ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନ ବେଳେ ସରକାର ଲୋକସଭାରେ ଏକ ବିଶେଷ ବିଲ୍‍ ଆଣିବାର ପ୍ରସ୍ତାବ ରଖିଛନ୍ତି, ଯାହା ଆଇନରେ ପରିଣତ ହେଲେ ସମାନ ବା ଐକିକ ନାଗରିକ ସଂହିତା ଆଇନ ନାମରେ ପରିଚିତ ହେବ। ଏହାକୁ ଇଂରେଜୀରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ବା ସଂକ୍ଷେପରେ ‘ୟୁ.ସି.ସି.’ ବୋଲି କୁହାଯାଉଛି। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଇନ ହେବାକୁ ଯାଉଥିବାରୁ ଏହା ଗୃହୀତ ହେବା ପୂର୍ବରୁ ଏ ସମ୍ପର୍କରେ ସମ୍ୟକ ଆଲୋଚନା, ତର୍ଜମା ତଥା ଅନୁଚିନ୍ତନର ଆବଶ୍ୟକତା ରହିଛି।
ଭାରତୀୟ ସଂବିଧାନର ଅନୁଚ୍ଛେଦ ୪୪ରେ ସ୍ପଷ୍ଟ ରୂପେ ଉଲ୍ଲେଖ ରହିଛି ଯେ ସବୁ ଭାରତୀୟ ନାଗରିକଙ୍କ ପାଇଁ ଏକ ସମନ୍ୱିତ ଐକିକ ନାଗରିକ ସଂହିତା ପ୍ରଣୟନ କରାଯିବା ଆବଶ୍ୟକ। ଏହା ‘ୟୁ.ସି.ସି.’ର ପ୍ରଚଳନ ଦ୍ବାରା ସମ୍ଭବ ବୋଲି କୁହାଯାଉଛି। ତେବେ, ‘ୟୁ.ସି.ସି.’ର ପରିଭାଷା ଓ ଆବେଦନ କ’ଣ ତାହା ବୁଝିବା ଦରକାର। ବ୍ୟକ୍ତିଗତ ଧର୍ମୀୟ ଆଚରଣ, ବିବାହ-ବିଚ୍ଛେଦ, ସମ୍ପତ୍ତି ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ମାଲିକାନା ଆଦି ଭଳି ଅନେକ ବିଷୟ ପାଇଁ ବିଭିନ୍ନ ଧର୍ମାବଳମ୍ବୀ ଭାରତୀୟ ନାଗରିକମାନେ ସେମାନଙ୍କ ନିଜ ନିଜର ଧର୍ମ ଧାରଣା ଏବଂ ପରଂପରା ଆଧାରରେ ଭିନ୍ନ ଭିନ୍ନ ନିୟମମାନ ମାନି ଥାଆନ୍ତି। ଉଦାହରଣ ସ୍ବରୂପ ମୁସଲମାନଙ୍କ ବିବାହ ‘ସରିଆ’ ନିର୍ଦ୍ଦେଶିତ ଆଇନ ଦ୍ବାରା ସଂପନ୍ନ ହୋଇଥାଏ। ସେହିଭଳି ଅନ୍ୟାନ୍ୟ ଧର୍ମରେ ମଧ୍ୟ ଏହି ସବୁ ବିଷୟ ଧର୍ମ ଗ୍ରନ୍ଥ ବା ପ୍ରଥା ଓ ପରଂପରାରୁ ନିସୃତ ନିୟମମାନ ଦ୍ବାରା ପରିଚାଳିତ ହୋଇଥାଏ। ତେଣୁ, ଏଭଳି ପ୍ରସଙ୍ଗଗୁଡ଼ିକରେ ବିଭିନ୍ନ ଧର୍ମାବଲମ୍ବୀ ଭାରତୀୟ ନାଗରିକଙ୍କ ଲାଗି ବିଭିନ୍ନ ପ୍ରକାର ନିୟମ ବା ଆଇନ ପରିବର୍ତ୍ତେ ଗୋଟିଏ ସୁସଂହତ ଆଇନ ପ୍ରଚଳନ କରିବା ହେଉଛି ‘ୟୁ.ସି.ସି.’ର ଲକ୍ଷ୍ୟ।
ପ୍ରକାଶ ଥାଉ କି ପୃଥିବୀର ପ୍ରାୟ ସମସ୍ତ ପ୍ରଗତିଶୀଳ ଦେଶମାନଙ୍କରେ ଏହିଭଳି ସମାନ ନାଗରିକ ଆଇନ ରହିଛି। ଉଦାହରଣ ସ୍ୱରୂପ ଇଂଲାଣ୍ଡ ବା ଆମେରିକା ଅଥବା ଅନ୍ୟ କୌଣସି ପ୍ରଗତିଶୀଳ ପାଶ୍ଚାତ୍ୟ ବା ପ୍ରାଚ୍ୟ ଦେଶମାନଙ୍କରେ ବାସ କରୁଥିବା ମୁସଲମାନ ନାଗରିକଙ୍କ ସକାଶେ ମୁସଲମାନ ସଂପ୍ରଦାୟରେ ପ୍ରଚଳିତ ‘ତିନି ତଲାକ’ ଦ୍ବାରା ବିବାହ ବିଚ୍ଛେଦ ନିୟମଟି ଲାଗୁ ହୋଇ ନ ଥାଏ। ଏହି ନିୟମଟି ନିକଟରେ ଭାରତରେ ମଧ୍ୟ ଅଚଳ ହୋଇଛି। ସେମିତି ଇସଲାମୀୟ ଆଇନରେ ଥିବା ଏକା ସାଙ୍ଗରେ ବହୁ ପତ୍ନୀ ଗ୍ରହଣ ବିଷୟ ମଧ୍ୟ ଅନ୍ୟ ଦେଶମାନଙ୍କରେ ବେଆଇନ। ଏପରି କି ପ୍ରଗତିଶୀଳ ଇସଲାମୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ସେମାନଙ୍କ ଦେଶରେ ଏଭଳି ଅନେକ ନିୟମ (ତିନି ତଲାକ ଭଳି)ର ବିଲୁପ୍ତି ଘଟାଇଛନ୍ତି। ଭାରତର ଗୋଆ ରାଜ୍ୟରେ ବହୁ ପୂର୍ବରୁ ଉପରୋକ୍ତ ବିଷୟମାନଙ୍କରେ ଏକ ସମାନ ଆଇନର ବ୍ୟବସ୍ଥା ରହିଛି। ପର୍ତ୍ତୁଗୀଜ ଶାସନ କାଳରୁ ହିଁ ସେଠାରେ ଏହି ବ୍ୟବସ୍ଥା ପ୍ରଚଳିତ ହୋଇଛି। ଭାରତର ଆଇନ କମିସନ ଏଭଳି ଏକ ଆଇନର ପ୍ରବର୍ତ୍ତନ ପାଇଁ ସମସ୍ତ ଚିଠା ପ୍ରସ୍ତୁତି କରିଛନ୍ତି ଓ ସଂସଦରେ ଏହା ପାରିତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି।
ସ୍ୱାଧୀନତା ପରବର୍ତ୍ତୀ କାଳରେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ବାବା ସାହେବ ଆମ୍ବେଦକର ହିନ୍ଦୁ କୋଡ୍‌ ବିଲ୍‌ କରିଥିଲେ, ଯାହା ପଞ୍ଚମ ଦଶକରେ ଜୱାହରଲାଲ ନେହରୁଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଆଇନରେ ପରିଣତ ହୋଇଥିଲା। ଏହି ଆଇନ ବଳରେ ହିନ୍ଦୁମାନଙ୍କ ବିବାହ, ଉତ୍ତରାଧିକାର ସ୍ବତ୍ବ, ମାଲିକାନା ଓ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ବିଷୟମାନ ନିର୍ଦ୍ଧାରିତ ହେଉଛି। ଏଭଳି କୋଡ୍‌ର ପ୍ରଚଳନ ସଂସ୍କାରଧର୍ମୀ ହୋଇଥିଲେ ସୁଦ୍ଧା ଏହି ଆଇନର ନିୟମଗୁଡ଼ିକୁ ହିନ୍ଦୁ ଧର୍ମର ଅନେକ ଗୋଷ୍ଠୀ ଗ୍ରହଣ କରି ନ ଥାଆନ୍ତି। ତେଣୁ ହିନ୍ଦୁ କୋଡ୍‌ ଅନେକ ସମୟରେ ବିବାଦାସ୍ପଦ ହୋଇ ଅଦାଲତକୁ ଯାଇଛି। ଏଣୁ ଏଭଳି ସ୍ଥଳେ ଏଭଳି ସବୁ ଆଇନ ବଦଳରେ ଏକ ପ୍ରକାର ଆଇନ ସମସ୍ତଙ୍କ ସକାଶେ ପ୍ରଚଳିତ ହେବା ପ୍ରଗତିକାମୀ ବୋଲି କହିବା ବାହୁଲ୍ୟ ମାତ୍ର। ଏହା ଦ୍ବାରା ଅନେକ ପଶ୍ଚାତ୍‌ମୁଖୀ ଚିନ୍ତା ଓ ମତର ମଧ୍ୟ ବିଲୋପ ଘଟିବ।
ଏକବିଂଶ ଶତାବ୍ଦୀରେ ନାରୀ ସ୍ୱାଧୀନତା, ନାରୀ ସଶକ୍ତୀକରଣ, ଧର୍ମ ନିରପେକ୍ଷତା, ଲିଙ୍ଗଗତ ସାମ୍ୟ, ସାମାଜିକ ନ୍ୟାୟ ଇତ୍ୟାଦି ଭଳି ସଂଦର୍ଭ ଗୁରୁତ୍ବ ପାଉଥିବା ବେଳେ ୟୁ.ସି.ସି.ର ପ୍ରଚଳନ ନିଶ୍ଚିତ ଭାବେ ଏକ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ହେବ।
ଅବସରପ୍ରାପ୍ତ ପ୍ରଫେସର
ମୋ : ୮୮୯୫୧୨୨୬୫୦