ମହାମେଘବାହନ ଐର ଖାରବେଳ ସ୍ୱାଇଁ

Advertisment

ଯେତେବେଳେ ପହଲଗାମରେ ପାକିସ୍ତାନ ପୋଷିତ ଆତଙ୍କବାଦୀମାନେ ଧର୍ମ ନାମ ପଚାରି ଆକସ୍ମିକ ଭାବରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କଲେ ତାହା କେବଳ ଭାରତରେ ନୁହେଁ ବିଶ୍ୱର ସର୍ବତ୍ର ଦୁଃଖ ଓ ବିବ୍ରତବୋଧ ସୃଷ୍ଟି କରିଛି। କିନ୍ତୁ ବଡ଼ କଥା ହେଲା, ତୁର୍କୀ ଓ ତା’ର ରାଷ୍ଟ୍ରପତି ରିସେଟ ତାୟିପ ଏର୍ଡୋଗାନ ଏ ପ୍ରସଙ୍ଗରେ ପୂର୍ଣ୍ଣ ପ୍ରାଣରେ ପାକିସ୍ତାନକୁ ସମର୍ଥନ କରିଛନ୍ତି। ଗୋଟିଏ ସମୟ ଥିଲା, ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତୁର୍କୀକୁ ମୁସ୍ତାଫା କେମାଲ ପାର୍ସା ଆତାତୁର୍କ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ କରିଥିଲେ ଓ ଏହି ଦେଶ ସେହି ଦିନ ଠାରୁ ଧର୍ମ ନିରପେକ୍ଷତାକୁ ଏକ ବଡ଼ ମନ୍ତ୍ର ହିସାବରେ ଗ୍ରହଣ କରିଥିଲା। କିନ୍ତୁ ଗତ ଦୁଇ ଦଶନ୍ଧି ଧରି ଶାସନ କରୁଥିବା ଏର୍ଡୋଗାନ ଏହି ଦେଶକୁ ଏକ ସମ୍ପୂର୍ଣ୍ଣ ଇସଲାମୀ ରାଷ୍ଟ୍ରରେ ପରିଣତ କରିଛନ୍ତି। ଗତ ଜୁଲାଇ ୨୪, ୨୦୨୦ରେ ଇସ୍ତାନବୁଲର ହାଜିଆ ସୋଫିଆ ଚର୍ଚ୍ଚକୁ ଏକ ମସଜିଦରେ ପରିଣତ କରି ଦିଆଗଲା। ତାହା ହେଉଛି ତୁର୍କୀ ବା ତୁରସ୍କର ଏକ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଏହି ଚର୍ଚ୍ଚଟିକୁ ଷଷ୍ଠ ଶତାବ୍ଦୀରେ ସୁପ୍ରସିଦ୍ଧ ‘ବୈଜନଟାଇନ’ ସାମ୍ରାଜ୍ୟର ସମ୍ରାଟ ଜଷ୍ଟିନିଆନ ପ୍ରଥମ ନିର୍ମାଣ କରିଥିଲେ। ପରବର୍ତ୍ତୀ କାଳରେ ଅର୍ଥାତ୍ ୧୪୫୩ ମସିହାରେ ଏହି ଦେଶ ‘ଅଟୋମାନ ସାମ୍ରାଜ୍ୟ’ର ଅଧୀନସ୍ଥ ହେବା ପରେ ଚର୍ଚ୍ଚଟିକୁ ଏକ ମସଜିଦରେ ପରିବର୍ତ୍ତିତ କରାଯାଇଥିଲା। ୧୯୩୪ ମସିହାରେ କାମାଲ ଆତାତୁର୍କଙ୍କ ଧର୍ମନିରପେକ୍ଷ ସରକାର ପୁନର୍ବାର ତାକୁ ଏକ ଚର୍ଚ୍ଚରେ ପରିଣତ କଲେ। କିନ୍ତୁ ୨୦୨୦ ମସିହାରେ ଏର୍ଡୋଗାନ ଏହାକୁ ପୁଣି ଥରେ ଏକ ମସଜିଦରେ ପରିଣତ କରିଛନ୍ତି। ଏଥିରୁ ଏର୍ଡୋଗାନଙ୍କ ମନୋଭାବର ପରିଚୟ ମିଳିଥାଏ।
