ଜଳ, ଜମି ଓ ଜଙ୍ଗଲ - ମଣିଷ ବଞ୍ଚିବାର ଏସବୁ ହେଉଛନ୍ତି ମୂଳ ଆଧାର। ଜଙ୍ଗଲ ସୁରକ୍ଷା କରିପାରିଲେ ଆପେ ପରିବେଶ ସୁଧୁରିଯିବ। ଏଣୁ ଜଙ୍ଗଲର ଜୈବବିବିଧତାର ସୁରକ୍ଷା ଓ ଖାଦ୍ୟ ଶୃଙ୍ଖଳକୁ ସନ୍ତୁଳିତ ରଖିବା ଦିଗରେ ୨୦୦୫ ମସିହାରୁ ଅଣ୍ଟା ଭିଡ଼ିଛନ୍ତି ବାଣପୁରର ସୁଶାନ୍ତ ଦଳାଇ। ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜଙ୍ଗଲରେ କିଭଳି ପାରମ୍ପରିକ ପ୍ରଜାତିର ବୃକ୍ଷରୋପଣ, ସଂରକ୍ଷଣ, ସୁରକ୍ଷା କରାଯାଇପାରିବ ସେ ଦିଗରେ ସୁଶାନ୍ତ କାମ କରୁଛନ୍ତି। ତେନ୍ତୁଳି, ମହୁଲ, ଶାଳ, କେନ୍ଦୁ ଓ ପିଜୁଳି ଆଦି ପାରମ୍ପରିକ ଗଛ ସହ ବହୁ ଔଷଧୀୟ ବୃକ୍ଷର ସୁରକ୍ଷା, ସଂରକ୍ଷଣ ଓ ସଚେତନତା ଦିଗରେ ସେ ସାରା ଓଡ଼ିଶାର ଜନଜାତି ଓ ସ୍ଥାନୀୟ ଲୋକଙ୍କୁ ଶିକ୍ଷା ଦେଉଛନ୍ତି।
ସୁଶାନ୍ତ କହନ୍ତି, ଶାଳ ଭଳି ପ୍ରକୃତି ଦେଇଥିବା ପାରମ୍ପରିକ ବୃକ୍ଷ ଜଙ୍ଗଲର ଜୈବ ବିବିଧତାକୁ ସନ୍ତୁଳିତ ରଖିବା ସହ ଖାଦ୍ୟ ଶୃଙ୍ଖଳକୁ ଉଚିତ ଭାବେ ପରିଚାଳନା କରିଥା’ନ୍ତି। ପାରମ୍ପରିକ ବୃକ୍ଷର ସଂରକ୍ଷଣ ସହ ସୁଶାନ୍ତ ହାଇବ୍ରିଡ୍ ବୃକ୍ଷକୁ ଜଙ୍ଗଲରେ ରୋପଣ ପାଇଁ ବିରୋଧ କରିଥା’ନ୍ତି। ତାଙ୍କ ମତରେ, ଶାଗୁଆନ, ଚାକୁଣ୍ଡା ଓ ୟୁକାଲି ପଟାସ ଆଦି ଗଛ ଜଙ୍ଗଲରେ ଲଗାଇବା ଫଳରେ ଏହା ଜଙ୍ଗଲର ପରିସଂସ୍ଥାକୁ ବିଗାଡ଼ିବା ସହ ଜଙ୍ଗଲୀ ଖାଦ୍ୟ ଉତ୍ପାଦନରେ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏସବୁ ଗଛର ପତ୍ର ନିଜ ଚାରିପାଖେର ଛୋଟ ଛୋଟ ଗଛ ଉଠିବାକୁ ଦେଇନଥାଏ ଓ ଜଳକୁ ବି ସଂକ୍ରମିତ କରିଥାଏ।
ସୁଶାନ୍ତ ପାରମ୍ପରିକ ପ୍ରଜାତିର ବୃକ୍ଷରୋପଣ ଓ ଏହାର ସଂରକ୍ଷଣ, ସୁରକ୍ଷା ତଥା ଉପକାରିତା ସମ୍ପର୍କରେ କନ୍ଧମାଳ, ନୟାଗଡ଼, ଦେବଗଡ଼, ସମ୍ବଲପୁର, ଯାଜପୁର ଓ କେନ୍ଦୁଝର ଆଦି ଜିଲ୍ଲାର ଜଙ୍ଗଲରେ ଜିଲ୍ଲାପାଳ ଓ ଜଙ୍ଗଲ ବିଭାଗ ସହ ମିଶି କାମ କରନ୍ତି। ଏଥିସହ ସରକାରଙ୍କ ‘ମୋ ଜଙ୍ଗଲ ଜମି ଯୋଜନା’ରେ ଯୋଗ ଦେଇ ସୁଶାନ୍ତ ଜନଜାତିମାନଙ୍କୁ କିଭଳି ଜଙ୍ଗଲ ଅଧିକାର ମିଳିବ ଓ ଏହାର ସୁରକ୍ଷା ହୋଇପାରିବ ସେ ଦିଗରେ କାମ କରିଛନ୍ତି। ସୁଶାନ୍ତଙ୍କ ଉଦ୍ୟମରେ ଦେବଗଡ଼ ଜିଲ୍ଲାର ୫,୦୨,୧୫୧ ହେକ୍ଟର ଜଙ୍ଗଲ ଜମିରେ ଅାଦିବାସୀମାନେ ନିଜ ଜଙ୍ଗଲ ଅଧିକାର ପାଇ ପାରିଥିଲେ। ସୁଶାନ୍ତ କହନ୍ତି, ବିଦେଶୀ ଗଛର ରୋପଣ ଛାଡ଼ି ଯଦି ଆମେ ଜଙ୍ଗଲର ପ୍ରାକୃତିକ ବା ପାରମ୍ପରିକ ଗଛର ସୁରକ୍ଷା ତଥା ସଂରକ୍ଷଣ କରିପାରିବା, ତେବେ ପରିବେଶର ଭାରସାମ୍ୟ ରକ୍ଷା ହୋଇପାରିବ।