଆଇ. ଧମକ ଦ୍ବାରା ପଦଦଳିତ କରାଯାଉଛି, ଲେଖକ କଳାକାରଙ୍କୁ ହତ୍ୟା କରି ଲେଖନୀର ମୁନ ଭଙ୍ଗାଯାଉଛି, ତୋଷାମଦକାରୀ ଲେଖକଙ୍କୁ ପ୍ରୋତ୍ସାହନ ଦିଆଯାଉଛି, ସରକାରର କୋଳରେ ବସି ଖବର ଛାପୁଥିବା ଓ ପ୍ରସାରଣ କରୁଥିବା କୋଳାଶ୍ରିତ ମିଡିଆକୁ ପ୍ରୋତ୍ସାହନ ଦେଇ ବିରୋଧୀ ମତ ପ୍ରଚାରକ ମିଡିଆକୁ ଟାର୍ଗେଟ୍ କରାଯାଉଛି ସେତେବେଳେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ନିର୍ବାଚନୀ ବଣ୍ଡ୍ ଉପରେ ଏ ପ୍ରହାର ନିଶ୍ଚୟ ଏକ ଆଶା ସୃଷ୍ଟି କରିଛି।
୨୦୧୯ରୁ ଏଯାବତ୍ ନିର୍ବାଚନୀ ବଣ୍ଡ୍ ଦ୍ବାରା ବିଭିନ୍ନ ଦଳ ପାଇଥିବା ଚାନ୍ଦାର ପରିମାଣ ଓ ତାଙ୍କୁ ଦେଇଥିବା କଂପାନି/ସଂସ୍ଥା/ବ୍ୟକ୍ତିର ନାମ ସାର୍ବଜନୀନ କରିବାକୁ ଷ୍ଟେଟ୍ ବ୍ୟାଙ୍କ୍ ଓ ନିର୍ବାଚନ କମିସନଙ୍କ ପ୍ରତି ଥିବା ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଟାଳିବା ପାଇଁ ସରକାର ଷ୍ଟେଟ୍ ବ୍ୟାଙ୍କ୍ ଜରିଆରେ ଦରଖାସ୍ତ ଦେଇଥିଲେ। ଅନ୍ତତଃ ଜୁନ୍ ମାସ ପାଇଁ ସମୟ ଦେବାକୁ, ଅର୍ଥାତ୍ ଏ ନିର୍ବାଚନ ପ୍ରହସନ ସରିବା ପର୍ଯ୍ୟନ୍ତ ଦୁର୍ନୀତିଲବ୍‌ଧ ଅର୍ଥକୁ ତା’ ଖେଳ ଖେଳିବାର ସମୟ ଦେବାକୁ ହୋଇଥିବା ଦରଖାସ୍ତ ମଧ୍ୟ ମାନ୍ୟବର ସୁପ୍ରିମ୍ କୋର୍ଟ ଖାରଜ କରି ଜନଗଣଙ୍କ ମନରେ ଗଣତନ୍ତ୍ର ପାଇଁ ସଂଚାରିତ ଆଶାକୁ ଆହୁରି ମଜଭୁତ କରିଛନ୍ତି। ଉପାୟହୀନ ଏସ୍.ବି.ଆଇ., ନିର୍ବାଚନ କମିସନ ତଥା ମୋଦୀ ସରକାର ଏଇ ତଥ୍ୟକୁ ପ୍ରଘଟ କରିଛନ୍ତି। ଆଶା କରିବା ଯେ, ଏଇ ଛଅ ବର୍ଷ ମଧ୍ୟରେ ନିର୍ବାଚନୀ ବଣ୍ଡ୍ ରୂପକ ଦୁର୍ନୀତି ବଣ୍ଡ୍ ଦ୍ବାରା ରାଜନୈତିକ ଦଳମାନଙ୍କ ଦ୍ବାରା ସଂଗୃହୀତ ଚାନ୍ଦାକୁ ଜବତ କରି ରାଜକୋଷରେ ଜମା କରିବା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେବେ। ଏଭଳି କଲେ ଯେ, ପଛ ଦ୍ବାର ବାଟେ ଶାସକ ଦଳ ରାଜକୋଷ‌ର ଅର୍ଥକୁ ଲୁଟ୍ ନ କରିବେ ତା’ ନୁହେଁ; କିନ୍ତୁ, ପ୍ରଥମେ ଗଣତନ୍ତ୍ର ସ୍ବାର୍ଥରେ ସୁପ୍ରିମ୍ କୋର୍ଟ ଛାଟ ତା’ କାମ କଲେ ଆମେ କହିପାରିବା ଯେ ଦୁର୍ନୀତି ବନ୍ଦ ପାଇଁ ଏକ ସମୁଚିତ ପଦକ୍ଷେପ ନିଆଗଲା।
(ବ୍ରହ୍ମପୁର ମଣ୍ଡଳ କାରାଗାରରୁ)