ଏହି ପ୍ରସଙ୍ଗରେ ଏକ ଭାଷଣ ଦେଇ ଏକସ୍ତରି ବର୍ଷ ବୟସ୍କ ଏର୍ଡୋଗାନ କହିଥିଲେ ଯେ ହାଜିଆ ସୋଫିଆ ହେଉଛି ମୁସଲମାନଙ୍କର ଆତ୍ମାର ପାଦ ଚିହ୍ନ। ସମାଲୋଚକମାନେ କହନ୍ତି ଯେ ଏ ଧରଣର ଭାଷଣ ମୌଳବାଦୀଙ୍କୁ ଖୁବ୍‌ ଶକ୍ତି ଯୋଗାଇଛି। ତୁର୍କୀ ବର୍ତ୍ତମାନ ପାକିସ୍ତାନର ନୀତିକୁ ସମର୍ଥନ କରୁଛି ଓ ‘ନାଟୋ’ ମେଣ୍ଟର ସଦସ୍ୟ ହୋଇଥିଲେ ମଧ୍ୟ ତୁର୍କୀର ଏଭଳି ଆଭିମୁଖ୍ୟ ବିସ୍ମିତ କରିଥାଏ। ଏର୍ଡୋଗାନଙ୍କ ଆଦର୍ଶ ହେଉଛନ୍ତି ଅଟୋମାନ ସମ୍ରାଟ ଓ ସେମାନଙ୍କ ସାମ୍ରାଜ୍ୟର ଗୌରବମୟ ଇତିହାସ। ସେ କହନ୍ତି ଯେ ଇସଲାମୀୟ ରାଷ୍ଟ୍ରମାନେ ଏକଜୁଟ ହୋଇ ଏକ ଇସଲାମୀ ପରିଚୟ ସୃଷ୍ଟି କରନ୍ତୁ। ଏଣେ ଚୀନ ଏବେ ତୁର୍କୀ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛି। ଏହା ଫଳରେ ଏହି ସମୁଦ୍ର ତଟବର୍ତ୍ତୀ ରାଷ୍ଟ୍ରକୁ ଛୁଇଁଥିବା ସମୁଦ୍ର ପଥ ଉପରେ ପ୍ରଭାବ ବିସ୍ତାର କରି ପାରିବ। ତେଣୁ ତୁର୍କୀ ଏବେ ଭାରତର ଦୁଇଟି ପ୍ରମୁଖ ଶତ୍ରୁଙ୍କ ସହିତ ଭଲ ସଂପର୍କରେ ରହିଛି। ତେଣୁ, ‘ଅପରେସନ ସିନ୍ଦୂର’ ବେଳେ ଦେଖାଗଲା ଯେ ପାକିସ୍ତାନ ତୁର୍କୀ ଦ୍ବାରା ଦିଆଯାଇଥିବା‌ ଡ୍ରୋନଗୁଡ଼ିକୁ ବ୍ୟବହାର କରିଛି। ତା’ ସହିତ ଚୀନ କେତେକ ତୁର୍କୀ ନିର୍ମିତ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିଛି।
ଦୀର୍ଘ କାଳ ହେଲା ଏର୍ଡୋଗାନ ପାକିସ୍ତାନକୁ ସମର୍ଥନ କରିଆସୁଛନ୍ତି। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ତୁର୍କୀରେ ତାଲିମ ପାଇଥିଲେ। ତୁର୍କୀ ଏବଂ ଚୀନର କଂପ୍ୟୁଟର ହ୍ୟାକରମାନଙ୍କ ସହାୟତାରେ ପାକିସ୍ତାନ ପକ୍ଷରୁ ଭାରତର କମ୍ପ୍ୟୁଟରମାନଙ୍କୁ ହ୍ୟାକ୍‌ କରିବାର ଉଦ୍ୟମ ହେଉଛି। ନିକଟରେ ଏର୍ଡୋଗାନଙ୍କ ସହିତ ପାକ୍ ପ୍ରଧାନମନ୍ତ୍ରୀ ସେହୱାଜ ସରିଫଙ୍କ ସାକ୍ଷାତ ବେଳେ ଏର୍ଡୋଗାନ ପ୍ରତିଶ୍ରୁତି ଦେଇଥିଲେ ଯେ, ତୁର୍କୀ ପାକିସ୍ତାନ ସାଂଗରେ ଛିଡ଼ା ହୋଇଛି। ସେ କହୁଛନ୍ତି ଯେ ପାକିସ୍ତାନର ଲଢ଼େଇ ହେଉଛି ନ୍ୟାୟପୂର୍ଣ୍ଣ ଏବଂ କାଶ୍ମୀର ବ୍ୟାପାରରେ ମଧ୍ୟ ‌େସ ପାକିସ୍ତାନର ବଡ଼ ସମର୍ଥକ। 
ଯେତେବେଳେ ‘ଟିସିଜି ବୁୟୁକାଡା’ ନାମକ ତୁର୍କୀର ଗୋଟିଏ ଜାହାଜ କରାଚୀ ବନ୍ଦରରେ ପହଞ୍ଚିଲା, ସେତେବେଳେ କୁହାଗଲା ଯେ ତାହା ସେହି ଜାହାଜର ଏକ ସୌଜନ୍ୟମୂଳକ ଯାତ୍ରା। କିନ୍ତୁ ଏହି ଜାହାଜରେ ଜଳଜାହାଜ ନଷ୍ଟକାରୀ କ୍ଷେପଣାସ୍ତ୍ର ଟର୍ପେଡୋ ଓ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ବା ‘ସିଷ୍ଟମ’ମାନ ଥିଲା। ଏହି କାରଣରୁ କରାଚୀ ବନ୍ଦରକୁ ଯାଇଥିବା ଜଳପଥ ଓଗାଳିବା ବିଷୟ ଭାରତ ପକ୍ଷରୁ ଚିନ୍ତା କରାଯାଇଥିଲା। 
ଉଲ୍ଲେଖଯୋଗ୍ୟ ଯେ ୧୯୫୦ ଦଶକରେ ଭାରତ ଓ ତୁର୍କୀ ଦେଶ ମଧ୍ୟରେ ସୁସମ୍ପର୍କ ଥିଲା। ତେବେ, ୧୯୭୧ ମସିହାର ଭାରତ-ପାକ୍ ଯୁଦ୍ଧ ବେଳେ ଏହି ଦୁଇ ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଲା। ଏଣେ ଗୋଟିଏ ଚୁକ୍ତିରୁ ତୁର୍କୀର ପାକିସ୍ତାନ ସହିତ ଭଲ ସମ୍ପର୍କ ସୃଷ୍ଟି ହୋଇଥିଲା, ଯାହା ‘ସେଣ୍ଟ୍ରାଲ ଟ୍ରିଟି ଅର୍ଗନାଇଜେସନ’ (ସେଣ୍ଟ୍ରେ) ଭାବେ ଜଣାଶୁଣା। ଏର୍ଡୋଗାନ ଜାତିସଂଘରେ ଭାଷଣ ଦେଇ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରିଥିଲେ। ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସେତିକି ବେଳେ ତୁର୍କୀକୁ ଚେତାଇ ଦେଇ କହିଥିଲେ ଯେ ଭାରତର ସର୍ବଭୌମତ୍ୱକୁ ତୁର୍କୀ ସ୍ୱୀକାର ଓ ସମ୍ମାନ କରିବା ଉଚିତ। ପହଲଗାମ ପ୍ରସଙ୍ଗରେ ଭାରତ ଯେତେବେଳେ ପାକିସ୍ତାନ ପ୍ରେରିତ ଆକ୍ରମଣକାରୀଙ୍କ ସଂପୃକ୍ତିକୁ ୭୦ଟି ଦେଶର ପ୍ରତିନିଧିଙ୍କ ହୃଦବୋଧ କରାଉଥିଲା ଓ ଏହାର ଏକ ଠିକଣା ପ୍ରତ୍ୟୁତ୍ତର ଦେବ ବୋଲି କହୁଥିଲା, ସେତେବେଳେ ତୁର୍କୀ ପାକିସ୍ତାନର ସମର୍ଥନ କରି କହିଥିଲା ଯେ ସତ୍ୟାସତ୍ୟ ନିରୂପଣ ଲାଗି କୌଣସି ତୃତୀୟ ଦେଶ ଦ୍ବାରା ଅନୁସନ୍ଧାନ କରାଯାଉ, ଯାହାକୁ ଭାରତ ମୂଳରୁ ହିଁ ଅସ୍ବୀକାର କରି ଆସିଛି। କେବଳ ଭାରତ ନୁହେଁ, ଇସ୍ରାଏଲ ମଧ୍ୟ ତୁର୍କୀର ବ୍ୟବହାରରେ ବହୁତ କ୍ଷୁବ୍‌ଧ। କାରଣ ଗତ ୨୦୨୩ ମସିହା ଅକ୍‌ଟୋବର ମାସରେ ତୁର୍କୀର ନେତାମାନେ ହମାସକୁ ସମର୍ଥନ କରିଥିଲେ। ତୁର୍କୀ କହିଥିଲା ଯେ ହମାସ ଗୋଟିଏ ଆତଙ୍କବାଦୀ ସଂଗଠନ ନୁହେଁ; ବରଂ ମୁଜାହିଦ୍ଦିନଙ୍କର ଗୋଟିଏ ଗୋଷ୍ଠୀ, ଯେଉଁମାନେ ସେମାନଙ୍କର ଅପହୃତ ଓ ବେଆଇନ ଭାବେ ଅଧିକୃତ ବାସସ୍ଥାନ ପାଇବା ଲାଗି ଲଢୁଛନ୍ତି। ୨୦୧୬ ମସିହା‌ରେ ଜର୍ମାନିର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଇସଲାମୀ ଗୋଷ୍ଠୀଙ୍କ ପାଇଁ ବର୍ତ୍ତମାନ ଆଙ୍କାରା ଗୋଟିଏ ବଡ଼ ପେଣ୍ଠ ହୋଇଛି। ତୁର୍କୀର ବ୍ୟବହାର ଧୀରେ ଧୀରେ ଅଧିକରୁ ଅଧିକ ଇସଲାମୀ ମୌଳବାଦ ମୁହାଁ ହେଉଥିବାରୁ ଏଭଳି ହେଉଛି। ୨୦୧୪ ମସିହା, ଫେବ୍ରୁଆରି ୨୦ ତାରିଖରେ ଏର୍ଡୋଗାନ ପାକିସ୍ତାନ ଗସ୍ତ କରିଥିଲେ। ପାକିସ୍ତାନ ସଂସଦରେ ମଧ୍ୟ ସେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ସମର୍ଥନ ‌େଦଇଥିଲେ। ତାଙ୍କ କହିବାନୁସାରେ ପାକିସ୍ତାନ ହେଉଛି ବିଶ୍ୱର ସବୁ ମୁସଲମାନଙ୍କ ସ୍ୱର। ଆଗାମୀ ଦିନରେ ତୁର୍କୀ ଓ ପାକିସ୍ତାନର ସହଯୋଗ ଆହୁରି ଜୋରଦାର ହେବ ବୋଲି କୁହାଯାଉଛି। 
ଏହି କାରଣରୁ ତୁର୍କୀ ଏବେ ଆମ ଦେଶରେ ଖୁବ୍ ଅପ୍ରିୟ। ତେଣୁ ଭାରତର ତୁର୍କୀ ବିରୋଧ ଅଭିଯାନ ଆରମ୍ଭ ହୋଇଛି। ତୁର୍କୀର ଅର୍ଥନୀତିର ଏକ ଆଧାର ହେଉଛି ପର୍ଯ୍ୟଟନ ଏବଂ ହଜାର ହଜାର ଭାରତୀୟ ପର୍ଯ୍ୟଟକ ପ୍ରତି ବର୍ଷ ତୁର୍କୀ ଯାଆନ୍ତି। ଏବେ ଭାରତୀୟମାନେ ତୁର୍କୀ ଯିବାର ଯୋଜନା ବନ୍ଦ କରୁଛନ୍ତି, ଯାହା‌ ଫଳ‌େର ତୁର୍କୀ କ୍ଷତି ସହିବ। ତୁର୍କୀ ବୋଧହୁଏ ଭୁଲି ଯାଇଛି ଯେ ୨୦୨୩ ମସିହା, ଫେବ୍ରୁଆରିରେ ଭୟାବହ ତୁର୍କୀ ଭୂମିକମ୍ପ ବେଳେ ଭାରତ ପକ୍ଷରୁ ସେ ଦେଶକୁ ବହୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ସେହି ଦୃଷ୍ଟିରୁ ତୁର୍କୀ କୃତଘ୍ନତା କରିଛି ବୋଲି କୁହାଯିବ। ହୃଦ୍‌ବୋଧ ହେଉଛି ଯେ ଯେତେ ଆନ୍ତର୍ଜାତିକ ଚାପ ପଡ଼ିଲେ ବି ଏର୍ଡୋଗାନଙ୍କ ଶାସିତ ତୁର୍କୀର ଭାରତ ପ୍ରତି ଥିବା ଆଭିମୁଖ୍ୟ ବଦଳିବ ନାହିଁ। 
ସୁଖର କଥା, ଭାରତୀୟ ବାୟୁସେନାର ଆକାଶ ସୁରକ୍ଷା ବ୍ୟବସ୍ଥା ତୁର୍କୀର ସବୁ ଡ୍ରୋନକୁ ଧ୍ବଂସ କରି ଦେଇଛି। ଭାରତର ଟେଲିଭିଜନରେ ଲୋକେ ଦେଖିଲେ କିପରି ଗୋଟିଏ ପରେ ଗୋଟିଏ ଡ୍ରୋନକୁ ତଳକୁ ଖସାଇ ଦିଆଗଲା। ତୁର୍କୀ ସକାଶେ ଏହା ଏକ ସୁଖଦ ଅନୁଭୂତି ନୁହେଁ ନିଶ୍ଚୟ। ପାକିସ୍ତାନ ଯେ ଏକ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର, ଏହା ସବୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଜାଣନ୍ତି। ତେଣୁ ‘ନାଟୋ’ ମେଣ୍ଟରେ ଥିବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ତୁର୍କୀର ଏଭଳି ଆଚରଣକୁ ବେଶୀ ଦିନ ଯାଏ ପସନ୍ଦ କରିବେ ନାହିଁ। ଯେଉଁମାନେ ରାଜନୀତିକୁ ବିଶ୍ଳେଷଣ କରନ୍ତି, ସେମାନେ କହନ୍ତି ଯେ ପାକିସ୍ତାନ ଭଳି ଏକ ଇସଲାମୀୟ ମୌଳବାଦୀ ଓ ବିଶୃଙ୍ଖଳ ରାଷ୍ଟ୍ରକୁ ସମର୍ଥନ କରିବା ହେଉଛି ତୁର୍କୀର ଏକ ବିରାଟ ଅପରିଣାମଦର୍ଶିତା, ଯାହାର କୁଫଳ ସେ ଦେଶ ଅବଶ୍ୟ ଭୋଗିବ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